Skip to main content

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ଅନ୍ୟତମ ବିନ୍ଧାଣୀ ଇବ୍ରାହିମ ଅଲକାଜିଙ୍କର ଅଗଷ୍ଟ ୪, ୨୦୨୦ରେ ୯୫ ବର୍ଷ ବୟସରେ ନିଧନ ପରେ ଏକ ସୁଦୀର୍ଘ ଘଟଣା ବହୁଳ ନାଟ୍ୟଯୁଗର ଅବସାନ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନାଟ୍ୟ ପୁରୁଷଙ୍କ ନାଟ୍ୟ ଯାତ୍ରା ସହ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶର ଜୟଯାତ୍ରା ଅନେକାଂଶରେ ଜଡିତ । ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶ ପାଇଁ ତାଙ୍କ ଅବଦାନ ଏତେ ଅଧିକ ଯେ ତାହା ଚିର ଦିନ ଲାଗି ସବୁ ନାଟ୍ୟାନୁରାଗୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

ଇବ୍ରାହିମ ଅଲକାଜି ଅକ୍ଟୋବର ୧୮, ୧୯୨୫ରେ ପୁନେ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସାଉଦି ଆରବର ଜଣେ ବିତ୍ତଶାଳୀ ବେଦୁଇନ ବ୍ୟବସାୟୀ ହୋଇଥିବା ବେଳେ ମାଆ କୁଏତର ଥିଲେ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ପୁନେରେ ହେବା ପରେ ସେ ବମ୍ୱେର ସେଣ୍ଟ ଜାଭିୟର କଲେଜରେ ଅଧ୍ୟୟନ କରିଥିଲେ । ଏହି ସମୟରେ ତାଙ୍କର ନାଟକ ପ୍ରତି ଆଗ୍ରହ ପ୍ରକାଶ ପାଇଲା ଓ ସେ ସୁଲତାନ ‘ବବି’ ପଦମସିଙ୍କ ଥିଏଟର ଗ୍ରୁପରେ ଯୋଗଦାନ କଲେ, ଯେଉଁଥିରେ ଇଂରାଜୀ ନାଟକ ମଞ୍ଚସ୍ଥ ହେଉଥିଲା । ତାଙ୍କର ଆଉ ୮ ଜଣ ଭାଇ ଭଉଣୀ ଥିଲେ ଓ ସ୍ୱାଧୀନତା ପରେ ତାଙ୍କ ପରିବାରର ଅଧିକାଂଶ ପାକିସ୍ତାନକୁ ଚାଲି ଯାଇଥିଲା ବେଳେ ସେ ଭାରତରେ ଅବସ୍ଥାନ କରିଥିଲେ । 

ସେ ୧୯୪୮  ମସିହାରେ ୨୩ ବର୍ଷ ବୟସରେ ‘ରୟାଲ ଆକାଡେମୀ ଅଫ ଡ୍ରାମାଟିକ ଆର୍ଟସ’ (ରାଡା)ରେ ନାଟକ ଉପରେ ଉଚ୍ଚତର ତାଲିମ ଗ୍ରହଣ କରିବା ପାଇଁ ଇଂଲଣ୍ଡକୁ ଯାଇଥିଲେ । ତାଲିମ ସରିବା ପରେ ତାଙ୍କୁ ସେଠାକାର ଇଂଲିସ ଡ୍ରାମା ଲିଗ ଦ୍ୱାରା ସମ୍ମାନିତ କରା ଯାଇଥିଲା । ଏପରିକି ତାଙ୍କୁ ୧୯୫୦ରେ ବିବିସି ବ୍ରଡକାଷ୍ଟିଂ ଆଓ୍ୱାର୍ଡ ମିଳିବା ପରେ ତାଙ୍କୁ ସେଠାରେ କାମ କରିବାର ଅନେକ ସୁଯୋଗ ମଧ୍ୟ ମିଳିଥିଲା । ବିଦେଶରେ ବିଭିନ୍ନ ପ୍ରକାର ଥିଏଟର ସମ୍ପର୍କରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ହୋଇ ସାରିଥିଲା । ତେଣୁ ସେ ପାଇଥିବା ତାଲିମକୁ ନିଜ ଦେଶରେ ଉପଯୋଗ କରିବା ପାଇଁ ସେ ନୂତନ ଉଦ୍ଦୀପନାର ସହିତ ୧୯୫୧ ମସିହାରେ ଭାରତକୁ ଫେରି ଆସି ବମ୍ୱେଠାରେ ତାଙ୍କର ପୁରୁଣା ଥିଏଟର ଗ୍ରୁପରେ ଯୋଗ ଦେଲେ । ସେଠାରେ ୧୯୫୪ ମସିହା ଯାଏଁ ରହିବା ପରେ ନିଜର ନୂଆ ଥିଏଟର ଗ୍ରୁପ ତିଆରି କରି ନାଟକ ମଞ୍ଚସ୍ଥ କରିବା ଆରମ୍ଭ କଲେ । ନିଜ ତାଲିମକୁ କାର୍ଯ୍ୟରେ ଲଗାଇ ସେ କରୁଥିବା ନାଟକଗୁଡିକରେ ଯେଉଁ ବୈଷୟିକ ଉତ୍କର୍ଷ ଦେଖିବାକୁ ମିଳିଲା ତାହା ଭାରତୀୟ ମଞ୍ଚରେ ନୂତନ ପ୍ରୟୋଗ ଥିବା ସହ ଦର୍ଶକମାନଙ୍କ ଆଦୃତି ଲାଭ କରିବାକୁ ଲାଗିଲା ଓ ଅଳ୍ପ ଦିନ ମଧ୍ୟରେ ସେ ବମ୍ୱେର ନାଟ୍ୟ ଜଗତରେ ଜଣେ ଆଗ ଧାଡିର ନାଟ୍ୟ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିବାକୁ ଲାଗିଲେ ।  

୧୯୫୯ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ଥିବା ଏସିଆନ ଇନଷ୍ଟିଚ୍ୟୁଟ ଅଫ ଥିଏଟରର (ଏଆଇଟି) ପୁନର୍ଗଠନ କରାଯାଇ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ପ୍ରତିଷ୍ଠା କରା ଯାଇଥାଏ । ଏହାର ପରିଚାଳନା ତଥା ନେତୃତ୍ୱ ନେବା ପାଇଁ ଜଣେ ସୁଦକ୍ଷ ନାଟ୍ୟବ୍ୟକ୍ତିତ୍ୱଙ୍କ ଖୋଜା ପଡିଲା । ଶେଷରେ ଅଲକାଜିଙ୍କୁ ଏହି କାର୍ଯ୍ୟ ପାଇଁ ସୁଯୋଗ୍ୟ ବୋଲି ଅନୁଭବ କରି ତାଙ୍କ ଉପରେ ଦାୟିତ୍ୱ ଅର୍ପଣ ହେଲା । ସେ ୧୯୬୨ ମସିହାରେ ବମ୍ୱେରୁ ଦିଲ୍ଲୀକୁ ଆସି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଓ ସେହି ପଦରେ ଦୀର୍ଘ ୧୫ ବର୍ଷ ଧରି ୧୯୭୭ ଯାଏଁ ଥିଲେ । ଥିଏଟରରେ ତାଲିମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ସେ ନାଟ୍ୟ ତାଲିମ କ୍ଷେତ୍ରରେ ଉଚ୍ଚ ସ୍ତରର ବ୍ୟାବସାୟିକତା (ପ୍ରଫେସନାଲିଜମ) ଆଣିବା ପାଇଁ ରାଡା ଢାଞ୍ଚାରେ ଏନଏସଡିର ପାଠ୍ୟକ୍ରମକୁ ପ୍ରସ୍ତୁତ କରିବା ସହ ଛାତ୍ରଙ୍କୁ ଅନୁଶାସନବଦ୍ଧ କରିବାକୁ ଚେଷ୍ଟା କଲେ । ତାଙ୍କ ପ୍ରୟାସରେ, ନାଟ୍ୟ ପାଠ୍ୟକ୍ରମ ଯେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ତାକୁ ଅନ୍ୟ ଯେ କୌଣସି ପାଠ୍ୟକ୍ରମ ଭଳି ନିର୍ଦ୍ଧାରିତ ଢଙ୍ଗରେ ପଢି କୌଶଳ ଆହରଣ କରି ହେବ, ତାହା କ୍ରମଶଃ ସ୍ୱୀକୃତ ହେବାକୁ ଲାଗିଲା । ଚାହୁଁ ଚାହୁଁ ଏନଏସଡିରେ ପଢିବା ପାଇଁ ସାରା ଦେଶରେ ପିଲାଙ୍କ ମଧ୍ୟରେ ଆଗ୍ରହ ବଢିବା ସହ ଏଥିରେ ଆଡମିଶନ ମିଳିବା ଗୋଟିଏ ସମ୍ମାନର ପ୍ରଶ୍ନ ଭାବେ ବିବେଚିତ ହେବାକୁ ଲାଗିଲା । ତାଙ୍କ ନେତୃତ୍ୱରେ ଏନଏସଡି ପ୍ରକୃତ ପକ୍ଷେ ଏକ ସମ୍ମାନଜନକ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇ ପାରିଥିଲା ।

ସେ ଛାତ୍ରମାନଙ୍କୁ କେବଳ ନାଟ୍ୟ ତାଲିମ ପ୍ରଦାନ କରୁ ନ ଥିଲେ । ଛାତ୍ରଟିଏ ନିଜ ଅହଙ୍କାରକୁ ତ୍ୟାଗ କରି ନ ପାରିଲେ ସେ କିଛି ଶିଖି ପାରିବ ନାହିଁ ବୋଲି ତାଙ୍କର ବିଶ୍ୱାସ ଥିବାରୁ ସେ ପ୍ରଥମେ ସେହି କାମଟିକୁ ହିଁ କରୁଥିଲେ । ସେମାନଙ୍କଠାରେ ବିଭିନ୍ନ ପ୍ରକାର କଳାକୁ ପ୍ରଶଂସା କରିବାର ଦକ୍ଷତା ବୃଦ୍ଧି ସହ, ସେମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ, କଳାତ୍ମକ ସିନେମା, ଚୀନ, ଜାପାନର ଥିଏଟରଠାରୁ ଆରମ୍ଭ କରି ଲୋକନାଟ୍ୟ ଯାଏଁ ବିଭିନ୍ନ ପ୍ରକାର ଥିଏଟର ଫର୍ମ ସମ୍ପର୍କରେ ଜଣାଇ ସେମାନଙ୍କ କଳ୍ପନାଶକ୍ତିକୁ ସମ୍ପ୍ରସାରିତ କରିବାକୁ ଚେଷ୍ଟା କରୁଥିଲେ । ଛାତ୍ରମାନେ ବିଭିନ୍ନ ବିଷୟରେ ଜାଣିବା ପାଇଁ ବହି ପଢିବା ଉପରେ ସେ ଜୋର ଦେଉଥିଲେ । ଏପରିକି ଚା’ ତିଆରିଠାରୁ ଆରମ୍ଭ କରି ବେଶପୋଷାକ ଇସ୍ତ୍ରୀ କରିବା, ମଞ୍ଚକୁ ଝାଡୁ ମାରି ପରିଷ୍କାର କରିବା, ଗ୍ରୀନରୁମକୁ ବ୍ୟବସ୍ଥିତ କରି ରଖିବା, ଟଏଲେଟ ପରିଷ୍କାର କରିବା ଭଳି କୌଣସି କାମକୁ ସେ ଛୋଟ ବା କମ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରୁ ନ ଥିଲେ । ତାଙ୍କ ମତରେ ଜଣେ ନାଟ୍ୟ କଳାକାର ପାଇଁ ନାଟକରେ ନିଜ ଚରିତ୍ରକୁ ବୁଝିବା ଓ ଅନୁଶୀଳନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେ ଉପରୋକ୍ତ କାମଗୁଡିକୁ ବିନା ଦ୍ୱିଧାରେ ସୁଚାରୁ ରୂପେ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତେଣୁ ସେ ନିଜେ ଏ ସବୁ କାମ କରିବା ସହ ଏଗୁଡିକୁ ତାଲିମର ଅଂଶ ବିଶେଷ କରି ଛାତ୍ରମାନଙ୍କୁ ଅନୁଶାସନବଦ୍ଧ କରିବାକୁ ଚେଷ୍ଟା କରୁଥିଲେ । କୁହାଯାଏ, ଥରେ ଅଲକାଜି ତାଙ୍କର କିଛି ଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ହେବାକୁ ଯାଉଥିବା ନାଟକର ରିହର୍ସଲ ଦେଖିବାକୁ ଦିଲ୍ଲୀର ରବୀନ୍ଦ୍ର ଭବନକୁ ଯାଇଥିଲେ । ରିହର୍ସଲ ଚାଲିଥିବା ଅବସ୍ଥାରେ ସେ ହଠାତ୍ ଉଠି ଯାଇ ବଜାରରୁ ଜୋତା ବ୍ରଶ ଓ ପଲିସ ଧରି ଫେରିଲେ । ଛାତ୍ରମାନଙ୍କ ଅଜାଣତରେ ସେମାନେ ରଖିଥିବା ଜୋତାଗୁଡିକ ନିକଟକୁ ଯାଇ ଜଣେ ଛାତ୍ରର ଅପରିଷ୍କାର ଜୋତାଟିକୁ ନିଜେ ପଲିସ କରି ରଖି ଦେଇଥିଲେ । ପରେ ଏହା ଜାଣି ପାରି ଛାତ୍ରଜଣକ ଲଜ୍ଜିତ ହୋଇଥିଲେ ଓ ଛାତ୍ରଟି ଉପରେ ତାର ଯଥେଷ୍ଟ ପ୍ରଭାବ ପଡିଥିଲା । ଛାତ୍ରଜଣକ ଥିଲେ ଏବର ଖ୍ୟାତନାମା ଅଭିନେତା ବିଜୟ କଶ୍ୟପ । ଏଥିରୁ ସେ ଯେ କେତେ ଛାତ୍ର ବତ୍ସଳ ଥିଲେ ଓ ସେମାନଙ୍କ ଛୋଟ ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ କଥା ଓ ଆଚରଣ ଉପରେ କେତେ ଅଧିକ ଧ୍ୟାନ ଦେଉଥିଲେ, ତାହା ସହଜରେ ଅନୁମେୟ । ପ୍ରକୃତ ପକ୍ଷେ ସେ ତାଙ୍କ ଛାତ୍ରମାନଙ୍କ ହାତ ଧରି ସେମାନଙ୍କୁ ନାଟକ ଚାଲିବା ଶିଖାଇଥିଲେ, ନାଟକ ଜୀଇଁବା ଶିଖାଇଥିଲେ ।

ନିଜ ନିଜ ପ୍ରତିଭାକୁ ନିର୍ଦ୍ଦିଷ୍ଟ ସୀମା ଭିତରେ ଆବଦ୍ଧ ନ ରଖି ବ୍ୟାପକ କରିବା ଲାଗି ଚେଷ୍ଟା କରିବାକୁ ସେ ତାଙ୍କ ଛାତ୍ରମାନଙ୍କୁ ସବୁବେଳେ ଅନୁପ୍ରାଣିତ କରି ଆସୁଥିଲେ । ନାଟକକୁ କେବଳ ଭଲ ପାଇବା ନୁହେଁ ବରଂ ତାକୁ ଆବେଗରେ ପରିବର୍ତ୍ତନ କରିବାର ଶିକ୍ଷା ଦେଉଥିଲେ ସେ ଛାତ୍ରମାନଙ୍କୁ । ଫଳରେ ପରବର୍ତ୍ତୀ ସମୟରେ ତାଙ୍କର ଅନେକ ଛାତ୍ର ଜାତୀୟ ସ୍ତରରେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧି ଲାଭ କରି ପାରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜୟା ମେହଟା, ବି.ଭି.କରନ୍ଥ, ଓମ ଶିଭପୁରୀ, ସୁଧା ଶିଭପୁରୀ, ହରପାଲ ତିଓ୍ୱାନା, ଓମ ପୁରୀ, ନାସିରୁଦ୍ଦିନ ସାହ, ନଦିରା ବବର, ଉତ୍ତରା ବାଓକର, ମନୋହର ସିଂହ, ରୋହିଣୀ ହାତାଙ୍ଗଡି, ପଙ୍କଜ କପୁର, ରତନ ଥିୟମ ଆଦିଙ୍କ ସହ ଆହୁରି ଅନେକ, ଯେଉଁମାନଙ୍କ ଭିତରୁ ଅନେକେ ମଞ୍ଚ, ସିନେମା ଓ ଟେଲିଭିଜନ ଦୁନିଆରେ ନିଜ ନୈପୁଣ୍ୟ ପ୍ରଦର୍ଶନ କରି ସାରିଛନ୍ତି । ଓଡିଶାର ବିଜୟ ମହାନ୍ତି, ଅଜିତ ଦାସ, ଦୋଳଗୋବିନ୍ଦ ରଥ, ରବିନ ଦାସ, ସୂର୍ଯ୍ୟ ମିଶ୍ର, ନାରାୟଣ ପତି ପ୍ରମୁଖ ତାଙ୍କର ଛାତ୍ର ଥିଲେ । ଅଲକାଜିଙ୍କ ପ୍ରୟାସରେ ଛାତ୍ରମାନଙ୍କ ପ୍ରତିଭାକୁ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ୧୯୬୪ରେ ଏନଏସଡିରେ ଏକ ‘ରିପୋର୍ଟରୀ କମ୍ପାନୀ’ର ପ୍ରତିଷ୍ଠା କରା ହେଲା, ଯାହା ମାଧ୍ୟମରେ ନାଟକକୁ ବ୍ୟାବସାୟିକ ଭିତ୍ତିରେ ପ୍ରଦର୍ଶନ କରାଯିବା ଆରମ୍ଭ ହେଲା ।  

ଦିଲ୍ଲୀ ମଞ୍ଚରେ ତାଙ୍କ ଆବିର୍ଭାବ ପୂର୍ବରୁ ସାଂସ୍କୃତିକ ଦୃଷ୍ଟିରୁ ଦିଲ୍ଲୀ ଏକ ମରୁଭୂମି ସଦୃଶ ଥିଲା ବୋଲି କୁହାଯାଏ । କାଁ ଭାଁ ହବିବ ତନଓ୍ୱିର ବା ଅନ୍ୟ କାହାର ନାଟକଟିଏ ମଞ୍ଚସ୍ଥ ହେଉଥିଲା । ସେ ଆସିବା ପରେ ଦିଲ୍ଲୀରେ ଥିଏଟର ଦୁନିଆ କ୍ରମଶଃ ଚଳଚଞ୍ଚଳ ହେବାକୁ ଲାଗିଲା । ଏନଏସଡିରେ ଯୋଗ ଦେବା ପରେ ସେ ବୁଝି ପାରିଥିଲେ ଯେ ଦିଲ୍ଲୀରେ କେବଳ ଇଂରାଜୀ ଭାଷାର ନାଟକ କଲେ ହୁଏତ ତାହା ସେତେଟା ଆଦୃତ ହୋଇ ନ ପାରେ । ତେଣୁ ସେ ଓ୍ୱାଦିପସ ରେକ୍ସ (୧୯୬୪), କିଙ୍ଗ ଲିଅର (୧୯୬୪), ମଲିଅରଙ୍କ ମାଇଜର (୧୯୬୫) ଆଦି ୟୁରୋପୀୟ ନାଟକଗୁଡିକୁ ହିନ୍ଦୀରେ ମଞ୍ଚସ୍ଥ କରିବା ଆରମ୍ଭ କଲେ । ଏହି ନାଟକଗୁଡିକ ୟୁରୋପୀୟ ନାଟକ ପରି ବେଶ ଜାକଜମକ ଓ ପରିପୁଷ୍ଟ ଭାବେ ମଞ୍ଚସ୍ଥ ହେବାକୁ ଲାଗିଲା । ଏହା ପରେ ହିନ୍ଦୀ ନାଟକ ମଧ୍ୟ ସମୃଦ୍ଧ ଭାବେ ମଞ୍ଚସ୍ଥ ହେବା ପ୍ରକ୍ରିୟା ଆରମ୍ଭ ହୋଇଗଲା । ସେତେବେଳ ଯାଏଁ ନାଟକ କେବଳ ଆବଦ୍ଧ ମଞ୍ଚ (ପ୍ରସେନିୟମ)ରେ ହିଁ ମଞ୍ଚାୟନ ହେଉଥିଲା । ଅଲକାଜି ପ୍ରଥମ ଥର ଲାଗି ସେଗୁଡିକୁ ମୁକ୍ତ ମଞ୍ଚରେ କରିବା ଆରମ୍ଭ କଲେ । ତାଙ୍କର ‘ତୁଗଲକ’, ‘ସୁଲତାନ ରେଜିୟା’, ‘ଅନ୍ଧାୟୁଗ’ ଭଳି କେତେକ ନାଟକ ଫିରୋଜ ସାହ କୋଟଲାର ପୁରାନା କିଲ୍ଲାରେ ମଞ୍ଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ଏହି ଐତିହାସିକ ନାଟକଗୁଡିକୁ ମଞ୍ଚସ୍ଥ କରିବା ପୂର୍ବରୁ ସେ ବେଶ ପୋଷାକ, ସଙ୍ଗୀତ, ସାହିତ୍ୟ ଓ ସେହି ସମୟର ସାମାଜିକ ଓ ସାଂସ୍କୃତିକ ଚଳଣିକୁ ବୁଝିବା ପାଇଁ ଯଥେଷ୍ଟ ଗବେଷଣା କରୁଥିଲେ । ଇବ୍ରାହିମ ଅଲକାଜିଙ୍କ ଧର୍ମପତ୍ନୀ ରୋଶନ ଅଲକାଜି ଆରମ୍ଭରୁ ତାଙ୍କର ସବୁ ନାଟକରେ କଷ୍ଟ୍ୟୁମ ଡିଜାଇନିଂ କରୁଥିଲେ । ସେ ଜାପାନର କାବୁକୀ ନାଟ୍ୟ ଶୈଳୀକୁ ‘ଅନ୍ଧାୟୁଗ’ ନାଟକରେ ପ୍ରୟୋଗ କରିଥିଲେ ଓ ସେହି ନାଟକଟିକୁ ଦେଖିବା ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ନେହରୁ ସ୍ୱୟଂ ପୁରାନା କିଲାରେ ଉପସ୍ଥିତ ଥିଲେ । 

ନାଟ୍ୟଜଗତରେ ସକ୍ରିୟ ଥିବା ପର୍ଯ୍ୟନ୍ତ ଅଲକାଜି ୫୦ଟିରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ । ଏଥିରୁ କେତେଗୁଡିଏ ସେକସପିଅର ଓ ମଲିଅରଙ୍କ ଭଳି ୟୁରୋପୀୟ ନାଟ୍ୟକାରଙ୍କ ନାଟକର ହିନ୍ଦୀ ରୂପାନ୍ତରଣ ହୋଇଥିବା ବେଳେ ସେ ମୋହନ ରାକେଶ, ଧରମବୀର ଭାରତୀ, ଗିରିଶ କନ୍ନଡ, ମହେଶ ଏଲକୁଞ୍ଚଓ୍ୱରଙ୍କ ଭଳି ପ୍ରତିଷ୍ଠିତ ନାଟ୍ୟକାରଙ୍କ ନାଟକରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକଗୁଡିକ ମଧ୍ୟରେ ରହିଛି ସାମୁଏଲ ବ୍ୟାକେଟଙ୍କର ‘ଓ୍ୱେଟିଂ ଫର ଗୋଦୋ’, ଧରମବୀର ଭାରତୀଙ୍କ ‘ଅନ୍ଧାୟୁଗ’, ମୋହନ ରାକେଶଙ୍କର ‘ଆଷାଢ କା ଏକ ଦିନ’, ଗିରିଶ କନ୍ନଡଙ୍କ ‘ତୁଗଲକ’ ଇତ୍ୟାଦି । ଏତଦଭିନ୍ନ ସେ ସଂସ୍କୃତ ନାଟକ ‘ମୃଚ୍ଛକଟିକମ’ର ହିନ୍ଦୀ ରୂପାନ୍ତରଣକୁ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କଠାରୁ ଏନଏସଡି ଓ ଭାରତୀୟ ରଙ୍ଗମଞ୍ଚ ଯେତେବେଳେ ଆହୁରି ଅନେକ କିଛି ଆଶା କରୁଥିଲା ଠିକ ସେତେବେଳେ ଏକ ଅପ୍ରୀତିକର ଘଟଣାଚକ୍ରରେ ସେ ମାତ୍ର ୫୨ବର୍ଷ ବୟସରେ ୧୯୭୭ ମସିହାରେ ଏନଏସଡିର ନିର୍ଦ୍ଦେଶକ ପଦରୁ ଅବ୍ୟାହତି ନେଇଥିଲେ । କେବଳ ସେତିକି ନୁହେଁ ପରବର୍ତ୍ତୀ ପ୍ରାୟ ଦେଢ ଦଶନ୍ଧି ଯାଏଁ ରଙ୍ଗମଞ୍ଚଠାରୁ ମଧ୍ୟ ଦୂରେଇ ରହିଥିଲେ । ତେବେ ୯୦ ଦଶକରେ ସେ ପୁଣି ରଙ୍ଗମଞ୍ଚକୁ ଫେରି ନିଜ ନାଟ୍ୟାନୁଷ୍ଠାନ ‘ଦ ଲିଭିଂ ଥିଏଟର’ (ଏଲଟିଜି)ର ସ୍ଥାପନା କରି ନିର୍ଦ୍ଦେଶନା ଦେବା ଆରମ୍ଭ କଲେ । ଏହି ସମୟରେ ତାଙ୍କ ନିର୍ଦ୍ଦେଶିତ ନାଟକ ଭିତରେ ଥିଲା, ‘ଜୁଲିଅସ ସିଜର’, ‘ଦିନ କେ ଅନ୍ଧେରେ ମେଁ’ ଓ ଗିରୀଶ କନ୍ନଡଙ୍କ ଲିଖିତ ‘ରକ୍ତ କଲ୍ୟାଣ’ ଆଦି ।      

ଏନଏସଡିରୁ ଅବ୍ୟାହତି ନେବା ପରେ ୧୯୭୭ରେ ସେ ସହଧର୍ମିଣୀ ରୋଶନଙ୍କ ସହ ମିଶି ଦିଲ୍ଲୀଠାରେ ଏକ ‘ଆର୍ଟ ହେରିଟେଜ ଗ୍ୟାଲେରୀ’ ପ୍ରତିଷ୍ଠା କରି ତାଙ୍କ ଧ୍ୟାନ ଆର୍ଟ ଓ ପ୍ୟାଣ୍ଟିଂର ପ୍ରୋତ୍ସାହନ ଉପରେ କେନ୍ଦ୍ରିତ କରିଥିଲେ । ନାଟ୍ୟ କ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ଇବ୍ରାହିମ ଆଲକାଜିଙ୍କୁ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୧୯୬୨ ମସିହାରେ ନାଟ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ କରା ଯାଇଥିଲା । ତାଙ୍କୁ ୧୯୬୭ ମସିହାରେ ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ’ ଓ ୧୯୮୬-୮୭ରେ ‘କାଳିଦାସ ସମ୍ମାନ’ ମଧ୍ୟ ପ୍ରଦାନ କରା ଯାଇଥିଲା । ସେ ୧୯୬୬ରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଥିବା ବେଳେ ତାଙ୍କୁ ୧୯୯୧ରେ ‘ପଦ୍ମଭୂଷଣ’ ଓ ୨୦୧୦ରେ ‘ପଦ୍ମବିଭୂଷଣ’ ସମ୍ମାନରେ ଭୂଷିତ କରାଯାଇଥିଲା । ଏତଦଭିନ୍ନ ୨୦୦୪ ମସିହାରେ ତାଙ୍କୁ ‘ତନଓ୍ୱିର ଆଓ୍ୱାର୍ଡ’ ମଧ୍ୟ ପ୍ରଦାନ କରା ଯାଇଥିଲା ।

ସମସାମୟିକ ଭାରତୀୟ ନାଟକ ବିଶ୍ୱ ସ୍ତରର ହେଉ ବୋଲି ଅଲକାଜି ଚାହୁଁଥିଲେ ଓ ସେ ଦିଗରେ ଅହରହ ପ୍ରୟାସ କରଥିଲେ ମଧ୍ୟ । ଭାରତୀୟ ନାଟକର ମଞ୍ଚାୟନର ଭାଷାକୁ ପରିବର୍ତ୍ତନ କରିଥିବା ଅଲକାଜି ନିଜେ ଜଣେ ଅସାଧାରଣ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ ଦ୍ରଷ୍ଟା (ଡିଜାଇନର) ଥିଲେ । ଆଧୁନିକ ଭାରତୀୟ ରଙ୍ଗମଞ୍ଚରେ ଆହୁରି ବି ଅନେକ ପ୍ରତିଭାବାନ ନାଟ୍ୟବ୍ୟକ୍ତିତ୍ୱଙ୍କର ଆବିର୍ଭାବ ହୋଇଛି । ହେଲେ ସେ ଥିଲେ ଅନନ୍ୟ, କାରଣ ସେ ଥିଲେ ଜଣେ ଅନୁଷ୍ଠାନ ନିର୍ମାତା । ଏପରିକି ସେ ନିଜେ ଜଣେ ଅନୁଷ୍ଠାନ ଥିଲେ ବୋଲି ଅନେକେ କହିଥାଆନ୍ତି । ବାସ୍ତବରେ ତାଙ୍କ ଦ୍ୱାରା ସୃଷ୍ଟ ଛାତ୍ରମାନେ ଦେଶବିଦେଶର ବିଭିନ୍ନ ସ୍ଥାନରେ କେବଳ ନିଜ ପ୍ରତିଭାର ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ କେତେକ ଅନୁଷ୍ଠାନ ନିର୍ମାଣରେ ବ୍ରତୀ ହୋଇ ମଞ୍ଚ ନାଟକକୁ ଅଧିକ ସମୃଦ୍ଧ କରି ପାରିଛନ୍ତି । ଏହି ଅନନ୍ୟ ନାଟ୍ୟଗୁରୁଙ୍କୁ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ କହିଲେ ଅତ୍ୟୁକ୍ତି ହେବନାହିଁ ।


Published in Odisha Reporter on August 21, 2020


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍