ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ତତକାଳୀନ କେନ୍ଦ୍ର ଜଳ ସମ୍ବଳ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ ଗଡକରି ଯେତେବେଳେ ଦମ୍ଭୋକ୍ତି କଲେ ଯେ ପାକିସ୍ତାନକୁ ଆଉ ଆଦୌ ଉଦବୃତ୍ତ ନଦୀ ଜଳ ଛଡାଯିବ ନାହିଁ, ମନେ ହେଲା ସତେ ଯେମିତି ସରକାର ଜଳ ନିୟନ୍ତ୍ରଣ ମାଧ୍ୟମରେ ପାକିସ୍ତାନକୁ ସାବାଡ କରିବା ପାଇଁ କିଛି ନୂଆ ନିଷ୍ପତ୍ତି ଗ୍ରହଣ କଲେ । ଏହାଦ୍ୱାରା ବୋଧେ ଭାରତଠାରୁ ପାଣି ନ ପାଇ ସିନ୍ଧୁ ନଦୀ ଶୁଖିଯିବ ଆଉ ପାଣି ପାଇଁ ପାକିସ୍ତାନର ଲୋକେ ଡହଳ ବିକଳ ହୋଇ ପାନେ ପାଇବେ ବୋଲି ଅନେକଙ୍କ ଧାରଣା ସୃଷ୍ଟି ହେଲା । ବାସ୍ତବତା ହେଉଛି, ଏ ନିଷ୍ପତ୍ତି ଆଦୌ ନୂଆ ନୁହେଁ, ବରଂ ବହୁ ପୂର୍ବରୁୁ ଏ ସମସ୍ତ ନିଷ୍ପତ୍ତି ନିଆଯାଇ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଖସଡା ପ୍ରସ୍ତୁତ ହୋଇ ସାରିଥିଲା । ସେଗୁଡିକୁ ଦୋହରାଇ ସରକାର ପାକିସ୍ତାନ ବିରୁଦ୍ଧରେ କଡା ପଦକ୍ଷେପ ନେଉଥିବାର ପ୍ରତ୍ୟୟ ସୃଷ୍ଟି କରି ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଏକ ଉଦ୍ୟମ କରିଛନ୍ତି ଯାହା । ପ୍ରତ୍ୟୁତ୍ତରରେ ପାକିସ୍ତାନ ‘ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା ଭାଗର ପାଣି ଯେମିତି ଇଚ୍ଛା ବ୍ୟବହାର କରିବାକୁ ଚାହୁଁଛି କରୁ, ସେଥିରେ ଆମର ଚିନ୍ତା ବା ବିରୋଧ କରିବାର କିଛି ନାହିଁ’ ବୋଲି କହି ଏ ନିଷ୍ପତ୍ତିର ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେଠାକାର ଲୋକଙ୍କ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କଲା । ତେବେ ପ୍ରକୃତ ପକ୍ଷେ ଏ ନିଷ୍ପତ୍ତିର ପାକିସ୍ତାନ ଉପରେ କି ପ୍ରଭାବ ପଡିପାରେ ତାହା ବୁଝିବାକୁ ହେଲେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନରୁ ହୋଇଥିବା ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତାବଳୀ ସମ୍ପର୍କରେ ସମ୍ୟକ ଧାରଣା ଆବଶ୍ୟକ ।
ସିନ୍ଧୁ ନଦୀ ତିବ୍ଦତୀୟ ପାର୍ବତ୍ୟାଞ୍ଚଳର ମାନ ସରୋବର ହ୍ରଦ ସନ୍ନିିକଟରୁ ବାହାରି ଜାମ୍ମୁ-କାଶ୍ମୀରର ଲଦ୍ଦାଖ ଅଞ୍ଚଳରେ ପ୍ରବେଶ କଲା ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନ ଦେଇ ଶେଷରେ କରାଚୀ ନିକଟରେ ଆରବ ସାଗରରେ ମିଶିଛି । ଏହାର ବାମ ପାଶ୍ୱର୍ରେ ଥିବା ପାଞ୍ଚଟି ଉପନଦୀ ମଧ୍ୟରୁ ପୂର୍ବ ଭାଗର ନଦୀ କୁହାଯାଉଥିବା ରାବି, ବ୍ୟାସ ଓ ସତଲେଜ ଭାରତର ହିମାଚଳ ପ୍ରଦେଶ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଆଦି ରାଜ୍ୟରେ ପ୍ରବାହିତ ହୋଇ ସିନ୍ଧୁରେ ମିଶିଥିବା ବେଳେ ପଶ୍ଚିମ ଭାଗର ଉପନଦୀ କୁହାଯାଉଥିବା ଝେଲମ ଓ ଚେନାବ କାଶ୍ମୀର ଉପତ୍ୟକାରେ ପ୍ରବାହିତ ହୋଇ ସିନ୍ଧୁୁ ନଦୀରେ ମିଶିଛନ୍ତି । ୧୯୬୦ ମସିହାରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଝେଲମ, ଚେନାବ ଓ ସିନ୍ଧୁ ନଦୀର ପ୍ରାୟ ୧୩୫ ମିଲିଅନ ଏକର ଫୁଟ (ଏମଏଏଫ) ଜଳ ଉପରେ ପାକିସ୍ତାନର ସମ୍ପୂର୍ଣ୍ଣ ଅଧିକାର ରହିଛି । କାଶ୍ମୀର ଉପତ୍ୟକାରେ ଏହି ନଦୀଗୁଡିକ ଉପରେ ନଦୀବନ୍ଧ ନିର୍ମାଣର ଅନୁମତି ନ ଥିଲେ ମଧ୍ୟ ପ୍ରବହମାନ ଅବସ୍ଥାରେ ଭାରତ ଏହାର ଜଳକୁ ଘରୋଇ, କୃଷି କାର୍ଯ୍ୟ ଓ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରି ପାରିବ । ସେହିପରି ରାବି, ବ୍ୟାସ ଓ ସତଲେଜ ନଦୀର ୩୩ ଏମଏଏଫ ଜଳ ରାଶି ଉପରେ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି ।
ବିଗତ ବର୍ଷମାନଙ୍କରେ ଭାରତ ସତଲେଜ ନଦୀ ଉପରେ ଭାକ୍ରା ନଦୀବନ୍ଧ, ବ୍ୟାସ ନଦୀ ଉପରେ ପୋଙ୍ଗ ଓ ପାଣ୍ଡୋ ନଦୀ ବନ୍ଧ, ରାବି ନଦୀ ଉପରେ ରଣଜିତ ସାଗର ବନ୍ଧ ନିର୍ମାଣ କରିବା ସହ ବ୍ୟାସ-ସତଲେଜ ଲିଙ୍କ, ମାଧୋପୁର-ବ୍ୟାସ ଲିଙ୍କ, ଇନ୍ଦିରା ଗାନ୍ଧୀ କେନାଲ ପ୍ରକଳ୍ପ ଆଦି ମାଧ୍ୟମରେ ନିଜ ଭାଗର ପ୍ରାୟ ଶତକଡା ୯୫ ଭାଗ ପାଣି ବ୍ୟବହାର କରିବାକୁ ସକ୍ଷମ ହୋଇଛି । ଅବଶିଷ୍ଟ ଶତକଡା ୫ ଭାଗ ବା ପ୍ରାୟ ୨ ଏମଏଏଫ ଉଦବୃତ୍ତ ଜଳ ପାକିସ୍ତାନକୁ ପ୍ରବାହିତ ହେଉଛି । ଏହି ଜଳକୁ ହିଁ ପାକିସ୍ତାନକୁ ନ ଛାଡି ଭାରତରେ ବ୍ୟବହାର କରିବା ପାଇଁ ଯେଉଁ ତିନୋଟି ପ୍ରକଳ୍ପ କଥା ସରକାର ଉଲ୍ଲେଖ କରୁଛନ୍ତି ସେଗୁଡିକ ହେଲା, ସାହାପୁରକାଣ୍ଡି ନଦୀବନ୍ଧ, ଉଝ ନଦୀବନ୍ଧ ଓ ଦ୍ୱିତୀୟ ରାବି-ବ୍ୟାସ ଲିଙ୍କ କେନାଲ । ସାହାପୁରକାଣ୍ଡି ନଦୀବନ୍ଧଟି ରାବି ନଦୀ ଉପରେ ନିର୍ମାଣ ହେବ ଯାହା ୨୦୧୩ ମସିହାରେ ଆରମ୍ଭ ହୋଇ ୨୦୧୬ ସୁଦ୍ଧା ସରିବାର ଥିଲା । ଜାମ୍ମୁ-କାଶ୍ମୀର ଓ ପଞ୍ଜାବ ମଧ୍ୟରେ ବିବାଦ ଲାଗି ରହିବା ଯୋଗୁ କାମ ବନ୍ଦ ଥିଲା । ସେପ୍ଟେମ୍ବର ୨୦୧୮ରେ ଉଭୟ ରାଜ୍ୟଙ୍କ ମଧ୍ୟରେ ସହମତି ପରେ କେନ୍ଦ୍ର ସରକାର ଡିସେମ୍ବର ୨୦୧୮ରେ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓ ଏହି ପ୍ରକଳ୍ପର କାମ ପୁଣି ଆରମ୍ଭ ହୋଇଛି । ଜାମ୍ମୁ-କାଶ୍ମୀରରେ ରାବି ନଦୀର ଉପନଦୀ ଉଝ ନଦୀ ଉପରେ ଏକ ନଦୀ ବନ୍ଧ ନିର୍ମାଣ ପ୍ରସ୍ତାବକୁ ୨୦୧୭ରୁ ମଞ୍ଜୁରୀ ଦିଆ ସରିଛି । ମାଧୋପୁର ହେଡଓ୍ଵାର୍କସ ପରେ ରାବି ନଦୀର ସମସ୍ତ ପାଣି ପାକିସ୍ତାନକୁ ଚାଲି ଯାଉଥିବାରୁ ୨୦୦୮ରେ ତତ୍କାଳୀନ କେନ୍ଦ୍ର ସରକାର ଦ୍ୱିତୀୟ ରାବି-ବ୍ୟାସ ଲିଙ୍କ କେନାଲ ନିର୍ମାଣକୁ ଏକ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏଁ ତାହା ଆଗେଇ ପାରି ନଥିଲା । ଏଗୁଡିକ ବର୍ଷ ବର୍ଷ ତଳର ପ୍ରକଳ୍ପ ଓ ସରିବାକୁ ମଧ୍ୟ ଅନ୍ତତଃ ପକ୍ଷେ ଆହୁରି ୫-୬ ବର୍ଷ ସମୟ ଲାଗିଯିବ ।
ପାକିସ୍ତାନର ଜଳ ସେଚନ ବିଭାଗର ତଥ୍ୟ ଅନୁଯାୟୀ ସେଠାରେ ବର୍ଷକୁ ପ୍ରାୟ ୨୧ ମିଲିଅନ ଏକର ଫୁଟ (ଏମଏଏଫ) ପାଣି ସମୁଦ୍ରକୁ ବହି ଯାଉଛି । ନଦୀବନ୍ଧ ଓ ଅନ୍ୟ ଜଳ ସଂରକ୍ଷଣର ଆବଶ୍ୟକୀୟ ବ୍ୟବସ୍ଥା ନଥିବାରୁ ସେହି ପାଣିକୁ ଧରି ରଖି ହେଉନାହିଁ । ତେଣୁ ଭାରତରୁ ୨ ଏମଏଏଫ ପାଣି ନ ଆସିଲେ ସେମାନଙ୍କର କଣ ବା ଅଧିକ ବିଗିଡିଯିବ? ସେଠାରେ ୮୪ ଭାଗ ଜଳ ମୌସୁମୀ ବର୍ଷାରୁ ହିଁ ମିଳିଥାଏ, ଯାହାକୁ ଧରି ରଖିବା ପାଇଁ ପାକିସ୍ତାନ ବର୍ଷ ବର୍ଷ ଧରି କୌଣସି ନୂଆ ନଦୀବନ୍ଧ ତିଆରି କରି ନଥିବାରୁ ଶତକଡା ୩୬ ଭାଗ ଖରିଫ ଚାଷ ପ୍ରଭାବିତ ହେଉଛି । ପାକିସ୍ତାନକୁ ପାଣି ଛାଡିବ ନାହିଁ ବୋଲି ଦୀର୍ଘ ଦିନରୁ ଭାରତ ପରୋକ୍ଷରେ ଧମକାଇ ଆସୁଥିବାରୁ ପାକିସ୍ତାନ ମଧ୍ୟ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରଖିିଛିି । ବସ୍ତୁତଃ, ପ୍ରଧାନମନ୍ତ୍ରୀ ହେବା ପରେ ଇମରାନ ଖାଁ ପାକିସ୍ତାନରେ ତିନୋଟି ବୃହଦ୍ ପ୍ରକଳ୍ପ ମାଧ୍ୟମରେ ୯ ଏମଏଏଫ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେଇ ସାରିଛନ୍ତି । ଏଥିରୁ ସ୍ପଷ୍ଟ, ଉଭୟ ଦେଶ ପରସ୍ପରକୁ ମାତ୍ ଦେବା ପାଇଁ ‘ତୁ ଡାଳରେ ଡାଳରେ ତ ମୁଁ ପତ୍ରରେ ପତ୍ରରେ’ ନୀତି ଅବଲମ୍ବନ କରୁଛନ୍ତି । ଭାରତ ଦ୍ୱାରା ରାବି, ବ୍ୟାସ ଓ ସତଲେଜ ନଦୀ ଜଳର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଘୋଷଣା ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ହେଉ ନଥିବାରୁ ଓ ଏହାର ବିଶେଷ କିଛି ପ୍ରଭାବ ପଡିବାର ନଥିବାରୁ ପାକିସ୍ତାନ ଏ ନେଇ ବିଚଳିତ ହେବା ପରି ଜଣା ପଡୁନାହିଁ ।
ଅନ୍ୟ ପକ୍ଷରେ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳକୁ ଅଟକାଇ ପାରିଲେ ପାକିସ୍ତାନ ନିଶ୍ଚିତ ଭାବେ ଜଳ ସଙ୍କଟରେ ପଡିବ ଓ ପାକିସ୍ତାନ ତାର ତୀବ୍ର ବିରୋଧ କରିବ । ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତ ଅନୁଯାୟୀ କାଶ୍ମୀର ଉପତ୍ୟକାରେ ପ୍ରବାହିତ ହେଉଥିବା ଅବସ୍ଥାରେ ଭାରତ ଏହି ନଦୀଗୁଡିକର ଜଳକୁ କୌଣସି ବନ୍ଧ ତିଆରି ନ କରି କେବଳ ଘରୋଇ, କୃଷି କ୍ଷେତ୍ରରେ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିପାରିବ । ୨୦୧୬ ମସିହାରେ ଉରି ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଅଗ୍ରାହ୍ୟ କରି ସମ୍ପୂର୍ଣ୍ଣ ଓହରି ଆସୁ ବୋଲି ଯେଉଁ ଦାବି ଉଠୁଥିଲା, ଚଳିତ ନିର୍ବାଚନରେ ଶାସକ ଦଳର ବିପୁଳ ବିଜୟ ପରେ ସେହି ଦାବିର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ତେବେ ପାଣିକୁ ଧରି ରଖିବା ପାଇଁ କାଶ୍ମୀର ଉପତ୍ୟକାରେ ବନ୍ଧ ତିଆରି ହୋଇ ନଥିବାରୁ ପାଣି ଅଟକାଇବାର ଅର୍ଥ ବନ୍ୟାକୁ ଆମନ୍ତ୍ରଣ ଦେବା । କାଶ୍ମୀରରେ ବନ୍ଧ ନିର୍ମାଣ କରି ଉଦବୃତ୍ତ ଜଳକୁ ଅନ୍ୟ ରାଜ୍ୟକୁ ଆଣିବାକୁ ହେଲେ ବହୁ ସଂଖ୍ୟାରେ ସୁଦୀର୍ଘ କେନାଲମାନ ତିଆରି କରିବାକୁ ହେବ । କାଶ୍ମୀର ଏକ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏଥିପାଇଁ ଅଜସ୍ର ପରିମାଣରେ ଅର୍ଥ ବ୍ୟୟ ହେବା ସହିତ ପ୍ରାୟ ୧୦-୧୫ ବର୍ଷ ସମୟ ମଧ୍ୟ ଲାଗିଯାଇପାରେ । ତାଛଡା ବୈଷୟିକ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତିର କ୍ରିୟାନ୍ୱୟନ ଭାରତ ହିତର ପରିପନ୍ଥୀ ହୋଇପାରେ ବୋଲି କେହି କେହି ବିଶେଷଜ୍ଞ ମତବ୍ୟକ୍ତ କରୁଛନ୍ତି । ଏ ସବୁକୁ ଅଣଦେଖା କରି ଭାରତ ଚୁକ୍ତିରୁ ଓହରିବାକୁ ସ୍ଥିର କଲେ ତାହାର ସମ୍ଭାବ୍ୟ ଆନ୍ତର୍ଜାତିକ ପ୍ରତିକ୍ରିୟା ଭାରତ ପକ୍ଷେ ମହଙ୍ଗା ହୋଇପାରେ । କାରଣ ଆଇଆରଡିବି (ଏବର ବିଶ୍ୱ ବ୍ୟାଙ୍କ) ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିଟିର ତୃତୀୟ ଲାଭାର୍ଥୀ ହେଉଛି ଚୀନ । ପ୍ରଥମତଃ, ସିନ୍ଧୁ ନଦୀର ଆଦ୍ୟାଂଶ ଚୀନରେ ଥିବା ଦୃଷ୍ଟିରୁ ଭାରତ ପାକିସ୍ତାନକୁ ପାଣି ବନ୍ଦ କଲେ, ଚୀନ ମଧ୍ୟ ଅନୁରୂପ ଭାବେ ଭାରତକୁ ପାଣି ବନ୍ଦ କରିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରିପାରେ । ଦ୍ୱିତୀୟତଃ, ଚୁକ୍ତି ସମୟରେ ରାବି, ବ୍ୟାସ ଓ ସତଲେଜର ପାଣି ଭାରତକୁ ଛାଡିବା ବଦଳରେ ପାକିସ୍ତାନରେ ସିନ୍ଧୁ ନଦୀର ଅବବାହିକାରେ ବନ୍ଧ ଓ କେନାଲ ନିର୍ମାଣର ସମସ୍ତ ଖର୍ଚ୍ଚ ଭାରତ ବହନ କରୁ ବୋଲି ପାକିସ୍ତାନର ଦାବିକୁ ଭାରତ ଅଗ୍ରାହ୍ୟ କଲା ପରେ ସେଥିପାଇଁ ଅଷ୍ଟ୍ରେଲିଆ, କାନାଡା, ପଶ୍ଚିମ ଜର୍ମାନୀ, ନିଉଜିଲାଣ୍ଡ, ବ୍ରିଟେନ, ଆମେରିକା ଓ ଆଇଆରଡିବି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେଣୁ ପରୋକ୍ଷରେ ଏହି ସବୁ ଦେଶଙ୍କର ସ୍ୱାର୍ଥ ମଧ୍ୟ ସିନ୍ଧୁ ଚୁକ୍ତି ସହ ଜଡିତ । ଏ ପରିପ୍ରେକ୍ଷୀରେ ଭାରତ ପକ୍ଷେ ଏ ଭଳି ଏକ ନିଷ୍ପତ୍ତି ନେବା ସହଜ ହୋଇ ନପାରେ । ତେଣୁ ସିନ୍ଧୁ ଜଳ ଚୁକ୍ତିର ପରିଧି ମଧ୍ୟରେ ରହି ଭାରତର ପାକିସ୍ତାନକୁ ଉଦବୃତ୍ତ ପାଣି ନ ଦେବା ଘୋଷଣାର ପ୍ରଭାବ କଣ ହେବ ତାହା ଏକକ ଭାବେ ବିଚାର କରିବା ଅପେକ୍ଷା ଏହାକୁ ଏକ ବହୁ-କେନା ବିଶିଷ୍ଟ ଆକ୍ରମଣ (ମଲଟି ପ୍ରଙ୍ଗଡ ଆଟେକ) କୌଶଳର ଅଂଶ ବିଶେଷ ଭାବେ ବିବେଚନା କରିିବା ବରଂ ଉଚିତ ହେବ ।
ସେପ୍ଟେମ୍ବର ୨୦୧୬ରେ ସଂଘଟିତ ଉରି ଆକ୍ରମଣରେ ୨୦ ଜଣ ଯବାନ ଶହୀଦ ହେବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରକ୍ତ ଓ ପାଣି ଏକ ସଙ୍ଗେ ପ୍ରବାହିତ ହୋଇ ପାରିବନାହିଁ । ତାଙ୍କର ଏ ଭଳି ଚେତାବନୀର ତାତ୍ପର୍ଯ୍ୟ ଥିଲା, ପାକିସ୍ତାନ ଯଦି ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହିତ କରିବାରୁ ନିବୃତ୍ତ ନହୁଏ, ତେବେ ଭାରତ ବାଧ୍ୟ ହୋଇ ସିନ୍ଧୁ ଜଳ ଚୁକ୍ତିରୁ ଓହରି ଆସି ପାକିସ୍ତାନକୁ ପାଣି ଛାଡିବ ନାହିଁ । କଳିଙ୍ଗ ଯୁଦ୍ଧ ସମୟରେ ରକ୍ତରଞ୍ଜିତ ଦୟା ନଦୀର ପାଣିର ଲାଲ ରଙ୍ଗକୁ ଦେଖି ଅଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା ବୋଲି କୁହାଯାଏ । ତେଣୁ ହୃଦୟ ପରିବର୍ତ୍ତନ ପାଇଁ ପାଣି ଓ ରକ୍ତ ଏକ ସଙ୍ଗେ ପ୍ରବାହିତ ହେବା ବୋଧେ ଜରୁରୀ ! ଅବଶ୍ୟ ଇତି ମଧ୍ୟରେ କାଶ୍ମୀରରେ ଉଭୟ ସାଧାରଣ ଲୋକ ଓ ସୁରକ୍ଷା କର୍ମୀଙ୍କ ଅନେକ ରକ୍ତ କ୍ଷରଣ ହୋଇଥିଲେ ମଧ୍ୟ ନିର୍ବିଘ୍ନରେ ଭାରତରୁ ପାକିସ୍ତାନକୁ ଜଳପ୍ରବାହ ହୋଇଚାଲିିଛି । କଠୋର ହୃଦୟର ପାକିସ୍ତାନର ଶାସକମାନେ ରକ୍ତମିଶା ସେହି ପାଣିର ରଙ୍ଗକୁ ବୋଧେ ଦେଖି ପାରୁନାହାନ୍ତି କି ତାହା ସେମାନଙ୍କର ହୃଦୟ ପରିବର୍ତ୍ତନ ପାଇଁ ଯଥେଷ୍ଟ ହେଉନାହିଁ ।
ନଦୀର ବି ମଣିଷ ପରି ଜୀବନ ଥାଏ । ସ୍ୱ ଇଚ୍ଛାରେ ସେ ଗତିପଥ ବଦଳାଇଥାଏ । ହେଲେ ଏଣିକି ମଣିଷ ତାର ଗତିପଥ ନିୟନ୍ତ୍ରଣ କରୁଛି । ଦେଶ ଦେଶ ମଧ୍ୟରେ ଲଢେଇରେ ବି ନଦୀ ବ୍ୟବହୃତ ହୋଇ ତାକୁ ବହୁ ମୂଲ୍ୟ ଦେବାକୁ ପଡୁଛି । ଦେଶ ଓ ସଂସ୍କୃତିକୁ ଯୋଡିଥାଏ ନଦୀ । ନଦୀ ଖାଲି ମଣିଷର ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ସମସ୍ତଙ୍କର । ଯେଉଁ ଜୀବ ଜଗତକୁ ସେ ଜୀବନ ପ୍ରଦାନ କରିଥାଏ ତାକୁ ସେମାନଙ୍କ ମୃତ୍ୟୁର କାରଣ କରା ନ ଯାଉ । ଦେଶ ଦେଶର ଲଢେଇରେ ନଦୀକୁ ମୋହରା କରା ନ ଯାଉ ଓ ଦେଶମାନେ ନଦୀକୁ ଏକ ଯୁଦ୍ଧାସ୍ତ୍ର ଭାବେ ପ୍ରୟୋଗ କରିବାରୁ ନିବୃତ୍ତ ରହନ୍ତୁ । କେଉଁ ଆବହମାନ କାଳରୁ ମଣିଷ ସଭ୍ୟତା, ସଂଘର୍ଷ ଓ ସହାବସ୍ଥାନର ମୂକସାକ୍ଷୀ ହୋଇ ବହିଚାଲିଛି ନଦୀ । ଏକ ସଂକ୍ଷିପ୍ତ କାଳଖଣ୍ଡର କିଛି ସଙ୍କୁଚିତ ଯୁଦ୍ଧ-ମନସ୍କ ମଣିଷଙ୍କ ଅନାବଶ୍ୟକୀୟ ଆଚରଣ ପାଇଁ ନିରନ୍ତର ବହି ଆସିଥିବା ନଦୀର ଧାରାକୁ ଚିର ଦିନ ଲାଗି ନିଃଶେଷ ହେବାକୁ ଦିଆଯାଇ ପାରିବ କି ? ଏ ପ୍ରସଙ୍ଗରେ ଭୁପେନ ହଜାରିକାଙ୍କ ସେହି କାଳଜୟୀ ଗୀତ ‘ଓ ଗଙ୍ଗା ବେହତି ହୋ କ୍ୟୁଁ...’ ସଂସ୍ମରଣରେ ଏତିକି ଅନ୍ତତଃ କୁହାଯାଇପାରେ, ଯୁଦ୍ଧ, ହିଂସା, ଅନ୍ୟାୟ, ଅତ୍ୟାଚାରକୁ ପ୍ରତ୍ୟକ୍ଷ କରି ମଧ୍ୟ ଅବିଚଳିତ ଭାବେ, ନଦୀରେ, ତୁ ନିଜ ଛନ୍ଦରେ ବହି ଚାଲ, ଜୀବନର ଗାଥା ଗାଇ ଚାଲ ।
Published in Odia daily Nitidin on July 11, 2019
Very good analysis on the established facts . Nice coverage.
ReplyDeleteThanks
Deleteଭଲଲାଗିଲା। ଶେଷ ଆଡକୁ ଆପଣ ଭାବପ୍ରବଣତାର ଝଲକ ଦେଖାଇଛନ୍ତି, ଯାହା ଶବ୍ଦସାହିତ୍ୟ ସମୃଦ୍ଧ ଲାଗିଲା।
ReplyDeleteମୋ ବିଚାରରେ, ନଦୀମାନେ କୁଳୁକୁଳୁ ନାଦରେ ତଳମୁଣ୍ଡକୁ ଆଉ ବୋହିବା ଅନାବଶ୍ୟକ। ଜଳକଷ୍ଟ ବଢିବାରେ ଲାଗିଛି, ଆମେ କେହିବି କ'ଣ ଚାହିଁବା ଯେ ସବୁତକ ଜଳ ସମୁଦ୍ରକୁ ବୋହିଯାଉ ! ବାଟସାରା ଆନିକଟ, ବ୍ୟାରେଜ ନିହାତି ଆବଶ୍ୟକ ପଡିବ।
ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ଯଦି ହୁଏ, ତାହା ଜଳସମ୍ପଦ ଆଧାରିତ ହେବ ନାହିଁ କି?
ଧନ୍ୟବାଦ l ନଦୀମାନେ ତଳମୁଣ୍ଡକୁ ପ୍ରବାହିତ ହେବା କେତେ ଆବଶ୍ୟକ ତାହା ଅନ୍ୟ ଏକ ଲେଖାରେ ଲେଖିବି l ତେବେ ନଦୀର ନ୍ୟୁନତମ କେତେ ଜଳ ସମୁଦ୍ରକୁ ପ୍ରବାହିତ ହେବା କେତେ ଜରୁରୀ ସେ ନେଇ ଆଇନ ମଧ୍ୟ ପ୍ରଣୟନ ହେଲାଣି l ନିକଟରେ ନିୟୁଜିଲାଣ୍ଡର ଏକ ନଦୀକୁ ନାଗରିକ ଅଧିକାର ଦିଆ ସରିଲାଣି l ମୋଟ ଉପରେ କଥା ହେଲା ମଣିଷ ଭାବୁଥିଲା ପରି ନଦୀ କେବଳ ମଣିଷର ସମ୍ପତ୍ତି ନୁହେଁ l
Deleteନଦୀ ତ ନେଇଛି ତାର ଆପଣା ଗତି। ଦିନ ଯାଇଛି ବିତି ରାତି ଯାଇଚି ବିତି। ହେଲେ ଏବେକାର ପରିସ୍ଥିତି ବଢିଆ ଲେଖି ଜଣାଇଥିବାରୁ ଧନ୍ୟବାଦ।
ReplyDeleteଆପଣଙ୍କ ମତାମତ ପାଇଁ ଧନ୍ୟବାଦ
Delete