Skip to main content

ଶୁକପାଇକା – ଏକ ମୃତ ନଦୀକୁ ଜୀବନ୍ତ କରିବା ଲାଗି ଜନପ୍ରୟାସ

ମଣିଷ ନିଜ ସ୍ୱାର୍ଥ ପାଇଁ ପାହାଡପର୍ବତ, ବଣଜଙ୍ଗଲ, ଜୀବଜନ୍ତୁ, ବୃକ୍ଷଲତା ଆଦି ବିନଷ୍ଟ କରି ଚାଲିଥିବାର ଅସଂଖ୍ୟ ଉଦାହରଣ ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ, ହେଲେ ମନୁଷ୍ୟକୃତ ହସ୍ତକ୍ଷେପ (ହ୍ୟୁମାନ ଇଣ୍ଟରଭେନସନ) ଯୋଗୁ ଯେ ଗୋଟିଏ ଜୀବନ୍ତ ନଦୀର ଶ୍ୱାସରୁଦ୍ଧ ହୋଇ ସେ ମୃତପ୍ରାୟ ହୋଇ ଯାଇପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଶୁକପାଇକା ନଦୀ । ପ୍ରାୟ ୭୦ ବର୍ଷ ଆଗରୁ ଶୁକପାଇକା ବି ଯେ କୌଣସି ଅନ୍ୟ ନଦୀ ପରି କଳକଳ ପ୍ରବାହିତ ହୋଇ ତା’ କୂଳରେ ଥିବା ପଶୁ, ପକ୍ଷୀ, ବୃକ୍ଷ ଲତା ଓ ମଣିଷଙ୍କୁ ଖୋଲା ହୃଦୟରେ ଜୀବନ ବାଣ୍ଟି ଚାଲିଥିଲା, ଜୀବିକା ବି ଯୋଗାଉଥିଲା । ହେଲେ ଆଜି ସେ ନିଜେ ନିଜ ଜୀବନ ରକ୍ଷା ପାଇଁ ସେହି ମଣିଷଙ୍କ ଆଗରେ କାକୁତି ମିନତି ହେଉଛି । ତା’ର ଦୁର୍ଦ୍ଦଶାର କାହାଣୀ ହୁଏତ ସେ ବଖାଣି ଚାଲିଛି, ହେଲେ ମଣିଷ ସେ କାହାଣୀ ଶୁଣି ତାକୁ ଉଦ୍ଧାର କରିବାକୁ ବୋଧହୁଏ ଏ ଯାଏଁ ଆହୁରି ପ୍ରସ୍ତୁତ ହୋଇ ପାରିନାହିଁ ।

ଶୁକପାଇକା ନଦୀ ମହାନଦୀର ଏକ ଶାଖା ନଦୀ, ଯାହା କଟକ ଜିଲ୍ଲାର ଆୟତପୁରଠାରୁ ବାହାରି ୨୭ କିଲୋମିଟର ବାଟ ଅତିକ୍ରମ କଲା ପରେ ତାରପୁର ନିକଟସ୍ଥ ବାଙ୍କୋଳଠାରେ ପୁଣି ମହାନଦୀରେ ମିଶିଛି । ଏହାର ତ୍ରିକୋଣଭୂମିରେ କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକର ୨୬ଟି ପଞ୍ଚାୟତର ୪୨୫ଟି ଗ୍ରାମର ପ୍ରାୟ ୬ ଲକ୍ଷ ଲୋକ ବସବାସ କରନ୍ତି । ଏହି ଅଞ୍ଚଳଟି ମୁଖ୍ୟତଃ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇଥିଲେ ବି ଏହାର କିଛି ଅଂଶ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ମହାନଦୀ ଉପରେ ଯେତେବେଳେ ହୀରାକୁଦ ନଦୀବନ୍ଧ ଓ ନରାଜ ବ୍ୟାରେଜ ନିର୍ମାଣ ହୋଇ ନ ଥିଲା ମହାନଦୀର ତଳ ଅଞ୍ଚଳଗୁଡିକ ସବୁ ବେଳେ ବନ୍ୟାରେ କ୍ଷତିଗ୍ରସ୍ତ ହେଉଥିଲା । ଶୁକପାଇକାର ତ୍ରିକୋଣଭୂମି ଅଞ୍ଚଳ ମଧ୍ୟ ନିୟମିତ ଭାବେ ବନ୍ୟା ଦ୍ୱାରା ପ୍ଳାବିତ ହେଉଥିଲା । ଅଞ୍ଚଳବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ୧୯୫୨ ମସିହାରେ ଆୟତପୁରଠାରେ ଶୁକପାଇକାର ମୁହଁକୁ ବନ୍ଧ ପକାଇ ବନ୍ଦ କରି ଦିଆଗଲା । ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ନିଆ ଯାଇଥିବା ଏହି ପଦକ୍ଷେପରେ ସ୍ଥାନୀୟ ଜନନେତା ରାଜକୃଷ୍ଣ ବୋଷଙ୍କ ଭୂମିକା ଥିଲା ଅଗ୍ରଗଣ୍ୟ । ମହାନଦୀର ଜଳ ଶୁକପାଇକାକୁ ପ୍ରବେଶ କରି ନ ପାରିଲେ ବି ଉଦବୃତ୍ତ ବର୍ଷା ଜଳ ନଦୀ ଦେଇ ବାଙ୍କୋଳଠାରେ ମହାନଦୀକୁ ନିଷ୍କାସିତ ହେଲା । ୧୯୫୭ରେ ହୀରାକୁଦ ନଦୀବନ୍ଧ ଓ ନରାଜ ବ୍ୟାରେଜ ନିର୍ମାଣ ହୋଇ ମହାନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲେ ବି ଶୁକପାଇକାର ବନ୍ଦ ନଦୀ ମୁହଁକୁ ଖୋଲିବା କଥା ଆଉ କେବେ କାହା ମନକୁ ଆସିଲା ନାହିଁ । ଅଳ୍ପ ଦିନ ମଧ୍ୟରେ ନଦୀରେ ଜଳାଭାବ ଦେଖା ଦେଇ ଚାଷବାସ ବାଧାପ୍ରାପ୍ତ ହେଲା । କାଳକ୍ରମେ ନଦୀଟି ମୃତପ୍ରାୟ ହୋଇଗଲା । ଜଳସେଚନ ସମସ୍ୟାକୁ ସୁଧାରିବା ପାଇଁ ପରବର୍ତ୍ତୀ ସମୟରେ ତାଳଦଣ୍ଡା କେନାଲରୁ ଚ୍ୟାନେଲ ଓ ଡିଷ୍ଟ୍ରିବ୍ୟୁଟାରି ଜରିଆରେ ପାଣି ଯୋଗାଇ ଦିଆ ଯାଇଥିଲେ ବି ତାହା ଦ୍ୱାରା ତ୍ରିକୋଣଭୂମିର ଅଧିକାଂଶ ଅଞ୍ଚଳର ଚାଷ ଜମିକୁ ପାଣି ମାଡେ ନାହିଁ ବୋଲି ଚାଷୀଙ୍କ ଅଭିଯୋଗ । ନଦୀଟି ଜୀବିତ ଥିଲା ବେଳେ ଭୂତଳ ଜଳସ୍ତର ମଧ୍ୟ ଭଲ ରହି ଗାଁର କୂପ, ନଳକୂପ ଓ ପୋଖରୀଗୁଡିକର ଜଳସ୍ତର ଉପରେ ରହୁଥିଲା । ପୂର୍ବେ ମାତ୍ର ପାଞ୍ଚ ଫୁଟ ଖୋଳିଲେ ପାଣି ମିଳୁଥିଲା ବେଳେ ଏବେ ଖରା ଦିନେ ଗାଁର କୂଅଗୁଡିକରେ ଜଳସ୍ତର ୩୫ରୁ ୪୦ ଫୁଟ ତଳକୁ ଖସି ଯାଉଛି । ଏହା ଫଳରେ ନଦୀର ତଳ ମୁଣ୍ଡରେ ଥିବା କେତେକ ଗାଁରେ ପାଣିରେ ଆର୍ସେନିକ ବାହାରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି ବୋଲି ଅଭିଯୋଗ ହେଉଛି । ଆଗରୁ ନଦୀରେ ବନ୍ୟା ଆସି ଖରିଫ ଚାଷ ନଷ୍ଟ ହେଉଥିଲେ ବି ପାଣିର ଉପଲବ୍ଧତା କାରଣରୁ ପଟୁ ପଡିଥିବା ଜମିରେ ଭଲ ରବି ଫସଲ ହେଉଥିଲା । ଏଠାରେ ଥିବା ପ୍ରାୟ ୮୦୦ ଏକର ନଦୀ ପଠାରେ ବି ଭଲ ପନି ପରିବା ଚାଷ ହେଉଥିଲା, ଯାହା ପାଣି ଅଭାବରୁ ବନ୍ଦ ହୋଇଗଲା । ପଠାରେ ଥିବା ହଜାର ହଜାର ଗଛ ମଧ୍ୟ ପାଣି ଅଭାବରୁ ମରିଯିବା ଫଳରେ ମୃତ୍ତିକା କ୍ଷୟ ହୋଇ ନଦୀ ଶଯ୍ୟାକୁ ପୋତି ପକାଇଲା । ନଦୀରେ ପାଣି ନ ଥିବାରୁ ନଦୀ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇ ଅନେକେ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଲେ । ବର୍ଷ ଯାକ ନଦୀ ଶଯ୍ୟା ବିଲାତି ଦଳମୟ ହୋଇ ରହିଥାଏ ଓ ତାହା ପଚି ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଭଳି ରୋଗର କାରଣ ପାଲଟିଥାଏ । ବାରାହାପାଟ ପରି ଅନେକ ଅଞ୍ଚଳରେ ନଦୀ ଶଯ୍ୟାର ଉଚ୍ଚତା ବଢି ଗହୀରରୁ ଆସିଥିବା ନାଳଗୁଡିକର ମୁହାଣ ପୋତି ହୋଇ ଯାଇଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଶହ ଶହ ଏକର ଜମିରେ ଧାନ ପଚିବାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ । କେତେକ ଅଞ୍ଚଳରେ ଲୋକେ ନଦୀଶଯ୍ୟାରେ ଇଟାଭାଟି ଆଦି ବସାଇ ଅତିକ୍ରମଣ କରିବାକୁ ପଛାଇଲେ ନାହିଁ । ଏପରିକି ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତ ଦ୍ୱାରା ୬ ଲକ୍ଷ ଟଙ୍କା ବ୍ୟୟରେ ନଦୀଶଯ୍ୟାରେ ଏକ ପୋଖରୀ ଖୋଳା ହୋଇଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଲା । ପ୍ରକାରାନ୍ତରେ ନଦୀର ପ୍ରବେଶକୁ ବନ୍ଦ କରି ବିକାଶର ସ୍ୱପ୍ନ ଦେଖିଥିବା ମଣିଷକୁ ଯେ ଏତେ ଶୀଘ୍ର ବିନାଶର ଏଇ କରାଳ ରୂପ ଦେଖିବାକୁ ପଡିବ, ତାହା ସେ କଳ୍ପନା ସୁଦ୍ଧା କରି ନ ଥିଲା । ସେ ଅତିଷ୍ଠ ହୋଇ ପଡିଥିଲେ ବି ପ୍ରତିବାଦ ଓ ପ୍ରତିକାରର ସ୍ୱର ତା ମୁହଁରୁ ସ୍ପଷ୍ଟ ଶୁଭିବାକୁ ସମୟ ଲାଗିଲା ।      

ଶୁକପାଇକା ନଦୀ ମୃତପ୍ରାୟ ହୋଇଯିବା ପରେ ତ୍ରିକୋଣଭୂମିରେ ବସବାସ କରୁଥିବା ଅନେକେ ନିଜ ଜୀବନଜୀବିକା ହରାଇଥିବାରୁ ଓ ଚାଷବାସ ପ୍ରଭାବିତ ହୋଇଥିବାରୁ ନଦୀଟିର ପୁନରୁଦ୍ଧାର ପାଇଁ ଲୋକଙ୍କ ମନରେ ଇଚ୍ଛା ଜାଗ୍ରତ ହେବା ସ୍ୱାଭାବିକ । ତେବେ ଏଥିପାଇଁ ୬0 ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧିବଦ୍ଧ ଭାବେ ସେପରି କୌଣସି ଜନପ୍ରୟାସ ହୋଇ ନ ଥିଲା । ୨୦୧୬ ମସିହାରେ ପ୍ରଥମ କରି ତ୍ରିକୋଣଭୂମି ଅଞ୍ଚଳର ବୋଧପୁର ନିବାସୀ ଖ୍ୟାତିସମ୍ପନ୍ନ ହୃଦରୋଗ ବିଶେଷଜ୍ଞ ପ୍ରତାପ ଚନ୍ଦ୍ର ରଥଙ୍କ ପ୍ରୟାସରେ ପ୍ରଭାବିତ ଗାଁଗୁଡିକର ଗଣ୍ୟମାନ୍ୟ ବ୍ୟକ୍ତି ଓ ଚାଷୀମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଜାରି ରଖିବା ପାଇଁ ୨୦୧୯ ମସିହାରେ ସେଠାରେ ଡାକ୍ତର ରଥଙ୍କ ଆବାହକତ୍ୱରେ ‘ଶୁକପାଇକା ବଞ୍ଚାଅ ଅଭିଯାନ’ ନାମକ ଏକ ସଂଗଠନ ପଞ୍ଜିକୃତ ହେଲା । ପୁନର୍ବାର ତ୍ରିକୋଣଭୂମି ଅଞ୍ଚଳର ପ୍ରାୟ ୮୦୦୦ ଲୋକଙ୍କ ସ୍ୱାକ୍ଷର ବହନ କରୁଥିବା ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା । ନଦୀ ପୁନରୁଦ୍ଧାର ପାଇଁ ଜନ ସହଯୋଗକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବା ସହ ସରକାରୀ ସ୍ତରରେ ଏହାକୁ ପୁଣି କିପରି ଏକ ଜୀବନ୍ତ ନଦୀରେ ପରିଣତ କରି ହେବ ସେ ନେଇ ପ୍ରୟାସ ଜାରି ରଖିବା ଲାଗି ଏକ ପାଞ୍ଚ ଜଣିଆ କୋର କମିଟି ଗଠିତ ହୋଇଛି । ଗତ ଦୁଇ ବର୍ଷ ଧରି ଅଭିଯାନ ଦ୍ୱାରା ଏ ଦିଗରେ ନିରବଚ୍ଛିନ୍ନ ପ୍ରୟାସ ହୋଇପାରିଛି । ନିର୍ବାଚିତ ବିଧାୟକ ଏଭଳି ପ୍ରୟାସଠାରୁ ନିଜକୁ ଦୂରେଇ ରଖିଥିଲେ ବି ତାହା ପରୋକ୍ଷରେ ଆନ୍ଦୋଳନ ପାଇଁ ଆଶୀର୍ବାଦ ସଦୃଶ ହୋଇଛି । ଏ ପର୍ଯ୍ୟନ୍ତ ଏହି ଅଭିଯାନ ଏକ ଅଣରାଜନୈତିକ ମଞ୍ଚ ଦ୍ୱାରା ହେଉଥିବାରୁ ଓ ମଞ୍ଚର ଉଦ୍ଦେଶ୍ୟ ସେହି ଅଞ୍ଚଳର ଲୋକଙ୍କ ବୃହତ୍ତର ସ୍ୱାର୍ଥ ହାସଲ ପାଇଁ ଉଦ୍ଦିଷ୍ଟ ଥିବାରୁ ଦଳ ମତ ନିର୍ବିଶେଷରେ ସମସ୍ତଙ୍କଠାରୁ ଏଥି ପ୍ରତି ସମର୍ଥନ ମିଳିପାରୁଛି । ଲକ୍ଷ୍ୟ ହାସଲ ପାଇଁ ମଞ୍ଚ ତରଫରୁ ଲୋକମାନଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଡାକରା ଦିଆଯାଉଛି । ଏହି କ୍ରମରେ ଅପ୍ରେଲ ୨୨, ୨୦୨୧ ଦିନ ତ୍ରିକୋଣଭୂମି ଅଞ୍ଚଳର ସବୁ ଘରେ ସକାଳ ସାତଟାରୁ ସନ୍ଧ୍ୟା ସାତଟା ଯାଏଁ ଚୂଲି ନ ଜଳାଇବାକୁ ଆହ୍ୱାନ ଦିଆଯାଇଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନର ଏହା ଏକ ଅନନ୍ୟ ଉଦାହରଣ । ସେହିପରି ମେ ୧୬ରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ସ୍ଥାନୀୟ ଲୋକେ ମହାନଦୀରୁ ପାଣି ଆଣି ଶୁଖି ଯାଇଥିବା ଶୁକପାଇକା ନଦୀରେ ପକାଇବେ । ଜୁନ ୭ରେ ସ୍ଥାନୀୟ ଚାଷୀ ଓ ମତ୍ସ୍ୟଜୀବୀମାନେ ତହସିଲ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍ଷ୍ୟ ହାସଲ ପାଇଁ ‘ଶୁକପାଇକା ବଞ୍ଚାଅ ଅଭିଯାନ’ ଓ ସ୍ଥାନୀୟ ଲୋକଙ୍କ ନିରବଚ୍ଛିନ୍ନ ଉଦ୍ୟମ ପ୍ରଶଂସନୀୟ ।     

ନିଜ ଦାବି ହାସଲ ପାଇଁ ଧାରଣା, ଆନ୍ଦୋଳନ, ପ୍ରତିବାଦ ଆଦି ନିଶ୍ଚିତ ଭାବେ ଜନପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଆୟୁଧ ଭାବେ ସର୍ବଦା ସ୍ୱୀକୃତ । ତେବେ ଏଥି ସହ ପ୍ରତୀକାତ୍ମକ ଜନ ଭାଗିଦାରି ମଧ୍ୟ ଆଜିକାଲି ପ୍ରତିବାଦର ସଦ୍ୟତମ ଆୟୁଧ ଭାବେ ଗୃହୀତ ହେବାକୁ ଲାଗିଲାଣି । ଦୀର୍ଘ ଦିନ ଧରି ଦାବି ଜଣାଇ କାମ ହେଉ ନ ଥିବା ଦେଖି କିଛି ସ୍ଥାନରେ ଲୋକେ ନିଜ ଚେଷ୍ଟାରେ ରାସ୍ତା, ପୋଲ ଆଦି ନିର୍ମାଣ କରୁଥିବାର ଖବରମାନ ବିଭିନ୍ନ ସମୟରେ ଶୁଣିବାକୁ ମିଳିଥାଏ । ନିକଟରେ ଦରବାର ସାହିତ୍ୟ ସଂସଦ ସହଯୋଗରେ ବାଲିପାଟଣାର କୁରଞ୍ଜିପୁର ପଞ୍ଚାୟତର ସାନମାଛପୁର ଓ ନିଶ୍ଚିନ୍ତପୁର ଗ୍ରାମରେ ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ଦୁଇଟି ପୋଖରୀର ପୁନରୁଦ୍ଧାର କରାଯାଇଛି, ଯେଉଁଥିରେ ୧୦୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଗ୍ରାମବାସୀ ୫ ଦିନ ଯାଏଁ ଶ୍ରମଦାନ କରିବାକୁ ଆଗେଇ ଆସିଥିଲେ । ଏହା ଏକ ପ୍ରକଳ୍ପ ଅଧୀନରେ କରା ଯାଇଥିଲେ ମଧ୍ୟ ଲୋକଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ଲାଗି ଶ୍ରମଦାନ ପାଇଁ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରା ନ ଯାଇ ରାସନ ସାମଗ୍ରୀ ଦିଆ ଯାଇଥିଲା । ଶୁକପାଇକା ନଦୀର ତ୍ରିକୋଣଭୂମିରେ ଥିବା ଲକ୍ଷାଧିକ ପରିବାର ନଦୀର ପୁନରୁଦ୍ଧାର ଦ୍ୱାରା ଉପକୃତ ହେବାକୁ ଯାଉଥିବାରୁ ନଦୀ ପାଇଁ ପ୍ରତି ପରିବାର ଅନ୍ତତଃ ଦିନକ ପାଇଁ ଶ୍ରମଦାନ କରିବାକୁ ଆଗେଇ ଆସିଲେ ଏହି ମହତ୍ କାର୍ଯ୍ୟରେ ବିଶାଳ ଜନସମ୍ପୃକ୍ତିକୁ ସୁନିଶ୍ଚିତ କରାଯିବା ସହ ପ୍ରକଳ୍ପ ପ୍ରତି ସେମାନଙ୍କ ଆନ୍ତରିକତାକୁ ପ୍ରଦର୍ଶନ କରାଯାଇପାରନ୍ତା । ଏହା ଭାଗିଦାରୀ ନିର୍ମାଣ (ଷ୍ଟେକ୍ ବିଲଡିଂ) ପର୍ଯ୍ୟାୟବାଚୀ ହୋଇଥିବାରୁ ପ୍ରକଳ୍ପଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଏହା ସମର୍ଥ ହୁଅନ୍ତା ମଧ୍ୟ । ପ୍ରତିବାଦର ଏହି ଦିଗଟିକୁ ବି ‘ଶୁକପାଇକା ବଞ୍ଚାଅ ଅଭିଯାନ’ ବିବେଚନା କରିବା ଉଚିତ । ପ୍ରକଳ୍ପ ଆରମ୍ଭ ପୂର୍ବରୁ ନଦୀ ଶଯ୍ୟାରୁ ମାଟି ଖୋଳିବା ପାଇଁ ଏମଜିଏନଆରଇଜିଏର ସହାୟତା ବି ନିଆ ଯାଇପାରେ ।

ଇତିମଧ୍ୟରେ ସରକାରୀ ସ୍ତରରେ ମଧ୍ୟ ଶୁକପାଇକାକୁ ପୁନର୍ଜୀବିତ କରିବା ଲାଗି  ଆଗ୍ରହ ପ୍ରକାଶ ପାଇ ସେଥିପାଇଁ ଜଳ ସମ୍ୱଳ ବିକାଶ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତ ହେଉଥିବାର ଆଭାସ ମିଳିଲାଣି । ଆୟତପୁରଠାରେ ନିର୍ମିତ ବନ୍ଧକୁ ହଟାଇ ଶୁକପାଇକାର ମୁହଁକୁ ଉନ୍ମୁକ୍ତ କରିବା, ସେଠାରେ ସ୍ଲୁଇସ ଗେଟର ବ୍ୟବସ୍ଥା କରି ଜଳର ପ୍ରବେଶକୁ ନିୟନ୍ତ୍ରିତ କରିବା, ଶୁକପାଇକାର ନଦୀ ଶଯ୍ୟା ପୋତି ହୋଇ ଯାଇଥିବାରୁ ତାକୁ ଡ୍ରେଜିଂ କରି ଖୋଳିବା, ନଦୀର ୨୭ କିଲୋମିଟର ଦୈର୍ଘ୍ୟର ବିଭିନ୍ନ ସ୍ଥାନରେ ଆନିକଟମାନ କରି ବନ୍ୟା ଓ ବର୍ଷା ଜଳକୁ ବର୍ଷ ତମାମ ଅଟକାଇ ରଖିବା ଆଦି ଏହି ପ୍ରକଳ୍ପର ଅଂଶ ବିଶେଷ ହେବ ବୋଲି ଆଶା କରାଯାଏ । ତାହା ହେଲେ ନଦୀଟି ପ୍ରାଣବନ୍ତ ହେବା ସହ ସେହି ଅଞ୍ଚଳରେ ଭୂତଳ ଜଳସ୍ତରରେ ଉନ୍ନତି ଘଟିବ । ଫଳରେ ଉଭୟ କୃଷିଜୀବୀ ଓ ମତ୍ସ୍ୟଜୀବୀଙ୍କର ପ୍ରଭୁତ ଲାଭ ହେବା ସହ ସମଗ୍ର ଅଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଏ ।

ଯେ କୌଣସି ନଦୀର ଶାଖା ନଦୀ ବନ୍ୟା ନିୟନ୍ତ୍ରଣ ତଥା ନଦୀ ପ୍ରବାହକୁ ଉଚିତ ସ୍ତରରେ ରଖିବା ପାଇଁ ଏକ ପ୍ରାକୃତିକ ବ୍ୟବସ୍ଥା । ତେଣୁ ମହାନଦୀ ପାଇଁ ଶୁକପାଇକା ନଦୀଟି ତା’ର ସ୍ୱାଭାବିକ ଅବସ୍ଥାକୁ ଫେରି ଆସି ଏକ ଜୀବନ୍ତ ନଦୀରେ ପରିଣତ ହେବା ଅତି ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଜାତୀୟ ସ୍ତରରେ ଯେତେବେଳେ କୃତ୍ରିମ କେନାଲ ବ୍ୟବସ୍ଥା କରି ନଦୀ ସଂଯୋଗୀକରଣର କଥା କୁହାଯାଉଛି, ସେତେବେଳେ ଶୁକପାଇକା ପରି ମହାନଦୀର ଏକ ପ୍ରାକୃତିକ ଶାଖା ନଦୀକୁ ମରିବା ପାଇଁ ଛାଡି ଦେଇ ହେବ କିପରି ? ତେଣୁ ଶୁକପାଇକା ପୁଣି ଏକ ଜୀବନ୍ତ ନଦୀରେ ପରିଣତ ହେବା ସେହି ନଦୀର ତ୍ରିକୋଣଭୂମିରେ ଥିବା ଲୋକଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଅନ୍ୟତ୍ର ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସକ୍ରିୟ ସମର୍ଥନରେ ଗୋଟିଏ ନଦୀ ପୁନର୍ଜୀବନ ଲାଭ କରି ପାରିଲେ ତାହା ଏକ ମହତ୍ କାର୍ଯ୍ୟ ହେବ । ‘ଶୁକପାଇକା ବଞ୍ଚାଅ ଅଭିଯାନ'ର ଜନପ୍ରୟାସରେ ନଦୀକୁ ପୁନର୍ଜୀବନ ମିଳି ପାରିଲେ ତାହା ମନୁଷ୍ୟକୃତ ହସ୍ତକ୍ଷେପ ଯୋଗୁ ସମାନ ସ୍ଥିତିରେ ମୃତପ୍ରାୟ ଅବସ୍ଥାରେ ପଡି ରହିଥିବା ବିଭିନ୍ନ ନଦୀ ଓ ନାଳଗୁଡିକର ପୁନର୍ଜୀବନ ପ୍ରାପ୍ତିର ସମ୍ଭାବନାକୁ ଉଜ୍ଜ୍ୱଳ କରିବ ଓ ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ପ୍ରେରଣା ଯୋଗାଇବ ।


Published in Odisha Reporter on April 21, 2021 

 

Comments

  1. ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ l ଜନ ପ୍ରୟାସକୁ ମଧ୍ୟ ନୂତନ ଦିଗଦର୍ଶନ ଦେବ l

    ReplyDelete
    Replies
    1. ଧନ୍ୟବାଦ । ମୋର ବି ସେହି ଆଶା ।

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍