ପ୍ରଖ୍ୟାତ ଜର୍ମାନ ଲେଖକ ଗେଟେଙ୍କୁ ପ୍ରସିଦ୍ଧି ଆଣି ଦେଇଥିବା ତାଙ୍କ ପ୍ରଥମ ଉପନ୍ୟାସ ‘ଦି ସରୋଜ୍ ଅଫ ୟଙ୍ଗ ଓ୍ଵେର୍ଥର’ ୧୭୭୪ ମସିହାରେ ପ୍ରକାଶ ପାଇଲା ପରେ ତାହା ପ୍ରବଳ ଜନାଦୃତି ଲାଭ କରିଥିଲା । ଉପନ୍ୟାସରେ ପ୍ରେମରେ ବିଫଳ ହୋଇ ନାୟିକାକୁ ଆଉ ହାସଲ କରି ପାରିବ ନାହିଁ ବୋଲି ଉପଲବ୍ଧି କରି ନାୟକ ଓ୍ଵେର୍ଥର ପରିଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ନାୟକର ଆତ୍ମହତ୍ୟା ପ୍ରାକ୍ ପ୍ରସ୍ତୁତିର ବର୍ଣ୍ଣନା ସମଗ୍ର ୟୁରୋପରେ ଅସଫଳ ପ୍ରେମିକମାନଙ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ତାକୁ ଅନୁସରଣ କରି କେତେକ ନିଜକୁ ଓ୍ଵେର୍ଥରଙ୍କ ପରି ବେଶ ପୋଷାକରେ ଆଭୂଷିତ କରି ସମାନ ପ୍ରକାର ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ପଛାଇଲେ ନାହିଁ । ସ୍ଥଳ ବିଶେଷରେ ଶବ ନିକଟରୁ ସେହି ପୁସ୍ତକ ମଧ୍ୟ ଉଦ୍ଧାର ହୋଇଥିଲା ବୋଲି କୁହାଯାଏ । ଫଳରେ ସେ ସମୟରେ ୟୁରୋପର ଅନେକ ଦେଶରେ ବହିଟିକୁ ପ୍ରତିବନ୍ଧିତ କରାଯାଇଥିଲା । ସମ୍ଭବତଃ, ସମଗ୍ର ବିଶ୍ୱରେ ଏହା ହିଁ ଥିଲା ‘ଆତ୍ମହତ୍ୟା ନକଲ’ (କପିକ୍ୟାଟ ସୁଇସାଇଡ)ର ପ୍ରଥମ ଉଦାହରଣ ଓ ଏହାକୁ ‘ଓ୍ଵେର୍ଥର ଇଫେକ୍ଟ’ ବୋଲି କୁହାଯାଏ । ମିଡିଆ ଜନିତ ‘ଆତ୍ମହତ୍ୟା ସଂକ୍ରମଣ’କୁ ମଧ୍ୟ ‘ଓ୍ଵେର୍ଥର ଇଫେକ୍ଟ’ ବୋଲି କୁହାଯାଇଥାଏ । ଏଥିରୁ ପୁସ୍ତକ, ନାଟକ, ସିନେମା, ଟେଲିଭିଜନ ଓ ଗଣମାଧ୍ୟମରେ ଆତ୍ମହତ୍ୟାକୁ ନେଇ ଉପସ୍ଥାପିତ, ପ୍ରଚାରିତ ଓ ପ୍ରସାରିତ ତଥ୍ୟ, ବର୍ଣ୍ଣନା ଓ ଦୃଶ୍ୟର ଯେ ସାଧାରଣ ଲୋକଙ୍କ ଉପରେ କେତେ ବେଶି ପ୍ରଭାବ ପଡିଥାଏ, ତାହା ସହଜରେ ଅନୁମେୟ ।
ଆଧୁନିକ ସମାଜରେ ଆତ୍ମହତ୍ୟା ଏକ ମହାମାରୀ ଭାବେ ଉଭା ହୋଇଛି, ଯାହାର ସୁଦୂର ପ୍ରସାରୀ ସାମାଜିକ, ଅର୍ଥନୈତିକ ଓ ଆବେଗାତ୍ମକ କୁପ୍ରଭାବ ପରିଲକ୍ଷିତ ହେଉଛି । ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ଦଶ ଲକ୍ଷ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁର ଶିକାର ହୋଇଥାନ୍ତି । ପରିତାପର ବିଷୟ ଏ ଭଳି ପ୍ରତିଟି ମୃତ୍ୟୁରେ ହାରାହାରି ଆହୁରି ଛଅ ଜଣ ସିଧା ସଳଖ ପ୍ରଭାବିତ ହୋଇଥାନ୍ତି ଓ ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଯାଇଥାନ୍ତି । ନିଃସନ୍ଦେହରେ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ନିୟନ୍ତ୍ରିତ ଆଚରଣ ଆତ୍ମହତ୍ୟାର ହାର ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହାକୁ ଉପଲବ୍ଧି କରି ଆତ୍ମହତ୍ୟା ସଂକ୍ରାନ୍ତୀୟ ଖବରମାନ ଉପସ୍ଥାପନ କଲା ବେଳେ ଗଣମାଧ୍ୟମ ବୃତ୍ତିଧାରୀମାନେ କି ଧରଣର ସତର୍କତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସାହାଯ୍ୟକାରୀ ଉପାୟ ପୁସ୍ତିକା ପ୍ରସ୍ତୁତ କରିଛନ୍ତି, ଯାହାକୁ ଅନେକ ଦେଶର ଗଣମାଧ୍ୟମ ଅନୁସରଣ କରୁଛନ୍ତି ମଧ୍ୟ । ଅନ୍ତର୍ଜାତିକ ଆତ୍ମହତ୍ୟା ନିବାରଣ ସଂଘ (ଆଇଏଏସପି) ସହ ମିଳିତ ଉଦ୍ୟମରେ ପ୍ରକାଶିତ ଏହି ପୁସ୍ତିକାଟିର ପ୍ରସ୍ତୁତି ପୂର୍ବରୁ ସ୍ୱାସ୍ଥ୍ୟ ବୃତ୍ତିଧାରୀ, ଶିକ୍ଷକ, ସାମାଜିକ ସଂସ୍ଥା, ସରକାରୀ ବିଭାଗ, ଆଇନ ପ୍ରଣୟନକାରୀ, ସାମାଜିକ ଯୋଗାଯୋଗକାରୀ, ଆଇନ ପ୍ରୟୋଗକାରୀ, ପରିବାର ଓ ଗୋଷ୍ଠୀ ଆଦି ବିଭିନ୍ନ ବର୍ଗର ହିତଧାରକଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ ହୋଇଥିଲା ।
ସାଧାରଣତଃ ଆତ୍ମହତ୍ୟା ପଛର କାରଣ ବିବିଧ ଓ ଜଟିଳ ହୋଇଥିବାରୁ ଖବର ଉପସ୍ଥାପନ ବେଳେ ପରୀକ୍ଷାରେ ଫେଲ ହେବା, ପ୍ରେମରେ ବିଫଳ ହେବା ଭଳି କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ହୋଇଛି ବୋଲି ସରଳ ଭାବରେ ଦର୍ଶାଇବା ଠିକ ନୁହେଁ । ଏଭଳି ଖବର ପରିବେଷଣ କଲା ବେଳେ ଏହାର ଭାଷା ଉପରେ ଗୁରୁତ୍ୱ ଦେବା ଉଚିତ ଯଦ୍ଦ୍ୱାରା ଖବରଟି ଅତ୍ୟଧିକ ଲୋମହର୍ଷଣକାରୀ ନ ହୁଏ ବା ଗତାନୁଗତିକ ସାଧାରଣ ପାଲଟି ନ ଯାଏ । ଏଥି ସହିତ ସମ୍ବାଦଟିରେ ଯେପରି ବ୍ୟକ୍ତିର ‘ଆତ୍ମହତ୍ୟା ହିଁ ତା' ସମସ୍ୟା ସମାଧାନର ଏକମାତ୍ର ବାଟ ଥିଲା’ ଭଳି ବାର୍ତ୍ତାଟିଏ ଚାଲି ନ ଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ହେବ । ‘ଆତ୍ମହତ୍ୟା ସଂକ୍ରମଣ’ ଭଳି ଶବ୍ଦ ବଦଳରେ ‘ଆତ୍ମହତ୍ୟା ହାର ଅଧିକ ହେବା’ ଭଳି ଅପେକ୍ଷାକୃତ ନରମ ଶବ୍ଦର ବ୍ୟବହାର ହେବା ଉଚିତ । ଅନ୍ୟ ଶବ୍ଦ ସହ ‘ଆତ୍ମହତ୍ୟା’ ଶବ୍ଦଟିକୁ ଯୋଡି ଅବିଚାରିତ ଢଙ୍ଗରେ ପ୍ରୟୋଗ କରିବା ଅନୁଚିତ, ଯେପରି ‘ରାଜନୈତିକ ଆତ୍ମହତ୍ୟା’ । ‘ଅସଫଳ ଆତ୍ମହତ୍ୟା’ ଲେଖିଲେ ଆତ୍ମହତ୍ୟାର ସଫଳତା କାମ୍ୟ ଭଳି ବୁଝାଉଥିବାରୁ ତା' ସ୍ଥାନରେ ‘ଅମରଣାନ୍ତକ ପ୍ରାଣହାନି ଉଦ୍ୟମ’ ଲେଖିବା ଅଧିକ ଯୁକ୍ତିଯୁକ୍ତ ହେବ । ସିଧାସଳଖ ଅମୁକ ଲୋକ ‘ଆତ୍ମହତ୍ୟା କଲେ’ ବୋଲି ଲେଖିବା ଅନୁଚିତ, କାରଣ ସେଥିରେ ଅପରାଧୀତା ସନ୍ନିବେଶିତ ଥିବାରୁ ନିଜ ପ୍ରିୟଜନକୁ ହରାଇଥିବା ପରିଜନଙ୍କ ପାଇଁ ଏହା ଏକ କଳଙ୍କ ସଦୃଶ । ତେଣୁ ତା' ସ୍ଥାନରେ ‘ଅମୁକଙ୍କ ଅସ୍ୱାଭାବିକ ମୃତ୍ୟୁ’ ଲେଖିବା ଅଧିକ ମାର୍ଜିତ ହେବ ।
ସମ୍ବାଦ ପତ୍ରର ପ୍ରଥମ ପୃଷ୍ଠାରେ ବା ତତକ୍ଷଣାତ୍ ଆଖିରେ ପଡିଲା ଭଳି ପ୍ରମୁଖ ସ୍ଥାନରେ ଯେପରି ସମ୍ବାଦଟିକୁ ପ୍ରକାଶ କରା ନ ଯାଏ । ଏପରି ଖବରକୁ ଗୌଣତା ପ୍ରଦାନ କରି ଦୃଷ୍ଟି ଆକର୍ଷଣ ନ କଲା ଭଳି ମଝି ପୃଷ୍ଠାରେ ପ୍ରକାଶ କରାଗଲେ ଭଲ । ଅଳ୍ପ ସମୟ ବ୍ୟବଧାନରେ ଆତ୍ମହତ୍ୟା ସମ୍ପର୍କିତ ଖବର ପୁନରାବୃତ୍ତି ହେଲେ ତା'ର ମଧ୍ୟ କୁପ୍ରଭାବ ପଡିଥାଏ । ତେବେ କପିକ୍ୟାଟ ସୁଇସାଇଡ ଉପରେ ଗତ ଶତାବ୍ଦୀର ସତୁରୀ ଦଶକରେ ଡେଭିଡ ଫିଲିପ୍ସଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ତାଙ୍କ ୨୦ ବର୍ଷର ଅଧ୍ୟୟନ କାଳ ମଧ୍ୟରେ ଯେଉଁ ୩୩ ମାସରେ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଅତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇଥିଲା, ସେଥି ମଧ୍ୟରୁ ୨୬ଟି ମାସରେ ଆତ୍ମହତ୍ୟା ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା । ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ଆତ୍ମହତ୍ୟା ସଂକ୍ରାନ୍ତୀୟ ଖବର ‘ବ୍ରେକିଙ୍ଗ ନିୟୁଜ’ ବା ‘ମୁଖ୍ୟ ସମ୍ବାଦ’ ଆକାରରେ ପ୍ରସାରିତ ହେଲେ ତାହା କପିକ୍ୟାଟ ସଇସାଇଡକୁ ପ୍ରୋତ୍ସାହିତ କରିଥାଏ ବୋଲି ଅନେକ ଅଧ୍ୟୟନରୁ ପ୍ରତିପାଦିତ ।
କୌଣସି ଆତ୍ମହତ୍ୟା ବା ଆତ୍ମହତ୍ୟା ଉଦ୍ୟମର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରକାଶ କରାଯିବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ, ଅତ୍ୟଧିକ ବଟିକା ଖାଇ ଆତ୍ମହତ୍ୟା ହୋଇଥିଲେ, ବଟିକାର ନାମ, ପରିମାଣ, ଅନ୍ୟ କେଉଁ ବଟିକା ସହ ମିଶାଇ ଖାଇଲେ, କିପରି ତା'କୁ ଆହରଣ କରାଗଲା ଇତ୍ୟାଦି ଉଲ୍ଲେଖ କରିବା ଆଦୌ ବୁଦ୍ଧିମାନର କାମ ନୁହେଁ । କୌଣସି ନୂଆ ପଦ୍ଧତିର ପ୍ରୟୋଗରେ ଆତ୍ମହତ୍ୟା ଘଟିଥିଲେ, ତାହା ସମ୍ବାଦ ଦୃଷ୍ଟିରୁ ରୋଚକ ହୋଇଥିଲେ ମଧ୍ୟ, ତା'ର ବିଶଦ ବିବରଣୀ ପ୍ରଦାନ କରିବା ଅନୁଚିତ । ଆତ୍ମହତ୍ୟା ଘଟିଥିବା ବା ଉଦ୍ୟମ ହୋଇଥିବା ସ୍ଥାନଟି ଏକ ଆତ୍ମହତ୍ୟା ଉପଯୋଗୀ ସ୍ଥାନର ମାନ୍ୟତା ପାଇବାର ସମ୍ଭାବନା ଥିବାରୁ ସେହି ସ୍ଥାନ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରକାଶ କରିବା ଅନାବଶ୍ୟକ । ଉଦାହରଣ ସ୍ୱରୂପ, ଆତ୍ମହତ୍ୟା ଘଟିଥିବା କୌଣସି ଉଚ୍ଚ କୋଠା, ପୋଲ, ପାହାଡ, ନଦୀ, ରେଳ ଧାରଣା ଇତ୍ୟାଦି । ଚୀନର ନାନଜିଙ୍ଗ ୟାଙ୍ଗସି ନଦୀ ପୋଲ, କାଲିଫର୍ଣ୍ଣିଆର ଗୋଲଡନ ଗେଟ ପୋଲ, ଜାପାନର ଆଓକିଗାହାରା ଜଙ୍ଗଲ ଆଦି ଆତ୍ମହତ୍ୟାକାରୀଙ୍କ ପାଇଁ ସର୍ବାଧିକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀର କୁଖ୍ୟାତି ଅର୍ଜନ କରିଛନ୍ତି । ଆତ୍ମହତ୍ୟା ଖବରର ଶିରୋନାମାରେ ଉପଯୁକ୍ତ ଶବ୍ଦର ବ୍ୟବହାର କରିବା ନିହାତି ଜରୁରୀ । ବିଶେଷ କରି ‘ଆତ୍ମହତ୍ୟା’ ଶବ୍ଦଟିର ପ୍ରୟୋଗକୁ ଏଡାଇ ‘ଜୀବନ ହାରିଲେ’ ‘ଅସମୟରେ ନିଧନ’, ‘ହାରିଗଲେ’ 'ପ୍ରାଣହାନି' ଭଳି ଶବ୍ଦର ପ୍ରୟୋଗ ହେଲେ ଭଲ ହୁଅନ୍ତା । ସେହିପରି ଫଟୋ ବା ଭିଡିଓ ଫୁଟେଜ ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରିବା ନିତାନ୍ତ ପ୍ରୟୋଜନ । ଆତ୍ମହତ୍ୟା ଖବର ସଂଗ୍ରହ ଓ ରିପୋର୍ଟିଂ ବେଳେ ଶୋକସନ୍ତପ୍ତ ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସେମାନଙ୍କ ଗୋପନୀୟତା ରକ୍ଷା ହେବା ପ୍ରତି ସମ୍ମାନ ଜଣାଇବା ଏକାନ୍ତ ବିଧେୟ ।
ସେଲିବ୍ରିଟି ଆତ୍ମହତ୍ୟା ଖବର ପରିବେଷଣ ବେଳେ ଅଧିକ ସମ୍ବେଦନଶୀଳତାର ଆବଶ୍ୟକତା ରହିଛି । ଏହା ଅଲକ୍ଷ୍ୟରେ ‘ଆତ୍ମହତ୍ୟା ନକଲ’କୁ ପ୍ରୋତ୍ସାହିତ କରୁଥିବାରୁ ଏହାକୁ କୌଣସି ମତେ ମହିମାମଣ୍ଡିତ କରିବା ଉଚିତ ନୁହେଁ । ଏହି ଧରଣର ଆତ୍ମହତ୍ୟା ପରେ ଅନ୍ୟ ସେଲିବ୍ରିଟିଙ୍କ ଟୁଇଟ ବା ମତକୁ ଗୁରୁତ୍ୱ ପ୍ରଦାନ କରି ପ୍ରକାଶ କରିବା ଦ୍ୱାରା ତାହା ମହିମାମଣ୍ଡିତ ହୋଇ ତା'ର କୁପ୍ରଭାବ ପଡିଥାଏ । ୧୯୪୭ ମସିହାରେ ଆମେରିକୀୟ ଇଭେଲିନ ମ୍ୟାକହେଲଙ୍କ ନିୟୁୟର୍କର ଏମ୍ପାୟାର ଷ୍ଟେଟ ବିଲଡିଂ ଉପରୁ ଡେଇଁ କରିଥିବା ଆତ୍ମହତ୍ୟାକୁ ‘ଟାଇମସ’ ପତ୍ରିକା ‘ସବୁଠାରୁ ସୁନ୍ଦର ଆତ୍ମହତ୍ୟା’ର ଆଖ୍ୟା ଦେଇ ମହିମାମଣ୍ଡିତ କରିଥିଲା । ବିଭିନ୍ନ ଅଧ୍ୟୟନ ଅନୁଯାୟୀ ରାଜନୀତି ଓ ମନୋରଞ୍ଜନ ଦୁନିଆର ସେଲିବ୍ରିଟିଙ୍କ ଆତ୍ମହତ୍ୟାର ଏପରି କୁପ୍ରଭାବ ପଡିଥାଏ ଯେ ‘କପିକ୍ୟାଟ ସୁଇସାଇଡ’ ପ୍ରାୟ ୧୪.୩ ଗୁଣ ବଢି ଯାଇଥାଏ । ଅଗଷ୍ଟ ୧୯୬୨ରେ ଜନପ୍ରିୟ ଅଭିନେତ୍ରୀ ମେରିଲିନ ମନରୋଙ୍କ ଆତ୍ମହତ୍ୟା ପରେ ସେହି ମାସ ୩୦୩ ଜଣ ଆତ୍ମହତ୍ୟା କରିଥିଲେ, ଯାହା ଏ ଯାଏଁ କାହାରି ଆତ୍ମହତ୍ୟା ପରେ ହୋଇଥିବା ସର୍ବାଧିକ କପିକ୍ୟାଟ ସୁଇସାଇଡ । ଦକ୍ଷିଣ ଭାରତରେ ସେଲିବ୍ରିଟି ରାଜନେତା ଓ ଅଭିନେତାଙ୍କ ମୃତ୍ୟୁରେ ସ୍ଥଳ ବିଶେଷରେ ଆତ୍ମହତ୍ୟାର ଖବରମାନ ଶୁଣିବାକୁ ମିଳେ । ପରିତାପର ବିଷୟ ବେଳେବେଳେ ମିଡିଆ ଓ ସମ୍ପୃକ୍ତ ଦଳମାନେ ସେଗୁଡିକୁ ମହିମାମଣ୍ଡିତ କରିବା ପାଇଁ ମଧ୍ୟ ପ୍ରୟାସ କରିଥାଆନ୍ତି ।
ସମ୍ବାଦପତ୍ର, ରେଡିଓ ଓ ଟେଲିଭିଜନ ବ୍ୟତୀତ ଏଣିକି ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମର ମଧ୍ୟ ପ୍ରସାର ଯଥେଷ୍ଟ ବଢିଯାଇଛି । ଅନେକ ଓ୍ଵେବସାଇଟରେ ଆତ୍ମହତ୍ୟା କରିବାର ଉପାୟ, ସେଲିବ୍ରିଟିଙ୍କ ଆତ୍ମହତ୍ୟାର ଟିକିନିକି ବିବରଣୀମାନ ସ୍ଥାନିତ ହେଉଥିବାର ଲକ୍ଷ୍ୟ କରାଯାଉଛି । ସେହିପରି ଟେଲିଭିଜନ ଧାରାବାହିକଠାରୁ ଆରମ୍ଭ କରି ସିନେମା ଓ ମଞ୍ଚ ନାଟକରେ ମଧ୍ୟ ଆତ୍ମହତ୍ୟାର ଦୃଶ୍ୟମାନ ଅଭିନୟ ଜରିଆରେ ପ୍ରଦର୍ଶିତ ହେଉଛି । ଏ ସବୁର ମଧ୍ୟ ସାଧାରଣ ପାଠକ ଓ ଦର୍ଶକଟିଏ ଉପରେ ଯଥେଷ୍ଟ ପ୍ରଭାବ ପଡିଥାଏ । ବିଶେଷ କରି ଏହାଦ୍ୱାରା ସହଜରେ ଦୁର୍ବଳ ମାନସିକତାର ଲୋକଟିଏର ମନୋଭାବ ଓ ଆଚରଣରେ ପରିବର୍ତ୍ତନ ହୋଇଥାଏ ଓ ତା'ର କୁପରିଣାମ ବି ଦେଖା ଦେଇଥାଏ । ତେଣୁ ଆତ୍ମହତ୍ୟା ସମସ୍ୟା ପ୍ରତି ଉପରୋକ୍ତ ମାଧ୍ୟମ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ସମ୍ବେଦନଶୀଳତା ରହିଲେ, ଆତ୍ମହତ୍ୟାର ଦୃଶ୍ୟଗୁଡିକୁ ସିଧାସଳଖ ନ ଦେଖାଇ କିପରି ପ୍ରତୀକାତ୍ମକ ଭାବେ ଉପସ୍ଥାପିତ କରି ହେବ ସେ ନେଇ ସେମାନେ ଅଧିକ ସଚେଷ୍ଟ ହେବେ । ଓ୍ଵେବସାଇଟରେ ସ୍ଥାନିତ ତଥ୍ୟ ଓ ସାମଗ୍ରୀ ଉପରେ ନିୟନ୍ତ୍ରଣ ଅଭାବରୁ ସମ୍ପୃକ୍ତ କର୍ତ୍ତୃପକ୍ଷ ସେଗୁଡିକୁ ବାଦ ଦେଲେ, ତାହା ସ୍ୱାଗତଯୋଗ୍ୟ ହୁଅନ୍ତା ।
ଏ ପର୍ଯ୍ୟନ୍ତ ବିଶ୍ୱର ୩୮ଟି ଦେଶରେ ପ୍ରସ୍ତୁତ ହୋଇଥିବା ‘ଜାତୀୟ ଆତ୍ମହତ୍ୟା ନିବାରଣ କୌଶଳ’ରେ ଗଣମାଧ୍ୟମ ଦ୍ୱାରା ଆତ୍ମହତ୍ୟାର ସଠିକ, ଉତ୍ତରଦାୟୀ, ନୈତିକ ରିପୋର୍ଟିଂ ପାଇଁ ଏକ ମାର୍ଗଦର୍ଶିକା ସ୍ଥାନିତ ହୋଇଛି । ଭାରତରେ ମଧ୍ୟ ଏ ଭଳି ଏକ ଜାତୀୟ କୌଶଳ ନିର୍ଦ୍ଧାରଣ ହୋଇ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା ତିଆରି ହେବା ପ୍ରୟୋଜନ । ଏକ ସମୀକ୍ଷା ଅନୁଯାୟୀ ଆତ୍ମହତ୍ୟା ଖବରର ବିଷୟ ଓ ପୁନରାବୃତ୍ତିରେ ପରିବର୍ତ୍ତନ ଆଣି ଆତ୍ମହତ୍ୟା ନକଲକୁ କମ କରିବା ଦିଗରେ ଅଷ୍ଟ୍ରିଆ ଓ ସ୍ୱିଜରଲାଣ୍ଡରେ ଆତ୍ମହତ୍ୟା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡିକ ଗଣମାଧ୍ୟମକୁ ବୁଝାଇବାରେ ସଫଳ ହୋଇଛନ୍ତି । ଭାରତରେ ମଧ୍ୟ ଅନୁରୂପ ପ୍ରୟାସର ଆବଶ୍ୟକତା ରହିଛି ।
ଭାରତରେ ମନସ୍ତାତ୍ତ୍ଵିକ ବ୍ୟାଧି ଓ ମାନସିକ ଅସୁସ୍ଥତା ସମସ୍ୟାର ବ୍ୟାପକତାକୁ ଗ୍ରହଣ କରି ସରକାର ପ୍ରାଣହାନି ଉଦ୍ୟମକୁ ମାନସିକ ସ୍ୱାସ୍ଥ୍ୟଯତ୍ନ ଆଇନ, ୨୦୧୭ ଅନୁଯାୟୀ ଦଣ୍ଡନୀୟ ଅପରାଧ ଶ୍ରେଣୀରୁ ମୁକ୍ତ କରିଛନ୍ତି । ଅମରଣାନ୍ତକ ପ୍ରାଣହାନି ଉଦ୍ୟମ କରିଥିବା ପ୍ରତ୍ୟେକଙ୍କ ପାଇଁ ଏହା ଏକ ଶୁଭ ସମାଚାର, କାରଣ ସେମାନେ ଜେଲ ଦଣ୍ଡର ବିନା ଭୟରେ ଆଉ ଥରେ ନୂଆ କରି ଜୀବନ ଯାତ୍ରା ଆରମ୍ଭ କରି ପାରିବେ । ତେବେ ଏଥି ପ୍ରତି ସମାଜର ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆତ୍ମହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ଧାରଣା ଥିବାରୁ ସେଗୁଡିକୁ ଦୂର କରିବା ଦିଗରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ । ଏ ସଂକ୍ରାନ୍ତରେ ସରକାରୀ ଓ ବେସରକାରୀ ସ୍ତରରେ ପରାମର୍ଶଠାରୁ ଆରମ୍ଭ କରି ଅନ୍ୟାନ୍ୟ କି ପ୍ରକାର ସହାୟତା ମିଳି ପାରୁଛି ସେ ସମ୍ପର୍କରେ ମଧ୍ୟ ଗଣମାଧ୍ୟମ ସଚେତନ କରିପାରିବ । ଆତ୍ମହତ୍ୟା ରହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ସମାଜର ପ୍ରତିଟି ବର୍ଗର ଉଦ୍ୟମର ଆବଶ୍ୟକତା ଥିବା ବେଳେ ଏ ଦିଗରେ ଗଣମାଧ୍ୟମ ଓ ଅନ୍ୟମାନଙ୍କ ସକ୍ରିୟ ଭୂମିକା ଯେ ସମସ୍ୟାଟିକୁ ହ୍ରାସ କରିବା ଦିଗରେ ଖୁବ ବେଶି ପ୍ରଭାବଶାଳୀ ହୋଇ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ, ତାହା ନିଃସନ୍ଦେହ ।
Published in Odia daily Nitidin on June 26, 2020
Comments
Post a Comment