Skip to main content

ଶଗଡ ଗୁଳାରେ ରାଜ୍ୟ କୃଷି ବଜେଟ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ରାଜ୍ୟ କୃଷି ବଜେଟର କଳେବର ଗତ ବର୍ଷ ତୁଳନାରେ ୩୯୪୯ କୋଟି ଟଙ୍କା, ଅର୍ଥାତ ପ୍ରାୟ ୨୪ ପ୍ରତିଶତ ବଢି ୨୦୭୧୪ କୋଟି ଟଙ୍କାରେ ପହଞ୍ଚିଛି । ତେବେ ସମଗ୍ର ରାଜ୍ୟ ବଜେଟ ୧,୩୯,୦୦୦ କୋଟି ଟଙ୍କାର ଏହା ୧୪.୯୦ ପ୍ରତିଶତ ଯାହା ଗତ ବର୍ଷର ୧୪ ପ୍ରତିଶତ ତୁଳନାରେ ସାମାନ୍ୟ ଅଧିକ । ପ୍ରକୃତ ପକ୍ଷେ ବଜେଟରେ ନୂଆ କରି ଯୋଗ ହୋଇଥିବା ‘କାଳିଆ’ ଯୋଜନା ପାଇଁ ଆବଣ୍ଟିତ ୫୬୧୧ କୋଟି ଟଙ୍କାକୁ ବାଦ ଦେଲେ କୃଷି ବଜେଟର କଳେବର ୧୫୧୦୩ କୋଟି ଟଙ୍କା ହେବ, ଯାହା ଗତ ବର୍ଷର କୃଷି ବଜେଟର କଳେବରଠାରୁ କମ ।

ଞ୍ଚସ୍ତରୀ ଲକ୍ଷ କୃଷି ପରିବାରକୁ ‘କାଳିଆ’ ଯୋଜନା ଲାଭ ପହଞ୍ଚାଇବ ବୋଲି ବଜେଟରେ ଉଲ୍ଲେଖ ହୋଇ ସେଥିପାଇଁ କୃଷି ବଜେଟର ପ୍ରାୟ ୨୭ ପ୍ରତିଶତ ରାଶି ଆବଣ୍ଟିତ ହୋଇଥିବାରୁ, ଏଥର କୃଷି ବଜେଟକୁ ‘କାଳିଆ ସର୍ବସ୍ୱ’ ବଜେଟ ଆଖ୍ୟା ଦିଆଯାଇପାରେ । କାରଣ ବଜେଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଓ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗ ଭଳି ତିନୋଟି ବିଭାଗ ପାଇଁ ଆବଣ୍ଟିତ ହୋଇଥିବା ସମୁଦାୟ ୫୩୮୯ କୋଟି ଟଙ୍କା ଅପେକ୍ଷା କାଳିଆ ଯୋଜନାରେ ଅଧିକ ରାଶି ଆବଣ୍ଟିତ ହୋଇଛି । ଏହି ଯୋଜନାଟି ସରକାରଙ୍କର ‘ଫ୍ଲାଗସିପ’ କାର୍ଯ୍ୟକ୍ରମ ହୋଇଥିବାରୁ ଏହାରି ମାଧ୍ୟମରେ କୃଷିର ଉନ୍ନତି ସହ କୃଷକଙ୍କ ସମୃଦ୍ଧି ସମ୍ଭବ ବୋଲି ସରକାରଙ୍କ ଅଜସ୍ର ବିଶ୍ୱାସ । ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସହାୟତା ରାଶି ପହଞ୍ଚୁଥିବାରୁ ସେମାନେ ନିଜ ପ୍ରାଥମିକତା ଆଧାରରେ ସେହି ଟଙ୍କାକୁ କୃଷି କାର୍ଯ୍ୟରେ ଲଗାଇବେ ବୋଲି ଆଶା । ଏତଦବ୍ୟତୀତ ଏତେ ବଡ ଯୋଜନାଟି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକାରୀ ହୋଇଥିଲେ ଅଯଥାରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ଅନେକ ଟଙ୍କା ବହନ କରିବାକୁ ପଡିଥାଆନ୍ତା । ଚାଷୀମାନଙ୍କୁ ଭରସା କରି ତାଙ୍କ ହାତକୁ ଟଙ୍କା ବଢାଇ ଖର୍ଚ୍ଚ କରିବାର ସ୍ୱାଧୀନତା ଦିଆଯାଇଥିବାରୁ ସେମାନେ ତାହାର ସଦୁପଯୋଗ କରିବେ ଓ ଉଭୟ କୃଷି ଓ କୃଷକଙ୍କର ଉନ୍ନତି ହେବ ବୋଲି ସରକାରଙ୍କ ବିଶ୍ୱାସ । ତେବେ ସଠିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଖାତାକୁ ସହାୟତା ରାଶି ଯୋଗାଇ ଦେବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହେବ ।

ଏହି ବଜେଟର ସକାରାତ୍ମକ ଦିଗଗୁଡିକୁ ପ୍ରଥମେ ତର୍ଜମା କରାଯାଉ । ଏଥର ‘ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା’ର ‘ଠୋପା ପ୍ରତି ଅଧିକ ଫସଲ’ କାର୍ଯ୍ୟକ୍ରମକୁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇ ସେଥିପାଇଁ ୬୮ କୋଟି ଟଙ୍କା ବ୍ୟୟ ବରାଦ ହେବା ବାସ୍ତବିକ ପ୍ରଶଂସନୀୟ, କାରଣ ଗତ ବଜେଟରେ ଏଥିପାଇଁ ମାତ୍ର ୪.୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ରାଜ୍ୟରେ ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ମାଧ୍ୟମରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ୩୧ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା ଏ ବର୍ଷ ମଧ୍ୟ ଅପରିବର୍ତ୍ତିତ ରହିଛି । ଅନ୍ୟ ପକ୍ଷରେ ମାଣ୍ଡିଆ ଜାତୀୟ ଚାଷର ଆଦୃତି ବଢାଇବା ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଓଡିଶା ମିଲେଟ ମିଶନ’ ପାଇଁ ଆବଣ୍ଟନ ରାଶି ଗତ ବର୍ଷର ୩୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କାକୁ ବଢାଇବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ‘ବର୍ଷା ନିର୍ଭର ଚାଷ’ ପାଇଁ ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମ କିଛି ପରିମାଣରେ ସହାୟକ ହେବ । ତେବେ ରାଜ୍ୟର ୭୦ ପ୍ରତିଶତ ଅଞ୍ଚଳରେ ଚାଷ ବର୍ଷା ଉପରେ ନିର୍ଭର କରୁଥିବାରୁ ସେ ସବୁ ଅଞ୍ଚଳରେ କିପରି ଲୋକେ ଧାନ ଚାଷ ନ କରି ବର୍ଷା ନିର୍ଭର ଚାଷ ପ୍ରତି ଅଧିକ ଆଗ୍ରହ ଦେଖାଇବେ ସେଥିପାଇଁ ବଜେଟରେ ସେହି ଧରଣର ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ।

ଏ ଯାଏଁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଉପରେ ଶତକଡା ୧ ପ୍ରତିଶତ ହାରରେ ସୁଧ ଲାଗୁଥିଲା । ଏଣିକି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ହେବନାହିଁ, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କାରଣ, ରାଜ୍ୟରେ ଧାନ ଚାଷ ପାଇଁ ହେକ୍ଟର ପିଛା ବ୍ୟାଙ୍କ ଋଣର ପରିମାଣ ହାରାହାରି ପଚାଶ ହଜାର ଟଙ୍କାରୁ ଅଧିକ ହୋଇଥିବାରୁ କିଛି ସଂଖ୍ୟକ ନାମମାତ୍ର ଚାଷୀ ମଧ୍ୟ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ । ଏଣିକି ନାମ ମାତ୍ର ଚାଷୀଙ୍କ ସମେତ ପ୍ରାୟ ସବୁ କ୍ଷୁଦ୍ର ଚାଷୀ ମଧ୍ୟ ଏହି ସୁବିଧା ପାଇପାରିବେ । ତେବେ ଚାଷ ନକରି କିଛି ଜମି ମାଲିକ ଚାଷ ଋଣ ନେଇ ବ୍ୟାଙ୍କରେ ସ୍ଥାୟୀ ଜମା କରୁଥିବାର ଦୃଷ୍ଟାନ୍ତମାନ ଥିବାରୁ ଏଥି ପ୍ରତି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ସରକାରଙ୍କୁ ସୁଧ ରିହାତି ବାବଦକୁ ୮୦୦ କୋଟି ଟଙ୍କା ବହନ କରିବାକୁ ହେବ ଓ ତନ୍ମଧ୍ୟରୁ ୧୧୦ କୋଟି ଟଙ୍କା ‘କାଳିଆ’ ଯୋଜନା ବାବଦକୁ ବୋଲି ଉଲ୍ଲେଖ ରହିଛି । କାଳିଆ ଯୋଜନାର ପଞ୍ଚମ ପ୍ରାବଧାନ ଅନୁଯାୟୀ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ସୁଧମୁକ୍ତ ହେବ ବୋଲି ଘୋଷଣା ହୋଇଥିଲା, ଯାହା ବର୍ଦ୍ଧିତ ଋଣ ରାଶି ସୁଧମୁକ୍ତ ହେବା କାରଣରୁ ଏବେ ନିରର୍ଥକ ହୋଇଯାଇଛି । ତେଣୁ ବଜେଟରେ କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ଭାବେ ୧୧୦ କୋଟି ଟଙ୍କାର ସୁଧ ରିହାତି ଆବଣ୍ଟନର ଔଚିତ୍ୟ ନାହିଁ ।

ମୁଖ୍ୟମନ୍ତ୍ରୀ ଆଡି ବନ୍ଧ ଯୋଜନା, ପାର୍ବତୀ ଗିରି ମେଗା ଲିଫ୍ଟ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ଆବଣ୍ଟନ ରାଶି ମୋଟାମୋଟି ଭାବେ ଅପରିବର୍ତ୍ତିତ ରହିଥିବା ବେଳେ ଗଙ୍ଗାଧର ମେହେର କେନାଲ ବ୍ୟବସ୍ଥା ପାଇଁ ବ୍ୟୟବରାଦ ସାମାନ୍ୟ କମ ହୋଇଛିି । ଏଥିରୁ ଜଳସେଚନର ବିକାଶ ପ୍ରତି ସରକାରଙ୍କ ପ୍ରାଥମିକତା ଥିଲା ପରି ଜଣା ପଡୁଛି । ତେଣୁ ଏ ବର୍ଷ ଅଧିକ ୨.୬୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ କରିବାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସବୁ ଯୋଜନାକୁ ଆନ୍ତରିକତାର ସହିତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

ନିମ୍ନୋକ୍ତ କେତୋଟି ଦିଗ ପ୍ରତି ବଜେଟରେ ଧ୍ୟାନ ଦେବାର ଆବଶ୍ୟକତା ଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୮୭୦୨ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା କୃଷି ବଜେଟର ପ୍ରାୟ ୪୨ ପ୍ରତିଶତ । ତେବେ ଏହାର ସିଂହଭାଗ କାଳିଆ ଯୋଜନା ପାଇଁ ଆବଣ୍ଟିତ ହୋଇଥିବାରୁ ଅବଶିଷ୍ଟ ୩୨୦୧ କୋଟି ଟଙ୍କା ଗତ ବର୍ଷର ବିଭାଗୀୟ ଆବଂଟନ ତୁଳନାରେ ପ୍ରାୟ ୧୩୧୦ କୋଟି ଟଙ୍କା କମ । ତେଣୁ ଅଳ୍ପ କେତୋଟି କାର୍ଯ୍ୟକ୍ରମକୁ ବାଦ ଦେଲେ ବିଭାଗର ପ୍ରାୟ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଆବଣ୍ଟନ ରାଶିକୁ କମାଇ ଦିଆଯାଇଛି । ଉଦାହରଣ ସ୍ୱରୂପ, ଗତ ବର୍ଷ କୃଷି ଯାନ୍ତ୍ରିକୀକରଣ ପାଇଁ ୨୯୪ କୋଟି ଟଙ୍କାର ବ୍ୟୟ ବରାଦ ଥିବା ବେଳେ ଏ ବର୍ଷ ତାହା ପ୍ରାୟ ୧୧୨ କୋଟି ଟଙ୍କା, ଅର୍ଥାତ ୩୮ ପ୍ରତିଶତ କମିଛି । ଏଥିପାଇଁ ଆବଣ୍ଟନ କମ ହେବା ଦ୍ୱାରା ଚାଷୀଙ୍କୁ ଟ୍ରାକଟର, ପାଓ୍ଵାର ଟିଲର ଆଦି କିଣିବାରେ ସବସିଡି ରାଶିର ଉପଲବ୍ଧତା କମ ହୋଇ କୃଷିର ଯାନ୍ତ୍ରିକୀକରଣ ପ୍ରକ୍ରିୟା ପ୍ରଭାବିତ ହେବ । ସେହିପରି ରାଜ୍ୟ କୃଷି ନୀତି ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ପୁଞ୍ଜି ନିବେଶ ବାବଦକୁ ଦିଆଯାଉଥିବା ସବସିଡି ପାଇଁ ଆବଣ୍ଟନ ରାଶି ଗତ ବର୍ଷର ୯୨ କୋଟି ଟଙ୍କାରୁ କମାଇ ଏ ବର୍ଷ ୫୦ କୋଟି ଟଙ୍କା କରାଯାଇଛି । ଏହା ଦ୍ୱାରା ସବସିଡି ଅଭାବରେ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ଅଧିକ ପୁଞ୍ଜି ଆବଶ୍ୟକ କରୁଥିବା ଅନେକ କୃଷି ଓ କୃଷିଭିତ୍ତିକ ପ୍ରକଳ୍ପ ପ୍ରତିଷ୍ଠା ହେବା ପ୍ରକ୍ରିୟା ଧୀମେଇ ଯାଇପାରେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମଗୁଡିକ ପାଇଁ ବ୍ୟୟ ବରାଦ ଗତ ବର୍ଷର ୭୫୦ କୋଟିରୁ କମ କରି ୪୦୦ କୋଟି ଟଙ୍କା କରାଯାଇଛି । ଏହି ଯୋଜନାଟିରେ କେନ୍ଦ୍ରୀୟ ଅନୁଦାନ ମିଳୁଥିବାରୁ ଓ ଆରକେଭିଓ୍ଵାଇ-ରଫତାର କାର୍ଯ୍ୟକ୍ରମର ଏହା ଶେଷ ବର୍ଷ ହୋଇଥିବାରୁ ଏଥିପାଇଁ ବ୍ୟୟ ବରାଦ କମ ହେଲେ ରାଜ୍ୟ ଆନୁପାତିକ ଭାବେ କେନ୍ଦ୍ର ନିକଟରୁ କମ ଅନୁଦାନ ପାଇ ପାଣ୍ଠି ହରାଇବ ।

କୃଷକ ଉତ୍ପାଦକ ସଂଘ (ଏଫପିଓ)ଗୁଡିକର ଗଠନ ଓ ପ୍ରସାର ପ୍ରତି ସରକାର ଆଗ୍ରହ ଦେଖାଇ ୨୦୧୮ ମସିହାରେ ‘ଓଡିଶା କୃଷକ ଉତ୍ପାଦକ ସଂଘ ନୀତି’ ପ୍ରଣୟନ କରିଛନ୍ତି । ରାଜ୍ୟ ସରକାର ଏକ ‘ଏଫପିଓ ପାଣ୍ଠି’ ଗଠନ କରି ପ୍ରତି ବର୍ଷ ସେହି ପାଣ୍ଠିକୁ ୧୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବା କଥା ଏହି ନୀତିରେ ଉଲ୍ଲେଖ ରହିଛି । ଠିକ ସେହିପରି ଗତ ଫେବୃଆରୀ ୨୦୧୯ରେ ରାଜ୍ୟ ସରକାର ନାବାର୍ଡର ସହଯୋଗୀ କମ୍ପାନୀ ନାବକିସାନ ଫାଇନାନ୍ସ ଲିମିଟେଡ ସହ କରିଥିବା ଏମଓୟୁ ଅନୁଯାୟୀ ରାଜ୍ୟର ଏଫପିଓଗୁଡିକ ନାବକିସାନ ଓ ସରକାରୀ ନିୟନ୍ତ୍ରଣାଧୀନ ବ୍ୟାଙ୍କଗୁଡିକ ନିକଟରୁ କିପରି ସହଜରେ ବନ୍ଧକବିହୀନ ଋଣ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କାର ଏକ ‘କ୍ରେଡିଟ ଗାରେଣ୍ଟି ପାଣ୍ଠି’ ଗଠନ କରିବେ ବୋଲି ସ୍ଥିର ହୋଇଛି, ଯାହା ନାବକିସାନ ଦ୍ୱାରା ପରିଚାଳିତ ହେବ । ସରକାରଙ୍କ ଉପରୋକ୍ତ ଦୁଇଟି ପ୍ରତିବଦ୍ଧତା ପରେ ଏଥିପାଇଁ ଉଚିତ ପରିମାଣର ବଜେଟୀୟ ଆବଣ୍ଟନ ହେବ ବୋଲି ଆଶା କରିବା ସ୍ୱାଭାବିକ । ମାତ୍ର ପରିତାପର ବିଷୟ ଏଫପିଓ ବାବଦରେ ଆବଣ୍ଟିତ ରାଶିର ପରିମାଣ ଗତ ବର୍ଷ ଯେଉଁ ୫ କୋଟି ଟଙ୍କା ଥିଲା, ଏଥର ମଧ୍ୟ ସେତିକିରେ ସୀମିତ । ତେଣୁ ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ବଜେଟରେ ପ୍ରତିଫଳିତ ହୋଇ ପାରିନାହିଁ ।

ସମବାୟ ବିଭାଗ ପାଇଁ ବଜେଟରେ ୧୪୦୪ କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୪୦ କୋଟି ଟଙ୍କା ଅଧିକ । ଏହା କୃଷି ବଜେଟର ପ୍ରାୟ ୭ ପ୍ରତିଶତ । ତେବେ ଏଥିରୁ ସୁଧ ରିହାତି ବାବଦକୁ ୮୦୦ କୋଟି ଟଙ୍କା, ଫସଲ ବୀମା ବାବଦକୁ ୪୦୦ କୋଟି ଟଙ୍କା ଓ ମାର୍କେଟିଂ ଫେଡେରେସନର କର୍ପସ ଫଣ୍ଡ ବାବଦକୁ ୧୦୦ କୋଟି ଟଙ୍କା ଗଲା ପରେ ଆଉ ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଅର୍ଥ ରହୁନାହିଁ । ଚାଷୀଙ୍କୁ ଭଣ୍ଡାର, ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ  ସମବାୟ ବିଭାଗ ମାଧ୍ୟମରେ ବଡ ଧରଣର ଭିତ୍ତିଭୂମି ବିକାଶର ଆବଶ୍ୟକତା ଅନୁଭୂତ ହେଉଛି ।

ଏ ବର୍ଷ ଜଳ ସମ୍ପଦ ବିଭାଗ ପାଇଁ ୯୭୧୩ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୪୭ ପ୍ରତିଶତ । ଉଲ୍ଲେଖଯୋଗ୍ୟ, ଅନେକ ବର୍ଷ ପରେ ଜଳ ସମ୍ପଦ ବିଭାଗର ଆବଣ୍ଟନକୁ କମାଇ ଦିଆଯାଇଛି । ତେଣୁ ବିଭାଗ ଦ୍ୱାରା ସଞ୍ଚାଳିତ ଅଧିକାଂଶ କାର୍ଯ୍ୟକ୍ରମ ପାଇଁ ବ୍ୟୟ ବରାଦ କମ ହୋଇଛି । ଉଦାହରଣ ସ୍ୱରୂପ, ଏଆଇବିପି କାର୍ଯ୍ୟକ୍ରମ ପାଇଁ ଗତ ବର୍ଷ ୨୧୯୫ କୋଟି ଟଙ୍କା ବରାଦ ହୋଇଥିବା ବେଳେ ଏଥର ତାହା ୧୭୩୭ କୋଟି ଟଙ୍କା ହୋଇଛି ।

କୃଷି କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ପଶୁ ସମ୍ପଦ ଓ ମତ୍ସ୍ୟ ଚାଷ ଉପରେ ଗୁରତ୍ୱ ଦେବାକୁ ହେବ ବୋଲି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଦର୍ଶାଯାଇଛି । ତା ଛଡା ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ରରେ ବିକାଶ ଦର ଫସଲ ଚାଷ କ୍ଷେତ୍ରର ବିକାଶ ଦର ଅପେକ୍ଷା ଯଥେଷ୍ଟ ଅଧିକ ହୋଇଥିବାରୁ ଏହି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଗଲେ ତାହା ଚାଷୀର ଆୟ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ମାତ୍ର ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗକୁ ଗତ ବର୍ଷ ବଜେଟରେ ୮୯୭ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଏ ବର୍ଷ ତାହା ୩ କୋଟି ଟଙ୍କା କମ ହୋଇ ୮୯୪ କୋଟି ଟଙ୍କା ହୋଇଛି । ଅର୍ଥନୈତିକ ସର୍ଭେର ପରାମର୍ଶ ବଜେଟ ଆବଣ୍ଟନରେ ପ୍ରତିଫଳିତ ହୋଇଥିଲା ପରି ଜଣା ପଡୁନାହିଁ ।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରିବାର ଲକ୍ଷ୍ୟ ଥିଲେ ମଧ୍ୟ ସେହି ଲକ୍ଷ୍ୟ ହାସଲ ପାଇଁ ବଜେଟରେ କୌଣସି ବିଶେଷ ଧ୍ୟାନ ଦିଆ ଯାଇଥିବା ପରି ଜଣା ପଡୁନାହିଁ । ଶଗଡ ଗୁଳାରେ ଚାଲି ପୂର୍ବବର୍ତ୍ତୀ ବର୍ଷମାନଙ୍କରେ ପ୍ରସ୍ତୁତ ବଜେଟକୁ ଅନୁସରଣ (ସ୍ଥଳ ବିଶେଷରେ କପି-ପେଷ୍ଟ) କରି ପ୍ରସ୍ତୁତ ହୋଇଛି ଏହି କୃଷି ବଜେଟଟି, ଯେଉଁଥିରେ ନୂତନତ୍ୱର ଅଭାବ ରହିଛି । ଅନେକ ସ୍ଥାନରେ ପାଠ ସେଇୟା ରହିଛି, ଖାଲି ସଂଖ୍ୟା ବଦଳିଛି ଯାହା । କାଳିଆ ଯୋଜନା ବ୍ୟତିରେକେ କୌଣସି ନୂତନ ଯୋଜନା ବା କାର୍ଯ୍ୟକ୍ରମର ଘୋଷଣା ହୋଇନାହିଁ । ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତିର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ବଜେଟରେ କୃଷିକୁ ବିଶେଷ ଗୁରୁତ୍ୱ ଦେଇ ଏହାର ଉନ୍ନତି ସାଧନ କରିବା । ଏଥିପାଇଁ କୃଷିର ଯାନ୍ତ୍ରିକୀକରଣକୁ ତ୍ୱରାନ୍ୱିତ କରିବାଠାରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିଦ୍ୟୁତର ବ୍ୟବହାର ବଢାଇବା ପାଇଁ ସ୍ୱତନ୍ତ୍ର କୃଷି ଫିଡର ଲାଇନ ପ୍ରତିଷ୍ଠା ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆଗାମୀ ବର୍ଷମାନଙ୍କରେ କୃଷି ବଜେଟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ଆକାଂକ୍ଷିତ ଲକ୍ଷ୍ୟର ପରିପୂରଣ ତଥା ସରକାରଙ୍କ ନୀତି ଓ ପ୍ରତିବଦ୍ଧତା ଅନୁପାଳନର ସମୁଚିତ ପ୍ରତିଫଳନ ହେବା ଆଶା କରାଯାଏ ।

Published in Odia daily Sambad on July 09, 2019

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍