Skip to main content

ଅକ୍ସିଜେନ ସଙ୍କଟ ଏକ ଜାତୀୟ ବିପତ୍ତି

ହୁଏତ ଆଉ ପଚାଶ ବର୍ଷ ପରେ ଆଗାମୀ ପିଢି ବିଶ୍ୱାସ କରି ନ ପାରେ ଯେ ଏଇ କାଳଖଣ୍ଡର ଭାରତରେ କିଛି ଲୋକ ହସପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ ସେମାନଙ୍କ ଆଖି ଆଗରେ ପ୍ରିୟଜନଙ୍କୁ ଶହ ଶହ ସଂଖ୍ୟାରେ ଛଟପଟ ହେଉଥିବାର ଓ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଣ ହରାଉଥିବାର ଦେଖୁଥିଲେ ବି ସେମାନଙ୍କ ପ୍ରାଣରକ୍ଷା ଲାଗି କିଛି ହେଲେ କରି ପାରି ନ ଥିଲେ । ଦୂରଦୃଷ୍ଟି, ଯୋଜନା ଓ ପ୍ରସ୍ତୁତି ଅଭାବରୁ ମନୁଷ୍ୟକୃତ ଏହି ସଙ୍କଟ କିପରି ଲୋକଙ୍କୁ ଅସହାୟ କରି ପକାଇଲା ଓ ଦେଶରେ ଏକ ବଡ ଧରଣର ଅକ୍ସିଜେନ ସଙ୍କଟ ସୃଷ୍ଟି ହେଲା ତାହାର ସ୍ମରଣ ହିଁ ମଣିଷକୁ ଆତଙ୍କିତ କରିବା ପାଇଁ ଯଥେଷ୍ଟ । ଏହି ସଙ୍କଟର କାରଣଗୁଡିକୁ ଅନୁଶୀଳନ କରି ସେଥିରୁ ଶିକ୍ଷା ଗ୍ରହଣ କରି ତାକୁ କାର୍ଯ୍ୟରେ ଲଗାଇ ପାରିଲେ ହୁଏତ ସେଭଳି ଭୁଲକୁ ଆଉ ଦୋହରାଇବାକୁ ପଡି ନ ପାରେ ।

୨୦୨୧ ମସିହା ମାର୍ଚ୍ଚ ମାସରେ ଅଳ୍ପ କିଛି ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଏପ୍ରିଲ ୩୦ ତାରିଖ ସୁଦ୍ଧା ସାରା ଦେଶରେ କାୟାବିସ୍ତାର କରି ଦୈନିକ ସଂକ୍ରମଣ ପ୍ରାୟ ୪ ଲକ୍ଷ ଓ ମୃତ୍ୟୁ ହାରାହାରି ତିନି ହଜାରରୁ ଅଧିକ ହୋଇ ସାରିଥିଲା । ରୋଗୀସଂଖ୍ୟା ଦ୍ରୁତ ବଢିବା ଯୋଗୁ ହସପିଟାଲରେ ବେଡ ସମସ୍ୟା, ଅକ୍ସିଜେନ, ଭେଣ୍ଟିଲେଟରର ଉପଲବ୍ଧତାରେ ଉତ୍କଟ ସମସ୍ୟା ଦେଖା ଦେଇ ସ୍ଥିତି ଗମ୍ଭୀର ହେବାକୁ ଲାଗିଲା । ତେବେ ହସପିଟାଲଗୁଡିକରେ ଅକ୍ସିଜେନର ଅଭାବ ଏତେ ଅଧିକ ହେଲା ଯେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଡାକ୍ତରମାନେ ମଧ୍ୟ ଚାପଗ୍ରସ୍ତ ହେଲେ । ଅକ୍ସିଜେନର ଉପଲବ୍ଧତା କେଉଁଠି ମାତ୍ର ଦୁଇ ଘଣ୍ଟା ପାଇଁ ତ କେଉଁଠି ଚାରି ଘଣ୍ଟା ପାଇଁ ଥିବା ଦର୍ଶାଇ ତାହାର ଯୋଗାଣକୁ ତ୍ୱରାନ୍ୱିତ କରିବା ଲାଗି ହସପିଟାଲଗୁଡିକ ଏସଓଏସ ମାଧ୍ୟମରେ କାକୁତିମିନତି ହେଉଥିବାର ଖବରମାନ ସାଧାରଣ ପାଲଟିଗଲା । ନିଜ ପ୍ରିୟଜନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଲୋକମାନେ ଅକ୍ସିଜେନ ସିଲିଣ୍ଡର ଧରି ଲମ୍ୱା ଲାଇନରେ ଠିଆ ହେବାର ଦୃଶ୍ୟ ବି କ୍ରମଶଃ ଦେହସୁହା ହୋଇଗଲା । ଦିଲ୍ଲୀ ସରକାର ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କରକୁ ବାଟରେ ହରିଆଣା ଓ ଅନ୍ୟ ରାଜ୍ୟରେ ଜୋର ଜବରଦସ୍ତ ଅପହରଣ କରି ନିଆ ଯାଉଥିବାର ଅଭିଯୋଗ କଲା ପରେ ଏପରି କରୁଥିବା ଲୋକଙ୍କୁ ଫାଶି ଦଣ୍ଡାଦେଶ ହେବ ବୋଲି ଦିଲ୍ଲୀ ହାଇକୋର୍ଟ ସତର୍କ କରିବାକୁ ବାଧ୍ୟ ହୋଇଥିଲେ । ଅକ୍ସିଜେନ ଅଭାବରେ ଦିଲ୍ଲୀର ଗୋଲଡନ ଜୟପୁର ହସପିଟାଲ ଓ ବାତ୍ରା ହସପିଟାଲର ସଂଖ୍ୟାଧିକ ରୋଗୀଙ୍କ ପ୍ରାଣହାନି, ନାସିକଠାରେ ଅକ୍ସିଜେନ ଟ୍ୟାଙ୍କର ଲିକ ଯୋଗୁ ଜାକିର ହୁସେନ ହସପିଟାଲର ୨୪ ଜଣ କୋଭିଡ ରୋଗୀଙ୍କ ଜୀବନ ହାନିର ଦୃଶ୍ୟ ବାସ୍ତବିକ ହୃଦୟବିଦାରକ । ଅକ୍ସିଜେନର ଢୋକଟିଏ ପାଇଁ ଆଉଟୁପାଉଟୁ ହେଉଥିବା ପୁଅକୁ ଆଖି ଆଗରେ ଛଟପଟ ହେଉଥିବା ଦେଖି ତା ଜୀବନ ରକ୍ଷା କରି ପାରି ନ ଥିବା ମାଆଟିଏର ଅସହାୟତାର ଦୃଶ୍ୟ ହେଉ କି ନିଜେ ନିଶ୍ଚିତ ଭାବେ ସଂକ୍ରମିତ ହେବ ବୋଲି ଜାଣି ସୁଦ୍ଧା ଅକ୍ସିଜେନ ଅଭାବରେ ସ୍ୱାମୀକୁ ପାଟି ବାଟେ ଅକ୍ସିଜେନର ଢୋକଟିଏ ଦେବା ପାଇଁ ସ୍ତ୍ରୀ ନିଜ ମୁହଁକୁ ସଂକ୍ରମିତ ସ୍ୱାମୀର ମୁହଁରେ ଲଗାଇ ପ୍ରାଣପଣେ ଫୁଙ୍କିବାର ଅସଫଳ ପ୍ରୟାସର ଦୃଶ୍ୟ ହେଉ, ଏ ଭଳି ଶହ ଶହ ଶୋକାକୁଳ ଦୃଶ୍ୟ ଲୋକଙ୍କ ହୃଦୟ ତନ୍ତ୍ରୀକୁ ଆନ୍ଦୋଳିତ କରି ପକାଇଛି । ଅକ୍ସିଜେନର ଏହି ସଙ୍କଟକୁ ସୁପ୍ରିମକୋର୍ଟ ଏକ ଜାତୀୟ ବିପତ୍ତି ବୋଲି ଅଭିହିତ କରି ସାରିଲେଣି । ତେବେ ହଠାତ୍ ଏମିତି କ’ଣ ହେଲା ଯେ ଦେଶରେ ଅକ୍ସିଜେନର ଉତ୍କଟ ଅଭାବ ଦେଖା ଦେଇ ଏକ ଅଭୂତପୂର୍ବ ସଙ୍କଟ ସୃଷ୍ଟି ହେଲା ଓ ଏଥିପାଇଁ ଚାରିଆଡେ ହାହାକାର ଖେଳିଗଲା ?     

ଭାରତରେ ଦେଖା ଦେଇଥିବା ଅକ୍ସିଜେନ ସଙ୍କଟର ମୁଖ୍ୟ କାରଣ ହେଉଛି ଏହାର କମ ଉତ୍ପାଦନ, ପରିବହନ ପାଇଁ ଆବଶ୍ୟକ ସଂଖ୍ୟକ ଟ୍ୟାଙ୍କରର ଅଭାବ ତଥା କମ ଭଣ୍ଡାରଣ କ୍ଷମତା । ଦେଶର ‘ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା’ରେ ଅକ୍ସିଜେନ ଏକ ଅତ୍ୟାବଶ୍ୟକ ଔଷଧ ଭାବେ ତାଲିକାଭୁକ୍ତ । କୋଭିଡର ଉପଚାରରେ ଅକ୍ସିଜେନ ଥେରାପିର ଗୁରୁତ୍ୱ ଯଥେଷ୍ଟ ଅଧିକ । ତେଣୁ କୋଭିଡ ସଂକ୍ରମଣର ଆରମ୍ଭରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଭାରତ ସମେତ ବିଭିନ୍ନ ଦେଶକୁ ମେଡିକାଲ ଅକ୍ସିଜେନ ଯୋଗାଣର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସଚେତ କରି ଦିଆ ଯାଇଥିଲା । ତଦନୁସାରେ ଦେଶରେ ମେଡିକାଲ ଅକ୍ସିଜେନର ଅଭାବକୁ ଉପଲବ୍ଧି କରି ଏପ୍ରିଲ ୬, ୨୦୨୦ରେ ଗୃହ ମନ୍ତ୍ରାଳୟ ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ହସପିଟାଲଗୁଡିକର ଆବଶ୍ୟକତାକୁ ମେଣ୍ଟାଇବା ଲାଗି ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ ମହଜୁଦ କରି ରଖିବାକୁ ଜଣାଇ ଦିଆଯାଇଥିଲା । ସେହିପରି ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଗ୍ୟାସେସ ମ୍ୟାନୁଫେକଚରର୍ସ ଆସୋସିଏସନଙ୍କ ଆବେଦନକୁ ଆଧାର କରି ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆଙ୍କ ଦ୍ୱାରା ଏପ୍ରିଲ ୭, ୨୦୨୦ରେ ଏକ ସର୍କୁଲାର ଜାରି ହୋଇଥିଲା, ଯେଉଁଥିରେ ଔଦ୍ୟୋଗିକ ଅକ୍ସିଜେନ ଉତ୍ପାଦକମାନଙ୍କୁ ମେଡିକାଲ ଅକ୍ସିଜେନ ଉତ୍ପାଦନ କରିବାକୁ ଅନୁମତି ଦେବା ଲାଗି ରାଜ୍ୟମାନଙ୍କୁ ଜଣାଇ ଦିଆ ଯାଇଥିଲା । ଆସୋସିଏସନ ଅନୁସାରେ ସେତେବେଳେ ଦେଶରେ ଉତ୍ପାଦିତ ଅକ୍ସିଜେନ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ମେଡିକାଲ ଅକ୍ସିଜେନ ଉତ୍ପାଦିତ ହେଉଥିଲା । ଦେଶରେ ପ୍ରସ୍ତୁତ ହେଉଥିବା ମେଡିକାଲ ଅକ୍ସିଜେନର ପ୍ରାୟ ୬୦ ପ୍ରତିଶତ ଆଇନକ୍ସ ଏୟାର ପ୍ରଡକ୍ଟସ ନାମକ କମ୍ପାନୀ ଦ୍ୱାରା ହେଉଥିବା ବେଳେ ଲିଣ୍ଡେ ଓ ଗୋୟଲ ଏମଜି ଗ୍ୟାସେସ ଭଳି କମ୍ପାନୀଗୁଡିକ ମଧ୍ୟ ମେଡିକାଲ ଅକ୍ସିଜେନ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଆନ୍ତି । ମେଡିକାଲ ଅକ୍ସିଜେନର ଉତ୍ପାଦନ ବୃଦ୍ଧି ଉପରେ ଏହି ସର୍କୁଲାରର କି ପ୍ରଭାବ ପଡିଲା ତାହା ଆଉ ଉଚିତ ଢଙ୍ଗରେ ତର୍ଜମା ହେଲାନାହିଁ । ଔଦ୍ୟୋଗିକ ଅକ୍ସିଜେନ ଓ ମେଡିକାଲ ଅକ୍ସିଜେନ ମଧ୍ୟରେ ଏକ ବଡ ପ୍ରଭେଦ ହେଉଛି ମଣିଷ ଶରୀରରେ ପ୍ରୟୋଗ ହେଉଥିବାରୁ ମେଡିକାଲ ଅକ୍ସିଜେନର ବିଶୁଦ୍ଧତା ୯୦ ପ୍ରତିଶତରୁ ଅଧିକ ହୋଇଥାଏ । ଅଧିକନ୍ତୁ, ପ୍ରଦୂଷିତ ହେବାର ଆଶଙ୍କା ଥିବାରୁ ଅନ୍ୟ ଗ୍ୟାସ ପରିବହନ ହେଉଥିବା ସିଲିଣ୍ଡରରେ ମେଡିକାଲ ଅକ୍ସିଜେନ ପରିବହନ କରା ଯାଇ ନ ଥାଏ ।

ଏପ୍ରିଲ ୨୧, ୨୦୨୧ରେ ଅକ୍ସିଜେନ ଅଭାବ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅକ୍ସିଜେନକୁ ବନ୍ଦ କରି ତାହା ହସପିଟାଲଗୁଡିକୁ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ତଦନୁସାରେ କେନ୍ଦ୍ର ସରକାର ଏପ୍ରିଲ ୨୨ରୁ ଶିଳ୍ପଗୁଡିକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବାକୁ ଅକ୍ସିଜେନ ପ୍ଲାଣ୍ଟଗୁଡିକୁ ଆଦେଶ ଦେଲେ । ଏଥି ସହ ମେଡିକାଲ ଅକ୍ସିଜେନର ଅବାଧ ଆନ୍ତ-ରାଜ୍ୟ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚାଇ ଦିଆଗଲା । ଅକ୍ସିଜେନ ସଙ୍କଟର ମୁକାବିଲା କରିବା ପାଇଁ ଇସ୍ପାତ କାରଖାନାଗୁଡିକରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡିକରୁ ମେଡିକାଲ ଅକ୍ସିଜେନ ଉତ୍ପାଦନ ଉପରେ  ଗୁରୁତ୍ୱ ଦିଆଗଲା । ସମନ୍ୱିତ ଇସ୍ପାତ କାରଖାନାଗୁଡିକରେ ଇସ୍ପାତ ଉତ୍ପାଦନ ସହ ବ୍ଲାଷ୍ଟ ଫର୍ଣ୍ଣେସ, ଗ୍ୟାସ କଟିଂ, ଲାନ୍ସିଂ ଆଦି ଆବଶ୍ୟକତାକୁ ପୂରଣ କରିବା ଲାଗି ବହୁଳ ପରିମାଣରେ ଅମ୍ଳଜାନର ଆବଶ୍ୟକତା ପଡୁଥିବାରୁ ସେମାନଙ୍କ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ଥାଏ । ଇସ୍ପାତ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ଇସ୍ପାତ କ୍ଷେତ୍ରରେ ଥିବା ୩୩ଟି ଅକ୍ସିଜେନ ପ୍ଲାଣ୍ଟ ଦୈନିକ ମୋଟ ୨୮୩୪ ମ୍ୟାଟ୍ରିକ ଟନ ତରଳ ଅକ୍ସିଜେନ ଉତ୍ପାଦନ କରିଥାଆନ୍ତି । ତେବେ ଇସ୍ପାତ କାରଖାନା ସଂଲଗ୍ନ ଏହି ପ୍ଲାଣ୍ଟଗୁଡିକ ମୁଖ୍ୟତଃ ଭିଲାଇ, ବୋକାରୋ, ରାଉରକେଲା, ବର୍ଣ୍ଣପୁର, ଦୁର୍ଗାପୁର, ଜାମସେଦପୁର, ବିଶାଖାପାଟଣା ଭଳି ପୂର୍ବ ଓ ମଧ୍ୟ ଭାରତର ସ୍ଥାନଗୁଡିକରେ ଥିବାରୁ ସେଠାରୁ କୋଭିଡରେ ସର୍ବାଧିକ ଆକ୍ରାନ୍ତ ପଶ୍ଚିମ ଓ ଉତ୍ତର ଭାରତର ରାଜ୍ୟଗୁଡିକୁ ପରିବହନ କରି ନେବା ସବୁଠାରୁ ବଡ ଆହ୍ୱାନ ।

ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଅଧୀନରେ କୋଭିଡ ୧୯କୁ ମୁକାବିଲା କରିବା ପାଇଁ  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ୧୧ଟି ସ୍ୱୟଂଶାସିତ ଏମ୍ପାୱାର୍ଡ ଗ୍ରୁପ ପ୍ରାୟ ବର୍ଷେ ହେଲା କାମ କରୁଛନ୍ତି । ଏହା ସତ୍ତ୍ୱେ ଦେଶ ଉତ୍କଟ ଅକ୍ସିଜେନ ସଙ୍କଟର ସମ୍ମୁଖୀନ ହେବା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି । ନିକଟରେ ଏମ୍ପାୱାର୍ଡ ଗ୍ରୁପ (ଇଜି ୨)କୁ ଅକ୍ସିଜେନ କେଉଁଠାରେ ଉପଲବ୍ଧ ତାହା ଚିହ୍ନିତ କରିବା, ସେଗୁଡିକର ଉତ୍ପାଦନ କ୍ଷମତା ଓ ଅକ୍ସିଜେନର ଆମଦାନୀ ଓ ଅଧିକ ଚାପଗ୍ରସ୍ତ ରାଜ୍ୟଗୁଡିକୁ ଅକ୍ସିଜେନ ଯୋଗାଣ ସାମାନ୍ୟ କରିବା ପାଇଁ ଏକ ଖସଡା ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଗଲା । ତଦନୁଯାୟୀ ଇଜି ୨ ଦ୍ୱାରା ଏପ୍ରିଲ ୧୫ରେ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଦେଶରେ ଦୈନିକ ୩୮୪୨ ମ୍ୟାଟ୍ରିକ ଟନ ମେଡିକାଲ ଅକ୍ସିଜେନର ଆବଶ୍ୟକତା ଥିବା ବେଳେ ୭୧୨୭ ମ୍ୟାଟ୍ରିକ ଟନ ଉତ୍ପାଦିତ ହେଉଥିବାରୁ ଅକ୍ସିଜେନର ଅଭାବ ନେଇ ଆଶଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସୂଚାଇ ଦିଆଗଲା । ଅଧିକନ୍ତୁ, ଦେଶରେ ୫୦୦୦୦ ଟନ ମେଡିକାଲ ଅକ୍ସିଜେନ ଗଚ୍ଛିତ ଥିବାରୁ ଚିନ୍ତାର କାରଣ ନାହିଁ ବୋଲି କୁହା ଯାଇଥିଲା । ଏହା ସତ୍ତ୍ୱେ ଏତେ ଶୀ୍ଘ୍ର ଅକ୍ସିଜେନର ଅଭାବ ଏମିତି ଉତ୍କଟ ହୋଇ ଉଠିଲା କାହିଁକି ? ତାର ଏକ ବଡ କାରଣ ମେଡିକାଲ ଅକ୍ସିଜେନର ଉତ୍ପାଦନ ଓ ଉପଲବ୍ଧତା ମୁଖ୍ୟତଃ ଦେଶର ପୂର୍ବାଞ୍ଚଳରେ କେନ୍ଦ୍ରିତ ଥିବା ବେଳେ ତାତକାଳିକ ଆବଶ୍ୟକତା ଥିଲା ପଶ୍ଚିମ ଓ ଉତ୍ତରାଞ୍ଚଳର ରାଜ୍ୟଗୁଡିକରେ, ଆଉ ସେହି ଅମ୍ଳଜାନକୁ ସେଠାକୁ ବୋହି ନେବା ଲାଗି ଦେଶରେ ଆବଶ୍ୟକ ସଂଖ୍ୟକ କ୍ରାଇଓଜେନିକ ଟ୍ୟାଙ୍କରର ଥିଲା ଘୋର ଅଭାବ । ମେଡିକାଲ ଅକ୍ସିଜେନ ପାଇଁ ଦେଶରେ ସମୁଦାୟ ୧୧୭୧ଟି କ୍ରାଇଓଜେନିକ ଟ୍ୟାଙ୍କର ଥିବା ବେଳେ ଏଗୁଡିକର କ୍ଷମତା ୨ରୁ ୩୦ ମ୍ୟାଟ୍ରିକ ଟନ ମଧ୍ୟରେ, ଯାହା ବର୍ତ୍ତମାନର ସଙ୍କଟ ସମୟରେ ମୁକାବିଲା କରିବା ପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ । ତେଣୁ ଯବକ୍ଷାରଜାନ ଓ ଆର୍ଗନ ଗ୍ୟାସର ପରିବହନ ପାଇଁ ବ୍ୟବହୃତ ହେଉଥିବା ଅତିରିକ୍ତ ୮୦୦ଟି କ୍ରାଇଓଜେନିକ ଟ୍ୟାଙ୍କରକୁ ସାମୟିକ ଭାବେ ଅକ୍ସିଜେନ ପରିବହନ ପାଇଁ ବ୍ୟବହାର ଯୋଗ୍ୟ କରା ଯାଇ ପାରିଲେ ତାହା ସଙ୍କଟକୁ କିଛିଟା ଲାଘବ କରିବାରେ ସହାୟକ ହୁଅନ୍ତା । ସେହିପରି ସିଲିଣ୍ଡର ସଂଖ୍ୟା ମଧ୍ୟ ଯଥେଷ୍ଟ ନ ଥିବାରୁ ଖାଲି ସିଲିଣ୍ଡର ନ ପହଞ୍ଚିଲା ପର୍ଯ୍ୟନ୍ତ ରିଫିଲିଂ କରିବାରେ ଅସୁବିଧା ଦେଖା ଦେଲା । ଗତ ବର୍ଷକ ମଧ୍ୟରେ ମେଡିକାଲ ଅକ୍ସିଜେନର ଭଣ୍ଡାରଣ କ୍ଷମତାକୁ ବଢାଇବା ଲାଗି ଉଭୟ ହସପିଟାଲ ଓ ସରକାରମାନଙ୍କ ଦ୍ୱାରା ବିଶେଷ ଧ୍ୟାନ ଦିଆ ଯାଇ ନ ଥିବାରୁ ଏବେ ତାହା ମଧ୍ୟ ସଙ୍କଟକୁ ଆହୁରି ବଢାଇଲା ।      

ଭାରତରେ ଅଧିକାଂଶ ହସପିଟାଲରେ ରୋଗୀଙ୍କୁ ଅକ୍ସିଜେନ ଦେବା ଲାଗି ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ନାହିଁ । ଏହା ସ୍ଥାପନ କରିବା ବ୍ୟୟବହୁଳ ହୋଇଥିବା ଓ ଅକ୍ସିଜେନ ପ୍ଲାଣ୍ଟ ପାଇଁ ନିରନ୍ତର ବିଦ୍ୟୁତ ଶକ୍ତିର ଆବଶ୍ୟକତା ହେଉଥିବା କାରଣରୁ ହସପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ଆଗ୍ରହ ପ୍ରଦର୍ଶନ କରନ୍ତି ନାହିଁ । ସେମାନେ ମୁଖ୍ୟତଃ କ୍ରାଇଓଜେନିକ ଟ୍ୟାଙ୍କର ବା ସିଲିଣ୍ଡରରେ ଉପଲବ୍ଧ ତରଳ ଅକ୍ସିଜେନ ବା ଅକ୍ସିଜେନ ଗ୍ୟାସକୁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥାଆନ୍ତି । ପ୍ରେସର ସ୍ୱିଙ୍ଗ ଆଡସର୍ପସନ (ପିଏସଏ) ପଦ୍ଧତିର ଉପଯୋଗରେ ଅପେକ୍ଷାକୃତ କମ ବ୍ୟୟରେ ମଧ୍ୟ ମେକିକାଲ ଅକ୍ସିଜେନ ପ୍ରସ୍ତୁତ କରାଯାଉଥିବା ପିଏସଏ ପ୍ଲାଣ୍ଟ ହସପିଟାଲଗୁଡିକରେ ପ୍ରତିଷ୍ଠା କରିବା ସହଜ । ଏହି ପଦ୍ଧତିରେ ବାୟୁମଣ୍ଡଳରୁ ଉପଲବ୍ଧ ବାୟୁରୁ ଯବକ୍ଷାରଜାନକୁ ଅଲଗା କରି ଅବଶିଷ୍ଟ ଅକ୍ସିଜେନକୁ ଗ୍ୟାସ ଆକାରରେ ବ୍ୟବହାର ପାଇଁ ଯୋଗାଇ ଦିଆ ଯାଇଥାଏ । ଅକ୍ଟୋବର ୨୦୨୦ରେ ଦେଶର ବିଭିନ୍ନ ରାଜ୍ୟର ସରକାରୀ ହସପିଟାଲଗୁଡିକରେ ୨୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬୨ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଗଲା । ପରିତାପର ବିଷୟ, ଛଅ ମାସ ବିତି ଯାଇଥିଲେ ମଧ୍ୟ ଏପ୍ରିଲ ୧୮ ତାରିଖ ସୁଦ୍ଧା ସେଥିରୁ ମାତ୍ର ୩୩ଟି କାର୍ଯ୍ୟକ୍ଷମ ହୋଇ ପାରିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ୧୬୨ଟି ଯାକ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲେ କିଛି ହସପିଟାଲ ନିଜ ପରିସରରେ ଦୈନିକ ୧୫୪ ମ୍ୟାଟ୍ରିକ ଟନ ଅକ୍ସିଜେନ ପାଇ ପାରିଥାଆନ୍ତେ, ଯାହା ସଙ୍କଟକୁ କିଛିଟା ଲାଘବ କରି ପାରିଥାଆନ୍ତା । ପିଏସଏ ପ୍ଲାଣ୍ଟଗୁଡିକର ପ୍ରତିଷ୍ଠାରେ ବିଳମ୍ୱ ହେବାର ଅନ୍ୟତମ କାରଣ ହେଉଛି ରାଜ୍ୟ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରି ବାଧାଗୁଡିକ ଦୂର କରିବାରେ ଆନ୍ତରିକତାର ଅଭାବ ଓ ନିରୀକ୍ଷଣରେ ଘୋର ଅବହେଳା, ଯାହା ଅକ୍ଷମଣୀୟ ।         

ଦେଶର ବିଭିନ୍ନ ଡାକ୍ତରଖାନାରେ ହଠାତ ଅକ୍ସିଜେନର ଅଭାବ ଦେଖା ଦେଇଥିବାରୁ ଏପ୍ରିଲ ସୁଦ୍ଧା ଅକ୍ସିଜେନ କନସେଣ୍ଟ୍ରେଟରର ଆବଶ୍ୟକତା ବଢିଗଲା । ଅକ୍ସିଜେନ କନସେଣ୍ଟ୍ରେଟର ଏପରି ଏକ ଯନ୍ତ୍ର ଯାହାଦ୍ୱାରା ବାୟୁମଣ୍ଡଳରେ ଥିବା ୨୧ ପ୍ରତିଶତ ଅକ୍ସିଜେନକୁ ସଂଗ୍ରହ କରା ଯାଇଥାଏ । ଏହି ଯନ୍ତ୍ର ମାଧ୍ୟମରେ ସଂଗୃହୀତ ବାୟୁରୁ ଯବକ୍ଷାରଜାନ ଓ ଅନ୍ୟାନ୍ୟ ଗ୍ୟାସକୁ ଛାଣି ଅଲଗା କରି ଅକ୍ସିଜେନକୁ ସଙ୍କୁଚିତ କରି ରୋଗୀକୁ ଦିଆଯାଇଥାଏ, ଯାହା ଏକ ପ୍ରେସର ଭଲଭ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । କନସେଣ୍ଟ୍ରେଟର ମାଧ୍ୟମରେ ରୋଗୀକୁ ମିନିଟ ପିଛା ୫ ରୁ ୧୦ ଲିଟର ଯାଏଁ ଅକ୍ସିଜେନ ମିଳି ପାରିଥାଏ । ଏହି ଅକ୍ସିଜେନର ବିଶୁଦ୍ଧତା ୯୦ରୁ ୯୫ ପ୍ରତିଶତ ହୋଇଥିବାରୁ ଏହାକୁ କେବଳ ସାମାନ୍ୟ ବା ମଧ୍ୟମ ଭାବେ ଆକ୍ରାନ୍ତ ରୋଗୀମାନଙ୍କୁ ଦିଆ ଯାଇଥାଏ । ଅନ୍ୟ ପକ୍ଷରେ ଆଇସିୟୁରେ ଥିବା ଗମ୍ଭୀର ଭାବେ ଆକ୍ରାନ୍ତ ରୋଗୀଙ୍କୁ ଲିକୁଇଡ ମେଡିକାଲ ଅକ୍ସିଜେନ (ଏଲଏମଓ) ବା ସିଲିଣ୍ଡରରୁ ମେଡିକାଲ ଅକ୍ସିଜେନ ଦିଆ ଯାଇଥାଏ, ଯାହାର ବିଶୁଦ୍ଧତା ୯୯ ପ୍ରତିଶତ ଯାଏଁ ହୋଇଥାଏ । ଗୋଟିଏ ଗୋଟିଏ ଅକ୍ସିଜେନ କନସେଣ୍ଟ୍ରେଟରର ଦାମ ୪୦ରୁ ୯୦ ହଜାର ଟଙ୍କା ହୋଇଥିବା ବେଳେ ଏଥିପାଇଁ ବିଦ୍ୟୁତ ଶକ୍ତି ଭିନ୍ନ ଅନ୍ୟ କିଛି ଦରକାର ହୋଇ ନ ଥାଏ । ଅକ୍ସିଜେନ କନସେଣ୍ଟ୍ରେଟର ଉପରେ ଆମଦାନୀ ଶୁଳ୍କ ମାତ୍ର ୧୦ ପ୍ରତିଶତ ହୋଇଥିବାରୁ ଘରୋଇ କମ୍ପାନୀଗୁଡିକ ବିଦେଶୀ କମ୍ପାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅସମର୍ଥ ହୋଇ ଏହା ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉ ନଥିଲେ । ଆସୋସିଏସନ ଅଫ ଇଣ୍ଡିଆନ ମେଡିକାଲ ଡିଭାଇସେସ ଇଣ୍ଡଷ୍ଟ୍ରି ଅନୁସାରେ ଦେଶରେ ବିପିଏଲ ମେଡିକାଲ, ଏସଏସ ଟେକ୍ନୋମେଡ ଓ ଓସୋକର୍ପ ନାମକ ମାତ୍ର ତିନିଟି କମ୍ପାନୀ ଏହାର ଉତ୍ପାଦନ ପାଇଁ ପଞ୍ଜିକୃତ ହୋଇଥିଲେ ବି ସେମାନେ ଏହାର ଉତ୍ପାଦନ ପାଇଁ ସ୍ୱୟଂସମ୍ପୂର୍ଣ୍ଣ ନୁହନ୍ତି । ଅର୍ଥାତ୍, ବିଦେଶରୁ ହିଁ, ବିଶେଷ କରି ଚୀନରୁ ଏହାର ଆମଦାନୀ ହୋଇଥାଏ । କୋଭିଡର ଦ୍ୱିତୀୟ ଲହର ଆସିବା ପୂର୍ବରୁ ଦେଶରେ ଆବଶ୍ୟକ ହେଉଥିବା ବାର୍ଷିକ ପ୍ରାୟ ୩୦ରୁ ୪୦ ହଜାର କନସେଣ୍ଟ୍ରେଟର ମୁଖ୍ୟତଃ ଚୀନରୁ ଆମଦାନୀ ହେଉଥିଲା । ବସ୍ତୁତଃ ଦେଶ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସେପରି କୌଣସି ଗୁରୁତ୍ୱ ଦିଆ ଯାଇ ନଥିଲା । କୋଭିଡର ଦ୍ୱିତୀୟ ଲହର ଆସିବା ଜାଣି ସୁଦ୍ଧା ଦେଶରେ ଏହାର ଉପଲବ୍ଧତା ବଢାଇବା ପାଇଁ ଏଇ ବର୍ଷକ ମଧ୍ୟରେ ସେପରି କୌଣସି ବିଶେଷ ପଦକ୍ଷେପ ନିଆ ଯାଇ ନ ଥିଲା । ଦ୍ୱିତୀୟ ଲହର ଆସିବା ପରେ ଦେଶରେ କନସେଣ୍ଟ୍ରେଟରର ଆବଶ୍ୟକତା ହଠାତ୍ ବୃଦ୍ଧି ପାଇ ଏପ୍ରିଲ ସୁଦ୍ଧା ଦୈନିକ ୧୦୦୦ରୁ ୧୫୦୦ରେ ପହଞ୍ଚିଲା । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ଭିନ୍ନ ଅନ୍ୟ ପନ୍ଥା ନ ଥିଲା । ଖୁସିର କଥା ଭାରତର ଏହି ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ଦେଶ, ବିଶ୍ୱ ସ୍ତରୀୟ ଘରୋଇ କମ୍ପାନୀ, ଅନ୍ତର୍ଜାତୀୟ ସଂସ୍ଥା ତୁରନ୍ତ ଅକ୍ସିଜେନ କନସେଣ୍ଟ୍ରେଟର ଯୋଗାଇ ଦେବା ପାଇଁ ସହାୟତାର ହାତ ବଢାଇଲେ । ‘ପିଏମ କେୟାର ଫଣ୍ଡ’କୁ ବିନିଯୋଗ କରି ଏକ ଲକ୍ଷ ଅକ୍ସିଜେନ କନସେଣ୍ଟ୍ରେଟର ଆମଦାନୀ କରିବାକୁ ସ୍ଥିର ହୋଇଛି, ଯେଉଁଥିପାଇଁ ଆମଦାନୀ ଶୁଳ୍କକୁ ଉଠାଇ ଦିଆଯାଇଛି । ଦେଶରେ ଅକ୍ସିଜେନ କନସେଣ୍ଟ୍ରେଟରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେ ଯେଉଁ ତତ୍ପରତା ପ୍ରକାଶ ପାଉଛି, ତାହା ଆଉ କିଛି ଦିନ ଆଗରୁ ହୋଇଥିଲେ ହୁଏତ ଅକ୍ସିଜେନ ସଙ୍କଟକୁ ଲାଘବ କରିବାରେ ତାହା ବେଶ ସହାୟକ ହୋଇ ପାରିଥାଆନ୍ତା ।

କେନ୍ଦ୍ର ସରକାର ବାରମ୍ୱାର କହୁଛନ୍ତି ଯେ ଦେଶରେ ଯଥେଷ୍ଟ ଅକ୍ସିଜେନ ଅଛି, ହେଲେ ତାକୁ ହସପିଟାଲ ଯାଏଁ ପରିବହନ କରିବା ହିଁ ମୁଖ୍ୟ ଆହ୍ୱାନ । ସେଥିପାଇଁ ଏବେ ବିଦେଶରୁ ଅକ୍ସିଜେନ ଟ୍ୟାଙ୍କର ଅଣାଯିବାର ବ୍ୟବସ୍ଥା କରାଯାଉଛି । ଅକ୍ସିଜେନର ପରିବହନ ସଂକ୍ରାନ୍ତ ଆହ୍ୱାନ ସମ୍ପର୍କରେ ସରକାର ଏବେ ନୁହେଁ ବରଂ ବର୍ଷକ ତଳୁ ଅବଗତ ଥିଲେ ବି ସେ ସମ୍ପର୍କରେ ଏ ଯାଏଁ କାହିଁକି ବା ପଦକ୍ଷେପ ନେଇ ନ ଥିଲେ, ତାହା ବୋଧଗମ୍ୟ ହେଉନାହିଁ । ସରକାରଙ୍କ ଏତେ ଏତେ କମିଟି ଓ ଏମ୍ପାୱାର୍ଡ ଗ୍ରୁପ ବର୍ଷେ ଧରି କାମ କରୁଥିଲେ ବି ସେମାନେ ଅକ୍ସିଜେନର ସମ୍ଭାବ୍ୟ ଅଭାବ ସମ୍ପର୍କରେ ପୂର୍ବାନୁମାନ କରିବାକୁ ବିଫଳ ହେଲେ କାହିଁକି ? କରୋନାର ପ୍ରଥମ ଲହର ଅତିକ୍ରାନ୍ତ ହେବା ପରେ ପ୍ରସ୍ତୁତି ପାଇଁ ହାତରେ ଛଅ ମାସ ସମୟ ମିଳିଥିଲେ ବି ସମ୍ଭାବ୍ୟ ଦ୍ୱିତୀୟ ଲହରୀରେ ଅକ୍ସିଜେନର ଅଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନ ହେବାର କାରଣ କ’ଣ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ନା କାର୍ଯ୍ୟଦକ୍ଷତାର ଅଭାବ ନା କରୋନା ଉପରେ ବିଜୟ ଲାଭ କରିଥିବାର ମିଛ ଆତ୍ମସନ୍ତୋଷ ! ଏଇ କିଛି ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କ୍ରମଶଃ ଯେଉଁ ଧରଣର ନିପୁଣତା ବିକଶିତ ହୋଇଥିବାର ପରିଲକ୍ଷିତ ହୋଇଛି, ଭବିଷ୍ୟତରେ ମହାମାରୀ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଜନିତ ବିପତ୍ତିର ମୁକାବିଲା କରିବାକୁ ଆମକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ବୃଦ୍ଧି କରି ସେହିପରି ନିପୁଣତା ବିକାଶ କରିବାକୁ ହେବ । ଉଦାହରଣ ସ୍ୱରୂପ, ଅକ୍ସିଜେନର ପରିବହନରେ ବିଳମ୍ୱ ପାଇଁ ଭବିଷ୍ୟତରେ ଯେପରି ଜଣକର ବି ଜୀବନ ନ ଯାଏ, ତାହା ସୁନିଶ୍ଚିତ କରିବାକୁ ହେବ । ସେଥିପାଇଁ ୫୦ରୁ ଅଧିକ ଶଯ୍ୟା ଥିବା ହସପିଟାଲଗୁଡିକର ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିବା ବାଧ୍ୟତାମୂଳକ କରାଯିବା ଆବଶ୍ୟକ ଏବଂ ହସପିଟାଲ ପାଇଁ ଅନୁମତି ପ୍ରଦାନ ବେଳେ ତାହା ଏକ ଅନିବାର୍ଯ୍ୟ ସର୍ତ୍ତ ହେବା ଉଚିତ । ସ୍ୱାସ୍ଥ୍ୟ ଏକ ରାଜ୍ୟ ବିଷୟ ହୋଇଥିଲେ ବି ଅନେକ କ୍ଷେତ୍ରରେ ସଂଘୀୟ ବ୍ୟବସ୍ଥାକୁ ଅଣଦେଖା କରି କେନ୍ଦ୍ର ରାଜ୍ୟଗୁଡିକୁ ବିଶ୍ୱାସକୁ ନ ନେଇ ଏକଚାଟିଆ ଭାବେ ଅଧିକାର ସାବ୍ୟସ୍ତ କରୁଛି ବୋଲି ଅଭିଯୋଗ ହେଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାଳମେଳ ନ ରହିଲେ ତା’ର କୁଫଳ ସାଧାରଣ ଜନତାଙ୍କୁ ଭୋଗ କରିବାକୁ ହୋଇଥାଏ, ଯାହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଦିଲ୍ଲୀ । ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ନ ଯାଇ ଗୋଷ୍ଠୀ ସ୍ତରରେ ଛୋଟ ଛୋଟ ଉଦ୍ୟମ ଆରମ୍ଭ ହେଲେ ତାହା ଅନେକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ । ଉଦାହରଣ ସ୍ୱରୂପ,  ଆପାର୍ଟମେଣ୍ଟ, କଲୋନୀ, ସାହି, ପୂଜା କମିଟି, କ୍ଲବ ଆଦିଙ୍କ ଗୋଷ୍ଠୀଗତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ‘ଅକ୍ସିଜେନ ପାର୍ଲର’ମାନ ପ୍ରତିଷ୍ଠା କରି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କୁ ସାମୟିକ ଉପଶମ ଯୋଗାଇ ଦେଇ ହେବ । ଦିଲ୍ଲୀରେ ହସପିଟାଲ ବେଡ ପାଇଁ ଅପେକ୍ଷାରତ ରୋଗୀଙ୍କୁ ଶିଖ ଭାଇମାନଙ୍କ ଗୁରୁଦ୍ୱାରା ତରଫରୁ ‘ଅକ୍ସିଜେନ ଲଙ୍ଗର’ ସେବା ଯୋଗାଇ ଦେବା ସେହି ଧରଣର ଏକ ଗୋଷ୍ଠୀଗତ ମହାନ ଉଦ୍ୟମ ।       

କୋଭିଡ ମହାମାରୀର ସଂକ୍ରମଣ କାଳରେ ଗୋଟିଏ କଥା ସ୍ପଷ୍ଟ ହୋଇ ସାରିଛି ଯେ ଭାରତ ଭଳି ଏକ ବିଶାଳ ଦେଶରେ କେବଳ ‘ଆୟୁଷ୍ମାନ ଭାରତ’ ଭଳି ବୀମା ଆଧାରିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଭରସା କଲେ ଚଳିବ ନାହିଁ । ସାଧାରଣ ସମୟରେ ଏହା ରୋଗୀଙ୍କ ଚିକିତ୍ସାଜନିତ ବ୍ୟୟ ଭାରକୁ ଲାଘବ କରିବାରେ ସହାୟକ ହୋଇଥାଏ । ହେଲେ ମହାମାରୀ ସମୟରେ ଯେତେବେଳେ ସ୍ୱଚ୍ଛଳ ବର୍ଗର ଲୋକେ ହାତରେ ପୁଳା ପୁଳା ଟଙ୍କା ଧରି ମଧ୍ୟ ନିଜ ଲାଗି ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଅସମର୍ଥ ହେଉଛନ୍ତି, ସେତେବେଳେ ସାରା ଦେଶରେ ସ୍ୱାସ୍ଥ୍ୟସେବାର ମୂଳଭୂତ ଭିତ୍ତିଭୂମି ସୁଦୃଢ ହୋଇ ନ ଥିଲେ ସ୍ୱାସ୍ଥ୍ୟବୀମା ଯୋଜନା ଅବା କେଉଁ କାମରେ ଆସିବ । ଏ ସମ୍ପର୍କରେ ଏପ୍ରିଲ ୩୦, ୨୦୨୧ରେ ସୁପ୍ରିମକୋର୍ଟଙ୍କ ଆଶଙ୍କା, “ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଭୁଷୁଡିବାର ଦ୍ୱାର ଦେଶରେ“ କୁ ଗୁରୁତ୍ୱର ସହ ବିଚାର କରିବାକୁ ହେବ । ସ୍ୱାସ୍ଥ୍ୟସେବାକୁ କର୍ପୋରେଟ କ୍ଷେତ୍ର ହାତକୁ ଟେକି ଦେଇ ବୀମା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଚଳନ କରି ନିଶ୍ଚିନ୍ତ ହେବା ହୁଏତ ଏକ ବ୍ୟାବହାରିକ ସମାଧାନର ପନ୍ଥା ନ ହୋଇ ଆତ୍ମଘାତୀ ହୋଇପାରେ । ତେଣୁ 'ଆୟୁଷ୍ମାନ ଭାରତ’ ଭଳି ବୀମା ଯୋଜନା ସହିତ ସରକାରୀ ହସପିଟାଲଗୁଡିକର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରି ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ପ୍ରାଣବନ୍ତ କରାଗଲେ ଭବିଷ୍ୟତରେ ଅକ୍ସିଜେନ ଅଭାବ ଭଳି ସଙ୍କଟଗୁଡିକର ଉଚିତ ମୁକାବିଲା କରା ଯାଇପାରିବ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଅସୁରକ୍ଷାର ଭାବନା ଅନ୍ତର୍ହିତ ହୋଇ ପାରିବ ।


Published in May 01-16, 2021 issue of Samadrushti

 

Comments

  1. ନମସ୍ତେ, ଆପଣଙ୍କର ଏ ଅମୂଲ୍ୟ ପରାମର୍ଶ ସରକାର ଶୁଣିବା ଦରକାର ।ଧନ୍ୟବାଦ୍ ।

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍