Skip to main content

ଇଭିଏମରୁ ଭୂତ ଭୋଟ

ଓେପତ୍ରିକା ‘କୁଇଂଟ’ରେ ଚଳିତ ନିର୍ବାଚନରେ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଇଭିଏମରୁ ଗଣା ହୋଇଥିବା ଭୋଟ ସଂଖ୍ୟା ଅଧିକ ସୂଚାଇ ଏକ ଅନୁସନ୍ଧାନମୂଳକ ଲେଖା ପ୍ରକାଶ ପାଇବା ପରେ ଦେଶବ୍ୟାପୀ ‘ଭୂତ ଭୋଟ’ (ଫାଂଟମ ଭୋଟ) ପ୍ରସଙ୍ଗରେ ଚର୍ଚ୍ଚା ହେବା ସହ ଇଭିଏମରେ ଭୋଟଦାନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପୁଣି ଥରେ ପ୍ରଶ୍ନ ଉଠିଲା । ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ପ୍ରଥମ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୩୭୩ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଗ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭୋଟଦାନ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ସମାନ ନୁହେଁ । ଦେଶବ୍ୟାପୀ ଇଭିଏମ ମାଧ୍ୟମରେ ଯେତିକି ଲୋକ ଭୋଟ ଦେଇଛନ୍ତି ତାଠାରୁ ପ୍ରାୟ ୫୪.୬୫ ଲକ୍ଷ ଅଧିକ ଭୋଟ ଗଣା ହୋଇଛି ବୋଲି ନିର୍ବାଚନ ଅୟୋଗଙ୍କ ତଥ୍ୟରୁ ସୂଚନା ମିଳିଲା । ଇତିମଧ୍ୟରେ ଏ ସମ୍ପର୍କରେ ଆୟୋଗ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ତାଙ୍କ େଓ୍ଵେବସାଇଟରେ ମତଦାନ ସମ୍ପର୍କୀୟ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ନଥିଲା । ତେଣୁ ଜୀବିତ ଲୋକମାନେ ହିଁ ଭୋଟ ଦେଇଛନ୍ତି କୌଣସି ଭୂତ ନୁହେଁ । ଆୟୋଗଙ୍କ ଏହି ସ୍ପଷ୍ଟୀକରଣ ସନ୍ତୋଷଜନକ ହୋଇ ନ ପାରିବାର କାରଣ ହେଉଛି ପ୍ରଥମ ଚାରି ପର୍ଯ୍ୟାୟର ମତଦାନ ପରେ ବିଭାଗୀୟ େଓ୍ଵେବସାଇଟରେ ମତଦାନ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ବୋଲି ଉଲ୍ଲେଖ ଥିଲା, ‘ଅସ୍ଥାୟୀ’ (ପ୍ରୋଭିଜନାଲ) ନୁହେଁ । ତଥ୍ୟ ଅସ୍ଥାୟୀ ହୋଇଥିଲେ ଚୂଡାନ୍ତ ଭୋଟ ବଢିବ ସିନା ସ୍ଥଳ ବିଶେଷରେ ତାହା କମ ହେଲା କିପରି ? ତା ଛଡା ବିବାଦ ଉପୁଜିବା ପରେ ଆୟୋଗଙ୍କ ତରଫରୁ ଓ୍ଵେବସାଇଟରେ ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଦିଆଯାଇଥିବା ତଥ୍ୟକୁ କାଢି ନିଆଗଲା ।
ଇତିମଧ୍ୟରେ ଓଡିଶାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଛି । କଣ୍ଟାବାଞ୍ଜିରୁ କଂଗ୍ରେସ ପ୍ରାର୍ଥୀ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କଠାରୁ ମାତ୍ର ୧୨୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ତେବେ ମାମଲାରେ ଦର୍ଶାଯାଇଛି ଯେ ଅପ୍ରେଲ ୧୯ ତାରିଖ ଦିନ ସେଠାରେ ୧,୮୨,୪୧୧ ଜଣ ମତଦାନ କରିଥିବା କଥା ସେଠାକାର ରିଟର୍ନିଂ ଅଫିସର ହ୍ୱାଟସଆପ ଯୋଗେ ପ୍ରାର୍ଥୀମାନଙ୍କୁ ଜଣାଇଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ମେ ୨୩ରେ ଭୋଟ ଗଣତି ଦିନ ଇଭିଏମରୁ ୧,୯୧,୦୭୭ ଭୋଟ ଗଣା ହୋଇଥିଲା । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଅଧିକ ୮୬୬୬ ଖଣ୍ଡ ଭୂତ ଭୋଟ ଆସିଲା କେଉଁଠୁ । ଏହା ହୋଇ ନଥିଲେ ହୁଏତ ଭୋଟର ଫଳାଫଳ ଭିନ୍ନ ହୋଇଥାନ୍ତା । ଏହା କେବଳ ଯେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଯାଏଁ ସୀମିତ ତା ନୁହେଁ, ବରଂ ଓଡିଶାର ଅଧିକାଂଶ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ଏହା ଊଣା ଅଧିକେ ହୋଇଛି । 
ନିର୍ବାଚନ ଆୟୋଗଙ୍କ ତଥ୍ୟାନୁଯାୟୀ ଓଡିଶାରେ ସଂସଦୀୟ କ୍ଷେତ୍ର ପାଇଁ ୨,୩୭,୧୦,୭୭୪ ଜଣ ଇଭିଏମରେ ଭୋଟ ଦେଇଥିବା ବେଳେ ଇଭିଏମରୁ ଗଣା ହୋଇଥିବା ଭୋଟ ସଂଖ୍ୟା ଥିଲା ୨,୩୭,୧୬,୭୦୪, ଅର୍ଥାତ ୫୯୩୦ଟି ଅଧିକ ଭୋଟ ଗଣା ହେଲା । ଅବଶ୍ୟ ସର୍ବ ଭାରତୀୟ ସ୍ତରରେ ଇଭିଏମରୁ ବାହାରିଥିବା ଭୂତ ଭୋଟ ତୁଳନାରେ ଓଡିଶାରେ ଏହାର ସଂଖ୍ୟା ଅପେକ୍ଷାକୃତ କମ । କାରଣ ଏଠାରେ ୧୨ଟି ସଂସଦୀୟ କ୍ଷେତ୍ରରେ ଭୋଟ ଦେଇଥିବା ଲୋକଙ୍କ ତୁଳନାରେ ଇଭିଏମରୁ ୩୨,୯୧୭ ଖଣ୍ଡ ଅଧିକ ଭୋଟ ଗଣା ହୋଇଥିବା ବେଳେ ୯ଟି ସଂସଦୀୟ କ୍ଷେତ୍ରରେ ୨୬,୯୮୭ ଖଣ୍ଡ କମ ଭୋଟ ଗଣା ହୋଇଛି । ଉଦାହରଣ ସ୍ୱରୂପ, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ୧୨,୯୬,୪୮୭ ଜଣ ଭୋଟ ଦେଇଥିବା କଥା ଉଲ୍ଲେଖ ଥିବା ବେଳେ ସେଠାରେ ଇଭିଏମରୁ ଗଣା ହୋଇଥିବା ଭୋଟ ସଂଖ୍ୟା ୧୩,୦୪,୦୫୦, ଅର୍ଥାତ ୭,୫୬୩ଟି ଅଧିକ ଭୋଟ ଗଣା ହୋଇଛି । ଏତଦବ୍ୟତୀତ କନ୍ଧମାଳ, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର ଆଦି ସଂସଦୀୟ କ୍ଷେତ୍ରମାନଙ୍କରେ ଭୋଟ ଦାନ ତୁଳନାରେ ଇଭିଏମରୁ ଅଧିକ ଭୋଟ ଗଣତି ହୋଇଛି । ତେବେ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୧୧,୮୪,୬୯୭ ଜଣ ମତଦାତା ଭୋଟ ଦେଇଥିବା କଥା ଦର୍ଶା ଯାଇଥିଲେ ମଧ୍ୟ ସେଠାରେ ଇଭିଏମରୁ ୧୧,୭୩,୫୨୬ ଭୋଟ ଗଣତି ହୋଇଛି, ଅର୍ଥାତ ୧୧,୧୭୧ ଖଣ୍ଡ ଭୋଟ କମ ଗଣା ଯାଇଛି । କମ ଭୋଟ ଗଣା ଯାଇଥିବା ଅନ୍ୟ ସଂସଦୀୟ କ୍ଷେତ୍ରଗୁଡିକ ହେଲା କଳାହାଣ୍ଡି, ଆସ୍କା, ଭୁବନେଶ୍ୱର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା । ବିଧାନସଭା କ୍ଷେତ୍ରଗୁୁଡିକରେ ମଧ୍ୟ ଅନୁରୂପ ଭାବେ କେଉଁଠି ଇଭିଏମରୁ କମ ଭୋଟ ଗଣା ହୋଇଛି ତ କେଉଁଠି ଅଧିକ ।    
ଓଡିଶାରେ ଏକ ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା । ଭୋଟ ଦାନ ସମୟରେ ଜଣେ ମତଦାତା ବୁଥ ଭିତରକୁ ପ୍ରବେଶ କଲା ପରେ ତାଙ୍କୁ ଚିହ୍ନଟ କରି ଦୁଇଟି ଟୋକନ ଦିଆଯାଉଥିଲା । ମତଦାତା ପ୍ରଥମ ଟୋକନଟିକୁ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଦେଇ ଲୋକସଭାର ଇଭିଏମରେ ଭୋଟ ଦେଉଥିଲେ । ସେହି କୋଠରୀରୁ ବାହାରି ଦ୍ୱିତୀୟ ଟୋକନଟିକୁ ସମ୍ପୃକ୍ତ ଅଧିକାରୀଙ୍କୁ ଦେଖାଇଲେ ତାଙ୍କୁ ବିଧାନସଭା ପାଇଁ ଥିବା ଇଭିଏମ କୋଠରୀକୁ ଯିବାକୁ ଅନୁମତି ମିଳୁଥିଲା । ଭୋଟଦାନ ପରେ ମତଦାତା କୋଠରୀରୁ ପ୍ରସ୍ଥାନ କରୁଥିଲେ । ତେଣୁ ଉପରୋକ୍ତ ମତେ ଯେତେ ଜଣ ମତଦାତା ଲୋକସଭା ପାଇଁ ଭୋଟ ଦେଇଛନ୍ତି ଠିକ ସେତେ ଜଣ ବିଧାନସଭା ପାଇଁ ଭୋଟ ଦେଇଥିବା କଥା । କିନ୍ତୁ ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ଇଭିଏମ ଭୋଟ ଗଣତି ତଥ୍ୟକୁ ବିଶ୍ଳେଷଣ କଲେ ଏଥିରେ ଏକ ବଡ ଧରଣର ତାରତମ୍ୟ ଦୃଷ୍ଟିଗୋଚର ହେଉଛି । ସମଗ୍ର ରାଜ୍ୟରେ ଅନୁଷ୍ଠିତ ୧୪୬ଟି ବିଧାନସଭା କ୍ଷେତ୍ର ପାଇଁ ଇଭିଏମରୁ ସମୁଦାୟ ୨୩୩.୫୬ ଲକ୍ଷ ଭୋଟ ଗଣତି ହୋଇଥିବା ବେଳେ ସଂସଦୀୟ କ୍ଷେତ୍ର ପାଇଁ (ପାଟକୁରା ବିଧାନସଭା କ୍ଷେତ୍ରର ମତଦାନକୁ ବାଦ ଦେଇ) ଇଭିଏମରୁ ସମୁଦାୟ ୨୩୫.୪୪ ଲକ୍ଷ ଭୋଟ ଗଣତି ହୋଇଛି । ଅର୍ଥାତ ଲୋକସଭା କ୍ଷେତ୍ର ପାଇଁ ପ୍ରାୟ ୧.୮୮ ଲକ୍ଷ ବା ୦.୮୧ ପ୍ରତିଶତ ଅଧିକ ଭୋଟ ଗଣତି ହୋଇଛି । ୨୧ଟି ଯାକ ସଂସଦୀୟ କ୍ଷେତ୍ରରେ ସମ୍ପୃକ୍ତ କ୍ଷେତ୍ରସ୍ଥ ୭ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ପାଇଁ ଇଭିଏମରୁ ଗଣତି ହୋଇଥିବା ସମୁଦାୟ ଭୋଟ ଅପେକ୍ଷା ଅଧିକ ଭୋଟ ଗଣତି ହୋଇଛି । ତନ୍ମଧ୍ୟରୁ ୧୦ଟି ସଂସଦୀୟ କ୍ଷେତ୍ରରେ ଏହି ଅନ୍ତର ୧୦ ହଜାରରୁ ଅଧିକ ଓ ଏହା କେତେକ ପ୍ରାର୍ଥୀଙ୍କ ହାରଜିତକୁ ଭିନ୍ନ ଭାବେ ପ୍ରଭାବିତ କରି ଥାଇପାରେ । ଉଦାହରଣ ସ୍ୱରୂପ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଜୟୀ ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ମାତ୍ର ୧୨୯୫୬ ଖଣ୍ଡ ଭୋଟରେ ଜିତିଥିବା ବେଳେ ସେଠାରେ ୭ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀମାନଙ୍କର ଅଧିକ ୧୭୭୫୦ଟି ଭୋଟ ଗଣତି ହୋଇଛି । ସେହିପରି ସ୍ୱଳ୍ପ ଭୋଟ ବ୍ୟବଧାନରେ ଜିତିଥିବା ଲୋକସଭା ପ୍ରାର୍ଥୀ ଯଥା ସମ୍ବଲପୁର (୯୧୬୨ ଭୋଟ) ଓ କୋରାପୁଟ (୩୬୧୩ ଭୋଟ) ପ୍ରାର୍ଥୀଙ୍କ କ୍ଷେତ୍ରରେ ସେଠାକାର ୭ଟି କ୍ଷେତ୍ରର ବିଧାନସଭା ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀମାନଙ୍କର ଯଥାକ୍ରମେ ୯୮୦୧ ଓ ୧୦୨୨୯ ଖଣ୍ଡ ଅଧିକ ଭୋଟ ଗଣାଯାଇଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ କେବଳ ଲୋକସଭା ଇଭିଏମଗୁଡିକରୁ ଅଧିକ ଭୋଟ ବାହାରିଲା କିପରି ଓ ତାହା ପୁଣି ଏତେ ସଂଖ୍ୟାରେ । ଏହା ସେତେବେଳେ ସମ୍ଭବ ଯେତେବେଳେ ମତଦାତାମାନେ ବହୁଳ ସଂଖ୍ୟାରେ କେବଳ ଲୋକସଭା ପାଇଁ ଭୋଟ ଦେଇ ବିଧାନସଭା ପାଇଁ ଉଦ୍ଦିଷ୍ଟ କୋଠରୀକୁ ପ୍ରବେଶ ନକରି (ଅର୍ଥାତ ଭୋଟ ନ ଦେଇ) ଚାଲି ଯାଇଥିବେ । କିନ୍ତୁ ନିୟମାନୁଯାୟୀ ନିର୍ବାଚନ ଅଧିକାରୀ ସେ ଭଳି ମତଦାତାଙ୍କୁ ସେପରି କରିବାକୁ ଦେଇ ନଥିବେ । ନୋଟାରେ ହେଲେ ବି ସେମାନଙ୍କୁ ଭୋଟ ଦେବାକୁ ବାଧ୍ୟ କରାଯାଇଥିବ । ତେଣୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଭିଏମରୁ ସମାନ ସଂଖ୍ୟକ ଭୋଟ ବାହାରିବ, କମ ବେଶି ନୁହେଁ । ହେଲେ ଓଡିଶାର ସବୁ ସଂସଦୀୟ କ୍ଷେତ୍ରରେ ଇଭିଏମରୁ କିପରି ଏତେ ସଂଖ୍ୟାରେ ଅଧିକ ଭୋଟ ବାହାରିଲା, ତାହା ଆୟୋଗ ସ୍ପଷ୍ଟ କରି ମତଦାତାଙ୍କୁ ମତଦାନ ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପର୍କରେ ଆଶ୍ୱସ୍ତ କରିବା ଉଚିତ । ପୁନଶ୍ଚ, ଭିଭିପାଟ ମ୍ୟାସିନରେ ଗଚ୍ଛିତ ଥିବା ସ୍ଲିପ୍ର ସଂଖ୍ୟା ଇଭିଏମରୁ ଗଣତି ହୋଇଥିବା ଭୋଟ ସଂଖ୍ୟା ସହ ମେଳ ଖାଉଛି ତ !  
କେତେକ ବିଜୟୀ ପ୍ରାର୍ଥୀ ଏତେ ଅଧିକ ଭୋଟରେ ଜୟଯୁୁକ୍ତ ହୋଇଛନ୍ତି ଯେ ଉପରୋକ୍ତ ବିସଙ୍ଗତି ସେମାନଙ୍କ ଜିତିବାର ବ୍ୟବଧାନକୁ କମ ବେଶି କରି ପାରେ, ହେଲେ ଜିତିବାର ସମ୍ଭାବନାକୁ କ୍ଷୀଣ କରିପାରିବ ନାହିଁ ବୋଲି କେହି କେହି କହିପାରନ୍ତି । ପ୍ରଶ୍ନ ଜିତିବା-ହାରିବାର ନୁହେଁ, ପ୍ରଶ୍ନ ହିସାବ ସଠିକ ନ ହେବାର । ଯଦି ଦଶ ଜଣ ଭୋଟ ଦେଇଛନ୍ତି ତେବେ ଏଗାର ଜଣଙ୍କର ଭୋଟ ଗଣତି ହେବ ବା କିପରି । ଦିନ ଶେଷରେ ବ୍ୟାଙ୍କର କ୍ୟାଶ କାଉଂଟରରେ ବସିଥିବା କ୍ୟାଶିଅରକୁ ଯଦି ସେ ଗ୍ରହଣ କରିଥିବା ଓ ଦେଇଥିବା ଗୋଟି ଗୋଟି ଟଙ୍କାର ହିସାବ ମେଳ ନଖାଇବା ଯାଏଁ କାର୍ଯ୍ୟରୁ ଅବ୍ୟାହତି ମିଳି ନ ଥାଏ, ତେବେ ଏତେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଦାୟିତ୍ୱରେ ଥିବା  ନିର୍ବାଚନ ଆୟୋଗ ପ୍ରତିଟି ଭୋଟର ହିସାବ ଠିକ ରୂପେ ଜନ ସାଧାରଣଙ୍କୁ ବୁଝାଇ ନ ଦେବେ ବା କାହିଁକି? ଗୋଟିଏ ଭୋଟର ଭୁଲ ହିସାବ ପାଇଁ ଜଣେ ପ୍ରାର୍ଥୀ ହାରି ଯାଇପାରେ । କିଛି ଦିନ ତଳେ ଜଣେ ବରିଷ୍ଠ ସ୍ତମ୍ଭକାର ତଥା ନିର୍ବାଚନ ଆୟୋଗର ପରାମର୍ଶଦାତାଙ୍କ ଏକ ଆଲେଖ୍ୟରେ ଜଣେ ପ୍ରାର୍ଥୀଙ୍କ ପରିବାର ବର୍ଗ ମତଦାନ ଦିନ ଭୋଟ ନ ଦେଇ ପୂଜାପାଠରେ ବ୍ୟସ୍ତ ରହିବା କାରଣରୁ ସମ୍ପୃକ୍ତ ପ୍ରାର୍ଥୀ କିପରି ମାତ୍ର ଖଣ୍ଡିଏ ଭୋଟରେ ହାରିଥିଲେ, ତାହାର ଅବତାରଣା କରିଥିଲେ । ମତଦାତାମାନେ ଭୋଟ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିର୍ବାଚନ ଆୟୋଗ ମତଦାତାଙ୍କୁ ପ୍ରତିଟି ଭୋଟର ସଠିକ ହିସାବ ଦେବା ତତୋଧିକ ଗୁରୁତ୍ୱପୂର୍ଣ୍ଣ । ପ୍ରାୟ କୋଡିଏ ଲକ୍ଷ ଇଭିଏମ ନିଖୋଜ ହେବା, ଇଭିଏମରୁ କମ ବେଶି ଭୋଟ ବାହାରିବାର ଅଭିଯୋଗ ହେବା ଓ ବିଧାନସଭା ଭୋଟ ସହ ଲୋକସଭା ଭୋଟ ତାଳମେଳ ନ ଖାଇବା ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାର ପବିତ୍ରତାକୁ ନଷ୍ଟ କରିବା ସହ ଏହାର ସ୍ୱଚ୍ଛତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଉଛି । ଏପରି କ୍ଷେତ୍ରରେ ସାମାନ୍ୟ ମତଦାତାର ଖଣ୍ଡିଏ ଭୋଟର ମୂଲ୍ୟ ଆଉ କେଉଁଠି ବା ରହୁଛି । କିଛି ମାସ ତଳେ ଇଭିଏମକୁ ନ ଛୁଇଁ ତାକୁ ‘ହାକିଂ’ କରି ଦେଖାଇବା ପାଇଁ ରାଜନୈତିକ ଦଳଗୁଡିକୁ ଆହ୍ୱାନ ଦେଇ ନିର୍ବାଚନ ଆୟୋଗ ଏକ ‘ହେକାଥନ୍’ର ଆୟୋଜନ କରିଥିଲେ । ଇଭିଏମରୁ ଗଣା ହୋଇଥିବା ଭୋଟ ଅଧିକ ବା କମ ହେବାକୁ ମାନବୀୟ ବା ମ୍ୟାସିନର ତ୍ରୁଟି କହି ଏଡାଇ ଦେଇ ହେବ ନା ଏହାକୁ ‘ହାକିଂ’ ପର୍ଯ୍ୟାୟବାଚୀ କହି ହେବ । ଯଦି ଏହା ହାକିଂ ପର୍ଯ୍ୟାୟବାଚୀ ହୋଇଥାଏ ତେବେ ଆୟୋଗ ଦେଇଥିବା ଆହ୍ୱାନକୁ ନିଜେ ଗ୍ରହଣ କରି କିପରି ତାହା ହୋଇ ପାରିଲା ତାର କାରଣ ଖୋଜି ବାହାର କରିବା ଦରକାର । କାରଣ ସମସ୍ତ ସଂସଦୀୟ କ୍ଷେତ୍ରର ଇଭିଏମରୁ ଅଧିକ ଭୋଟ ବାହାରିବା କଦାପି କାକତାଳୀୟ ହୋଇ ନପାରେ । ନିର୍ବାଚନ ପ୍ରକ୍ରିୟାକୁ ମତଦାତାଙ୍କ ଆସ୍ଥାଭାଜନ କରିବାକୁ ହେଲେ ଏ ପ୍ରଶ୍ନଗୁଡିକର ଆଶୁ ସମାଧାନ ହେବା ଦରକାର । ପ୍ରତି ବୁଥରେ ଭୋଟଗ୍ରହଣ ହେବା ପରେ କେତେ ଜଣ ଭୋଟ ଦେଲେ ତାହା ଫର୍ମ ୧୭ସିରେ ଉଲ୍ଲେଖ ହୋଇଥାଏ । ରାଜନୈତିକ ଦଳମାନେ ସେଗୁଡିକୁୁ ସଂଗ୍ରହ କରି ଆୟୋଗ ପ୍ରଦତ୍ତ ଚୂଡାନ୍ତ ତଥ୍ୟ ସହ ମେଳାଇ, ବିସଙ୍ଗତି ଲକ୍ଷ୍ୟ କଲେ ପ୍ରତିବାଦ କରିବାର ଆବଶ୍ୟକତା ରହିଛି । ଆଶା କରାଯାଏ, ନିର୍ବାଚନ ଆୟୋଗ ନିଜ ତରଫରୁ ଏହାର ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ମତଦାତାଙ୍କ ସନ୍ଦେହ ମୋଚନ କରିବାକୁ ସମର୍ଥ ହେବେ । କାରଣ ନିର୍ବାଚନ ହିଁ ସଂସଦୀୟ ଗଣତନ୍ତ୍ରର ମୂଳପିଣ୍ଡ ଓ ଏହାର ସ୍ୱଚ୍ଛତା, ପବିତ୍ରତା ସହ ସାଲିସ କରିବାର ଅର୍ଥ ଗଣତନ୍ତ୍ର ସହ ପ୍ରତାରଣା କରିବା ।

Published in Nitidin on July 01, 2019

Comments

  1. ସରଳ ବାବୁ ଆପଣ ଯାହା ତଥ୍ୟ ପ୍ରମାଣ ସହ ଦେଇଛନ୍ତି, ପଢ଼ିବା ପରେ ଆମେ ସାଧାରଣ ଲୋକଙ୍କ ବିଶ୍ୱାସ ହଜିଯାଊଚି। କିଏ ଏହାର sathika ଉତ୍ତର ଦେବ??? ଆମର ରାଜନୈତକ ଦଳ ମାନେ କଣ ଶୋଇଛନ୍ତି??? ଆପଣଙ୍କର ଲେଖା ଆଖି ଖୋଲି ଦେଉଛି। ଧନ୍ୟବାଦ।

    ReplyDelete
    Replies
    1. ଆପଣଙ୍କ ମତାମତ ପାଇଁ ଧନ୍ୟବାଦ

      Delete
  2. ପ୍ରବନ୍ଧଟିରେ ପରିସଂଖ୍ୟାନଗତ କ୍ଳିଷ୍ଟତା ନାହିଁ, ପ୍ରତିବେଦନ ସ୍ପଷ୍ଟ। ରାଜନୈତିକ ଦଳମାନେ ପ୍ରଦତ୍ତ ତଥ୍ୟ ଆଧାରରେ ଅଦାଲତରେ ନିର୍ବାଚନ ଆୟୋଗଙ୍କୁ ଆହ୍ୱାନ ଦେବା ଯେତିକି ଆବଶ୍ୟକ, ତା ଅପେକ୍ଷା ଆୟୋଗ ନିଜଆଡୁ ଏହି ବିଷମତାର ଅନୁସନ୍ଧାନ କରି ସର୍ବସାଧାରଣଙ୍କୁ ଆଶ୍ୱସ୍ତ କରିବା ଅଧିକ ଆବଶ୍ୟକ।
    ବଧେଇ ଜଣାଉଛି।

    ReplyDelete
    Replies
    1. ଆପଣଙ୍କ ମତାମତ ପାଇଁ ଧନ୍ୟବାଦ

      Delete
    2. ଆମେ କଣ bananna democracy ପାଲଟି ଗଲେଣି । ପାକିସ୍ତାନ ପରି ଭାରତରେ ମଧ୍ୟ ନିର୍ବାଚନ କେବଳ ଏକ ଔପଚାରିକତା ରେ ପରିଣତ ହବନି ତ ??

      Delete
    3. ବାସ୍ତବିକ ଚିନ୍ତାଜନକ

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍