କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ନିକଟରେ ପରିବେଶଗତ ପ୍ରଭାବ ଆକଳନ ବା ଏନଭାଇରନମେଣ୍ଟାଲ ଇମ୍ପାକ୍ଟ ଆସେସମେଣ୍ଟ (ଇଆଇଏ) ଅଧିସୂଚନାକୁ ସଂଶୋଧନ କରିବା ପାଇଁ ପ୍ରସ୍ତୁତ ଚିଠାଟି ପରିବେଶବିଦ ଓ ଜନ ସାଧାରଣଙ୍କ ବିରୋଧର ସମ୍ମୁଖୀନ ହୋଇଛି । ସରକାର ଶିଳ୍ପାନୁଷ୍ଠାନ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇ ପରିବେଶର ସୁରକ୍ଷା ପ୍ରତି ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ବୋଲି କେହି କେହି ଅଭିଯୋଗ କରୁଛନ୍ତି । ତେବେ ଏହି ଚିଠା ଅଧିସୂଚନାରେ କ’ଣ ଏମିତି ରହିଛି ଯାହା ପରିବେଶ ପ୍ରତି ବିପଦ ସୃଷ୍ଟି କରି ପାରେ, ସେ ସମ୍ପର୍କରେ ଜନ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି ।
ପ୍ରସ୍ତାବିତ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡିକର ସାମାଜିକ, ଅର୍ଥନୈତିକ ତଥା ପରିବେଶ ଉପରେ ପଡିବାକୁ ଯାଉଥିବା ପ୍ରଭାବକୁ ଆକଳନ କରିବା ଇଆଇଏ ପ୍ରକ୍ରିୟାର ମୂଳ ଲକ୍ଷ୍ୟ । ଏ ସମ୍ପର୍କରେ ପ୍ରଥମେ ୧୯୬୯ ମସିହାରେ ଆମେରିକାରେ ଏକ ଜାତୀୟ ପରିବେଶ ନୀତି ପ୍ରଣୀତ ହୋଇଥିଲା । ତେବେ ବିଶ୍ୱ ସ୍ତରରେ ପରିବେଶ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦେଇ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବାର ଦାୟିତ୍ୱ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଉପରେ ନ୍ୟସ୍ତ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ଶହେରୁ ଅଧିକ ଦେଶ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ଇଆଇଏକୁ ବାଧ୍ୟତାମୂଳକ କରିଛନ୍ତି । ଭାରତରେ ଯୋଜନା କମିଶନ ପ୍ରଥମେ ୧୯୭୬-୭୭ରେ ନଦୀ-ଉପତ୍ୟକା ପ୍ରକଳ୍ପଗୁଡିକର ପରିବେଶ ଉପରେ ପ୍ରଭାବକୁ ଆକଳନ କରିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟକୁ ପରାମର୍ଶ ଦେଇଥିଲେ । ତେବେ ୧୯୮୪ ରେ ଭୋପାଳରେ ୟୁନିଅନ କାର୍ବାଇଡ କାରଖାନାରେ ଗ୍ୟାସ ଲିକ ଦୁର୍ଘଟଣାର ବିଭୀଷିକାରେ ହଜାର ହଜାର ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରଭାବିତ ହେବା ପରେ ଜନାକ୍ରୋଶ ବୃଦ୍ଧି ପାଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ପରିବେଶ ସୁରକ୍ଷା ଆଇନ, ୧୯୮୬ ପ୍ରଣୀତ ହୋଇଥିଲା । ଏଥିରେ ପ୍ରକଳ୍ପ ପ୍ରତିଷ୍ଠା ପୂର୍ବରୁ ପରିବେଶଗତ ପ୍ରଭାବ ଆକଳନ ବାଧ୍ୟତାମୂଳକ ଓ ବୈଧାନିକ କରାଗଲା । ଏହି ଆଇନ ସହ ସମ୍ପର୍କିତ ଅନ୍ୟ ଆଇନଗୁଡିକ ହେଲା, ବନ୍ୟଜନ୍ତୁ (ସଂରକ୍ଷଣ) ଆଇନ (୧୯୭୨), ଜଳ ଆଇନ (୧୯୭୪), ବାୟୁ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ (୧୯୮୧) ଓ ଜୈବ ବିବିଧତା ଆଇନ (୨୦୦୨) । ପରିବେଶ ସୁରକ୍ଷା ଆଇନ, ୧୯୮୬ ଆଧାରରେ କେନ୍ଦ୍ର ସରକାର ପ୍ରଥମେ ୧୯୯୪ରେ ଇଆଇଏ ଅଧିସୂଚନା ଜାରି କରିଥିଲେ । ଫଳରେ ଆଇନର ଅନୁଚ୍ଛେଦ ୧ରେ ଥିବା ପ୍ରକଳ୍ପଗୁଡିକର ସମ୍ପ୍ରସାରଣ ଓ ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ହେଲା । ଏହା ପରେ ୨୦୦୬ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନୂଆ ଇଆଇଏ ଅଧିସୂଚନା ଜାରି ହେଲା, ଯାହା ଏ ଯାଏଁ ବଳବତ୍ତର ରହିଛି । ତଦନୁସାରେ ଖଣି, ତାପଜ ବିଦ୍ୟୁତ କେନ୍ଦ୍ର, ନଦୀ ଉପତ୍ୟକା, ଭିତ୍ତିଭୂମି ( ରାସ୍ତା, ରାଜପଥ, ପୋତ, ବନ୍ଦର ଓ ବିମାନବନ୍ଦର), ବଡ ଧରଣର ଆବାସ ପ୍ରକଳ୍ପ (ରିଏଲ ଇଷ୍ଟେଟ) ଏବଂ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରୀ ଅନିବାର୍ଯ୍ୟ ହେଲା । ଏବେ ଏହା ସ୍ଥାନରେ ପରିବେଶ ମନ୍ତ୍ରାଳୟ ତରଫରୁ ଏକ ନୂଆ ପରିବେଶଗତ ପ୍ରଭାବ ଆକଳନ ଅଧିସୂଚନା, ୨୦୨୦ ଜାରି କରିବାକୁ ସ୍ଥିର ହୋଇ ଜନ ସାଧାରଣଙ୍କ ମତାମତ ପାଇଁ ତା’ର ଚିଠା ମାର୍ଚ୍ଚ ୨୩, ୨୦୨୦ରେ ଜାରି ହୋଇଛି । ମତାମତ ଦାଖଲର ଶେଷ ତାରିଖ ୩୦ ଜୁନ ଥିବା ବେଳେ ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାହା ଅଗଷ୍ଟ ୧୧, ୨୦୨୦ ଯାଏଁ ଘୁଞ୍ଚାଇ ଦିଆଯାଇଛି ।
ଏକ ପରିବେଶ ଆକଳନ କମିଟି (ଇଏସି)ଙ୍କ ଦ୍ୱାରା ଏହି ପରିବେଶଗତ ପ୍ରଭାବ ଆକଳନ (ଇଆଇଏ) ପ୍ରକ୍ରିୟାଟି ସମ୍ପାଦିତ ହୋଇଥାଏ । ଏଥିରେ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ପ୍ରକଳ୍ପ ପରିଚାଳନା ସହ ସମ୍ପୃକ୍ତ ବିଶେଷଜ୍ଞମାନେ ସଭ୍ୟ ଭାବେ କାର୍ଯ୍ୟ କରିଥାଆନ୍ତି । କେଉଁ କେଉଁ ଦିଗ ଓ ବିଷୟ ଇଆଇଏ ଅଧ୍ୟୟନର ଅନ୍ତର୍ଭୁକ୍ତ ହେବ, ତାହା ଇଏସି ନିର୍ଦ୍ଧାରଣ କରି ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥାଆନ୍ତି । ସେହି ରିପୋର୍ଟ ଭିତ୍ତିରେ ଜନ ପରାମର୍ଶ ଓ ଶୁଣାଣି ଆରମ୍ଭ ହୋଇଥାଏ । ଏଥିରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯାଇ ସେମାନଙ୍କଠାରୁ ଆପତ୍ତି ଓ ଅଭିଯୋଗମାନ ଶୁଣାଯିବା ସହ ଅନ୍ୟମାନଙ୍କ ମତାମତକୁ ବି ଶୁଣା ଯାଇଥାଏ । ଏଗୁଡିକୁ ଧ୍ୟାନରେ ରଖି କମିଟି ପ୍ରସ୍ତୁତ କରିଥିବା ଚୂଡାନ୍ତ ରିପୋର୍ଟ ସାଧାରଣତଃ ମନ୍ତ୍ରାଳୟ ଦ୍ୱାରା ଗୃହୀତ ହୋଇଥାଏ । ତଦନୁସାରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିଥାଏ ବା ପ୍ରକଳ୍ପରେ ସଂଶୋଧନ କରିବାକୁ କୁହା ଯାଇଥାଏ ବା ପ୍ରକଳ୍ପଟି ସମ୍ପୂର୍ଣ୍ଣ ରୂପେ ରଦ୍ଦ ହୋଇଥାଏ । ଅର୍ଥାତ୍, ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଇଆଇଏ ରିପୋର୍ଟ ଆଧାରରେ ପରିବେଶ ମଞ୍ଜୁରୀ ମିଳିଲା ପରେ ଯାଇ ପ୍ରକଳ୍ପର କାମ ଆରମ୍ଭ ହୋଇ ପାରିବ, ତା’ ଆଗରୁ ନୁହେଁ । କାରଣ ଅନେକ ସମୟରେ ପ୍ରକଳ୍ପ ଦ୍ୱାରା ପରିବେଶର ଏପରି କ୍ଷତି ସାଧିତ ହୋଇଥାଏ, ଯାହା ଆଉ ଭରଣା କରି ହୋଇ ନ ଥାଏ ।
ଚିଠା ଅଧିସୂଚନାର ଅନେକ ଦିଗ ସମାଲୋଚିତ ହେଉଥିଲେ ବି ଏଥିରେ ଥିବା କାର୍ଯ୍ୟୋପରାନ୍ତ (ଏକ୍ସ-ପୋଷ୍ଟ ଫ୍ୟାକ୍ଟୋ) ପରିବେଶ ମଞ୍ଜୁରୀ ପ୍ରାବଧାନଟି ସର୍ବାଧିକ ସମାଲୋଚିତ ହେଉଛି । ଏହି ପ୍ରାବଧାନ ଅନୁସାରେ ପରିବେଶ ମଞ୍ଜୁରୀ ନ ଥାଇ ମଧ୍ୟ ପ୍ରକଳ୍ପ ଆରମ୍ଭ କରି ତାକୁ ଚାଲୁ ରଖି ହେବ ଓ ପରେ ଆବଶ୍ୟକୀୟ ଜରିମାନା ଦେଇ ତାକୁ ନିୟମସଙ୍ଗତ କରିହେବ । ଏହି ଚିଠା ଅଧିସୂଚନା ଗୃହୀତ ହେଲେ ଶିଳ୍ପାନୁଷ୍ଠାନମାନେ ପରିବେଶ ଆଇନ ଉଲ୍ଲଂଘନ କରିବାକୁ ପ୍ରୋତ୍ସାହିତ ହେବେ । ପରେ ନିଜ ତରଫରୁ ଘୋଷଣା କରି ଜରିମାନା ଦେବା ବ୍ୟବସ୍ଥାଟି ଆଇନସମ୍ମତ ହୋଇଗଲେ ପରିବେଶ ଆଇନକୁ ହେୟ ଜ୍ଞାନ କରି ତାକୁ ଉଲ୍ଲଂଘନ କରିବାର ମାନସିକତା ବୃଦ୍ଧି ପାଇବ । ଏହା କେବଳ ପରିବେଶ ଆଇନର ନୁହେଁ ବରଂ ‘ଆଇନର ଶାସନ’ (ରୁଲ୍ ଅଫ ଲ’)ର ବିରୁଦ୍ଧାଚରଣ କରୁଛି ବୋଲି ମତ ପ୍ରକାଶ ପାଉଛି । ଉଲ୍ଲେଖଯୋଗ୍ୟ, ଏହି ଧରଣର ଉଲ୍ଲଂଘନଗୁଡିକୁ ନିୟମସଙ୍ଗତ କରିବା ପାଇଁ ୨୦୧୭ ମସିହାରେ ପରିବେଶ ମନ୍ତ୍ରାଳୟ ତରଫରୁ ଏକ ‘ସର୍ବକ୍ଷମା ଯୋଜନା’ ଘୋଷଣା କରାଯିବା ପରେ ଶହ ଶହ ଆଇନ ଉଲ୍ଲଂଘନକାରୀ ତାହାର ଲାଭ ଉଠାଇଥିଲେ । ପରିବେଶଗତ ପ୍ରଭାବକୁ ଅଣଦେଖା କଲେ ତା’ର ଯେ କେତେ ଅଧିକ ମୂଲ୍ୟ ଦେବାକୁ ହୋଇଥାଏ ତାହା ନିକଟରେ ପରିବେଶ ମଞ୍ଜୁରୀ ପାଇ ନ ଥିବା ବିଶାଖାପାଟଣାସ୍ଥିତ ଏକ ଶିଳ୍ପାନୁଷ୍ଠାନ ଏଲ ଜି ପଲିମର୍ସରେ ଗ୍ୟାସ ଲିକ ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ପ୍ରାଣହାନିରୁ ସ୍ପଷ୍ଟ । ସେହିପରି ସର୍ବକ୍ଷମା ଯୋଜନା ଅନ୍ତର୍ଗତ ଏକ ମାମଲା, ‘ଆଲେମ୍ୱିକ ଫାର୍ମାସିଉଟିକାଲ୍ସ ଲିଃ ବନାମ ରୋହିତ ପ୍ରଜାପତି ଓ ଅନ୍ୟମାନେ’, ରେ ସୁପ୍ରିମକୋର୍ଟ ଅପ୍ରେଲ ୧, ୨୦୨୦ରେ ତାଙ୍କ ରାୟ ଶୁଣାଇ କହିଛନ୍ତି ଯେ କାର୍ଯ୍ୟୋପରାନ୍ତ (ଏକ୍ସ-ପୋଷ୍ଟ ଫ୍ୟାକ୍ଟୋ) ପରିବେଶ ମଞ୍ଜୁରୀ ଆଇନ ଦୃଷ୍ଟିରୁ ଅରକ୍ଷଣୀୟ (ଅନସସଟେନେବଲ) ଓ ଏ ଭଳି ଏକ ଧାରଣାକୁ ଅନୁମତି ପ୍ରଦାନ କରିବା ଅର୍ଥ ପରିବେଶର କ୍ଷତି ସାଧନ କରିବା । ସୁପ୍ରିମକୋର୍ଟଙ୍କ ଅନୁସାରେ, “ପରିବେଶ ଆଇନ ଏକ୍ସ-ପୋଷ୍ଚ ଫ୍ୟାକ୍ଟୋ ଧାରଣାର ସମର୍ଥନ କରି ପାରିବ ନାହିଁ । ତଦ୍ଦ୍ୱାରା ଏହା ଉଭୟ ‘ସତର୍କତାମୂଳକ ନୀତି’ (ପ୍ରିକସନାରୀ ପ୍ରିନ୍ସିପଲ) ଓ ‘ନିରନ୍ତର ବିକାଶ’ (ସସଟେନେବଲ ଡେଭଲପମେଣ୍ଟ)ର ବିରୁଦ୍ଧାଚରଣ କରିବ ।” କହିବା ବାହୁଲ୍ୟ, ପରିବେଶଗତ ପ୍ରଭାବ ଆକଳନ ତର୍କର ଆଧାର ‘ସତର୍କତାମୂଳକ ନୀତି’ ଅବଲମ୍ୱନ ଉପରେ ପର୍ଯ୍ୟବସିତ, କାରଣ ଅନେକ କ୍ଷେତ୍ରରେ ପରିବେଶ ପ୍ରତି ହେଉଥିବା କ୍ଷତି ଅପୂରଣୀୟ । ଚିଠା ଅଧିସୂଚନାରେ ଥିବା ଏକ୍ସ-ପୋଷ୍ଚ ଫ୍ୟାକ୍ଟୋ ଧାରଣାଟି ପୂର୍ବୋକ୍ତ ‘ସର୍ବକ୍ଷମା ଯୋଜନା’କୁ ଆଇନସମ୍ମତ ଓ ସ୍ଥାୟୀ କରିବାର ଅପଚେଷ୍ଟା ବୋଲି ବିଚାର କରା ଯାଇପାରେ । ଅବଶ୍ୟ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏକ୍ସ-ପୋଷ୍ଟ ଫ୍ୟାକ୍ଟୋ ମଞ୍ଜୁରୀ ପ୍ରସ୍ତାବରୁ ଓହରି ଆସିବା ଲାଗି ହୁଏତ ସରକାରଙ୍କ ଉପରେ ଅଧିକ ଚାପ ପଡିପାରେ ।
ଚିଠା ଅଧିସୂଚନାରେ ବିଭିନ୍ନ ଭାବେ ପ୍ରତିକ୍ରିୟା ସମୟ (ରେସପନ୍ସ ଟାଇମ)କୁ ହ୍ରାସ କରି ଜନଶୁଣାଣି ଓ ପରାମର୍ଶ ପ୍ରକ୍ରିୟାଟିକୁ ଦୁର୍ବଳ କରି ଦେବାର ପ୍ରୟାସ ହୋଇଛି । ପୂର୍ବରୁ ମଧ୍ୟ ପ୍ରତିରକ୍ଷା ଓ ଦେଶର ସୁରକ୍ଷା ସହ ସମ୍ପର୍କିତ କୌଶଳଗତ (ଷ୍ଟ୍ରାଟେଜିକ) ପ୍ରକଳ୍ପଗୁଡିକ ପାଇଁ ଜନଶୁଣାଣି ହେଉ ନଥିଲା । ଏଣିକି ଏହି ପ୍ରକଳ୍ପଗୁଡିକ ସମେତ ଜଳସେଚନର ଆଧୁନିକୀକରଣ, ଅନ୍ତର୍ଦେଶୀୟ ଜଳପଥ ଭଳି ୪୦ ପ୍ରକାର ପ୍ରକଳ୍ପ ପାଇଁ କୌଣସି ଜନଶୁଣାଣି ହେବନାହିଁ । ଏଥିରେ ନୂଆ କରି ‘ଅନ୍ୟ କୌଶଳଗତ ପ୍ରକଳ୍ପ’ (ଅଦର ଷ୍ଟ୍ରାଟେଜିକ ପ୍ରୋଜେକ୍ଟ)ର ଉଲ୍ଲେଖ ରହିଛି । ଅର୍ଥାତ୍, ସରକାର ଚାହିଁଲେ ଯେ କୌଣସି ପ୍ରକଳ୍ପକୁ ‘ଅନ୍ୟ କୌଶଳଗତ ପ୍ରକଳ୍ପ’ ବୋଲି ଘୋଷଣା କରି ପାରିବେ, ଯଦ୍ଦ୍ୱାରା ସେହି ପ୍ରକଳ୍ପଗୁଡିକୁ ଜନଶୁଣାଣି ବାହାରେ ରଖା ଯାଇପାରିବ । ପ୍ରକଳ୍ପଗୁଡିକର ବର୍ଗୀକରଣ କରାଯାଇ ‘ବି2’ ବର୍ଗରେ ଥିବା ପ୍ରକଳ୍ପଗୁଡିକୁ ଜନଶୁଣାଣିରୁ ବାହାରେ ରଖାଯାଇଛି । ଫଳରେ ଏହି ପ୍ରକଳ୍ପଗୁଡିକରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କର ଆପତ୍ତିକୁ ଶୁଣାଯିବାର ଅବକାଶ ରହିବ ନାହିଁ । ଜନଶୁଣାଣିର ସମୟ ସୀମାକୁ ୪୫ ଦିନରୁ କମାଇ ୪୦ ଦିନ କରି ଦିଆଯାଇଛି । ସେହିପରି ଜନତାଙ୍କଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିବାର ସମୟ ସୀମାକୁ ୩୦ ଦିନରୁ କମ କରି ୨୦ ଦିନ କରି ଦିଆଯାଇଛି । ସାଧାରଣ ଲୋକଙ୍କ ପକ୍ଷରେ ଶହ ଶହ ପୃଷ୍ଠାର ପ୍ରକଳ୍ପକୁ ପଢି, ବୁଝି, ଆପତ୍ତି କରିବା ପାଇଁ ଯଥେଷ୍ଟ ସମୟର ଆବଶ୍ୟକତା ହୋଇଥାଏ, ଆଉ ସେହି ସମୟ ସୀମାକୁ କମ କରିବା ଅର୍ଥ ଜନ ସାଧାରଣଙ୍କ ସହ ପରାମର୍ଶ ଓ ଶୁଣାଣି ପ୍ରକ୍ରିୟାକୁ ନେଇ ସରକାର ସମ୍ୱେଦନଶୀଳ ନୁହନ୍ତି ଓ କେବଳ ଏକ ଔପଚାରିକତା ପୂରଣ କରୁଛନ୍ତି ବୋଲି ବାର୍ତ୍ତାଟିଏ ଯାଉଛି । ଅନେକ କ୍ଷେତ୍ରରେ ପରିବେଶ ମଞ୍ଜୁରୀ ବୈଧତାର ସମୟ ସୀମାକୁ ବୃଦ୍ଧି କରି ଦିଆଯାଇଛି । ଏଣିକି ମାଇନିଂ ପ୍ରକଳ୍ପର ବୈଧତା ୩୦ ବର୍ଷରୁ ବୃଦ୍ଧି ପାଇ ୫୦ ବର୍ଷ ହୋଇଥିବା ବେଳେ ନଦୀ ଉପତ୍ୟକା ପ୍ରକଳ୍ପର ବୈଧତା ୧୦ ବର୍ଷରୁ ୧୫ ବର୍ଷକୁ ବୃଦ୍ଧି ପାଇଛି । ସେହିପରି ଓ ଅନ୍ୟ ପ୍ରକଳ୍ପଗୁଡିକର ବୈଧତା ୫ ବର୍ଷରୁ ବଢାଇ ୧୦ ବର୍ଷ କରି ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଏନଡିଏ ଶାସନ କାଳରେ ଦୁଲାଇ ୨୦୧୪ରୁ ଅପ୍ରେଲ ୨୦୨୦ ମଧ୍ୟରେ ପରିବେଶ ମଞ୍ଜୁରୀ ପାଇଁ ପ୍ରାପ୍ତ ୨୫୯୨ଟି ପ୍ରକଳ୍ପ ମଧ୍ୟରୁ ୨୨୫୬ଟି, ଅର୍ଥାତ୍ ପ୍ରାୟ ୮୭ ପ୍ରତିଶତକୁ ମଞ୍ଜୁରୀ ପ୍ରଦାନ କରା ଯାଇସାରିଛି, ଯାହା ୟୁପିଏ ସରକାରଙ୍କ ଏ ବାବଦରେ ପ୍ରଦର୍ଶନ ତୁଳନାରେ ଯଥେଷ୍ଟ ଭଲ । ଅବଶ୍ୟ ସେଥିପାଇଁ ପରିବେଶ ସୁରକ୍ଷାକୁ କେତେ ଦୂର ଜଳାଞ୍ଜଳି ଦିଆ ଯାଇଛି କି ନାହିଁ, ତାହା ଭିନ୍ନ ଏକ ଆଲୋଚନାର ପ୍ରସଙ୍ଗ । ପ୍ରଚଳିତ ଆଇନରେ ଯଦି ଏତେ ସଂଖ୍ୟକ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ କରି ହେଉଛି ତେବେ ନୂଆ ଅଧିସୂଚନାର ଆବଶ୍ୟକତା କାହିଁକି ? ଉଦ୍ୟୋଗପତିଙ୍କ ଅଭିଯୋଗ, ମାତ୍ର ୨୦ ପ୍ରତିଶତ ଦରଖାସ୍ତ ଠିକ୍ ସମୟ ମଧ୍ୟରେ ମଞ୍ଜୁରୀ ପାଉଥିବା ବେଳେ ଅଧିକାଂଶ ପ୍ରକଳ୍ପକୁ ମଞ୍ଜୁରୀ ପାଇବା ଲାଗି ୧୮୦ ଦିନରୁ ଅଧିକ ସମୟ ଲାଗୁଛି, ଯାହା ପ୍ରକଳ୍ପର ବ୍ୟବହାର୍ଯ୍ୟତା (ଭାଏବିଲିଟି) ଉପରେ ମନ୍ଦ ପ୍ରଭାବ ପକାଉଛି । ତେଣୁ ନୂଆ ଅଧିସୂଚନାରେ ଏହି ସମୟକୁ କମ କରି ବ୍ୟବସାୟ କରିବାର ସୁଗମତା (ଇଜ ଅଫ ଡୁଇଙ୍ଗ ବିଜନେସ)କୁ ଆହୁରି ଉଦ୍ୟୋଗୀ-ଅନୁକୂଳ କରିବା ପାଇଁ ଚେଷ୍ଟା କରାଯାଇଛି ।
ପ୍ରସ୍ତାବିତ ଚିଠା ଅଧିସୂଚନା ଉପରେ ସରକାର eia2020-moefcc@gov.in ଠିକଣାରେ ଲୋକଙ୍କଠାରୁ ଇ-ମେଲ ଯୋଗେ ମତାମତ ଆହ୍ୱାନ କରିବା ପରେ କେତେକ ପରିବେଶ ସଂଗଠନଙ୍କ ଅଭିଯାନ କ୍ରମେ ଶହ ଶହ ସଂଖ୍ୟାରେ ଇ-ମେଲ ଯାଇ ଇ-ମେଲ ଇନବକ୍ସ ଭର୍ତ୍ତି ହୋଇଗଲା, ଯାହା ମନ୍ତ୍ରୀଙ୍କୁ ବିବ୍ରତ ଓ ଉତକ୍ଷିପ୍ତ କଲା । ପ୍ରତିକ୍ରିୟାସ୍ୱରୂପ, ପରିବେଶ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ଥିବା ତିନିଟି ପ୍ରମୁଖ ବେସରକାରୀ ସଂଗଠନ, ‘ଫ୍ରାଇଡେଜ ଫର ଫ୍ୟୁଚର’, ‘ଲେଟ୍ ଇଣ୍ଡିଆ ବ୍ରିଦ୍’ ଓ ‘ଦେୟାର ଇଜ ନୋ ଆର୍ଥ ବି’ଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ଦ୍ୱାରା ଆତଙ୍କ ପ୍ରତିରୋଧ ଆଇନ (ୟୁଏପିଏ)ର ଧାରାକୁ ଲଗାଇ ସେମାନଙ୍କ ଓ୍ୱେବସାଇଟଗୁଡିକୁ ସାମୟିକ ଭାବେ ଅବରୋଧ କରାଗଲା । ଅବଶ୍ୟ ଏହା ଭୁଲ କ୍ରମେ ହୋଇଥିଲା ବୋଲି ପରେ ସ୍ୱୀକାର କରି ଅବରୋଧକୁ ଉଠା ଯାଇଥିଲା । ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସାମାଜିକ ଗଣ ମାଧ୍ୟମରେ ଏପରି ଚର୍ଚ୍ଚା ହେବାକୁ ଲାଗିଲା ଯେ ତାହା ଚିଠା ଅଧିସୂଚନା ସମ୍ପର୍କରେ ଜନ ସଚେତନତା ବୃଦ୍ଧି ଲାଗି ପରୋକ୍ଷରେ ସହାୟକ ହେଲା ଓ ଅଧିକ ସଂଖ୍ୟକ ଲୋକ ଏହାକୁ ବିରୋଧ କରି ମନ୍ତ୍ରାଳୟକୁ ଇ-ମେଲମାନ ପଠାଇବାକୁ ଲାଗିଲେ । ଲକ ଡାଉନ ଯୋଗୁ ଏହି ବିରୋଧ ମୁଖ୍ୟତଃ ଇ-ମେଲ ଭଳି ଡିଜିଟାଲ ମଞ୍ଚରେ ହେଉଥିଲେ ବି କିଛି ଗୋଷ୍ଠୀ ଦିଲ୍ଲୀସ୍ଥିତ ପରିବେଶ ମନ୍ତ୍ରାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବି ପଛାଇନାହାନ୍ତି ।
ବିକାଶ ଓ ପରିବେଶ ସୁରକ୍ଷା ପରସ୍ପର ବିରୋଧୀ ହୋଇ ନ ଥିଲେ ବି ସମାଜର ଗୋଟିଏ ସ୍ୱଚ୍ଛଳ ବର୍ଗ ସେହିପରି ଏକ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, କାରଣ ସେମାନଙ୍କ ପାଇଁ କେବଳ ବିକାଶ ହିଁ ସବୁ କିଛି । ସେମାନେ ବିକାଶ କହିଲେ କେବଳ ଅର୍ଥନୈତିକ ବିକାଶ ବା ସମୃଦ୍ଧିକୁ ହିଁ ବୁଝି ଅନ୍ୟ ଦିଗଗୁଡିକୁ, ବିଶେଷ କରି ପରିବେଶକୁ, ଅଣଦେଖା କରି ଥାଆନ୍ତି, ଯାହା ପରୋକ୍ଷରେ ବିନାଶର କାରଣ ପାଲଟିଥାଏ । ହଁ, ଏ କଥା ସତ ଯେ ପରିବେଶ ଆଇନ ଯେତେ କୋହଳ ହୋଇଥାଏ, ଉଦ୍ୟୋଗୀଙ୍କ ବ୍ୟବସାୟ ଲାଗି ବାତାବରଣ ସେତେ ସୁଗମ ହୋଇଥାଏ । ଅଧିକାଂଶ ଉଦ୍ୟୋଗୀ ଏହା ହିଁ ଚାହାନ୍ତି ଓ ଦେଶ ବା ରାଜ୍ୟରେ ପୁଞ୍ଜି ବିନିଯୋଗ ପ୍ରତି ସେମାନଙ୍କୁ ଆକୃଷ୍ଟ କରିବାକୁ ବ୍ୟଗ୍ର ସରକାରମାନେ ସେମାନଙ୍କ ପାଲରେ ପଡିଯାଆନ୍ତି । ପରିବେଶର କ୍ରମାଗତ କ୍ଷତିସାଧନକୁ ନେଇ ସମସ୍ତେ ଊଣା ଅଧିକେ ଚିନ୍ତିତ । ତେବେ ଏଣିକି କେବଳ ଚିନ୍ତିତ ହେଲେ ଚଳିବ ନାହିଁ, କାରଣ ପରିବେଶର ସୁରକ୍ଷା ସହ ଆମର, ଆମ ପରବର୍ତ୍ତୀ ପିଢି ଓ ସମଗ୍ର ଜୀବଜଗତର ଅସ୍ତିତ୍ୱର ପ୍ରଶ୍ନ ଜଡିତ । ତେଣୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ ସ୍ତରରେ କିଛି କରିବାର ବେଳ ଇଏ । ଆଉ ଯଦି କିଛି କରି ହେଉ ନାହିଁ, ଅନ୍ତତଃ ପରିବେଶ ମାନଦଣ୍ଡକୁ କଡାକଡି ଭାବେ ଅନୁପାଳନ କରି ପରିବେଶକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ କର୍ତ୍ତବ୍ୟ ସମ୍ପର୍କରେ ପରିବେଶ ମନ୍ତ୍ରାଳୟକୁ ସ୍ମରଣ କରାଇ ଦେଇ ନିଜ ମତାମତ ସହ ଉପରୋକ୍ତ ଠିକଣାରେ ଇ-ମେଲଟିଏ ତ ପଠାଇ ହେବ । ହୁଏତ ଜନ ସାଧାରଣଙ୍କ ସାମୂହିକ ଇଚ୍ଛା ଓ ବ୍ୟଗ୍ରତାକୁ ଦୃଷ୍ଟିରେ ରଖି ସରକାର ଚିଠା ଅଧିସୂଚନାରେ ପରିବେଶ ଅନୁକୂଳ ପରିବର୍ତ୍ତନ ଆଣିବାକୁ କୁଣ୍ଠା ପ୍ରକାଶ କରି ନ ପାରନ୍ତି ।
Published in Odisha Reporter on August 03, 2020
Saral,
ReplyDeleteVery good article. Needs to be circulated among the wider public.
Best wishes.
Thank you sir
Delete