ଗତ କିଛି ବର୍ଷ ଧରି ଭାରତର ଋଣ ଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପ୍ରତି ବର୍ଷ ପ୍ରକାଶ କରୁଥିବା ଆର୍ଟିକଲ୍- ୪ ସମୀକ୍ଷା ପତ୍ରରେ ଡିସେମ୍ୱର ୨୦୨୩ରେ ସତର୍କ ବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର ଋଣ-ଜିଡିପି ଅନୁପାତ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ଟପିଯାଇପାରେ, ଅର୍ଥାତ୍ ଦେଶର ମୋଟ ଘରୋଇ ଉତ୍ପାଦର ମୂଲ୍ୟ ଯାହା ମୋଟ ଋଣର ପରିମାଣ ତାଠାରୁ ଅଧିକ ହେବ । ଆଇଏମଏଫର ଏହି ପୂର୍ବାନୁମାନକୁ ‘ଭୁଲ୍’ ବୋଲି ଅଭିହିତ କରି ଅର୍ଥ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ସବୁଠାରୁ ଖରାପ ପରିସ୍ଥିତି ଉପୁଜିଲେ ଋଣ-ଜିଡ଼ିପି ଅନୁପାତ ୧୦୦ ପ୍ରତିଶତ ଟପିଯିବାର ପୂର୍ବାନୁମାନକୁ ‘ଭବିତବ୍ୟ’ ବୋଲି ଧରି ନେଇ ହେବନାହିଁ ବା ସ୍ଥିତିରେ ସୁଧାର ଆଣି ହେବନାହିଁ ବୋଲି ଭାବିବା ଭୁଲ ହେବ । ବରଂ ସବୁ କିଛି ଠିକଠାକ୍ ଚାଲିଲେ ଏହି ଅନୁପାତ ୭୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଯାହା ରିପୋର୍ଟରେ ଲେଖାଯାଇଛି ତାହା ଅଧିକ ଗ୍ରହଣୀୟ । ତେବେ ଆଇଏମଏଫର ସତର୍କ ବାଣୀ ଆଧାରରେ ଭାରତର ଋଣଭାରର ବାସ୍ତବ ପ୍ରଭାବକୁ ବୁଝିବାର ଆବଶ୍ୟକତା ରହିଛି ।
ସାରା ବିଶ୍ୱରେ ବିଭିନ୍ନ ଦେଶର ସରକାରୀ ଋଣର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ‘ବିଶ୍ୱ ଅର୍ଥନୀତି ମଞ୍ଚ' ତରଫରୁ ୨୦୨୩ର ବର୍ଷ ଆରମ୍ଭରେ ସତର୍କବାଣୀ ଶୁଣାଇ ଦିଆଯାଇଥିଲା । ଦେଶଗୁଡ଼ିକ ହଠାତ୍ ଅଧିକ ଋଣଗ୍ରସ୍ତ ହେବାର ପ୍ରମୁଖ କାରଣ ଥିଲା କୋଭିଡ଼ ସମୟରେ ବିଭିନ୍ନ ଦେଶ ସେମାନଙ୍କ ଅର୍ଥନୀତିକୁ ଗତିଶୀଳ କରି ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ବିପୁଳ ପରିମାଣରେ ଋଣ କରିବାକୁ ହୋଇଥିଲା । କୋଭିଡ଼ କମିବା ପରେ ସୁଧ ହାରରେ ଭାରୀ ବୃଦ୍ଧି ହେବା ଯୋଗୁଁ ଋଣ ପରିଶୋଧ କରିବା ପାଇଁ ମଧ୍ୟ ଋଣ କରିବାକୁ ହେଲା ବା ଋଣର ନବୀକରଣ କରାଗଲା । ଯେଉଁ ଦେଶଗୁଡ଼ିକ ପୂର୍ବରୁ ଅଧିକ ଋଣଗ୍ରସ୍ତ ହୋଇସାରିଥିଲେ ସେମାନେ ଅପେକ୍ଷାକୃତ ଅଧିକ ପ୍ରଭାବିତ ହେଲେ । କୋଭିଡ଼ ଯୋଗୁଁ ଭାରତର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇ ଦେଶ ଅଧିକ ଋଣଗ୍ରସ୍ତ ହେଲା । ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଅନୁଯାୟୀ ସମଗ୍ର ବିଶ୍ୱରେ ଋଣ ଭାର ୩୦୫ ଲକ୍ଷ କୋଟି ଡଲାରରେ ପହଞ୍ଚିଛି, ଯାହା କୋଭିଡ ପୂର୍ବରୁ ୨୬୦ ଲକ୍ଷ କୋଟି ଡଲାର ଥିଲା । ତନ୍ମଧ୍ୟରୁ କମ୍ପାନିଗୁଡ଼ିକଙ୍କ ଦ୍ୱାରା ୫୩ ପ୍ରତିଶତ ଋଣ ନିଆଯାଇଥିବା ବେଳେ ସରକାର ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଯଥାକ୍ରମେ ୨୮ ଓ ୧୯ ପ୍ରତିଶତ ଋଣ ଆହରଣ କରାଯାଇଛି ।
ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଭାରତ ସରକାରଙ୍କ ସମୁଦାୟ ଋଣର ପରିମାଣ ୧୫୨.୬୧ ଲକ୍ଷ କୋଟି ଟଙ୍କା ଥିଲା । ତନ୍ମଧ୍ୟରୁ ୧୪୭.୭୮ ଲକ୍ଷ କୋଟି ଟଙ୍କା ଘରୋଇ ଭାବେ ନିଆଯାଇଥିଲା ବେଳେ ୪.୮୩ ଲକ୍ଷ କୋଟି ଟଙ୍କା ବିଦେଶୀ ଋଣ ଥିଲା । ଏହି ଋଣର ପରିମାଣ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୧୬୯ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୧୪ରେ କେନ୍ଦ୍ର ସରକାରଙ୍କ ଋଣର ପରିମାଣ ୫୦.୬୯ ଲକ୍ଷ କୋଟି ଟଙ୍କା ଥିଲା ବେଳେ ଏଇ ୯ ବର୍ଷ ମଧ୍ୟରେ ତାହା ୩ ଗୁଣରୁ ଅଧିକ ବୃଦ୍ଧି ପାଇସାରିଛି । ଭାରତରେ ସରକାରୀ ଋଣର ସିଂହଭାଗ ଘରୋଇ ସୂତ୍ରରୁ ଭାରତୀୟ ଟଙ୍କା ଆକାରରେ ନିଆଯାଇଛି । ପ୍ରାୟତଃ ସରକାରୀ ବଣ୍ଡ ଭାବେ ଦେଶ ଭିତରେ ଜାରି ହୋଇଥିବା ମଧ୍ୟମ ଓ ଦୀର୍ଘ ମିଆଦି ଋଣପତ୍ରଗୁଡ଼ିକ ମାଧ୍ୟମରେ ଅଧିକ ଋଣ ଆହରଣ କରାଯାଇଛି । ଏଗୁଡ଼ିକର ହାରାହାରି ପରିପକ୍ୱତା ଅବଧି ୧୨ ବର୍ଷ ହୋଇଥିବାରୁ ଠିକ୍ ସମୟରେ ଋଣ ପରିଶୋଧ ନ ହୋଇ ଋଣ ନବୀକରଣ କରିବାର ବିପଦ ବି କମ । ତା ଛଡ଼ା ବିଦେଶୀ ସଂସ୍ଥା ବା ଦେଶଙ୍କଠାରୁ ନିଆଯାଇଥିବା ବିଦେଶୀ ମୁଦ୍ରାରେ ଋଣର ପରିମାଣ ଅପେକ୍ଷାକୃତ କମ ହୋଇଥିବାରୁ ବିଦେଶୀ ମୁଦ୍ରାର ବିନିମୟ ଦରରେ ଦେଖା ଦେଉଥିବା ଅସ୍ଥିରତାର ପ୍ରଭାବ ମଧ୍ୟ ସେତେ ବେଶୀ ଅନୁଭୂତ ହେବାର ଆଶଙ୍କା କ୍ଷୀଣ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଜୁନ ୨୦୨୩ ସୁଦ୍ଧା ଦେଶର ବିଦେଶୀ ଋଣର ପରିମାଣ ୬୨୯୧୦ କୋଟି ଡଲାର ପହଞ୍ଚି ସାରିଲାଣି । ବିଦେଶୀ ମୁଦ୍ରାରେ ଅଣାଯାଇଥିବା ବାହ୍ୟଋଣ ସାଧାରଣତଃ ବିଦେଶୀ ମୁଦ୍ରାରେ ହିଁ ପରିଶୋଧ କରିବାକୁ ହୋଇଥାଏ । ତେବେ ଭାରତର ବିଦେଶୀ ଋଣର ସର୍ବାଧିକ ପ୍ରାୟ ୫୪ ପ୍ରତିଶତ ଡଲାର ଆକାରରେ ଥିବା ବେଳେ ୩୦ ପ୍ରତିଶତ ଟଙ୍କା ଆକାରରେ ରହିଛି । ଅବଶିଷ୍ଟ ଋଣ ଏସଡିଆର, ୟେନ ଓ ୟୁରୋ ମୁଦ୍ରାରେ ରହିଛି । ଅର୍ଥାତ୍ ଭାରତର ବିଦେଶୀ ଋଣରେ ଡଲାରର ପ୍ରଭାବ ଯଥେଷ୍ଟ ଅଧିକ ହୋଇଥିବାରୁ ଡଲାରର ବିନିମୟ ମୂଲ୍ୟ ଟଙ୍କା ତୁଳନାରେ ଅଧିକ ହେବା ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ହୋଇ ନପାରେ ।
କେନ୍ଦ୍ର ସରକାରଙ୍କ ଋଣ ଭାର ବଢିବା ସହିତ ପ୍ରତି ବର୍ଷ ସୁଧ ବାବଦ ଦେୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଉଦବେଗର ବିଷୟ ଯେ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସୁଧ ବାବଦ ଦେୟ ୫.୨୯ ଲକ୍ଷ କୋଟି ଟଙ୍କା ଥିଲା ବେଳେ ୨୦୨୨-୨୩ରେ ତାହା ୯.୪୧ ଲକ୍ଷ କୋଟି ଟଙ୍କା ଛୁଇଁ ସାରିଲାଣି । ଅର୍ଥାତ୍ ଇତିମଧ୍ୟରେ ସୁଧ ବାବଦ ଦେୟ ପ୍ରତି ବର୍ଷ ହାରାହାରି ୧୨ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇଚାଲିଛି । ୨୦୧୩-୧୪ରେ ଏହା ରାଜସ୍ୱ ଆୟର ୩୭ ପ୍ରତିଶତ ଥିବା ବେଳେ ଏବେ ତାହା ୪୩ ପ୍ରତିଶତରେ ପହଞ୍ଚିଲାଣି । ବସ୍ତୁତଃ ଗତ ୩ ବର୍ଷ ଧରି ପ୍ରତି ବର୍ଷ ସୁଧ ବାବଦ ବ୍ୟୟ ହିଁ କେନ୍ଦ୍ର ସରକାରଙ୍କ ସମୁଦାୟ ବ୍ୟୟର ଏକ ପଞ୍ଚମାଂଶ ହେବା ସହ ଏକକ ବୃହତ୍ତମ ବ୍ୟୟ ଭାବେ ଉଭା ହୋଇସାରିଛି । ସୁଧ ବାବଦ ବ୍ୟୟ ଜିଡ଼ିପିର ୫.୪ ପ୍ରତିଶତ ହେଲାଣି । ବର୍ଦ୍ଧିତ ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ଲାଗି ଅଧିକ ଋଣ କରିବା ଓ ବର୍ଦ୍ଧିତ ଋଣ ଲାଗି ସୁଧ ବାବଦ ଅଧିକ ବ୍ୟୟ କରିବା ସତେ ଯେମିତି ଏକ ଆବଶ୍ୟକ ଦୁଶ୍ଚକ୍ରରେ ପରିଣତ ହୋଇସାରିଲାଣି । ଭାରତରେ ଏବେ ବି ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବାରୁ ସମାଜ ମଙ୍ଗଳ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ସେମାନଙ୍କ ଜୀବନ ଧାରଣର ସ୍ତରକୁ ବଢ଼ାଇବା ଯେ କୌଣସି ସରକାରଙ୍କ ଲାଗି ପ୍ରାଥମିକତା ହାସଲ କରିବା ସ୍ୱାଭାବିକ । ଏଥିପାଇଁ ବିପୁଳ ପୁଞ୍ଜି ନିବେଶର ଆବଶ୍ୟକତା ଥାଏ ଯଦ୍ଦ୍ୱାରା ବିତ୍ତୀୟ ନିଅଣ୍ଟ ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼େ । ତଥାପି ଲଗାତର ଭାବେ ଦେଶରେ ବିତ୍ତୀୟ ନିଅଣ୍ଟ ୬ ପ୍ରତିଶତରୁ ଅଧିକ ରହିବା ଚିନ୍ତାକୁ ବଢାଉଛି କାରଣ ତଦ୍ଦ୍ୱାରା ଦେଶର ଋଣଭାର ବଢ଼ି ବଢ଼ି ଚାଲିଛି । ଏପରି ସ୍ଥଳେ ନିହାତି ଆବଶ୍ୟକ ନ ଥିଲେ ଆଖିବୁଜା ଋଣ ଆହରଣ ନ କରି ସେଥିରେ ସଂଯମ ଆଚରଣ କଲେ ଯାଇ ଋଣଭାର କମାଇବା ସମ୍ଭବ ହେବ ।
ଅର୍ଥ ମନ୍ତ୍ରାଳୟର ସ୍ପଷ୍ଟୀକରଣରୁ ଭାରତର ଋଣ-ଜିଡିପି ଅନୁପାତ ଆପାତତଃ ଉଦବେଗଜନକ ନଥିଲା ପରି ପ୍ରତୀୟମାନ ହେଉଥିଲେ ବି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏପରି ଚିନ୍ତା ବ୍ୟକ୍ତ କରିବା ପଛର କାରଣ ଅନୁଧ୍ୟାନ କରାଯିବା ଆବଶ୍ୟକ । ଆଇଏମଏଫ ଅନୁଯାୟୀ ଭାରତକୁ ତା’ର ଜଳବାୟୁ ପରିବର୍ତ୍ତନ ପ୍ରଶମନ ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଜଳବାୟୁ ପରିବର୍ତ୍ତନ ଜନିତ ଚାପ ଓ ପ୍ରାକୃତିକ ବିପର୍ଯ୍ୟୟରୁ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରିବା ଲାଗି ସ୍ଥିତିରେ ଉନ୍ନତି ଆଣିବା ଲାଗି ବିପୁଳ ପରିମାଣରେ ପୁଞ୍ଜି ନିବେଶ କରିବାକୁ ହେବ ଯେଉଁଥିପାଇଁ ଦେଶର ଦୀର୍ଘକାଳୀନ ଋଣଭାର ଜନିତ ବିପଦ ବୃଦ୍ଧି ପାଇବ । ଭାରତ ସମେତ ଅନେକ ଦେଶ ଅକ୍ଟୋବର ୨୦୨୧ରେ ଗ୍ଲାସଗୋଠାରେ ଅନୁଷ୍ଠିତ ପରିବେଶ ସଂକ୍ରାନ୍ତୀୟ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ । ଏ ସଂକ୍ରାନ୍ତରେ ଭାରତ ଯେଉଁ ପାଞ୍ଚଟି ଲକ୍ଷ୍ୟ ହାସଲ କରିବାକୁ ଘୋଷଣା କରିଥିଲା ସେଗୁଡିକ ‘ପଞ୍ଚାମୃତ ସଙ୍କଳ୍ପ’ ଭାବେ ଅଭିହିତ । ସେଗୁଡ଼ିକ ହେଲା - ୧- ୨୦୩୦ ସୁଦ୍ଧା ଭାରତ ତା’ର ଅଣ-ଜୀବାଶ୍ମ ଇନ୍ଧନ ଉତ୍ପାଦନ କ୍ଷମତାକୁ ୫୦୦ ଗିଗାୱାଟରେ ପହଞ୍ଚାଇବ । ୨- ୨୦୩୦ ସୁଦ୍ଧା ଭାରତ ତା’ର ଇନ୍ଧନ ଆବଶ୍ୟକତାର ୫୦ ପ୍ରତିଶତ ନବୀକରଣଯୋଗ୍ୟ ଉତ୍ସରୁ ଆହରଣ କରିବ । ୩. ୨୦୩୦ ସୁଦ୍ଧା ଭାରତ ତା’ର ସମୁଦାୟ ଅଙ୍ଗାରକାମ୍ଳ ନିର୍ଗମନକୁ ୧୦୦ କୋଟି ଟନ କମାଇବ । ୪. ୨୦୩୦ ସୁଦ୍ଧା ଭାରତ ତା’ର ଅର୍ଥନୀତିରେ ଅଙ୍ଗାରକାମ୍ଳ-ତୀବ୍ରତା (କାର୍ବନ ଇଣ୍ଟେନସିଟି)କୁ ୪୫ ପ୍ରତିଶତ ହ୍ରାସ କରିବ । ୫- ୨୦୭୦ ସୁଦ୍ଧା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବ । ଏହା ସ୍ୱୀକାର କରିବାକୁ ହେବ ଯେ ଚିରାଚରିତ ପ୍ରଥାରେ ନିମ୍ନ-ଅଙ୍ଗାରକାମ୍ଳ ଓ ଜଳବାୟୁ-ସହନଶୀଳ ବିକାଶ ଲକ୍ଷ୍ୟକୁ ହାସଲ କରିହେବ ନାହିଁ । ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଭାରତ ଘୋଷଣା କରିଥିବା ‘ପଞ୍ଚାମୃତ’ ସଙ୍କଳ୍ପକୁ ପାଳନ କରି ଅଙ୍ଗାରକାମ୍ଲ ନିର୍ଗମନକୁ ସର୍ବନିମ୍ନ ସ୍ତରକୁ ଆଣିବାକୁ ହେଲେ ଭାରତକୁ ମଧ୍ୟ ବିପୁଳ ପରିମାଣର ପୁଞ୍ଜି ନିବେଶ କରିବାକୁ ହେବ । ଏକ ଆକଳନ ଅନୁସାରେ ଏଥିପାଇଁ ୨୦୨୬ରୁ ୨୦୩୦ ମଧ୍ୟରେ ବାର୍ଷିକ ୨୫୩୦୦ରୁ ୨୬୩୦୦ କୋଟି ଡଲାର ପୁଞ୍ଜି ନିବେଶର ଆବଶ୍ୟକତା ହେବ ଯାହା ୨୦୩୫ ସୁଦ୍ଧା ୩୫୫୦୦ କୋଟି ଡଲାରରେ ପହଞ୍ଚିବ । ଚିନ୍ତାର ବିଷୟ ଯେ ବର୍ତ୍ତମାନ ଭାରତରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବାର୍ଷିକ ମାତ୍ର ୪୪୦୦ କୋଟି ଡଲାର ପୁଞ୍ଜି ନିବେଶର ପ୍ରାବଧାନ ରହିଛି । ଅର୍ଥାତ୍ ଅର୍ଥାଭାବରୁ ଏ କ୍ଷେତ୍ରରେ ଭାରତରେ ଆବଶ୍ୟକତା ଅନୁଯାୟୀ ପୁଞ୍ଜି ନିବେଶ ହୋଇ ନ ପାରିବା ଏକ ବାସ୍ତବତା ହୋଇଥିବାରୁ ଆଗାମୀ ଦିନରେ ବିଶ୍ୱ ଜଳବାୟୁ ପୁଞ୍ଜିଲଗାଣ ସହ ତାଳ ଦେଇ ଭାରତରେ ପୁଞ୍ଜିଲଗାଣ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ । ଅଧିକନ୍ତୁ ଆବଶ୍ୟକ ପୁଞ୍ଜିର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଋଣ ଆକାରରେ ନେବାକୁ ପଡୁଛି ଓ ତାହା ଅପେକ୍ଷାକୃତ କମ ସୁଧ ହାରରେ ଉପଲବ୍ଧ ହେଉ ନଥିବାରୁ ଏହି ଋଣଭାର ମଧ୍ୟ ଅର୍ଥ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ପକାଇବ ।
ଏବେ ଦେଶର ଋଣ-ଜିଡିପି ଅନୁପାତ ୮୨ ପ୍ରତିଶତ ଥିଲା ବେଳେ ପଡୋଶୀ ଚୀନରେ ଏହା ୮୩ ପ୍ରତିଶତ ଅଛି । ଋଣଭାରକୁ କମ କରିବା ଲାଗି ହେଉଥିବା ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଏହା ୮୦ ପ୍ରତିଶତରେ ସ୍ଥିର ରହିବାର ସମ୍ଭାବନା ଅଧିକ । ଋଣଭାର ଅଧିକ ଥିଲେ ବି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହାର ବିକାଶ ହାର ଉଚ୍ଚ ହୋଇଥିବାରୁ ମଧ୍ୟମ କାଳୀନ ଅବଧିରେ ଭାରତ ତା’ର ଋଣଭାରକୁ କମାଇବାରେ ସକ୍ଷମ ହୋଇପାରେ । ତା’ ଛଡ଼ା ଆମେରିକା, ବ୍ରିଟେନ ଓ ଜାପାନ ଭଳି ଦେଶଗୁଡ଼ିକରେ ଋଣ-ଜିଡିପି ଅନୁପାତ ଏବେ ମଧ୍ୟ ୧୦୦ ପ୍ରତିଶତରୁ ଅଧିକ, ଯାହା ୨୦୨୭-୨୮ ବେଳକୁ ୧୫୦ ପ୍ରତିଶତରୁ ଅଧିକ ହେବ ବୋଲି ଆଇଏମଏଫ ପୂର୍ବାନୁମାନ କରିଛି । ତେବେ ସେଗୁଡ଼ିକ ବିକଶିତ ଦେଶ ହୋଇଥିବାରୁ ସେମାନଙ୍କ ଲାଗି ଋଣ ପରିଶୋଧ ଏକ ବଡ଼ ସମସ୍ୟା ହୋଇ ନ ପାରେ । ଅନ୍ୟ ପକ୍ଷରେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତ ଏକ ନିମ୍ନ-ମଧ୍ୟମ ଆୟକାରୀ ଦେଶ ହୋଇଥିବାରୁ ଋଣଭାର ଅଧିକ ହୋଇ ସାମାନ୍ୟତମ ପରିଚାଳନାଗତ ତ୍ରୁଟି ଦେଖାଦେଲେ ତାହା ଅର୍ଥବ୍ୟବସ୍ଥାକୁ ଅସ୍ଥିର କରିବା ଲାଗି ଯଥେଷ୍ଟ ହୋଇପାରେ । ତଥାପି ଭାରତର ଋଣଭାରକୁ ନେଇ ଆତଙ୍କିତ ହେବାର ନଥିଲେ ବି ଏହା ଚିନ୍ତା ଉଦ୍ରେକକାରୀ ହୋଇଥିବାରୁ ଏହାକୁ ହାଲୁକା ଭାବେ ଗ୍ରହଣ କରି ହେବନାହିଁ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିଙ୍କ ଉଦବେଗ ସହ ଅର୍ଥ ମନ୍ତ୍ରାଳୟ ଏକମତ ହୋଇନପାରନ୍ତି । ତେବେ ତାଙ୍କ ଉଦବେଗକୁ ମୂଳରୁ ସମ୍ପୂର୍ଣ୍ଣ ଖାରଜ କରି ନ ଦେଇ ତାକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ବିଶେଷ କରି ଆଇଏମଏଫ ଠିକ୍ ସମୟରେ ସତର୍କ ଘଣ୍ଟି ବଜାଇ ବେଳହୁଁ ସାବଧାନ କରାଇ ଦେଇଥିବାରୁ ଭାରତକୁ ଋଣଗ୍ରହଣ ଓ ଋଣର ସଦୁପଯୋଗ କ୍ଷେତ୍ରରେ ଅଧିକ ଆର୍ଥିକ ବିଚକ୍ଷଣତା ପ୍ରଦର୍ଶନ ପୂର୍ବକ ଋଣଭାର ହ୍ରାସ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିପାରେ ।
Published in Sambad on December 26, 2023
Comments
Post a Comment