ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଦିନଟି ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ (ଇଣ୍ଡିଜିନସ ପିପୁଲସ ଡେ) ରୂପେ ପାଳିତ ହୋଇ ଆସୁଛି । ବିଭିନ୍ନ ଦେଶରେ ଇଣ୍ଡିଜିନସ ପିପୁଲସ ବା ମୂଳ ନିବାସୀଙ୍କୁ ଭିନ୍ନଭିନ୍ନ ନାମରେ ସମ୍ୱୋଧିତ କରା ଯାଇଥାଏ । ଭାରତରେ ଏମାନଙ୍କୁ ‘ଅନୁସୂଚୀତ ଜନଜାତି’ ବା ‘ଆଦିବାସୀ’ ବୋଲି କୁହା ଯାଉଥିବା ବେଳେ ଚୀନରେ ଏମାନେ ‘ଏଥନିକ୍ ମାଇନରିଟି’ ଭାବେ ପରିଚିତ । ସ୍କାଣ୍ଡିନେଭୀୟ ଦେଶ ଓ ଋଷିଆର କିଛି ଅଞ୍ଚଳରେ ଏମାନଙ୍କ ପାଇଁ ‘ସାମି’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଆଫ୍ରିକାରେ ସେମାନଙ୍କୁ ସେମାନଙ୍କ ଜୀବିକା ଆଧାରରେ ସମ୍ୱୋଧନ କରା ଯାଇଥାଏ । ହେଲେ ସର୍ବତ୍ର ଏହି ଆଦିବାସୀଙ୍କ ଚଳଣି ଓ ସଂସ୍କୃତି ସେଠାକାର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନେ ଯେଉଁ ଭୂଖଣ୍ଡରେ ବସବାସ କରନ୍ତି ସେଠାକାର ପରିବେଶ ଓ ପ୍ରାକୃତିକ ସମ୍ପଦକୁ କେନ୍ଦ୍ର କରି ସେମାନଙ୍କ ଜୀବନଶୈଳୀ ଗଢି ଉଠିଥାଏ । ସେଥି ସହିତ ସେମାନେ ଏପରି ଓତଃପ୍ରୋତ ଭାବେ ଜଡିତ ହୋଇଥାଆନ୍ତି ଯେ ସେମାନଙ୍କ ପରିଚୟଠାରୁ ଆରମ୍ଭ କରି ଜୀବିକା, ସଂସ୍କୃତି, ସାମାଜିକ, ଧାର୍ମିକ ଗତିବିଧି ସବୁ କିଛି ତାରି ଉପରେ ନିର୍ଭର କରିଥାଏ । ବିଶ୍ୱର ୯୦ଟି ଦେଶରେ ପ୍ରାୟ ୪୮ କୋଟି ଆଦିବାସୀ ଲୋକ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ ।
ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣା ପଡିଛି ଯେ ବିଶ୍ୱରେ ସର୍ବତ୍ର ଆଦିବାସୀମାନେ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରତିଶତ ଦୃଷ୍ଟିରୁ କେବଳ ଯେ ଅଧିକ ଗରିବ ତାହା ନୁହେଁ, ବରଂ ସେମାନେ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଯାପନ କରିଥାଆନ୍ତି । ତେଣୁ ସେମାନଙ୍କ ଆବଶ୍ୟକତା ପ୍ରତି ସରକାର ଓ ସାଧାରଣ ଲୋକେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସାରା ବିଶ୍ୱରେ ଥିବା ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ଅନୌପଚାରିକ ଅର୍ଥବ୍ୟବସ୍ଥାରେ ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବାରୁ ବିଭିନ୍ନ ଭାବେ ଅର୍ଥନୈତିକ ଶୋଷଣର ଶିକାର ହୋଇଥାଆନ୍ତି । ଅଣ-ଆଦିବାସୀଙ୍କ କ୍ଷେତ୍ରରେ ଏହା ମାତ୍ର ୬୬ ପ୍ରତିଶତ । କେବଳ ଚୀନକୁ ବାଦ ଦେଲେ ପ୍ରାୟ ବାକି ସବୁ ଦେଶରେ ଆଦିବାସୀ ଓ ଅନ୍ୟମାନଙ୍କ ମଧ୍ୟରେ ଥିବା ରୋଜଗାରର ତାରତମ୍ୟ କମିବା ବଦଳରେ ବଢି ବଢି ଚାଲିଛି । ସମଗ୍ର ବିଶ୍ୱରେ ଥିବା ଚରମ ଦରିଦ୍ର ଲୋକଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଏହି ଆଦିବାସୀ ବର୍ଗର । ଅର୍ଥାତ୍, ଆଦିବାସୀଙ୍କ ମଧ୍ୟରୁ ଅଧିକାଂଶ ଚରମ ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରିଥାଆନ୍ତି । ଜଣେ ଅଣ-ଆଦିବାସୀ ଲୋକ ତୁଳନାରେ ଆଦିବାସୀ ଲୋକଟିଏ ଚରମ ଦାରିଦ୍ର୍ୟର ଶିକାର ହେବାର ଆଶଙ୍କା ପ୍ରାୟ ତିନି ଗୁଣ ଅଧିକ । ଏହାର ଏକ ପ୍ରମୁଖ କାରଣ ହେଉଛି ସେମାନେ ଦେଶର ବିକାଶ ପ୍ରକ୍ରିୟାରେ ସେହି ଭାବେ ଅଂଶଗ୍ରହଣ କରି ପାରୁ ନ ଥିବାରୁ ବିକାଶ ଯୋଜନାଗୁଡିକରୁ ତୁଳନାତ୍ମକ ଭାବେ ଅଧିକ ଲାଭ ହାସଲ କରିବାକୁ ସକ୍ଷମ ହୋଇ ନ ଥାଆନ୍ତି । ଅସୁରକ୍ଷିତ ଜମି ଓ ସମ୍ପତ୍ତି ଅଧିକାର, ଭେଦଭାବ, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ବିପତ୍ତି ଯୋଗୁ ଅଧିକ କ୍ଷତିଗ୍ରସ୍ତ ହେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଗତିବିଧିରେ ପଛରେ ପଡିଯିବା ଆଦି ମାଧ୍ୟମରେ ସେମାନଙ୍କ ଚରମ ଦାରିଦ୍ର୍ୟ ପ୍ରତିଫଳିତ ହୋଇଥାଏ । ଆଦିବାସୀମାନେ ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାଗୁଡିକରେ ବସବାସ କରନ୍ତି, ଯାହା ସେମାନଙ୍କ ରୋଜଗାର ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ । ଅଧିକ ରୋଜଗାରକ୍ଷମ ହେବାରେ ଶିକ୍ଷାର ଏକ ବଡ ଭୂମିକା ଥିଲେ ବି ବିଭିନ୍ନ ଭାବେ ନିଯୁକ୍ତ ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତ କୌଣସି ପ୍ରକାର ଶିକ୍ଷା ଲାଭ କରି ନ ଥାଆନ୍ତି । ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ତ ଏହି ପ୍ରତିଶତ ଆହୁରି ଅଧିକ । ଅଣ-ଆଦିବାସୀଙ୍କ କ୍ଷେତ୍ରରେ ତାହା ମାତ୍ର ୧୭ ପ୍ରତିଶତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଉପଯୁକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ସେମାନେ ରୋଗାକ୍ରାନ୍ତ ହୋଇ ଅନେକ ସମୟରେ ଦିନ ଦିନ ଧରି ରୋଜଗାର ହରାଇ ଥାଆନ୍ତି । ଏପରିକି ସେମାନଙ୍କ ହାରାହାରି ଆୟୁଷ ଅଣ-ଆଦିବାସୀଙ୍କ ତୁଳନାରେ ପ୍ରାୟ ୨୦ ବର୍ଷ କମ । ବିଶ୍ୱ ବ୍ୟାଙ୍କର ଅନ୍ୟ ଏକ ଅଧ୍ୟୟନ ଅନୁସାରେ, ପରିବାର ମୁଖ୍ୟଙ୍କ ଶିକ୍ଷାର ସ୍ତର, ତାଙ୍କ ଜୀବିକା, ତାଙ୍କ ବାସସ୍ଥାନ ଗ୍ରାମାଞ୍ଚଳରେ ନା ସହରାଞ୍ଚଳରେ ଓ ପରିବାରରେ ନିର୍ଭରଶୀଳ ସଦସ୍ୟଙ୍କ ସଂଖ୍ୟା ଉପରେ ସେହି ପରିବାରର ଆର୍ଥିକ ସ୍ଥିତି ଅନେକଟା ନିର୍ଭର କରିଥାଏ, ଯାହା ସହଜରେ ବୁଝି ହୁଏ । ତେବେ ଏଗୁଡିକରେ ଆଦିବାସୀ ଲୋକଟିଏ ଜଣେ ସାଧାରଣ ଲୋକର ସମକକ୍ଷ ହୋଇ ମଧ୍ୟ ପ୍ରାୟ ୮ ପ୍ରତିଶତ ମାମଲାରେ ସେ ପଛରେ ପଡି ଯାଇଥାଏ, ଯାହାର ସହଜରେ ବୁଝିବା ଭଳି କାରଣଟିଏ ଖୋଜିବା କଷ୍ଟକର ।
ଅନ୍ୟମାନଙ୍କ ତୁଳନାରେ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟ ଏତେ ଉତ୍କଟ, ବ୍ୟାପକ ହୋଇଥାଏ ଯେ ତା’ର ଦୂରୀକରଣ ସବୁ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଥାଏ । ସେମାନେ ପଡିଥିବା ଦାରିଦ୍ର୍ୟ ଯନ୍ତାରେ ଲାଗିଥିବା ଅଠାରେ ଏମିତି ଲାଖି ହୋଇ ଯାଇଥାଆନ୍ତି ଯେ ତାକୁ ଠିକ ରୂପେ ବୁଝି ଉଚିତ ପଦକ୍ଷେପ ଗ୍ରହଣ ନ କଲେ ସେମାନଙ୍କୁ ସେଥିରୁ ମୁକୁଳାଇବା ସମ୍ଭବ ହୋଇ ନ ଥାଏ । ଦୀର୍ଘ ଦିନ ଧରି ସେମାନେ ଅପହଞ୍ଚ ଇଲାକଗୁଡିକରେ ରହି ଆସିଥିବାରୁ ଭୌଗୋଳିକ ଦୂରତା ଜନିତ ସମସ୍ୟା ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ କରିଥାଏ । ସେହିପରି ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ନ କରି ପାରିବା ମଧ୍ୟ ସେମାନଙ୍କ ପାଇଁ ଘାତକ ହୋଇଛି । ବିଭିନ୍ନ ସମୟରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣର ଶିକାର ହୋଇ ଆସିଥିବା ଓ ସେମାନଙ୍କ ପ୍ରତି ବିଭିନ୍ନ ସ୍ତରରେ ଭେଦଭାବ ହୋଇଥିବା ଯୋଗୁ ସେମାନଙ୍କ ଆତ୍ମବିଶ୍ୱାସ ବିକାଶରେ ବାଧା ଉତ୍ପନ୍ନ ହୋଇଛି । ଅଧିକନ୍ତୁ, ହଠାତ୍ ସମ୍ମୁଖୀନ ହେଉଥିବା କୌଣସି ବିପଦର ସଫଳ ଭାବେ ମୁକାବିଲା କରିବା ପାଇଁ ସେମାନଙ୍କ ନିକଟରେ ଉପଲବ୍ଧ ସୀମିତ ଭିତ୍ତିଭୂମି ଓ ପୁଂଜିଗତ ସମ୍ପତ୍ତି ଯଥେଷ୍ଟ ହେଉନାହିଁ, ଯାହା ଫଳରେ ସେମାନେ ଦାରିଦ୍ର୍ୟ ଯନ୍ତାରୁ ମୁକୁଳି ପାରୁ ନାହାନ୍ତି । ଅବଶ୍ୟ ଏ କଥା ସତ ଯେ ସବୁ ଆଦିବାସୀ ସମ୍ପ୍ରଦାୟଙ୍କ ଅର୍ଥନୈତିକ ସ୍ଥିତି ଏକା ପ୍ରକାର ନୁହେଁ ଓ ସେମାନଙ୍କୁ ଗୋଟିଏ ବନ୍ଧନୀ ଭିତରେ ରଖି ଦେଇ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ପରିକଳ୍ପନା କଲେ ଅପେକ୍ଷିତ ସୁଫଳ ମିଳି ପାରିବ ନାହିଁ । ପରିତାପର ବିଷୟ, ଏ ଯାଏଁ ଆଦିବାସୀଙ୍କ ସମ୍ପ୍ରଦାୟଓ୍ୱାରୀ ଦାରିଦ୍ର୍ୟର ବାସ୍ତବ ସ୍ଥିତିକୁ ଜାଣିବା ପାଇଁ କୌଣସି ସର୍ଭେ କରା ଯାଇନାହିଁ, ଯାହା ତୁରନ୍ତ ହେବା ଆବଶ୍ୟକ । ଏଥିରୁ ଦାରିଦ୍ର୍ୟର କାରଣକୁ ଅନୁଧ୍ୟାନ କରି ପ୍ରତି ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ହୁଏତ ଅଧିକ ଯୁକ୍ତିସଙ୍ଗତ ହୋଇପାରେ । ଏଥି ସହିତ ଅନେକ ଦେଶର ଅଭିଜ୍ଞତା ରହିଛି ଯେ ଆଦିବାସୀ ପିଲାଙ୍କ ଉପରେ ପ୍ରାକ୍ ଶୈଶବାବସ୍ଥାରେ ଉଚିତ ବିନିଯୋଗ କରାଗଲେ ତା’ର ଦୀର୍ଘସ୍ଥାୟୀ ସୁଫଳ ମିଳିଥାଏ । ତେଣୁ ଏଥି ପ୍ରତି ସରକାର ଅଧିକ ଦୃଷ୍ଟି ଦେବା ସହ ସେମାନଙ୍କ ପ୍ରତି ଆଜି ମଧ୍ୟ ହେଉଥିବା ଭେଦଭାବକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେଲେ ଆଦିବାସୀଙ୍କ ସ୍ୱାଭିମାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସେମାନଙ୍କୁ ଦାରିଦ୍ର୍ୟ ଯନ୍ତାରୁ ମୁକୁଳାଇବା ସହଜ ହେବ ।
ଆଦିବାସୀମାନେ ଆର୍ଥିକ ଅନଟନ ଦେଇ ଗତି କରୁ ଥାଇପାରନ୍ତି, ହେଲେ ସାଧାରଣ ଲୋକେ ସେମାନଙ୍କୁ ହେୟ ଜ୍ଞାନ ନ କରି ସେମାନଙ୍କ ପ୍ରତି ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏପରିକି ଆଦିବାସୀଙ୍କ ବିକାଶ କରୁଛନ୍ତି ବୋଲି ଦାବି କରୁଥିବା ଲୋକଙ୍କ ମଧ୍ୟରୁ କିଛି ‘ଆଦିବାସୀମାନେ ଦେଶ ଉପରେ ବୋଝ ଓ କେବଳ ସେହିମାନଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁ ସେମାନେ ଉଦ୍ଧାର ପାଇ ପାରିବେ’ ବୋଲି ମନେ କରନ୍ତି । ସେମାନଙ୍କୁ ହେୟ ଜ୍ଞାନ କରିବାର ମାନସିକତାରୁ ଊର୍ଦ୍ଧ୍ୱକୁ ଉଠି ପାରୁ ନ ଥିବାରୁ ମାନବ ସଭ୍ୟତା ଓ ଜୀବଜଗତର ସୁରକ୍ଷା ପାଇଁ ସେମାନଙ୍କ ଅମୂଲ୍ୟ ଯୋଗଦାନ ସମ୍ପର୍କରେ ଉଚିତ ମୂଲ୍ୟାୟନ ହୋଇ ପାରୁନାହିଁ କି ସେମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ସମ୍ମାନ ଓ ସ୍ୱୀକୃତି ମିଳି ପାରୁନାହିଁ । ଆଦିବାସୀମାନେ ଭୂପୃଷ୍ଠର ମାତ୍ର ୨୫ ପ୍ରତିଶତ ସ୍ଥଳ ଭାଗରେ ବସବାସ କରୁଥିଲେ ବି ବିଶ୍ୱର ଉପଲବ୍ଧ ଜୈବ ବିବିଧତାରୁ ୮୦ ପ୍ରତିଶତ କେବଳ ସେମାନଙ୍କ ଯୋଗୁ ସଂରକ୍ଷିତ ହୋଇ ରହି ପାରିଛି । ମଣିଷ ଓ ଜୀବଜଗତ ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନର ପ୍ରମୁଖ ଉତ୍ସ କୁହା ଯାଉଥିବା ଆମାଜନଠାରୁ ଆରମ୍ଭ କରି ଇଣ୍ଡୋନେସିଆର ବର୍ଷା-ଜଙ୍ଗଲ (ରେନ ଫରେଷ୍ଟ)ଗୁଡିକ ଆଜି ଯଦି ତିଷ୍ଠି ରହିଛନ୍ତି, ତାହା ଏହି ଆଦିବାସୀମାନଙ୍କ ପାଇଁ । ପ୍ରକୃତି ସହ ବଞ୍ଚିବାର ବାଟ ସେମାନଙ୍କୁ ଜଣା ଥିବାରୁ ପରିବେଶ ସୁରକ୍ଷା ସେମାନଙ୍କ ପାଇଁ ପାଠ୍ୟକ୍ରମର ବିଷୟବସ୍ତୁ ନୁହେଁ, ବରଂ ଜୀଇଁବାର କଳା । ପ୍ରାକୃତିକ ସମ୍ୱଳ ପରିଚାଳନାରେ ଆଦିବାସୀଙ୍କ ଅଧିକାରକୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ଓ ନାମ୍ୱିଆରେ ଆଇନଗତ ବ୍ୟବସ୍ଥା ହୋଇଛି । ଅଷ୍ଟ୍ରେଲିଆରେ ୧୯୯୭ ମସିହାରୁ କାର୍ଯ୍ୟ କରୁଥିବା ‘ଆଦିବାସୀ ସଂରକ୍ଷିତ ଅଞ୍ଚଳ’ (ଇଣ୍ଡିଜିନସ ପ୍ରୋଟେକ୍ଟେଡ ଏରିଆ- ଆଇପିଏ) କାର୍ଯ୍ୟକ୍ରମରେ ଏ ଯାବତ୍ ୭୫ଟି ଆଇପିଏ ପ୍ରତିଷ୍ଠିତ ହୋଇଛି ଓ ସେଗୁଡିକ ସେଠାକାର ଜୈବ ବିବିଧତା ସଂରକ୍ଷଣରେ ଏକ ବଡ ଭୂମିକା ନିର୍ବାହ କରୁଛନ୍ତି । ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳନ କେବଳ ଆଦିବାସୀଙ୍କ ଦାରିଦ୍ର୍ୟ, ସମସ୍ୟା ବା ଆବଶ୍ୟକତାକୁ ବଖାଣିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାନବ ସଭ୍ୟତା ଓ ଜୀବଜଗତର ସୁରକ୍ଷା ପାଇଁ ସେମାନଙ୍କ ପ୍ରୟାସ, ଯୋଗଦାନକୁ ବି ମନେ ପକାଇବାର ଦିନ ଇଏ । ତାହାହେଲେ ସାଧାରଣ ଲୋକେ ବି ସେମାନଙ୍କୁ ଓ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହଜ ହୋଇଥାଏ । ଏହାଦ୍ୱାରା ଆଦିବାସୀଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ ହେବା ସହ ସେମାନଙ୍କୁ ‘ଦୟାର ପାତ୍ର’ କରିବାର ମାନସିକତା ବି ହ୍ରାସ ପାଇବ, ଯଦ୍ଦ୍ୱାରା ସେମାନଙ୍କ ବିକାଶ ସହ ଦେଶର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ । ତା’ ଛଡା ସେମାନେ ସୁରକ୍ଷିତ ରହିଲେ ବିଶ୍ୱରେ ଜୈବ ବିବିଧତା ସଂରକ୍ଷିତ ହୋଇ ରହି ପାରିବ ।
କାନାଡା ଭଳି ଦେଶ ସେଠାକାର ମୂଳ ନିବାସୀଙ୍କୁ ଗୁରୁତ୍ୱ ଓ ସମ୍ମାନ ଜଣାଇ ୧୯୯୬ ମସିହାରୁ ଜୁନ ୨୧ ତାରିଖ ଦିନଟିକୁ ‘ଜାତୀୟ ଆଦିବାସୀ ଦିବସ’ ରୂପେ ପାଳନ କରିଆସୁଛି । ଆଦିବାସୀଙ୍କ ମଧ୍ୟରେ ଥିବା ପ୍ରତିଭା, ପରମ୍ପରା, ବିବିଧତା, ଉତ୍ସବ ଆଦି ପ୍ରଦର୍ଶନ ମାଧ୍ୟମରେ ଏହି ଦିବସଟିକୁ ପାଳନ କରିବା ସହ ବିଭିନ୍ନ କ୍ଷେତ୍ରରେ ଆଦିବାସୀ ସମାଜର ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରା ଯାଇଥାଏ । ଏହି ଅବସରରେ, ଅଣ-ଆଦିବାସୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ଆଦିବାସୀଙ୍କ ଇତିହାସ, ସଂସ୍କୃତି, ପରମ୍ପରା ଓ ଦୃଷ୍ଟିଭଙ୍ଗୀକୁ ବୁଝିବାର ଅବକାଶ ପାଇ ଥାଆନ୍ତି, ଯାହା ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠାରେ ସହାୟକ ହୋଇଥାଏ । ଉଲ୍ଲେଖଯୋଗ୍ୟ, ସେଠାରେ ଆଦିବାସୀଙ୍କ ସଂଖ୍ୟା ମାତ୍ର ୧୭ ଲକ୍ଷ ଓ ଏହା ସମୁଦାୟ ଜନସଂଖ୍ୟାର ୫ ପ୍ରତିଶତରୁ କମ ହୋଇଥିଲେ ବି ସେଠାକାର ସରକାର ଏହି ଦିବସଟିକୁ ଉତ୍ସବ ମୁଖର କରି ତୋଳିଥାଆନ୍ତି । ଅନ୍ୟ ପକ୍ଷରେ ଭାରତରେ ଆଧିକାରିକ ଭାବେ ୭୦୫ ପ୍ରକାର ଜନଜାତିର ସାଢେ ଦଶ କୋଟି ଲୋକ ବସବାସ କରନ୍ତି ଯାହା ସମୁଦାୟ ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ । ବିଶ୍ୱ ଆଦିବାସୀ ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ଭାରତରେ ବସବାସ କରୁଥିଲେ ବି ଏଠାରେ ଏହି ଦିବସଟିକୁ ଉତ୍ସବ ମୁଖର କରି ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ବାସ୍ତବିକ ପରିତାପର ବିଷୟ ।
ଜାତିସଂଘ ମୂଳନିବାସୀ ଅଧିକାର ଘୋଷଣା (ୟୁଏନଡିଆରଆଇପି), ୨୦୦୭ ସମେତ ଅନେକ ଅନ୍ତର୍ଜାତୀୟ ଘୋଷଣା ଗୃହୀତ ଓ କାର୍ଯ୍ୟକାରୀ ହୋଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଦିବାସୀଙ୍କ ଅଧିକାରକୁ ଅଧିକାଧିକ ସ୍ୱୀକୃତି ମିଳିବା ସହ ସେ ନେଇ ସଚେତନତା ବୃଦ୍ଧି ପାଇ ପାରିଛି । ତଥାପି ଏକ ଦାରିଦ୍ର୍ୟ ଓ ଶୋଷଣମୁକ୍ତ ସମାଜ ଗଠନ ଦିଗରେ ଆଦିବାସୀଙ୍କ ସାମଗ୍ରିକ ଅବସ୍ଥାରେ ଉନ୍ନତି ଆଣିବା ଲାଗି ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି ।
Published in Odisha Reporter on August 09, 2020
Comments
Post a Comment