Skip to main content

ଘୃଣାପୂର୍ଣ୍ଣ ସମ୍ଭାଷଣ ଓ ଟିଭି ଆଙ୍କରଙ୍କ ଗୁରୁଦାୟିତ୍ୱ

ସାରା ବିଶ୍ୱରେ ସାମ୍ୱାଦିକତାର ସ୍ଥିତିକୁ ଦର୍ଶାଇ ଗତ କୋଡିଏ ବର୍ଷ ଧରି ପ୍ରତି ବର୍ଷ ‘ରିପୋର୍ଟର୍ସ ଉଇଦାଉଟ ବୋର୍ଡରସ୍’ (ଆରଏସଏଫ) ସଂସ୍ଥା ଦ୍ୱାରା ପ୍ରକାଶ ପାଇଆସୁଥିବା ‘ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କ’ର ୨୦୨୨ ସଂସ୍କରଣ ଅନୁଯାୟୀ ୧୮୦ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୫୦ରେ । ଗତ ବର୍ଷ ତୁଳନାରେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ଆସିବା ବାସ୍ତବିକ ଚିନ୍ତାଜନକ । ତେବେ ପ୍ରାୟତଃ ନିଜ ସ୍ୱାଧୀନତା ହରାଇ ସାରିଥିବା ଗଣମାଧ୍ୟମ, ବିଶେଷ କରି ଅଧିକାଂଶ ମୁଖ୍ୟସ୍ରୋତର ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ, ଏବେ ଘୃଣା ସମ୍ଭାଷଣ ପ୍ରସାରଣର ମୁଖ୍ୟ ମାଧ୍ୟମ ପାଲଟିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ନିଜ ଚ୍ୟାନେଲର ଟିଆରପି ବଢାଇବା ପାଇଁ ପ୍ରତି ସଂଧ୍ୟାର ପ୍ରାଇମ୍ ଟାଇମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବିବାଦୀୟ ବିଷୟବସ୍ତୁ ଉପରେ ଆଲୋଚନାମାନ ଆୟୋଜନ କରି ଇଚ୍ଛାକୃତ ଭାବେ ଏମିତି କିଛି ଆଲୋଚକଙ୍କୁ ଆମନ୍ତ୍ରିତ କରିବାକୁ ପଛାଉନାହାନ୍ତି ଯେଉଁମାନେ ଟିଭି ଆଲୋଚନାକୁ ଗାଁ ଦାଣ୍ଡର ଝଗଡା ସ୍ତରକୁ ଖସାଇବାରେ ପାରଙ୍ଗମ । ଟିଭିରେ ଏ ଭଳି ଘୃଣାପୂର୍ଣ୍ଣ ସମ୍ଭାଷଣ ଚାଲିଥିବା ବେଳେ ଟିଭି ଆଙ୍କରମାନେ ତାହା ନିୟନ୍ତ୍ରଣକୁ ଆଣିବା ଲାଗି ଆନ୍ତରିକତା ପ୍ରଦର୍ଶନ କରିବା ତ ଦୂରର କଥା ବରଂ ସ୍ଥଳ ବିଶେଷରେ ତା'ର ମଜା ନେଉଥିବା ଦେଖାଯାଉଛି । ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି ଅବସରରେ ସେପ୍ଟେମ୍ୱର ୨୧, ୨୦୨୨ରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରି ଟିଭି ଆଙ୍କରମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ତାଗିଦ କରି ଦେଇଛନ୍ତି ।

ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଦ୍ୱାରା ପ୍ରସ୍ତୁତ ମାନୁଆଲରେ ଘୃଣାପୂର୍ଣ୍ଣ ସମ୍ଭାଷଣ (ହେଟ ସ୍ପିଚ)ର ସଂଜ୍ଞା ନିରୂପଣ କରି ଲେଖାଯାଇଛି, “ଏପରି ଭାଷା ଯାହା ଜଣକୁ ତା’ର ପରିଚୟ ଓ ଅନ୍ୟ ବିଶେଷତା ଆଧାରରେ (ଯୌନ ଅଭିବିନ୍ୟାସ- ସେକ୍ସୁଆଲ ଓରିଏଣ୍ଟେସନ ବା ଅକ୍ଷମତା ବା ଧର୍ମ ଇତ୍ୟାଦି) ବଦନାମ କରେ, ଅପମାନିତ କରେ, ଧମକାଏ ବା ଆକ୍ରମଣ କରେ” । ଜାତି, ଧର୍ମ, ଧର୍ମୀୟ ବିଶ୍ୱାସ, ବର୍ଣ୍ଣ, ଲିଙ୍ଗ, ଯୌନ ଅଭିବିନ୍ୟାସ, ଜାତୀୟତା ଓ ଅପ୍ରବାସ ସ୍ଥିତି (ଇମିଗ୍ରେସନ ଷ୍ଟାଟସ) ଆଦିକୁ ଆଳ କରି ସାରା ବିଶ୍ୱରେ ଏବେ ଅଧିକରୁ ଅଧିକ ଘୃଣାପୂର୍ଣ୍ଣ ସମ୍ଭାଷଣର ପ୍ରୟୋଗ ହେଉଥିବା ଦେଖାଯାଉଛି । ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଇଲେ ଘୃଣାପୂର୍ଣ୍ଣ ସମ୍ଭାଷଣର ମାତ୍ରା ବୃଦ୍ଧି ପାଇ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବାଧା ଉତ୍ପନ୍ନ ହୋଇଥାଏ । କ୍ରମଶଃ ଭାରତୀୟ ସମାଜରେ ବି ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଏହା ବୃଦ୍ଧି ପାଇଚାଲିଛି, ଯାହା ଆମର ବର୍ଦ୍ଧିତ ଅସହିଷ୍ଣୁତାର ଏକ ନିଦର୍ଶନ ମାତ୍ର । କିଛି ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ଏହି ନିଆଁରେ ପାଣି ଢାଳିବା ପରିବର୍ତ୍ତେ ଘିଅ ଢାଳି ତାକୁ ଆହୁରି ତେଜିବାକୁ ଚେଷ୍ଟା କରୁଛନ୍ତି ।

ମାମଲାର ଶୁଣାଣି କରି ଜଷ୍ଟିସ କେ ଏମ ଯୋସେଫ ଓ ଜଷ୍ଟିସ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି ଯେ ଟିଭି ଆଲୋଚନାରେ ଭାଗ ନେଉଥିବା ଆମନ୍ତ୍ରିତ ଅତିଥିମାନେ ଯେପରି ଘୃଣା ପ୍ରସାରଣର ଲକ୍ଷ୍ମଣରେଖାକୁ ଟପି ନ ଯାଆନ୍ତି ତାହା ସୁନିଶ୍ଚିତ କରିବା ଦାୟିତ୍ୱ ସମ୍ପୃକ୍ତ ଟେଲିଭିଜନ ଚ୍ୟାନେଲର ଆଙ୍କରମାନଙ୍କର । ମୁଖ୍ୟସ୍ରୋତର ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ଏହି ଭାଷଣ ଓ ବିବୃତିଗୁଡିକ ଉପରେ କୌଣସି ନିୟନ୍ତ୍ରଣ ନ ଥାଏ । ଅନେକ କ୍ଷେତ୍ରରେ ଏ ଭଳି ଅନିୟନ୍ତ୍ରିତ ସମ୍ଭାଷଣର କୁପ୍ରଭାବ ସମାଜର ସାଧାରଣ ବର୍ଗର ଲୋକଙ୍କ ଉପରେ ପଡି ଅନେକ କ୍ଷେତ୍ରରେ ତା’ର କୁତ୍ସିତ କୁପରିଣାମ ସର୍ବସାଧାରଣରେ ଦେଖିବାକୁ ମିଳୁଛି । ମୁଖ୍ୟସ୍ରୋତର ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମଗୁଡିକର ପହଞ୍ଚ ଯଥେଷ୍ଟ ଅଧିକ ହୋଇଥିବାରୁ ଘୃଣାପୂର୍ଣ୍ଣ ସମ୍ଭାଷଣର ପ୍ରସାରଣ ପାଇଁ ଏଗୁଡିକର ବ୍ୟବହାର କରାଯାଉଥିବା ପରିଲକ୍ଷିତ ହେଉଛି । ଏଭଳି କ୍ଷେତ୍ରରେ ଟିଭି ଆଙ୍କରମାନଙ୍କର ଦାୟିତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଚ୍ୟାନେଲକୁ ଯେପରି ଘୃଣା ସମ୍ଭାଷଣ ପ୍ରସାରଣର ମାଧ୍ୟମ କରା ନ ଯାଏ, ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଆଙ୍କରଙ୍କର । ସମସ୍ତଙ୍କର ବାକ୍ ସ୍ୱାଧୀନତା ରହିବା ଆବଶ୍ୟକ । ତେବେ ସେହି ଅଧିକାର ଘୃଣାପୂର୍ଣ୍ଣ ସମ୍ଭାଷଣକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ । ଧର୍ମ, ଜାତି, ଲିଙ୍ଗ ଆଦି ଭିତ୍ତିରେ କାହାରି ପ୍ରତି ଘୃଣାପୂର୍ଣ୍ଣ ବା ବିଦ୍ୱେଷପୂର୍ଣ୍ଣ ସମ୍ଭାଷଣ ଗ୍ରହଣୀୟ ନୁହେଁ । ଏଥିପାଇଁ ଟିଭି ଚ୍ୟାନେଲକୁ ବ୍ୟବହାର କରିବା ତ ଆହୁରି ଗର୍ହିତ ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ପରିଚାଳିତ ‘ରିପବ୍ଲିକ ଭାରତ’ ହିନ୍ଦୀ ଚ୍ୟାନେଲର ସେପ୍ଟେମ୍ୱର ୯, ୨୦୧୯ରେ ପ୍ରସାରିତ ‘ପୁଛତା ହୈ ଭାରତ’ କାର୍ଯ୍ୟକ୍ରମରେ ପ୍ରସାରିତ ଘୃଣାପୂର୍ଣ୍ଣ ସମ୍ଭାଷଣ ପାଇଁ ବ୍ରିଟେନର ଯୋଗାଯୋଗ ନିୟନ୍ତ୍ରକ ‘ଅଫିସ ଅଫ କମ୍ୟୁନିକେସନସ୍’ (ଅଫକମ୍) ତରଫରୁ କାର୍ଯ୍ୟକ୍ରମରେ ‘ଆକ୍ରମଣାତ୍ମକ ଭାଷା’, ‘ସନ୍ଦର୍ଭହୀନ ଘୃଣା ସମ୍ଭାଷଣ’ ଓ ‘ବ୍ୟକ୍ତି, ଗୋଷ୍ଠୀ, ଧର୍ମ ବା ସମ୍ପ୍ରଦାୟଙ୍କ ପ୍ରତି ଗାଳିଗୁଲଜ ଓ ମର୍ଯ୍ୟାଦାହାନି ହେଲାଭଳି’ ବିଷୟ ଥିବାରୁ ‘ରିପବ୍ଲିକ ଭାରତ’ ଚ୍ୟନେଲ ଉପରେ ୨୦୦୦୦ ପାଉଣ୍ଡ ବା ପ୍ରାୟ ୧୯ ଲକ୍ଷ ଟଙ୍କା ଜୋରିମାନା କରାଗଲା ଓ ଚ୍ୟାନେଲକୁ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଆଗଲା । ଚନ୍ଦ୍ରଯାନ-୨ ମହାକାଶଯାନ ପ୍ରେରଣ ସଂକ୍ରାନ୍ତୀୟ ଭାରତର ପ୍ରୟାସକୁ ପ୍ରଶଂସା କରି ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନା କ୍ରମଶଃ ଭାରତ ପାକିସ୍ତାନ ସମ୍ପର୍କ ଆଡକୁ ମୁହାଁଇଗଲା । ଶେଷରେ ସ୍ଥିତି ଏପରି ହେଲା ଯେ ଅଂଶଗ୍ରହଣକାରୀ ଅତିଥିଙ୍କ ମଧ୍ୟରୁ କେହି କେହି ପାକିସ୍ତାନୀ ଲୋକଙ୍କ ସମ୍ପର୍କରେ ଅତ୍ୟନ୍ତ ଘୃଣାପୂର୍ଣ୍ଣ ମନ୍ତବ୍ୟ ଦେବାକୁ କୁଣ୍ଠା ପ୍ରକାଶ କଲେ ନାହିଁ । “ସେମାନଙ୍କ ବୈଜ୍ଞାନିକ, ଡାକ୍ତର, ନେତା, ରାଜନୀତିଜ୍ଞ ସମସ୍ତେ ଆତଙ୍କବାଦୀ । ଏପରିକି ସେମାନଙ୍କ ଖେଲାଳୀମାନେ ମଧ୍ୟ । ସେଠାରେ ପ୍ରତିଟି ଶିଶୁ ମଧ୍ୟ ଆତଙ୍କବାଦୀ । ଆପଣ ଗୋଟେ ଆତଙ୍କବାଦୀ ଦେଶର ମୁକାବିଲା କରୁଛନ୍ତି” ବୋଲି ମଧ୍ୟ କୁହାଗଲା । ଅର୍ଣ୍ଣବ ଗୋସ୍ୱାମୀ ପାକିସ୍ତାନ ଉଦ୍ଦେଶ୍ୟରେ କହିଲେ, “ଆମେ ବୈଜ୍ଞାନିକ ତିଆରି କରୁଛୁ, ତୁମେ ଆତଙ୍କବାଦୀ ।“ ବ୍ରିଟେନରେ ଏହି ଚ୍ୟାନେଲର କାର୍ୟ୍ୟକ୍ରମ ପ୍ରସାରିତ ହୁଏ ଓ ସେଠାରେ ବହୁ ସଂଖ୍ୟାରେ ପାକିସ୍ତାନୀ ଅଧିବାସୀ ବସବାସ କରୁଥିବାରୁ ଚ୍ୟାନେଲ ତରଫରୁ ପ୍ରସାରିତ ଏହି ଘୃଣାପୂର୍ଣ୍ଣ ସମ୍ଭାଷଣକୁ ବ୍ରିଟେନର ନିୟନ୍ତ୍ରକ ହାଲୁକାରେ ଗ୍ରହଣ ନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନେଲେ । ତଦନୁସାରେ ‘ରିପବ୍ଲିକ ଭାରତ’ର ବ୍ରିଟେନରେ ସଂପ୍ରସାରଣ ଅଧିକାର ଥିବା ‘ୱାର୍ଲଡଭିୟୁ ମିଡିଆ ନେଟୱାର୍କ ଲିମିଟେଡ’ ଉପରେ ଜୋରିମାନା ଲଗାଇଲେ । ଅର୍ଥାତ୍ ଗୋଟିଏ ଦେଶର ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ପ୍ରସାରିତ ଘୃଣାପୂର୍ଣ୍ଣ ସମ୍ଭାଷଣ ସେହି ଦେଶର ସୀମା ସରହଦ ଡେଇଁ ଅନ୍ୟ ଦେଶର ଶାନ୍ତିକୁ ବ୍ୟାହତ କରିବାର ସାମର୍ଥ୍ୟ ରଖୁଥିବାରୁ ଏ ଦିଗରେ ଟିଭି ଚ୍ୟାନେଲ ଓ ଆଙ୍କରମାନଙ୍କୁ ଅଧିକ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଭାରତୀୟ ଟିଭି ଚ୍ୟାନେଲ ତା’ କାର୍ଯ୍ୟକ୍ରମର ବିଷୟବସ୍ତୁ ପାଇଁ ବିଦେଶରେ ଦଣ୍ଡିତ ହେବା ବାସ୍ତବିକ ଲଜ୍ଜାଜନକ । ତେବେ ବ୍ରିଟେନରେ ଏ ସଂକ୍ରାନ୍ତୀୟ ଆଇନର ଉପଲବ୍ଧତା କାରଣରୁ ‘ରିପବ୍ଲିକ ଭାରତ’କୁ ସେଠାରେ ଦଣ୍ଡିତ କରାଯାଇପାରିଲା । କ୍ଷୋଭର ବିଷୟ ଯେ ଘୃଣା ସମ୍ଭାଷଣର ପ୍ରସାରଣକୁ ପ୍ରତିହତ କରିବା ପାଇଁ ଭାରତରେ ସେ ଭଳି କଡା ଆଇନ ନ ଥିବାରୁ ଏହାକୁ ପ୍ରଶ୍ରୟ ଦେଇ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିବା ଲାଗି ଟିଭି ଚ୍ୟାନେଲମାନଙ୍କ ମଧ୍ୟରେ ସତେ ଯେମିତି ପ୍ରତିଯୋଗିତା ଲାଗିଯାଇଛି ।

ଘୃଣାପୂର୍ଣ୍ଣ ସମ୍ଭାଷଣ ପାଇଁ ଯେ ପର୍ଯ୍ୟନ୍ତ ଭାରତରେ ଅପରାଧୀମାନେ ଅଧିକ ସଂଖ୍ୟାରେ ଦଣ୍ଡିତ ହୋଇନାହାନ୍ତି, ସେମାନଙ୍କ ଅବାଞ୍ଛିତ ଆଚରଣ ଉପରେ ଲଗାମ ଲାଗିବା କଷ୍ଟକର ହେବ । ଏହାଦ୍ୱାରା କିଛି ରାଜନୈତିକ ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟକ୍ତି ବିଶେଷ ସର୍ବାଧିକ ଲାଭବାନ ହୋଇଥାଆନ୍ତି । ଏଥିପାଇଁ ଟିଭି ଚ୍ୟନେଲମାନେ ସୁନିୟୋଜିତ ଭାବେ ସେମାନଙ୍କୁ ମଞ୍ଚ ଯୋଗାଇ ଦେବା ଦୁର୍ଭାଗ୍ୟଜନକ । ବସ୍ତୁତଃ ଏହା ଦ୍ୱାରା ଚ୍ୟନେଲମାନଙ୍କ ଟିଆରପି ବଢି ସେମାନେ ଅଧିକ ଅର୍ଥ ଉପାର୍ଜନ କରିବାକୁ ସମର୍ଥ ହେଉଥିବା ବେଳେ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ସେମାନଙ୍କ ଘୃଣାପୂର୍ଣ୍ଣ ଆଜେଣ୍ଡା ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇପାରନ୍ତି । ଏହାକୁ ପ୍ରତିହତ ନ କରି ସରକାର କାହିଁକି ମୂକଦର୍ଶକ ସାଜିଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଘୃଣାପୂର୍ଣ୍ଣ ସମ୍ଭାଷଣକୁ ରୋକିବା ପାଇଁ ‘ଶକ୍ତିବାହିନୀ’ ଓ ‘ତେହସିନ ପୁନାୱାଲା’ ମାମଲାରେ ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିସାରିଛନ୍ତି । ଏ କ୍ଷେତ୍ରରେ ଗଣମାଧ୍ୟମଙ୍କ ପରିଚାଳିତ ଆତ୍ମ-ନିୟନ୍ତ୍ରଣ ବ୍ୟବସ୍ଥା (ସେଲ୍ଫ ରେଗୁଲେଟରି ମେକାନିଜମ)ଟି ଯେ ପ୍ରଭାବୀ ହେଉନାହିଁ, ତାହା ସୁସ୍ପଷ୍ଟ । କୋର୍ଟଙ୍କ ମତରେ ଟେଲିଭିଜନ ଚ୍ୟନେଲଗୁଡିକର ପ୍ରେସ ସ୍ୱାଧୀନତା ରହିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଙ୍କରମାନେ ଭଲ କରି ଜାଣି ରଖିବା ଦରକାର ଗାର କେଉଁଠି ଟାଣିବାକୁ ହେବ । ଅନେକ ସମୟରେ ଚ୍ୟାନେଲରେ ଆଲୋଚନା ଚାଲିଥିଲା ବେଳେ ନିର୍ଦ୍ଦିଷ୍ଟ କିଛି ଆଲୋଚକଙ୍କୁ ସେମାନଙ୍କ ମତ ବ୍ୟକ୍ତ କରିବାକୁ ଦିଆ ନ ଯାଇ ଚ୍ୟାନେଲ ଦ୍ୱାରା ସେମାନଙ୍କୁ ମୂକ (ମ୍ୟୁଟ) କରିଦିଆଯାଏ ବା ସେମାନଙ୍କ ସ୍ୱରକୁ ଦବାଇ ଦିଆଯାଏ । ସେହିପରି କାହା ପ୍ରତି ଅନୁଗ୍ରହ ପ୍ରଦର୍ଶନ ପୂର୍ବକ ସେମାନଙ୍କୁ ନିର୍ବିଘ୍ନରେ କହିବାକୁ ଦିଆଯାଇଥାଏ । ଚ୍ୟାନେଲର ବ୍ୟାବସାୟିକ ସ୍ୱାର୍ଥକୁ ଆଧାର କରି ଆଙ୍କରଙ୍କ ନିଜସ୍ୱ ମତ ଥାଇପାରେ । ତେବେ ଟିଭିରେ ପ୍ରସାରିତ ବିଷୟବସ୍ତୁ ସାଧାରଣ ଦର୍ଶକଙ୍କ ସ୍ୱାର୍ଥରେ ହୋଇଥିବାରୁ ବିଭିନ୍ନ ପକ୍ଷର ମତାମତକୁ ଯଦି ସେମାନଙ୍କୁ ଠିକ୍ ରୂପେ ଶୁଣିବାକୁ ଦିଆ ନ ଯାଏ, ତେବେ ସେମାନେ କିପରି ସନ୍ତୁଳିତ ଭାବେ ନିଜସ୍ୱ ମତ ନିର୍ମାଣ କରିବେ ? ନିଶ୍ଚିତ ରୂପେ ଆଙ୍କରଙ୍କ ପ୍ରେସ ସ୍ୱାଧୀନତାର ଅଧିକାର ରହିଛି । ତେବେ ସେହି ଅଧିକାର ଶ୍ରୋତାଙ୍କ ସ୍ପଷ୍ଟଭାବେ ଶୁଣି ମତ ନିର୍ଦ୍ଧାରଣ କରିବାର ଅଧିକାର ତୁଳନାରେ ନ୍ୟୂନ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି । ଗଣତନ୍ତ୍ରର ସ୍ତମ୍ଭଗୁଡିକ ସ୍ୱତନ୍ତ୍ର ରହିବା ବିଧେୟ । ସେମାନେ ଅନ୍ୟ କାହାଠାରୁ ଆଦେଶ ଗ୍ରହଣ କରି କାର୍ଯ୍ୟ କଲେ ସେମାନଙ୍କ ସ୍ୱାଧୀନତା ବାଧାପ୍ରାପ୍ତ ହୋଇଥାଏ ଓ ସେମାନେ ସେମାନଙ୍କ ଦାୟିତ୍ୱ ଠିକ ରୂପେ ସମ୍ପାଦନ କରିପାରି ନ ଥାଆନ୍ତି । ଘୃଣାପୂର୍ଣ୍ଣ ସମ୍ଭାଷଣର କିପରି ବହୁସ୍ତରୀୟ ପ୍ରଭାବ ରହିଛି ସେ ସମ୍ପର୍କରେ କୋର୍ଟ ମତ ଦେଇ କହିଛନ୍ତି, “ଜଣକର ଅନେକ ଉପାୟରେ ହତ୍ୟା କରାଯାଇପାରେ । ଧୀରେ ଧୀରେ ବା ଅନ୍ୟ ପ୍ରକାରେ । ନିର୍ଦ୍ଦିଷ୍ଟ ଦୃଢ ବିଶ୍ୱାସ ଆଧାରରେ ସେଗୁଡିକ (ଘୃଣାପୂର୍ଣ୍ଣ ସମ୍ଭାଷଣ) ଆମକୁ ଲାଖି (ଟିଭିରେ) ରହିବାକୁ  ବାଧ୍ୟ କରିଥାଆନ୍ତି ।“                     

ନିଜ ଗୋଷ୍ଠୀ ଅନ୍ୟଙ୍କଠାରୁ ଉନ୍ନତ ବୋଲି ବାନ୍ଧିଥିବା ବିଶ୍ୱାସ ଅନ୍ୟ ଗୋଷ୍ଠୀକୁ ସାଧାରଣରେ ନ୍ୟୂନ ଭାବେ ଦର୍ଶାଇବାର ପ୍ରବୃତ୍ତିକୁ ଜନ୍ମ ଦିଏ, ଯାହା ସେମାନଙ୍କ ପ୍ରତି ଘୃଣା ସମ୍ଭାଷଣକୁ ପ୍ରଶ୍ରୟ ଦେଇଥାଏ । ସେହିପରି ‘ନିଜ ଅନୁସୃତ ଆଦର୍ଶ ଓ ବିଚାରଧାରା ହିଁ ସର୍ବଶ୍ରେଷ୍ଠ ହୋଇଥିବାରୁ ଅନ୍ୟ ଆଦର୍ଶ ଓ ବିଚାରଧାରା ସହ ସହାବସ୍ଥାନର ପ୍ରଶ୍ନ ଉଠୁନାହିଁ’ର ମନୋଭାବ ହିଁ ଘୃଣା ସମ୍ଭାଷଣକୁ ପ୍ରଶ୍ରୟ ଦେଇ ସେଥିଲାଗି ଇନ୍ଧନ ଯୋଗାଇଥାଏ । ଏହାକୁ ରୋକିବା ଲାଗି ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରାରେ ଉଲ୍ଲେଖ ରହିଛି । ଧାରା ୧୫୩ଏ ଓ ୧୫୩ବି ରେ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ଘୃଣା ଉଦ୍ରେକ ନିମନ୍ତେ ଦଣ୍ଡର ପ୍ରାବଧାନ ରହିଛି । ସେହିପରି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ପାଇଁ ଇଚ୍ଛାକୃତ ବା ମନ୍ଦ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟ ଧାରା ୨୯୫ଏ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ହୋଇଥାଏ । ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବୈମନସ୍ୟ ଓ ଘୃଣା ଭାବ ଜାତ କରିବାର ଆଶଙ୍କା ଥିବା କୌଣସି ବିଷୟର ପ୍ରକାଶନ ଓ ପ୍ରସାରଣ  ଧାରା ୫୦୫(୧) ଓ ୫୦୫(୨) ଅନୁଯାୟୀ ଦଣ୍ଡନୀୟ ହୋଇଥାଏ । ତେବେ ପ୍ରଚଳିତ ଆଇନରେ ଏ ପର୍ଯ୍ୟନ୍ତ ଘୃଣାପୂର୍ଣ୍ଣ ସମ୍ଭାଷଣର ସଂଜ୍ଞା ନିରୂପଣ ହୋଇନାହିଁ କି ଏହାକୁ ଏକ ଅପରାଧ ରୂପେ ଗ୍ରହଣ କରି କୌଣସି ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ ହୋଇନାହିଁ । ତେଣୁ ବିଭିନ୍ନ ଧାରାରେ ଦଣ୍ଡ ବ୍ୟବସ୍ଥା ସତ୍ତ୍ୱେ ଘୃଣାପୂର୍ଣ୍ଣ ସମ୍ଭାଷଣକୁ ରୋକିବା ସମ୍ଭବ ହେଉ ନ ଥିବାରୁ ଏହାକୁ ପ୍ରଭାବୀ କରିବା ପାଇଁ ବିଭିନ୍ନ ସମୟରେ ଦାବି ଉଠି ଆସିଛି । ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ ଉପରେ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ ବୃଦ୍ଧି ପାଇବା ପରେ ଫେବୃଆରୀ ୨୦୧୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ‘ବେଜବରୁଆ କମିଟି’ ତା’ର ରିପୋର୍ଟ ସେହି ବର୍ଷ ଜୁଲାଇ ମାସ ସୁଦ୍ଧା ପ୍ରଦାନ କରି ସାରିଥିଲେ, ଯେଉଁଥିରେ ଧାରା ୧୫୩ସିକୁ ସଂଶୋଧନ କରି ୫ ବର୍ଷ ଜେଲ ଦଣ୍ଡ ସହ ଜୋରିମାନାର ଉଲ୍ଲେଖ ସହିତ ଧାରା ୫୦୯ରେ ୩ ବର୍ଷ ଜେଲ ଦଣ୍ଡ ଓ ଜୋରିମାନାର ସୁପାରିଶ ଥିଲା । ପରିତାପର ବିଷୟ ଯେ କମିଟିର ସୁପାରିଶ ସଂକ୍ରାନ୍ତରେ ରାଜ୍ୟ ସରକାରଗୁଡିକଙ୍କ ମତାମତ ସଂଗ୍ରହ ପାଇଁ କେନ୍ଦ୍ର ସରକାର ତାହା ସେମାନଙ୍କ ନିକଟକୁ  ପ୍ରାୟ ୪ ବର୍ଷ ପରେ ପଠାଇଥିଲେ । ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇଟି ଆଇନ, ୨୦୦୦ର ଧାରା ୬୬ଏ ବାତିଲ ହେବା ପରେ ଲୋକସଭା ସେକ୍ରେଟେରୀ ଟି କେ ବିଶ୍ୱନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଦାନ କରିଥିବା ତାଙ୍କ ରିପୋର୍ଟରେ ଧର୍ମ, ବର୍ଣ୍ଣ, ଜାତି ବା ସମ୍ପ୍ରଦାୟ, ଲିଙ୍ଗ, ଲୈଙ୍ଗିକ ଅଭିବିନ୍ୟାସ, ଜନ୍ମ ସ୍ଥାନ, ବାସସ୍ଥାନ, ଭାଷା, ଅକ୍ଷମତା ବା ଜନଜାତି ଆଧାରରେ କୌଣସି ଅପରାଧକୁ ପିଙ୍ଗଳ କୋଡରେ ଧାରା ୧୫୩ସି (ବି) ଓ ଧାରା ୫୦୫ଏ ଯୋଗ କରି ଦମନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ୨ ବର୍ଷ ଜେଲ ଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନାର ବ୍ୟବସ୍ଥା ଥିଲା । ଇତିମଧ୍ୟରେ ଲ’ କମିଶନ ଘୃଣାପୂର୍ଣ୍ଣ ସମ୍ଭାଷଣ (ହେଟ ସ୍ପିଚ) ସଂକ୍ରାନ୍ତରେ ୨୦୧୭ରେ ତାଙ୍କର ୨୬୭ତମ ରିପୋର୍ଟ ଉପସ୍ଥାପନ କରି ସାରିଥିଲେ । ସେହି ରିପୋର୍ଟ ଓ ଉଭୟ କମିଟିଙ୍କ ସୁପାରିଶକୁ ଆଧାର କରି କେନ୍ଦ୍ର ସରକାର ଘୃଣାପୂର୍ଣ୍ଣ ସମ୍ଭାଷଣକୁ ରୋକିବା ପାଇଁ ଏକ ବିସ୍ତୃତ କଡା ଆଇନର ଚିଠା ପ୍ରସ୍ତୁତ କରିବା ପାଇଁ ଲ’ କମିଶନଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ ବି ତାହା ଏ ପର୍ଯ୍ୟନ୍ତ ବାସ୍ତବ ରୂପ ନେଇ ଏକ ପ୍ରଭାବୀ ଆଇନ ପ୍ରସ୍ତୁତ ହୋଇ ନ ପାରିବା ବାସ୍ତବିକ କ୍ଷୋଭର ବିଷୟ । ଇତିମଧ୍ୟରେ ମାର୍ଚ୍ଚ ୨୦୨୦ରେ ଫୌଜଦାରୀ ଆଇନରେ ଆବଶ୍ୟକ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ମାର୍ଚ୍ଚ ୨୦୨୨ରେ ତାଙ୍କ ରିପୋର୍ଟ ଦାଖଲ କରିସାରିଛନ୍ତି । ଆଶା କରାଯାଏ ଯେ ଘୃଣାପୂର୍ଣ୍ଣ ସମ୍ଭାଷଣ ଉପରେ ଲଗାମ ଲଗାଇବା ପାଇଁ ଦଣ୍ଡ ସଂହିତାରେ ‘ସମ୍ଭାଷଣ ଓ ଅଭିବ୍ୟକ୍ତି ସମ୍ପର୍କିତ ଅପରାଧ’ ନିମନ୍ତେ ଏକ ସ୍ୱତନ୍ତ୍ର ଧାରାର ପ୍ରଣୟନ ପାଇଁ ପ୍ରସ୍ତାବରେ ଉଲ୍ଲେଖ ଥିବ । ସୁପ୍ରିମକୋର୍ଟଙ୍କ ମତରେ କେନ୍ଦ୍ର ସରକାର ଘୃଣାପୂର୍ଣ୍ଣ ସମ୍ଭାଷଣକୁ ଛୋଟ କଥା କହି ଏଡାଇ ଯିବା ଉଚିତ ନୁହେଁ । ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଗୁରୁତ୍ୱ ଦେଇ ଏହି ସମସ୍ୟାର ଆଶୁ ସମାଧାନ ପାଇଁ ବିଭିନ୍ନ କମିଟିଙ୍କ ରିପୋର୍ଟକୁ ଆଧାର କରି ସରକାର ଏଥିପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର କଡା ଆଇନ ପ୍ରଣୟନ କରିବା ଉଚିତ । ସେ ପର୍ଯ୍ୟନ୍ତ ଆଙ୍କରମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ହୃଦୟଙ୍ଗମ କରି ଅନ୍ତତଃ ନିଜ ପରିଚାଳିତ କାର୍ଯ୍ୟକ୍ରମଗୁଡିକରେ ଘୃଣାପୂର୍ଣ୍ଣ ସମ୍ଭାଷଣକୁ ପ୍ରଶ୍ରୟ ଦେବାରୁ ବିରତ ରହିବା ଆବଶ୍ୟକ । 


Published in October 01-15, 2022 issue of Samadrushti

 

Comments

  1. An excellent analysis on current topic sir. Congratulations and have a great day sir 🙏🙏

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍