Skip to main content

ବିଦେଶୀ ଦାନରେ ଚାଲବାଜି

ଏନଡିଏ ସରକାର କ୍ଷମତାକୁ ଆସିଲା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦ ହଜାର ଏନଜିଓଙ୍କର ଏଫସିଆରଏ ଲାଇସେନ୍ସ ବାତିଲ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଆଇନର ବିଭିନ୍ନ ପ୍ରାବଧାନକୁ ଉଲ୍ଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ସରକାର ଏମାନଙ୍କ ଲାଇସେନ୍ସକୁ ବାତିଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଭଳି ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ଏଫସିଆରଏ ପ୍ରାବଧାନକୁ ଉଲ୍ଲଂଘନ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କିପରି ସେମାନଙ୍କ ଖସିଯିବା ପାଇଁ ନିଜେ ଗଳାବାଟଟିଏ ପ୍ରସ୍ତୁତ କରିପାରନ୍ତି, ତାର ଏକ ନଗ୍ନ ନମୁନା ସରକାରଙ୍କ ଗତ ଅର୍ଥ ବିଲରେ ଦେଖିବାକୁ ମିଳିଥିଲା । 
ବିଦେଶୀ ଦାନକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୧୯୭୬ ମସିହାରେ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ (ଫରେନ କଂଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ) ବା ଏଫସିଆରଏ, ୧୯୭୬ ପ୍ରଚଳନ ହୋଇଥିଲା । ଅନୁଧ୍ୟାନ କଲେ ଜଣାଯିବ ଯେ ମୂଳ ରୂପରେ ଏହି ଆଇନଟିରେ ଜରୁରୀକାଳୀନ ପରିସ୍ଥିତିରେ ଶାସକ ଦଳ ଓ ସରକାରୀ ମାନସିକତାର ପ୍ରତିଫଳନ ହୋଇଥିଲା । ସେତେବେଳେ ବିଭିନ୍ନ ରାଜନୈତିକ ଦଳ ଓ ସମ୍ବାଦପତ୍ର ସଂସ୍ଥାଙ୍କ ନିକଟରେ ଯେପରି କୌଣସି ବିଦେଶୀ ଦାନ ନ ପହଞ୍ଚେ ସେଥିପାଇଁ ସରକାର ଏହି ଆଇନର ପରିକଳ୍ପନା କରିଥିଲେ । ଏନଜିଓମାନଙ୍କ ସଂଖ୍ୟା ଓ ସେମାନେ ପାଉଥିବା ବିଦେଶୀ ଦାନ ସେତେବେଳେ ନଗଣ୍ୟ ଥିଲା । ୟୁପିଏ ସରକାର ୨୦୧୦ ମସିହାରେ ଏହି ଆଇନକୁ ସଂଶୋଧନ କରି ଏଫସିଆରଏ, ୨୦୧୦ ଆଇନ ପ୍ରଣୟନ କଲେ, ଯାହା ୨୦୧୧ ମସିହାରୁ କାର୍ଯ୍ୟ କରୁଛି । 
ଏଫସିଆରଏ, ୧୯୭୬ର ପ୍ରସ୍ତାବନାରେ ଲେଖା ହୋଇଛି, “ଏହା କିଛି ବ୍ୟକ୍ତି ବିଶେଷ ଓ ସଂଗଠନଙ୍କ ଦ୍ୱାରା ଦିଆଯାଇଥିବା ବିଦେଶୀ ଦାନ ଓ ବିଦେଶୀ ସତ୍କାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ, ଯଦ୍ଦ୍ୱାରା ଜାତୀୟ ଜୀବନର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟରତ ସଂସଦୀୟ ସଂସ୍ଥା, ରାଜନୈତିକ ସଂଗଠନ, ଶୈକ୍ଷିକ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ଓ ବ୍ୟକ୍ତିବିଶେଷ ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମୂଲ୍ୟବୋଧ ସଂଗତ କାର୍ଯ୍ୟ କରିବେ ....।” ସେହିପରି ଏଫସିଆରଏ, ୨୦୧୦ର ପ୍ରସ୍ତାବନାରେ ଉଲ୍ଲେଖ ହୋଇଛି, “ଏହା....ବିଦେଶୀ ଦାନ ଓ ବିଦେଶୀ ସତ୍କାର ବ୍ୟବହାର କରି ଜାତୀୟ ସ୍ୱାର୍ଥହାନି ହେଲା ଭଳି କୌଣସି କାର୍ଯ୍ୟକୁ ନିଷେଧ କରିବା ପାଇଁ ଏକ ଆଇନ ।” ଏହି ସଂଶୋଧିତ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦେଶୀ ଦାନ ପାଇଁ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ସ୍ୱର ଉଠାଉଥିବା ଏନଜିଓମାନଙ୍କ ଗତିବିଧି ଉପରେ ଲଗାମ ଲଗାଇବା ।
ଏଫସିଆରଏ, ୧୯୭୬ର ଅନୁଚ୍ଛେଦ ୪ ଓ ୨୦୧୦ ଆଇନର ଅନୁଚ୍ଛେଦ ୩ ଅନୁସାରେ କୌଣସି ବିଦେଶୀ କମ୍ପାନୀ ବା ବିଦେଶୀ ଉତ୍ସରୁ ଭାରତରେ ପଞ୍ଜିକୃତ କୌଣସି ରାଜନୈତିକ ଦଳ ଦାନ ଗ୍ରହଣ କରିବା ନିଷିଦ୍ଧ । ଏହାର ଉଲ୍ଲଂଘନ ଏକ ଗମ୍ଭୀର ଆପରାଧିକ ମାମଲା । ବିଦେଶରେ ପଞ୍ଜିକୃତ କମ୍ପାନୀର ସହାୟକ (ସବସିଡିଆରି) କମ୍ପାନୀଗୁଡିକ ମଧ୍ୟ ଏହି ଆଇନରେ ବିଦେଶୀ କମ୍ପାନୀ ଭାବେ ପରିଗଣିତ ହେବେ । କମ୍ପାନୀ ଆଇନ, ୧୯୫୬ର ଅନୁଚ୍ଛେଦ ୫୯୧ରେ ବିଦେଶୀ କମ୍ପାନୀ ପର୍ଯ୍ୟାୟବାଚୀ ସମସ୍ତ କମ୍ପାନୀଙ୍କୁ, ଏହି ଆଇନରେ ମଧ୍ୟ ବିଦେଶୀ କମ୍ପାନୀ ଭାବେ ଗ୍ରହଣ କରାଯିବ ।
୨୦୦୪ରୁ ୨୦୧୦ ମସିହା ମଧ୍ୟରେ ପ୍ରାୟ ୨୫ଟି ବିଦେଶୀ କମ୍ପାନୀଠାରୁ ଉଭୟ ବିଜେପି ଓ କଂଗ୍ରେସ ଦଳ କୋଟି କୋଟି ଟଙ୍କାର ଦାନ ଗ୍ରହଣ କରିଥିଲେ, ଯାହା ଏଫସିଆରଏ ଆଇନର ସିଧାସଳଖ ଉଲ୍ଲଂଘନ କରୁଥିଲା । ପରବର୍ତ୍ତୀ ସମୟରେ ମଧ୍ୟ ଏହି ଦାନ ଗ୍ରହଣ ପ୍ରକ୍ରିୟା ଜାରି ରହିଥିଲା । କେବଳ ସେତିକି ନୁହେଁ, ଏହି ବିଦେଶୀ ଦାନ, ଯାହା ଆଇନତଃ ଅବୈଧ, ଉପରେ ଆୟକର ଛାଡ ନେଇ ଆୟକର ଆଇନର ମଧ୍ୟ ଉଲ୍ଲଂଘନ ହୋଇଥିଲା । ଅନୀଲ ଅଗ୍ରଓାଲଙ୍କ କମ୍ପାନୀ ବେଦାନ୍ତ ରିସୋର୍ସେସ ଏକ ବିଦେଶୀ କମ୍ପାନୀ ଓ ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । ଏହାର ଭାରତରେ ଥିବା ସହାୟକ କମ୍ପାନୀ ଷ୍ଟେରଲାଇଟ ଇଣ୍ଡଷ୍ଟ୍ରିଜ, ସେସା ଗୋଆ, ମାଡ୍ରାସ ଆଲୁମିନିୟମ କମ୍ପାନୀ (ମାଲକୋ) ଆଦି ଆଇନ ଆନୁଯାୟୀ ବିଦେଶୀ କମ୍ପାନୀ ପର୍ଯ୍ୟାୟବାଚୀ । ବେଦାନ୍ତ କମ୍ପାନୀ ଏହି ସହାୟକ କମ୍ପାନୀଗୁଡିକ ଜରିଆରେ ଉଭୟ ଦଳକୁ ପାଣ୍ଠି ପ୍ରଦାନ କରିଛି । ଓଡିଶାରେ ବିଜେଡି ମଧ୍ୟ ବେଦାନ୍ତ ଦାନର ଲାଭାର୍ଥୀ ବୋଲି ଅଭିଯୋଗ ହୁଏ । ବେଦାନ୍ତର ୨୦୧୨ ମସିହା ବାର୍ଷିକ ବିବରଣୀ ଅନୁଯାୟୀ ସେହି ବର୍ଷ ବେଦାନ୍ତ ଗ୍ରୁପ ଭାରତର ରାଜନୈତିକ ଦଳମାନଙ୍କୁ ସିଧାସଳଖ ବା ଟ୍ରଷ୍ଟ ଜରିଆରେ ପ୍ରାୟ ୨୦ ଲକ୍ଷ ଡଲାର ଦାନ ଆକାରରେ ଦେଇଥିଲା । କମ୍ପାନୀ ବୋର୍ଡର ବିଶ୍ୱାସ ଯେ ଭାରତର ଏହି ରାଜନୈତିକ ପ୍ରକ୍ରିୟାରେ ସହଯୋଗ ଦ୍ୱାରା ଗଣତାନ୍ତ୍ରିକ ପ୍ରକିୟା ଉତ୍ସାହିତ ଓ ସୁଦୃଢ ହୋଇପାରିବ ।
ଜନ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଅନୁଚ୍ଛେଦ ୨୯(ଖ) ଓ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ ୨୦୧୦ର ଅନୁଚ୍ଛେଦ ୩(୧)(ଗ) ଅନୁଯାୟୀ ରାଜନୈତିକ ଦଳର ବିଦେଶୀ କମ୍ପାନୀଠାରୁ ଦାନଗ୍ରହଣ ନିଷିଦ୍ଧ । ପ୍ରମୁଖ ରାଜନୈତିକ ଦଳଗୁଡିକ ଆଇନକୁ ସମ୍ମାନ ଜଣାଇବେ ବୋଲି ଆଶା କରାଯାଏ । ଆଇନକୁ ଉଲ୍ଲଂଘନ କରି ସେମାନେ ସାଧାରଣ ଜନତାଙ୍କ ଆଗରେ ଏକ ଖରାପ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରତିବାଦ କରି ଆସୋସିଏସନ ଅଫ ଡେମୋକ୍ରାଟିକ ରାଇଟସ (ଏଡିଆର) ସଂସ୍ଥା ଓ ପୂର୍ବତନ ଅର୍ଥ ସଚିବ ଇ.ଏ.ଏସ. ଶର୍ମା ଦିଲ୍ଲୀ ହାଇକୋର୍ଟରେ ୨୦୧୩ ମସିହା ଜାନୁଆରୀରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ମାର୍ଚ୍ଚ ୨୮, ୨୦୧୪ରେ କୋର୍ଟ ତାଙ୍କ ରାୟରେ ବିଦେଶୀ କମ୍ପାନୀଙ୍କଠାରୁ ଦାନ ନେଇଥିବା ଓ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଦଳକୁ ଦୋଷୀ ସାବ୍ୟସ୍ତ କଲେ । ଏଥି ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କୁ ୬ ମାସ ମଧ୍ୟରେ ଉଭୟ ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ । ଉଭୟ ଦଳ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ପ୍ରତିବାଦ କରି ସୁପ୍ରିମକୋର୍ଟରେ ବିଶେଷ ଲିଭ ପିଟିସନ ଦାଖଲ କଲେ । ସୁପ୍ରିମକୋର୍ଟ ପିଟିସନକୁ ଗ୍ରହଣ କଲେ ମଧ୍ୟ ରାୟ ବିରୁଦ୍ଧରେ ରହିତାଦେଶ ଦେବାକୁ ମନା କରିଦେଲେ ।
ଦିଲ୍ଲୀ ହାଇକୋର୍ଟଙ୍କ ରାୟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଅବୈଧ କାର୍ଯ୍ୟକୁ ଏଫସିଆରଏରେ ସଂଶୋଧନ ଆଣି କିପରି ବୈଧ କରାଯାଇ ପାରିବ, ତାହାର ଚିଠା ପ୍ରସ୍ତୁତ ହେଲା । ଭାରତୀୟ କମ୍ପାନୀ ଆଇନ, ୧୯୫୬ର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ନିୟମ ଅନୁୟାୟୀ ଯେ କୌଣସି କମ୍ପାନୀ, ଯାହାର ମୋଟ ମୂଲ୍ୟ (ନେଟଓର୍ଥ) ୫୦୦ କୋଟି ଟଙ୍କା ହୋଇଥିବ ବା ବାର୍ଷିକ ରାଜସ୍ୱ ୧୦୦୦ କୋଟି ଟଙ୍କା ହୋଇଥିବ ବା ବାର୍ଷିକ ୫ କୋଟି ଟଙ୍କା  ଲାଭ ହୋଇଥିବ, ତାର ୩ ବର୍ଷ ହାରାହାରି ଲାଭର ଶତକଡା ୨ ଭାଗ ସାମାଜିକ ବିକାଶ କାର୍ଯ୍ୟରେ ସିଧାସଳଖ ବା କୌଣସି ପରୋପକାରୀ ଅନୁଷ୍ଠାନ ଜରିଆରେ ବା କୌଣସି ଲାଭ ଉଦ୍ଦେଶ୍ୟ ନଥିବା (ନଟ ଫର ପ୍ରଫିଟ) ସଂସ୍ଥା ସହ ମିଶି ଖର୍ଚ୍ଚ କରିବେ । ମାତ୍ର ଯେଉଁ କମ୍ପାନୀର ଅଂଶଧନରେ ଶତକଡା ୫୦ ଭାଗ ବିଦେଶୀ ମାଲିକାନା ଥିବ, ସେହି କମ୍ପାନୀରୁ ମିଳୁଥିବା ଦାନ ବିଦେଶୀ ଦାନ ଭାବେ ବିବେଚିତ ହେବ । ଏ କ୍ଷେତ୍ରରେ ଏହି କମ୍ପାନୀଗୁଡିକ କେବଳ ଗୃହ ମନ୍ତ୍ରଣାଳୟରେ ପଞ୍ଜିକୃତ ଲାଭ ଉଦ୍ଦେଶ୍ୟ ନଥିବା ସଂଗଠନ ସହ ମିଶି ଏହି ଅର୍ଥ ଖର୍ଚ୍ଚ କରିପାରିବେ । ସରକାର ଏହି ନିୟମରେ ସଂଶୋଧନ ଆଣିଲେ । ଫଳରେ ବିଦେଶୀ କମ୍ପାନୀଠାରୁ ଲାଭ ଉଦ୍ଦେଶ୍ୟ ନଥିବା ସଂଗଠନ, ରାଜନୈତିକ ଦଳ, ନିର୍ବାଚନ ଲଢୁଥିବା ପ୍ରାର୍ଥୀ, ସମ୍ବାଦପତ୍ର, ସରକାରୀ କର୍ମଚାରୀ ଆଦିଙ୍କୁ ମିଳୁଥିବା ଦାନ ବିଦେଶୀ ଦାନ ଭାବେ ବିବେଚିତ ହେବନାହିଁ । ସରକାର ଏଫସିଆରଏରେ ଏହି ସଂଶୋଧନ କରି ତାକୁ ଅର୍ଥ ବିଲ, ୨୦୧୬ ଜରିଆରେ ପାରିତ କରାଇ ନେଲେ । କେବଳ ସେତିକି ନୁହେଁ, ଏହି ସଂଶୋଧନର କାର୍ଯ୍ୟକାରିତା ପିଛିଲା ଭାବେ ୨୬ ସେପ୍ଟେମ୍ବର ୨୦୧୦ରୁ ଲାଗୁ ହେବ ବୋଲି କରାଇନେଲେ । ଏହି ସଂଶୋଧନ ଦ୍ୱାରା ରାଜନୈତିକ ଦଳଗୁଡିକର ବିଦେଶୀ କମ୍ପାନୀଙ୍କଠାରୁ ଦାନ ଗ୍ରହଣ କରିବାର ବାଟ ପରିଷ୍କାର ହୋଇଗଲା । 
ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ପ୍ରତିହତ କରିବା ପାଇଁ ସଂଶୋଧିତ ଆଇନରେ ଉଭୟ ଶାସକ ଓ ବିରୋଧୀ ଦଳ ଲାଭାନ୍ୱିତ ହେଉଥିବାରୁ, ବିଲଟିକୁ ଅତି ତରବରିଆ ଭାବେ ଅର୍ଥ ବିଲର ଅଂଶ ବିଶେଷ କରି ପାରିତ କରାଇ ନେଲେ, ଯେମିତି ‘ଆଧାର’ ବିଲ କ୍ଷେତ୍ରରେ ହୋଇଥିଲା । ଏଫସିଆରଏ, ୨୦୧୦ର ଆଇନକୁ ପାଣିଚିଆ କରିବା ଉଦ୍ଦେଶ୍ୟରେ ଅର୍ଥ ବିଲ, ୨୦୧୬ରେ ଖଂଡ ୨୩୩କୁ ଯୋଡି ଦିଆଗଲା, ଯଦ୍ଦ୍ୱାରା ବିଦେଶୀ କମ୍ପାନୀର ସଂଜ୍ଞା ସମ୍ପୂର୍ଣ୍ଣ ବଦଳିଗଲା । ନୂଆ ସଂଜ୍ଞା ଅନୁଯାୟୀ, କୌଣସି କମ୍ପାନୀରେ ବିଦେଶୀ ସଂସ୍ଥାର ଶତକଡା ୫୦ ଭାଗରୁ କମ ଅଂଶଧନ ଥିଲେ ତାହା ବିଦେଶୀ କମ୍ପାନୀ ଭାବେ ପରିଗଣିତ ହେବ ନାହିଁ । ପରବର୍ତ୍ତୀ ସମୟରେ ଉଭୟ ଦଳ ଏହି ସଂଶୋଧିତ ଆଇନକୁ ତର୍ଜମା କରି ଓ ଆଶ୍ୱସ୍ତ ହୋଇ ପିଟିସନ ପ୍ରତ୍ୟାହାର କରି ନେଇଥିବାରୁ ସୁପ୍ରିମକୋର୍ଟ ୨୯ ନଭେମ୍ବର ୨୦୧୬ରେ ମାମଲାଟିକୁ ଖାରଜ କରି ଦେଇଥିଲେ । ଫଳରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା ଓ ଆଶା କରାଯାଉଥିଲା ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନ ଉଭୟ ଦଳଙ୍କ ବିରୁଦ୍ଧରେ ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମାତ୍ର ଏନଜିଓମାନଙ୍କ କ୍ଷେତ୍ରରେ ଏଫସିଆରଏ ଉଲ୍ଲଂଘନ ପାଇଁ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯେଉଁ ତତ୍ପରତା ଦେଖାଇଥିଲେ, ଏ କ୍ଷେତ୍ରରେ ସେପରି କିଛି ଦେଖିବାକୁ ମିଳିଲା ନାହିଁ ।
କିଛି ଦିନର ନୀରବତା ପରେ ମାର୍ଚ୍ଚ ୧୪, ୨୦୧୮ରେ ସେହି ବର୍ଷର ଅର୍ଥ ବିଲ ପାରିତ ହେବା ସହ ୨୧ଟି ସଂଶୋଧନ ଅତି ତରବରିଆ ଭାବେ ଅଧ ଘଣ୍ଟା ମଧ୍ୟରେ ସଂସଦରେ ବିନା ଆଲୋଚନାରେ ଗୃହୀତ ହୋଇଗଲା । ଏହି ସଂଶୋଧନଗୁଡିକ ମଧ୍ୟରେ ଗୋଟିଏ ଥିଲା, ଏଫସିଆରଏ, ୨୦୧୦ରେ ଥିବା ବିଦେଶୀ ଦାନ ସଂକ୍ରାନ୍ତୀୟ ଆଇନରେ ସଂଶୋଧନ । ତଦନୁଯାୟୀ ରାଜନୈତିକ ଦଳଗୁଡିକୁ ମିଳୁଥିବା ବିଦେଶୀ ଦାନ ଆଉ ଜାଞ୍ଚ ବା ବିବେଚନାର ପରିସରଭୁକ୍ତ ହେବନାହିଁ, ତାହା ପୁଣି ପିଛିଲା ଭାବେ ଅଗଷ୍ଟ ୫, ୧୯୭୬ ମସିହାରୁ, ଯେବେଠାରୁ ପୁରୁଣା ଏଫସିଆରଏ ଆଇନର ପ୍ରଚଳନ ହୋଇଥିଲା । ପିଛିଲା ଭାବେ ଆଇନଟିର ସଂଶୋଧନ କରିବାର ଏକମାତ୍ର କାରଣ ହେଉଛି ଉପରୋକ୍ତ ଦଳଗୁଡିକ ୨୦୧୦ ପୂର୍ବରୁ ନେଇଥିବା ବିଦେଶୀ ଦାନକୁ ବୈଧ ବୋଲି ଆଇନ ତିଆରି କରି ନିଜେ ଦଣ୍ଡମୁକ୍ତ ହେବା । ‘ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା’ ନ୍ୟାୟରେ ପ୍ରମୁଖ ବିରୋଧୀ ଦଳ ବିରୋଧ ନ କରି ଚୁପ ରହିବା ସ୍ୱାଭାବିକ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଦାଲତ ଦ୍ୱାରା ନିନ୍ଦିତ ଓ ଦଣ୍ଡିତ ହେବା ପରେ ରାଜନୈତିକ ଦଳମାନେ ସେମାନଙ୍କୁ ସୁହାଇଲା ଭଳି ଆଇନକୁ ପରିବର୍ତ୍ତନ କରିବା କେତେ ଦୂର ନୀତି ଓ ଆଇନସଙ୍ଗତ ? ଏହା ରାଜନୈତିକ ସ୍ୱାର୍ଥ-ଦ୍ୱନ୍ଦ୍ୱର ପ୍ରଶ୍ନ ଉଠାଉ ନାହିଁ କି ? ସାଧାରଣ ଲୋକଙ୍କ ପାଇଁ ସେମାନେ ଏ ଧରଣର ପଦକ୍ଷେପ ଗ୍ରହଣ କରିପାରିବେ କି ? ୧୯୭୬ ମସିହାର ଆଇନ ଅନୁଯାୟୀ ବିଦେଶୀ କମ୍ପାନୀର ସଂଜ୍ଞା ହେଉଛି ବିଦେଶରେ ପଞ୍ଜିକୃତ ବା ବିଦେଶରେ ସହାୟକ କମ୍ପାନୀ ଥିବା ଭାରତୀୟ ବା ବିଦେଶୀ କମ୍ପାନୀ । ଉଲ୍ଲେଖଯୋଗ୍ୟ, ଏଫସିଆରଏ, ୨୦୧୦ ଆଇନ ପ୍ରଚଳନ ସହ ୧୯୭୬ ଆଇନଟିକୁ ନିରସ୍ତ କରାଯାଇଥିବାରୁ ନୂଆ ସଂଶୋଧନଟି ପିଛିଲା ଭବେ ୧୯୭୬ରୁ ଲାଗୁ ହେବାର ସାମ୍ବିଧାନିକ ଓ ଆଇନଗତ ବୈଧତା କେତେ, ତାହା ପର୍ଯ୍ୟାଲୋଚନାର ବିଷୟ । କାରଣ ସେହି ସମୟ ମଧ୍ୟରେ ହୁଏତ ଆହୁରି ଅନେକ ଅନୁଷ୍ଠାନ ସେହି ଆଇନର ପୂର୍ବ ପ୍ରାବଧାନର ଉଲ୍ଲଂଘନ ପାଇଁ ଦଣ୍ଡିତ ହୋଇ ସାରିଥିବେ ।
ନିର୍ବାଚନୀ ରାଜନୀତିରେ କର୍ପୋରେଟ କ୍ଷେତ୍ରର ପୁଞ୍ଜି ଲଗାଣ ନିର୍ବାଚନକୁ ପ୍ରଭାବିତ କରି ଗଣତନ୍ତ୍ରକୁ କି ଭଳି ବିପର୍ଯ୍ୟସ୍ତ କରିପାରେ ତାହା ଅନେକେ ଊଣା ଅଧିକେ ଅନୁଭବ କଲେଣି । ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳଗୁଡିକ ପାଇଁ ବିଦେଶୀ ଦାନର ବାଟ ଉନ୍ମୁକ୍ତ ହୋଇଗଲେ ଭାରତୀୟ ନିର୍ବାଚନ ଓ ରାଜନୀତି ଯେ ବିଦେଶୀ ପ୍ରଭାବ ଓ ଚାପରୁ ବର୍ତ୍ତି ପାରିବ ନାହିଁ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏହି ବିଦେଶୀ ଦାନ ଦ୍ୱାରା ଜାତୀୟ ସ୍ୱାର୍ଥହାନି ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ତାହା ଏଫସିଆରଏ, ୨୦୧୦ର ପ୍ରସ୍ତାବନାର ପରିପନ୍ଥୀ ହେଉନାହିଁ କି ? ଏହା ଭବିଷ୍ୟତରେ ଆମ ଦେଶର ସାବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ । ଜରୁରୀକାଳୀନ ପରିସ୍ଥିତିର କଳା ଆଇନକୁ ଆଜି ଯାଏଁ ସମାଲୋଚନା କରୁଥିବା ବିଜେପି, ସେହି ଜରୁରୀକାଳୀନ ପରିସ୍ଥିତିରେ ପ୍ରଣୀତ ଏକ ଆଇନର ଅଢୁଆଳରେ ନିଜକୁ ସୁରକ୍ଷା ପ୍ରଦାନ କରିବାର ଚେଷ୍ଟା କରିବା ବାସ୍ତବିକ ନିନ୍ଦନୀୟ । ଅର୍ଥ ବିଲ ମାଧ୍ୟମରେ ଲୁଚାଚୋରା ଭାବେ ଏଫସିଆରଏ ସଂଶୋଧନ ଓ ବିଦେଶୀ କମ୍ପାନୀର ସଂଜ୍ଞା ପରିବର୍ତ୍ତନ ଆଦୌ ଏକ ଗ୍ରହଣୀୟ ବିଧି ପ୍ରଣୟନ ପରମ୍ପରା ହୋଇ ନପାରେ । ଏହି ଧାରା ଗଣତନ୍ତ୍ର ପାଇଁ ବିପଜ୍ଜନକ । ତେଣୁ ରାଜନୈତିକ ଦଳମାନେ ଯେପରି ବିଦେଶୀ ଦାନ ପାଇଁ ଲାଳାୟିତ ନହୋଇ ସେଥିରୁ କ୍ଷାନ୍ତ ହୁଅନ୍ତି ସେଥିପାଇଁ ଜନମତ ସୃଷ୍ଟିର ଆବଶ୍ୟକତା ରହିଛି । ତାହାହେଲେ ଯାଇ ଆମ ଗଣତନ୍ତ୍ର ସୁଦୃଢ ହୋଇପାରିବ ।

Published in 10th Anniversary Special issue of Odia Daily Swatantrabarta on 26 December 2018

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍