Skip to main content

କୋଇଲା ସଙ୍କଟ ବିଜୁଳି ଦର ବୃଦ୍ଧିର କାରଣ ହେବ ?

ଦେଶରେ ଥିବା କେନ୍ଦ୍ର-ନିୟନ୍ତ୍ରିତ ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ୧୧୫ଟି କେନ୍ଦ୍ର ‘ସଙ୍କଟପୂର୍ଣ୍ଣ ଓ ଅତି ସଙ୍କଟପୂର୍ଣ୍ଣ’ କୋଇଲା ଅଭାବର ସମ୍ମୁଖୀନ ହେବା ଓ ତନ୍ମଧ୍ୟରୁ ୭୦ଟି କେନ୍ଦ୍ରରେ ମାତ୍ର ୪ ଦିନ ଲାଗି କୋଇଲା ଗଚ୍ଛିତ ଥିବା ସରକାରୀ ଭାବେ ଜଣା ପଡିବା ପରେ ଦେଶରେ କୋଇଲା ଉତ୍ପାଦନ ଓ ଯୋଗାଣର ବ୍ୟବସ୍ଥିତ ପରିଚାଳନା ନେଇ ଶଙ୍କା ସୃଷ୍ଟି ହେଲା । ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ଉପରେ ପଡିବାକୁ ଲାଗିଲା । ଅନେକ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ଯଥେଷ୍ଟ କମ କ୍ଷମତାରେ ଚାଲିବା ସହ କେତେକ କେନ୍ଦ୍ରରେ କିଛି ୟୁନିଟରେ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଗଲା । ବିଦ୍ୟୁତ ଯୋଗାଣର ଆସନ୍ନ ସଙ୍କଟ ସମ୍ପର୍କରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ବିହାର ଓ ତାମିଲନାଡୁ ଭଳି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଥିବା ବେଳେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ସଙ୍କଟର ଗମ୍ଭୀରତା ଜାଣି ହେଉଛି । ଦେଶରେ ଦୁଇ ତୃତୀୟାଂଶ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହେଉଥିବାରୁ ଏ କ୍ଷେତ୍ରରେ ସଙ୍କଟ ଲାଗି ରହିଲେ ତାହା ବିଦ୍ୟୁତ ଦରକୁ କିପରି ପ୍ରଭାବିତ କରିବ, ତାହା ବୁଝିବାର ଆବଶ୍ୟକତା ରହିଛି ।    

ଦେଶରେ କୋଇଲା ଉତ୍ପାଦନର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୨୦୧୯-୨୦ରେ  ୭୩.୦୯ କୋଟି ଟନ ଉତ୍ପାଦନ ହୋଇଥିବା ବେଳେ ୨୦୨୦-୨୧ରେ ତାହା ସାମାନ୍ୟ ହ୍ରାସ ପାଇ ୭୧.୬୦ କୋଟି ଟନ ହୋଇଥିଲା । ଏଥି ମଧ୍ୟରୁ କୋଲ ଇଣ୍ଡିଆ ଓ ତା’ର ସହଯୋଗୀ କମ୍ପାନୀଗୁଡିକ ଦ୍ୱାରା ୫୯.୬୨ କୋଟି ଟନ ବା ପ୍ରାୟ ୮୩ ପ୍ରତିଶତ ଉତ୍ପାଦନ ହୋଇଥିଲା ଓ ଦକ୍ଷିଣ ଭାରତରେ କୋଇଲା ଯୋଗାଉଥିବା ସିଙ୍ଗାରେନୀ କୋଲିଏରିଜ ଦ୍ୱାରା ୫.୦୬ କୋଟି ଟନ ଉତ୍ପାଦିତ ହୋଇଥିଲା । ଟିସ୍କୋ, ଇସ୍କୋ, ଡିଭିସି ପରି ନିଜସ୍ୱ ଖଣି ଥିବା କମ୍ପାନୀ ଓ ଅନ୍ୟମାନଙ୍କ ଦ୍ୱାରା ମାତ୍ର ୬.୯୩ କୋଟି ଟନ  କୋଇଲା ଉତ୍ପାଦିତ ହୋଇଥିବା ଜଣା ପଡେ । ତେବେ ୨୦୨୧-୨୨ରେ କୋଇଲା ଉତ୍ପାଦନକୁ ୮୪.୮୦ କୋଟି ଟନରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇ ପ୍ରଥମ ଛଅ ମାସରେ ୩୧.୫୭ କୋଟି ଟନ ବା ପ୍ରାୟ ୩୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି । ସାଧାରଣତଃ ଅପ୍ରେଲରୁ ସେପ୍ଟେମ୍ୱର ମଧ୍ୟରେ ୪୦ ପ୍ରତିଶତ କୋଇଲା ଉତ୍ପାଦିତ ହେଉଥିବା ବେଳେ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୬୦ ପ୍ରତିଶତ ଉତ୍ପାଦିତ ହୋଇଥାଏ । ଏ ଥର ସେପ୍ଟେମ୍ୱର ପର୍ଯ୍ୟନ୍ତ ଅନେକ କୋଇଲା ଖଣି ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିବାରୁ ଜଳମଗ୍ନ ଖଣିରୁ ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ବୋଲି କୁହାଯାଉଛି । ତେବେ ପୂର୍ବ ବର୍ଷ ପ୍ରଥମ ଛଅ ମାସରେ କୋଇଲା ଉତ୍ପାଦନ 2୮.2୩ କୋଟି ଟନ ହୋଇଥିବାରୁ ଲଗାତାର ବର୍ଷା ଯୋଗୁ ଏ ବର୍ଷ ଯେ ଉତ୍ପାଦନ ସେପରି ପ୍ରଭାବିତ ହୋଇନାହିଁ, ତାହା ବୁଝା ପଡେ । ସେହିପରି ଏ ବର୍ଷ କୋଇଲା ପରିବହନ ମଧ୍ୟ ୩୭.୭୮ କୋଟି ଟନ ହୋଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ମାତ୍ର ୩୦.୩ କୋଟି ଟନ ଥିଲା । ତେଣୁ କୋଇଲା ସଙ୍କଟର ପ୍ରକୃତ କାରଣ କିଛି ଭିନ୍ନ । 

ଗଚ୍ଛିତ କୋଇଲା ପରିମାଣ ଦୃଷ୍ଟିରୁ ଭାରତ ବିଶ୍ୱର ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ଏହା ଚୀନ ପଛକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ କୋଇଲା ଆମଦାନିକାରୀ ଦେଶ ଅଟେ । ଭାରତ ଆମଦାନି କରୁଥିବା କୋଇଲାର ପ୍ରାୟ ୮୯ ପ୍ରତିଶତ ଇଣ୍ଡୋନେସିଆ (୪୩), ଅଷ୍ଟ୍ରେଲିଆ (୨୬), ଦକ୍ଷିଣ ଆଫ୍ରିକା (୧୪) ଓ ଆମେରିକା (୬) ପରି ଚାରିଟି ଦେଶରୁ ଆସିଥାଏ । ବିଦେଶରେ କୋଇଲାର ଦର ଅପେକ୍ଷାକୃତ ଶସ୍ତା ଥିଲା ବେଳେ ଅନେକ ଘରୋଇ କମ୍ପାନୀ ବିଦେଶରୁ କୋଇଲା ଆମଦାନି କରିବାକୁ ବେଶୀ ପସନ୍ଦ କରୁଥିଲେ ଓ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ର ବିଦେଶୀ କୋଇଲା ଉପରେ ନିର୍ଭର କରି ଚାଲୁଥିଲା । ବିଦେଶରେ ଅଗଷ୍ଟ ୨୦୨୦ରେ କୋଇଲାର ଦର ଟନ ପିଛା ୫୦ ଡଲାର ଥିବା ବେଳେ ଏବେ ତାହା ଚାରିଗୁଣ ବଢି ୨୦୦ ଡଲାର ହୋଇ ସାରିଲାଣି । କୋଭିଡ ପରବର୍ତ୍ତୀ ସମୟରେ ଚୀନ, ୟୁରୋପ ଓ ଅନ୍ୟାନ୍ୟ ଦେଶମାନଙ୍କରେ ବିଦ୍ୟୁତ ଚାହିଦାରେ ହଠାତ୍ ବୃଦ୍ଧି ପାଇବା ବିଦେଶରେ କୋଇଲାର ଦର ବୃଦ୍ଧିର ଅନ୍ୟତମ କାରଣ । ଏଥି ସହ ଜାହାଜରେ କୋଇଲା ପରିବହନ ଖର୍ଚ୍ଚ ମଧ୍ୟ ବେଶ ବୃଦ୍ଧି ପାଇଲା । ତେଣୁ ଅତ୍ୟଧିକ ଦରରେ ବିଦେଶରୁ କୋଇଲା ଆମଦାନି କରି ଉତ୍ପାଦିତ ବିଦ୍ୟୁତକୁ କମ ଦରରେ ଯୋଗାଇଲେ କ୍ଷତି ସୁନିଶ୍ଚିତ ହେବା ଜାଣି ଏହି ଧରଣର ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରି ଦେଲେଣି ନତୁବା ଉତ୍ପାଦନକୁ ଯଥେଷ୍ଟ କମ କରି ସାରିଲେଣି । ୨୦୧୯-୨୦ରେ ବିଦେଶରୁ ୨୪.୮୫ କୋଟି ଟନ କୋଇଲା ଆମଦାନି ହୋଇଥିବା ବେଳେ ୨୦୨୦-୨୧ରେ ତାହା ହ୍ରାସ ପାଇ ୨୧.୫୩ କୋଟି ଟନ ହୋଇଥିଲା । ତେବେ ଏ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପ୍ରଥମ ୬ ମାସରେ ତାହା ଯଥେଷ୍ଟ କମ ହୋଇ ୬.୨୪ କୋଟି ଟନରେ ପହଞ୍ଚିଛି । ଗତ ବର୍ଷ ଜୁଲାଇ ଓ ଅଗଷ୍ଟ ତୁଳନାରେ ଏ ବର୍ଷ ସେହି ସମୟରେ କୋଇଲା ଆମଦାନି ୪୫ ପ୍ରତିଶତ ହ୍ରାସ ପାଇଛି । କୋଇଲା ପାଇଁ ବିଦେଶରୁ ଆମଦାନି ନିର୍ଭରଶୀଳତା ହ୍ରାସ ପାଇବା ସ୍ୱାଗତଯୋଗ୍ୟ ହୋଇଥିଲେ ବି ଦେଶ ଭିତରେ ଉତ୍ପାଦନ ସେହି ଅନୁପାତରେ ବୃଦ୍ଧି ନ ପାଇ ଆମଦାନି ହ୍ରାସ ପାଇବା ନିଶ୍ଚିତ ଭାବେ ଉଦବେଗଜନକ । ଅଗଷ୍ଟ ଓ ସେପ୍ଟେମ୍ୱର ୨୦୧୯ ତୁଳନାରେ ଏ ବର୍ଷ ସେହି ସମୟରେ ବିଦ୍ୟୁତ ବ୍ୟବହାର ପ୍ରାୟ ୧୭ ପ୍ରତିଶତ ବଢିଯାଇଛି । ଏକ ପକ୍ଷରେ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଅବସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ବିଦ୍ୟୁତ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇବା ଓ ଅନ୍ୟ ପକ୍ଷରେ ବିଦ୍ୟୁତ ଚାହିଦା ଅଗଷ୍ଟ ୨୦୧୯ରେ ଥିବା ୧୦୬୦୦ କୋଟି ୟୁନିଟ ତୁଳନାରେ ଅଗଷ୍ଟ ୨୦୨୧ରେ ୧୨୪୦୦ କୋଟି ୟୁନିଟକୁ ବୃଦ୍ଧି ପାଇଥିବାରୁ ସେହି ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଲାଗି ଘରୋଇ କୋଇଲାରେ ବିଦ୍ୟୁତ ଉତ୍ପାଦନ କରୁଥିବା ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ଉପରେ ଅଧିକ ଚାପ ପଡିବା ସ୍ୱାଭାବିକ । ତେଣୁ ସେଗୁଡିକୁ ନିରବଚ୍ଛିନ୍ନ ଭାବେ ଅଧିକ ମାତ୍ରାରେ କୋଇଲା ଯୋଗାଇ ଦେବାକୁ ହେବ । ୨୦୧୯ରେ ଦେଶରେ କୋଇଲା ଆଧାରିତ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରୁ ୬୨ ପ୍ରତିଶତ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ତାହା ୨୦୨୧ରେ ୬୬ ପ୍ରତିଶତକୁ ବଢିଯିବାରୁ କୋଇଲାର ଚାହିଦା ବି ୨୦୧୯ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବଢିଯାଇଛି । ତା’ଛଡା ଇସ୍ପାତ, ସିମେଣ୍ଟ, ଆଲୁମିନିଅମ ଆଦି କାରଖାନାଗୁଡିକରେ ମଧ୍ୟ କୋଇଲା ବହୁ ପରିମାଣରେ ଆବଶ୍ୟକ ହୋଇଥାଏ । କୋଇଲା ଉତ୍ପାଦନ ବଢିଥିଲେ ବି ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ତାରତମ୍ୟ ହିଁ ବର୍ତ୍ତମାନ ସଙ୍କଟର ମୁଖ୍ୟ କାରଣ । ଏତିକିବେଳେ ସବୁ ଧ୍ୟାନ କୋଲ ଇଣ୍ଡିଆର ପ୍ରଦର୍ଶନ ଉପରେ ନିବଦ୍ଧ ହେଉଥିଲେ ବି ୨୦୨୦ରେ ହୋଇଥିବା କୋଇଲା କ୍ଷେତ୍ରରେ ସଂସ୍କାର କାର୍ଯ୍ୟକ୍ରମ ପରେ ଯେଉଁ ସବୁ ଘରୋଇ କମ୍ପାନୀକୁ କୋଇଲା ଖଣି ଆବଣ୍ଟିତ ହୋଇଛି, ଏହି ସଙ୍କଟ ସମୟରେ ସେମାନଙ୍କ ଉତ୍ପାଦନ ବୃଦ୍ଧି ପାଇଁ ଭୂମିକା କ’ଣ ତା’ ଉପରେ ବି ଦୃଷ୍ଟି ନିବଦ୍ଧ ରହିବା ଆବଶ୍ୟକ । 

ସାରା ବିଶ୍ୱ ଏବେ ଶକ୍ତି ସଙ୍କଟ ଭିତର ଦେଇ ଗତି କରୁଛି ଓ ତା’ର ତରଙ୍ଗ ପ୍ରଭାବ ଭାରତରେ ଅନୁଭୂତ ହେବା କିଛି ବିଚିତ୍ର ନୁହେଁ । ତେବେ ଭାରତରେ ବିପୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ସରକାରୀ ସ୍ତରରେ ସମ୍ଭାବ୍ୟ ସ୍ଥିତିର ପୂର୍ବାନୁମାନ ଓ ଆକଳନ ପୂର୍ବକ ପୂର୍ବ ପ୍ରସ୍ତୁତି କରାଯାଇ ପାରିଥିଲେ ସ୍ଥିତି ସଙ୍କଟ ଆଡକୁ ମୁହାଁଇ ନ ଥାଆନ୍ତା । କୋଭିଡ ପରବର୍ତ୍ତୀ କାଳରେ ଅର୍ଥନୈତିକ ଗତିବିଧି ଗତିଶୀଳ ହେବାକୁ ଆରମ୍ଭ କଲେ ଶକ୍ତିର ଆବଶ୍ୟକତା ବୃଦ୍ଧି ପାଇ କୋଇଲାର ଆନ୍ତର୍ଜାତିକ ମୂଲ୍ୟ ବୃଦ୍ଧି ପାଇବ ବୋଲି ପୂର୍ବରୁ ଜଣାଥିଲା । ଖଣି ଅଞ୍ଚଳ ଜଳମଗ୍ନ ହୋଇ ମାଇନିଂ କାର୍ଯ୍ୟ ଓ ପରିବହନ କିଛି ଦିନ ଲାଗି ବାଧାପ୍ରାପ୍ତ ହେବା ବି କିଛି ନୂଆ କଥା ନୁହେଁ । ସେଭଳି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତିର ଅଭାବ ହିଁ ସଙ୍କଟକୁ ଅଧିକ ଗମ୍ଭୀର କରିଥିଲା ପରି ମନେହୁଏ । ଖଣି ସଂଲଗ୍ନ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ କ୍ଷେତ୍ରରେ କୋଇଲା ଉପଲବ୍ଧତାରେ ବିଳମ୍ୱ ହେବାର ଆଶଙ୍କା ନ ଥାଏ । ତେବେ ଅନେକ କ୍ଷେତ୍ରରେ ୧୦୦୦ରୁ ୧୫୦୦ କିଲୋମିଟର ଦୂରରୁ କୋଇଲା ବୋହି ଆଣିବାକୁ ପଡୁଥିବାରୁ ବିଦ୍ୟୁତ କେନ୍ଦ୍ରଗୁଡିକରେ ଅନ୍ତତଃ ୧୪ ଦିନର କୋଇଲା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ କିଛି ତାପଜ ବିଦ୍ୟୁତ କେନ୍ଦ୍ର ଅପ୍ରେଲରୁ ଜୁନ ମାସ ମଧ୍ୟରେ ଆବଶ୍ୟକ ପରିମାଣର କୋଇଲା ଗଚ୍ଛିତ ନ ରଖିବା ଓ କିଛି କେନ୍ଦ୍ରରେ ତାହା କମ ହୋଇ ୪ ଦିନ ସ୍ତର ପର୍ଯ୍ୟନ୍ତ ଖସି ଆସିବା ନିରୀକ୍ଷଣ ବ୍ୟବସ୍ଥାର ବିଫଳତାକୁ ସୂଚାଇବା ସହ ଶକ୍ତି, କୋଇଲା ଓ ରେଳ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟର ଅଭାବକୁ ହିଁ ଦର୍ଶାଉଛି । ବର୍ତ୍ତମାନର ସଙ୍କଟ ଅନେକଟା ପରିଚାଳନାଗତ ବିଫଳତାରୁ ହୋଇଥିବାରୁ ତାକୁ ସୁଧାରି ନେଲେ  ଏହାର ପ୍ରଭାବ ସାମୟିକ ଭାବେ ଅନୁଭୂତ ହୋଇପାରେ । ହେଲେ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଅଧା କରିବାକୁ ଭାରତ ପ୍ରତିବଦ୍ଧ ହୋଇଥିବାରୁ ଆଗାମୀ ଦିନମାନଙ୍କରେ ବିଦ୍ୟୁତ ଦର ବୃଦ୍ଧି ସ୍ଥାୟୀ ହୋଇପାରେ ।  

ଦେଶରେ ବିଦ୍ୟୁତ ବିତରଣ ସରକାରୀ ନିୟନ୍ତ୍ରଣରେ ଥିବାରୁ ହଠାତ୍ ହୁଏତ ଉପଭୋକ୍ତାଙ୍କ ଉପରେ ତା’ର ବୋଝ ପଡି ନ ପାରେ । ତେବେ ଇତିମଧ୍ୟରେ ଘଟିଥିବା କିଛି ଘଟଣା ଓ ସରକାରୀ ନିଷ୍ପତ୍ତିରୁ ବିଦ୍ୟୁତ ଦର ବୃଦ୍ଧିର ଇଙ୍ଗିତ ମିଳୁଛି । ଇକ୍ରା ରେଟିଂ ସଂସ୍ଥାର ଆକଳନ ଅନୁସାରେ ବିଦେଶରୁ କୋଇଲା ଆମଦାନି କରି ବିଦ୍ୟୁତ ଉତ୍ପାଦନ କରୁଥିବା କେନ୍ଦ୍ରଗୁଡିକର ଉତ୍ପାଦନ ଖର୍ଚ୍ଚ ଅପ୍ରେଲ ପରଠାରୁ ପ୍ରାୟ ୪୫-୫୦ ପ୍ରତିଶତ ବଢି ସାରିଛି । ଅକ୍ଟୋବର ୧୪, ୨୦୨୧ରେ ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜରେ ବିଦ୍ୟୁତର ୟୁନିଟ ପିଛା ସ୍ପଟ ଏକ୍ସଚେଞ୍ଜ ଦର ୧୩.୮୭ ଟଙ୍କା ଥିଲା । ଅର୍ଥାତ୍ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇଥିବା କିଛି ରାଜ୍ୟ ଏହି ଦରରେ ବିଦ୍ୟୁତ କିଣି ନିଜ ଉପଭୋକ୍ତାମାନଙ୍କୁ ଯୋଗାଇବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ଇତିମଧ୍ୟରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି । ତେବେ ବିଦ୍ୟୁତ ଉତ୍ପାଦନ ନ ବଢିଲେ ଓ ଉତ୍ପାଦନ ଖର୍ଚ୍ଚ କମ ନ ହେଲେ ବିଦ୍ୟୁତ ଦର କମ ହେବା ସମ୍ଭାବନା କ୍ଷୀଣ । ଘରୋଇ କୋଇଲା ଗୁଣାତ୍ମକ ଦୃଷ୍ଟିରୁ ଅପେକ୍ଷାକୃତ ନିମ୍ନମାନର ହୋଇଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକୁ ତୁରନ୍ତ ବିଦେଶରୁ କୋଇଲା ଆମଦାନି କରି ଘରୋଇ କୋଇଲା ସହ ମିଶାଇ ବିଦ୍ୟୁତ ଉତ୍ପାଦନ ବଢାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ବିଦେଶରୁ ଅଧିକ ଦରରେ କୋଇଲା କିଣା ହୋଇ ବିଦ୍ୟୁତ ଉତ୍ପାଦନ କରାଗଲେ ତା’ ପ୍ରଭାବରେ ବିଦ୍ୟୁତ ଦର ଯେ ନିଶ୍ଚିତ ରୂପେ ବଢିବ ଏଥିରେ ସନ୍ଦେହ ନାହିଁ । ପ୍ରାକୃତିକ ଗ୍ୟାସର ଦର ପ୍ରାୟ ଦୁଇ ଗୁଣ ବଢି ସାରିଥିବାରୁ ତାକୁ ବ୍ୟବହାର କରି ହେଉଥିବା ବିଦ୍ୟୁତ ଉତ୍ପାଦନ ଆଉ ଏକ ବ୍ୟବହାର୍ଯ୍ୟ ବିକଳ୍ପ ହୋଇ ରହିନାହିଁ । ବିଭିନ୍ନ କାରଣରୁ ଏ ଯାଏଁ ଅକ୍ଷୟ ଶକ୍ତିର ଉପଯୋଗରେ ବିଦ୍ୟୁତ ଉତ୍ପାଦନ ଉଲ୍ଲେଖନୀୟ ସଫଳତା ହାସଲ କରି ପାରିନାହିଁ । ସାରା ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟ ଆସନ୍ତା ଛଅ ମାସ ଭିତରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ଆଶା କ୍ଷୀଣ । ତେଣୁ ଏହି ପରିସ୍ଥିତିରେ ଦେଶର ଶକ୍ତି ଆବଶ୍ୟକତାକୁ ପରିପୂରଣ କରିବା ସହିତ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖି କିପରି ସେମାନଙ୍କୁ ବିଜୁଳି ଦର ବୃଦ୍ଧିର ପ୍ରଭାବରୁ ରକ୍ଷା କରି ହେବ, ତାହା ସୁନିଶ୍ଚିତ କରିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହେବ । ୟୁନିଟ ପିଛା ୩୦ ପଇସା ଦର ବୃଦ୍ଧିକୁ ବହନ କରି ପାରୁ ନ ଥିବା ଖାଉଟିକୁ ସ୍ପଟ ଏକ୍ସଚେଞ୍ଜର ୟୁନିଟ ପିଛା ୧୩ ଟଙ୍କା ଦରରେ ବିଦ୍ୟୁତ ଉପଲବ୍ଧ କରାଗଲେ ସେ ହୁଏତ ପ୍ରସ୍ତର ଯୁଗକୁ ଫେରିଯିବାକୁ ଅଧିକ ପସନ୍ଦ କରିପାରେ । କାରଣ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦର ବୃଦ୍ଧିରେ ଅଣ୍ଟା ଭାଙ୍ଗି ପଡିଥିବା ସାଧାରଣ ଜନତା ଆଉ ବିଜୁଳି ଦର ବୃଦ୍ଧିର ବୋଝକୁ ବହନ କରିବା ଅବସ୍ଥାରେ ନାହାନ୍ତି ।


(Published in Sambad on October 19, 2021)


Comments

Post a Comment

Archive

Show more