ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସଂସ୍ଥା ଏଚଡିଏଫସି
ମାର୍ଚ୍ଚ ୩୧,
୨୦୨୦ ପରେ ଯେତେବେଳେ
ଷ୍ଟକ ଏକ୍ସଚେଞ୍ଜଗୁଡିକୁ ସୂଚୀତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ ବ୍ୟାଙ୍କ ଅଫ ଚାଇନା (ପିବିଓସି) କମ୍ପାନୀର ୧.୭୫ କୋଟି ସେୟାର କିଣି
୧.୦୧ ପ୍ରତିଶତ ଅଂଶଧନର
ଅଧିକାରୀ ହୋଇଛି ବୋଲି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା ।
କରୋନା ଆତଙ୍କରେ ସେୟାର
ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ପିବିଓସି ଏହି ଅଂଶଧନ କିଣିଥିଲା
।
ଏମିତିରେ ଦେଖିବାକୁ
ଗଲେ ଗୋଟିଏ କମ୍ପାନୀରେ ୧ ପ୍ରତିଶତ ଅଂଶଧନ ଆହରଣରେ ସେହି କମ୍ପାନୀର ମାଲିକାନା ବଦଳିଯିବାର ବା ସେହି
କମ୍ପାନୀ ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନ ଥିଲେ ବି ଏହି ଅସମୟରେ ଭାରତୀୟ କମ୍ପାନୀଗୁଡିକରେ
ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା ।
କାରଣ ସେତେବେଳେ କରୋନା
ସଂକ୍ରମଣର ବିପତ୍ତି ମଧ୍ୟରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ
ସ୍ପଷ୍ଟ କରି ଦେଇଥିଲା ।
ତେବେ, ଭାରତୀୟ କମ୍ପାନୀରେ ଚୀନର ପୁଞ୍ଜି ନିବେଶର ଆଗ୍ରହ ଏବର ନୁହେଁ
।
୨୦୧୪ରେ ଏନଡିଏ ସରକାର
ଶାସନକୁ ଆସିଲା ବେଳକୁ ଚୀନ ଭାରତରେ ପ୍ରାୟ ୧୬୦ କୋଟି ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ
କରିଥିବା ବେଳେ ଗତ ୬ ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୬୦୦ କୋଟି ଡଲାରରେ ପହଞ୍ଚିଲାଣି ।
ଚୀନର ଭାରତରେ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ
ପୁଞ୍ଜି ନିବେଶ)
ପରିମାଣ ଆଶାତୀତ ଭାବେ
ବୃଦ୍ଧି ପାଇଥିଲେ ମଧ୍ୟ ତାହା ନୂତନ ଶିଳ୍ପ ପ୍ରତିଷ୍ଠାରେ ବିନିଯୁକ୍ତ ନ ହୋଇ ଅଧିକ ପରିମାଣରେ ଭାରତୀୟ
କମ୍ପାନୀଗୁଡିକର ଅଂଶଧନ କିଣିବାରେ ବିନିଯୋଗ କରାଯାଇଛି ।
ଏକ ଆକଳନ ଅନୁସାରେ
ଚୀନ ଭାରତର ୩୦ଟିରୁ ଅଧିକ ଷ୍ଟାର୍ଟ ଅପ କମ୍ପାନୀରେ ପ୍ରାୟ ୫୦୦କୋଟି ଡଲାରରୁ ଅଧିକ ରାଶି ବିନିଯୋଗ
କରି ସାରିଛି । ଚୀନର ଆଲିବାବା ଓ ସହଯୋଗୀ କମ୍ପାନୀ ଟେନସେଂଟ ଭାରତର ପ୍ରମୁଖ
ଷ୍ଟାର୍ଟ ଅପ କମ୍ପାନୀ ବିଗ ବାସ୍କେଟ, ପେଟିଏମ, ସ୍ନାପଡିଲ, ଏକ୍ସପ୍ରେସବିଜ, ଜମାଟୋ, ରାପିଡୋ, ଓୟୋ ହୋଟେଲ, ପଲିସି ବଜାର, ବାଇଜୁଜ, ଓଲା, ଫ୍ଲିପକାର୍ଟ, ସୁଇଗି ଇତ୍ୟାଦିରେ
ପୁଞ୍ଜି ଲଗାଇଛନ୍ତି । ସ୍ଥଳ ବିଶେଷରେ ଏହି କମ୍ପାନୀଗୁଡିକ ମଧ୍ୟରୁ କେତୋଟିରେ ଚାଇନା
ନିବେଶକଙ୍କର ଅଂଶଧନ ୩୩ ପ୍ରତିଶତରୁ ଅଧିକ ହୋଇ ସେମାନେ ନିଜକୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ (ଷ୍ଟ୍ରାଟେଜିକ ପୋଜିସନ)ରେ ରଖି ପାରିଛନ୍ତି
।
ଏହାଦ୍ଵାରା ପରିଚାଳନାଗତ
ନିଷ୍ପତ୍ତି ଗ୍ରହଣରେ ମଧ୍ୟ ସେମାନଙ୍କ ଦଖଲ ଆସିସାରିଛି ।
ଗଲା କେଇ ବର୍ଷ ଭିତରେ ଭାରତର ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ
ଯେଉଁ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଇଛି ତାହାର ଅଧିକାଂଶ ଶ୍ରେୟ ଚାଇନା ଦ୍ଵାରା ପ୍ରତ୍ୟକ୍ଷ ବିଦେଶୀ
ପୁଞ୍ଜି ନିବେଶକୁ ଯିବ । ଏତଦବ୍ୟତୀତ ୟୁସି ବ୍ରାଉଜର, ଟିକଟକ, ହେଲୋ, ସେୟାରଇଟ ଭଳି ଭାରତର
ଅଗ୍ରଣୀ ଡାଉନଲୋଡ ଆପ୍ସଗୁଡିକ ମଧ୍ୟରୁ ଅର୍ଦ୍ଧାଧିକରେ ଚୀନର ନିବେଶର ପରିମାଣ ଯଥେଷ୍ଟ ବୃଦ୍ଧି ପାଇସାରିଛି
।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଚୀନର
ଫୋସନ କମ୍ପାନୀ ଭାରତର ଔଷଧ କମ୍ପାନୀ ଗ୍ଲାଣ୍ଡ ଫାର୍ମାକୁ ୧୧୦ କୋଟି ଡଲାରରେ କିଣି ଚୀନ ଭାରତ ଅର୍ଥ
ବଜାରରେ ତାର ପ୍ରବେଶର ଅଭିପ୍ରାୟକୁ ସ୍ପଷ୍ଟ କରିସାରିଛି ।
ଏତଦଭିନ୍ନ ଅଧିକାଂଶ
ବଡ ବଡ
(ବ୍ଲୁ
ଚିପ)
କମ୍ପାନୀର ଅଂଶଧନରେ
ମଧ୍ୟ ଚୀନ କମ୍ପାନୀଙ୍କର ନିବେଶ ଅଛି । ଭାରତରେ ସେୟାର ବଜାରରେ
ସେୟାରର ମୂଲ୍ୟ ମାତ୍ରାଧିକ ହ୍ରାସ ପାଇବାର ସୁଯୋଗ ନେଇ ଏଠାକାର କମ୍ପାନୀଗୁଡିକରେ ମଧ୍ୟ ଚୀନ ବିପୁଳ
ପରିମାଣରେ ନିବେଶ କରିବାର ମସୁଧା କରୁଥିବାର ସୂଚନା ମିଳୁଛି ।
ତଦ୍ଦ୍ୱାରା ଭାରତୀୟ
ଅର୍ଥ ବଜାର ଉପରେ ତାର ନିୟନ୍ତ୍ରଣ ଅଧିକ ହେବାର ସମ୍ଭାବନା ଦେଖା ଦେଇଛି ।
ତେବେ ସ୍ୱୟଂକ୍ରିୟ
ପଦ୍ଧତି
(ଅଟୋମେଟିକ
ରୁଟ)ରେ ଚୀନରୁ ଆସିଥିବା
ଏହି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କମ୍ପାନୀଗୁଡିକର ଅଂଶଧନରେ ବିନିଯୋଗ ହୋଇଥିବାର ସୂଚନା ଥିଲେ
ବି କେଉଁ କମ୍ପାନୀରେ କେତେ ପରିମାଣର ପୁଞ୍ଜି ଲାଗିଛି ତାର ତଥ୍ୟ ସରକାରଙ୍କ ନିକଟରେ ନାହିଁ, ଯାହା ସରକାରଙ୍କୁ ଚିନ୍ତାରେ
ପକାଇଛି । ଇତି ମଧ୍ୟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କମ୍ପାନୀଙ୍କ ନିକଟରୁ
ଚୀନର ପୁଞ୍ଜି ନିବେଶ ସମ୍ପର୍କୀୟ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରୁଛି ।
କରୋନାଜନିତ ସ୍ଥିତିରେ ସମଗ୍ର ବିଶ୍ୱର ପ୍ରମୁଖ ସେୟାର ବଜାରରେ
କମ୍ପାନୀଗୁଡିକର ଅଂଶଧନର ମୂଲ୍ୟ ଅନେକ ତଳକୁ ଖସି ଯାଇଥିବାରୁ ଚୀନ ଏହାକୁ ଏକ ସୁଯୋଗ ବୋଲି ମନେ କରି
ଆର୍ଥିକ ଦୁଃସ୍ଥିତିରେ ଥିବା କମ୍ପାନୀଗୁଡିକର ଅଂଶଧନକୁ କମ ଦାମରେ କିଣି ସେଗୁଡିକୁ ନିଜ ନିୟନ୍ତ୍ରଣକୁ
ନେବାର ଏକ ବଡ ଉଦ୍ୟମ ଆରମ୍ଭ କରିଛି । ଏହାଦ୍ୱାରା ବିଶ୍ୱ
ଅର୍ଥ ବଜାରରେ ଚୀନ ନିଜ ସ୍ଥିତିକୁ ସୁଦୃଢ କରି ଆଧିପତ୍ୟ ବିସ୍ତାର କରିପାରିବ ।
ଇତିମଧ୍ୟରେ ଶହ ଶହ
ବିଦେଶୀ କମ୍ପାନୀ ଚୀନ ଛାଡି ଭିଏତନାମ, ଭାରତ ଭଳି ଅନ୍ୟ ଦେଶମାନଙ୍କରେ ଶିଳ୍ପ ପ୍ରତିଷ୍ଠା ଲାଗି ଯୋଜନା
କରୁଥିବା ବେଳେ ଚୀନ ବିଭିନ୍ନ ଦେଶରେ ସେଠାକାର କମ୍ପାନୀରେ ନିବେଶ ମାଧ୍ୟମରେ ଅକ୍ତିଆର କରିବା ଲାଗି
କରୁଥିବା ଉଦ୍ୟମ ବେଶ ଗୁରୁତ୍ୱ ବହନ କରେ । ଏହି କାରଣରୁ ଇତିମଧ୍ୟରେ
ଅଷ୍ଟ୍ରେଲିଆ ଓ ୟୁରୋପର କେତେକ ଦେଶ ସେମାନଙ୍କ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ସଂକ୍ରାନ୍ତୀୟ
ଆଇନରେ ସଂଶୋଧନ କରିଛନ୍ତି । ତେଣୁ ଭାରତ ମଧ୍ୟ ଅନୁରୂପ
ଭାବେ କିଛି ପଦକ୍ଷେପ ଗ୍ରହଣ କରିଥିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।
ଭାରତରେ ସାଧାରଣତଃ ଦୁଇଟି ପଦ୍ଧତିରେ ବିଦେଶୀ ପୁଞ୍ଜି ନିବେଶ
ହୋଇଥାଏ । ପ୍ରଥମଟି ସ୍ୱୟଂକ୍ରିୟ (ଅଟୋମେଟିକ ରୁଟ) ପଦ୍ଧତି ଓ ଦ୍ୱିତୀୟଟି
ଅନୁମୋଦନମୂଳକ
(ଆପ୍ରୁଭାଲ
ରୁଟ)
ପଦ୍ଧତି ।
ବିଦେଶୀ ପ୍ରତ୍ୟକ୍ଷ
ପୁଞ୍ଜି ନିବେଶ କ୍ଷେତ୍ରରେ ଅଯଥାରେ ହେଉଥିବା ପ୍ରକ୍ରିୟାଗତ ବିଳମ୍ବକୁ ଏଡାଇବା ପାଇଁ କେତୋଟି କ୍ଷେତ୍ରରେ
ପୂର୍ବ ନିର୍ଦ୍ଧାରିତ ସର୍ବୋଚ୍ଚ ନିବେଶ ପରିମାଣ ଯାଏଁ ସ୍ୱୟଂକ୍ରିୟ ପଦ୍ଧତି ଅନୁସାରେ ନିବେଶର ଅନୁମତି
ରହିଛି । ଅର୍ଥାତ, ଏଥିପାଇଁ ରିଜର୍ଭ ବ୍ୟାଙ୍କ
ବା ସରକାରଙ୍କର ଅନୁମୋଦନର ଆବଶ୍ୟକତା ନ ଥାଏ । ସମ୍ବେଦନଶୀଳ କ୍ଷେତ୍ର
ଓ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପରିମାଣର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ ଏଫଆଇପିବି, କ୍ୟାବିନେଟ କମିଟି
ଅନ ଇକୋନୋମିକ ଆଫେୟାର୍ସ (ସିସିଇଏ) ବା କ୍ୟାବିନେଟ କମିଟି
ଅନ ସିକ୍ୟୁରିଟିଜଙ୍କ ନିକଟରୁ ସରକାରୀ ଅନୁମୋଦନର ଆବଶ୍ୟକତା ପଡିଥାଏ ।
ତେବେ ନୂତନ ଆର୍ଥିକ
ସ୍ଥିତିର ସୁଯୋଗ ନେଇ ବିଦେଶୀ କମ୍ପାନୀଙ୍କ ଦ୍ବାରା ଭାରତୀୟ କମ୍ପାନୀଗୁଡିକର ସୁବିଧାବାଦୀ କବଜାକୁ
ପ୍ରତିହତ କରିବା ପାଇଁ ସରକାର ଏଫଡିଆଇ ନିୟମରେ ସଂଶୋଧନ କରିଛନ୍ତି ।
ତଦନୁଯାୟୀ ଭାରତ ସହ
ସ୍ଥଳଭାଗରେ ସଂଲଗ୍ନ ସମସ୍ତ ଦେଶର ନିବେଶକମାନେ କେବଳ ଅନୁମୋଦନ ପଦ୍ଧତିରେ ହିଁ ଭାରତରେ ବିଦେଶୀ ପ୍ରତ୍ୟକ୍ଷ
ପୁଞ୍ଜି ନିବେଶ କରି ପାରିବେ, ସ୍ୱୟଂକ୍ରିୟ ପଦ୍ଧତିରେ ନୁହେଁ ।
ପୂର୍ବେ ଏହି ନିୟମଟି
କେବଳ ପାକିସ୍ତାନ ଓ ବଙ୍ଗଳାଦେଶ ପ୍ରତି ପ୍ରଯୁଜ୍ୟ ଥିଲା ।
ନୂଆ ନିୟମ ଭୁଟାନ, ନେପାଳ, ମ୍ୟାନମାର ପ୍ରତି ଲାଗୁ
ହେଉଥିଲେ ବି ଏହା ମୁଖ୍ୟତଃ ଚୀନର ମନ୍ଦ ଉଦ୍ଦେଶ୍ୟକୁ ପ୍ରତିହତ କରିବା ଲାଗି ଉଦ୍ଦିଷ୍ଟ ।
ଏଣିକି ଚୀନର ନିବେଶକଙ୍କୁ
ପ୍ରତିଟି ନିବେଶ ଲାଗି ସରକାରୀ ଅନୁମୋଦନ ହାସଲ କରିବାକୁ ପଡିବ ।
ଫଳରେ ଚୀନରୁ ଭାରତରେ
ହେଉଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପରିମାଣ ଯଥେଷ୍ଟ ହ୍ରାସ ପାଇବ ବୋଲି ଅର୍ଥନୀତିଜ୍ଞଙ୍କ
ମତ ।
ଏବେ ଚୀନ ନିକଟରେ ପ୍ରାୟ ୩ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ବୈଦେଶିକ ମୁଦ୍ରାର
ଏକ ବିପୁଳ ଭଣ୍ଡାର ଗଚ୍ଛିତ ରହିଛି । କରୋନା ମହାମାରୀରୁ
ମୁକୁଳିବା ପରେ ଚୀନ ସେଠାକାର ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ନିଜର ଘରୋଇ ଓ ସରକାରୀ କମ୍ପାନୀଗୁଡିକୁ
ଭଲ ଭଲ ବିଦେଶୀ କମ୍ପାନୀରେ ପୁଞ୍ଜି ନିବେଶଠାରୁ ଆରମ୍ଭ କରି ମାଲିକାନା ଆହରଣ କରିବା ଲାଗି ପ୍ରୋତ୍ସାହିତ
କରୁଛି ଓ ସେଥିପାଇଁ ଆବଶ୍ୟକ ହେଉଥିବା ବୈଦେଶିକ ମୁଦ୍ରା ସୁଲଭ ଦରରେ ଉପଲବ୍ଧ କରାଉଛି ।
ଅନ୍ୟ ପକ୍ଷରେ ବିଶ୍ୱର
ବିଭିନ୍ନ ଦେଶର ଭଲ ଭଲ କମ୍ପାନୀମାନେ ବି ଆର୍ଥିକ ଦୁଃସ୍ଥିତି ଯୋଗୁ ଠିକ ସମୟରେ ଋଣ କିସ୍ତି ପରିଶୋଧ
କରିବାକୁ ଅସମର୍ଥ ହେଉଥିବାରୁ ସେମାନେ ନିଜ ଅଂଶଧନ ବିକ୍ରି କରିବାକୁ ବାଧ୍ୟ ହୋଇ ନିବେଶକଙ୍କ ସନ୍ଧାନରେ
ରହୁଛନ୍ତି । ସେହି ଆବଶ୍ୟକତାଟିକୁ ଅଭିସନ୍ଧିମୂଳକ ଭାବେ ଚୀନର ନିବେଶକମାନେ
ପୂରଣ କରିବାକୁ ଆଗ୍ରହ ଦେଖାଉଛନ୍ତି ଓ ସେଗୁଡିକ କ୍ରମଶଃ ଚୀନ ନିବେଶକଙ୍କ ନିୟନ୍ତ୍ରଣକୁ ଯିବାର ବାଟ
ପରିଷ୍କାର ହେଉଛି । ଅବଶ୍ୟ କରୋନା ମହାମାରୀ ଆସିବା ପୂର୍ବରୁ ବି ଚୀନ ବିଭିନ୍ନ
ଦେଶରେ ଭଲ ଭଲ କମ୍ପାନୀର ଅଂଶଧନରେ ନିବେଶ କରୁଥିଲା ।
ମହାମାରୀ ପୂର୍ବରୁ
କେବଳ ଇଟାଲିରେ ପ୍ରାୟ ୩୦୦ କମ୍ପାନୀର ମାଲିକାନା ଚୀନ ନିବେଶକଙ୍କ ନିକଟକୁ ଯାଇ ସାରିଥିବା ବେଳେ
ସେଠାକାର ଫିଆଟ,
ଜେନେରାଲି, ଏନି, ଟେଲିକମ ଇଟାଲିଆ ଭଳି
ବଡ ବଡ କମ୍ପାନୀରେ ଚୀନ କମ୍ପାନୀମାନେ ନିବେଶ କରି ସାରିଥିଲେ ।
ତେବେ କରୋନା ମହାମାରୀ
ବ୍ୟାପିବା ପରେ ବିଦେଶୀ କମ୍ପାନୀରେ ନିବେଶ ବଢାଇବା ପାଇଁ ବା ମାଲିକାନା ନିୟନ୍ତ୍ରଣ କରିବା ପାଇଁ
ଚୀନ ତରଫରୁ ଯେଉଁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶିତ ହୋଇଛି ତାକୁ ପ୍ରତିହତ କରି ସ୍ୱଦେଶୀ କମ୍ପାନୀଗୁଡିକୁ
ସୁରକ୍ଷା ପ୍ରଦାନ କରିବା ଲାଗି ଇଟାଲୀ, ସ୍ପେନ, ଜର୍ମାନୀ ଭଳି ଦେଶମାନେ
ନିଜ ଦେଶର ଏଫଡିଆଇ ଆଇନକୁ କଡା କରିଛନ୍ତି । ବାଣିଜ୍ୟ ଓ ନିବେଶ
ପାଇଁ ଚୀନ ଉପରେ ଅତ୍ୟଧିକ ନିର୍ଭର କରି ଆସିଥିବା ଅଷ୍ଟ୍ରେଲିଆ ମଧ୍ୟ ଏଫଡିଆଇ ଆଇନରେ ପରିବର୍ତ୍ତନ
କରିବାକୁ ବାଧ୍ୟ ହୋଇଛି । କାରଣ ଅଧିକାଂଶ ଦେଶ
ହୃଦୟଙ୍ଗମ କରି ସାରିଲେଣି ଯେ ଜଗତୀକରଣ ଓ ଉଦାର ଅର୍ଥନୀତିକୁ ଆୟୁଧ କରି ଚୀନ ସେମାନଙ୍କ ଅର୍ଥ ବ୍ୟବସ୍ଥା
ଭିତରକୁ ପ୍ରବେଶ କରି ସେମାନଙ୍କ ଅର୍ଥନୈତିକ ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରିବ ।
ଏହି ପରିପ୍ରେକ୍ଷୀରେ ଭାରତ ଏଫଡିଆଇ ନିୟମରେ ପରିବର୍ତ୍ତନ
କରିବା ଦ୍ୱାରା ଚୀନ ସହ ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ଉତ୍ପନ୍ନ ହୋଇଥିଲା ।
ତେବେ ଲଦ୍ଦାଖଠାରେ
ଘଟିଥିବା ଭାରତ-ଚୀନ ସଂଘର୍ଷ ପରେ ଏହା
ଅଧିକ ଆକ୍ରାନ୍ତ ହୋଇଛି । ଏଣେ ଭାରତରେ ନିବେଶ
ପାଇଁ ପୁଞ୍ଜିର ଘୋର ଅଭାବ ଯୋଗୁ ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ଆବଶ୍ୟକ ହେଉଥିବା ପୁଞ୍ଜି
ଘରୋଇ ସୂତ୍ରରୁ ଉପଲବ୍ଧ ହେବା ସମ୍ଭବପର ହେଉ ନଥିବାରୁ ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ
ଉପରେ ନିର୍ଭରଶୀଳ। ଏତିକିବେଳେ ଏଫଡିଆଇ ନିୟମ ପରିବର୍ତ୍ତନ ଚୀନରୁ ହେଉଥିବା ପୁଞ୍ଜି
ନିବେଶରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ
ଭାରତୀୟ କମ୍ପାନୀଗୁଡିକର ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଲାଗି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା
ଉଚିତ । ଚୀନର ଅର୍ଥନୈତିକ ଔପନିବେଶିକ ମାନସିକତାର ବିସ୍ତାରକୁୁ ଯେତେ
ପ୍ରତିହତ କରାଯାଇପାରିବ, ସେତେ ଭଲ । ତେବେ ଆଗାମୀ ଦିନରେ
ଭାରତର ଅର୍ଥ ବଜାରରେ ନିଜ ଉପସ୍ଥିତିକୁ ଜାହିର କରି ନିୟନ୍ତ୍ରଣ ବୃଦ୍ଧି ପାଇଁ ଚୀନ ତରଫରୁ ଭିନ୍ନ
ଧରଣର ଅଧିକ ପ୍ରୟାସ ହୋଇପାରେ । ବର୍ତ୍ତମାନ ଚୀନରୁ
ବାହାରି ଆସି ଅନ୍ୟତ୍ର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ କିଛି କମ୍ପାନୀଙ୍କ ମଧ୍ୟରୁ ପ୍ରାୟ ହଜାରେ
କମ୍ପାନୀ ଭାରତକୁ ଆସୁଥିବା ଖବରରେ ଦେଶବାସୀ ଉତ୍ସାହିତ ।
ହେଲେ କଥା ହେଲା ଇତି
ମଧ୍ୟରେ ସେହି କମ୍ପାନୀଗୁଡିକର ମାଲିକାନାରେ ଚୀନର ନିୟନ୍ତ୍ରଣ ବୃଦ୍ଧି ପାଇ ସାରି ନ ଥିବ ତ ?
ଏହି ଆଶଙ୍କାଗୁଡିକର ଉଚିତ ମୁକାବିଲା କରି ଦେଶର ସ୍ୱାର୍ଥକୁ
ସୁରକ୍ଷିତ ରଖିବା ଲାଗି ଅର୍ଥ ବଜାରର ନିୟାମକମାନଙ୍କୁ ତଥା ସରକାରଙ୍କୁ ଆଗାମୀ ଦିନରେ ଅଧିକ ସତର୍କତା
ଓ ତତ୍ପରତା ପ୍ରଦର୍ଶନ କରିବାକୁ ପଡିବ । ନ ହେଲେ ଭାରତର ବଡ
ବଡ କମ୍ପାନୀ ବି ଭାରତରେ ତ ଥିବେ, ହେଲେ ଭାରତୀୟଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇ ଚୀନ ନିବେଶକଙ୍କ
ନିୟନ୍ତ୍ରଣ ଭିତରକୁ ଚାଲିଯାଇଥିବା କିଛି ବିଚିତ୍ର ନୁହେଁ ।
Published in Sambad on June 23, 2020 (Rath Yatra)
Comments
Post a Comment