ଆମେରିକା, ବ୍ରିଟେନ, ଇଟାଲି, ଜର୍ମାନୀ, ଫ୍ରାନ୍ସ, ସ୍ପେନ ଭଳି ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଥିବା ବିକଶିତ ଦେଶମାନେ କରୋନା ମୁକାବିଲା କରିବାକୁ ନାକେଦମ ହେଉଥିବା ବେଳେ ଆମେ ସେମାନଙ୍କ ଆଗରେ କ'ଣ ବୋଲି ପଚାରି, ତେଣୁ ତାର ଏକମାତ୍ର ଉପାୟ ଲକଡାଉନ ମାଧ୍ୟମରେ ସାମାଜିକ ଦୂରତା ବୋଲି ବାରମ୍ବାର କୁହାଯାଉଥିବାରୁ ଦେଶବାସୀ ଏହାକୁ ଏକ ପ୍ରକାର ଗ୍ରହଣ କରି ନେଇଛନ୍ତିି । ତେବେ ଅପେକ୍ଷାକୃତ ଅନୁନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଥିବା ସତ୍ତ୍ଵେ ଦେଶବ୍ୟାପୀ ଲକଡାଉନ ନ କରି ଯେ କରୋନାକୁ ସଫଳତାର ସହ ମୁକାବିଲା କରି ହୁଏ, ତାହା ଭିଏତନାମ ଭଳି ଏକ ଛୋଟ ଦେଶ ପ୍ରମାଣ କରି ଦେଖାଇଛି । କରୋନା ମହାମାରୀକୁ ମୁକାବିଲା କଲା ବେଳେ ପ୍ରଥମେ ନାଗରିକଙ୍କ ଜୀବନ ରକ୍ଷା ହେଉ ପରେ ଜୀବିକା ଓ ଅର୍ଥନୀତି କଥା ଦେଖାଯିବ ବୋଲି ଗ୍ରହଣ କରୁଥିବା ଦେଶମାନେ ଲକଡାଉନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ନାଗରିକଙ୍କ ଜୀବନର ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଜୀବିକା ତଥା ଦେଶର ଅର୍ଥନୀତିର ସୁରକ୍ଷା ସମ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରୁଥିବା ଦେଶମାନେ ସେମାନଙ୍କ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି । ସ୍ୱିଡେନ, ଜାପାନ ଭଳି ବିଶ୍ୱର କେତେକ ଦେଶ ସମ୍ପୂର୍ଣ୍ଣ ଲକଡାଉନ ନ କରି ବି ସମସ୍ୟାର ମୁକାବିଲା କରିଛନ୍ତି । ତେବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନ କରି କରୋନା ମୁକାବିଲା କରିବାରେ ଭିଏତନାମର ଅନୁଭୂତି ନିଆରା ଓ ପ୍ରେରଣାଦାୟୀ, କାରଣ ଉପରୋକ୍ତ ଦେଶଗୁଡିକ ଭଳି ଏହା ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ହୋଇ ନ ଥିବା ବେଳେ ଏହା ଚୀନ ସୀମା ସଂଲଗ୍ନ ତଥା ଉହାନ ସହର ନିକଟବର୍ତ୍ତୀ ହୋଇଥିବାରୁ ମହାମାରୀ ସଂକ୍ରମଣର ଆଶଙ୍କା ଏଠାରେ ସର୍ବାଧିକ ଥିଲା ।
ଚୀନର ଦକ୍ଷିଣରେ ଅବସ୍ଥିତ ଭିଏତନାମର ଆୟତନ ପ୍ରାୟ ୩.୩୧ଲକ୍ଷ ବର୍ଗ କିଲୋମିଟର, ଅର୍ଥାତ ଓଡିଶାର ଆୟତନର ଦୁଇ ଗୁଣରୁ ସାମାନ୍ୟ ଅଧିକ । ଉଭୟ ଚୀନ ଓ ଭିଏତନାମ ମଧ୍ୟରେ ସ୍ଥଳ ଭାଗରେ ପ୍ରାୟ ୧୧୦୦ କିଲୋମିଟର ଦୈର୍ଘ୍ୟର ସୀମା ରହିଛି । ଭାରତ ଓ ନେପାଳ ମଧ୍ୟରେ ଯେପରି ଗମନାଗମନରେ କଟକଣା ନ ଥାଏ ଠିକ ସେହିପରି ଚୀନ ଓ ଭିଏତନାମ ମଧ୍ୟରେ ଯାତାୟତର ସୁବିଧା ରହିଛି । ସର୍ବ ପ୍ରଥମେ କରୋନା ଆରମ୍ଭ ହୋଇଥିବା ଚୀନର ଉହାନ ସହର ସହ ଭିଏତନାମର ବାଣିଜ୍ୟିକ ସମ୍ପର୍କ ରହିଛି ଓ ଉହାନରୁ ସଡକ, ରେଳପଥ ଓ ବିମାନ ଯୋଗେ ଭିଏତନାମ ଭଲ ଭାବେ ସଂଯୁକ୍ତ । ବିମାନ ଯୋଗେ ଭୁବନେଶ୍ୱର ଓ ମୁମ୍ବଇ ମଧ୍ୟରେ ଦୂରତା ଯେତିକି ଉହାନ ଓ ହାନୋଇ ମଧ୍ୟରେ ଦୂରତା ମଧ୍ୟ ଠିକ ସେତିକି । ଉହାନରୁ ଭିଏତନାମର ରାଜଧାନୀ ହାନୋଇ ଓ ମୁଖ୍ୟ ବାଣିଜ୍ୟିକ କେନ୍ଦ୍ର ହୋଚୀ ମିନ ସିଟିକୁ ନିୟମିତ ବିମାନ ଚଳାଚଳ କରିଥାଏ । କରୋନାର ଉତ୍ପତ୍ତି ସ୍ଥଳୀ ଉହାନ ସହରର ଏତେ ନିକଟରେ ଥାଇ ଉଭୟ ଅଞ୍ଚଳ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ଗତିବିଧି ବେଲଗାମ ଲାଗି ରହିଥିବାରୁ ସଂକ୍ରମଣର ସର୍ବାଧିକ ବିପଦ ଭିଏତନାମ ଉପରେ ଥିଲା । ଏହା ସତ୍ତ୍ଵେ ଭିଏତନାମ କିପରି ନିଜ ଦେଶକୁ କରୋନା ମହାମାରୀରେ ବିପର୍ଯ୍ୟସ୍ତ ହେବାରୁ ରକ୍ଷା କରି ପାରିଲା ତାହା ଅନୁଧ୍ୟାନର ବିଷୟ ।
ପ୍ରାୟ ଦଶ କୋଟି ଜନସଂଖ୍ୟା ବିଶିଷ୍ଟ ଭିଏତନାମ ଏକ ଗରିବ ଦେଶ ହୋଇଥିବାରୁ ସେଠାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏତେ ଅନୁନ୍ନତ ଯେ ସମଗ୍ର ଦେଶରେ ଭେଣ୍ଟିଲେଟର ସଂଖ୍ୟା କଥା ତ ବାଦ ଦିଆଯାଉ, ରାଜଧାନୀ ହାନୋଇରେ ଏହାର ସଂଖ୍ୟା ଏକ ହଜାରରୁ କମ । ଜାନୁଆରୀ ୨୩ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ବେଳକୁ ଭିଏତନାମରେ ସେଠାକାର ଟେଟ ନୂଆ ବର୍ଷ ଉତ୍ସବ ପାଳିତ ହେଉଥାଏ । କରୋନା ମୁଖ୍ୟତଃ ଚୀନ ଭିତରେ ସୀମିତ ଥାଇ ଅନ୍ୟ ଦେଶକୁ ସେଭଳି ବ୍ୟାପି ନଥାଏ । ଭିଏତନାମର ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଉଇଙ୍ଗ ସେନ ଫିଉକ ହୃଦୟଙ୍ଗମ କରି ପାରିଲେ ଯେ କରୋନା ଯଦି ଭିଏତନାମରେ ସଂକ୍ରମଣର ରୂପ ନିଏ ତେବେ ଦେଶର ସୀମିତ ସମ୍ବଳରେ ତାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବନାହିଁ । ବେଳହୁଁ ପ୍ରତିଷେଧମୂଳକ ପଦକ୍ଷେପ ନିଆ ନ ଗଲେ ଦେଶବାସୀଙ୍କୁ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଓ ଦେଶର ଅର୍ଥନୀତି ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇ ବହୁ ବର୍ଷ ପଛାଇଯିବ । ତେଣୁ ସେ କାଳବିଳମ୍ବ ନ କରି ତତକ୍ଷଣାତ କରୋନାକୁ ଶତୃ ଭାବେ ଅଭିହିତ କରି ତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଆହ୍ୱାନ ଦେଲେ । “ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ପ୍ରତିଟି ବାଣିଜ୍ୟ ପ୍ରତିଷ୍ଠାନ, ପ୍ରତିଟି ନାଗରିକ ଓ ପ୍ରତିଟି ଆବାସସ୍ଥଳୀକୁ ଦୁର୍ଗରେ ପରିଣତ କରିବାକୁ ହେବ” ବୋଲି ତାଙ୍କର ଆହ୍ୱାନ ଦେଶବାସୀଙ୍କ ହୃଦୟକୁ ଛୁଇଁଲା ଓ ସେମାନେ ଆନ୍ତରିକତାର ସହ ସହଯୋଗର ହାତ ବଢାଇଲେ । ତାଙ୍କ ଦେଶରେ ସଂକ୍ରମଣ ସେ ଭଳି ବ୍ୟାପି ନଥିଲେ ବି ସେ ଫେବୃଆରୀ ପହିଲା ଦିନ ଆଧିକାରିକ ଭାବେ ତାଙ୍କ ଦେଶରେ କରୋନାକୁ ମହାମାରୀ ବୋଲି ଘୋଷଣା କରି ଅନେକ ତ୍ୱରିତ ଓ କଠୋର ପଦକ୍ଷେପ ଗ୍ରହଣ କଲେ । ଉଲ୍ଲେଖଯୋଗ୍ୟ, ସେତେବେଳକୁ କିଛି ରାଷ୍ଟ୍ରମୁଖ୍ୟ ତାଙ୍କ ଦେଶରେ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ସଚେତନ କରାଇବା ତ ଦୂରର କଥା, ବରଂ ନିଜେ ଲକ୍ଷାଧିକ ଜନ ସମାଗମ ହେଲା ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରି ସେଥିରେ ଭାଗ ନେବାକୁ ଗର୍ବର ବିଷୟ ମଣୁଥିଲେ ଓ ଡିଣ୍ଡିମ ପିଟୁଥିଲେ ମଧ୍ୟ । ତେବେ କରୋନା ମୁକାବିଲା କରିବା ପାଇଁ ଭିଏତନାମ ସରକାରଙ୍କ ନିକଟରେ ଆବଶ୍ୟକୀୟ ସମ୍ବଳର ଅଭାବ ସହିତ ଅନୁନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁ ତାଙ୍କ ପକ୍ଷରେ ଦକ୍ଷିଣ କୋରିଆ ଭଳି ବହୁ ସଂଖ୍ୟାରେ ତ୍ୱରିତ ପରୀକ୍ଷା (ରାପିଡ ଟେଷ୍ଟିଂ) କରାଇବା ବି ସମ୍ଭବପର ନ ଥିଲା । ତେଣୁ ତୁରନ୍ତ ସଙ୍ଗରୋଧ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବା ସହିତ ଭୂତାଣୁ ସଂର୍ସ୍ପଶରେ ଆସିଥିବାର ସମ୍ଭାବନା ଥିବା ପ୍ରତ୍ୟେକଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଗଲା । ବାହାରୁ ଯେପରି ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଦେଶ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ଚୀନ ସହ ଥିବା ସୀମାକୁ ସିଲ କରି ଉଭୟ ଦେଶ ମଧ୍ୟରେ ଗମନାଗମନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଗଲା । ଫେବୃଆରୀ ପହିଲାରୁ ଚୀନ ସହ ସମସ୍ତ ବିମାନ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାତିଲ କରି ଦିଆଗଲା । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରହିବାକୁ ବାଧ୍ୟ କରାଗଲା । କେବଳ ସେତିକି ନୁହେଁ ଜାନୁଆରୀ ମାସରେ ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ବିବରଣୀ ସଂଗ୍ରହ କରି ସେମାନଙ୍କୁ ମଧ୍ୟ ଏକାନ୍ତବାସରେ ପଠାଗଲା । ସମସ୍ତ ସ୍କୁଲ କଲେଜକୁ ଫେବୃଆରୀ ପ୍ରଥମ ସପ୍ତାହରେ ବନ୍ଦ କରି ଦିଆଗଲା । ଏ ସବୁ ସତ୍ତ୍ଵେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅବ୍ୟାହତ ରହିଥିଲେ ମଧ୍ୟ ଏହି ବିମାନଗୁଡିକରେ କରୋନା ଆକ୍ରାନ୍ତ ଦେଶକୁ ଆସି ଭିଏତନାମରେ ମାର୍ଚ୍ଚ ୬ରୁ ୨୪ ମଧ୍ୟରେ ୧୧୭ଜଣ ନୂଆ ରୋଗୀ ଚିହ୍ନଟ ହେବାରୁ ମାର୍ଚ୍ଚ ୨୫ ପରଠାରୁ ତା ଉପରେ ବି ପ୍ରତିବନ୍ଧ ଲାଗିଲା । ସମଗ୍ର ଦେଶରେ ଯେତେବେଳେ ମାତ୍ର ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେତେବେଳେ ନିୟମିତ ଭାବେ ଉହାନ ସମ୍ପର୍କରେ ଥିବା ହାନୋଇ ନିକଟସ୍ଥ ଦଶ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ସହରକୁ ଫେବୃଆରୀ ୧୨ରେ ତିନି ସପ୍ତାହ ପାଇଁ ଲକଡାଉନ କରି ଦିଆଗଲା । କରୋନା ପ୍ରତିରୋଧ ପାଇଁ ସେଠାରେ ଔଷଧ, ଚିକିତ୍ସା ବା ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଉପରେ ଅଧିକ ନିର୍ଭର ନ କରି ସୁରକ୍ଷା କର୍ମୀଙ୍କ ଦ୍ୱାରା ସେଠାକାର ବଳିଷ୍ଠ ନିରବଚ୍ଛିନ୍ନ ଗଣ ନିରୀକ୍ଷଣ (ପବ୍ଲିକ ସର୍ଭେଲାନ୍ସ) ବ୍ୟବସ୍ଥା ଉପରେ ବେଶି ଗୁରୁତ୍ୱ ଦିଆଗଲା । ଏଥିପାଇଁ ସଂକ୍ରମିତ ଅଞ୍ଚଳରୁ ଆସିଥିବା ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଗୁପ୍ତଚର ମୁତୟନ ହେଲେ, ଯେଉଁଥିପାଇଁ ମିଲିଟାରୀ ସୈନ୍ୟମାନଙ୍କୁ ବି ନିୟୋଜିତ କରାଗଲା । ଅବଶ୍ୟ ଆକ୍ରାନ୍ତଙ୍କ ସମ୍ଭାବ୍ୟ ସଂଖ୍ୟାବୃଦ୍ଧିକୁ ଆଖି ଆଗରେ ରଖି ଦେଶରେ ଭେଣ୍ଟିଲେଟର ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଗଲା । ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇ ନ ଥିବାରୁ ଗରିବଗୁରୁବାଙ୍କଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ପୂର୍ବବତ ସେମାନଙ୍କ ଜୀବିକା ନିର୍ବାହ କରିବାକୁ ସକ୍ଷମ ହୋଇ ଆର୍ଥିକ ଅନାଟନ ଭିତରକୁ ଠେଲି ହୋଇଗଲେ ନାହିଁ । ସେଠାରେ କରୋନା ଯୋଗୁ ପର୍ଯ୍ୟଟନଠାରୁ ଆରମ୍ଭ କରି ରପ୍ତାନୀ ଯାଏଁ ଅର୍ଥନୀତି ସାମଗ୍ରିକ ଭାବେ ପ୍ରଭାବିତ ହୋଇଥିଲେ ବି ଅଫିସ, କଳ କାରଖାନା, କୃଷିକାର୍ଯ୍ୟ ଓ ଅନ୍ୟାନ୍ୟ ଅର୍ଥନୈତିକ ଗତିବିଧି ଚାଲୁ ରହିଲା । ଅବଶ୍ୟ ଫରକ ଏତିକି ଯେ ଚାହିଦା ହ୍ରାସ ପାଇଥିବାରୁ ଉତ୍ପାଦନକୁ ମଧ୍ୟ କମ କରିବାକୁ ପଡିଲା । ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଠିକ ସାତ ଦିନ ପୂର୍ବରୁ ସେଠାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମେ ୨୭ ସୁଦ୍ଧା ଚାରି ମାସ ମଧ୍ୟରେ ମାତ୍ର ୩୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୧୪ ଜଣ ଆକ୍ରାନ୍ତ କେବଳ ହାନୋଇରେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିଲା ବେଳେ ଜଣେ ହେଲେ ମୃତ୍ୟୁର ଶିକାର ନ ହେବା ଏକ ବଡ ଉପଲବ୍ଧି । ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସମଗ୍ର ଦେଶରେ ୨.୬୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । କରୋନା ସଂକ୍ରମଣକୁ ବ୍ୟାପିବାକୁ ନ ଦେବା କ୍ଷେତ୍ରରେ ଯେଉଁ ସବୁ ଦେଶର ସଂଗଠିତ ପରିଚାଳନା ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପ୍ରଶଂସିତ ହୋଇଛି ସେଗୁଡିକ ହେଲା ଦକ୍ଷିଣ କୋରିଆ, ତାଇଓ୍ଵାନ, ସିଙ୍ଗାପୁର ଓ ଭିଏତନାମ । ତେବେ ଅନ୍ୟ ତିନିଟି ଦେଶ ତୁଳନାରେ ଭିଏତନାମରେ ସଂକ୍ରମଣ ହାର ସର୍ବନିମ୍ନ । ଭିଏତନାମରେ କରୋନା ସଂକ୍ରମଣ କାବୁରେ ଥିବା ବେଳେ ଆମେରିକା ଭଳି ବିକଶିତ ଦେଶମାନଙ୍କରେ ତାହା ବଢୁଥିବାରୁ ସେଠାକାର ପ୍ରଧାନମନ୍ତ୍ରୀ ବଡ ସହରଗୁଡିକୁ ସମ୍ଭାବ୍ୟ ଲକଡାଉନ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରିଥିବାରୁ ସେ ଲକଡାଉନ ପ୍ରତି ବୀତସ୍ପୃହ ବୋଲି କହି ହେବ ନାହିଁ । ତେବେ ଦେଶବାସୀଙ୍କୁ ସର୍ବନିମ୍ନ ଅସୁବିଧାରେ ପକାଇ ଆବଶ୍ୟକତାନୁସାରେ ତାହାର ପ୍ରୟୋଗ ଉପରେ ସେ ଗୁରୁତ୍ୱ ଦେଇ ଆସିଛନ୍ତି । ଅର୍ଥନୈତିକ ଓ ବୈଷୟିକ ଦୃଷ୍ଟିରୁ ଭିଏତନାମ ସେ ଭଳି ଉନ୍ନତ ହୋଇ ନ ଥିଲେ ବି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସେ ଯେଉଁ ତତ୍ପରତା ଦେଖାଇ ତ୍ୱରିତ, ପ୍ରଭାବୀ ଓ ସ୍ୱଚ୍ଛତାସମ୍ପନ୍ନ ପଦକ୍ଷେପମାନ ଗ୍ରହଣ କଲା ତାହା ମହାମାରୀ କବଳରୁ ଦେଶବାସୀଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ପ୍ରଦାନ କରିବା ଲାଗି ତାର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଅନ୍ୟ ଦେଶ ଲାଗି ପ୍ରେରଣାର ଉତ୍ସ ପାଲଟିଗଲା ।
କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଧିକ ସଂଖ୍ୟକ ଭେଣ୍ଟିଲେଟର, ସ୍ୱତନ୍ତ୍ର କୋଭିଡ ହସପିଟାଲ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସହାୟକ ସେବା ପ୍ରଦାନକାରୀଙ୍କ ପାଇଁ ପିପିଇ, ସାଧାରଣ ଜନତାଙ୍କ ପାଇଁ ମାସ୍କ, ଅଧିକ ପରୀକ୍ଷା ପାଇଁ ଅଧିକ କିଟ, ସଙ୍ଗରୋଧ, ନିରୀକ୍ଷଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଆଦି ବ୍ୟୟବହୁଳ ଆବଶ୍ୟକତାମାନଙ୍କ କଥା ଶୁଣି ଶୁଣି ମନେ ହେଉଛି ସତେ ଯେମିତି ଏହା କେବଳ ଏକ ବିତ୍ତଶାଳୀ ଦେଶ ପକ୍ଷରେ ସମ୍ଭବ, ଏକ ଗରିବ ଦେଶ ପକ୍ଷରେ ନୁହେଁ । ତେବେ ଭିଏତନାମ ଭଳି ଏକ ଗରିବ ଦେଶ ସଙ୍ଗରୋଧ ଓ ନିରୀକ୍ଷଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଉଚିତ ସମୟରେ ପଦକ୍ଷେପ ନେଇଥିବାରୁ ଉପରୋକ୍ତ ବ୍ୟୟବହୁଳ ଆବଶ୍ୟକତାଗୁଡିକୁ ଏଡାଇ ଦେଇ ପାରିଲା ବା କମ କରି ପାରିଲା । କେହି କେହି ହୁଏତ କହି ପାରନ୍ତି ଭିଏତନାମ ଏକ ଛୋଟ ଦେଶ ହୋଇଥିବାରୁ ଏହା କରି ପାରିଲା । ଭିଏତନାମ ବିଶ୍ୱର ପଞ୍ଚଦଶ ଜନାକୀର୍ଣ୍ଣ ଦେଶ ଓ କ୍ଷେତ୍ରଫଳ ଦୃଷ୍ଟିରୁ ୬୬ତମ ଦେଶ ହୋଇଥିବାରୁ ଏହାକୁ ଏକ ଛୋଟ ଦେଶ ବୋଲି କହି ହେବନାହିଁ । ତେବେ ପ୍ରଶ୍ନ ଛୋଟ ବଡ ଦେଶର ନୁହେଁ, ପ୍ରଶ୍ନ ଉଚିତ ସମୟରେ ପଦକ୍ଷେପ ନିଆଯିବାର । ଗାଡିର ଟ୍ୟୁବରେ ହୋଇଥିବା ଲିକଟିକୁ ଠିକ ସମୟରେ ପ୍ୟାଚ ପକାଇ ସଜାଡି ନ ଦେଲେ ସମସ୍ୟାଟି ଏତେ ବଢି ଯାଇପାରେ ଯେ ପରେ ହୁଏତ ଟାୟାର ବଦଳାଇବା ଯାଏଁ କଥା ଯାଇପାରେ ।
ଲକଡାଉନ ପାଇଁ ନିଷ୍ପତ୍ତି ନେବା ନିଶ୍ଚିତ ଭାବେ ଏକ ଦୃଢ ଓ କଠୋର ପଦକ୍ଷେପ । ବୁଝିବାକୁ ହେବ ଦେଶବାସୀଙ୍କୁ ତାଲାବନ୍ଦ କରି ଅସୁବିଧାରେ ପକାଇବା ସହ ଦେଶର ଅର୍ଥନୀତିର ଚକକୁ ଗଡିବା ପାଇଁ ନ ଦେବାର ନିଷ୍ପତ୍ତି ଯେ କୌଣସି ସରକାରଙ୍କ ପକ୍ଷରେ ସୁଖଦ ନୁହେଁ । ସରକାରଙ୍କ ଆଗରେ ଆଉ କୌଣସି ସହଜ ବିକଳ୍ପ ନଥିଲେ ହିଁ ଏହି ପଦକ୍ଷେପଟିକୁ ନେବାକୁ ହୋଇଥାଏ । ତେବେ ଏହି ନିଷ୍ପତ୍ତି ନେଇଥିବା କିଛି ରାଜ୍ୟ ଓ ଦେଶର ସରକାର ଏହାକୁ କରୋନା ମୁକାବିଲା ପାଇଁ ଉଚିତ ସମୟରେ ନିଆ ଯାଇଥିବା ପଦକ୍ଷେପ କହି ନିଜେ ନିଜ ପିଠି ଥାପୁଡାଇବାକୁ ବି ପଛାଉ ନାହାନ୍ତି । ଏହାକୁ ଅତି ବେଶିରେ ନେଡି ଗୁଡ କହୁଣୀକୁ ବୋହି ଯିବା ପୂର୍ବରୁ ନିଆ ଯାଇଥିବା ଏକ ପଦକ୍ଷେପ ବୋଲି କୁହାଯାଇପାରେ, ଉଚିତ ସମୟରେ ନିଆ ଯାଇଥିବା ପଦକ୍ଷେପ ତ ଆଦୌ ନୁହେଁ । କାରଣ ଚୀନର ଉହାନ ସହରଠାରୁ ଆରମ୍ଭ କରି ବିଶ୍ୱର ଯେଉଁ ସବୁ ଦେଶରେ ଲକଡାଉନ ଘୋଷଣା ହୋଇଛି ସେ ସବୁ ସ୍ଥାନରେ ସଂକ୍ରମଣ ବ୍ୟାପିବା ପରେ ହିଁ ସେହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଅନେକ ଦେଶରେ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ପରେ ଲକଡାଉନ ଘୋଷଣା ହୋଇଥିଲା । ଭାରତରେ ଜାନୁଆରୀ ୩୦ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସେହି ସଂଖ୍ୟା ୫୬୪କୁ ବଢି ତନ୍ମଧ୍ୟରୁ ୧୦ ଜଣ ମୃତ୍ୟୁ ବରଣ କରି ସାରିଲା ପରେ ଯାଇ ପ୍ରାୟ ଦୁଇ ମାସ ପରେ ମାର୍ଚ୍ଚ ୨୫ ତାରିଖରେ ଲକଡାଉନ ଘୋଷଣା ହୋଇଥିଲା । ଅର୍ଥାତ୍, ନେଡି ଗୁଡ କହୁଣୀ ଆଡକୁ ବହିବା ଆରମ୍ଭ କଲା ପରେ ନିଆଯାଇଥିବା ଏହି ପଦକ୍ଷେପକୁ ଉଚିତ ସମୟରେ ନିଆଯାଇଥିବା ପଦକ୍ଷେପ କହି ନ ହେଲେ ବି ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ନିଆଯାଇଥିବା ଭଲ ପଦକ୍ଷେପଟିଏ ବୋଲି କୁହାଯାଇପାରେ । କାରଣ ସେ ସବୁ ଦେଶରେ ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯାଇଥିଲେ ଭିଏତନାମ ପରି ସାରା ଦେଶରେ ଲକଡାଉନ କରିବାର ନହବତ ଆସି ନଥାନ୍ତା । ମାଛ ଧରିବା ପୂର୍ବରୁ ଠିକ ସମୟରେ ମୁଗୁରା ପଛଟି ମେଲା ଅଛି କି କ'ଣ ତନଖି କରି ନିଆଗଲେ ବାପପୁଅ (କରୋନା ଯୋଦ୍ଧା)ଙ୍କୁ ଅପେକ୍ଷିତ ଫଳ ହାସଲ କରିବା ଲାଗି ଆଉ ରାତିଅନିଦ୍ରା ହୋଇ ନୟାନ୍ତ ହେବାକୁ ହୁଅନ୍ତା ନାହିଁ ।
Published in Odia magazine Samadrusti
Nice presentation with established facts . Thank u.
ReplyDeleteThanks
DeleteExcellent observation. Hope the government will understand the truth after reading this.
ReplyDeleteThanks for liking the article.
Deleteଆମ ଦେଶରେ କରୋନା ପରିଚାଳନା ରାଷ୍ଟ୍ର ପରିଚାଳକ ମାନଙ୍କ ରାଷ୍ଟ୍ର ଅର୍ଥ ଶୋଷଣ ଓ ସାଧାରଣ ରାଷ୍ଟ୍ର ବାସୀଙ୍କୁ ମୁଣ୍ଡା କରିବା ଉଦ୍ଦେଶ୍ୟରେ କରାଯାଉଛି।
ReplyDeleteମତାମତ ପାଇଁ ଧନ୍ୟବାଦ l
DeleteNice article
ReplyDeleteMay India show intelligence earlier so that situaisit will not get worsen
Thanks
Delete