Skip to main content

ସୂଚନା ଅଧିକାର ଆଇନ ଦୁର୍ବଳ ହେବାର ଉପକ୍ରମ

ସୂଚନା ଅଧିକାର ଆଇନକୁ ସଂଶୋଧନ କରିବା ପାଇଁ ଏକ ବିଲ୍ ତରବରିଆ ଭାବେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ଦୁର୍ବଳ ହୋଇଯିବ ବୋଲି ଉଭୟ ବିରୋଧୀ ଦଳ ଓ ସୂଚନା ଅଧିକାର କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ଆଇନକୁ ଅଧିକ ସରଳ ଓ କ୍ରିୟାଶୀଳ କରିବା ପାଇଁ ଏହି ସଂଶୋଧନ କରାଯାଉଛି ବୋଲି ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଉଛି । ତେବେ ମୂଳ ଆଇନରେ କଣ ଏମିତି ଭୁଲ ରହିଯାଇଥିଲା ଯେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧନ କରିବାର ଆବଶ୍ୟକତା ଉପୁଜିଲା ?

ଅନେକ ସୂଚନା ଅଧିକାର କର୍ମୀ ଓ ସାଧାରଣ ଜନତାଙ୍କ ତ୍ୟାଗ ଓ ପ୍ରଚେଷ୍ଟା ପରେ ଉପା ସରକାରଙ୍କ ଅମଳରେ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହୋଇଥିଲା । ଦାପ୍ତରିକ ଗୋପନୀୟତା ଆଇନ, ୧୯୨୩ର ପ୍ରାବଧାନରେ ବଳୀୟାନ ଅମଲାତନ୍ତ୍ର ଭିତରେ ଯେଉଁ ଗୋପନୀୟତା ସଂସ୍କୃତି ଚେର ଭିଡି ସାରିଥିଲା ତାକୁ ଓପାଡି ଫୋପାଡିବା ସହ ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣିିବାର ଲକ୍ଷ୍ୟ ନେଇ ଏହି ଆଇନ ପ୍ରଣୟନ କରା ଯାଇଥିଲା । ନାଗରିକଙ୍କ ଆବେଦନ କ୍ରମେ ସେମାନଙ୍କୁ ସରକାରୀ ତଥ୍ୟ ଓ କାଗଜପତ୍ର ଯୋଗାଇ ଦେବା ପାଇଁ ସରକାର ବାଧ୍ୟ ହେଲେ । ଦାପ୍ତରିକ ଗୋପନୀୟତାର ଦ୍ୱାହି ଦେଇ ସରକାରୀ ତଥ୍ୟ ଲୁଚାଇ ରଖିବା ଆଉ ସହଜ ହୋଇ ରହିଲା ନାହିଁ । ଏହି ଆଇନ ମାଧ୍ୟମରେ ମିଳିଥିବା ଅନେକ ତଥ୍ୟ ସରକାରଙ୍କ ଅନେକ ଦୁର୍ନୀତି ଓ ଅନିୟମିତତାର ଗୁମର ଖୋଲି ସରକାରଙ୍କୁ ଅଡୁଆରେ ପକାଇଥିଲା ଓ ଶେଷରେ ୨୦୧୪ ମସିହାରେ ଏହା ଉପା ସରକାର ଗାଦିଚ୍ୟୁତ ହେବାର ଅନ୍ୟତମ କାରଣ ପାଲଟିଥିଲା । ବିଭିନ୍ନ ସରକାରଙ୍କ ଅମଳରେ ଆଇନର ଭୁଲ ତର୍ଜମା ହୋଇ ନାଗରିକଙ୍କୁ ସୂଚନା ପ୍ରଦାନରେ ବାଧା ସୃଷ୍ଟି କରାଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହି ଆଇନକୁ ସଂଶୋଧନ କରି ଏହାକୁ ପଙ୍ଗୁ କରିଦେବା ପାଇଁ କେବେ ହେଲେ ଉଦ୍ୟମ ହୋଇ ନଥିଲା ।

ପ୍ରସ୍ତାବିତ ଆଇନରେ ମୂଳ ଆଇନର ଧାରା ୧୩ ଓ ଧାରା ୧୬କୁ ସଂଶୋଧନ କରିବାକୁ ସ୍ଥିର ହୋଇଛି । ମୂଳ ଆଇନର ଧାରା ୧୩ ଅନୁଯାୟୀ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କ ଓ ଧାରା ୧୬ ଅନୁଯାୟୀ ରାଜ୍ୟସ୍ତରରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ ୫ ବର୍ଷ ଅଥବା ବୟସ ୬୫ ବର୍ଷ, ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ହେବ, ଯାଏଁ ନିର୍ଦ୍ଧାରିତ ହୋଇଥିଲା । ଅର୍ଥାତ୍, ସରକାରୀ ନିୟନ୍ତ୍ରଣରୁ ମୁକ୍ତ ରହି ନିରପେକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ଏମାନଙ୍କ କାର୍ଯ୍ୟକାଳକୁ ସ୍ଥିର ରଖା ଯାଇଥିଲା । ପ୍ରସ୍ତାବିତ ଆଇନରେ ଏମାନଙ୍କ କାର୍ଯ୍ୟକାଳ ‘କେନ୍ଦ୍ର ସରକାର’ଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ ବୋଲି ଉଲ୍ଲେଖ ରହିଛି । ଅର୍ଥାତ ସରକାର ଚାହିଁଲେ ଏମାନଙ୍କ କାର୍ଯ୍ୟକାଳକୁ କମ ବେଶି କରି ପାରିବେ । ପୁନଶ୍ଚ, ପ୍ରଚଳିତ ଆଇନ ଅନୁଯାୟୀ ମୁଖ୍ୟ ସୂଚନା ଅଧିକାରୀଙ୍କ ଦରମା, ଭତ୍ତା ଓ ଚାକିରୀର ଅନ୍ୟ ସର୍ତ୍ତାବଳୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ସମାନ ଥିବା ବେଳେ ସୂଚନା କମିଶନରଙ୍କର ଦରମା ଓ ଅନ୍ୟ ସର୍ତ୍ତାବଳୀ ନିର୍ବାଚନ କମିଶନରଙ୍କ ସହ ସମାନ । ସେହିପରି ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ଦରମା ନିର୍ବାଚନ କମିଶନରଙ୍କ ଦରମା ସହ ସମାନ ହୋଇଥିବା ବେଳେ ଅନ୍ୟ ସୂଚନା କମିଶନରଙ୍କ ଦରମା ମୁଖ୍ୟ ଶାସନ ସଚିବଙ୍କ ଦରମା ସହ ସମାନ ରଖାଯାଇଛି । ପ୍ରସ୍ତାବିତ ଆଇନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରର ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରଙ୍କ ଦରମା, ଭତ୍ତା ଓ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳୀ ‘କେନ୍ଦ୍ର ସରକାର’ଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । ଫଳରେ ସୂଚନା କମିଶନରମାନଙ୍କ ସ୍ୱାୟତ୍ତତା ଓ ସ୍ୱାଧୀନତା ଅକ୍ଷୁଣ୍ଣ ରହିବା ସମ୍ଭାବନା କ୍ଷୀଣ । ସରକାରଙ୍କ ଯୁକ୍ତି ହେଉଛି ସୂଚନା କମିଶନ ଭଳି ଏକ ବୈଧାନିକ ସଂସ୍ଥାକୁ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ସଂସ୍ଥା ଭଳି ବିବେଚନା କରି ହେବ ନାହିଁ । ଏଣୁ ସୂଚନା କମିଶନରମାନଙ୍କୁ ନିର୍ବାଚନ କମିଶନରମାନଙ୍କ ପରି ସ୍ଥିର ଦରମା ଓ କାର୍ଯ୍ୟକାଳ ଦେଇ ହେବନାହିଁ । ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଓ ଜାତୀୟ ମାନବିକ ଅଧିକାର ଆୟୋଗ ମଧ୍ୟ ବୈଧାନିକ ସଂସ୍ଥା ହୋଇଥିଲେ ବି ଏହାର ମୁଖ୍ୟମାନଙ୍କର ସ୍ଥାୟୀ ଦରମା ଓ କାର୍ଯ୍ୟକାଳର ପ୍ରାବଧାନ ରହିଛି । ବସ୍ତୁତଃ, ଗୋଟିଏ ସଂସ୍ଥାର ମୁଖ୍ୟଙ୍କ ଦରମା, ଚାକିରୀ ସର୍ତ୍ତ ଓ କାର୍ଯ୍ୟକାଳର ସ୍ଥାୟୀତ୍ୱ ତାଙ୍କର ସ୍ୱାୟତ୍ତତା ଓ ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ଲାଗି ପ୍ରାକ୍-ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥାଏ । ସୂଚନା କମିଶନରଙ୍କ ଦରମା ଓ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେବାର ଅର୍ଥ ହେଉଛି ଏହି ଅନୁଷ୍ଠାନର ସ୍ୱାୟତ୍ତତା ଓ ସ୍ୱାଧୀନତା ସହ ସାଲିସ କରି ଅନୁଷ୍ଠାନକୁ ଦୁର୍ବଳ କରିବା । ପୁନଶ୍ଚ, ଏହି ସଂଶୋଧିତ ଆଇନ ପ୍ରଣୟନ ହେଲେ ଏକ ନୂଆ ବିସଙ୍ଗତି ସୃଷ୍ଟି ହେବ । ଏ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରଙ୍କୁ ରାଜ୍ୟ ସରକାର ହିଁ ନିଯୁକ୍ତି ପ୍ରଦାନ କରୁଛନ୍ତି ଓ ସେମାନେ କେନ୍ଦ୍ର ନିୟନ୍ତ୍ରଣାଧୀନ ନ ହୋଇ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି । ସଂଶୋଧିତ ଆଇନ ପ୍ରଣୟନ ହେଲା ପରେ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କଲେ ମଧ୍ୟ ଦରମାଠାରୁ ଆରମ୍ଭ କରି ଚାକିରୀର ଅନ୍ୟ ସର୍ତ୍ତାବଳୀ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହେଉଥିବାରୁ ତାହା ରାଜ୍ୟ ସରକାରଙ୍କ କ୍ଷମତା କ୍ଷୁଣ୍ଣ କରି ‘ସହକାରୀ ସଂଘବାଦ’ର ପରିପନ୍ଥୀ ହେବ । ରାଜ୍ୟ ସ୍ୱାର୍ଥ ସୁରକ୍ଷାର କଥା କହୁଥିବା ବିଜେଡି, ଟିଆରଏସ, ଓାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳଗୁଡିକ ବିଲ ପ୍ରତି ସମର୍ଥନ ଜଣାଇବା ମାଧ୍ୟମରେ ଜନତାଙ୍କ ବୃହତ୍ତର ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ର ସରକାରଙ୍କୁ ଏତେ ସହଜରେ ନିଜ କ୍ଷମତା ଟେକି ଦେବାକୁ ରାଜି ହୋଇଯିବା କେତେ ଦୂର ସମୀଚୀନ ?
   
ଏହି ଆଇନକୁ ସଂଶୋଧନ କରିବା ପାଇଁ ତିଆରି ହୋଇଥିବା ବିଲକୁ ସଂସଦର କୌଣସି ସିଲେକ୍ଟ କମିଟି ନିକଟକୁ ତର୍ଜମା ପାଇଁ ପଠାଯାଇନାହିଁ । ଏପରିକି ଏ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲରେ ସଂଶୋଧନ ଅଣା ଯାଉଥିଲେ ମଧ୍ୟ ଏହା ଦ୍ୱାରା ପରୋକ୍ଷରେ ପ୍ରଭାବିତ ହେବାକୁ ଯାଉଥିବା ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ହୋଇନାହିଁ । ଶାସକ ଦଳ ତରଫରୁ କୁହାଯାଇଛି ଯେ ମୂଳ ଆଇନରେ ଥିବା ବିସଙ୍ଗତିଗୁଡିକୁ ଦୂର କରିବା ଏହି ସଂଶୋଧନର ଉଦ୍ଦେଶ୍ୟ । ତେବେ ଆଇନରେ ଥିବା ଏଭଳି କୌଣସି ବିସଙ୍ଗତି ସମ୍ପର୍କରେ ଏବର ଶାସକ ଦଳ ବିରୋଧୀ ଦଳରେ ଥିବା ବେଳେ ମଧ୍ୟ ଆପତ୍ତି ଉଠାଇ ନଥିଲା । ମୂଳ ଆଇନରେ ପ୍ରସ୍ତାବିତ ସଂଶୋଧନ ନ ହେଲେ କଣ କ୍ଷତି ହେବ ବା ପ୍ରସ୍ତାବିତ ସଂଶୋଧନଗୁଡିକ ମୂଳ ଆଇନକୁ କେଉଁ ଭଳି ଭାବେ ଅଧିକ ସଶକ୍ତ କରିବ, ତାହା ବୁଝାଇବା ପାଇଁ ସରକାର ଅସମର୍ଥ । ଆଇନରେ ସଂଶୋଧନ ହେବାରେ କୌଣସି ଆପତ୍ତି ନାହିଁ, ତେବେ ଏହାର ଉଦ୍ଦେଶ୍ୟ ଦେଶବାସୀଙ୍କ ସମ୍ମୁଖରେ ସୁସ୍ପଷ୍ଟ ହେବା ବିଧେୟ ।

ଦୁର୍ନୀତିର ମୂଳୋତ୍ପାଟନ କରି ଜନସାଧାରଣଙ୍କୁ ଏକ ସ୍ୱଚ୍ଛ ଶାସନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ନିଜେ ଦୁର୍ନୀତିମୁକ୍ତ ହେବା ଯେତିକି ଜରୁରୀ, ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣି ଏହାକୁ ଦୁର୍ନୀତିମୁକ୍ତ କରିବା ଲାଗି ଉଦ୍ଦିଷ୍ଟ ଲୋକପାଳ ଆଇନ, ସୂଚନା ଅଧିକାର ଆଇନ ଭଳି ଆଇନଗୁଡିକୁ କ୍ରିୟାଶୀଳ କରାଇବା ତାଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ । ପରିତାପର ବିଷୟ, ମୂଳରୁ ଏନଡିଏ ସରକାର ଏଥି ପ୍ରତି ଉଦାସୀନ ରହି ଆସିଥିବା ପରିଲକ୍ଷିତ ହୁଏ । ଗତ ପାଳିର ଶେଷ ବେଳକୁ ସୁପ୍ରିମ କୋର୍ଟଙ୍କ ତାଗିଦା ପରେ ଯାଇ ସରକାରଙ୍କ ଦ୍ୱାରା ଲୋକପାଳଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା, ତାର ଏକ ନଜିର । କିନ୍ତୁ ଗତ ପାଳିର ଆରମ୍ଭରୁୁ ସୂଚନା ଅଧିକାର ଆଇନ ପ୍ରତି ସରକାରଙ୍କ ବିଦ୍ୱେଷ ନ ହେଲେ ବି ବନ୍ଧୁତ୍ୱପୂର୍ଣ୍ଣ ଗ୍ରହଣୀୟତା ନ ରହିବା ଦ୍ୱାରା ଏହି ଆଇନ ଠିକ ରୂପେ କ୍ରିୟାଶୀଳ ହୋଇ ପାରିନାହିଁ । ଦୀର୍ଘ ସମୟ ଧରି ୧୧ ଜଣ ସୂଚନା କମିଶନରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପଦ ରିକ୍ତ ଅବସ୍ଥାରେ ରହିବା ଯୋଗୁ ହଜାର ହଜାର ସଂଖ୍ୟାରେ ମାମଲା ବିଚାରାଧୀନ ଅବସ୍ଥାରେ ପଡି ରହିଛି । କହିବା ବାହୁଲ୍ୟ ଯେ ମାମଲାଗୁଡିକ ସରକାର ଓ ସରକାରୀ ସଂସ୍ଥାଙ୍କଠାରୁ ଅପେକ୍ଷିତ ଆଚରଣ ବିରୁଦ୍ଧରେ ହୋଇଥିବାରୁ ସେଗୁଡିକର ବିଳମ୍ବିତ ସମାପନ ସରକାରୀ କଳକୁୁ ସୁହାଉଥିବା ବେଳେ, ତାହା ସମ୍ପୂର୍ଣ୍ଣ ରୂପେ ଜନସ୍ୱାର୍ଥ ବିରୋଧୀ । ଗତ ପାଳିର ଅନେକ ଘଟଣା ମଧ୍ୟରୁ ସୂଚନା ଅଧିକାର ଆଇନ ବଳରେ ବିମୁଦ୍ରାକରଣ ପରେ ସେହି ନିଷ୍ପତ୍ତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ପଚରା ଯାଇଥିବା ପ୍ରଶ୍ନ ହେଉ ଅଥବା ରାଫେଲ ଯୁଦ୍ଧ ବିମାନ କିଣା ବାବଦରେ ବିମାନ ବାହିନୀକୁ ପଚରା ଯାଇଥିବା ପ୍ରଶ୍ନ, ଏଗୁଡିକ ପାଇଁ ସରକାର ସମ୍ମୁଖୀନ ହୋଇଥିବା ଅସହଜ ପରିସ୍ଥିତି ଲାଗି ହୁଏତ ଏହି ଉଦାସୀନତା ଓ ଆଇନକୁ ଦୁର୍ବଳ କରି ନିଜ ନିୟନ୍ତ୍ରଣରେ ରଖିବାର ପ୍ରୟାସ । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉପୁଜିଥିବା ବିବାଦ ପରେ ସୂଚନା ଅଧିକାର ଆଇନରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଗା ଯାଇଥିବା ପ୍ରଶ୍ନର ଉତ୍ତର ପାଇବା ପାଇଁ ସୂଚନା ଆୟୋଗ ତରଫରୁ ଯେଉଁ ତତ୍ପରତା ଦେଖାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆ ଯାଇଥିଲା, ତାହା ମୋଦୀ ଓ ଦଳର ଅନ୍ୟ ନେତାଙ୍କୁ କ୍ଷୁବ୍ଧ କରିଥିଲା ଓ ସେବେଠାରୁ ସୂଚନା ଆୟୋଗ ସରକାରୀ ଆକ୍ର୍ରୋଶର ଶିକାର ହେବାକୁ ଲାଗିଲେ ବୋଲି କୁହାଯାଏ । ସମ୍ଭବତଃ, ତା ପରଠାରୁ ସୂଚନା କମିଶନରଙ୍କ ପକ୍ଷଚ୍ଛେଦନ କରିବାର ମସୁଧା ପ୍ରସ୍ତୁତ ହେବାକୁ ଲାଗିଲା ।

ଇତି ମଧ୍ୟରେ ଏହି ଆଇନଟି ସାଧାରଣରେ ଏପରି ଆଦୃତି ଲାଭ କରିଛି ଯେ ନାଗରିକମାନେ ଏହା ଜରିଆରେ ନିଜର ସୂଚନା ଅଧିକାରକୁ ଜାହିର କରି ବାର୍ଷିକ ହାରାହାରି ପ୍ରାୟ ୬୦ଲକ୍ଷ ଆବେଦନ କରୁଛନ୍ତି । କୌଣସି କାର୍ଯ୍ୟାଳୟରୁ ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନେ ସୂଚନା କମିଶନରଙ୍କ ନିକଟରେ ଅପିଲ କରିଥାନ୍ତି । ସୂଚନା ଆୟୋଗ ସର୍ବ ଶକ୍ତିମାନ ସରକାରୀ କଳର ନିଷ୍ପତ୍ତି ବିରୁଦ୍ଧରେ ଠିଆ ହୋଇଥିବା ସାଧାରଣ ନାଗରିକଟିଏ ପକ୍ଷରେ ନ୍ୟାୟ ପାଇବାର ଏକମାତ୍ର ଆଶା ହୋଇଥିବାରୁ ସୂଚନା କମିଶନରଙ୍କ ସ୍ୱାୟତ୍ତତା ଓ ନିରପେକ୍ଷତା ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରସ୍ତାବିତ ସଂଶୋଧନରେ ତାଙ୍କର ଏହି ସ୍ୱାୟତ୍ତତା ଉପରେ ପ୍ରହାର ହୋଇଥିବାରୁ ତାହା ପରୋକ୍ଷରେ ଜନସ୍ୱାର୍ଥ ବିରୋଧୀ ବୋଲି ବୁଝିବାକୁ ହେବ ।

ସମ୍ଭବତଃ, ସୂଚନା ଅଧିକାର ଆଇନ ହେଉଛି ଏକମାତ୍ର ଆଇନ ଯାହାକୁ ନାଗରିକଟିଏ ତା ନିଜର ଆଇନ ବୋଲି ଗ୍ରହଣ କରିନେଇଛି । କାରଣ ଅନ୍ୟ ଆଇନଗୁଡିକୁ ବ୍ୟବହାର କରି ସରକାରୀ କଳ ସାଧାରଣ ଜନତାଙ୍କୁ ଶାସନ କରୁଥିବା ବେଳେ ଏହି ଆଇନ ମାଧ୍ୟମରେ ନାଗରିକଟିଏ ସରକାରୀ କଳର ମନୋମୁଖୀ ଆଚରଣ ବିରୁଦ୍ଧରେ ସ୍ୱର ଉଠାଇ ପାରିଥାଏ । ଏହି ଆଇନ ଜଣେ ସାଧାରଣ ନାଗରିକକୁ ସରକାରୀ କର୍ତୃପକ୍ଷଙ୍କୁ ପ୍ରଶ୍ନ ପଚାରିବା ପାଇଁ ସଶକ୍ତ କରିବା ସହ ବ୍ୟବସ୍ଥାକୁ କାଠଗଡାରେ ଠିଆ କରିବା ପାଇଁ ତା ନିକଟରେ ପ୍ରତ୍ୟୟ ସୃଷ୍ଟି କରିଥାଏ । ଏହି ଆଇନ ପ୍ରଣୟନ ହେବା ପରଠାରୁ, ଆଉ କିଛି ହେଉ କି ନ ହେଉ ଅନ୍ତତଃ, ଆଇନ କାନୁନକୁ ଖାତିର ନ କରି ସ୍ୱେଚ୍ଛାଚାରୀ ଭାବେ ନିଷ୍ପତି ଗ୍ରହଣ କରୁଥିବା ଅମଲାତନ୍ତ୍ର ଉପରେ ଏହା ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇଛି । ଏପରିକି ଏଣିକି ସରକାରୀ କାଗଜ ପତ୍ରରେ ଟିପ୍ପଣୀ ଲେଖିଲା ବେଳେ ମଧ୍ୟ ବାବୁମାନେ ମାତ୍ରାଧିକ ସତର୍କତା ଅବଲମ୍ବନ କରୁଛନ୍ତି । ଉଭୟ ଦୁର୍ନୀତିଗ୍ରସ୍ତ ଏବଂ ଅସ୍ୱଚ୍ଛ ବାବୁ ଓ ରାଜନେତାଙ୍କ ପାଇଁ ଏହା ପ୍ରତିବନ୍ଧକ ସାଜି ଥିବାରୁ ଏହି ବର୍ଗ ଦ୍ୱାରା ଏହାକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ ହୋଇଆସିଛି । ତେବେ ଏହି ଆଇନ ଯେତେ ଶକ୍ତିଶାଳୀ ହୋଇ ରହିବ ସାଧାରଣ ନାଗରିକଙ୍କ ସ୍ୱାର୍ଥ ସେତେ ଅଧିକ ସୁରକ୍ଷିତ ରହିପାରିବ । ତେଣୁ ଆଇନରେ ଏହି ସଂଶୋଧନ ଜନସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାର ପ୍ରତ୍ୟାହାର ପାଇଁ ନାଗରିକଙ୍କ ଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି କରା ନ ଗଲେ ଶାସନରେ ସ୍ୱଚ୍ଛତା ହ୍ରାସ ପାଇବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ।

Published in Sanchar (27.07.19), Swadhikar (27.07.19), Amrutadunia(27.07.19), Matrubhasha - 28.07.19

Comments

  1. So analytical and appropriate to the day. Please keep continuing

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍