ମଣିପୁରର ଗୋଟିଏ ଗାଁରେ ମୈତେୟୀ ଗୋଷ୍ଠୀର ପ୍ରାୟ ହଜାରେ ଲୋକଙ୍କ ଏକ ଉଗ୍ର ଭିଡ଼ ଦୁଇଜଣ କୁକି-ଜୋ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ସମ୍ପୂର୍ଣ୍ଣ ବିବସ୍ତ୍ର କରି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଲା ପରେ ସର୍ବସମକ୍ଷରେ ମହିଳାଙ୍କ ପ୍ରତି ଗଣ ବଳାତ୍କାରର ଦୃଶ୍ୟ ସମ୍ୱଳିତ ୨୬ ସେକେଣ୍ଡର ଭିଡ଼ିଓଟି ଯେତେବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା, ସେତେବେଳେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହେଲା ଓ ଦେଶବାସୀଙ୍କ ରୋଷ ଚରମରେ ପହଞ୍ଚିଲା । ଏପରିକି ମଣିପୁର ପ୍ରସଙ୍ଗରେ ୭୮ ଦିନ ଧରି କୌଶଳଗତ ମୌନ ବ୍ରତ ପାଳନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ମୁହଁ ଖୋଲି ରୋଷ ବ୍ୟକ୍ତ କରି କହିବାକୁ ହେଲା ଯେ ମଣିପୁରର ଏହି ଘଟଣା ପାଇଁ ଦେଶ ଲଜ୍ଜିତ । ସୁପ୍ରିମକୋର୍ଟ ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରୋକଠୋକ୍ ଶୁଣାଇ ଦେଲେ ଯେ ତୁରନ୍ତ ପଦକ୍ଷେପ ନିଅ, ନହେଲେ ଆମକୁ ହସ୍ତକ୍ଷେପ କରିବାକୁ ପଡ଼ିପାରେ ।
ପ୍ରଥମେ ସମଗ୍ର ଘଟଣା କ୍ରମ ଉପରେ ନଜର ପକାଯାଉ । ମେ ୩ରେ ମଣିପୁରରେ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଆରକ୍ଷଣ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ସଂଘର୍ଷ ଉଗ୍ର ରୂପ ଧାରଣ କରି ହିଂସ୍ର ହୋଇପଡ଼ିଲା । ଠିକ୍ ପର ଦିନ ମେ ୪ରେ ମଣିପୁରର କାଙ୍ଗପୋକପି ଜିଲ୍ଲାର ବି. ଫଇନୋମ ଗାଁରେ ସଂଘଟିତ ହୋଇଥିଲା ଉପରୋକ୍ତ ଅପରାଧଟି । ମେ ୧୮ରେ ସାଇକୁଲ ଥାନାରେ ଏକ ‘ଜିରୋ ଏଫଆଇଆର’ ଦାୟର ହେଲା । ଅଧିକାର କ୍ଷେତ୍ର ହୋଇ ନଥିଲେ ବି ଯେ କୌଣସି ଥାନାରେ ‘ଜିରୋ ଏଫଆଇଆର’ ଦାଖଲ କରିହୁଏ । ତେବେ ସମ୍ପୃକ୍ତ ସାଇକୁଲ ଥାନା ସେଇଟିକୁ ଅପରାଧର ଅଧିକାର କ୍ଷେତ୍ର ଥିବା ନଙ୍ଗପୋକ ସେକମାଇ ଥାନାକୁ ସ୍ଥାନାନ୍ତରିତ କରିଦେଇଥିଲେ ଯେଉଁଠାରେ ସେଇଟି ଜୁନ ୨୧ରେ, ଅର୍ଥାତ୍ ମାସେ ୩ ଦିନ ପଡ଼ି ରହିଲା ପରେ ଏକ ନିୟମିତ ଏଫଆଇଆର ଭାବେ ଦାୟର ହେଲା । ‘ଜିରୋ ଏଫଆଇଆର’ ଅନୁଯାୟୀ ୮୦୦ରୁ ୧୦୦୦ ଅଜଣା ଉପଦ୍ରବୀଙ୍କ ବିରୋଧରେ ହତ୍ୟା ଓ ଦୁଷ୍କର୍ମର ଅଭିଯୋଗ ଥିଲା । ଏହି ଭିଡ଼ ପ୍ରଥମେ ଘରେ ନିଆଁ ଲଗାଇବା ପରେ ଦୌଡ଼ି ପଳାଇ ଯାଉଥିବା ୫ ଜଣଙ୍କୁ ଧରିଲେ । ସେମାନଙ୍କ ମଧ୍ୟରେ ଥିଲେ ୨ ଜଣ ପୁରୁଷ ଓ ୩ଜଣ ମହିଳା । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ଅନିୟନ୍ତ୍ରିତ ଭିଡ଼ ସେମାନଙ୍କୁ ନଙ୍ଗପୋକ ସେକମାଇ ଥାନାର ପୋଲିସଙ୍କ ହେପାଜତରୁ ଛଡ଼ାଇ ଆଣିଲେ । ତୁରନ୍ତ ସମବେତ ଭିଡ଼ ଜଣେ ପୁରୁଷକୁ ହତ୍ୟା କରିବା ପରେ ୩ ଜଣ ମହିଳାଙ୍କୁ ବିବସ୍ତ୍ର ହେବାକୁ ବାଧ୍ୟ କଲେ । ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟା ଝିଅକୁ ଗଣ ଦୁଷ୍କର୍ମ କରାଗଲା ଓ ଝିଅଟିର ଭାଇ ପ୍ରତିବାଦ କରିବାରୁ ତାକୁ ମଧ୍ୟ ହତ୍ୟା କରାଗଲା । ଅନ୍ୟ ଦୁଇ ଜଣ ମହିଳା ଅଶ୍ଳୀଳ ଯୌନ ଆଚରଣର ଶିକାର ହୋଇଥିଲେ ବି ସେମାନେ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିବାକୁ ସମର୍ଥ ହୋଇଥିଲେ । ପ୍ରଶ୍ନ ଉଠୁଛି ଥାନା କର୍ତ୍ତୃପକ୍ଷ ଅପରାଧ ସମ୍ପର୍କରେ ଅବଗତ ଥିଲେ ବି ଏଫଆଇଆର ଦାୟର ହେବାରେ ଅହେତୁକ ବିଳମ୍ୱ ହେଲା କାହିଁକି ? ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ବେଳେ ଜୁଲାଇ ୧୯ରେ ଭିଡ଼ିଓ ଭାଇରାଲ ହେବା ପରେ ପରେ ସେହି ପୋଲିସ ତତ୍ପରତା ପ୍ରକାଶ କରି ୭ ଜଣଙ୍କୁ ଗିରଫ କରିବାକୁ ସମର୍ଥ ହେଲେ । ଏଣୁ ପ୍ରଶ୍ନ ଉଠୁଛି ଯେ କାହା ନିର୍ଦ୍ଦେଶରେ ସେମାନେ ଏ ଯାଏଁ ନିଷ୍କ୍ରିୟ ଥିଲେ ? ଉଲ୍ଲେଖଯୋଗ୍ୟ ଯେ ଦେଶର ଗୃହ ମନ୍ତ୍ରୀ ମେ ୨୯ରେ ମଣିପୁର ଗସ୍ତରେ ଯାଇଥିଲେ । ତେଣୁ ଭିଡ଼ିଓ ଭାଇରାଲ ହେବାର ଯଥେଷ୍ଟ ପୂର୍ବରୁ ମଣିପୁରର ମୁଖ୍ୟମନ୍ତ୍ରୀ ଓ ଦେଶର ଗୃହମନ୍ତ୍ରୀ ଯେ ଏହି ଭୟାବହ ଘଟଣା ସମ୍ପର୍କରେ ଅବଗତ ନ ଥିଲେ ତାହା ମଧ୍ୟ କହିହେବ ନାହିଁ; ଯଦି ସେମାନେ ଜାଣି ନଥାଆନ୍ତି, ତେବେ ତାହା ‘ଇଣ୍ଟେଲିଜେନସ୍’ ବା ଗୁଇନ୍ଦା ବିଭାଗର ସାମର୍ଥ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇବ । ମଣିପୁରରେ ଯେଉଁ ବର୍ବରୋଚିତ କାଣ୍ଡମାନ ସଂଘଟିତ ହେବାରେ ଲାଗିଛି ସେ ସମସ୍ତ ଅପରାଧର ବିବରଣୀ ଏ ଯାଏଁ ଲୋକଲୋଚନକୁ ଆସିପାରିନାହିଁ; କାରଣ ସେଠାରେ ଦୀର୍ଘ ଦିନ ଧରି ଇଣ୍ଟରନେଟ ସେବା ବନ୍ଦ ଥିଲା । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଏହି ଧରଣର ଅନେକ ଦୁଷ୍କର୍ମ ଓ ହତ୍ୟାର ଭୟଙ୍କର ଛାତିଥରା ବିବରଣୀ ଲୋକଲୋଚନକୁ ଆସିବା ଆରମ୍ଭ କରିଛି ।
ଦୁଷ୍କର୍ମ ଏକ ଅକ୍ଷମଣୀୟ ଅପରାଧ ହୋଇଥିଲେ ବି ସାରା ବିଶ୍ୱରେ ମହିଳା ଓ ଝିଅମାନେ ଲଜ୍ଜାଜନକ ଭାବେ ଏହାର ଶିକାର ହୋଇଆସୁଛନ୍ତି । ତେବେ ସଶସ୍ତ୍ର ସଂଘର୍ଷ ପରିସ୍ଥିତିରେ ନିରୀହ ମହିଳା ଓ ଝିଅମାନଙ୍କ ପ୍ରତି ଯୌନ ହିଂସା ଓ ଦୁଷ୍କର୍ମକୁ ପ୍ରତିପକ୍ଷ ଏକ ଅସ୍ତ୍ର ରୂପେ ବ୍ୟବହାର କରିଆସୁଛି । ଯୁଦ୍ଧ ଓ ସଂଘର୍ଷରେ ପ୍ରତିପକ୍ଷକୁ ଆତଙ୍କିତ କରିବା ପାଇଁ, ନିର୍ୟାତନା ଦେବା ପାଇଁ ଓ ସମଗ୍ର ସମ୍ପ୍ରଦାୟକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେବା ପାଇଁ ଯୌନ ହିଂସା ଓ ଦୁଷ୍କର୍ମକୁ ଏକ ଅସ୍ତ୍ର ରୂପେ, ଏକ ରଣକୌଣଳ ରୂପେ ପ୍ରୟୋଗ କରା ହୋଇଆସିଛି । ସାରା ବିଶ୍ୱରେ ଯୁଦ୍ଧ ଓ ସଂଘର୍ଷରେ ଏହା ଯୁଦ୍ଧାସ୍ତ୍ର ପାଲଟିଥିବା ବେଳେ ମହିଳା ଓ ଶିଶୁଙ୍କ ଶରୀର ପାଲଟିଛି ରଣକ୍ଷେତ୍ର । ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମର ମୂଳ ଉଦ୍ଦେଶ୍ୟ ସାଧାରଣ ଜନତାଙ୍କୁ ଆତଙ୍କିତ କରିବା ସହ ପରିବାରଗୁଡ଼ିକୁ ଭାଙ୍ଗିଦେବା, ସମ୍ପ୍ରଦାୟକୁ କ୍ଷତି ପହଞ୍ଚାଇବା ଓ ଏପରିକି ସ୍ଥଳ ବିଶେଷରେ ପରବର୍ତ୍ତୀ ପିଢ଼ିର ସମ୍ପ୍ରଦାୟଗତ ଗଢ଼ଣକୁ ପରିବର୍ତ୍ତନ କରିବା ବି ହୋଇଥାଏ । କେତେକ କ୍ଷେତ୍ରରେ ମହିଳାଙ୍କୁ ଜାଣିଶୁଣି ଏଡସ୍ ଗ୍ରସ୍ତ କରାଯାଉଥିବା ବେଳେ କେତେକଙ୍କ ପ୍ରତି ଏ ଭଳି ହିଂସା ଆଚରଣ କରାଯାଏ ଯେ ସେମାନେ ପରବର୍ତ୍ତୀ ସମୟରେ ଗର୍ଭ ଧାରଣ କରିବାର ସାମର୍ଥ୍ୟ ହରାଇ ବସନ୍ତି । ଜାତିସଂଘର ତଥ୍ୟ ଅନୁଯାୟୀ ସିଏରା ଲିଓନିରେ ୧୯୯୧ରୁ ୨୦୦୨ ମଧ୍ୟରେ ଲାଗି ରହିଥିବା ଗୃହଯୁଦ୍ଧରେ ୬୦୦୦୦ରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଲାଇବେରିଆରେ ୧୯୮୯ରୁ ୧୯୯୩ ମଧ୍ୟରେ ୪୦୦୦୦ରୁ ଊର୍ଦ୍ଧ୍ୱ, ପ୍ରାକ୍ତନ ଯୁଗୋସ୍ଲାଭିଆରେ ୧୯୯୨ରୁ ୧୯୯୫ ମଧ୍ୟରେ ୬୦୦୦୦ରୁ ଅଧିକ, ୧୯୯୪ରେ ମାତ୍ର ୩ ମାସ ମଧ୍ୟରେ ରୁଆଣ୍ଡାରେ ହୋଇଥିବା ଗଣସଂହାରରେ ଲକ୍ଷାଧିକ ମହିଳାଙ୍କ ପ୍ରତି ଜଘନ୍ୟ ଦୁଷ୍କର୍ମ ହୋଇଥିଲା । ତେବେ ୧୯୯୮ ପରଠାରୁ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବାରୁ ତାହାକୁ ବିଶ୍ୱର ଦୁଷ୍କର୍ମ ରାଜଧାନୀ ରୂପେ କୁଖ୍ୟାତି ପାଇଛି । କଙ୍ଗୋରେ ଏହିପରି ଭାବେ ୫୦ ହଜାରରୁ ଊର୍ଦ୍ଧ୍ୱ ଦୁଷ୍କର୍ମ ପୀଡ଼ିତଙ୍କ ସେବା କରିଥିବା ଡାକ୍ତର ଡେନି ମୁକୱେଗେଙ୍କୁ ୨୦୧୮ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଘର୍ଷ ଲାଗି ରହି ମହିଳାମାନେ ଯେପରି ଯୌନହିଂସା ଓ ଦୁଷ୍କର୍ମର ଶିକାର ହୋଇଚାଲିଛନ୍ତି ସେଥିରେ ବିବ୍ରତ ମୁକୱେଗେ ନୋବେଲ ପୁରସ୍କାର ଗ୍ରହଣ କରିବା ଅବସରରେ କହିଥିଲେ, ‘ଯେଉଁ ପୁରସ୍କାର କଙ୍ଗୋର ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣି ନ ପାରିବ, ତାହା ମୋ ପାଇଁ ଏକ ମୂଲ୍ୟହୀନ ପୁରସ୍କାର’ । ତାଙ୍କ ମତରେ ଯୁଦ୍ଧ ଓ ସଂଘର୍ଷରେ ଦୁଷ୍କର୍ମ କେବଳ ଏକ ସାମାନ୍ୟ ଅସ୍ତ୍ର ନୁହେଁ ବରଂ ଗଣ ବିଧ୍ୱଂସକାରୀ ଭୟାନକ ଅସ୍ତ୍ର ସହ ସମତୁଲ, କାରଣ ଏହା ସେ ଅଞ୍ଚଳର ପୂରା ସମ୍ପ୍ରଦାୟକୁ କ୍ଷତି ପହଞ୍ଚାଇଥାଏ । ଦୁଷ୍କର୍ମର ଶିକାର ମହିଳା ପରିବାର ଏପରିକି ବୃହତ୍ତର ସମାଜ ଦ୍ୱାରା ପରିତ୍ୟକ୍ତ ହୁଅନ୍ତି; ଏପରିକି ସେମାନେ ସ୍ୱାମୀ ଓ ପିତାମାତାଙ୍କ ଦ୍ୱାରା ମଧ୍ୟ ତ୍ୟାଜ୍ୟ ହୋଇଥାଆନ୍ତି । ଦୁଷ୍କର୍ମ ପରେ ଅବାଞ୍ଛିତ ଗର୍ଭଧାରଣ କରୁଥିବା ଝିଅମାନେ ଜନ୍ମ ଦେଉଥିବା ଶିଶୁଙ୍କର ଉଚିତ ଯତ୍ନ ନିଅନ୍ତି ନାହିଁ କାରଣ ଏକ ନିତାନ୍ତ ନାରକୀୟ କାଣ୍ଡରେ ଜନ୍ମ ନେଇଥିବା ଶିଶୁଟିର ମୁହଁରେ ସେମାନେ ବାରମ୍ୱାର ବଳାତ୍କାରୀର ମୁହଁକୁ ଦେଖିଥାଆନ୍ତି । ଯୁଦ୍ଧ ଓ ସଂଘର୍ଷର ଅବସାନ ପରେ ମଧ୍ୟ ଯୌନ ହିଂସାର କୁପ୍ରଭାବ ଅନୁଭୂତ ହୋଇଚାଲିଥାଏ - କେଉଁଠି ଅବାଞ୍ଛିତ ଗର୍ଭଧାରଣ ଭାବେ ତ କେଉଁଠି ଦୁରାରୋଗ୍ୟ ବ୍ୟାଧିର ସଂକ୍ରମଣ ଆକାରରେ । ସୁରକ୍ଷା ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁଁ ମହିଳାମାନେ ଅସୁରକ୍ଷିତ ହୋଇପଡ଼ନ୍ତି, ଯାହା ଅଧିକ ଦୁଷ୍କର୍ମକୁ ପ୍ରଶ୍ରୟ ଦେଇଥାଏ । ସବୁଠାରୁ ବଡ଼ କଥା ହେଲା ଏ ଭଳି ଦାରୁଣ ଅନୁଭୂତି ସେମାନଙ୍କୁ ସାରା ଜୀବନ ସକାଶେ ମାନସିକ ଭାବେ ରୁଗ୍ଣ କରିଦିଏ ।
ସଂଘର୍ଷ ଲାଗି ରହିଲେ ମହିଳାମାନେ ଦୁଷ୍କର୍ମର ଶିକାର ହେବା ସ୍ୱାଭାବିକ ଓ ଏହାକୁ ଏଡ଼ାଇ ହେବ ନାହିଁ ବୋଲି କେଉଁ ଆବହମାନ କାଳରୁ ଧାରଣାଟିଏ ବସା ବାନ୍ଧି ରହିଥିଲା ଓ ତାକୁ ନୀରବରେ ଗ୍ରହଣ କରିନିଆଯାଉଥିଲା । ଯୁଦ୍ଧ ବା ସଂଘର୍ଷରେ ପରାଜିତ ପକ୍ଷର ମହିଳାଙ୍କ ପ୍ରତି ଦୁଷ୍କର୍ମ ବିଜେତା ସୈନ୍ୟବାହିନୀର ଏକ ନ୍ୟାୟୋଚିତ ଅଧିକାର, ବୋଲି ଗ୍ରହଣୀୟ ହୋଇଯାଇଥିଲା ଓ ଏଭଳି ଜଘନ୍ୟ ଅପରାଧ ବିରୁଦ୍ଧରେ ସ୍ୱର ଶାଣିତ ହେଉନଥିଲା । ବସ୍ତୁତଃ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଉଭୟ ପକ୍ଷର ସୈନ୍ୟବାହିନୀଙ୍କ ଦ୍ୱାରା ଏହିପରି ହଜାର ହଜାର ସଂଖ୍ୟାରେ ଦୁଷ୍କର୍ମ ସଂଘଟିତ ହୋଇଥିଲେ ବି ଯୁଦ୍ଧ ପରେ ଯୁଦ୍ଧ ଅପରାଧୀଙ୍କ ଦଣ୍ଡ ବିଧାନ ପାଇଁ ଗଠିତ ହୋଇଥିବା ଅଦାଲତରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ପାଇଁ କେହି ଦଣ୍ଡିତ ହୋଇନଥିଲେ, କାରଣ ସେତେବେଳେ ଯୁଦ୍ଧରେ ସଂଘଟିତ ଯୌନ ହିଂସାକୁ ଏକ ଅପରାଧ ବୋଲି ଗ୍ରହଣ କରାଯାଉନଥିଲା । ତେବେ, ୨୦୦୮ ମସିହାରେ ଜାତିସଂଘ ତରଫରୁ ଦୁଷ୍କର୍ମକୁ ଏକ ଯୁଦ୍ଧାସ୍ତ୍ର ବୋଲି ଆଧିକାରିକ ଭାବେ ଘୋଷଣା କରାଗଲା । ଏହାର ଅର୍ଥ ଯୁଦ୍ଧ ବା ସଂଘର୍ଷ କାଳରେ ଦୁଷ୍କର୍ମକୁ ଏକ ସାଧାରଣ ଘଟଣା ଭଳି ଗ୍ରହଣ କରାଯାଇ ପାରିବ ନାହିଁ ।
‘ବେଟି ବଚାଓ’ ସ୍ଳୋଗାନ ଶୁଣିବାକୁ ଭଲ ଲାଗିପାରେ । କିନ୍ତୁ କେବଳ ‘ବେଟି ବଚାଓ’ ସ୍ଳୋଗାନ ଯଥେଷ୍ଟ ନୁହେଁ; ଦେଶର କନ୍ୟାମାନେ ନିଜକୁ ସୁରକ୍ଷିତ ମଣିଲେ ଯାଇ ଏହା କିଛିଟା ଅର୍ଥ ପାଇବ । ଦେଶର ମହିଳାଙ୍କଠାରେ ଆତ୍ମବିଶ୍ୱାସ ସଞ୍ଚାର କରିବା ପାଇଁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେବ । ୨୦୦୨ ଗୁଜରାଟ ଦଙ୍ଗା କାଳରେ ବିଲକିସ୍ ବାନୋ ଗଣଧର୍ଷଣ ମାମଲାରେ ଦଣ୍ଡିତ ଅପରାଧୀମାନଙ୍କୁ ଜେଲରୁ ଖଲାସ କରିବା ଲାଗି ସରକାରୀ ସ୍ତରରେ କୋହଳ ମନୋବୃତ୍ତି ଅବଲମ୍ୱନ କରାଯିବା ଏବଂ ଖଲାସ ହେବା ପରେ ସାମାଜିକ ସ୍ତରରେ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସମ୍ମାନିତ କରାଯିବା ଭଳି ଘଟଣା ‘ବେଟି ବଚାଓ’ ସ୍ଳୋଗାନକୁ ନିରର୍ଥକ କରିଥାଏ । ବଳାତ୍କାରୀମାନେ ସାମାଜିକ ସ୍ୱୀକୃତି ଲାଭ କରିଥାଆନ୍ତି ଓ ସମାଜରେ ବଳାତ୍କାରୀମାନଙ୍କ ମନୋବଳ ସୁଦୃଢ଼ ହୋଇ ମହିଳାମାନେ ଅଧିକ ଅସୁରକ୍ଷିତ ଅନୁଭବ କରିଥାଆନ୍ତି । ଏଭଳି ଆଚରଣ ବିରୋଧରେ ଜନମତ ସୁଦୃଢ଼ ହେବା ଆବଶ୍ୟକ । ଆମର ସାମୂହିକ ଚେତନା ଜାଗ୍ରତ ହେବା ଲାଗି ଏକ ଭିଡ଼ିଓର ଭାଇରାଲ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବା ଉଚିତ ନୁହୋଁ । ମଣିପୁରରେ ସଂଘଟିତ ଉପରୋକ୍ତ ବୀଭତ୍ସ ଘଟଣାଟିକୁ ଏଭଳି ହୋଇଥିବା ଶହ ଶହ ଘଟଣା ଭିତରୁ ଗୋଟାଏ ବେଲି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ କହିଛନ୍ତି । ଏହାର ଅର୍ଥ ସଂଘର୍ଷ କାଳରେ ଏଭଳି ହିଂସା ଘଟିବା ଏକ ସାଧାରଣ ଘଟଣା ବୋଲି ସେ ବୋଧହୁଏ ବିଚାର କରୁଛନ୍ତି । କିନ୍ତୁ ଏଭଳି ଏକ ପଦ୍ଧତିଗତ (ସିଷ୍ଟମିକ) ହିଂସା ଆଦୌ ବରଦାସ୍ତଯୋଗ୍ୟ ନୁହେଁ, ଯାହାର ମୁକାବିଲା ପାଇଁ ଭାରତୀୟ ପିଙ୍ଗଳ କୋଡ଼ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ଦୁଇଟି ଯାକ ଇଞ୍ଜିନ ଫେଲ୍ ମାରି ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଲେ ସ୍ଥିତି କିଭଳି ଭୟାବହ ହୁଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମଣିପୁର । ମଣିପୁର ଯଦି ବିରୋଧୀ ଦଳ ଦ୍ୱାରା ଶାସିତ ହେଉଥାଆନ୍ତା, ତେବେ ଏଭଳି ହିଂସା ପରିପ୍ରେକ୍ଷୀରେ କେବେଠାରୁ ବରଖାସ୍ତ ହୋଇସାରନ୍ତାଣି ।
ମଣିପୁର ଜଳୁଛି । ସେଠାରେ ଘୃଣାର ବିଜୟ ହୋଇସାରିଛି । ସେଠାକାର ମହିଳାମାନଙ୍କ ଉପରେ ଦୁଷ୍କର୍ମକୁ ଏବେ ବି ‘ଯୁଦ୍ଧାସ୍ତ୍ର’ ଭାବେ ବ୍ୟବହାର କରାଯାଉଛି । ସେହି ଅସୁରକ୍ଷିତ ମହିଳାମାନଙ୍କର ସରକାରଙ୍କ ଉପରୁ ବିଶ୍ୱାସ ତୁଟିବା କିଛି ଅସ୍ୱାଭାବିକ ନୁହେଁ । ତେବେ ମଣିପୁରର ମହିଳାମାନଙ୍କର ବିଶ୍ୱାସ ପୁନଃ ହାସଲ କରି ଆସ୍ଥାଭାଜନ ହେବା ପାଇଁ ସରକାରଙ୍କୁ ହୁଏତ ବିଶ୍ୱାସ ଜନ୍ମାଇଲା ଭଳି ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିପାରେ । ତାହାହେଲେ ହୁଏତ ସେଠାରେ ପ୍ରେମର ବିଜୟ କେତନ ପୁଣି ଥରେ ଉଡ଼ିପାରେ । ଆଶା କରିବା ମଣିପୁରରେ ଗୋଷ୍ଠୀ ସଂଘର୍ଷରେ ମହିଳାଙ୍କ ପ୍ରତି ଦୁଷ୍କର୍ମର ଅବସାନ ହେଉ । କେଉଁଠି ବି ଯୁଦ୍ଧ ଓ ସଂଘର୍ଷରେ ଯୌନ ହିଂସା ଓ ଦୁଷ୍କର୍ମକୁ 'ଯୁଦ୍ଧାସ୍ତ୍ର' ରୂପେ ପ୍ରୟୋଗ କରା ନଯାଉ କି ନାରୀର ଶରୀର ରଣକ୍ଷେତ୍ରରେ ପରିଣତ ନ ହେଉ । ଏବେ ନୁହେଁ କି କେବେ ନୁହେଁ ।
Published in Sambad on August 08, 2023
Comments
Post a Comment