ହରିଆଣାର ସୋନିପତ ଜିଲ୍ଲାରେ ଅବସ୍ଥିତ ଏକ ସମ୍ଭ୍ରାନ୍ତ ଘରୋଇ ବିଶ୍ୱବିଦ୍ୟାଳୟ ‘ଅଶୋକା ୟୁନିଭର୍ସିଟି’ର ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀ ଦାସଙ୍କ ଜୁଲାଇ ୨୫ରେ ଏକ ଗବେଷଣା ପତ୍ର ପ୍ରକାଶ ପାଇବା ପରେ ତାକୁ ନେଇ ଏବେ ବିଶ୍ୱବିଦ୍ୟାଳୟ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି । ଫଳସ୍ୱରୂପ ସବ୍ୟସାଚୀ ଇସ୍ତଫା ପ୍ରଦାନ କରିବାକୁ ଏକ ପ୍ରକାର ବାଧ୍ୟ ହେବା ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଳବିଳମ୍ୱ ନ କରି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଯୋଗୁଁ ଛାତ୍ର ଓ ଶିକ୍ଷକଙ୍କ ଅସନ୍ତୋଷ ବୃଦ୍ଧି ପାଇ ସମସ୍ୟାକୁ ଅଧିକ ଜଟିଳ କରିଛି । କିଛି ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ଅଶ୍ୱସ୍ତିକର ବାତାବରଣ ସମ୍ପର୍କରେ ଉପରୋକ୍ତ ଘଟଣାଟି ଇଙ୍ଗିତ କରୁଥିବା ବେଳେ ଗବେଷଣାଲବ୍ଧ ଫଳାଫଳକୁ ଗ୍ରହଣ କରିବାରେ ପ୍ରକାଶ ପାଉଥିବା ଅସହିଷ୍ଣୁତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହା ଗବେଷକମାନଙ୍କୁ ବିବଦମାନ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରିବାରୁ ବିମୁଖ କରିପାରେ ।
ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡ଼ି କରିଥିବା ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀଙ୍କ ୫୦ ପୃଷ୍ଠା ବିଶିଷ୍ଟ ଗବେଷଣା ପତ୍ରର ଶୀର୍ଷକ ଥିଲା ‘ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣତାନ୍ତ୍ରିକ ସ୍ଖଳନ’ (ଡେମୋକ୍ରାଟିକ ବ୍ୟାକସ୍ଲାଇଡ଼ିଂ ଇନ ଦ ୱାର୍ଲଡସ ଲାର୍ଜେଷ୍ଟ ଡେମୋକ୍ରାସି) । ଗଣତାନ୍ତ୍ରିକ ସ୍ଖଳନ ଏବେ ସାରା ବିଶ୍ୱରେ ଚିନ୍ତା ବୃଦ୍ଧିର କାରଣ ପାଲଟିଥିବା ବେଳେ ଏହି ଆଲେଖ୍ୟଟିରେ ଲେଖକ ଭାରତରେ ୨୦୧୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଏମିତି କିଛି ଅନିୟମିତ ନମୁନା ଓ ତଥ୍ୟର ଉଲ୍ଲେଖ କରିଛନ୍ତି ଯାହା ସୁଦକ୍ଷ ପ୍ରଚାର ଅଭିଯାନ ମାଧ୍ୟମରେ ଶାସକ ଦଳର ନିର୍ବାଚନୀ ବିଜୟକୁ ସୁନିଶ୍ଚିତ କରିବାର ଦକ୍ଷତା ଅପେକ୍ଷା ନିର୍ବାଚନୀ କାରସାଦି ମାଧ୍ୟମରେ ହୋଇଥିବା ବିଜୟକୁ ଅଧିକ ସୂଚାଉଛି । ଏହି ହେରାଫେରି ମୁଖ୍ୟତଃ କମ ବ୍ୟବଧାନରେ ହାରଜିତର ଫଇସଲା ହୋଇଥିବା ୫୯ଟି ଆସନରେ କରାଯାଇଥିବାର ଜଣାପଡ଼ୁଛି, ଯେଉଁଥିରୁ ୪୧ଟି ଆସନରେ ବିଜେପି ବିଜୟୀ ହୋଇଛି । ଏହି ଆସନଗୁଡ଼ିକ ମଧ୍ୟରେ ଓଡିଶାର ୧୦ଟି ଆସନର ବି ଉଲ୍ଲେଖ ଅଛି ଯେଉଁଥିରୁ ୬ଟିରେ (ସମ୍ୱଲପୁର, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି, ଭୁବନେଶ୍ୱର) ବିଜେପି ବିଜୟୀ ହୋଇଥିଲା । ସେଭଳି ଅଧିକାଂଶ ଆସନରେ, ଯେଉଁଠାରେ ଶାସକ ଦଳ ରାଜ୍ୟ ଶାସନ ଦାୟିତ୍ୱରେ ଥିଲେ, ସେଠାରେ ଶାସକ ଦଳର ବିଜୟ ହୋଇଥିବା କଥା ଉଲ୍ଲେଖ ହୋଇଛି । ଏହି ନିର୍ବାଚନୀ ହେରାଫେରି ଭୋଟର ପଞ୍ଜିକରଣ ସମୟରେ ହୋଇଥାଇପାରେ ଅଥବା ଭୋଟଦାନ ବା ଭୋଟଗଣନା ବେଳେ ମଧ୍ୟ ହୋଇଥାଇପାରେ । ଏହି ଆସନଗୁଡ଼ିକରେ ଭୋଟର ପଞ୍ଜିକରଣ ବେଳେ ସଂଖ୍ୟାଲଘୁ ଭୋଟରଙ୍କ ନାମକୁ ବହୁଳ ଭାବେ ବାଦ ଦିଆଯାଇଥିବାର ଜଣାପଡ଼ୁଛି । ସେହିପରି ପ୍ରଥମ ୪ ପର୍ୟ୍ୟାୟରେ ୩୭୩ଟି ଲୋକସଭା ଆସନରେ ହୋଇଥିବା ଭୋଟଦାନ ସମ୍ପର୍କରେ ନିର୍ବାଚନ ଆୟୋଗ ଯେଉଁ ତଥ୍ୟ ଜାରି କରିଥିଲେ ତାହା ପରବର୍ତ୍ତୀ ସମୟରେ ବଦଳା ଯାଇଥିଲା । ତଦନୁଯାୟୀ ୬୪ ପ୍ରତିଶତ ଆସନରେ ଭୋଟଦାନ ସଂଖ୍ୟାକୁ ବଢ଼ା ଯାଇଥିବା ବେଳେ ଅବଶିଷ୍ଟ ୩୬ ପ୍ରତିଶତ ଆସନରେ ତାହା କମ କରାଯାଇଥିଲା, ଯାହାକୁ ମତଦାନ ସଂଖ୍ୟାରେ ହେରାଫେରି (ଟର୍ଣ୍ଣ ଆଉଟ ମ୍ୟାନିପୁଲେସନ) ବୋଲି ଅଭିହିତ କରାଯାଇଛି । ଗବେଷଣା ପତ୍ରର ପ୍ରସ୍ତାବନାରେ ଲେଖା ହୋଇଛି ଯେ ଗବେଷଣାର ଫଳାଫଳରୁ ଭାରତରେ ଗଣତନ୍ତ୍ରର ଭବିଷ୍ୟତ ଚିନ୍ତାଜନକ ଭଳି ମନେ ହେଉଛି । ଏହା ପ୍ରକାଶ ପାଇବା ପରେ ଏହାର ସମର୍ଥନ ଓ ବିରୋଧରେ ଆଲୋଚନାମାନ ବୃଦ୍ଧି ପାଉଥିବା ଦେଖି ବିବ୍ରତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଗଷ୍ଟ ୧ରେ ତୁରନ୍ତ ଏକ ଟ୍ୱିଟ ଜରିଆରେ ଗବେଷଣା ପତ୍ର ପ୍ରକାଶନଠାରୁ ଦୂରତା ରକ୍ଷା କରି ଜଣାଇ ଦେଲେ ଯେ ଗବେଷଣାର ଫଳାଫଳ ସହ କର୍ତ୍ତୃପକ୍ଷ ସହମତ ନୁହନ୍ତି କି ଏଥି ସହ ବିଶ୍ୱବିଦ୍ୟାଳୟର କୌଣସି ସମ୍ପର୍କ ନାହିଁ । କହିବା ବାହୁଲ୍ୟ ଯେ ଯେକୌଣସି ଗବେଷକଙ୍କ ଗବେଷଣାର ଫଳାଫଳ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହମତ ହେବାର ଆବଶ୍ୟକତା ନଥାଏ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ସାଧାରଣରେ ଅପମାନିତ କରିଥିବା ମନେ କରି ସବ୍ୟସାଚୀ ଚାକିରିରୁ ଇସ୍ତଫା ପ୍ରଦାନ କଲେ ଓ ତାହା କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ଗୃହୀତ ହୋଇଗଲା । ଗବେଷଣା ପତ୍ର ପ୍ରକାଶ ପାଇବାର ମାତ୍ର ୭ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସେମାନେ ଚାପଗ୍ରସ୍ତ ହୋଇ ଏଭଳି କରିଥିବାର ପ୍ରତୀତ ହେଉଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଚରଣ ଗବେଷକଙ୍କ ଶୈକ୍ଷଣିକ ସ୍ୱାଧୀନତା (ଆକାଡ଼େମିକ ଫ୍ରିଡମ)କୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଅନ୍ୟତମ ବରିଷ୍ଠ ପ୍ରଫେସର ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫା ପ୍ରଦାନ କଲେ । ଗବେଷଣାର ଫଳାଫଳ ଶାସକ ଦଳର ଅନୁକୂଳ ନହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଏହିପରି ହସ୍ତକ୍ଷେପ କରିବା ଆରମ୍ଭ କରିବେ, ତେବେ ଗବେଷକମାନଙ୍କ ଉପରେ ନିଶ୍ଚିତ ଭାବେ ତା’ର ପ୍ରତିକୂଳ ପ୍ରଭାବ ପଡ଼ିବ । ତଥ୍ୟ ସମ୍ୱଳିତ ଆଲୋଚନା ମାଧ୍ୟମରେ ବା ଅନ୍ୟ ଏକ ଗବେଷଣା ମାଧ୍ୟମରେ ସବ୍ୟସାଚୀ ଉଠାଇଥିବା ବିନ୍ଦୁଗୁଡ଼ିକୁ ଭୁଲ୍ ପ୍ରମାଣିତ କରାଯାଇପାରିଥିଲେ ତାହା ବିଶ୍ୱବିଦ୍ୟାଳୟରେ ଗବେଷଣାର ସ୍ତର ଓ ବାତାବରଣକୁ ଉନ୍ନତ କରିବାରେ ସହାୟକ ହୋଇଥାଆନ୍ତା ।
ଦେଶରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଅନୁକୂଳ ବାତାବରଣ ଅଛି ବୋଲି ଛାତ୍ରଙ୍କଠାରେ ପ୍ରତ୍ୟୟ ସୃଷ୍ଟି ନହେଲେ ଅଧିକ ସଂଖ୍ୟକ ଛାତ୍ର ଦେଶ ଛାଡ଼ି ବିଦେଶକୁ ଯିବାକୁ ପସନ୍ଦ କରିବେ । ଶିକ୍ଷା ମନ୍ତ୍ରାଳୟ ତରଫରୁ ସଂସଦରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧ରେ ଦେଶରୁ ୪.୪୪ ଲକ୍ଷ ଭାରତୀୟ ଛାତ୍ର ଉଚ୍ଚଶିକ୍ଷା ହାସଲ ପାଇଁ ବିଦେଶକୁ ଯାଇଥିବା ବେଳେ ୨୦୨୨ରେ ସେହି ସଂଖ୍ୟା ପ୍ରାୟ ୬୯ ପ୍ରତିଶତ ବୃଦ୍ଧି ପାଇ ସାଢ଼େ ୭ ଲକ୍ଷରେ ପହଞ୍ଚିଲାଣି । ୨୦୧୭ରେ ଏହି ସଂଖ୍ୟା ମାତ୍ର ୪.୫୪ ଲକ୍ଷ ଥିଲା, ଯାହା ୨୦୧୮ରେ ୫.୮୬ ଲକ୍ଷକୁ ବଢ଼ିଲା ପରେ କୋଭିଡ଼ ଯୋଗୁଁ ୨୦୧୯ରେ ଏହା ଯଥେଷ୍ଟ ହ୍ରାସ ପାଇ ୨.୫୯ ଲକ୍ଷରେ ପହଞ୍ଚିଥିଲା । ୨୦୧୭ରେ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ‘ବିଶିଷ୍ଟ ଶିକ୍ଷାନୁଷ୍ଠାନ’ ପ୍ରତିଷ୍ଠାର ସରକାରୀ ନିଷ୍ପତ୍ତି ଘୋଷଣା କରିବା ସତ୍ତ୍ୱେ ତାହା ଯେ ଭାରତୀୟ ଛାତ୍ରମାନଙ୍କୁ ଭାରତ ଭିତରେ ଅଟକାଇ ରଖି ପାରିନାହିଁ ତାହା ବର୍ଷ ପରେ ବର୍ଷ ବର୍ଦ୍ଧିତ ସଂଖ୍ୟକ ଭାରତୀୟ ଛାତ୍ର ଉଚ୍ଚଶିକ୍ଷା ହାସଲ ପାଇଁ ବିଦେଶମୁହାଁ ହେଉଥିବାରୁ ସ୍ପଷ୍ଟ ହେଉଛି ।
ପାଞ୍ଚ ବର୍ଷ ତଳେ ଜୁଲାଇ ୯, ୨୦୧୮ରେ ତତକାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରକାଶ ଜାଭଡ଼େକର ଦେଶରେ ଯେଉଁ ୬ଟି ‘ବିଶିଷ୍ଟ ଶିକ୍ଷାନୁଷ୍ଠାନ’ (ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ) ପ୍ରତିଷ୍ଠା କଥା ଘୋଷଣା କରିଥିଲେ ତନ୍ମଧ୍ୟରେ ଥିଲା ଆଇଆଇଟି ଦିଲ୍ଲୀ ଓ ବମ୍ୱେ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ବାଙ୍ଗାଲୋର), ପିଲାନିସ୍ଥିତ ବିରଲା ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଓ ମଣିପାଲ ଆକାଡ଼େମୀ ଅଫ ହାୟର ଏଜୁକେଶନ୍ । ଲକ୍ଷ୍ୟ ଥିଲା ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଶୈକ୍ଷିକ ଓ ପ୍ରଶାସନିକ ସ୍ୱାୟତ୍ତତା ପ୍ରଦାନ କରି ଆଗାମୀ ୧୦ ବର୍ଷ ମଧ୍ୟରେ ସେଗୁଡ଼ିକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କରିବା । ସେହି ତାଲିକାରେ ମୁକେଶ ଆମ୍ୱାନୀଙ୍କ ‘ଜିଓ ଇନଷ୍ଟିଚ୍ୟୁଟ’ର ନାମ ମଧ୍ୟ ଘୋଷଣା ହେବା ବେଶ ବିବାଦିତ ହୋଇପଡ଼ିଥିଲା, କାରଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ନଥିବା ରିଲାଏନ୍ସ ସମୂହର ଜିଓ ଇନଷ୍ଟିଚ୍ୟୁଟ ସେତେବେଳ ଯାଏଁ ଆହୁରି ଭୂମିଷ୍ଠ ହୋଇନଥିଲା । ତେବେ ପ୍ରସ୍ତାବିତ ଜିଓ ଇନଷ୍ଟିଚ୍ୟୁଟକୁ ବଛାଯିବା ପଛରେ ଯେଉଁ ଦଲିଲ ଦିଆଯାଇଥିଲା ସେଥିରେ ଉଲ୍ଲେଖ କରାଯାଇଥିଲା – ଏହା ବିଶ୍ୱର ସର୍ବଶ୍ରେଷ୍ଠ ୧୦୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସର୍ବ କନିଷ୍ଠ ଶିକ୍ଷାନୁଷ୍ଠାନ ଭାବେ ନିଜ ପାଇଁ ଅଚିରେ ସ୍ଥାନଟିଏ ଦଖଲ କରିବ, ଛାତ୍ରମାନଙ୍କୁ ସେମାନଙ୍କ ନିର୍ବାଚିତ ପାଠ୍ୟକ୍ରମରେ ଉତ୍କର୍ଷତା ହାସଲ କରିବାରେ ସହାୟକ ହେବ ଓ ଅଧ୍ୟାପକମାନଙ୍କୁ ବି ସଶକ୍ତ କରିବ, ମେଧା ଭିତ୍ତିରେ ପ୍ରବେଶ ମିଳିବ, ଆରମ୍ଭରୁ ୧୦ଟି ସ୍କୁଲ ସହ କଳା, ବିଜ୍ଞାନ, ଇଞ୍ଜିନିଅରିଂ, ମେଡ଼ିକାଲ, ଖେଳ, ଆଇନ, ସହରୀ ଯୋଜନା ସମେତ ୫୦ଟି ବିଭାଗରେ ଶିକ୍ଷାଦାନ ହେବ । ଏହା ଏକ ସମ୍ପୂର୍ଣ୍ଣ ଆବାସିକ ବିଶ୍ୱବିଦ୍ୟାଳୟ ସହରରେ ପରିଣତ ହେବ । ତେବେ ବାସ୍ତବତା ହେଉଛି ଯେ ୫ ବର୍ଷ ପରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଏକ ‘ବିଶିଷ୍ଟ ଶିକ୍ଷାନୁଷ୍ଠାନ’ ହେବା ଦିଗରେ ଅଗ୍ରସର ହେବା ତ ଦୂରର କଥା ବରଂ ମୁମ୍ୱଇ ଉପକଣ୍ଠର ୫୨ ଏକର ପରିମିତ କ୍ୟାମ୍ପସରେ ସ୍ୱଳ୍ପ ଭିତ୍ତିଭୂମି, ହାତଗଣତି ଛାତ୍ର, ମୁଷ୍ଟିମେୟ ଅଧ୍ୟାପନା ମଣ୍ଡଳୀ ତଥା ଅଳ୍ପ କେତୋଟି ପାଠ୍ୟକ୍ରମ ସହ ଏକ ସାଧାରଣ ଶିକ୍ଷାନୁଷ୍ଠାନରେ ପରିଣତ ହୋଇ ରହିଯାଇଛି । ଅର୍ଥାତ୍ ୨୦୧୭ରେ ସରକାରଙ୍କ ଦ୍ୱାରା ବହୁ ଆଡ଼ମ୍ୱରରେ ଘୋଷିତ ‘ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ’ କାର୍ୟ୍ୟକ୍ରମ ଆଶାନୁରୂପ ଅଗ୍ରଗତି କରିନାହିଁ । ଏପରି ସ୍ଥଳେ ନୀତିଗତ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ପ୍ରତିକୂଳ ବାତାବରଣ ଉତ୍ପନ୍ନ ହେଲେ ଅଧ୍ୟାପନା ମଣ୍ଡଳୀ ହତୋତ୍ସାହିତ ହେବେ ଯାହା ଶିକ୍ଷାନୁଷ୍ଠାନଗୁଡ଼ିକର ଉତ୍କର୍ଷ ହାସଲରେ ଅନ୍ତରାୟ ସୃଷ୍ଟି କରିବ ।
ସାରା ବିଶ୍ୱରେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ୟ୍ୟରତ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ରମାଙ୍କ (ରାଙ୍କ) ନିର୍ଦ୍ଧାରଣ କରିବା ପାଇଁ ‘କ୍ୱାକ୍ୱାରେଲି ସିମଣ୍ଡସ୍’ ନାମକ ବ୍ରିଟିଶ କମ୍ପାନୀ ଯେଉଁ ‘କ୍ୟୁଏସ ରାଙ୍କିଙ୍ଗ’ ପଦ୍ଧତିର ଅନୁସରଣ କରିଥାଏ ସେଥିରେ ସର୍ବାଧିକ ୪୦ ପ୍ରତିଶତ ଗୁରୁତ୍ୱ ସେହି ଶିକ୍ଷାନୁଷ୍ଠାନର ‘ଆକାଡ଼େମିକ ଖ୍ୟାତି’କୁ ଦିଆଯାଇଥାଏ । ଏହି ଖ୍ୟାତି ବୃଦ୍ଧିରେ ଶିକ୍ଷାନୁଷ୍ଠାନରେ କାର୍ୟ୍ୟରତ ଅଧ୍ୟାପନା ମଣ୍ଡଳୀ (ଫାକଲଟି)ଙ୍କ ଗୁଣବତ୍ତା ଏକ ବଡ଼ ଭୂମିକା ନିର୍ବାହ କରିଥାଏ, ଯଦିଓ ବିଶ୍ୱସନୀୟ ଉନ୍ନତ ରାଙ୍କିଙ୍ଗ, ଶିକ୍ଷାନୁଷ୍ଠାନର ସମ୍ୱଳ, ଗବେଷଣା ସାମର୍ଥ୍ୟ, ଛାତ୍ର ଗୁଣବତ୍ତା, ନେତୃତ୍ୱର ସାମର୍ଥ୍ୟ, ଐତିହାସିକ ଖ୍ୟାତି ଓ ବିଭିନ୍ନ କାର୍ୟ୍ୟକ୍ରମର ଗୁଣବତ୍ତା ମଧ୍ୟ ଆକାଡେମିକ ଖ୍ୟାତିକୁ ବୃଦ୍ଧି କରିଥାଆନ୍ତି । ତେଣୁ ଯେ କୌଣସି ଶିକ୍ଷାନୁଷ୍ଠାନ ପକ୍ଷରେ ଉଚ୍ଚମାନର ଦକ୍ଷତାସମ୍ପନ୍ନ ଫାକଲଟିଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ଓ ଅନୁକୂଳ ବାତାବରଣ ଯୋଗାଇ ଦେଇ ସେ ଭଳି ଫାକଲଟିଙ୍କ ମନରେ ଶିକ୍ଷାନୁଷ୍ଠାନ ପ୍ରତି ବିଶ୍ୱାସ ଜନ୍ମାଇ ସେମାନଙ୍କୁ ସେଠାରେ ଧରି ରଖିବା ।
ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ବିଶ୍ୱବିଦ୍ୟାଳୟ ଭଳି ସ୍ଥାନରେ ଯେ କୌଣସି ବିଷୟ ଉପରେ ଗବେଷଣା କରିବାର ସ୍ୱାଧୀନତା ନ ରହିବ, ମୁକ୍ତ ଚିନ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନ ହେବ, ଭିନ୍ନ ମତ ବ୍ୟକ୍ତ କରିବା ଲାଗି ସୁଯୋଗ ନ ମିଳିବ ଓ ସହିଷ୍ଣୁତା ପ୍ରଦର୍ଶିତ ନ ହେବ, ତେବେ ତାହା ଆଉ କେଉଁଠି ବା ମିଳିବ ? ସବ୍ୟସାଚୀଙ୍କ ସମର୍ଥନରେ ଅଶୋକା ୟୁନିଭର୍ସିଟିର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଛାତ୍ରମାନେ ସବ୍ୟସାଚୀଙ୍କ ପୁନଃନିଯୁକ୍ତି ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଲାଗିଲେଣି । ଉତ୍ସାହବର୍ଦ୍ଧକ କଥା ଯେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ଧରଣର ପ୍ରତିବାଦର ସ୍ୱର କ୍ରମଶଃ ସ୍ତିମିତ ହୋଇଆସୁଥିଲା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ, ଯେଉଁଠାରେ ସାଧାରଣତଃ ଏହି ଧରଣର ପ୍ରତିବାଦ ଦେଖିବାକୁ ମିଳି ନଥାଏ, ଛାତ୍ର ଓ ଅଧ୍ୟାପକମାନେ ଜଣେ ଅଧ୍ୟାପକଙ୍କ ସମର୍ଥନରେ ସମସ୍ୱରରେ ପ୍ରତିବାଦର ସ୍ୱରକୁ ଶାଣିତ କରିଛନ୍ତି । ଊଣା ଅଧିକେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହିପରି ପ୍ରତିକୂଳ ଘଟଣାମାନ ପ୍ରତ୍ୟହ ସଂଘଟିତ ହେଉଥିବାର ଶୁଣିବାକୁ ମିଳୁଥିଲେ ବି ସେଗୁଡ଼ିକ ଅନାଲୋଚିତ ହୋଇ ରହିଯାଉଛି । ସମ୍ପୃକ୍ତ ଛାତ୍ର, ଅଧ୍ୟାପକ, ଗବେଷକମାନେ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ ବି ତାକୁ ସ୍ୱାଭାବିକ ମନେ କରି ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଶ୍ୱାସରୁଦ୍ଧ ଅବସ୍ଥାରେ ସେମାନଙ୍କଠାରୁ ଉତ୍କର୍ଷ ଆଶା କରିବା ସମୀଚୀନ କି ? ଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷ ନିଜର ସଂକୀର୍ଣ୍ଣ ସ୍ୱାର୍ଥର ପୂର୍ତ୍ତି ଲାଗି କେବଳ ସରକାର ଓ ନିଯୁକ୍ତିଦାତାଙ୍କୁ ସନ୍ତୁଷ୍ଚ କଲା ଭଳି ଆଚରଣ କରିବାକୁ ଲାଗିଲେ ତାହା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଓ ସାମଗ୍ରିକ ଭାବେ ଉଚ୍ଚଶିକ୍ଷା ବ୍ୟବସ୍ଥା ଓ ଗବେଷଣା ପରିବେଶର ବ୍ୟାପକ କ୍ଷତିସାଧନ କରିବ । ଚାପ ବା ଲୋଭର ବଶବର୍ତ୍ତୀ ହୋଇ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷ ସରକାରଙ୍କୁ ଅସହଜ କରାଉଥିବା ଦକ୍ଷତାସମ୍ପନ୍ନ ଅଧ୍ୟାପକଙ୍କୁ ଚାକିରିରୁ ଅବ୍ୟାହତି ଦେଇ ନମନୀୟ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଆରମ୍ଭ କଲେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ସେଗୁଡ଼ିକ ଯେ କ୍ରମଶଃ ନିମ୍ନାଭିମୁଖୀ ହେବେ, ଏଥିରେ ସନ୍ଦେହ ନାହିଁ ।
Published in Sambad on August 22, 2023
Comments
Post a Comment