Skip to main content

‘ଏନଡିଏ’ ବନାମ ‘ଇଣ୍ଡିଆ’

‘ଜୁଡ଼େଗା ଭାରତ ଜିତେଗା ଇଣ୍ଡିଆ’ ସ୍ଳୋଗାନ ସହ ସେପ୍ଟେମ୍ୱର ୧, ୨୦୨୩ରେ ମୁମ୍ୱଇଠାରେ ସମାପ୍ତ ହୋଇଥିବା ‘ଇଣ୍ଡିଆ’ (ଇଣ୍ଡିଆନ ନେସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ମେଣ୍ଟର ତୃତୀୟ ବୈଠକ ସମାପ୍ତ ହୋଇଛି । ଏଥିରୁ ଇଙ୍ଗିତ ମିଳିଛି ଯେ ଏହି ମେଣ୍ଟ ଆସନ୍ତା ସାଧାରଣ ନିର୍ବାଚନକୁ ଅତି ଗମ୍ଭୀରତାର ସହିତ ବିଚାର କରୁଛି ।  ହଠାତ୍ ସେପ୍ଟେମ୍ୱର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ବିଶେଷ ଅଧିବେଶନ ଡକାଇ ଓ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ବିମର୍ଶ ଭିତରକୁ ଆଣିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ସରକାର ବିରୋଧୀ ଦଳଗୁଡ଼ିକର ନିର୍ବାଚନୀ ପ୍ରସ୍ତୁତିକୁ ଲାଇନଚ୍ୟୁତ କରିବାକୁ ପ୍ରଚେଷ୍ଟା କରିଥିବା ବେଳେ ‘ଇଣ୍ଡିଆ’ ମଧ୍ୟ ଦିଲ୍ଲୀର ରାଜଘାଟଠାରୁ ଅକ୍ଟୋବର ୨ରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିବା  ଲାଗି ସଜବାଜ ହେଉଥିବାର ଜଣା ପଡ଼ିବା ପରେ ସେମାନଙ୍କ ସୁପରିକଳ୍ପିତ ନିର୍ବାଚନୀ ପ୍ରସ୍ତୁତିର ଆଭାସ ମିଳିଲାଣି ।  

ଏନଡ଼ିଏ ବିରୋଧରେ ବିରୋଧୀ ଦଳଗୁଡିକ ଏକଜୁଟ ହୋଇ ମୁକାବିଲା କରିବା ଲାଗି ଅନେକ ଦିନରୁ ବିଚାର ବିମର୍ଶ କରିଆସୁଥିଲେ, ଯାହାର ଫଳଶ୍ରୁତି ହେଉଛି ‘ଇଣ୍ଡିଆ’ । ବର୍ତ୍ତମାନ ଏହି ମେଣ୍ଟର ସଦସ୍ୟ ଦଳ ସଂଖ୍ୟା ୨୮, ଯହିଁରେ ପ୍ରମୁଖ ହେଲେ କଂଗ୍ରେସ, ଡିଏମକେ, ଟିଏମସି, ଜେଡିୟୁ, ଏନସିପି, ସମାଜବାଦୀ ପାର୍ଟି, ଆରଜେଡି, ଉଦ୍ଧବ ଠାକରେଙ୍କ ଶିବସେନା, ଜେକେଏନଏଫ, ପିଡିପି, ସିପିଆଇ, ସିପିଏମ, ଆପ୍, ଆରଏସପି, ଫରୱାର୍ଡ ବ୍ଲକ, ଜେଏମଏମ, ରାଷ୍ଟ୍ରୀୟ ଲୋକ ଦଳ । ଆଗାମୀ ଦିନରେ ଆସାମ ସମେତ ଅନ୍ୟ କେତେକ ରାଜ୍ୟର କିଛି ଆଞ୍ଚଳିକ ଦଳ ମଧ୍ୟ ଏହି ମେଣ୍ଟରେ ଯୋଗ ଦେବାର ସମ୍ଭାବନା ରହିଛି । ନିର୍ବାଚନ ବେଳେ ପ୍ରତିଟି ଆସନରେ ବିଜେପି ଓ ଏନଡ଼ିଏର ପ୍ରାର୍ଥୀଙ୍କ ବିରୁଦ୍ଧରେ ଜଣେ ମାତ୍ର ପ୍ରାର୍ଥୀ ଠିଆ କରାଇପାରିଲେ ‘ଏନଡିଏ’ ମେଣ୍ଟକୁ ହରାଇବା ସମ୍ଭବ ବୋଲି ‘ଇଣ୍ଡିଆ’ ପକ୍ଷର ଦୃଢ଼ ବିଶ୍ୱାସ । ଏଭଳି ବିଶ୍ୱାସର ମୂଳ କାରଣ ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ୪୫ ପ୍ରତିଶତ ଭୋଟ ପାଇ ଏନଡ଼ିଏ ମେଣ୍ଟ ୩୫୩ଟି ଆସନ ଦଖଲ କରିଥିଲା ଏବଂ ମାତ୍ର ୩୭.୩୬ ପ୍ରତିଶତ ଭୋଟ ପାଇ ବିଜେପି ଜିଣିଥିଲା ୩୦୩ଟି ଆସନ । ଏହାର ଅର୍ଥ ବିରୋଧୀ ଦଳଙ୍କ ମିଳିତ ଭୋଟ ଭାଗ ଏନଡିଏଠାରୁ ଅଧିକ ହୋଇଥିବା ସତ୍ତ୍ୱେ ତାହା ବିଭାଜିତ ହୋଇଯାଇଥିବାରୁ ଏନଡ଼ିଏ  କ୍ଷମତା ଦଖଲ କରିପାରିଥିଲା । ଏବେ ତ ସେତେବେଳେ ଏନଡ଼ିଏରେ ପ୍ରମୁଖ ଅଂଶୀଦାର ଥିବା ଜେଡିୟୁ, ଶିବସେନାର ଏକ ଅଂଶ ଓ ଶିରୋମଣି ଅକାଳୀ ଦଳ ମେଣ୍ଟ ବାହାରେ ଥିବାରୁ ଏନଡିଏ ଅପେକ୍ଷାକୃତ ଦୁର୍ବଳ ହୋଇଯାଇଛି ବୋଲି ଏକ ଧାରଣା ହୋଇଛି । ତେବେ ‘ଇଣ୍ଡିଆ’ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି ପ୍ରତିଟି ଆସନରେ ସଫଳ ବୁଝାମଣା ସମ୍ଭବ କରାଇ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ଛିଡ଼ା କରିବା ।  ନୀତିଗତ ଭାବେ ଏହା ସବୁ ଦଳ ପାଇଁ ଗ୍ରହଣୀୟ ହୋଇଥିଲେ ହେଁ କେତେକ ରାଜ୍ୟରେ ଏହାକୁ କାର୍ୟ୍ୟକାରୀ କଲା ବେଳେ ଦଳୀୟ ସ୍ୱାର୍ଥ ଏକ ସମସ୍ୟା ରୂପେ ଛିଡ଼ା ହୋଇପାରେ । ଲୋକସଭାର ୫୪୩ଟି ଆସନରୁ ୧୮୬ଟି ଆସନ ବା ପ୍ରାୟ ଏକ ତୃତୀୟାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା । ସେଠାରେ ଆସନ ବୁଝାମଣାର ଆବଶ୍ୟକତା ଦେଖା ଦେଇନପାରେ । ଏହି ଆସନଗୁଡ଼ିକ ମୁଖ୍ୟତଃ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଆସାମ ରାଜ୍ୟର । ତେବେ, ‘ଆପ୍’ ଶାସନାଧୀନ ଦିଲ୍ଲୀ ଓ ପଞ୍ଜାବ ରାଜ୍ୟରେ ଥିବା ସମୁଦାୟ ୨୦ଟି ଲୋକସଭା ଆସନର ଆବଣ୍ଟନ ବେଳେ ‘ଆପ୍’ ଓ କଂଗ୍ରେସ ମଧ୍ୟରେ ବିବାଦ ଉପୁଜିବାର ସମ୍ଭାବନା ଅଛି । ସେହିପରି ତୃଣମୂଳ କଂଗ୍ରେସ, କଂଗ୍ରେସ ଓ ବାମଦଳଗୁଡ଼ିକ ପଶ୍ଚିମବଙ୍ଗରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ସେଠାରେ ବି ଆସନ ବୁଝାମଣା ସହଜ ହୋଇନପାରେ । ତେବେ ମେଣ୍ଟର ସଂଯୋଜକମାନେ ଏହି ସମସ୍ୟାର ସମାଧାନ ଲାଗି ଚତୁରତା ପ୍ରଦର୍ଶନ କରିବେ ବୋଲି ଆଶା କରାଯାଏ । 

ଜୁନ ୨୩ରେ ପାଟଣାଠାରେ ଆୟୋଜିତ ବିରୋଧୀ ଦଳଗୁଡ଼ିକର ପ୍ରଥମ ବୈଠକରେ ମାତ୍ର ୧୫ଟି ଦଳ ଯୋଗ ଦେଇଥିବା ବେଳେ ଜୁଲାଇ ୧୮ରେ ବାଙ୍ଗାଲୋରଠାରେ ଆୟୋଜିତ ଦ୍ୱିତୀୟ ବୈଠକରେ ସେହି ସଂଖ୍ୟା ୨୬ରେ ପହଞ୍ଚିଥିଲା । ବିରୋଧୀ ମେଣ୍ଟର ଏଭଳି ଶକ୍ତିବୃଦ୍ଧି ପ୍ରତିପକ୍ଷକୁ ବିଚଳିତ କରିବା ସ୍ୱାଭାବିକ । ଫଳରେ ମାତ୍ର ଅଳ୍ପ ଦିନ ତଳେ ରାଜ୍ୟସଭାରେ ‘ଏକ ଅକେଲା କିତନୋ ପର ଭାରି’ (ଏକୁଟିଆ କିନ୍ତୁ ଅନେକଙ୍କ ଉପରେ ଓଜନିଆ) ଭଳି ଏକକ ସାମର୍ଥ୍ୟର ଦମ୍ଭୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦଳକୁ ଏନଡିଏର ଅନ୍ୟ ଅଂଶୀଦାର ଦଳଗୁଡ଼ିକଙ୍କ କଥା ହଠାତ୍ ସ୍ମରଣ କରିବାକୁ ହେଲା । ଜୁଲାଇ ୧୮ରେ ଦିଲ୍ଲୀଠାରେ ଏନଡିଏ ଅଂଶୀଦାର ଦଳଗୁଡ଼ିକର ଏକ ବୈଠକ ଡକାଯାଇଥିଲା, ଯାହା ଦୀର୍ଘ ଦିନ ଧରି ହୋଇନଥିଲା ।

ବର୍ତ୍ତମାନ ଲୋକସଭାରେ ‘ଏନଡିଏ’ର ୩୩୨ ଜଣ ସାଂସଦଙ୍କ ମଧ୍ୟରୁ ୩୦୧ ଜଣ କେବଳ ବିଜେପିର । ଏହି ମେଣ୍ଟରେ ଆଉ ୩୭ଟି ଦଳ ସାମିଲ ହୋଇଥିଲେ ବି ମହାରାଷ୍ଟ୍ରରେ ସିନ୍ଦେଙ୍କ ଶିବସେନାର ୧୩ ଜଣ ସାଂସଦ ଓ ବିହାରର ଲୋକଜନ ଶକ୍ତି ପାର୍ଟି (ଉଭୟ ଗୋଷ୍ଠୀକୁ ମିଶାଇ)ର ୬ ଜଣ ସାଂସଦଙ୍କୁ ବାଦ ଦେଲେ ଆଉ ୬ଟି ଦଳର ଜଣେ, ଦୁଇଜଣ ଲେଖାଏଁ ସାଂସଦ ଏବଂ ୨୮ଟି ଅଂଶୀଦାର ଦଳର କୌଣସି ସାଂସଦ ନାହାନ୍ତି । ଏହି ମେଣ୍ଟର କେତେକ ଦଳର ନା ରାଜ୍ୟ ସ୍ତରରେ ନା ଦେଶ ସ୍ତରରେ ବିଶେଷ ଉପସ୍ଥିତି ଅଛି । ଦେଖିବାକୁ ମିଳେ ଯେ କେନ୍ଦ୍ରରୁ ଆର୍ଥିକ ସାହାଯ୍ୟ ପାଇବା ପାଇଁ ଉତ୍ତର-ପୂର୍ବୀୟ ଭରତର ଦଳଗୁଡ଼ିକ କେନ୍ଦ୍ରରେ ଶାସନରେ ଥିବା ଦଳସହିତ ଯୋଡ଼ି ହୋଇ ରହିବାକୁ ପସନ୍ଦ କରନ୍ତି । ତେଣୁ କ୍ଷମତା ପରିବର୍ତ୍ତନ ସହ ସେଗୁଡ଼ିକୁ ମେଣ୍ଟ ବଦଳାଇବାକୁ ସମୟ ନିଅନ୍ତି ନାହିଁ । ତାହା ମଧ୍ୟ ଏନଡିଏ ଲାଗି ଏକ ଚିନ୍ତାର ବିଷୟ ହେବା କଥା । 

ଏ ପର୍ୟ୍ୟନ୍ତ ବହୁଜନ ସମାଜ ପାର୍ଟି, ବିଜେଡି, ବିଆରଏସ, ୱାଇଏସଆର କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି, ଜେଡିଏସ, ଶିରୋମଣି ଅକାଳୀ ଦଳ, ଆଇଏନଏଲଡି, ଏଆଇଏମଆଇଏମ, ଏଆଇୟୁଡିଏଫ ପ୍ରମୁଖ ଦଳଗୁଡ଼ିକ କୌଣସି ମେଣ୍ଟର ଅଂଶୀଦାର ହୋଇନାହାନ୍ତି । ଏଗୁଡ଼ିକ ମଧ୍ୟରୁ ବିଆରଏସ ପରି କେତେକ ଦଳ ବିଜେପିକୁ ପ୍ରକାଶ୍ୟ ବିରୋଧ କରୁଥିବା ବେଳେ ତେଲୁଗୁ ଦେଶମ, ଜେଡିଏସ ପରି କେତେକ ଦଳ ଏନଡ଼ିଏର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ପକ୍ଷରେ ବିଜେଡି, ୱାଏସଆରସିପି ପରି ପ୍ରଭାବଶାଳୀ ଆଞ୍ଚଳିକ ଦଳଗୁଡ଼ିକ ଉଭୟ ମେଣ୍ଟଠାରୁ ସମ ଦୂରତା ରକ୍ଷାର କଥା କହୁଥିଲେ ବି ଆଚରଣରେ ସେଗୁଡ଼ିକ ବିଜେପିର ନିକଟତର ଥିଲା ଭଳି ଜଣାପଡ଼ୁଛନ୍ତି । ଆଗାମୀ ଦିନରେ ଏହି ଦଳଗୁଡ଼ିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ଉପରୋକ୍ତ ଦଳଗୁଡ଼ିକ ମଧ୍ୟରୁ ୨୦୧୯ରେ ଓଡ଼ିଶାର ୨୧ଟି ଆସନ, ମଧ୍ୟରୁ ବିଜେଡି ୧୨ଟିରେ ଜିତିଥିଲା ବେଳେ ଆନ୍ଧ୍ରପ୍ରଦେଶରେ ୱାଇଏସଆରସିପି ୨୫ଟି ଆସନରୁ ୨୨ଟିରେ ବିଜୟୀ ହୋଇଥିଲା । ସେହିପରି ତେଲେଙ୍ଗାନାର ଶାସକ ଦଳ ବିଆରଏସ ୧୭ଟି ଆସନ ମଧ୍ୟରୁ ବିଆରଏସ ୯ଟିରେ ଜୟଯୁକ୍ତ ହୋଇଥିଲା । ଏହି ୩ଟି ରାଜ୍ୟରେ ଥିବା ୬୫ଟି ଆସନ ମଧ୍ୟରୁ ଏନଡିଏ ମେଣ୍ଟ ମାତ୍ର ୧୨ଟିରେ ବିଜୟୀ ହୋଇଥିଲା । ଏଣୁ ଏହି ରାଜ୍ୟ ତିନିଟିର ଶାସକ ଦଳଗୁଡ଼ିକ କୌଣସି ମେଣ୍ଟରେ ସାମିଲ ନହେଲେ ସେଠାକାର ୬୫ଟି ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାକୁ ଏଡ଼ାଇ ହେବନାହିଁ ।

ଉତ୍ତର-ପୂର୍ବ ଭାରତ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ବିଜେପି ଅପେକ୍ଷାକୃତ ଶକ୍ତିଶାଳୀ ଥିବାବେଳେ ଦକ୍ଷିଣ ଭାରତରେ ‘ଏନଡିଏ’ ମେଣ୍ଟର ସ୍ଥିତି ଦୁର୍ବଳ । ଅନ୍ୟପକ୍ଷରେ ବିହାର, ପଶ୍ଚିମବଙ୍ଗ, ପଞ୍ଜାବ, ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ‘ଇଣ୍ଡିଆ’ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ । ଉତ୍ତର-ପୂର୍ବ ଭାରତରେ ‘ଇଣ୍ଡିଆ’ର ସ୍ଥିତି ଦୁର୍ବଳ । ଅବଶ୍ୟ ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତରେ ମାତ୍ର ୨୫ଟି ଲୋକସଭା ଆସନ ଅଛି । ଜେଡିୟୁ ଏନଡିଏ ମେଣ୍ଟରୁ ଓହରିଯିବା ପରେ ବିହାରରେ ଏନଡିଏ ମେଣ୍ଟ ଦୁର୍ବଳ ହୋଇଛି । ସେଠାରେ ୨୦୧୯ରେ ଏନଡିଏ ମେଣ୍ଟକୁ ୪୦ଟିରୁ ୩୯ଟି ଆସନ ମିଳିଥିଲା ବେଳେ ବର୍ତ୍ତମାନର ରାଜନୈତିକ ସମୀକରଣରେ ଏନଡିଏ ମେଣ୍ଟକୁ ଯଥେଷ୍ଟ କମ ସଂଖ୍ୟକ ଆସନ ମିଳିବାର ପୂର୍ବାନୁମାନ କରାଯାଉଛି । ସେହିପରି ୪୮ଟି ଲୋକସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ୨୦୧୯ରେ ଏନଡ଼ିଏ ୪୧ଟି ଆସନରେ ବିଜୟୀ ହୋଇଥିଲା । ଅବଶ୍ୟ ସେତେବେଳେ ଶିବସେନା ବିଜେପି ସହ ଏନଡିଏ ମେଣ୍ଟର ଅଂଶ ଥିଲା । କିନ୍ତୁ ଏବେ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିର ଗୋଟିଏ ଗୋଷ୍ଠୀ ବିଜେପି ସହ ଥିଲେ ବି ସେଠାରେ ଏନଡିଏ ପୂର୍ବ ପ୍ରଦର୍ଶନକୁ ଦୋହରାଇବାର ସମ୍ଭାବନା କ୍ଷୀଣ । ବିହାର ଓ ମହାରାଷ୍ଟ୍ର ହିଁ ଏନଡ଼ିଏ ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ଏହି ଦୁଇଟି ରାଜ୍ୟରେ ମେଣ୍ଟ ୪୦ରୁ ଅଧିକ ଆସନ ହରାଇବାର ପୂର୍ବାନୁମାନ କରାଗଲାଣି । ତେବେ ମହାରାଷ୍ଟ୍ରରେ ‘ଇଣ୍ଡିଆ’ର ପ୍ରଦର୍ଶନ ନିର୍ଭର କରିବ ଏନସିପିର ମୁଖ୍ୟ ଶରଦ ପାୱାରଙ୍କ ଭବିଷ୍ୟତ କାର୍ୟ୍ୟପନ୍ଥା ଓ ନିଷ୍ପତ୍ତି ଉପରେ । ୨୦୧୯ରେ ଏନଡିଏ ମେଣ୍ଟ ଗୁଜରାଟର ୨୬ଟିରୁ ୨୬ଟି, ମଧ୍ୟପ୍ରଦେଶର ୩୦ଟିରୁ ୨୮ଟି, ଛତିଶଗଡ଼ର ୧୧ଟିରୁ ୯ଟି, ରାଜସ୍ଥାନର ୨୫ଟିରୁ ୨୫ଟି ଓ କର୍ଣ୍ଣାଟକର ୨୮ଟିରୁ ୨୫ଟି ଆସନ ଜିତି ଏକ ତରଫା ବିଜୟ ହାସଲ କରିଥିଲା । ସେହି ପ୍ରଦର୍ଶନ ଦୋହରାଇବା ଏନଡିଏ ପକ୍ଷରେ ସହଜ ହୋଇ ନପାରେ । ଏ ପରିସ୍ଥିତିରେ ଉନ୍ନତ ନିର୍ବାଚନୀ ରଣନୀତି ଓ ପରିଚାଳନା ମାଧ୍ୟମରେ ଏନଡିଏଠାରୁ ୮୦ରୁ ୧୦୦ଟି ଆସନ ଛଡ଼ାଇ ଆଣି ତାକୁ ସହଜରେ ଗାଦିଚ୍ୟୁତ କରି ହେବ ବୋଲି ‘ଇଣ୍ଡିଆ’ର ରଣନୀତିକାରମାନେ ଆଶା ବାନ୍ଧିଛନ୍ତି । କିନ୍ତୁ ଧ୍ୟାନରେ ରଖିବାକୁ ହେବ ଯେ ସମ୍ୱଳ ଓ ସାଂଗଠନିକ ଦକ୍ଷତା ସମୃଦ୍ଧ ବିଜେପି ବର୍ଷ ସାରା ଦିନରାତି ନିର୍ବାଚନୀ ସାଫଲ୍ୟ ଲାଗି କାର୍ୟ୍ୟରତ, ଯାହାକୁ ମାତ୍ ଦେବା ସହଜ ବ୍ୟାପାର ନୁହେଁ । 

ବିରୋଧୀଙ୍କ ମେଣ୍ଟ ଗଠନ କଥା ଉଠିଲା ଦିନୁ ସେହି ଗୋଟିଏ ପ୍ରଶ୍ୱକୁ ଏକ ରଣନୀତିର ଅଂଶ ଭାବେ ବାରମ୍ୱାର ଦୋହରାଯାଉଛି ଯେ ବିରୋଧୀ ମେଣ୍ଟର ନେତା କିଏ ହେବେ ? ରାହୁଳ ଗାନ୍ଧୀ, ନା ମମତା ବାନାର୍ଜୀ, ନା କେଜରିୱାଲ ନା ନୀତିଶ କୁମାର ନା ଶରଦ ପାୱାର ନା ଅନ୍ୟ କେହି ? ଏହା ସାଧାରଣ ଲୋକଙ୍କୁ ଭ୍ରମିତ କରିବା ଲାଗି ଉଦ୍ଦିଷ୍ଟ । ବାସ୍ତବତା ହେଲା ଏଇ ମୁହୂର୍ତ୍ତରେ ମେଣ୍ଟର ନେତାଙ୍କ ନାମ ଘୋଷଣା କରାଯିବା ସମ୍ଭବ ନୁହେଁ, କାରଣ ତାହା ମେଣ୍ଟକୁ ହୁଏତ ଦୁର୍ବଳ କରିବ । ‘ଇଣ୍ଡିଆ’ର ନେତାମାନେ ମଧ୍ୟ ଏହି ପ୍ରଶ୍ନଟିକୁ ଚତୁରତାର ସହ ଏଡ଼ାଇ ଯାଉଛନ୍ତି । କାରଣ ଥରେ ନାମଟିଏ ଘୋଷିତ ହୋଇଗଲେ ଦରବୃଦ୍ଧି, ବେକାରି ସମସ୍ୟା, ଦୁର୍ନୀତି, ଭ୍ରଷ୍ଟାଚାର ଭଳି ମୁଖ୍ୟ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇ କେତେକ ଗଣମାଧ୍ୟମ ଆଲୋଚନାକୁ ମୋଦି ବନାମ ସେହି ନେତାଙ୍କ ଭିତରେ କେନ୍ଦ୍ରିତ କରିବେ । ଭାରତର ସଂସଦୀୟ ବ୍ୟବସ୍ଥା ଅନୁସାରେ ନିର୍ବାଚିତ ପ୍ରତିନିଧି ସେମାନଙ୍କ ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବେ । ଏଭଳି ଉଦ୍ୟମ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଅନୁସରଣ ମାତ୍ର, ଯାହା ଆମ ସଂସଦୀୟ ବ୍ୟବସ୍ଥା ପ୍ରତି ଲାଗୁ ହେବାର କୌଣସି କାରଣ ନାହିଁ । ଅତୀତରେ ୨୦୦୪ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା ମେଣ୍ଟ ଦଳଗୁଡ଼ିକ ନିର୍ବାଚନ ପୂର୍ବରୁ ନେତାଙ୍କ ନାମ ଘୋଷଣା କରି ନ ଥିଲେ । ନିର୍ବାଚନ ପରେ ନେତା ନିର୍ବାଚିତ ହୋଇଥିଲେ ।

୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାର ଏକ ଅଧପନ୍ତରିଆ ପ୍ରୟାସ କରି ଅସଫଳ ହୋଇଥିଲେ । ମାତ୍ର ଏଥରର ପ୍ରୟାସ ଅଧିକ ବ୍ୟବସ୍ଥିତ ଓ ସୁପରିକଳ୍ପିତ ପରି ମନେ ହେଉଛି । ତେବେ ମେଣ୍ଟର ବୃହତ୍ତର ସ୍ୱାର୍ଥ ସଫଳତା ନିର୍ଭର କରିବ ମେଣ୍ଟର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଂଶୀଦାର ଦଳଗୁଡ଼ିକ ଯଦି କାର୍ଯ୍ୟ କରନ୍ତି ତେବେ ‘ଇଣ୍ଡିଆ’ର ପ୍ରଦର୍ଶନ ଭଲ ହେବ ବୋଲି ଆଶା କରାଯାଇପାରେ ।

Published in Sambad on September 5, 2023

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍