ଅତୀତରେ ପାରମ୍ପରିକ ପଦ୍ଧତିରେ ଚାଷ କଲା ବେଳେ ଚାଷୀଟିଏ ମୋଟାମୋଟି ଭାବେ ତା’ ନିଜ ଆବଶ୍ୟକତାର ପରିପୂରଣ ଲାଗି ଚାଷ କରୁଥିବାରୁ ଚାଷ ଲାଗି ତା’ର ଋଣର ଆବଶ୍ୟକତା ସେତେ ବେଶି ନ ଥିଲା କହିଲେ ଚଳେ । ଆଉ ଯେତେବେଳେ ଆବଶ୍ୟକତା ଉପୁଜୁଥିଲା ସେ ଗାଁ ମହାଜନଠାରୁ ଋଣ, ଜ୍ଞାତିକୁଟୁମ୍ବଙ୍କଠାରୁ ହାତ ଉଧାରି ବା ସ୍ଥଳ ବିଶେଷରେ ସରକାର ଦେଉଥିବା ଟାକାଭି ଋଣ ଆଣି ତା’ କାମ ଚଳାଇ ନେଉଥିଲା । ମହାଜନ ନିକଟରୁ ଋଣ ନେଲେ ଅଧିକ ସୁଧ ହାରଠାରୁ ଆରମ୍ଭ କରି ବିଭିନ୍ନ ଭାବେ ସେ ଶୋଷଣର ଶିକାର ହେଉଥିଲା । ଭାରତରେ ସବୁଜ ବିପ୍ଳବ ଆରମ୍ଭ ହେବା ପରେ ଦେଶରେ ବହୁଳ ଭାବେ ଆଧୁନିକ ଚାଷ ପଦ୍ଧତିରେ ଚାଷ ହେବା ଆରମ୍ଭ ହେଲା, ଯାହା ବଜାରକୁ ଆଖିରେ ରଖି କରାଗଲା । ସେଥିଲାଗି ଅଧିକ ପୁଞ୍ଜି ଦରକାର ହେଲା, ଯେଉଁଥିପାଇଁ ଅଧିକ ଋଣର ଆବଶ୍ୟକତା ଉପୁଜିଲା । କ୍ରମଶଃ ସାର, ବିହନ, ଜଳସେଚନ ଭଳି ୠଣ ମଧ୍ୟ ଚାଷର ଏକ ଅତି ଦରକାରୀ ଉପାଦାନ ପାଲଟିଗଲା ଓ ଋଣ ପାଇବା ଲାଗି ତାକୁ ବ୍ୟାଙ୍କ ଦୁଆର ମାଡିବାକୁ ହେଲା । କ୍ରମଶଃ ଉନ୍ନତ ମାନର ବ୍ୟାଙ୍କ ସେବା ମଧ୍ୟ କୃଷି କ୍ଷେତ୍ରର ବିକାଶ ଲାଗି ଅନିବାର୍ଯ୍ୟ ହେବାକୁ ଲାଗିଲା ।
କୃଷି ଋଣ
କୃଷି ଉଦ୍ଦେଶ୍ୟରେ ଋଣ ପ୍ରଦାନ ବ୍ୟାଙ୍କମାନଙ୍କ ଋଣ ବ୍ୟବସାୟର ଏକ ମୁଖ୍ୟ କାର୍ଯ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ବ୍ୟାଙ୍କମାନଙ୍କ ଗ୍ରାମାଞ୍ଚଳ (Rural) ତଥା ଅର୍ଦ୍ଧ-ସହରାଞ୍ଚଳ (Semi Urban) ଶାଖାଗୁଡିକ କୃଷି ଋଣ ପ୍ରଦାନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି । ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ବ୍ୟାଙ୍କମାନେ ଦେଉଥିବା ଋଣର ୪୦ ପ୍ରତିଶତ ଅଗ୍ରାଧିକାର କ୍ଷେତ୍ର (Priority Sector)ରେ ଦିଆ ଯାଇଥାଏ । ତନ୍ମଧ୍ୟରୁ ୧୮ ପ୍ରତିଶତ କେବଳ କୃଷି କ୍ଷେତ୍ରରେ ଲଗାଣ ପାଇଁ ଉଦ୍ଦିଷ୍ଟ । ଚାଷ ଋଣ, କୃଷି ଭିତ୍ତିଭୂମି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଦିଆଯାଉଥିବା ଋଣକୁ କୃଷି ଋଣ ଅନ୍ତର୍ଭୁକ୍ତ କରା ଯାଇଥାଏ । ଋଣ ପରିଶୋଧର ସମୟ ସୀମା ବା ମିଆଦ (Term)କୁ ଆଧାର କରି ବ୍ୟାଙ୍କମାନଙ୍କ ଦ୍ୱାରା ଦିଆ ଯାଉଥିବା କୃଷି ଋଣକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ : ସ୍ୱଳ୍ପ ମିଆଦି (Short Term) ଋଣ, ମଧ୍ୟମ ମିଆଦି (Medium Term) ଋଣ ଓ ଦୀର୍ଘ ମିଆଦି (Long Term) ଋଣ । ସ୍ୱଳ୍ପ ମିଆଦି ଋଣ ଧାନ, ଡାଲି, ତୈଳବୀଜ, ପନିପରିବା, ଆଖୁ, କଦଳୀ ଆଦି ଚାଷ ପାଇଁ ଦିଆ ଯାଉଥିବାରୁ ଏହାକୁ ଚାଷ ଋଣ ବି କୁହା ଯାଇଥାଏ । ଏହାର ପରିଶୋଧ ସମୟ ଫସଲ ଅମଳର ସମୟ ଉପରେ ନିର୍ଭର କରୁଥିଲେ ବି ଏହାର ସୀମା ସର୍ବାଧିକ ୧୮ ମାସ ହୋଇଥାଏ । ମଧ୍ୟମ ମିଆଦି ଋଣ ପରିଶୋଧର ସମୟ ସୀମା ୧୮ ମାସରୁ ଊର୍ଦ୍ଧ୍ୱ ତଥା ୭ ବର୍ଷ ମଧ୍ୟରେ ହୋଇଥାଏ । ଏହି ଋଣ ବିଭିନ୍ନ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଲାଗି ଦିଆ ଯାଇଥାଏ । ଅତ୍ୟଧିକ ନିବେଶ ଆବଶ୍ୟକ ହେଉଥିବା କମ୍ବାଇନ ହାର୍ଭେଷ୍ଟର, ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାକ୍ଟର ଭଳି ଯନ୍ତ୍ରପାତି ବା ବିଶେଷ କାର୍ଯ୍ୟ ପାଇଁ ପରିଶୋଧ ସମୟ ସୀମା ୭ ବର୍ଷରୁ ଅଧିକ ୧୨ ବର୍ଷ ଯାଏଁ (ସ୍ଥଳ ବିଶେଷରେ ତା’ଠାରୁ ଅଧିକ ସମୟ) ଧାର୍ଯ୍ୟ ହେଉଥିବାରୁ ସେଗୁଡିକୁ ଦୀର୍ଘ ମିଆଦି ଋଣ କୁହାଯାଇଥାଏ । ଉଭୟ ମଧ୍ୟମ ମିଆଦି ଓ ଦୀର୍ଘ ମିଆଦି ଋଣ କୃଷି ମିଆଦି ଋଣ ବା ଏଟିଏଲ (Agricultural Term Loan) ଅନ୍ତର୍ଭୁକ୍ତ ହୋଇଥାଆନ୍ତି ।
ସ୍ୱଳ୍ପ ମିଆଦି ଚାଷ ଋଣ (Short Term Agriculture Loan)
କୃଷି ପାଇଁ ବ୍ୟାଙ୍କ ତରଫରୁ ଦିଆ ଯାଉଥିବା ସ୍ୱଳ୍ପ ମିଆଦି ଚାଷ ଋଣକୁ ଖରିଫ ଓ ରବି ଚାଷ ପାଇଁ ଦିଆ ଯାଇଥାଏ । ଖରିଫ ଚାଷ ପାଇଁ ୧ ଅପ୍ରେଲରୁ ୩୦ ସେପ୍ଟେମ୍ବର ମଧ୍ୟରେ ଋଣ ଦିଆ ଯାଉଥିବା ବେଳେ ଏହାର ଋଣ ପରିଶୋଧର ଶେଷ ତାରିଖ ପର ବର୍ଷ ୩୧ ମାର୍ଚ୍ଚ ହୋଇଥାଏ । ଅନ୍ୟ ପକ୍ଷରେ ରବି ଚାଷ ପାଇଁ ଋଣ ୧ ଅକ୍ଟୋବରରୁ ୩୧ ମାର୍ଚ୍ଚ ମଧ୍ୟରେ ଦିଆ ଯାଇ ଋଣ ପରିଶୋଧର ଶେଷ ତାରିଖ ୩୦ ଜୁନ ଧାର୍ଯ୍ୟ ହୋଇଥାଏ । ଚାଷ ଋଣ ଦେବା ପାଇଁ ବ୍ୟାଙ୍କ କୌଣସି ବନ୍ଧକ ମାଗି ନ ଥାଏ, କାରଣ ଏହି ଋଣର ବନ୍ଧକ ହେଉଛି ଠିଆ ହୋଇଥିବା ଫସଲ ।
ଫସଲ ଋଣ ମାପକାଠି (Scale of Finance)
ପ୍ରତି ଜିଲ୍ଲାରେ ଫସଲ ଋଣ ମାପକାଠି ବା ସ୍କେଲ ଅଫ ଫାଇନାନ୍ସ ସ୍ଥିର କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ବୈଷୟିକ କମିଟି ବା ଡିଏଲଟିସି (District Level Technical Committee) କାର୍ଯ୍ୟ କରିଥାଏ । ଆଗାମୀ ଖରିଫ ଓ ରବି ଋତୁରେ ଜିଲ୍ଲାରେ ହେଉଥିବା ବିଭିନ୍ନ ଚାଷ ପାଇଁ ଚାଷୀମାନଙ୍କୁ ଏକର ପିଛା ବା ହେକ୍ଟର (୨.୫ ଏକର) ପିଛା କେତେ ଋଣ ପ୍ରଦାନ କରାଯିବ ତାହା ଏହି କମିଟି ନିର୍ଦ୍ଧାରଣ କରିଥାଆନ୍ତି । ସାଧାରଣତଃ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଏହି କମିଟିର ଆବାହକ ଭାବେ କାର୍ଯ୍ୟ କରିଥାଆନ୍ତି । ଏଥିରେ ଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରେ ନାବାର୍ଡର ଜିଲ୍ଲା ବିକାଶ ପ୍ରବନ୍ଧକ (DDM), ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (LDM)ଙ୍କ ସହ ଜିଲ୍ଲା ସ୍ତରରେ ଥିବା କୃଷି ବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ବଳ ବିକାଶ ବିଭାଗ, ମତ୍ସ୍ୟ ବିଭାଗର ଉପସ୍ଥିତି ସହ କିଛି ଅଗ୍ରଣୀ ଚାଷୀ ମଧ୍ୟ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ବୈଠକଟି ସାଧାରଣତଃ ପୂର୍ବ ବର୍ଷ ନଭେମ୍ବର ବା ଡିସେମ୍ବର ସୁଦ୍ଧା ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ସ୍ତରରେ ସ୍ଥାନୀୟ ଦର ଅନୁଯାୟୀ ପ୍ରତିଟି ଫସଲରେ ଆବଶ୍ୟକ ସାର, ବିହନ, ଔଷଧ, ଜଳସେଚନ, ଜାଳେଣୀ ଓ ବିଦ୍ୟୁତ, ହଳଠାରୁ ନେଇ ବିଭିନ୍ନ କାମ ପାଇଁ ଦରକାର ହେଉଥିବା ମୂଲିଆ ମଜୁରୀ ଇତ୍ୟାଦି ଖର୍ଚ୍ଚକୁ ହିସାବକୁ ନେଇ ଏକର ବା ହେକ୍ଟର ପିଛା ଚାଷ ଖର୍ଚ୍ଚ ବାହାର କରାଯାଇଥାଏ । ତା’ପରେ ଶସ୍ୟର ଅମଳ ପରିମାଣର ମୂଲ୍ୟକୁ ବିଚାରକୁ ନେଇ ପ୍ରତି ଫସଲ ପାଇଁ ଅଲଗା ଅଲଗା ବ୍ୟାଙ୍କ ଋଣ ପରିମାଣ ସ୍ଥିର ହୋଇଥାଏ । ଏହି ବୈଠକରେ ଏକକାଳୀନ ଉଭୟ ଆଗାମୀ ଖରିଫ ଓ ରବି ଋତୁରେ ହେଉଥିବା ବିଭିନ୍ନ ଚାଷ ପାଇଁ ଫସଲ ଋଣ ମାପକାଠି ସ୍ଥିର ହୋଇଥାଏ । ଅବଶ୍ୟ ଦରକାର ହେଲେ ବିଶେଷ ପରିସ୍ଥିତିରେ କମିଟି ଆଉ ଥରେ ବସି ରବି ଚାଷ ପାଇଁ ଏହାର ସଂଶୋଧନ କରି ପାରିଥାଆନ୍ତି । ସେହିପରି ଉଦ୍ୟାନ ଚାଷ, ପଶୁପାଳନ ଓ ମତ୍ସ୍ୟଚାଷର ବିଭିନ୍ନ କାର୍ଯ୍ୟ ଲାଗି ଆବଶ୍ୟକ ହେଉଥିବା କାର୍ଯ୍ୟକାରୀ ପୁଞ୍ଜି (Working Capital)ର ପରିମାଣ ମଧ୍ୟ ଏହି ବୈଠକରେ ସ୍ଥିର ହୋଇଥାଏ । ଜିଲ୍ଲାରେ କାର୍ଯ୍ୟରତ ସବୁ ବ୍ୟାଙ୍କ ଚାଷୀଙ୍କୁ ବିଭିନ୍ନ ଫସଲ ପାଇଁ ଋଣ ଦେଲା ବେଳେ ଏହି ଫସଲ ଋଣ ମାପକାଠିକୁ ଆଧାର କରି ଦେଇଥାଆନ୍ତି ।
କିଶାନ କ୍ରେଡିଟ କାର୍ଡ (Kisan Credit Card)
କିଶାନ କ୍ରେଡିଟ କାର୍ଡ ବା କେସିସି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ଋଣର ଆବଶ୍ୟକତାକୁ ବିନା ଝଞ୍ଜଟରେ ଠିକ୍ ସମୟରେ ପରିପୂରଣ କରିବା ପାଇଁ ଏକ ଅଭିନବ ଯୋଜନା । ଏହି ଯୋଜନାରେ ବାଣିଜ୍ୟିକ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ଅଂଶଗ୍ରହଣ କରି ଆସୁଛନ୍ତି । ଏହି କାର୍ଡଧାରୀ ଚାଷୀଙ୍କୁ ବର୍ଷକୁ ୩ ଲକ୍ଷ ଟଙ୍କା ଯାଏଁ ଋଣ ମଞ୍ଜୁର କରାଯାଇଥାଏ । କେବଳ ଚାଷ ଋଣ ନୁହେଁ, ତା’ ସହ ଅମଳ ପରବର୍ତ୍ତୀ ଖର୍ଚ୍ଚ, ବିକ୍ରିବଟା ପାଇଁ ଖର୍ଚ୍ଚ, ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ, କୃଷି ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଖର୍ଚ୍ଚ, ପାଣିପମ୍ପ, ଗାଈ ଆଦି କିଣିବା ପାଇଁ ନିବେଶ ଋଣ ଇତ୍ୟାଦି ମଧ୍ୟ ଋଣ ମଞ୍ଜୁର ପରିମାଣରେ ସାମିଲ ହୋଇଥାଏ । ଫସଲ ଋଣ ମାପ କାଠି ବୃଦ୍ଧିକୁ ଆଖିରେ ରଖି ପରବର୍ତ୍ତୀ ବର୍ଷମାନଙ୍କରେ ଋଣ ମଞ୍ଜୁରୀ ପରିମାଣକୁ ବୃଦ୍ଧି କରାଯାଇଥାଏ । ଚାଷୀମାନେ ଏହାକୁ ଏକ କ୍ୟାଶ କ୍ରେଡିଟ ଆକାଉଣ୍ଟ ପରି ପରିଚାଳନା କରିପାରନ୍ତି, ଅର୍ଥାତ୍ ନିଜ ଆବଶ୍ୟକତାନୁସାରେ ଟଙ୍କା ଉଠାନ୍ତି ଓ ଫେରସ୍ତ କରନ୍ତି । କାର୍ଡଧାରୀଙ୍କୁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଜନା ଅନ୍ତର୍ଭୁକ୍ତ କରାଇ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ବିପଦ ପାଇଁ ୨୫ ହଜାର ଟଙ୍କା ଯାଏଁ ବୀମା ପ୍ରଦାନ କରାଯାଇଥାଏ । ଏଣିକି ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ କେସିସିରେ ସ୍ୱତନ୍ତ୍ର ଭାବେ ୨ ଲକ୍ଷ ଟଙ୍କା ଯାଏଁ ଋଣ ମଞ୍ଜୁର ହୋଇ ଦିଆ ଯାଇପାରୁଛି । କେସିସି କାର୍ଡଧାରୀଙ୍କୁ ଏକ ‘ରୁପେ କିସାନ କାର୍ଡ’ ପ୍ରଦାନ କରାଯାଇଥାଏ ଯାହା ଉଭୟ ଏଟିଏମ (ATM) ଓ ପିଓଏସ (POS) ମ୍ୟାସିନରେ କାମ କରିଥାଏ । ଫଳରେ ଜଣେ ଚାଷୀ ବ୍ୟାଙ୍କକୁ ନ ଯାଇ ଏଟିଏମ ବା ପିଓଏସରୁ ଟଙ୍କା ଉଠାଇ ପାରନ୍ତି ।
ଫସଲ ବୀମା (Crop Insurance)
ଚାଷରେ ବନ୍ୟା, ବାତ୍ୟା, ମରୁଡି ସହ ରୋଗ ପୋକ ଯୋଗୁ ହେଉଥିବା କ୍ଷୟକ୍ଷତିରେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଥାଏ ଓ ତା’ର ଭରଣା କରିବା ପାଇଁ ଦେଶରେ ‘ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା’ କାର୍ଯ୍ୟ କରୁଛି । ଏହି ଯୋଜନାରେ ବୀମାଯୋଗ୍ୟ ଚାଷ ପାଇଁ ଋଣ ନେଇଥିବା ସବୁ ଚାଷୀଙ୍କର ଫସଲ ବୀମା ହେବା ଅନିବାର୍ଯ୍ୟ ଓ ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କ ଉପରେ ନ୍ୟସ୍ତ ହୋଇଛି । ଏଥିପାଇଁ ବୀମା ପ୍ରିମିୟମ ବାବଦ ଦେୟ ମଧ୍ୟ ବ୍ୟାଙ୍କ ଚାଷୀଙ୍କୁ ଋଣ ଆକାରରେ ଦେଇଥାଏ । ଏତଦବ୍ୟତୀତ ଆଗ୍ରହୀ ଅଣ-ଋଣୀ ଚାଷୀ ମଧ୍ୟ ବ୍ୟାଙ୍କରେ ପ୍ରିମିୟମ ଦେୟ ଜମା କରି ନିଜ ଫସଲକୁ ବୀମା କରି ପାରିଥାଆନ୍ତି ।
ଯୌଥ ଦାୟ ଗୋଷ୍ଠୀ – ଜେଏଲଜି (Joint Liability Group)
ନିଜର ଚାଷ ଜମି ନ ଥିବାରୁ ସାଧାରଣତଃ ଭୂମିହୀନ ଚାଷୀ ଓ ଭାଗ ଚାଷୀମାନେ ଅନ୍ୟର ଜମି ଭାଗରେ ନେଇ ଚାଷ କରୁଥିଲେ ବି ଚାଷ ପାଇଁ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଥାଆନ୍ତି । ବାଧ୍ୟ ହୋଇ ମହାଜନଠାରୁ ବା ଅନ୍ୟ ସୂତ୍ରରୁ ଚଢା ସୁଧରେ ଋଣ ନେଇ ସେମାନେ ଶୋଷଣର ଶିକାର ହୋଇଥାଆନ୍ତି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ନାବାର୍ଡ ତରଫରୁ ଏସଏଚଜି ବ୍ୟବସ୍ଥା ଭଳି ଭାଗଚାଷୀମାନଙ୍କୁ ବ୍ୟାଙ୍କ ଋଣର ସୁବିଧା ଯୋଗାଇ ଦେବାକୁ ଏକ ଯୌଥ ଦାୟ ଗୋଷ୍ଠୀ – ଜେଏଲଜି ବ୍ୟବସ୍ଥାର ପ୍ରଚଳନ ହୋଇଛି । ପ୍ରତି ଗୋଷ୍ଠୀରେ ୪ରୁ ୧୦ ଜଣ ଲେଖାଏଁ ସଭ୍ୟ ସାମିଲ ହୋଇ ବ୍ୟାଙ୍କ ନିକଟରୁ ଜଣ ଜଣ କରି ହେଉ ବା ମିଳିତ ଭାବେ ଗୋଷ୍ଠୀ ଋଣ ନେବାକୁ ସକ୍ଷମ ହୋଇଥାଆନ୍ତି । ଏହି ଋଣ ଲାଗି ସବୁ ସଦସ୍ୟ ବ୍ୟକ୍ତିଗତ ଓ ମିଳିତ ଭାବେ ଜିମା ରହିଥାଆନ୍ତି ।
ସୁଧ ରିହାତି (Interest Subvention, Interest Incentive)
ଚାଷୀମାନଙ୍କୁ କମ୍ ସୁଧ ହାରରେ ଫସଲ ଋଣ ଯୋଗାଇ ଦେବା ପାଇଁ ଦେଶରେ ୨୦୦୬-୦୭ ମସିହାରୁ ଏକ ସୁଧ ସହାୟତା (Interest Subvention) ବ୍ୟବସ୍ଥା କାର୍ଯ୍ୟ କରି ଆସୁଛି, ଯାହା ଏବେ ବି ଚାଲୁ ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଉପରେ ବ୍ୟାଙ୍କମାନେ ଚାଷୀଙ୍କଠାରୁ ସର୍ବାଧିକ ୭ ପ୍ରତିଶତ ସୁଧ ଆଦାୟ କରି ପାରିବେ । ଉଲ୍ଲେଖଯୋଗ୍ୟ, ଏଥି ପୂର୍ବରୁ ବ୍ୟାଙ୍କମାନେ ଚାଷୀଙ୍କଠାରୁ ଚାଷ ଋଣ ଉପରେ ୧୨ ପ୍ରତିଶତ ବା ତା’ଠାରୁ ଅଧିକ ହାରରେ ବି ସୁଧ ଆଦାୟ କରୁଥିଲେ । ଏ ବାବଦରେ ବ୍ୟାଙ୍କମାନଙ୍କର ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ସରକାରଙ୍କ ତରଫରୁ ବ୍ୟାଙ୍କମାନଙ୍କୁ ୨ ପ୍ରତିଶତ ରାଶି ସୁଧ ସହାୟତା ବାବଦକୁ ଦିଆ ଯାଇଥାଏ । ସେହିପରି ଜଣେ ଚାଷୀ ଠିକ୍ ସମୟ ଭିତରେ ଚାଷ ଋଣ ପରିଶୋଧ କଲେ କେନ୍ଦ୍ର ସରକାରଙ୍କ ତରଫରୁ ତା’ ସୁଧ ବାବଦକୁ ଆଉ ୩ ପ୍ରତିଶତ ରାଶି ଶୀଘ୍ର ପରିଶୋଧ ପ୍ରୋତ୍ସାହନ (Prompt Repayment Incentive) ଭାବେ ଦିଆ ଯାଇଥାଏ । ଅର୍ଥାତ୍, ଠିକ୍ ସମୟରେ ପରିଶୋଧ କଲେ ଚାଷୀକୁ ଅବଶିଷ୍ଟ ୪ ପ୍ରତିଶତ ହାରରେ ସୁଧ ଦେବାକୁ ହୋଇଥାଏ । କେତେକ ରାଜ୍ୟ ସରକାର ଚାଷ ଋଣ ଉପରେ ସୁଧକୁ ଆହୁରି କମ କରିବା ପାଇଁ ଅଧିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଉଦାହରଣ ସ୍ୱରୂପ, ଓଡିଶା ରାଜ୍ୟ ସରକାର ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଉପରେ ୪ ପ୍ରତିଶତ ସୁଧ ପ୍ରୋତ୍ସାହନ (Interest Incentive) ଦେଉଥିବା ବେଳେ ୫୦ ହଜାରରୁ ଅଧିକ ଓ ୩ ଲକ୍ଷ ଟଙ୍କା ଯାଏଁ ଋଣ ପାଇଁ ୩ ପ୍ରତିଶତ ସୁଧ ପ୍ରୋତ୍ସାହନ ଦେଉଛନ୍ତି । ଅର୍ଥାତ୍, ଓଡିଶାରେ ୫୦ ହଜାର ଟଙ୍କା ଯାଏଁ ଚାଷ ଋଣ ନେଇ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀଟିଏକୁ କୌଣସି ସୁଧ ଦେବାକୁ ପଡୁ ନ ଥିଲା ବେଳେ ତା’ଠାରୁ ଅଧିକ (୩ ଲକ୍ଷ ଟଙ୍କା ଯାଏଁ) ଚାଷ ଋଣ ନେଇ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀଟିଏକୁ ମାତ୍ର ୧ ପ୍ରତିଶତ ସୁଧ ଦେବାକୁ ହେଉଛି ।
ଚାଷୀମାନେ ଉତ୍ପାଦିତ ଶସ୍ୟକୁ ତୁରନ୍ତ ଅଭାବୀ ବିକ୍ରି ନ କରି ମାନ୍ୟତା ପ୍ରାପ୍ତ ଗୋଦାମ ଘରେ ମହଜୁଦ ରଖି ସେହି ଗୋଦାମ ରସିଦ ବଦଳରେ ନେଇଥିବା ବ୍ୟାଙ୍କ ଋଣ ଉପରେ କେନ୍ଦ୍ର ସରକାର ବ୍ୟାଙ୍କମାନଙ୍କୁ ୨ ପ୍ରତିଶତ ସୁଧ ସହାୟତା (Interest Subvention) ପ୍ରଦାନ କରୁଛନ୍ତି, ଯଦ୍ଦ୍ୱାରା ବ୍ୟାଙ୍କ ଏହିପରି ଭାବେ ୬ ମାସ ଯାଏଁ ନିଆ ଯାଇଥିବା ଋଣ ଉପରେ ଚାଷୀଙ୍କଠାରୁ ସର୍ବାଧିକ ୭ ପ୍ରତିଶତ ସୁଧ ଆଦାୟ କରି ପାରିଥାଆନ୍ତି ।
କୃଷି ମିଆଦି ଋଣ - ଏଟିଏଲ (Agricultural Term Loan)
କୃଷିର ଆଧୁନିକୀକରଣ ପାଇଁ ଆବଶ୍ୟକ ହେଉଥିବା ଜଳସେଚନ, କୃଷି ଯାନ୍ତ୍ରିକୀକରଣ, ଜମି ମରାମତି ଓ ଆନୁଷଙ୍ଗିକ କୃଷି ଆଦି କାର୍ଯ୍ୟ ପାଇଁ ଯଥେଷ୍ଟ ପୁଞ୍ଜି ଦରକାର ହୋଇଥାଏ ଓ ସେହି ପୁଞ୍ଜିକୁ ବ୍ୟାଙ୍କମାନଙ୍କ ଦ୍ୱାରା କୃଷି ମିଆଦି ଋଣ ଆକାରରେ ଯୋଗାଇ ଦେବାର ସୁବିଧା ଥାଏ । ଏହି ପ୍ରକାର ଋଣର ପରିମାଣ ଯଥେଷ୍ଟ ଅଧିକ ହୋଇଥିବାରୁ ଓ ଏଥିରେ ସୃଷ୍ଟି ହୋଇଥିବା ସମ୍ପତିରୁ ଚାଷୀଟିଏ ଦୀର୍ଘ ଦିନ ଧରି ଆର୍ଥିକ ଲାଭ ପାଉଥିବାରୁ ଏହି ଋଣକୁ ଚାଷୀ ଅଧିକ କିସ୍ତିରେ (ସ୍ଥଳ ବିଶେଷରେ ୧୨ ବର୍ଷରୁ ଅଧିକ ସମୟ) ଶୁଝିବାକୁ ସୁଯୋଗ ପାଇଥାଏ । କେତେକ ନିବେଶରେ ଚାଷୀଟିଏ ତୁରନ୍ତ ଆର୍ଥିକ ଲାଭ ପାଉ ନ ଥିବାରୁ ବା ରୋଜଗାର କରିବାକୁ ସମର୍ଥ ହେଉ ନ ଥିବାରୁ ସେହି ନିବେଶରୁ ରୋଜଗାର ଆସିବା ଯାଏଁ, ଯାହାକୁ ଗର୍ଭଧାରଣ କାଳ (Gestation Period) କୁହା ଯାଇପାରେ, ତାକୁ ମହଲତ ଦିଆ ଯାଇଥାଏ, ଅର୍ଥାତ୍ ସେହି ସମୟରେ ତା’କୁ ଋଣ କିସ୍ତି ପରିଶୋଧ କରିବାକୁ ପଡି ନଥାଏ । ଏହି ଏଟିଏଲ ଋଣ କୃଷି କ୍ଷେତ୍ରରେ ପୁଞ୍ଜି ନିର୍ମାଣରେ ସହାୟକ ହୋଇଥାଏ ଓ ଏହା ନିମ୍ନଲିଖିତ ଉପ-କ୍ଷେତ୍ରଗୁଡିକର ବିଭିନ୍ନ କାର୍ଯ୍ୟ ପାଇଁ ଦିଆ ଯାଇଥାଏ । ଜଳ ସମ୍ବଳ (Water Resources) (କୂପ, ସାଲୋ ଟୁ୍ୟବେଓଲ, ବୋରେଓଲ, ପାଣିପମ୍ପ, ଡ୍ରିପ, ସ୍ପ୍ରିଙ୍କଲର ଇତ୍ୟାଦି), କୃଷି ଯାନ୍ତ୍ରିକୀକରଣ (Farm Mechanisation) (ଟ୍ରାକ୍ଟର, ପାଓ୍ୱାର ଟିଲର, କମ୍ୱାଇନ ହାର୍ଭେଷ୍ଟର, ଧାନରୁଆ ଯନ୍ତ୍ର ଇତ୍ୟାଦି), ବୃକ୍ଷରୋପଣ ଓ ଉଦ୍ୟାନ (Plantation & Horticulture) (ଆମ୍ବ, କଦଳୀ, ନଡିଆ, କାଜୁବାଦାମ, ଲେମ୍ବୁ, କମଳା ଇତ୍ୟାଦି ଚାଷ), ବନୀକରଣ ଓ ପତିତଭୂମି ବିକାଶ (Forestry and Wasteland Development) (ଶାଗୁଆନ, ସୁବାବୁଲ, ବାଉଁଶ ଇତ୍ୟାଦି), ପଶୁପାଳନ (Animal Husbandry) (ଗୋପାଳନ, ଛେଳି, ମେଣ୍ଢା, ଘୁଷୁରି, ଠେକୁଆ, କୁକୁଡା, ବତକ ପାଳନ, ମିଲ୍କ କୁଲର, ଇତ୍ୟାଦି), ମତ୍ସ୍ୟପାଳନ (Fisheries) (ନୂଆ ପୋଖରୀ ଖୋଳା, ପୁରୁଣା ପୋଖରୀର ପୁନରୁଦ୍ଧାର, ମାଛ ଯାଆଁଳା ଇତ୍ୟାଦି), ବଳଦ ଓ ଶଗଡ (Bullock and Bullock Cart) ଗୋଦାମ ଓ ବଜାର ସ୍ଥାନ ନିର୍ମାଣ (Construction of Storage and Market Yard), (ଶୀତଳ ଭଣ୍ଡାର, ପିଆଜ ଗୋଦାମ, ଗୋଦାମ ଘର, ବଜାର ସ୍ଥାନ ନିର୍ମାଣ ଇତ୍ୟାଦି), ଭୂ-ଉନ୍ନୟନ, ମୃତିକା ସଂରକ୍ଷଣ ଓ ଜଳଛାୟା ବିକାଶ (Land Development, Soil Conservation, Watershed Development) (ଜମି ମରାମତି, କ୍ଷେତ ପୋଖରୀ ଇତ୍ୟାଦି), କୃଷି ଭିତ୍ତିଭୂମି (Agriculture Infrastructure) (ବିହନ ଉତ୍ପାଦନ, ଜିଆ ଖତ, ଟିସୁ କଲଚର ଇତ୍ୟାଦି), କୃଷି ଆନୁଷଙ୍ଗିକ କାର୍ଯ୍ୟ (Agriculture Ancillary Activities), (ଆଗ୍ରି କ୍ଲିନିକ ଆଗ୍ରିବିଜନେସ ସେଣ୍ଟର, ଏମଏଫଆଇମାନଙ୍କୁ କୃଷିରେ ଲଗାଣ ପାଇଁ ଋଣ ଇତ୍ୟାଦି), ଖାଦ୍ୟ ଓ କୃଷି ପ୍ରକ୍ରିୟାକରଣ (Food and Agro Processing), (ଚାଉଳ କଳ, ଚାଉଳ ସେଲର, ଡାଲି କଳ, ଚୂଡା କଳ ଇତ୍ୟାଦି) । ଉପରୋକ୍ତ କାର୍ଯ୍ୟଗୁଡିକ ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟି କାର୍ଯ୍ୟ କେବଳ ବ୍ୟାଙ୍କ ଋଣ ନେଇ କରାଗଲେ ସେଥିପାଇଁ କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଦାନ (Subsidy)ର ପ୍ରାବଧାନ ଥାଏ, ଅନ୍ୟଥା ନୁହେଁ । ତେବେ ସେହି ସବସିଡି ରାଶିକୁ ଚାଷୀଙ୍କୁ ଆଗତୁରା ଦିଆ ନ ଯାଇ ତାକୁ ଶେଷ କିସ୍ତିଗୁଡିକରେ ସମାଯୋଜିତ (Adjust) କରାଯାଇଥାଏ, ଯାହାକୁ ବ୍ୟାକ୍-ଏଣ୍ଡେଡ ସବସିଡି (Back Ended Subsidy) ବୋଲି କୁହାଯାଏ ।
ଅନ୍ୟାନ୍ୟ ଋଣ
ଅର୍ଥର ତୁରନ୍ତ ଆବଶ୍ୟକତା ଥିବାରୁ ଅନେକ ଚାଷୀ ଅମଳ ସମୟରେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ଅଭାବୀ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥାଆନ୍ତି । ଏହାକୁ ପ୍ରତିହତ କରିବା ପାଇଁ ଚାଷୀମାନଙ୍କୁ ଅନ୍ୟ ଏକ ପ୍ରକାର ଋଣର ସୁବିଧା ଯୋଗାଇ ଦିଆଯାଇଥାଏ । ଏହି ବ୍ୟବସ୍ଥା ଅନୁଯାୟୀ ଚାଷୀ ତା’ର ଉତ୍ପାଦିତ ଶସ୍ୟକୁ ନ ବିକି ଏକ ମାନ୍ୟତାପ୍ରାପ୍ତ ଗୋଦାମ ଘରେ ଗଚ୍ଛିତ ରଖିଥାଏ ଓ ସେଠାରୁ ଏକ ଗୋଦାମ ରସିଦ ହାସଲ କରିଥାଏ । ଏହି ରସିଦ ବଦଳରେ ଚାଷୀକୁ ଗଚ୍ଛିତ ଶସ୍ୟ ମୂଲ୍ୟର ୭୫ ପ୍ରତିଶତ ଋଣ ଆକାରରେ ମିଳିଯାଏ । ବ୍ୟାଙ୍କ ନିକଟରୁ ମିଳୁଥିବା ଏହି ଋଣ ଉପରେ ୬ ମାସ ଯାଏଁ ମାତ୍ର ୭ ପ୍ରତିଶତ ସୁଧ ଲାଗିଥାଏ ଓ ଏହି ଋଣ ବ୍ୟବସ୍ଥାଟିକୁ ନିଗୋସିଏବଲ୍ ଗୋଦାମ ରସିଦ ବଦଳରେ ଋଣ (Loan Against Warehouse Receipt) କୁହାଯାଏ ।
କୃଷି ଋଣ ପ୍ରଦାନକାରୀ ବ୍ୟାଙ୍କ
୧୯୦୪ ଓ ୧୯୧୨ ମସିହାରେ ସମବାୟ ସମିତି ଆଇନ ପ୍ରଣୟନ ହେଲା ପରେ ଭାରତରେ ଆନୁଷ୍ଠାନିକ ଭାବେ କୃଷି ଋଣ ପ୍ରଦାନ କରିବା ପାଇଁ ଏକ ପ୍ରକାର ବାଟ ଫିଟିଗଲା । ପ୍ରାଥମିକ ଅବସ୍ଥାରେ କେବଳ ସମବାୟ ବ୍ୟାଙ୍କ ହିଁ ଚାଷ ଋଣ ଦେଉଥିଲେ । ୧୯୬୯ରେ ବ୍ୟାଙ୍କ ଜାତୀୟକରଣ ହେଲା ପରେ ବାଣିଜ୍ୟିକ ବ୍ୟାଙ୍କମାନେ ବି କୃଷି ଋଣ ଦେବାକୁ ଲାଗିଲେ । ୧୯୭୬ ମସିହାରେ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା ହେଲା ପରେ ଗ୍ରାମାଞ୍ଚଳରେ କୃଷି ଋଣ ଉପଲବ୍ଧ କରାଇବା ଲାଗି ଆଉ ଗୋଟିଏ ଅନୁଷ୍ଠାନର ଆବିର୍ଭାବ ହେଲା । ବର୍ତ୍ତମାନ ଦେଶରେ ମୁଖ୍ୟତଃ ଚାରି ପ୍ରକାର ବ୍ୟାଙ୍କ ମାଧ୍ୟମରେ କୃଷି ଋଣ ଉପଲବ୍ଧ ହେଉଛି । ସେଗୁଡିକ ହେଲା, ବାଣିଜ୍ୟିକ ବ୍ୟାଙ୍କ (Commercial Bank), ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (Regional Rural Bank), ସମବାୟ ବ୍ୟାଙ୍କ (Cooperative Bank) ଓ ଭୂ-ଉନ୍ନୟନ ବ୍ୟାଙ୍କ ବା ଏଲଡିବି । ବାଣିଜ୍ୟିକ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ସରକାରୀ ବ୍ୟାଙ୍କ (Public Sector Bank) ସହିତ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କମାନେ (Private Sector Bank) ମଧ୍ୟ ସାମିଲ । ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଥିଲା ବେଳେ ଗ୍ରାମ୍ୟ ବ୍ୟାଙ୍କ ଗୋଟିଏ ରାଜ୍ୟରେ ବା ରାଜ୍ୟ ଭିତରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାମ କରିଥାଆନ୍ତି । ବର୍ତ୍ତମାନ ଓଡିଶାରେ ଦୁଇଟି ଗ୍ରାମ୍ୟ ବ୍ୟାଙ୍କ – ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କାର୍ଯ୍ୟ କରୁଛନ୍ତି । ବାଣିଜ୍ୟିକ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କଗୁଡିକ କୃଷି ପାଇଁ ଉଭୟ ସ୍ୱଳ୍ପ ମିଆଦି ଚାଷ ଋଣ ଓ କୃଷି ମିଆଦି ଋଣ ବା ଏଟିଏଲ ପ୍ରଦାନ କରିଥାଆନ୍ତି । ଉଭୟ ବାଣିଜ୍ୟିକ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କ ଗାଁ ପାଖରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସାୟ ପ୍ରତିନିଧି (Business Correspondent) ବା ବ୍ୟାଙ୍କିଙ୍ଗ ପ୍ରତିନିଧି (Banking Correspondent) ନିଯୁକ୍ତ କରିଛନ୍ତି । ସମବାୟ ବ୍ୟାଙ୍କଗୁଡିକ ମୁଖ୍ୟତଃ ସ୍ୱଳ୍ପ ମିଆଦି ଚାଷ ଋଣ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲା ବେଳେ ଏଟିଏଲ ମଧ୍ୟ ପ୍ରଦାନ କରିଥାଆନ୍ତି । ଅନ୍ୟ ପକ୍ଷରେ ଭୂ-ଉନ୍ନୟନ ବ୍ୟାଙ୍କଗୁଡିକ କେବଳ କୃଷି ମିଆଦି ଋଣ ବା ଏଟିଏଲ ପ୍ରଦାନ କରିଥାଆନ୍ତି, ସ୍ୱଳ୍ପ ମିଆଦି ଚାଷ ଋଣ ଦେଇ ନ ଥାଆନ୍ତି । ଏତଦଭିନ୍ନ କିଛି କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ (Small Finance Bank), ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ (Non Banking Finance Company-NBFC) ଓ ମାଇକ୍ରୋଫାଇନାନ୍ସ ସଂସ୍ଥା (Micro Finance Institution-MFI) ମଧ୍ୟ କୃଷି ପାଇଁ ଋଣ ଦେଇଥାଆନ୍ତି । ସେହିପରି ବ୍ୟାଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ଋଣର ସିଂହଭାଗ କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଉଲ୍ଲେଖଯୋଗ୍ୟ, ଭୂମିହୀନ ବା ଭାଗଚାଷୀଙ୍କ ପରିବାରର ମହିଳାମାନେ ଏସଏଚଜି ମାଧ୍ୟମରେ ପାଉଥିବା ଋଣ ହିଁ ସେମାନଙ୍କ ଚାଷ ଋଣର ଅନ୍ୟତମ ମୁଖ୍ୟ ଉତ୍ସ ହୋଇଥାଏ ।
ସମବାୟ ବ୍ୟାଙ୍କ (Cooperative Bank)
ସମବାୟ ନୀତି ଓ ଆଦର୍ଶରେ ପରିଚାଳିତ ସମବାୟ ବ୍ୟାଙ୍କଗୁଡିକ କୃଷି ଋଣ ପ୍ରଦାନକୁ ପ୍ରାଥମିକତା ଦେଇଥାଆନ୍ତି । ଓଡିଶାରେ ସମବାୟ ବ୍ୟାଙ୍କ ବ୍ୟବସ୍ଥା ତ୍ରିସ୍ତରୀୟ (Three Tier) ହୋଇଥିଲା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ଦ୍ୱିସ୍ତରୀୟ (Two Tier) । ରାଜ୍ୟ ସ୍ତରରେ ରାଜ୍ୟ ସମବାୟ ବ୍ୟାଙ୍କ (State Cooperative Bank) କାମ କରୁଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (District Central Cooperative Bank) କାମ କରିଥାଏ । ବର୍ତ୍ତମାନ ଓଡିଶାରେ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବା ଡିସିସିବି କାମ କରୁଛନ୍ତି । ସ୍ଥଳ ବିଶେଷରେ ଗୋଟିଏ ଗୋଟିଏ ଡିସିସିବି ଏକାଧିକ ଜିଲ୍ଲାରେ କାମ କରୁଥିବା ବେଳେ କଟକ ଭଳି ଜିଲ୍ଲାରେ ଦୁଇଟି ଡିସିସିବି କାର୍ଯ୍ୟରତ । ସେହିପରି ଗ୍ରାମାଞ୍ଚଳରେ ପ୍ରାଥମିକ କୃଷି ସମବାୟ ସମିତି (Primary Agricultural Cooperative Society-PACS) କାମ କରୁଛନ୍ତି । ଓଡିଶାରେ ପାକ୍ସଗୁଡିକ ସଭ୍ୟମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ସେଗୁଡିକୁ ସେବା ସମବାୟ ସମିତି (Service Cooperative Society-SCS) ମଧ୍ୟ କୁହା ଯାଇଥାଏ । ପ୍ରତିଟି ପାକ୍ସର କାର୍ଯ୍ୟ କ୍ଷେତ୍ର ସୁନିର୍ଦ୍ଦିଷ୍ଟ ଓ ଏହା ଏକ ବା ଏକାଧିକ ଗାଁକୁ ନେଇ ଗଠିତ । ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡିକରେ ଅବସ୍ଥିତ ସମବାୟ ସମିତିଗୁଡିକୁ ପାକ୍ସ ନ କହି ଲ୍ୟାମ୍ପସ (Large sized Adivasi Multipurpose Cooperative Society -LAMPCS) କୁହା ଯାଇଥାଏ । ପାକ୍ସ ତୁଳନାରେ ଲ୍ୟାମ୍ପସଗୁଡିକର କାର୍ଯ୍ୟକ୍ଷେତ୍ର ଯଥେଷ୍ଟ ବଡ । ଏଗୁଡିକ ଲଘୁ ବନଜାତ ଦ୍ରବ୍ୟର କିଣାବିକା ସହ ମଧ୍ୟ ସମ୍ବନ୍ଧିତ ଥାଆନ୍ତି । କେତେକ ସ୍ଥାନରେ କୃଷକ ସେବା ସମବାୟ ସମିତି (Farmers’ Service Cooperative Society - FSCS) ମଧ୍ୟ ଅଛି । ଏଗୁଡିକର କାର୍ଯ୍ୟକ୍ଷେତ୍ର ପାକ୍ସ ତୁଳନାରେ ଅପେକ୍ଷାକୃତ ବଡ । କୃଷି ଋଣ ଭିନ୍ନ ଏଗୁଡିକ ଚାଷୀମାନଙ୍କୁ ଟ୍ରାକ୍ଟର, ବିଭିନ୍ନ କୃଷି ଉପକରଣ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେଇଥାଆନ୍ତି । ଏହି ତିନୋଟି ସ୍ତରର ସମବାୟ ବ୍ୟାଙ୍କଗୁଡିକର ପରିଚାଳନା ଅଲଗା ଅଲଗା ନିର୍ବାଚିତ ନିର୍ଦେ vଶକ ମଣ୍ଡଳୀ (Board of Directors)ଙ୍କ ଦ୍ୱାରା ହୋଇଥାଏ, ଯେଉଁଥିରେ ସମ୍ପୃକ୍ତ ବୋର୍ଡର ସଭାପତି ଅଧ୍ୟକ୍ଷତା କରିଥାଆନ୍ତି । ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମ୍ୟାନେଜିଂ ଡିରେକ୍ଟର ଭାବେ ପରିଚିତ ହେଉଥିବା ବେଳେ ଜିଲ୍ସା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଇଓ ଭାବେ ପରିଚିତ । ସେହିପରି ପାକ୍ସରେ ସେକ୍ରେଟେରୀ ଓ ଲ୍ୟାମ୍ପସରେ ଏମ.ଡି. ଥାଆନ୍ତି । ପ୍ରତି ପାକ୍ସ ଓ ଲ୍ୟାମ୍ପସରେ ସେହି ଅଞ୍ଚଳର ଅଧିବାସୀ ଅଂଶଧନ ଜମା କରି ସଦସ୍ୟତା ଗ୍ରହଣ କରିଥାଆନ୍ତି । ପାକ୍ସରୁ ଋଣ ପାଇବା ପାଇଁ ଏହାର ସଦସ୍ୟତା ଅନିବାର୍ଯ୍ୟ ହୋଇଥାଏ ।
ଭୂ-ଉନ୍ନୟନ ବ୍ୟାଙ୍କ (Land Development Bank)
ଭୂ-ଉନ୍ନୟନ ବ୍ୟାଙ୍କଗୁଡିକ ମଧ୍ୟ ସମବାୟ ନୀତି ଓ ଆଦର୍ଶରେ ପରିଚାଳିତ । ଏହି ବ୍ୟାଙ୍କଗୁଡିକ ଦ୍ୱି-ସ୍ତରୀୟ ହୋଇଥାଆନ୍ତି : ସବଡିଭିଜନ ବା ବ୍ଲକ ସ୍ତରରେ ପ୍ରାଥମିକ ଭୂ-ଉନ୍ନୟନ ବ୍ୟାଙ୍କ (Primary Land Development Bank- PLDB) ଓ ରାଜ୍ୟ ସ୍ତରରେ ରାଜ୍ୟ ଭୂ-ଉନ୍ନୟନ ବ୍ୟାଙ୍କ (State Land Development Bank - SLDB) । ଓଡିଶାରେ ଏହି ବ୍ୟାଙ୍କ ରାଜ୍ୟ ସ୍ତରରେ ଓସକାର୍ଡ ବ୍ୟାଙ୍କ (OSCARD Bank) ଓ ସବଜିଭିଜନ ସ୍ତରରେ କାର୍ଡ ବ୍ୟାଙ୍କ (CARD Bank) ଭାବେ ପରିଚିତ । ଏବେ ଓଡିଶାରେ ଭୂ-ଉନ୍ନୟନ ବ୍ୟାଙ୍କ ବ୍ୟବସ୍ଥାଟି ନିଷ୍କ୍ରିୟ ହୋଇ ପଡିଥିବାରୁ ଏହା କୌଣସି କୃଷି ଋଣ ଦେବାକୁ ଅସମର୍ଥ ।
ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (National Bank for Agriculture and Rural Development)
ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ବା ନାବାର୍ଡ ଦେଶର ଏକ ଶୀର୍ଷ ସ୍ଥାନୀୟ ବିକାଶମୂଳକ ଆର୍ଥିକ ଅନୁଷ୍ଠାନ (Development Financial Institution) । ନାବାର୍ଡ ଉପରେ ଦେଶରେ କୃଷି ଋଣ ଓ ଗ୍ରାମାଞ୍ଚଳରେ ଅନ୍ୟାନ୍ୟ ଅର୍ଥନୈତିକ ଗତିବିଧି ପାଇଁ ନୀତି ପ୍ରଣୟନ, ଯୋଜନା ପ୍ରସ୍ତୁତ ଓ କ୍ରିୟାନ୍ୱୟନର ଗୁରୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ଗ୍ରାମାଞ୍ଚଳରେ କୃଷି ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଉତ୍ପାଦନ ଋଣ (Production Credit) ଓ ନିବେଶ ଋଣ (Investment Credit) ଦେଉଥିବା ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଙ୍କ ପାଇଁ ଏହା ଏକ ଶିଖର ଋଣ ପ୍ରଦାନକାରୀ ସଂସ୍ଥା (Apex Financing Institution) ଭାବେ କାର୍ଯ୍ୟ କରିଥାଏ । କୃଷି ସମେତ ଅନ୍ୟ ଆର୍ଥିକ ଗତିବିଧିରେ ଋଣ ପ୍ରଦାନକୁ ପ୍ରୋତ୍ସାହିତ କରିବା ଲାଗି ନାବାର୍ଡ ବ୍ୟାଙ୍କଗୁଡିକୁ ପୁନର୍ବିତ୍ତ ସହାୟତା (Refinance) ଯୋଗାଇ ଦେଇଥାଏ । ବ୍ୟାଙ୍କମାନଙ୍କର ଋଣ ଗ୍ରହଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ନାବାର୍ଡ ଆବଶ୍ୟକୀୟ ଅନୁଷ୍ଠାନ ନିର୍ମାଣ (Institution Building) ପଦକ୍ଷେପମାନ ଗ୍ରହଣ କରିଥାଏ । କୃଷି ଓ ଗ୍ରାମ୍ୟ ବିକାଶ ପାଇଁ ଋଣ ପ୍ରଦାନକୁ ବ୍ୟବସ୍ଥିତ ଭାବେ କରିବା ଲାଗି ଏହା ତୃଣମୂଳ ସ୍ତରରେ ଥିବା ବ୍ୟାଙ୍କ ଓ ଉପର ସ୍ତରରେ ଥିବା ନୀତି ନିର୍ଦ୍ଧାରଣକାରୀ କେନ୍ଦ୍ର ସରକାର, ରାଜ୍ୟ ସରକାର, ରିଜର୍ଭ ବ୍ୟାଙ୍କ ଓ ଅନ୍ୟାନ୍ୟ ଶୀର୍ଷ ସ୍ଥାନୀୟ ଅନୁଷ୍ଠାନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ । କୃଷି ଓ ଗ୍ରାମାଞ୍ଚଳର ଅନ୍ୟାନ୍ୟ ଆର୍ଥିକ ଗତିବିଧି ପାଇଁ ଋଣ ଯୋଜନା (Credit Planning) ପ୍ରସ୍ତୁତ କରିବାରେ ନାବାର୍ଡ ଏକ ବଡ ଭୂମିକା ନିର୍ବାହ କରିଥାଏ । ସେହିପରି ସମବାୟ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କଗୁଡିକର ନିୟନ୍ତ୍ରକ (Regulator) ଭାବେ ଏଗୁଡିକର ପର୍ଯ୍ୟବେକ୍ଷଣ (Supervision) ଦାୟିତ୍ୱ ନାବାର୍ଡ ଉପରେ ନ୍ୟସ୍ତ ଥାଏ । ପ୍ରାୟ ପ୍ରତି ରାଜ୍ୟରେ ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟମାନ ରହିଥିବା ବେଳେ ଜିଲ୍ଲା ସ୍ତରରେ ନାବାର୍ଡର ଜିଲ୍ଲା ବିକାଶ ପ୍ରବନ୍ଧକ ବା ଡିଡିଏମ (District Development Manager -DDM) ଅବସ୍ଥାପିତ ।
ଅନ୍ୟାନ୍ୟ ସେବା (Other Services)
ଚାଷୀମାନଙ୍କ ଲାଗି ବ୍ୟାଙ୍କ ସେବା ଆଉ କେବଳ ଋଣ ପ୍ରଦାନ ଯାଏଁ ସୀମିତ ହୋଇ ରହିନାହିଁ । ଆର୍ଥିକ ସମାବେଶୀକରଣ (Financial Inclusion)ର ଆବଶ୍ୟକତା ଅନୁସାରେ ପ୍ରତିଟି ଚାଷୀ ବ୍ୟାଙ୍କ ନିକଟରୁ ଚାରି ପ୍ରକାର ସେବା ; ସଞ୍ଚୟ (Savings), ଋଣ (Credit), ଅର୍ଥ ପ୍ରେରଣ (Remittance) ଓ ବୀମା (Insurance) ପାଇ ପାରୁଛନ୍ତି । ଏଥି ମଧ୍ୟରୁ ବ୍ୟାଙ୍କ ଋଣ ସେବା ସମ୍ପର୍କରେ ଉପରେ ବର୍ଣ୍ଣିତ ହୋଇଛି ।
ସଂଚୟ (Savings)
କିଶାନ କ୍ରେଡିଟ କାର୍ଡ ପରି ପ୍ରତି ଚାଷୀଙ୍କର ଗୋଟିଏ ବ୍ୟାଙ୍କ ସଞ୍ଚୟ ଖାତା ରହିବା ଦରକାର ବୋଲି ଅନୁଭୂତ ହୋଇ ବ୍ୟାଙ୍କ ସମସ୍ତଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ ମାଧ୍ୟମରେ ଆକାଉଣ୍ଟ ଖୋଲିବା ସୁବିଧା ଯୋଗାଇ ଦେଉଛି । ଏଥି ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଚାଷୀମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ଆର୍ଥିକ ସହାୟତା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (Direct Benefit Transfer -DBT) ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ, ଆଧାର ଓ ମୋବାଇଲ ବା ଜାମ (Jandhan, Aadhar, Mobile -JAM) ସହ ସଂଯୁକ୍ତ ହେବା ଉପରେ ଗୁରୁତ୍ୱ ଦିଆଯାଉଛି । ଫଳରେ ଆଧାର ନମ୍ବରକୁ ଭିତ୍ତି କରି ହିତାଧିକାରୀଙ୍କ ସଠିକ ଚିହ୍ନଟ ହୋଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ପରେ ତୁରନ୍ତ ତାଙ୍କ ମୋବାଇଲରେ ମ୍ୟାସେଜ ପହଞ୍ଚି ଯାଇପାରୁଛି । ଏହି ଡିଜିଟାଲ ପ୍ରଦାନ ପ୍ରକ୍ରିୟାଟିକୁ ଭାରତୀୟ ଜାତୀୟ ପ୍ରଦାନ କର୍ପୋରେସନ (National Payments Corporation of India -NPCI) ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ (National Automated Clearing House) ଜରିଆରେ ସୁଚାରୁ ରୂପେ ପରିଚାଳନା କରିଥାଆନ୍ତି । ସେହିପରି ପ୍ରତି ଜନଧନ ଆକାଉଣ୍ଟର ଖାତାଧାରୀଙ୍କୁ ଗୋଟିଏ ‘ରୁପେ ଡେବିଟ କାର୍ଡ’ ଦିଆଯାଉଛି ଯାହାକୁ ସେ ଯେ କୌଣସି ଏଟିଏମରେ ବ୍ୟବହାର କରି ଟଙ୍କା ଉଠାଇ ପାରିଥାଆନ୍ତି ।
ଅର୍ଥ ପ୍ରେରଣ (Remittance)
ବ୍ୟାଙ୍କ ଡ୍ରାଫ୍ଟ, ଏନଇଏଫଟି ଆଦି ମାଧ୍ୟମରେ ଅଳ୍ପ ସମୟରେ ଓ କମ ଖର୍ଚ୍ଚରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟଙ୍କା ପଠାଇବା (Remittance) ଲାଗି ବ୍ୟାଙ୍କ ଏକ ନିର୍ଭରଯୋଗ୍ୟ ଓ ନିରାପଦ ଅନୁଷ୍ଠାନ । ଚାଷ ଓ ଅନ୍ୟାନ୍ୟ ଆବଶ୍ୟକତା ଲାଗି ଚାଷୀମାନଙ୍କୁ ବାହାର ବଜାର ସହ ସମ୍ପର୍କ ରଖିବାକୁ ପଡୁଥିବାରୁ ବ୍ୟାଙ୍କର ଏହି ସେବାଟି ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଆଗାମୀ ଦିନରେ ଚାଷୀମାନେ ଇ-ଟ୍ରେଡିଙ୍ଗ ମଞ୍ଚକୁ ବ୍ୟବହାର କରି ସେମାନଙ୍କ ଉତ୍ପାଦିତ ଫସଲ କିଣାବିକା କରିବାକୁ ଲାଗିଲେ ଏହି ରେମିଟାନ୍ସ ସେବା ଏକ ପ୍ରକାର ଅନିବାର୍ଯ୍ୟ ହୋଇ ପଡିବ ।
ବୀମା (Insurance)
ବ୍ୟାଙ୍କମାନେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବୀମା କମ୍ପାନୀ ସହ ସହଭାଗିତାରେ ଗ୍ରାହକଙ୍କୁ ଉଭୟ ଜୀବନ ବୀମା ଓ ସାଧାରଣ ବୀମା ସେବା ଯୋଗାଇ ଦେଇଥାଆନ୍ତି, ଯାହାକୁ ବ୍ୟାଙ୍କ ଆସ୍ୟୁରାନ୍ସ (Bank Assurance) କୁହା ଯାଇଥାଏ ।
ଋଣ ଯୋଜନା (Credit Planning)
କୃଷି ଋଣ ଦେବା ପାଇଁ ବ୍ୟାଙ୍କମାନଙ୍କର ପୁଞ୍ଜିର ଆବଶ୍ୟକତା ଥାଏ ଓ ଉପଲବ୍ଧ ପୁଞ୍ଜି ସୀମିତ ହୋଇଥିବାରୁ ଏହା ବ୍ୟାଙ୍କମାନଙ୍କ ପାଇଁ ଅମୂଲ୍ୟ । ତେଣୁ ସରକାରଙ୍କ ପ୍ରାଥମିକତା, ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦିଆ ଯାଉଥିବା ପ୍ରୋତ୍ସାହନ ଆଦିକୁ ଧ୍ୟାନରେ ରଖି ଏକ ଯୋଜନାବଦ୍ଧ ଢଙ୍ଗରେ ଋଣ ପ୍ରଦାନ କରାଗଲେ ସେହି ପୁଞ୍ଜିର ଉଚିତ ବିନିଯୋଗ ହେବା ସହିତ କୃଷି ଋଣ ଆବଶ୍ୟକୀୟ ଦିଗ ଓ ବେଗ ପାଇଥାଏ । ତେଣୁ ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନ ପୂର୍ବରୁ ଋଣ ଯୋଜନା ପ୍ରସ୍ତୁତ ହେବା ବାଞ୍ଛନୀୟ ଓ ତାହା ହୋଇଥାଏ ମଧ୍ୟ । ତେବେ ସାମଗ୍ରୀକ ଭାବେ ବ୍ଲକଠାରୁ ଜିଲ୍ଲା ଓ ରାଜ୍ୟ ପର୍ଯ୍ୟନ୍ତ ଏହି ଯୋଜନା ପ୍ରସ୍ତୁତ ହେବାର ଆବଶ୍ୟକତା ଥିବାରୁ ତାହା ନାବାର୍ଡ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଓ ଏସଏଲବିସିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
ସମ୍ଭାବନାଯୁକ୍ତ ଋଣ ଯୋଜନା (Potential Linked Credit Planning - PLP) ଓ ରାଜ୍ୟ ଫୋକସ ପେପର (State Focus Paper)
ପ୍ରତି ଜିଲ୍ଲାରେ ଥିବା ଋଣ ସମ୍ଭାବନାକୁ ବିଷଦ୍ ଭାବରେ ବର୍ଣ୍ଣନା (Credit Mapping) କରି ସନ୍ତୁଳିତ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେହି ଜିଲ୍ଲା ଦାୟିତ୍ୱରେ ଥିବା ନାବାର୍ଡ ଡିଡିଏମଙ୍କ ଦ୍ୱାରା ପ୍ରତି ବର୍ଷ ଏକ ସମ୍ଭାବନାଯୁକ୍ତ ଋଣ ଯୋଜନା (Potential Linked Credit Planning - PLP) ପୁସ୍ତକ ପ୍ରସ୍ତୁତ ହୋଇଥାଏ । ଆଗାମୀ ଆର୍ଥିକ ବର୍ଷ ଲାଗି ପିଏଲପି ପୂର୍ବ ବର୍ଷ ନଭେମ୍ବର ସୁଦ୍ଧା ପ୍ରକାଶିତ ହୋଇ ସାରିଥାଏ । ଏହାର ପ୍ରସ୍ତୁତି ବେଳେ ଜିଲ୍ଲା ପ୍ରଶାସନ, ବିଭିନ୍ନ କ୍ରିୟାନ୍ୱୟନକାରୀ ବିଭାଗ, ବ୍ୟାଙ୍କ, ଚାଷୀ ଓ ଅନ୍ୟମାନେ କିପରି ଜିଲ୍ଲାର ବିକାଶ ଧାରା ସହ ଅଧିକ ସଂଶ୍ଳିଷ୍ଟ ହୋଇ ପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆ ଯାଇଥାଏ । ପିଏଲପିରେ ସ୍ଥାନିତ ପ୍ରତିଟି କ୍ଷେତ୍ରର ଋଣ ସମ୍ଭାବନାକୁ ଆକଳନ କଲା ବେଳେ ସେହି କ୍ଷେତ୍ରରେ ଥିବା ସମ୍ଭାବନା, ଭିତ୍ତିଭୂମି, ସରକାରଙ୍କ ନୀତି, ପ୍ରାଥମିକତା, ପ୍ରୋତ୍ସାହନ ଆଦି ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ କର୍ତୃପକ୍ଷଙ୍କ ସହ ସୁବିସ୍ତୃତ ଆଲୋଚନା କରା ଯାଇଥାଏ ଓ ତାହା ନାବାର୍ଡର ସମ୍ପୃକ୍ତ ବୈଷୟିକ ବିଶେଷଜ୍ଞଙ୍କ ସ୍ୱୀକୃତି ହାସଲ କରିଥାଏ ମଧ୍ୟ । ପିଏଲପି ପ୍ରସ୍ତୁତିର ମୂଳ ଲକ୍ଷ୍ୟ ହେଲା ବିକାଶ ଯୋଜନା ପ୍ରକ୍ରିୟା (Development Planning Process) ସହ ଋଣ ଯୋଜନା ପ୍ରକ୍ରିୟା (Credit Planning Process)କୁ ସଂଯୁକ୍ତ କରାଇବା । ଏଥିରେ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନ ବୃଦ୍ଧିରେ ବାଧକ ସାଜୁଥିବା ଜରୁରୀ ଭିତିଭୂମିର ଅଭାବକୁ ଚିହ୍ନିତ କରାଯାଇ ତା’କୁ ଦୂର କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ପରାମର୍ଶ ଦିଆ ଯାଇଥାଏ । ଜିଲ୍ଲାର ବିକାଶ ପ୍ରକ୍ରିୟାରେ ସମ୍ବନ୍ଧିତ ପ୍ରତ୍ୟେକ ଅଂଶୀଦାରଙ୍କ ଲାଗି ପିଏଲପି ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତିକା ହୋଇଥିବା ବେଳେ ଏହା ଋଣ ପ୍ରଦାନ, ବିଶେଷ କରି କୃଷି ଋଣ ପ୍ରଦାନକୁ, ଦିଗ ଓ ବେଗ ପ୍ରଦାନ କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥାଏ ।
ଜିଲ୍ଲାଗୁଡିକରେ ପ୍ରସ୍ତୁତ ପିଏଲପିରେ ଦର୍ଶା ଯାଇଥିବା ଋଣ ଆକଳନକୁ ଏକତ୍ର କରି ରାଜ୍ୟ ଲାଗି ନାବାର୍ଡ ଏକ ଋଣ ଯୋଜନା ପ୍ରସ୍ତୁତ କରିଥାଏ, ଯାହା ରାଜ୍ୟ ଫୋକସ ପେପର (State Focus Paper) ପୁସ୍ତିକାରେ ପ୍ରକାଶ ପାଇଥାଏ । ପ୍ରତି ବର୍ଷ ଜାନୁଆରୀ ମାସରେ ଏକ ରାଜ୍ୟସ୍ତରୀୟ ଋଣ ଆଲୋଚନାଚକ୍ର (State Credit Seminar)ରେ ଏହି ପୁସ୍ତିକାଟିକୁ ରାଜ୍ୟ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କମାନଙ୍କ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯିବା ସହ ଯେଉଁ ସବୁ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେଗୁଡିକ ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରା ଯାଇଥାଏ ।
ଜିଲ୍ଲା ଋଣ ଯୋଜନା (District Credit Plan) ଓ ରାଜ୍ୟ ବାର୍ଷିକ ଋଣ ଯୋଜନା (State Annual Credit Plan)
ଜିଲ୍ଲା ବିକାଶ ଯୋଜନା ଓ ଜାତୀୟ ତଥା ରାଜ୍ୟ ପ୍ରାଥମିକତାଗୁଡିକୁ ଦୃଷ୍ଟିରେ ରଖି ଓ ନାବାର୍ଡ ଦ୍ୱାରା ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ପିଏଲପିକୁ ଆଧାର କରି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକଙ୍କ ଦ୍ୱାରା ପ୍ରତି ବର୍ଷ ଏକ ଜିଲ୍ଲା ଋଣ ଯୋଜନା ପ୍ରସ୍ତୁତ କରା ଯାଇଥାଏ । ସମ୍ପୃକ୍ତ ଜିଲ୍ଲାରେ ଥିବା ପ୍ରାକୃତିକ ସମ୍ପଦ, ପ୍ରଧାନ ଅର୍ଥନୈତିକ ଗତିବିଧି ଓ ସେଗୁଡିକର ବିକାଶର ସମ୍ଭାବନାକୁ ଆଖିରେ ରଖି ସର୍ବୋତମ ବିକାଶ କୌଶଳ ନିର୍ଦ୍ଧାରିତ ହୋଇ ଜିଲ୍ଲା ଋଣ ଯୋଜନା ତିଆରି ହୋଇଥାଏ । ଏଥିରେ ପ୍ରତିଟି କ୍ଷେତ୍ର, ଉପ-କ୍ଷେତ୍ର ଓ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହେବା ସହ ବ୍ଲକଓାରୀ ଓ ବ୍ୟାଙ୍କଓାରୀ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରା ଯାଇଥାଏ । ଏହି ଋଣ ଯୋଜନା ପ୍ରସ୍ତୁତିରେ ବ୍ୟାଙ୍କ ଶାଖା ଓ ନିୟନ୍ତ୍ରକମାନଙ୍କ ସହିତ ବିଚାର ଆଲୋଚନା କରାଯାଇଥାଏ । ଶାଖାମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଖା ଋଣ ଯୋଜନାଗୁଡିକ ୩୧ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଥାଏ । ଏକ ସ୍ୱତନ୍ତ୍ର ବ୍ଲକସ୍ତରୀୟ ବିଏଲବିସି (Block Level Bankers’ Committee) ବୈଠକରେ ଶାଖା ଋଣ ଯୋଜନାଗୁଡିକ ଆଲୋଚନା ହୋଇ ସେଗୁଡିକୁ ଏକତ୍ର କରି ଏକ ବ୍ଲକ୍ ଋଣ ଯୋଜନା ପ୍ରସ୍ତୁତ ହୋଇଥାଏ । ସବୁ ବ୍ଲକ ଦ୍ୱାରା ପ୍ରସ୍ତୁତ ଯୋଜନାଗୁଡିକୁ ଏକତ୍ର କରି ଜିଲ୍ଲା ଋଣ ଯୋଜନା ୨୮ ଫେବୃଆରୀ ସୁଦ୍ଧା ପ୍ରସ୍ତୁତ ହୋଇଥାଏ । ତାହା ଜିଲ୍ଲା ପରାମର୍ଶ କମିଟି ବା ଡିସିସିର ସ୍ୱୀକୃତି ପାଇଲା ପରେ ୧ ଅପ୍ରେଲ ସୁଦ୍ଧା ଲୋକାର୍ପିତ ହୋଇ କାର୍ଯ୍ୟ କରିବା ଆରମ୍ଭ କରିଥାଏ । ସେହିପରି ରାଜ୍ୟର ସବୁ ଜିଲ୍ଲାର ଋଣ ଯୋଜନାଗୁଡିକୁ ଏକତ୍ର କରି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (State Level Bankers’ Committee - SLBC)ଙ୍କ ଦ୍ୱାରା ରାଜ୍ୟ ପାଇଁ ଏକ ବାର୍ଷିକ ଋଣ ଯୋଜନା ପ୍ରସ୍ତୁତ ହୋଇଥାଏ । ଏହି ଯୋଜନା ଓ ନାବାର୍ଡ ଦ୍ୱାରା ପ୍ରସ୍ତୁତ ରାଜ୍ୟ ଫୋକସ ପେପରର ଆକଳନ ମଧ୍ୟରେ ସମନ୍ୱୟ ରକ୍ଷା କରା ଯାଇଥାଏ ।
ଋଣ ସମୀକ୍ଷା (Credit Monitoring)
ପ୍ରତିଟି ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଓ ଅନ୍ୟ ନିୟନ୍ତ୍ରକଙ୍କ ଦ୍ୱାରା ଶାଖା ସ୍ତରରେ ଋଣ ଲକ୍ଷ୍ୟ ହାସଲ ହେଉଛି କି ନାହିଁ, ତାହା ନିୟମିତ ଭାବେ ସମୀକ୍ଷା ହୋଇଥାଏ । ବ୍ୟାଙ୍କମାନଙ୍କରେ କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଚଳନ ପରଠାରୁ ଶାଖାମାନଙ୍କର କାର୍ଯ୍ୟର ସମୀକ୍ଷା ପ୍ରଧାନ କାର୍ଯ୍ୟାଳୟ ସ୍ତରରୁ ମଧ୍ୟ ହୋଇପାରୁଛି । ବ୍ଲକ ସ୍ତରରେ ଋଣ ସମୀକ୍ଷା ଦାୟିତ୍ୱ ବ୍ଲକସ୍ତରୀୟ ବ୍ୟାଙ୍କର୍ସ କମିଟି (BLBC) ଦ୍ୱାରା ପ୍ରତି ତିନି ମାସରେ ଥରେ କରାଯାଇଥାଏ । ଏଥିରେ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନରେ ଅଗ୍ରଗତି ସହ ବ୍ୟାଙ୍କ ଶାଖାଓାରୀ ପ୍ରଦର୍ଶନର ମଧ୍ୟ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରା ହୋଇଥାଏ । ତେବେ ଜିଲ୍ଲା ସ୍ତରରେ ଋଣ ସମୀକ୍ଷା କରିବା ଦାୟିତ୍ୱ ଏକ ଜିଲ୍ଲା ପରାମର୍ଶ କମିଟି ବା ଡିସିସି (District Consultative Committee - DCC) ଉପରେ ନ୍ୟସ୍ତ ଥାଏ । ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (LDM) ଏହାର ଆବାହକ ଥିବା ବେଳେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିଥାଏ । ଏହି ବୈଠକ ଲାଗି ପ୍ରସ୍ତୁତ ହେଉଥିବା ବିଷୟସୂଚୀ ଟୀକା (Agenda Note)ରୁ ଅନେକ ତଥ୍ୟ ମିଳି ପାରିଥାଏ । ଏଥିରେ କୃଷି ଓ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନରେ ଅଗ୍ରଗତି ସହ ବ୍ୟାଙ୍କଓ୍ୱାରୀ ପ୍ରଦର୍ଶନର ମଧ୍ୟ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରା ହୋଇଥାଏ । ସେହିପରି ରାଜ୍ୟ ସ୍ତରରେ ଏସଏଲବିସି ଦ୍ୱାରା ଏହି ସମୀକ୍ଷା ପ୍ରତି ତିନି ମାସରେ ଥରେ କରାଯାଇଥାଏ । ଏହି ଏସଏଲବିସି ବୈଠକ ଲାଗି ପ୍ରସ୍ତୁତ ହେଉଥିବା ଏଜେଣ୍ଡା ନୋଟରୁ କୃଷି ଓ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନରେ ଅଗ୍ରଗତି ସହ ବ୍ୟାଙ୍କଓ୍ୱାରୀ ପ୍ରଦର୍ଶନର ଅନେକ ତଥ୍ୟ ମିଳି ପାରିଥାଏ । ଏହି ସମସ୍ତ ତଥ୍ୟ ଏସଏଲବିସିର ଓ୍ୱେବସାଇଟରେ ମଧ୍ୟ ଉପଲବ୍ଧ ଥାଏ । ଏତଦଭିନ୍ନ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତିର କ୍ରିୟାନ୍ୱୟନକୁ ସୁଗମ କରାଇବା ଦାୟିତ୍ୱ ମଧ୍ୟ ଏସଏଲବିସିର ହୋଇଥାଏ ।
ବ୍ୟାଙ୍କ ଏକ ବ୍ୟାବସାୟିକ ଅନୁଷ୍ଠାନ ହୋଇଥିବାରୁ ଏହା ଗ୍ରାହକ ଓ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଲେ ଏହାର ଅଗ୍ରଗତି ସମ୍ଭବପର ହୋଇଥାଏ । ବିଗତ ଦିନମାନଙ୍କରେ ସ୍ଥଳ ବିଶେଷରେ ଚାଷୀ ଓ ବ୍ୟାଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଉଛି, ଯାହା ଉଭୟଙ୍କ ପାଇଁ କ୍ଷତିକାରକ । ଏହି ଅବିଶ୍ୱାସର ଏକ ମୁଖ୍ୟ କାରଣ ହେଲା ଅନେକ ଚାଷୀଙ୍କ ମଧ୍ୟରେ ବ୍ୟାଙ୍କ ସେବା ଓ ତା’ର ଉପଯୋଗିତାକୁ ନେଇ ସଚେତନତା ଓ ମନୋଭାବର ଅଭାବ । ଏହି ସଚେତନତା ଅଭାବରୁ ଅଧିକାଂଶ ଚାଷୀଙ୍କୁ କିଶାନ କ୍ରେଡିଟ କାର୍ଡ ଦିଆ ସରିଥିଲେ ବି ଅନେକେ ସେଗୁଡିକୁ ଏ ଯାଏଁ ବ୍ୟବହାର କରୁନାହାନ୍ତି । ବ୍ୟବହାର କରୁଥିବା ଅନେକେ ସେମାନଙ୍କ ଆବଶ୍ୟକତାନୁସାରେ ଟଙ୍କା ନ ଉଠାଇ ଏକକାଳୀନ ଋଣ ଟଙ୍କା ଉଠାଇ ନେଉଛନ୍ତି, ଯାହା ଫଳରେ ସେହି ଟଙ୍କା ଅନ୍ୟ କାମରେ ଖର୍ଚ୍ଚ ହୋଇଯାଇ ଆବଶ୍ୟକ ବେଳେ ହଇରାଣ ହେଉଛନ୍ତି ଓ ସେମାନଙ୍କୁ ଅଧିକ ସୁଧ ଗଣିବାକୁ ପଡୁଛି । ନିଜର ଏଟିଏମ ବ୍ୟବସ୍ଥା ନ ଥିବାରୁ ବା ସୁଦୃଢ ହୋଇ ନ ଥିବାରୁ କିଛି ବ୍ୟାଙ୍କ ତ ଚାଷୀଙ୍କ ଦ୍ୱାରା ଏକ କାଳୀନ ଋଣ ଟଙ୍କା ଉଠାଣକୁ ପରୋକ୍ଷରେ ଉତ୍ସାହିତ କରୁଛନ୍ତି । ଏପରିକି କିଛି ଚାଷୀ ବ୍ୟାଙ୍କ ଋଣ ଉପରେ କିପରି ସୁଧର ହିସାବ ହୋଇଥାଏ, ସେ ସମ୍ପର୍କରେ ମଧ୍ୟ ଅଜ୍ଞ । ଦୀର୍ଘ ଦିନରୁ ଚାଷୀଙ୍କ ଲାଗି ଗୋଦାମ ରସିଦ ବଦଳରେ ଋଣ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ବି ଅଧିକାଂଶ ଚାଷୀ ଅଜ୍ଞତାବଶତଃ ଏହାର ଲାଭ ଉଠାଇ ନ ପାରି ଅଭାବୀ ବିକ୍ରି କରୁଛନ୍ତି ଓ ଖୁବ କମ ବ୍ୟାଙ୍କ ବି ଏହି ଋଣ ସୁବିଧା ପ୍ରଦାନ କରୁଛନ୍ତି । ଏଥି ସହିତ ମଝିରେ ମଝିରେ ରାଜନୈତିକ ଦଳମାନଙ୍କ ଦ୍ୱାରା ଋଣ ଛାଡର ଘୋଷଣା ହେବା ଦ୍ୱାରା ସମ୍ପୂର୍ଣ୍ଣ ଋଣ ଲଗାଣ ବାତାବରଣ କଳୁଷିତ ହୋଇ ଋଣ ଚକ୍ର ବାଧାପ୍ରାପ୍ତ ହେଉଛି । କିଛି ଲୋକ ଅସୁବିଧାରେ ପଡି ଋଣ ପରିଶୋଧ କରିବାକୁ ଅସମର୍ଥ ହେଉଥିବା ବେଳେ ଆଉ କିଛି ଋଣଛାଡ ଲୋଭର ବଶବର୍ତ୍ତୀ ହୋଇ ବା ଜାଣିଶୁଣି ଋଣ ନ ଶୁଝି ଖିଲାପି ହେଉଛନ୍ତି ଓ ବ୍ୟାଙ୍କଠାରୁ ଦୂରେଇ ରହି ପୁଣି ମହାଜନ କବଳରେ ପଡୁଛନ୍ତି । ଚାଷୀ ଓ ବ୍ୟାଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଦୂର କରି ପରସ୍ପରକୁ ନିକଟତର କରିବାକୁ ହେଲେ ଚାଷୀଙ୍କ ମଧ୍ୟରେ ବ୍ୟାଙ୍କ ସେବା ଓ ତା’ର ଉପଯୋଗିତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ଚାଷୀମାନଙ୍କୁ ସେମାନଙ୍କ ମନୋଭାବ ପରିବର୍ତନ କରିବା ଉପରେ ଅଧିକ ଧ୍ୟାନ ଦେବାକୁ ହେବ ।
ଆଧୁନିକ କୃଷି ପଦ୍ଧତି ଅନୁସାରେ କୃଷି କାର୍ଯ୍ୟ ପରିଚାଳନା କରିବାକୁ ହେଲେ ଚାଷୀମାନଙ୍କୁ ଉନ୍ନତମାନର ବ୍ୟାଙ୍କ ସେବା ମିଳିବା ନିହାତି ଆବଶ୍ୟକ । ସେଥିପାଇଁ ବ୍ୟାଙ୍କଗୁଡିକ ସୁସ୍ଥ ରହି ଚଳଚଞ୍ଚଳ ହେବାରେ ଚାଷୀଙ୍କ ସ୍ୱାର୍ଥ ବି ନିହିତ ରହିଛି । ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଲେ ଗ୍ରାମାଞ୍ଚଳରେ କୃଷି କ୍ଷେତ୍ର ପାଇଁ ସେମାନେ ଉନ୍ନତ ସେବା ଯୋଗାଇ ଦେଇ ପାରିବେ । ଚାଷୀମାନେ ଠିକ୍ ସମୟରେ ଋଣ ପରିଶୋଧ କଲେ ଏକ ଉନ୍ନତ ଋଣ ସଂସ୍କୃତି ବିକଶିତ ହୋଇପାରିବ, ଯଦ୍ଦ୍ୱାରା ବ୍ୟାଙ୍କମାନେ ମଧ୍ୟ କୃଷି କ୍ଷେତ୍ରରେ ଋଣ ଲଗାଣ ଓ ଅନ୍ୟାନ୍ୟ ସେବା ପ୍ରଦାନ ପାଇଁ ଅଧିକ ଆଗ୍ରହୀ ଓ ସମର୍ଥ ହେବେ । ଉନ୍ନତ ବ୍ୟାଙ୍କ ସେବାର ଉପଲବ୍ଧତା ଓ କୃଷି କ୍ଷେତ୍ରର ବିକାଶ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ।
Published in the monograph 'Agriculture Journalism' published by IIMC, Dhenkanal released on August 17, 2020
Excellent coverage . All gamut of activities involving agrifinnance have been reflected in your writing .
ReplyDeleteThanks Niranjan.
DeleteSir, must read for every one. It presents a bird's eye view of credit system available for agriculture in India. Regards, Jiten.
ReplyDeleteThanks Jiten.
DeleteA comprehensive guide on agri financing encompassing all aspects
ReplyDeleteThanks Aditya bhai
Delete