Skip to main content

ଭାରତୀୟ ଭାଷା ବିଭବର ସୁରକ୍ଷା ଜରୁରୀ

ଶିଶୁଟିଏ ଜନ୍ମ ହେବା ମାତ୍ରେ ତା' ଭାଷାରେ କ'ଣ ସବୁ କହି ଚାଲିଥାଏ, ହେଲେ ଆମେ ତା' ଭାଷା ବୁଝି ପାରି ନଥାଉ l ଜନ୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ସାରା ବିଶ୍ଵରେ ସବୁ ଶିଶୁଙ୍କ ଭାଷା ଏକା ପରି l ସେ ତା ମାଆ କହୁଥିବା ଭାଷା ଓ ଆଖପାଖରୁ ଶୁଣୁଥିବା ଭାଷାକୁ ଶିଖି କହିବା ଆରମ୍ଭ କରେ ଓ କ୍ରମଶଃ ସେହି ଭାଷା ତା'ର ମାତୃଭାଷା ପାଲଟି ଯାଏ l

ସାରା ବିଶ୍ଵରେ ପ୍ରାୟ ୬୫୦୦ରୁ ଊର୍ଦ୍ଧ୍ଵ କଥିତ ଭାଷା ରହିଛି  l ଚୀନ ଦେଶର ମାଣ୍ଡାରିନ ଭାଷା ସବୁଠାରୁ ଅଧିକ ଲୋକଙ୍କ ଭାଷା ହୋଇଥିବା ବେଳେ ସ୍ପେନୀୟ, ଇଂରାଜୀ ପରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି l ସଂଖ୍ୟା ଦୃଷ୍ଟିରୁ ସାରା ବିଶ୍ଵରେ ଓଡିଆ ଭାଷୀ ୩୭ତମ ସ୍ଥାନରେ ଅଛନ୍ତି l ପପୁଆ ନିଉ ଗିନି ନାମକ ଦେଶରେ ବିଶ୍ଵର ସର୍ବାଧିକ ସଂଖ୍ୟକ ଭାଷା ପ୍ରଚଳିତ l ତା' ପଛକୁ ପ୍ରାୟ ୭୮୦ଟି ଭାଷାର ସମ୍ଭାର ସହ ଭାରତର ସ୍ଥାନ ଦ୍ଵିତୀୟ l ଜାତିସଂଘରେ ହେଉଥିବା ସବୁ ପ୍ରକାର ଲେଖାପଢା ଆରବୀ, ଇଂରାଜୀ, ଫ୍ରେଞ୍ଚ, ସ୍ପେନୀୟ, ଋଷୀୟ (ରସିଆନ) ଓ ଚାଇନିଜ (ମାଣ୍ଡାରିନ) ଭଳି ଛଅଟି ଆଧିକାରିକ ଭାଷାରେ କରାଯାଇଥାଏ l

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ୨୨ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଛି l ସମ୍ଵିଧାନ ପ୍ରଣୟନ ହେଲା ବେଳେ ୧୪ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଥିଲା l ଇଂରାଜୀ ଏକ ବିଦେଶୀ ଭାଷା ହୋଇଥିବାରୁ ଏହାକୁ ତଫସିଲଭୁକ୍ତ ଭାଷା ରୂପେ ଗ୍ରହଣ କରା ଯାଇନାହିଁ l ଗୋଟିଏ ଭାଷା ତଫସିଲଭୁକ୍ତ ଭାଷାର ମାନ୍ୟତା ପାଇଲେ ଭାରତ ସରକାର ତାହାର ବିକାଶ ପାଇଁ ଗୁରୁତ୍ଵ ଦେଇ ସ୍ଵତନ୍ତ୍ର ପଦକ୍ଷେପ ନେଇଥା'ନ୍ତି l ତା'ଛଡା ଲୋକସେବା ଦ୍ଵାରା ନିଯୁକ୍ତି ପାଇଁ ଆୟୋଜିତ ବିଭିନ୍ନ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀକୁ ଏହି ଭାଷାଗୁଡିକ ମଧ୍ୟରୁ ଯେ କୌଣସିଟିରେ ଉତ୍ତର ଦେବାକୁ ସୁଯୋଗ ମିଳିଥାଏ l ତଫସିଲଭୁକ୍ତ ଭାଷାଗୁଡିକ ହେଲା ହିନ୍ଦୀ, ବଙ୍ଗଳା, ମରାଠୀ, ତେଲୁଗୁ, ତାମିଲ, ଗୁଜରାଟୀ, ଉର୍ଦ୍ଦୁ, କନ୍ନଡ, ଓଡିଆ, ମାଲାୟାଲମ, ପଞ୍ଜାବୀ, ଅସମୀୟା, ମୈଥିଳୀ, ସାନ୍ତାଳୀ, କାଶ୍ମୀରୀ, ନେପାଳୀ, ସିନ୍ଧୀ, ଡୋଗ୍ରୀ, କୋଙ୍କଣୀ, ମଣିପୁରୀ, ବୋଡୋ ଓ ସଂସ୍କୃତ l ସମୁଦାୟ ଜନସଂଖ୍ୟାର ପ୍ରାୟ ଶତକଡା ୯୭ ଭାଗ ଲୋକ ଏହି ଭାଷାଗୁଡିକୁ ନିଜର ମାତୃଭାଷା ବୋଲି ଗ୍ରହଣ କରିଛନ୍ତି l ଏଗୁଡିକ ମଧ୍ୟରେ ସର୍ବାଧିକ ପ୍ରାୟ ଶତକଡା ୪୪ ଭାଗ ଲୋକ ହିନ୍ଦୀକୁ ନିଜର ମାତୃଭାଷା ଦର୍ଶାଇଥିଲା ବେଳେ ମାତ୍ର ପ୍ରାୟ ପଚିଶ ହଜାର ଲୋକ ସଂସ୍କୃତରେ କଥାବାର୍ତ୍ତା ହୋଇଥାନ୍ତି l ଦେଶରେ ଓଡିଆକୁ ନିଜ ମାତୃଭାଷା ବୋଲି ଉଲ୍ଲେଖ କରିଥିବା ଲୋକ ପ୍ରାୟ ତିନି ପ୍ରତିଶତ ଓ ସଂଖ୍ୟା ଦୃଷ୍ଟିରୁ ସବୁ ଭାଷା ମଧ୍ୟରେ ଏହାର ସ୍ଥାନ ନବମ l ଏହି ଭାଷାଗୁଡିକ ମଧ୍ୟରୁ ଉର୍ଦ୍ଦୁ ପଡୋଶୀ ଦେଶ ପାକିସ୍ତାନର ରାଷ୍ଟ୍ର ଭାଷା ହୋଇଥବା ବେଳେ ବଙ୍ଗଳା ଭାଷା ବଙ୍ଗଳାଦେଶର ଓ ନେପାଳୀ ଭାଷା ନେପାଳର ରାଷ୍ଟ୍ରଭାଷା ଭାବେ ସ୍ଵୀକୃତ l ସିଙ୍ଗାପୁରରେ ତାମିଲ ଓ ଫିଜିରେ ଫିଜି ହିନ୍ଦୀ ସେଠାକାର ଅନ୍ୟତମ ଆଧିକାରିକ ଭାଷା ରୂପେ ପ୍ରଚଳିତ l ହିନ୍ଦୀ, ମରାଠୀ, ନେପାଳୀ, ମୈଥିଳୀ, କୋଙ୍କଣୀ, ସିନ୍ଧୀ, କାଶ୍ମୀରୀ, ଡୋଗ୍ରୀ, ବୋଡୋ ଓ ସଂସ୍କୃତ ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ l ବଙ୍ଗଳା ଓ ଅସମୀୟା ଭାଷାର ଲିପିରେ ଅନେକ ସମାନତା ରହିଛି l ତେବେ ଗୁଜରାଟୀ, ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଓ  ସାନ୍ତାଳୀ ଭାଷାର ନିଜସ୍ଵ ଲିପି ରହିଛି l ଗୁଜରାଟୀ ଭାଷାର ଲିପିକୁ ଗୁଜରାଟୀ ଦେବନାଗରୀ କୁହାଯାଉଥିବା ବେଳେ ପଞ୍ଜାବୀ ଭାଷାରେ ବ୍ୟବହୃତ ଲିପିକୁ ପଞ୍ଜାବୀ ଗୁରୁମୁଖୀ କୁହାଯାଇଥାଏ l ସେହିପରି ମଣିପୁରୀ ଭାଷାର ଲିପି ମେତୀ ମୟେକ ଓ ସାନ୍ତାଳୀ ଭାଷାର ଲିପି ଅଲଚିକି ଭାବେ ପରିଚିତ l ଓଡିଆ, ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟାଲମ ଭାଷାର ଲିପି ସମ୍ପୃକ୍ତ ଭାଷା ନାମରେ ନାମିତ l

ହିନ୍ଦୀ ଆମ ରାଷ୍ଟ୍ରଭାଷା ବୋଲି ଅନେକଙ୍କର ଭୁଲ ଧାରଣା ରହିଛି l ଏ ପର୍ଯ୍ୟନ୍ତ କୌଣସି ଭାଷାକୁ ଦେଶର ରାଷ୍ଟ୍ରଭାଷାର ସ୍ଵୀକୃତି ମିଳିନାହିଁ l ତେବେ ସମ୍ବିଧାନ ଅନୁସାରେ ହିନ୍ଦୀ ଭାଷାକୁ କେନ୍ଦ୍ର ସରକାରଙ୍କ ଆଧିକାରିକ ଭାଷାର ମାନ୍ୟତା ଦିଆଯାଇଛି l ସମ୍ଵିଧାନ ପ୍ରଣୟନ ହେବାର ପ୍ରଥମ ପନ୍ଦର ବର୍ଷ ପର୍ଯ୍ୟନ୍ତ ହିନ୍ଦୀ ସହ ଇଂରାଜୀ ଭାଷାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଆଧିକାରିକ ଭାଷାର ମାନ୍ୟତା ମିଳିଥିଲା, ଯାହା ବିଶେଷ କାରଣ ଯୋଗୁ ଏବେ ମଧ୍ୟ ଆଧିକାରିକ ଭାଷା ହୋଇ ରହିଛି l ରାଜ୍ୟଗୁଡିକୁ ଆଇନ ଅନୁସାରେ ନିଜ ନିଜ ରାଜ୍ୟ ପାଇଁ ଆଧିକାରିକ ଭାଷା ସ୍ଥିର କରିବାର ସ୍ଵାଧୀନତା ଦିଆଯାଇଛି l ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ମିଜୋରାମ, ତ୍ରିପୁରା ଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଆଧିକାରିକ ଭାଷା ଭାବେ ଇଂରାଜୀ ପ୍ରଚଳିତ l ମଜାର କଥା, କାଶ୍ମୀର ଉପତ୍ୟକା ଅଞ୍ଚଳରେ ପ୍ରଚଳିତ କାଶ୍ମୀରୀ ଓ ଜାମ୍ମୁ କ୍ଷେତ୍ରରେ ପ୍ରଚଳିତ ଡୋଗ୍ରୀ ଭାଷା ଦୁଇଟି ତଫସିଲଭୁକ୍ତ ଭାଷା ହୋଇଥିଲେ ମଧ୍ୟ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଆଧିକାରିକ ଭାଷା ଥିଲା ଉର୍ଦ୍ଦୁ l ସଂସ୍କୃତ, ସିନ୍ଧି, ମୈଥିଳୀ, ନେପାଳୀ ଓ ସାନ୍ତାଳୀ ଆଦି ଭାଷା କୌଣସି ରାଜ୍ୟରେ ଆଧିକାରିକ ଭାଷାର ମାନ୍ୟତା ପାଇନାହାନ୍ତି l ଅନ୍ୟ ପକ୍ଷରେ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ତଫସିଲଭୁକ୍ତ ଭାଷା ହୋଇ ନଥିବା କେତୋଟି ଭାଷାକୁ ମଧ୍ୟ ଆଧିକାରିକ ଭାଷାର ମାନ୍ୟତା ଦିଆଯାଇଛି l

ଭାରତ ସରକାର ଛଅଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି l ସେହି ଭାଷାଗୁଡିକ ହେଲା ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟାଲମ ଓ ଓଡିଆ l କୌଣସି ଭାଷା ଶାସ୍ତ୍ରୀୟ ଭାଷା ହେବା ପାଇଁ ଏକ ମୌଳିକ ଭାଷା ହେବା ସଙ୍ଗେ ସଙ୍ଗେ ଏହାର ଏକ ସମୃଦ୍ଧ ଐତିହ୍ୟ ଥିବା ଦରକାର l ୨୦୦୪ ମସିହାରେ ତାମିଲ ଭାଷା ପ୍ରଥମ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି l ବିଶ୍ଵର ସର୍ବ ପୁରାତନ ଭାଷାଗୁଡିକ ମଧ୍ୟରେ ତାମିଲକୁ ଗ୍ରହଣ କରାଯାଏ l ସେହିପରି ୨୦୧୪ ମସିହାରେ ଓଡିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଛି l ଦଶମ ଶତାବ୍ଦୀରୁ ଓଡିଆ ଭାଷାର ଇତିହାସ ମିଳୁଛି ଓ ଏହା ଓଡ୍ର ମାଗଧୀ ପ୍ରାକୃତରୁ ଉଦ୍ଭବ ବୋଲି ବିଶ୍ଵାସ କରାଯାଏ l ଆମେ ଗର୍ବ କରିବା ଉଚିତ ଯେ ଭାରତର ଅନେକ ପ୍ରତିଷ୍ଠିତ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ନଥିବା ବେଳେ ଆମ ମାତୃଭାଷା ଏହି ବିରଳ ସମ୍ମାନର ଅଧିକାରୀ l ଗୋଟିଏ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲେ ସେହି ଭାଷାରେ ଉଚ୍ଚତର ଅଧ୍ୟୟନ, ଗବେଷଣା ପାଇଁ କେନ୍ଦ୍ର ସରକାର କିଛି ସହାୟତା ପ୍ରଦାନ କରିଥାଆନ୍ତି l ତଦନୁସାରେ ଦୁଇ ଜଣ ଲେଖାଏଁ ବିଶିଷ୍ଟ ବିଦ୍ଵାନଙ୍କୁ ପ୍ରତି ବର୍ଷ ଦୁଇଟି ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଇଥାଏ l ‘ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ ଏକ ଉତ୍କର୍ଷ କେନ୍ଦ୍ର’ ପ୍ରତିଷ୍ଠା ପାଇଁ ସହାୟତା ମିଳିଥାଏ l ଅନ୍ତତଃ ପକ୍ଷେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟଗୁଡିକରେ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷାର କିଛି ବିଶିଷ୍ଟ ବିଦ୍ଵାନଙ୍କ ନାମରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଚେୟାର ପ୍ରତିଷ୍ଠା କରି କାର୍ଯ୍ୟ ଆରମ୍ଭ କରିବା ପାଇଁ  ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗକୁ ଅନୁରୋଧ କରି ହୋଇଥାଏ l ଅନ୍ୟ ପକ୍ଷରେ ‘ନ୍ୟାସନାଲ ମିଶନ ଫର ମାନୁସ୍କ୍ରିପ୍ଟସ’ଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ଉପଲବ୍ଧ ପ୍ରାୟ ୪୧ ଲକ୍ଷ ପୋଥି ମଧ୍ୟରୁ ସଂସ୍କୃତ ଭାଷାରେ ସର୍ବାଧିକ ୧୧.୬୭ ଲକ୍ଷ ପୋଥି ଥିବା ବେଳେ ଓଡିଆ ଭାଷାରେ ୨.୧୩ ଲକ୍ଷ ଉପଲବ୍ଧ ହୋଇ ଏହା ଦ୍ଵିତୀୟ ସ୍ଥାନରେ ରହିବା ବାସ୍ତବିକ ଓଡିଆ ଭାଷାର ଗୌରବମୟ ଐତିହ୍ୟର କଥା ଦର୍ଶାଉଛି l

ଓଡିଆ ବ୍ୟତୀତ ଓଡିଶାରେ ଥିବା ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକେ ୭୨ ପ୍ରକାର ମାତୃଭାଷାରେ କଥା ହୁଅନ୍ତି, ଯେଉଁଗୁଡିକୁ ମୋଟାମୋଟି ୩୮ଟି ଭାଷା ମଧ୍ୟରେ ରଖି ହେବ l ଏଗୁଡିକ ମଧ୍ୟରୁ ସାନ୍ତାଳୀ, ହୋ, ସଉରା ଓ କୁଇ ଭାଷାର ନିଜସ୍ଵ ଲିପି ରହିଛି l ଏହା ବ୍ୟତୀତ ମୁଣ୍ଡା, ଭୂମିଜ, କୋୟା, ଖଡିଆ ଓ ଓରାଓଁ ଭଳି ଅନ୍ୟ ପାଞ୍ଚଟି ଆଦିବାସୀ ସମ୍ପ୍ରଦାୟର ମଧ୍ୟ ଲିପି ତିଆରି ହୋଇସାରିଛି l ତେବେ ଗଦବା ଭଳି କେତେକ ଆଦିବାସୀ ସମ୍ପ୍ରଦାୟର ଭାଷା କ୍ରମଶଃ ଲୋପ ପାଇବାକୁ ବସିଲାଣି, କାରଣ ସେହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ଭାଷା ଛାଡି ଅନ୍ୟ ଭାଷାର ବ୍ୟବହାର କରୁଛନ୍ତି l ରାଜ୍ୟରେ ସାନ୍ତାଳଙ୍କ ପରେ ସର୍ବାଧିକ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟର ଲୋକ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଶତକଡା ଏକ ଭାଗ ମଧ୍ୟ ଗଣ୍ଡୀ ଭାଷାରେ କଥା ହୁଅନ୍ତି ନାହିଁ l ସ୍ଥଳ ବିଶେଷରେ ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ସାଧାରଣରେ ନିଜ ମାତୃଭାଷାରେ କଥାବାର୍ତ୍ତା ହେବାକୁ କୁଣ୍ଠାବୋଧ କରନ୍ତି, ଯାହା ଦୁର୍ଭାଗ୍ୟଜନକ l ସେମାନେ ଯଦି ନିଜ ଭାଷାକୁ ଭଲ ନ ପାଇବେ, ନିଜ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଉଦ୍ୟମ ନ କରିବେ ତେବେ ସେହି ଭାଷା ଲୋପ ପାଇବାର ସମ୍ଭାବନା ଅଧିକ l ଭାରତରେ ପ୍ରାୟ ଛଅ ଶହ ଭାଷା ଲୋପ ପାଇବାର ସମ୍ଭାବନା ରହିଛି, କାରଣ ଏହି ଭାଷାଗୁଡିକୁ କହୁଥିବା ଲୋକଙ୍କ ସଂଖ୍ୟା ଦଶ ହଜାରରୁ କମ l ଗତ ଷାଠିଏ ବର୍ଷ ଭିତରେ ପ୍ରାୟ ୨୫୦ଟି ଭାଷା ଲୋପ ପାଇ ସାରିଲାଣି l ଆଣ୍ଡାମାନର ବୋ ଭାଷା ୨୦୧୦ରେ ଲୋପ ପାଇଥିବା ବେଳେ ସିକ୍କିମର ମାଝି ଭାଷା ୨୦୧୫ରେ ବିଲୁପ୍ତ ହୋଇଛି l କୁହାଯାଏ, ଗୋଟିଏ ଭାଷା ସେହି ଭାଷା କହୁଥିବା ଲୋକଙ୍କର ମନର ଦର୍ପଣ ସଦୃଶ l ଏହି ଦର୍ପଣଗୁଡିକୁ ସାଇତି ରଖି ନ ପାରିଲେ ଆମେ ଆମ ସାଂସ୍କୃତିକ ବିବିଧତାର ବୈଭବକୁ ଚିର ଦିନ ଲାଗି ହରାଇ ବସିବା l

ଭାରତରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କର ଏକାଧିକ ଭାଷାରେ ପାରଦର୍ଶିତା ଥିବାର ଦୃଷ୍ଟାନ୍ତ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଇଂରାଜୀ, ଫ୍ରେଞ୍ଚ, ସ୍ପେନୀୟ, ଜର୍ମାନ, ଆରବୀ, ଫାରସୀ ଭଳି ବିଦେଶୀ ଭାଷା ସମେତ ପ୍ରାୟ ଦଶଟି ଭାରତୀୟ ଭାଷାରେ କହି ପାରୁଥିଲେ l ଭାରତର ପ୍ରଖ୍ୟାତ ଭାଷା ବିଜ୍ଞାନୀ ସୁନୀତି କୁମାର ଚାଟାର୍ଜୀ ଇଂରାଜୀ, ଗ୍ରୀକ, ଲାଟିନ, ଫ୍ରେଞ୍ଚ, ଇଟାଲୀୟ, ଫାରସୀ ଭଳି ବିଦେଶୀ ଭାଷା ସମେତ ସଂସ୍କୃତ ଓ ସବୁ ପ୍ରମୁଖ ଭାରତୀୟ ଭାଷାରେ ପାରଙ୍ଗମ ଥିଲେ l ଅଧିକ ଭାଷା ଶିଖି ପାରିଲେ ସେ ସବୁ ଭାଷାର ସାହିତ୍ୟ ସହ ପରିଚୟ ହୋଇପାରିବ ଓ ବ୍ୟକ୍ତିତ୍ଵର ବିକାଶ ସାଧନ ହେବ l କିନ୍ତୁ ଅନ୍ୟ ଭାଷା ଶିଖିବା ପାଇଁ ନିଜ ମାତୃଭାଷାକୁ ଅଣଦେଖା କରିବା ଉଚିତ ନୁହେଁ, କାରଣ ଓଡିଆଙ୍କ ପରିଚୟ ମାତୃଭାଷା ଓଡିଆ ପାଇଁ l ତା' ଛଡା ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ସାରିଥିବାରୁ ଏହାକୁ ସମୃଦ୍ଧ କରିବାର ଗୁରୁ ଦାୟିତ୍ଵ ସବୁ ଓଡିଆଙ୍କ ଉପରେ l ଭାଷା ସେତେବେଳେ ସମୃଦ୍ଧ ହୋଇଥାଏ ଯେତେବେଳେ ତାହା ବହୁଳ ଭାବେ ସାଧାରଣରେ ବ୍ୟବହାର ହୋଇଥାଏ l ମାତୃଭାଷାରେ ଦକ୍ଷତା ଥିଲେ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିବା ସହଜ ହୋଇଥାଏ l ଯେତେ ଅଧିକ ଲୋକଙ୍କଠାରେ ନିଜ ମାତୃଭାଷା ପ୍ରତି ଅନୁରାଗ ବଢିବ, ସେହି ଭାଷା ବିଲୁପ୍ତ ହେବାର ସମ୍ଭାବନା କମ ହେବା ସଙ୍ଗେ ସଙ୍ଗେ ଅଧିକ ପ୍ରସାର ଲାଭ କରି ସାହିତ୍ୟ, କଳା, ସଂସ୍କୃତିର ମଧ୍ୟ ଉନ୍ନତି ହୋଇପାରିବ l

Published in Odisha Reporter on June 11, 2020

Comments

  1. ସୁନ୍ଦର ଉପସ୍ଥାପନା କରିଛନ୍ତି। ଓଡ଼ିଆ ଭାଷା କୁ ଅଣଦେଖା ନ କରି ସବୁ ସ୍କୁଲ ମାନଙ୍କରେ ବାଧ୍ୟତାମୂଳକ ବିଷୟ ଭାବେ ପ୍ରଚଳନ କରିବା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ସରକାର ନେବା ଦରକାର, ତାହାଲେ ଏହା ଓଡ଼ିଶାରେ ବଞ୍ଚି ରହିବ।

    ReplyDelete
    Replies
    1. ଧନ୍ୟବାଦ, ଆଜ୍ଞା l ଆପଣ ଠିକ କହିଛନ୍ତି l ଏଥିପାଇଁ ସବୁ ସ୍ତରରେ ବିଶେଷ ଉଦ୍ୟମର ଆବଶ୍ୟକତା ରହିଛି l

      Delete
  2. ତାତ୍ପର୍ଯ୍ୟପୂର୍ଣ୍ଣ ରଚନା । ମା,ମାତୃଭୂମି ଓ ମାତୃଭାଷା ସର୍ବଦା ସର୍ବୋପରି।

    ReplyDelete
  3. ଆପଣଙ୍କ ପ୍ରତିଟି ଲେଖା ଏତେ ସରଳ ଓ ପ୍ରାଞ୍ଜଳ, ତାହାର ତୁଳନା ପାଇଁ ମୋ ପାଖରେ ଆଉ କୈାଣସି ଲେଖା ନାହିଁ। ଏଣୁ ଆପଣ ଆପଣଙ୍କ ଲେଖା ପାଇଁ ସଦା ପ୍ରଶଂସିତ ଓ ଅଭିନନ୍ଦନୀୟ।

    ଯଦ୍ୟପି ଆପଣ ବହୁ ଭାଷାକୁ ପ୍ରୋତ୍ସାହନ ଚାହୁଁଛନ୍ତି ମୋ ମତରେ ଯେତେ କମ୍ ଭାଷା ଆମେ ପ୍ରୟୋଗ କରିବା ସେତେ ଭଲରେ ରହିବା। ଅବଶ୍ୟ କୈାଣସି ଗୋଷ୍ଠୀର ଭାଷାକୁ ଜୋର ଜବରଦସ୍ତ ବନ୍ଦ କରିବା ଆଦୋୖ ଉଚିତ୍ ନୁହେଁ।

    ReplyDelete
    Replies
    1. ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଧନ୍ୟବାଦ l

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍