ଦଶ ବର୍ଷ ତଳେ ଅଗଷ୍ଟ ୨୦୧୩ରେ ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା । କ୍ଷମତାଶାଳୀ ବେଦାନ୍ତ କମ୍ପାନୀ ପରାଜୟ ବରଣ କରି ସେଠାରୁ ଆଉ ବକ୍ସାଇଟ ଉତ୍ତୋଳନ କରି ପାରିଲା ନାହିଁ । ଆଶା କରାଯାଉଥିଲା ଯେ ବୋଧହୁଏ ଏହାପରେ ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ବକ୍ସାଇଟ ଗଚ୍ଛିତ ଥିବା ଅନ୍ୟ ପାହାଡ଼ଗୁଡ଼ିକ ଉପରେ ଆଉ ଅନ୍ୟ କୌଣସି କମ୍ପାନୀଙ୍କ ଲୋଲୁପ ଦୃଷ୍ଟି ପଡ଼ିବ ନାହିଁ କି ଆଦିବାସୀମାନଙ୍କୁ ବିସ୍ଥାପିତ କରି ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରାଯିବା ନାହିଁ । କିନ୍ତୁ ଭାରତରେ ଗଚ୍ଛିତ ଥିବା ପ୍ରାୟ ୩୦୧ କୋଟି ଟନ ବକ୍ସାଇଟ ମଧ୍ୟରୁ ୬୦ ପ୍ରତିଶତ କେବଳ ଓଡ଼ିଶାରେ ଉପଲବ୍ଧ ଥିବାରୁ ଦେଶୀ ବିଦେଶୀ ସବୁ କମ୍ପାନୀଙ୍କ ଆଖି ଓଡ଼ିଶାର ବକ୍ସାଇଟ ଉପରୁ ହଟନ୍ତା ବା କିପରି ? ଫଳରେ ଗଲା ଦଶ ବର୍ଷ ଭିତରେ ସ୍ଥିତିରେ ପରିବର୍ତ୍ତନ ଘଟି ତାହା ଏତେ ବେଶୀ କମ୍ପାନୀ ଅନୁକୂଳ ହୋଇସାରିଲାଣି ଯେ ନିରୀହ ଆଦିବାସୀଙ୍କ ସ୍ୱରକୁ ବଳ ଦେବା ଲାଗି ମାତ୍ର କିଛି ହାତଗଣତି ବ୍ୟକ୍ତି ଓ ସଂଗଠନ ବିଦ୍ୟମାନ ଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସୁରକ୍ଷାର ସମ୍ଭାବନା କ୍ରମେ କ୍ଷୀଣ ହେବାକୁ ବସିଲାଣି । ତେବେ, ଏହି ସଂଦର୍ଭରେ ସିଜିମାଳି ଅଞ୍ଚଳରେ ଖଣି ଆବଣ୍ଟନକୁ ନେଇ କୁହୁଳୁଥିବା ଜନ ଆକ୍ରୋଶ ବିଷୟରେ ଆଲୋଚନା କରାଯାଉ ।
ସିଜିମାଳି ଖଣି ଅଞ୍ଚଳ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ତହସିଲ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲର ୧୮ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ପରିବ୍ୟାପ୍ତ । ଏଥି ମଧ୍ୟରୁ ୧୦ଟି ଗ୍ରାମ ଥୁଆମୂଳ ରାମପୁର ତହସିଲରେ ଥିବା ବେଳେ ଅବଶିଷ୍ଟ ୮ଟି କାଶୀପୁର ତହସିଲ ଅନ୍ତର୍ଭୁକ୍ତ । ପାହାଡ ଉପରେ ସିଜିମାଳି ଓ ମାଳିପଦର ଗାଁ ଦୁଇଟି ରହିଛି । କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ସିଜିମାଳିର ଦୂରତା ପ୍ରାୟ ୬୫ କିଲୋମିଟର ; ରାୟଗଡ଼ା ଜିଲ୍ଲାର କାଶୀପୁରଠାରୁ ଏହା ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ମୁଖ୍ୟତଃ କନ୍ଧ ଜନଜାତି, କିଛି ପରଜା ସମ୍ପ୍ରଦାୟର ଲୋକ ଓ ଡମ ଜାତିର ଲୋକ ଏଠାକାର ବାସିନ୍ଦା । ତେବେ କେବଳ ସିଜିମାଳି ନୁହେଁ, ଏହା ନିକଟରେ ଅବସ୍ଥିତ ଖଣ୍ଡୁଆଳମାଳି, କୁଟ୍ରୁମାଳି ଆଦି ପାହାଡ଼ରେ ଗଚ୍ଛିତ ଥିବା ପ୍ରଚୁର ବକ୍ସାଇଟ ଉପରେ ମଧ୍ୟ ଦେଶୀ ଓ ବିଦେଶୀ କମ୍ପାନୀଗୁଡ଼ିକ ବିଭିନ୍ନ ସମୟରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି । ଅତୀତରେ ଅଷ୍ଟ୍ରେଲିଆର ‘ବିଏଚପି ବିଲଟୋନ’ ଓ ଦେଶୀୟ ‘ଲାର୍ସନ ଆଣ୍ଡ ଟୁବ୍ରୋ’ ଖଣ୍ଡୁଆଳମାଳି ଖଣିକୁ ନିଜ ଅକ୍ତିଆରକୁ ନେବାର ବିଫଳ ପ୍ରୟାସ କରିସାରିଛନ୍ତି ।
ପ୍ରକାଶ ଥାଉ କି ଗତ ପ୍ରାୟ ତିନି ଦଶନ୍ଧି ଧରି ‘ଲାର୍ସନ ଆଣ୍ଡ ଟୁବ୍ରୋ’ କମ୍ପାନୀ ନିକଟରେ ସିଜିମାଳି ଖଣି ଅଞ୍ଚଳର ପ୍ରସ୍ପେକ୍ଟିଙ୍ଗ ଲାଇସେନ୍ସ ଥିଲେ ବି ରାଜ୍ୟ ଭିତରେ ବକ୍ସାଇଟ ପ୍ରକ୍ରିୟାକରଣ ଲାଗି କମ୍ପାନୀ କୌଣସି କାରଖାନା ପ୍ରତିଷ୍ଠା କରି ପାରି ନ ଥିବାରୁ ରାଜ୍ୟ ସରକାର ଏହାକୁ ଖଣିଜ ଉତ୍ତୋଳନ ଲାଗି ଲିଜ୍ ଦେଇ ନଥିଲେ । ଏପରିକି ଫେବୃଆରୀ ୨୦୨୦ରେ କମ୍ପାନୀ ବାର୍ଷିକ ୬୦ ଲକ୍ଷ ଟନ ବକ୍ସାଇଟ ଉତ୍ତୋଳନ କରିବା ଲାଗି ଏକ ପ୍ରାକ୍-ସମ୍ଭାବ୍ୟତା (ପ୍ରି-ଫିଜିବିଲିଟି) ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିସାରିଥିଲା । ତେବେ, ଓଡ଼ିଶା ହାଇକୋର୍ଟ ଗଲା ମାର୍ଚ୍ଚ ୨, ୨୦୨୩ରେ କମ୍ପାନୀର ଅଧିକାରକୁ ନାକଚ କରିଦେବା ପରେ କମ୍ପାନୀ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଇତିମଧ୍ୟରେ ମାର୍ଚ୍ଚ ୧, ୨୦୨୩ରେ ରାଜ୍ୟ ସରକାର ନିଲାମ ମାଧ୍ୟମରେ ସିଜିମାଳି ବ୍ଲକ୍ ର ସେହି ୧୫୪୯.୦୨ ହେକ୍ଟର ପରିମିତ ଖଣି ଅଞ୍ଚଳକୁ ବେଦାନ୍ତ କମ୍ପାନୀକୁ ପ୍ରଦାନ କରି ‘ଲେଟର ଅଫ ଇଣ୍ଟେଣ୍ଟ’ ପ୍ରଦାନ କରିଛନ୍ତି, ଯାହା ଫେବୃଆରୀ ୨୦୨୬ ଯାଏଁ ବଳବତ୍ତର ରହିବ । ଏଥି ମଧ୍ୟରୁ ୪୫.୧୭ ପ୍ରତିଶତ ହେଉଛି ଜଙ୍ଗଲ ଜମି ଯାହା ଉପରେ ସ୍ଥାନୀୟ ଅଧିବାସୀମାନେ ଜୀବନଜୀବିକା ପାଇଁ ନିର୍ଭରଶୀଳ । ଉଲ୍ଲେଖଯୋଗ୍ୟ ଯେ ଆଇବିଏମ (ଇଣ୍ଟିଆନ ବୁରୋ ଅଫ ମାଇନସ୍) ଅନୁଯାୟୀ ଏହି ଖଣିରେ ୨୨.୦୩୯ କୋଟି ଟନ ଉତ୍ତୋଳନ ଯୋଗ୍ୟ ବକ୍ସାଇଟ ଗଚ୍ଛିତ ଥିବା ବେଳେ ବେଦାନ୍ତ ଏହି ଖଣିରୁ ବାର୍ଷିକ ୯୦ ଲକ୍ଷ ଟନ୍ ବକ୍ସାଇଟ ଉତ୍ତୋଳନ କରିବାର ଲକ୍ଷ୍ୟ ଧାର୍ୟ୍ୟ କରିଛି । ଅର୍ଥାତ୍, ଗଚ୍ଛିତ ବକ୍ସାଇଟ ସମ୍ପୂର୍ଣ୍ଣ ନିଃଶେଷ ହେବାକୁ ୨୫ ବର୍ଷ ବି ଲାଗିବ ନାହିଁ । ଏଥର ‘ବେଦାନ୍ତ’ ପକ୍ଷରୁ ଖଣି ବିକାଶକ ଓ ସଞ୍ଚାଳକ (ମାଇନ ଡେଭଲପର ଆଣ୍ଡ ଅପରେଟର) ଭାବେ ‘ମୈତ୍ରୀ ଇନଫ୍ରାଷ୍ଟକଚର ଆଣ୍ଡ ମାଇନିଂ ପ୍ରାଇଭେଟ ଲିମିଟେଡ’କୁ ନିଯୁକ୍ତ କରାଯାଇଥିବାରୁ ଖଣି ସଂକ୍ରାନ୍ତୀୟ ଲୋକଙ୍କ ସହ ଯାହା କିଛି ବିବାଦ ଓ ସଂଘର୍ଷ ତାହା ମୈତ୍ରୀ କମ୍ପାନୀ ସହ ହେଉଛି, ବେଦାନ୍ତ ସିଧାସଳଖ ଦୃଶ୍ୟପଟ୍ଟରେ ନାହିଁ ।
ପ୍ରସ୍ତାବିତ ସିଜିମାଳି ଖଣି ଦ୍ୱାରା ୧୮ଟି ଆଦିବାସୀ ବହୁଳ ଗ୍ରାମ ପ୍ରଭାବିତ ହେବାକୁ ଯାଉଛି । ତେବେ ଏହା ସମ୍ୱିଧାନର ପଞ୍ଚମ ଅନୁସୂଚି ଅଧୀନସ୍ଥ ଅଞ୍ଚଳ ହୋଇଥିବାରୁ ‘ପେସା’ ଆଇନ ଓ ଜଙ୍ଗଲ ଅଧିକାର ଆଇନ ଦ୍ୱାରା ସୁରକ୍ଷିତ । ଏଥି ସହିତ ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମିର ପରିମାଣ ୭୦୦ ହେକ୍ଟରରୁ ଅଧିକ ହୋଇଥିବାରୁ ଓ ସ୍ଥାନୀୟ ଅଧବାସୀମାନେ ଜୀବନଜୀବିକା ପାଇଁ ତା ଉପରେ ନିର୍ଭରଶୀଳ ଥିବାରୁ ଉପରୋକ୍ତ ଗ୍ରାମଗୁଡ଼ିକରେ ବାସ କରୁଥିବା ସମସ୍ତ ସାବାଳାକଙ୍କ ସମ୍ମତି ଅନିବାର୍ୟ୍ୟ ଅଟେ । ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅଚଳ ସମ୍ପତ୍ତି ହସ୍ତାନ୍ତରଣ (ଅନୁସୂଚିତ ଜନଜାତିଙ୍କ ଦ୍ୱାରା) ଆଇନ, ୧୯୫୬ ଅନୁଯାୟୀ ପଞ୍ଚମ ଅନୁସୂଚି ଅଞ୍ଚଳରେ ଘରୋଇ ବ୍ୟକ୍ତି ବା ସଂସ୍ଥାକୁ ଜମି ବା ଖଣିଜ ଦ୍ରବ୍ୟ ହସ୍ତାନ୍ତରଣ କରି ହେବନାହିଁ । ପ୍ରକଳ୍ପରେ ୧୨୮ ହେକ୍ଟର ଘରୋଇ ଜମି ଅଧିଗୃହୀତ ହେବାକୁ ଯାଉଛି, ଯାହା କେତେ ଦୂର ବିଧି ସମ୍ମତ ତାହା ବିଚାର୍ୟ୍ୟ । ଉଲ୍ଲେଖଯୋଗ୍ୟ ଯେ ‘ସମତା ବନାମ ‘ଆନ୍ଧ୍ର ପ୍ରଦେଶ ରାଜ୍ୟ ଓ ଅନ୍ୟମାନେ’ ମାମଲା (୧୯୯୭)ରେ ସୁପ୍ରିମକୋର୍ଟ ଆଦିବାସୀଙ୍କ ଜମିରୁ ପ୍ରାକୃତିକ ସମ୍ପଦ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଜମି ହସ୍ତାନ୍ତରଣକୁ ଅବୈଧ ବୋଲି ଦର୍ଶାଇଥିଲେ ।
ଏହା ବ୍ୟତୀତ ପ୍ରସ୍ତାବିତ ପ୍ରକଳ୍ପରେ ପରିବେଶ ପ୍ରତି ମଧ୍ୟ ବିପଦ ଅଛି । ଏହାର ଖୁବ ନିକଟରେ ଥିବା ବାଘ, ହାତୀ ସମେତ ଅନେକ ବିପଦଗ୍ରସ୍ତ ଜୀବଜନ୍ତୁଙ୍କ ବାସସ୍ଥଳୀ କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟ ଏହା ଦ୍ୱାରା ଆକ୍ରାନ୍ତ ହୋଇପାରେ । ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗାଁ ମଧ୍ୟରୁ ଦୁଇଟି ଗାଁ ‘ପରିବେଶ ସମ୍ୱେଦନଶୀଳ ଅଞ୍ଚଳ’ (ଇକୋ ସେନସିଟିଭ ଜୋନ) ଭିତରେ ଅବସ୍ଥିତ, ଯାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ଏପରିକି ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ଦେଇ କର୍ଲାପାଟରୁ ରାୟଗଡ଼ାର କଲ୍ୟାଣସିଂହପୁର, ଟିକିରି ପର୍ୟ୍ୟନ୍ତ ହାତୀ ଚଲାପଥ ରହିଛି । ଏତଦଭିନ୍ନ ସ୍ଥାନୀୟ ଲୋକଙ୍କ ଆଶଙ୍କା ଯେ ବକ୍ସାଇଟ ଖନନ ହେଲେ ସେଠାକାର ଶତାଧିକ ଝରଣା ଶୁଖିଯିବ ଓ ଜଳାଭାବରୁ ସେମାନଙ୍କ କୃଷିକାର୍ୟ୍ୟ ବ୍ୟାହତ ହେବ । ପାରିବେଶିକ ମଞ୍ଜୁରୀ ପାଇଁ ଅକ୍ଟୋବର ୧୬ରେ କାଶୀପୁର ବ୍ଲକର ବନ୍ତେଜୀଠାରେ ଓ ଅକ୍ଟୋବର ୧୮ରେ ଥୁଆମୂଳ ରାମପୁରସ୍ଥ କେରପାଇଠାରେ ଅନୁଷ୍ଠିତ ଦୁଇଟି ଜନଶୁଣାଣିରେ ଗ୍ରାମବାସୀମାନେ ପ୍ରକଳ୍ପକୁ ପ୍ରବଳ ବିରୋଧ କରିଥିବା ପରିଲକ୍ଷିତ ହୋଇଥିଲା । ତେବେ ଜନଶୁଣାଣି ପୂର୍ବରୁ ସେହି ଅଞ୍ଚଳର ଗ୍ରାମବାସୀଙ୍କ ବିରୋଧରେ ୫ଟି ମାମଲା (କେବଳ ଅଗଷ୍ଟ ମାସରେ) ରୁଜ୍ଜୁ କରି, ୨୦ ଜଣଙ୍କୁ ଜେଲରେ ପୂରାଇ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା । ଗିରଫଦାରି ଭୟରେ ସ୍ଥାନୀୟ ଲୋକମାନେ ଜଙ୍ଗଲରେ ଲୁଚି ରହିଥିବା କଥା ‘ପିୟୁସିଏଲ’ ତରଫରୁ ପତ୍ର ମାଧ୍ୟମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନେକ ଲୋକଙ୍କ ଆଶଙ୍କା ଯେ ଭୟ ଓ ପ୍ରଲୋଭନ ଦ୍ୱାରା କମ୍ପାନି ପକ୍ଷରୁ ଜନଶୁଣାଣିକୁ ପ୍ରଭାବିତ କରାଯାଇପାରେ । ତେଣୁ ଦୁର୍ଗମ ଅଞ୍ଚଳଗୁଡ଼ିକରେ ନ୍ୟାୟାଳୟ ତତ୍ତ୍ୱାବଧାନରେ ଜନଶୁଣାଣି କରାଗଲେ ତାହା ଲୋକଙ୍କଠାରେ ସାହସ ଓ ବିଶ୍ୱାସ ଜନ୍ମାଇବାରେ ସହାୟକ ହୁଅନ୍ତା ।
ଆଦିବାସୀମାନେ କେବଳ ସେମାନଙ୍କ ଜମି, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏ ଲଢେଇ ଲଢୁନାହାନ୍ତି । ପ୍ରକାଶ ଥାଉ କି ନିୟମଗିରିରେ ‘ନିୟମ ରାଜା’ଙ୍କ ପରି ସିଜିମାଳିରେ ‘ସିଜ୍ ରଜା’ଙ୍କୁ ସ୍ଥାନୀୟ କନ୍ଧମାନେ ସେମାନଙ୍କ ଦେବତା ରୂପେ ପୂଜା କରିଥାଆନ୍ତି । ସେହିପରି ପାହାଡ଼ରେ ଅବସ୍ଥିତ ପାରାପର ଓ ବାଘପର ପରି କେତେକ ଗୁମ୍ଫା ପଶୁ ଦେବତାମାନଙ୍କ ଆସ୍ଥାନ ବୋଲି ସେମାନଙ୍କ ବିଶ୍ୱାସ । ସୁତରାଂ, ଏହି ପର୍ବତ ସହିତ ସ୍ଥାନୀୟ ଆଦିବାସୀଙ୍କ ଧର୍ମ, ସଂସ୍କୃତି ଓ ପରମ୍ପରାଗତ ଗଭୀର ସମ୍ପର୍କ ରହିଛି । ତେଣୁ ସେମାନଙ୍କ ପାଇଁ ଜୀବନଜୀବିକାର ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କର ଦେବତା, ଧର୍ମ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା । ସାଧାରଣତଃ ଏହି ଧରଣର ପ୍ରକଳ୍ପକୁ ବିରୋଧ କରୁଥିବା ଲୋକମାନଙ୍କୁ ବିକାଶ ବିରୋଧୀ ବୋଲି ଅଭିହିତ କରାଯାଇଥାଏ । ତେବେ ସାଧାରଣ ଅର୍ଥରେ ବିକାଶର ସଂଜ୍ଞା ଆର୍ଥିକ ସମୃଦ୍ଧିକୁ ବୁଝାଉଥିଲା ବେଳେ ଆଦିବାସୀଙ୍କ ପାଇଁ ତା’ର ସଂଜ୍ଞା ଯେ କେତେ ବ୍ୟାପକ ତାହା ହୃଦୟଙ୍ଗମ କଲେ ସେମାନଙ୍କୁ ବୁଝିବା ସହଜ ହେବ ।
ତେବେ ଆଉ ଏକ ବାସ୍ତବତା ହେଲା ଏହି ପ୍ରକଳ୍ପ ରୋଜଗାର ଯୋଗାଇବ ବୋଲି ପ୍ରକଳ୍ପ ସପକ୍ଷରେ ମଧ୍ୟ ଅନ୍ୟ କେତେକ ଅଞ୍ଚଳର କିଛି ଲୋକ ବାହାରୁଥିବା ପରିଲକ୍ଷିତ ହେଉଛି । ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ଲୋକ ପ୍ରକଳ୍ପ ଦ୍ୱାରା କିପରି ଲାଭାନ୍ୱିତ ହେବେ, ତାହା ଭିନ୍ନ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପ୍ରକଳ୍ପ ନେଇ ଭିଡ଼ାଓଟରା ମଧ୍ୟ ଲାଗିପାରେ ।
ନିୟମଗିରି ଆନ୍ଦୋଳନ ସଫଳ ହେବା ପଛରେ ଏକ ବଡ଼ କାରଣ ଥିଲା ଯେ ଏହି ଆନ୍ଦୋଳନଟି ବିଭିନ୍ନ ବର୍ଗର ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ହାସଲ କରି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟି ପାରିଥିଲା । ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଯୁପିଏ ସରକାର ଶାସନ କରୁଥିବା ବେଳେ ସ୍ୱୟଂ ରାହୁଳ ଗାନ୍ଧୀ ଏହାର ସମର୍ଥନ କରି ନିୟମଗିରିରେ ପହଞ୍ଚି ଲୋକଙ୍କ ପାଖରେ ଛିଡ଼ା ହୋଇଥିଲେ । କିଛି ସ୍ଥାନୀୟ ରାଜନେତା ମଧ୍ୟ ଆନ୍ଦୋଳନକୁ ସକ୍ରିୟ ସମର୍ଥନ ପ୍ରଦାନ କରିଥିଲେ । ସେହିପରି ଅନେକ ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍ଥିକ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରିନଥିଲେ । ରାଜ୍ୟ ତଥା ଜାତୀୟ ଗଣମାଧ୍ୟମଗୁଡ଼ିକ ଏହି ଆନ୍ଦୋଳନ ସପକ୍ଷରେ ଜନମତ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି । ନିକଟ ଅତୀତରେ ସଂଘଟିତ ଅନେକ ଜନ ଆନ୍ଦୋଳନ ପ୍ରତି ଅନୁରୂପ ଜନସମର୍ଥନ ପରିଲକ୍ଷିତ ହେଉନାହିଁ । ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କର ଆର୍ଥିକ ଦୃଷ୍ଟିରୁ ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସେମାନେ ପ୍ରତ୍ୟକ୍ଷ ସହଯୋଗ ପାଇଁ ଅଗ୍ରସର ହେଉନାହାନ୍ତି । ଅଧିକାଂଶ ଗଣମାଧ୍ୟମ ଏବେ କର୍ପୋରେଟ କବଳିତ । ଫଳରେ ଜନମତ ଅଭାବରୁ ଆନ୍ଦୋଳନଗୁଡ଼ିକ ବ୍ୟାପକ ଜନସମର୍ଥନ ହାସଲ କରିପାରୁନାହିଁ । ଖଣ୍ଡୁଆଳମାଳି ଆନ୍ଦୋଳନ ହେଉ ଅବା ସିଜିମାଳି ଆନ୍ଦୋଳନ; ସେଗୁଡ଼ିକୁ ପ୍ରମୁଖ ରାଜନୈତିକ ଦଳଙ୍କ ସମର୍ଥନ ମିଳୁନାହିଁ । ହୁଏତ ନିକଟରେ ହେବାକୁ ଥିବା ନିର୍ବାଚନ ତା’ର ଅନ୍ୟତମ କାରଣ ହୋଇପାରେ । ଅନ୍ୟ ପକ୍ଷରେ ଗିରଫଦାରି ଓ ଅନ୍ୟାନ୍ୟ ଜୁଲୁମ ଭୟରେ ସ୍ଥାନୀୟ ନେତାମାନେ ବଳିଷ୍ଠ ନେତୃତ୍ୱ ଦେବାକୁ ଆଗଭର ହେଉ ନାହାନ୍ତି । ତେଣୁ ଉପଯୁକ୍ତ ନେତୃତ୍ୱ ଅଭାବରୁ ହୁଏତ ସେଠାକାର ଆଦିବାସୀମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହୋଇପାରନ୍ତି ।
ଏବେ ଚିନ୍ତାରେ ‘ସିଜ୍’ ରଜା । ନିଜ ଜୀବନକୁ ବାଜି ଲଗାଇ ନିୟମ ରାଜାର ପ୍ରଜାମାନେ ତାକୁ ସିନା ବଞ୍ଚାଇ ଦେଲେ, ହେଲେ ସିଜିମାଳିର ପ୍ରଜାମାନେ ଅନ୍ୟମାନଙ୍କ ସହଯୋଗ ନ ପାଇଲେ ‘ସିଜ୍ ରଜା’କୁ ବଞ୍ଚାଇ ରଖିବା ଲାଗି କଣ ସେଭଳି କରି ପାରିବେ ?
Published in Sambad on October 31, 2023
ଲେଖାଟି ଉପାଦେୟ ଓ ଭଲ ହୋଇଛି।
ReplyDeleteଧନ୍ୟବାଦ
Delete