Skip to main content

ଭାରତ-ନେପାଳ ସମ୍ପର୍କରେ ତିକ୍ତତାର ନୂଆ ଫର୍ଦ୍ଦ

ନେପାଳ ସଂସଦର ଉଭୟ ସଦନରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏକ ନୂତନ ପ୍ରଶାସନିକ ମାନଚିତ୍ର ଗୃହୀତ ହୋଇ ସେଠାକାର ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଭାରତ ଓ ନେପାଳ ମଧ୍ୟରେ ଏକ ନୂଆ ‘ମାନଚିତ୍ର ଯୁଦ୍ଧ’ ଆରମ୍ଭ ହେବାକୁ ଯାଉଥିବା ସହ ଉଭୟ ଦେଶ ମଧ୍ୟରେ ବିଶ୍ୱାସ-ନିଅଣ୍ଟ (ଟ୍ରଷ୍ଟ ଡେଫିସିଟ) ଦେଖାଦେଇ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ହେଉଛି । ଫଳସ୍ୱରୂପ, ଭାରତ ଦଖଲରେ ଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳ ତିନୋଟି ସମେତ ୩୩୫ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ନେପାଳ ନିଜର ବୋଲି ଘୋଷଣା କରି ସମଗ୍ର ଅଞ୍ଚଳକୁ ବିବାଦିତ କରି ଦେଇଛି । ନେପାଳର ଏହି ପଦକ୍ଷେପରେ ଭାରତ କ୍ଷୁବ୍ଧ ହୋଇ ନିଜ ଆପତ୍ତି ଜଣାଇବା ସହ ଏହାକୁ ଏକ ‘କୃତ୍ରିମ ବିସ୍ତାର’ ବୋଲି ଅଭିହିତ କରିଛି ।

ଭୌଗୋଳିକ, ସାଂସ୍କୃତିକ, ଧାର୍ମିକ, ଐତିହାସିକ ଆଦି ବିଭିନ୍ନ କାରଣରୁ ଭାରତ ସହ ନେପାଳର ସମ୍ପର୍କ ଅତି ନିବିଡ । ତେବେ ଭାରତର ସ୍ୱାଧୀନତା ପରେ ନେପାଳ ସହ ସମ୍ପର୍କରେ ସେହି ନିବିଡତା ଓ ଆକର୍ଷଣ ଶିଥିଳ ହୋଇ କ୍ରମଶଃ ତାହା ତିକ୍ତତା ଆଡକୁ ମୁହାଁଇବାର କାରଣ ଜାଣିବାକୁ ହେଲେ ଏହାର ବିଗତ ସାତ ଦଶନ୍ଧିର ଐତିହାସିକ ପୃଷ୍ଠଭୂମିକୁ ବୁଝିବାକୁ ହେବ । ତତକାଳୀନ ନେପାଳର ରାଣାଙ୍କ ଆଗ୍ରହ କ୍ରମେ ଭାରତ ଓ ନେପାଳ ମଧ୍ୟରେ କାଠମାଣ୍ଡୁଠାରେ ଜୁଲାଇ ୩୧, ୧୯୫୦ରେ ଏକ ‘ଶାନ୍ତି ଓ ମୈତ୍ରୀ ଚୁକ୍ତି’ ସ୍ୱାକ୍ଷରିତ ହୋଇଥିଲା । ଚୀନ ନେପାଳକୁ ଆକ୍ରମଣ କରି ରାଣାଙ୍କୁ ଗାଦିଚ୍ୟୁତ କରିପାରେ ବୋଲି ଆଶଙ୍କିତ ହୋଇ ଭାରତର ନିକଟତର ହେବା ଲାଗି ସେ ଏପରି ଏକ ଚୁକ୍ତି କରିଥିବାର କୁହାଯାଏ । ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ଲୋକଙ୍କ ଗମନାଗମନ ଓ ମାଲପତ୍ରର ପରିବହନ ଅବାଧରେ ଚାଲିପାରିବ । ପ୍ରତିରକ୍ଷା ଓ ବିଦେଶ ନୀତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରାଯିବ । ଫଳସ୍ୱରୂପ, ନେପାଳରୁ ଅନେକ ଲୋକ ଭାରତକୁ ଆସି ଚାକିରୀ, ବାଣିଜ୍ୟ ବ୍ୟବସାୟ କଲେ ଓ ସେହିପରି ଭାରତରୁ ମଧ୍ୟ କିଛି ଲୋକ ନେପାଳରେ ସ୍ଥାୟୀ ଭାବେ ବସବାସ କରି ନେପାଳର ନାଗରିକତା ଆଇନ, ୧୯୫୨ ଅନୁସାରେ ସେଠାରେ ସହଜରେ ନାଗରିକତା ଗ୍ରହଣ କରିବାକୁ ଲାଗିଲେ । ଭାରତ ସରକାର ଓ ସେଠାରେ ରହୁଥିବା ଭାରତୀୟମାନେ ନେପାଳର ଘରୋଇ ମାମଲାରେ ଦଖଲ ଦେଉଛନ୍ତି ଓ ଭାରତ ‘ବଡଭାଇ’ ଭଳି ଆଚରଣ କରୁଛି ବୋଲି ଏକ ଧାରଣା ନେପାଳର ଜନ ସାଧାରଣ ଓ ଶାସକଙ୍କ ମନରେ ବସା ବାନ୍ଧିବାକୁ ଆରମ୍ଭ କଲା । ଏହା ପରେ ନେପାଳ ଚୀନର ନିକଟତର ହୋଇ ଅପ୍ରେଲ ୨୮, ୧୯୬୦ରେ ଉଭୟ ଦେଶ ମଧ୍ୟରେ ଏକ ଶାନ୍ତି ଓ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ସମୟରେ ନେପାଳ ଆମେରିକାର ମଧ୍ୟ ନିକଟତର ହେଲା ଓ ଭାରତର ବିଦେଶ ନୀତିକୁ ଉପେକ୍ଷା କରି ଏକ ତରଫା ଭାବେ ଜୁନ ୧, ୧୯୬୦ରେ ନୂତନ ଭାବେ ସୃଷ୍ଟି ହୋଇଥିବା ଇସ୍ରାଏଲକୁ ସ୍ୱୀକୃତି ପ୍ରଦାନ କଲା । ୧୯୬୨ରେ ଭାରତ-ଚୀନ ଯୁଦ୍ଧର ପରିସମାପ୍ତି ପରେ ଭାରତର ଦୁର୍ବଳ ସ୍ଥିତିର ଲାଭ ଉଠାଇ ନେପାଳ ଭାରତ ନିକଟରୁ ଅନେକ ସୁବିଧା ହାସଲ କରିଥିଲା । ୧୯୬୯ରେ ଭାରତ-ନେପାଳ ସୀମାରେ ଥିବା ଚେକ ପୋଷ୍ଟଗୁଡିକୁ ହଟାଇବାକୁ ନେପାଳ ଅଡି ବସିବାରୁ ଭାରତ ସେଗୁଡିକୁ ହଟାଇ ଦେଇଥିଲା । ତେବେ ୧୯୭୫ ମସିହାରେ ଭାରତ ସହ ସିକିମର ବିଲୟ ପରେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଅତି ନିମ୍ନ ସ୍ତରକୁ ଚାଲି ଯାଇଥିଲା । ଏହାକୁ ନେପାଳ ଗ୍ରହଣ କରି ପାରି ନଥିଲା ଓ ‘ଏହା ବିଲୟ ନୁହେଁ ବରଂ ଭାରତ ଦ୍ୱାରା ଦଖଲ’ ବୋଲି ଅଭିହିତ କରି ଏହାର ତୀବ୍ର ବିରୋଧ କରିଥିଲା । ଏହାକୁ ଦୃଷ୍ଟିରେ ରଖି (କାଳେ ଭାରତ ବା ଅନ୍ୟ କୌଣସି ଦେଶ ନେପାଳକୁ ଦଖଲ କରିବେ), ନେପାଳର ରାଜା ବୀରେନ୍ଦ୍ର ନେପାଳକୁ ଏକ ‘ଶାନ୍ତି କ୍ଷେତ୍ର’ (ଜୋନ ଅଫ ପିସ) ଭାବେ ଜାତିସଂଘ ଘୋଷଣା କରୁ ବୋଲି ପ୍ରସ୍ତାବ ଉପସ୍ଥାପନ କଲା ପରେ ଚୀନ ଓ ପାକିସ୍ତାନ ପ୍ରସ୍ତାବଟିକୁ ତୁରନ୍ତ ସମର୍ଥନ ଦେଇଥିଲେ ମଧ୍ୟ ଭାରତ ୧୯୫୦ ମସିହାର ଚୁକ୍ତିକୁ ଦର୍ଶାଇ ଏଥିପାଇଁ ସମ୍ମତି ଦେଇ ନଥିଲା । ପରବର୍ତ୍ତୀ ସମୟରେ ଭାରତକୁ ବାଦ ଦେଇ ପ୍ରାୟ ୧୩୦ଟି ଦେଶ ଏହାକୁ ସମର୍ଥନ ଜଣାଇଥିଲେ । ଏହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅସହଜ କରିଥିଲା । ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟ ଓ ପରିବହନ ଚୁକ୍ତି ଦୁଇଟିର କାର୍ଯ୍ୟକାଳ ମାର୍ଚ୍ଚ ୧୯୮୯ରେ ପୂରିବା ପରେ ଭାରତ ଏହାକୁ ଗୋଟିଏ ଚୁକ୍ତି ଭାବେ ନବୀକରଣ କରିବା ଲାଗି ଆଗ୍ରହୀ ଥିବା ବେଳେ ନେପାଳ ସେଥିରେ ରାଜି ହୋଇ ନ ଥିଲା । ଏହା ପରେ ଉଭୟ ଦେଶ ପରସ୍ପର ଉପରେ ବିଭିନ୍ନ ଅର୍ଥନୈତିକ କଟକଣା ଲଗାଇଲେ, ଯାହା ଫଳରେ ନେପାଳ କ୍ଷତିଗ୍ରସ୍ତ ହେଲା । ପ୍ରାୟ ବର୍ଷେ ଯାଏଁ ଏହି ଭଳି ଅର୍ଥନୈତିକ ବାଛନ୍ଦ ଲାଗି ରହିଥିବା ବେଳେ ଭାରତ ସେଠାକାର ବିରୋଧୀ ଦଳଗୁଡିକୁ ପ୍ରୋତ୍ସାହନ ଦେଇ ସେଠାକାର ରାଜନୈତିକ ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଣିବାକୁ ସମର୍ଥ ହେଲା ବୋଲି ଅଭିଯୋଗ ହୁଏ, ଯଦ୍ଦ୍ୱାରା ରାଜାଙ୍କୁ ଏକ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେଲା । ଏହି ବ୍ୟବସ୍ଥାରେ ଭାରତ ସପକ୍ଷବାଦୀ ଦଳମାନେ କ୍ଷମତାକୁ ଆସିବା ପରେ ପୁଣି ଉଭୟ ଦେଶ ଭିତରେ ଅର୍ଥନୈତିକ ସମ୍ପର୍କ କ୍ରମଶଃ ସ୍ୱାଭାବିକ ହେବାକୁ ଲାଗିଲା । ନେପାଳରେ କମ୍ୟୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ୧୯୯୫ ମସିହାରେ ପ୍ରଧାନମନ୍ତ୍ରୀ ମନମୋହନ ଅଧିକାରୀଙ୍କ ଭାରତ ଗସ୍ତ ସମୟରେ ସେ ଉଭୟ ଦେଶ ମଧ୍ୟରେ ଥିବା ଶାନ୍ତି ଓ ମୈତ୍ରୀ ଚୁକ୍ତିର ପୁନଃ ସମୀକ୍ଷା ହେବା ଆବଶ୍ୟକ ବୋଲି କହିବା ପରେ ନେପାଳ ଅଧିକ ଅର୍ଥନୈତିକ ସ୍ୱାଧୀନତା ପାଇବା ଉପରେ ଗୁରୁତ୍ୱ ଦେଉଥିବାରୁ ତାହା ଭାରତ ଭଲ ଭାବେ ଗ୍ରହଣ କରି ନ ଥିଲା । ଜୁନ ୧୯୯୭ରେ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ନେପାଳ ଗସ୍ତ ସମୟରେ ନିଆ ଯାଇଥିବା କେତେକ ନିଷ୍ପତ୍ତି ‘ନୂଆ ବାସ୍ତବିକତାକୁ ଦୃଷ୍ଟିରେ ରଖି ଚୁକ୍ତିରେ ପରିବର୍ତ୍ତନ ହେବା ଆବଶ୍ୟକ’ ବୋଲି ନେପାଳର ଦାବିକୁ ସମର୍ଥନ ଜଣାଉଥିଲା । ଏହା ‘ଗୁଜରାଲ ମତବାଦ’ ଭାବେ ଗ୍ରହଣୀୟ ହୋଇ ପରବର୍ତ୍ତୀ ସମୟରେ ଭାରତ ଓ ନେପାଳ ମଧ୍ୟରେ ବାର୍ତ୍ତାଳାପର ଆଧାର ହେବାକୁ ଲାଗିଲା । ୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଦାୟିତ୍ୱ ଗ୍ରହଣ କଲା ପରେ ସେ ପରମ୍ପରାକୁ ଭାଙ୍ଗି ପ୍ରଥମେ ଭାରତକୁ ନ ଆସି ଚୀନକୁ ଗସ୍ତରେ ଯାଇଥିଲେ ଓ ସେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଘୋଷଣା କରିବା ପରେ ତୁରନ୍ତ ଭାରତ ପକ୍ଷରୁ ନେପାଳକୁ ସନ୍ତୁଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ନିଆଗଲା । ୨୦୧୦ ମସିହାରେ ଭାରତ ପକ୍ଷରୁ ନେପାଳକୁ ଋଣ ଆକାରରେ ୫ କୋଟି ଡଲାର ଅର୍ଥ ସହାୟତା ଓ ୮୦ ହଜାର ଟନର ଖାଦ୍ୟ ଶସ୍ୟ ସହାୟତା ଯୋଗାଇ ଦିଆଗଲା । କୁହାଯାଏ, ଏହି ସମୟଟି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କର ସବୁଠାରୁ ଭଲ ସମୟ ଥିଲା ।
    
୨୦୧୪ରେ ଏନଡିଏ ସରକାର ଶାସନକୁ ଆସିବା ପରେ ଭାରତ ନେପାଳକୁ କେତେଗୁଡିଏ ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଥିଲେ ବି ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରିବର୍ତ୍ତେ ତିକ୍ତ ହେବାରେ ଲାଗିଛି । ୨୦୧୫ରେ ଭାରତ ଦ୍ୱାରା ନେପାଳ ଉପରେ ଏକ ଅନୌପଚାରିକ ଅର୍ଥନୈତିକ ବାଛନ୍ଦ ଲଦି ଦିଆ ଯାଇଥିବାର ଅଭିଯୋଗ ହୁଏ, ଯାହା ଫଳରେ ଭାରତରୁ ନେପାଳକୁ ହେଉଥିବା ତୈଳ ପରିବହନକୁ ନିୟନ୍ତ୍ରିତ କରାଗଲା ଓ ନେପାଳର ଅର୍ଥନୀତି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲା । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ନଭେମ୍ବର ୨୦୧୯ରେ ଭାରତ ଦ୍ୱାରା ଜାରି ହୋଇଥିବା ମାନଚିତ୍ର ହିଁ ଭାରତ ଓ ନେପାଳ ଭିତରେ ସମ୍ପର୍କକୁ ତିକ୍ତ କରିଥିବାର ସଦ୍ୟତମ କାରଣ ବୋଲି କୁହାଯାଉଛି । ଜାରି ହୋଇଥିବା ମାନଚିତ୍ରରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ଉତ୍ତରାଖଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ବୋଲି ଦର୍ଶାଯାଇଥିବାରୁ ନେପାଳ ଏହାର ତୀବ୍ର ବିରୋଧ କରିବା ସହ ଏହି ଅଞ୍ଚଳଟି ନେପାଳର ଅଂଶବିଶେଷ ବୋଲି ଦାବି କରିଥିଲେ ବି ଭାରତ ତାକୁ ଗୁରୁତ୍ୱ ଦେଇ ନ ଥିଲା । ଇତିମଧ୍ୟରେ ମେ ୮, ୨୦୨୦ରେ ଭାରତ ସରକାରଙ୍କ ଦ୍ୱାରା ଲିପୁଲେଖ ପାସ ଦେଇ ନୂଆ ରାସ୍ତାର ଉଦଘାଟନ ହେଲା । ଏହି ରାସ୍ତା ନିର୍ମାଣ ଫଳରେ ଭାରତରୁ କୈଳାସ ମାନସରୋବରକୁ ଯିବା ସହଜ ହେବା ସହ ସମୟ ଅନେକ କମିଯିବ । ନେପାଳ ଏହି ରାସ୍ତା ନିର୍ମାଣର ମଧ୍ୟ ତୀବ୍ର ବିରୋଧ କରିଛି । କଥାବାର୍ତ୍ତା ମାଧ୍ୟମରେ ଏହି ସୀମା ବିବାଦର ସମାଧାନ ଲାଗି ଭାରତ ତରଫରୁ କୌଣସି ଆଗ୍ରହ ପ୍ରକାଶ ପାଉ ନ ଥିବା ଦେଖି ନେପାଳ ମେ ୨୦, ୨୦୨୦ରେ ସେହି ତିନୋଟି ସ୍ଥାନ ସମେତ ପ୍ରାୟ ୩୩୫ ବର୍ଗ କିଲୋମିଟର ଅଂଚଳକୁ ନିଜ ଅଞ୍ଚଳ ଦର୍ଶାଇ ଏକ ନୂତନ ପ୍ରଶାସନିକ ମାନଚିତ୍ର ଜାରି କଲା ।  ୧୮୧୬ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ସୁଗୌଲି ସନ୍ଧି ଅନୁଯାୟୀ କାଳୀ ନଦୀର ପଶ୍ଚିମ ଭାଗର ଅଞ୍ଚଳ ଭାରତର ହୋଇଥିବା ବେଳେ ପୂର୍ବ ଭାଗର ଅଞ୍ଚଳ ନେପାଳର । ତେବେ କାଳୀ ନଦୀର ଦୁଇଟି ଉପ ନଦୀ ମଧ୍ୟରୁ ଗୋଟିଏ କାଲାପାନି ନିକଟରୁ ବାହାରିଥିବା ବେଳେ ଅନ୍ୟଟି ଲିମ୍ପିୟାଧୁରା ନିକଟରୁ ବାହାରିଛି । ଭାରତ କାଲାପାନି ନିକଟରୁ ବାହାରିଥିବା କାଲାପାନି ଉପନଦୀକୁ କାଳୀ ନଦୀର ଉତ୍ପତ୍ତି ସ୍ଥଳ କହି ସମଗ୍ର ଅଞ୍ଚଳଟି ଦୀର୍ଘ ବର୍ଷ ଧରି ଭାରତ ଦଖଲରେ ଥିବାରୁ ଏହା ଭାରତର ବୋଲି ଦାବି କରୁଥିବା ବେଳେ ନେପାଳ ଉତରରେ ଥିବା ଲିମ୍ପିୟାଧୁରା ନିକଟରୁ ବାହାରିଥିବା କୁଥିଯଙ୍କତି ଉପନଦୀଟିକୁ କାଳୀ ନଦୀର ଉତ୍ପତ୍ତି ସ୍ଥଳ କହି ସମଗ୍ର ଅଞ୍ଚଳ ଉପରେ ତାର ଅଧିକାରକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛି । ଅନ୍ତର୍ଜାତିକ ଆଇନ ଅନୁଯାୟୀ ଯେଉଁ ଉପନଦୀରୁ ମୂଳ ନଦୀକୁ ସର୍ବାଧିକ ଜଳପ୍ରବାହ ହୋଇଥାଏ ସେହି ଉପନଦୀର ଉତ୍ପତ୍ତି ସ୍ଥଳକୁ ମୂଳ ନଦୀର ଉତ୍ପତ୍ତି ସ୍ଥଳ ବୋଲି ଗ୍ରହଣ କରା ଯାଇଥାଏ । ସେହି ଦୃଷ୍ଟିରୁ କାଲାପାନି ଉପନଦୀ ତୁଳନାରେ କୁଥିଯଙ୍କତି ଉପନଦୀର ଜଳପ୍ରବାହ ଅଧିକ ହୋଇଥିବାରୁ ଲିମ୍ପିୟାଧୁରା ନିକଟରେ କାଳୀ ନଦୀର ଉତ୍ପତ୍ତି ସ୍ଥଳ ବୋଲି ନେପାଳର ଯୁକ୍ତି ବଳିଷ୍ଠ ମନେ ହୋଇପାରେ । ତେବେ ଏହି ଅଞ୍ଚଳଟି ଦୀର୍ଘ ଦିନ ଧରି ଭାରତ ଦଖଲରେ ଥିବା ବେଳେ ନେପାଳ ୧୯୯୮ଠାରୁ ଏହି ଅଞ୍ଚଳ ଉପରେ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରିଛି ।

କରୋନା ମୁକାବିଲାରେ ବିଫଳତା ଓ ଅନ୍ୟାନ୍ୟ କାରଣ ଯୋଗୁ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଗତ କିଛି ଦିନ ଧରି ଦେଶ ଭିତରେ ବିରୋଧର ସମ୍ମୁଖୀନ ହୋଇ ଆସୁଥିଲେ ଓ ତାଙ୍କ ସ୍ଥିତି ଟଳମଳ ହୋଇ ପଡିଥିଲା । ଏହି ସମୟରେ ସେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ପ୍ରସଙ୍ଗ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହୋଇଛନ୍ତି । ପ୍ରଥମ, ନେପାଳୀ ଲୋକଙ୍କ ଭିତରେ ସୀମାକୁ ନେଇ ଜାତୀୟତାବାଦ ଉଦ୍ରେକ କରି ତାଙ୍କ ବିରୁଦ୍ଧରେ ଥିବା ବିରୋଧକୁ ପ୍ରଶମିତ କରିବା ସହ ତାଙ୍କ ସ୍ଥିତିକୁ ସୁଦୃଢ କରି ପାରିଛନ୍ତି । ଦ୍ୱିତୀୟ, ଚୀନ ସହ ଭାରତର ଲଦ୍ଦାଖ ଅଞ୍ଚଳରେ ଲାଗି ରହିଥିବା ସୀମା ବିବାଦ ସମୟରେ ଏହି ପ୍ରସଙ୍ଗଟିକୁ ଉଠାଇ ସେ ଚୀନର ନୀରବ ସମର୍ଥନ ହାସଲ କରିବା ସହ ଭାରତକୁ ଜୋରଦାର ଢଙ୍ଗରେ ପ୍ରତିବାଦ କରିବାରୁ ବିରତ କରି ପାରିଛନ୍ତି । କୁହାଯାଏ, ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୁଦ୍ଧରେ ନେପାଳରେ ଉଠିଥିବା ପ୍ରତିବାଦର ସ୍ୱରକୁ ଦାନା ବାନ୍ଧିବାକୁ ନ ଦେବାରେ ଚୀନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି । ଏପରିକି ଚୀନର ପ୍ରରୋଚନାରେ ନେପାଳ ସୀମା ବିବାଦ ପ୍ରସଙ୍ଗଟି ଉଠାଇଛି ବୋଲି କହିବାକୁ ଭାରତର ସେନାମୁଖ୍ୟ ପଛାଇନାହାନ୍ତି, ଯଦିଓ କୌଣସି ରାଜନୈତିକ ମନ୍ତବ୍ୟ ପ୍ରଦାନର ପରମ୍ପରା ଅନ୍ତତଃ ଭାରତୀୟ ସେନାବାହିନୀରେ ନ ଥିଲା । ଏହି ସୀମା ବିବାଦ ଲାଗି ରହିଲେ ଚୀନ ଲାଭାନ୍ୱିତ ହେବ । ତେବେ ଏ ସମ୍ପର୍କରେ ଚୀନ ଏ ଯାଏଁ ଖୋଲାଖୋଲି କିଛି କହି ନାହିଁ । ଗତ କିଛି ବର୍ଷ ଧରି ନେପାଳ ରାଜନୀତିରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ସହ ନେପାଳ ଚୀନର ନିକଟତର ହେବା ଓ ଭାରତଠାରୁ ଦୂରତା ରକ୍ଷା କରିବାକୁ ନେଇ ଭାରତ ଅସନ୍ତୁଷ୍ଟ । ନେପାଳ ଏକ ହିନ୍ଦୁ ବହୁଳ ଦେଶ (ପ୍ରାୟ ୮୫ ପ୍ରତିଶତ) ଓ  ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ଏହା ଭାରତର ନିକଟତର ହେଉ ବୋଲି ଭାରତର ଇଚ୍ଛା । ମଝିରେ ମଝିରେ ସେଠାରେ ହେଉଥିବା ଧର୍ମାନ୍ତରଣକୁ ନେଇ ଭାରତର କିଛି ଦକ୍ଷିଣପନ୍ଥୀ ଦଳ ମଧ୍ୟ ଚିନ୍ତା ପ୍ରକଟ କରୁଥିବାର ଦେଖାଯାଏ । ତେଣୁ ଭାରତ ମଧ୍ୟ ସେଠାରେ ଥିବା କିଛି ଭାରତ ସପକ୍ଷବାଦୀ ଦଳ ଓ ଗୋଷ୍ଠୀଙ୍କୁ ସାହାଯ୍ୟ କରି ଆସୁଛି ବୋଲି କୁହାଯାଏ । ନେପାଳକୁ ନିଜ ଆଡକୁ ଟାଣିବା ପାଇଁ ସ୍ୱାଭାବିକ ଭାବେ ଉଭୟ ଚୀନ ଓ ଭାରତ ମଧ୍ୟରେ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଲାଗି ରହିଛି । ଏକ ସାର୍ବଭୌମ ଦେଶ ହୋଇଥିବାରୁ ନେପାଳ ନିଜ ସ୍ୱାର୍ଥ ଅନୁକୂଳ ପଦକ୍ଷେପ ନେବାରେ କିଛି ଆଶ୍ଚର୍ଯ୍ୟ ବା ବିଚଳିତ ହେବାର ନାହିଁ । ଏହା ଏକ ସ୍ଥଳ ଆବଦ୍ଧ (ଲ୍ୟାଣ୍ଡ ଲକ୍‌ଡ) ଦେଶ ଓ ବିଭିନ୍ନ ପ୍ରକାର ଅର୍ଥନୈତିକ ଗତିବିଧି ପାଇଁ ଏହା ଭାରତର ଭୂଭାଗର ଉପଯୋଗ କରୁଥିବାରୁ ଦୁଇଟି ଦେଶ ମଧ୍ୟରେ ସୁସମ୍ପର୍କ ଉଭୟଙ୍କ ହିତରେ ବୋଲି ଗ୍ରହଣ କରିବାକୁ ହେବ । ନେପାଳ ନୂତନ ମାନଚିତ୍ର ଜାରି କରି ଭାରତ ଦଖଲରେ ଥିବା କାଲାପାନି ସଂଲଗ୍ନ ଅଂଚଳଗୁଡିକୁ ଯେ ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇ ପାରିବ ତାହା ନୁହେଁ, ବରଂ ଏ ଭଳି ଏକ ସମସ୍ୟାକୁ ଅନ୍ତର୍ଜାତିକ ମଞ୍ଚରେ ଉପସ୍ଥାପନ କରି ଭାରତକୁ ନିନ୍ଦିତ କରିବାର ସୁଯୋଗ ପାଇବ । ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତରେ ସମ୍ବିଧାନ ସଂଶୋଧନ ଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରି ସାରିଥିବାରୁ ନେପାଳ ପକ୍ଷରେ ଭାରତ ସହ ବାର୍ତାଳାପ କରିବା ପାଇଁ ମଧ୍ୟ ସୁଯୋଗ ସୀମିତ । ଭାରତ-ନେପାଳ ସୀମାର ୯୮ ପ୍ରତିଶତ ବିବାଦରହିତ ହୋଇଥିବାରୁ ମାତ୍ର ୨ ପ୍ରତିଶତରୁ କମ ଅଞ୍ଚଳରେ ଥିବା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପରିବ ବୋଲି ବିଶେଷଜ୍ଞଙ୍କ ମତ । ଏ ପରିସ୍ଥିତିରେ ଭାରତ ତତକ୍ଷଣାତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜ ଆଡୁ ବାର୍ତାଳାପ ପାଇଁ ପ୍ରୟାସ କଲେ ହୁଏତ ଭବିଷ୍ୟତରେ ଭାରତ-ନେପାଳ ସମ୍ପର୍କରେ କଣ୍ଟା ସାଜିବାକୁ ଯାଉଥିବା ଏକ ବଡ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ।
   
ଅତୀତରେ ଭାରତ ନେପାଳକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇ ଆସିଛି । ଭାରତରେ କିଛି ଲୋକ ତାର ବିରୋଧ କରିଛନ୍ତି ମଧ୍ୟ । ନେପାଳର ଏହି ପଦକ୍ଷେପ ପରେ ସେହି ଲୋକମାନେ ନେପାଳ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି । ଚାପଗ୍ରସ୍ତ ହୋଇ ଭାରତ ସେ ଭଳି କୌଣସି ପଦକ୍ଷେପ ଗ୍ରହଣ କଲେ ତାହା ଭାରତର ସ୍ୱାର୍ଥ ଅନୁକୂଳ ହୋଇ ନ ପାରେ । ଚୀନ ଅନାଇ ରହିଛି, ଭାରତ ନେପାଳ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି । ତାହା ହେଲେ ନେପାଳ ଭାରତଠାରୁ ଅଧିକ ଦୂରେଇ ଯିବ ଓ ଚୀନର ଅଧିକ ନିକଟତର ହେବ । ଭାରତ ସୀମାରେ ପାକିସ୍ତାନ ପରି ଭାରତର ଆଉ ଗୋଟିଏ ପଡୋଶୀ-ଶତୃ ସୃଷ୍ଟି ହେବା ଚୀନର ସ୍ୱାର୍ଥକୁ ଚରିତାର୍ଥ କରିବ । ତେଣୁ ଏ ଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଭାରତକୁ ଅତ୍ୟଧିକ ସଂଯମ ରକ୍ଷା କରିବାର ଆବଶ୍ୟକତା ରହିଛି । ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କୌଣସି ପଦକ୍ଷେପ ଗ୍ରହଣ କରାଗଲେ ତାହା ହୁଏତ ନେପାଳର କ୍ଷତିସାଧନ କରି ପାରେ, କିନ୍ତୁ ସେଥିରେ ଭାରତର ବିଶେଷ କିଛି ଲାଭ ନ ହୋଇ ତାହା ବରଂ ଦୀର୍ଘକାଳୀନ କ୍ଷତିର କାରଣ ପାଲଟିବ, ଏଥିରେ ସନ୍ଦେହ ନାହିଁ । କୂଟନୀତିରେ କିଛି ଦୀର୍ଘକାଳୀନ ଲାଭ ପାଇବା ପାଇଁ କିଛି ତାତକାଳିକ କ୍ଷତି ସହିବାକୁ ହୋଇଥାଏ, ଇଟାର ଜବାବ ତୁରନ୍ତ ପଥରରେ ଦିଆ ହୋଇ ନ ଥାଏ, ବେଳେବେଳେ ମୁହଁ ନ ଖୋଲି ଚୁପ ରହିବା ବୁଦ୍ଧିମାନର କାମ ହୋଇଥାଏ ।

Published in Odisha Reporter on June 20, 2020 

Comments

  1. Congratulations.A thoughtful , meticulously written piece.

    ReplyDelete
  2. ଭାରତରେ କାମ କରୁଥିବା ଲକ୍ଷାଧିକ ନେପାଳୀ ଏବଂ ଭାରତର ଗୁର୍ଖା ବାହିନୀ କଥା ଭାରତ ସରକାରଙ୍କର ମନେ ରହିବା ଉଚିତ। ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ସବୁ ଦୃଷ୍ଟିରୁ ବର୍ଜନୀୟ।

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍