ଚଉକି କ୍ଷମତାର ପ୍ରତୀକ l ସରକାରୀ କାର୍ଯ୍ୟାଳୟରେ
ଚଉକି ଖଣ୍ଡେ ପାଇଥିବା ଲୋକଟିର କ୍ଷମତା ଯେ କେତେ ଅଧିକ ତାହା ଯେ କେହି ହୃଦୟଙ୍ଗମ କରିଥିବେ l କିନ୍ତୁ
ସେହି ଚଉକି ଉପରେ ଯେତେବେଳେ ଧଳା ଟର୍କିସ ଟାଓ୍ଵେଲ (ତଉଲିଆ) ଖଣ୍ଡେ ପଡିଯାଏ, ସେହି ଚଉକିର ଅଧିକାରୀଙ୍କ
କ୍ଷମତା ଯେ ନିଶ୍ଚିତ ଭାବେ ସ୍ଵତନ୍ତ୍ର, ତାହା ବୁଝିବାକୁ ଆଉ ବାକି ରହେନାହିଁ l ତେବେ ଭାରତରେ ପ୍ରଚଳିତ
ଏହି ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି ବ୍ୟବସ୍ଥା ବିଦେଶରେ ଦେଖାଯାଏ ନାହିଁ, ଭାରତରେ ମଧ୍ୟ ତାହା
ଅତୀତରେ ନ ଥିଲା l ଇଂରେଜ ଶାସନର ଶେଷ ବେଳକୁ ସେମାନେ ଭାରତୀୟ ଅମଲାଙ୍କ ପାଇଁ ଏହି ବ୍ୟବସ୍ଥାଟି
ଆରମ୍ଭ କଲେ, କାରଣ ଭାରତୀୟମାନେ ମୁଣ୍ଡରେ ତେଲ ଲଗାଉଥିବାରୁ ଚଉକିରେ ଦାଗ ଲାଗି ଯାଉଥିଲା l ଚଉକିଗୁଡିକୁ
ତେଲ ଦାଗ ଲାଗିବାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ସେମାନଙ୍କ ପାଇଁ ଲାଗୁ
ନଥିଲା l ଅର୍ଥାତ୍, ସେମାନେ ବସୁଥିବା ଚଉକି ଉପରେ ଟର୍କିସ ଟାଓ୍ଵେଲ ପଡୁ ନଥିଲା l ସେମାନଙ୍କର ଭାରତୀୟଙ୍କ
ତେଲମଖା ମୁଣ୍ଡ ପ୍ରତି ଘୃଣାରୁ ଉତ୍ପନ୍ନ ଏହି ବ୍ୟବସ୍ଥାଟିକୁ ଭାରତୀୟ ଅମଲାମାନେ ଏକ ସମ୍ମାନ ଭାବେ
ଗ୍ରହଣ କରିନେଲେ, ଆଉ ତାହା କ୍ରମଶଃ କ୍ଷମତା ପ୍ରଦର୍ଶନର ଏକ ଅଳଙ୍କାର ପାଲଟିଗଲା l
ଚଉକି ଉପରେ ପଡୁଥିବା ତଉଲିଆଟି ଏକ ସାଧାରଣ
ତଉଲିଆ ନ ହୋଇ ଟର୍କିସ ଟାଓ୍ଵେଲ ହୋଇଥାଏ l ସପ୍ତଦଶ ଶତାବ୍ଦୀରେ ତୁର୍କୀର ବୁର୍ସା ସହରରେ ପ୍ରଥମେ
ତିଆରି ହୋଇଥିବା ଟର୍କିସ ଟାଓ୍ଵେଲର ବିଶେଷତ୍ଵ ହେଲା ଏହା ଏକ ପ୍ରକାର ଲମ୍ଵା ତୁଳାରେ ପ୍ରସ୍ତୁତ
ହେଉଥିବାରୁ ଏହା ନରମ ଓ ଆରାମ ଦାୟକ l ସେ ଅଞ୍ଚଳରେ ଏହି ଟାଓ୍ଵେଲ ଆଦୃତ ହେବା ସ୍ଵାଭାବିକ ହୋଇଥିଲେ
ମଧ୍ୟ ଭାରତରେ ଏହା ଏଭଳି ଏକ ଭିନ୍ନ ଉପଯୋଗରେ ଆସି ଆଦୃତି ଲାଭ କରିବ ବୋଲି ସେମାନେ କେବେ ଭାବି ନଥିବେ
l ଭାରତୀୟ ଅମଲାମାନେ କାର୍ଯ୍ୟାଳୟରେ ବ୍ୟବହୃତ ଚଉକିଟିକୁ ନିଜ ସିଂହାସନ ବୋଲି ମନେ କରିଥାନ୍ତି
l ଏହି ସିଂହାସନକୁ ତ ଆଉ ଅମୂଲ୍ୟ ପଥର ଖଚିତ କରି ହେବନାହିଁ, ତେଣୁ ଟର୍କିସ ଟାଓ୍ଵେଲରେ କାମ ଚଳାଇବା
କଥା l କେହି କେହି ଟାଓ୍ଵେଲ ପକାଇବାର କାରଣ ସମ୍ପର୍କରେ ମତ ରଖିଥାନ୍ତି ଯେ ଭାରତ ଏକ ଗ୍ରୀଷ୍ମ ପ୍ରଧାନ
ଦେଶ ହୋଇଥିବାରୁ ଏଠାରେ ବହୁତ ଝାଳ ବାହାରେ l ତଉଳିଆଟି ଉଦବୃତ୍ତ ଝାଳକୁ ଶୋଷି ନେଇ ଚଉକିକୁ ଖରାପ
ହେବାକୁ ଦେଇ ନଥାଏ l ଧୂଳି ବା କାଳି ପୋଛିବାରେ ମଧ୍ୟ ଏହି ତଉଲିଆ କାମରେ ଆସିଥାଏ l ଆଜିକାଲି ବାବୁଙ୍କ
ଅଫିସରେ ଏ.ସି. ଲାଗି ଥିବାରୁ ଝାଳ ବୋହିବାର ସମ୍ଭାବନା ନାହିଁ କି ଝର କଲମ ପ୍ରଚଳନ ନଥିବାରୁ କାଳି
ପୋଛିବାର ଆବଶ୍ୟକତା ନାହିଁ l ତା ସତ୍ତ୍ଵେ ଟାଓ୍ଵେଲ କିନ୍ତୁ ଅଦରକାରୀ ହୋଇନାହିଁ l ଅନ୍ୟ ପକ୍ଷରେ
ଅତ୍ୟାଧୁନିକ ବହୁ ମୂଲ୍ୟ ଇଟାଲିଆନ ଚମଡା ଅପହୋଲଷ୍ଟରୀ (ଯେଉଁଠି ଲୋକେ ଆସବାବରେ ବ୍ୟବହୃତ ଚମଡାକୁ
ପ୍ରଦର୍ଶନ କରିବା କଥା) ଚଉକି ହେଉ ବା ସାଧାରଣ କ୍ୟାନ ଚଉକି, ଏ ସବୁ ଉପରେ ଧୋବ ଫରଫର ଟାଓ୍ଵେଲ ଓହଳାଇବାକୁ
ବାବୁ ଓ ରାଜନେତାମାନେ ଷ୍ଟାଟସର ପ୍ରତୀକ ଭାବେ ଗ୍ରହଣ କରି ନେଲେଣି l ଧଳା ଟାଓ୍ଵେଲ ଚଉକିରୁ ଆହୁରି
ଆଗକୁ ବଢି ବାବୁଙ୍କ ଗାଡିର ସିଟ ପଛକୁ ମଧ୍ୟ ମାଡି ଗଲାଣି l
ଭାରତୀୟ ବାବୁମାନଙ୍କ ଏହି ତଉଳିଆ ପ୍ରେମ ଅନେକ
ଲେଖାରେ କଟାକ୍ଷର ବିଷୟ ପାଲଟିଛି l ଉଦାହରଣ ସ୍ଵରୂପ, ଆଲେକଜାଣ୍ଡର ମ୍ୟାକକଲଙ୍କ ପୁସ୍ତକ ‘ହେଭେନଲି
ଡେଟ ଆଣ୍ଡ ଅଦର ଫ୍ଲାର୍ଟେସନସ’ରେ ଉଲ୍ଲେଖ ହୋଇଛି, ‘ବାସ୍ତବରେ ବାବୁଙ୍କ ଚଉକି ପଛରେ ଓହଳିଥିବା ଟାଓ୍ଵେଲଟି
ଏକ ଉଦଘୋଷଣା କରିଥାଏ - ତଉଲିଆଟି ଯେତେ ପରିଷ୍କାର ହୋଇଥିବ ଅଫିସ ପିଅନଙ୍କ ଉପରେ ବାବୁଙ୍କ ସେତେ
ଅଧିକ କର୍ତ୍ତୃତ୍ଵ ଥିବ l ତାଙ୍କର ଯଦି ଦୁଇଟି ଟାଓ୍ଵେଲ ଥିବ - ଗୋଟିଏ ପଛ ପାଖରେ ଓ ଅନ୍ୟଟି ହାତ
ରଖା ଯାଗାରେ - ତାହାହେଲେ ବୁଝିନେବାକୁ ହେବ ସେ ଜଣେ ଅପେକ୍ଷାକୃତ ବରିଷ୍ଠ ଅଧିକାରୀ l’ କିନ୍ତୁ
ଏ ଭଳି କଟାକ୍ଷକୁ ବାବୁ ଓ ରାଜନେତାମାନେ ଆଦୌ ଖାତିର ନକରି ଏହା ସେମାନଙ୍କ ବାବୁଗିରି ଓ ନେତାଗିରିର
ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଗ୍ରହଣ କରି ନେଲେଣି, ଯଦ୍ଦ୍ଵାରା ରାଜକୋଷରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର
ଅନାବଶ୍ୟକ ଖର୍ଚ୍ଚ କରିବାକୁ ହେଉଛି l କୁହାଯାଏ ଏହି ଟାଓ୍ଵେଲ କିଣିବା ପାଇଁ ଅଫିସଗୁଡିକର ବଜେଟରେ
ସେପରି ପ୍ରାବଧାନ ନଥିବାରୁ ଏହା ଆକସ୍ମିକ (କଣ୍ଟିଞ୍ଜେନ୍ସି) ପାଣ୍ଠିରୁ ଖର୍ଚ୍ଚ ହୋଇଥାଏ l ତେଣୁ
ବର୍ଷ ପୂରିଲେ ନୂଆ ଟାଓ୍ଵେଲ କିଣାହୁଏ ଓ ପୁରୁଣା ଟାଓ୍ଵେଲ ବାବୁଙ୍କ ଘରକୁ ଚାଲି ଆସୁଥିବାର ଶୁଣାଯାଏ
l
କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଏହି ଚଉକିକୁ
ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ବ୍ୟବସ୍ଥାଟି ଆଉ କେବଳ କାର୍ଯ୍ୟାଳୟ ପରିସର ମଧ୍ୟରେ ସୀମିତ ନରହି
ଏଣିକି ସଭା ସମିତିର ମଞ୍ଚ ଯାଏଁ ପହଞ୍ଚିଲାଣି l ଅତିଥିମାନଙ୍କ ପାଇଁ ମଞ୍ଚ ଉପରେ ପଡୁଥିବା ଚଉକିରେ
ମଧ୍ୟ ଧଳା ଟର୍କିସ ଟାଓ୍ଵେଲ ପଡୁଛି l ଅଧିକାଂଶ କ୍ଷେତ୍ରରେ ମୁଖ୍ୟ ଅତିଥି ବା ବିଶେଷ ଭାବେ ଆମନ୍ତ୍ରିତ
ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ଚଉକିଟି ଉପରେ ପଡିଥିବା ତଉଲିଆଟିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ବୁଝି ହେବ
ଯେ ତାହା ଅନ୍ୟ ତଉଲିଆ ଅପେକ୍ଷା ଧଳା, ଲମ୍ଵା ଓ ଉଚ୍ଚ ମାନ (କ୍ଵାଲିଟି)ର l ଆଜିକାଲି ସଭାସମିତିକୁ
କୌଣସି ଅତି ବିଶିଷ୍ଟ ବ୍ୟକ୍ତି ଆମନ୍ତ୍ରିତ ହୋଇ ଆସୁଥିଲେ ସେମାନେ ଆଉ ସାଧାରଣ ଚଉକିରେ ବସିବାକୁ
ପସନ୍ଦ କରୁନାହାନ୍ତି l ସେମାନଙ୍କ ପାଇଁ ସିଂହାସନ ମାର୍କା ସ୍ଵତନ୍ତ୍ର ଚଉକିର ବନ୍ଦୋବସ୍ତ କରିବାକୁ
ହେଉଛି l ଅବଶ୍ୟ ଏ ଭଳି ଆବଶ୍ୟକତାକୁ ପୂରଣ କରିବାକୁ ଛୋଟ ଛୋଟ ସହରମାନଙ୍କରେ ଥିବା ଟେଣ୍ଟହାଉସଗୁଡିକରେ
ମଧ୍ୟ ଏହି ଧରଣର ଚଉକି ଉପଲବ୍ଧ ହୋଇଯାଉଛି l ମାତ୍ର ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ଵର୍ଗତ ଏ ପି ଜେ ଅବଦୁଲ କଲାମ ଏହି ସିଂହାସନ ରୂପୀ ଚଉକିଗୁଡିକର
ଘୋର ବିରୋଧୀ ଥିଲେ l ସେ ସଭା ସମିତିରେ ଯୋଗ ଦେଲାବେଳେ ଉଦ୍ୟୋକ୍ତାମାନେ ସ୍ଵାଭାବିକ ଭାବେ ଅତି ଉତ୍ସାହିତ
ହୋଇ ମଞ୍ଚ ଉପରେ ପଡିଥିବା ଅନ୍ୟ ଚଉକିଠାରୁ ତାଙ୍କ ପାଇଁ ଭିନ୍ନ ଏକ ସମ୍ଭ୍ରାନ୍ତ ଚଉକିର ବ୍ୟବସ୍ଥା
କରିଥାନ୍ତି l ସେ କ୍ଷେତ୍ରରେ କଲାମଙ୍କର ପ୍ରଥମ କାମ ହେଉଥିଲା, ମଞ୍ଚ ଉପରକୁ ଯିବା ମାତ୍ରେ ସେହି
ଚଉକିଟି ସ୍ଥାନରେ ଏକ ସାଧାରଣ ଚଉକି ପକାଇବା ସୁନିଶ୍ଚିତ କରିବା l କଲାମଙ୍କର ଏହି ଆନ୍ତରିକ ଇଚ୍ଛାକୁ
ସମ୍ମାନ ଜଣାଇ ପରବର୍ତ୍ତୀ ସମୟରେ ଉଦ୍ୟୋକ୍ତାମାନେ ମଧ୍ୟ ତାଙ୍କ ପାଇଁ ଭିନ୍ନ ଧରଣର ଚଉକି ପକାଇବାରୁ
କ୍ଷାନ୍ତ ହେଉଥିଲେ l ଏହାଦ୍ଵାରା କଲାମଙ୍କ ବ୍ୟକ୍ତିତ୍ଵରେ ଆଞ୍ଚ ଆସିବା ତ ଦୂରର କଥା, ବରଂ ତାଙ୍କ
ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ଅଧିକ ବଢୁଥିଲା l
ଏହି ‘ଧଳା ଟର୍କିସ ଟାଓ୍ଵେଲ ମାନସିକତା’ ଭିନ୍ନ
ଭିନ୍ନ ଭାବେ ମଧ୍ୟ ଅନ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ ହେଉଥିବା ଲକ୍ଷ୍ୟ କରାଯାଉଛି l ସ୍ଥଳ ବିଶେଷରେ
କୌଣସି ବଡ ହାକିମ ଦୂରଦୁରାନ୍ତକୁ ଯାଇ ଡାକ ବଙ୍ଗଳା ବା ସର୍କିଟ ହାଉସରେ ଅବସ୍ଥାନ କଲେ ସେଠାକାର
ବିଛଣା ଚାଦରଠାରୁ ଆରମ୍ଭ କରି କବାଟ, ଝରକାର ସ୍କ୍ରିନ ପର୍ଯ୍ୟନ୍ତ ବଦଳାଇ ଦିଆଯାଉଛି l ପୁରୁଣା ସାମଗ୍ରୀ
କୁଆଡେ ଯାଏ, ସମ୍ଭବତଃ ତାର ହିସାବ କାହା ପାଖରେ ନଥାଏ l ସେହି ମାନସିକତାର ବଶବର୍ତ୍ତୀ ହୋଇ ଅନେକ
ମନ୍ତ୍ରୀ ନୂଆ ଦାୟିତ୍ଵ ଗ୍ରହଣ କଲା ବେଳେ ତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟାଳୟର ଚଟାଣ ଟାଇଲ ପର୍ଯ୍ୟନ୍ତ
ବଦଳାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଇଥିବାର ଲଜ୍ଜାଜନକ ଉଦାହରଣମାନ ରହିଛି l
କ୍ରମଶଃ ଧଳା ଟର୍କିସ ଟାଓ୍ଵେଲ ମାନସିକତା ସାଧାରଣ
ଜନତାଙ୍କୁ ମଧ୍ୟ ଗ୍ରାସ କରୁଥିବା ଦେଖାଯାଉଛି l ବାହାଘର, ବ୍ରତଘରରେ ମଣ୍ଡପମାନଙ୍କରେ ସାଧାରଣ ଚଉକି
ସହ ଗଣ୍ୟମାନ୍ୟ ଲୋକଙ୍କ ବସିବା ପାଇଁ ସୋଫା ନ ହେଲେ ବି ଅଧିକ ଭଡା ଦେଇ କିଛି ଜାମା ପିନ୍ଧା ଚଉକିର
ବ୍ୟବସ୍ଥା କରାଯାଉଛି l ଏହା ଦ୍ଵାରା ଅତିଥିମାନଙ୍କ ସ୍ତର ଅନୁଯାୟୀ ଅତିଥି ସତ୍କାରରେ ଭେଦଭାବ କରାଯାଉଥିବା
ପରିଲକ୍ଷିତ ହେଉଛି l ‘ଅତିଥି ଦେବୋ ଭବ’ରେ ବିଶ୍ଵାସ କରୁଥିବା ଭାରତୀୟ ସଂସ୍କୃତିରେ ସବୁ ଅତିଥି
ସମାନ ମର୍ଯ୍ୟାଦାର ଅଧିକାରୀ ଓ ଅତିଥି ସତ୍କାରରେ କାଳେ ପାତର ଅନ୍ତର ହୋଇଯିବ ବୋଲି ଏଠାରେ ପଙକ୍ତି
ଭୋଜନର ପ୍ରଚଳନ ଥିଲାବେଳେ, ତା ଭିତରକୁ ‘ଜାମା ପିନ୍ଧା
ଚଉକି ମାନସିକତା’ ଧସେଇ ପସିବା ସେହି ସଂସ୍କୃତିର ପରିପନ୍ଥୀ ହେଉ ନାହିଁ କି ?
ପ୍ରତିବର୍ଷ ମେ ୨୫ ତାରିଖକୁ ‘ବିଶ୍ଵ ତଉଲିଆ
ଦିବସ’ ଭାବେ ପାଳନ କରାଯାଇଥାଏ l ୨୦୧୪ ମସିହାର ଏହି ଦିନର ଠିକ ଗୋଟିଏ ଦିନ ପରେ ଏନଡିଏ ସରକାର କ୍ଷମତାକୁ
ଆସିଥିଲେ l କହିବା ବାହୁଲ୍ୟ ଯେ ସେ ଦିନ ଅଧିକାଂଶ ମନ୍ତ୍ରୀଙ୍କ ଚଉକି ଉପରେ ପଡିଥିବା ଏହି ଧଳା ଟର୍କିସ
ଟାଓ୍ଵେଲ ଦର୍ଶାଉଥିଲା ଯେ ସ୍ଵାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ କିପରି ଆମର ଉପନିବେଶୀୟ ଦାସତ୍ଵର
ପ୍ରତୀକଗୁଡିକୁ ପରିତ୍ୟାଗ କରିବାର ସାହସ ଜୁଟାଇ ପାରିନାହୁଁ, ବରଂ ତାକୁ ଅଧିକ ଉପଭୋଗ କରୁଛୁ l ଗାଡି
ଉପରେ ନାଲି ବତୀ ଲାଗିବା ବ୍ୟବସ୍ଥା ଉଠି ଯାଇଥିଲେ ମଧ୍ୟ ଆମ ରାଜନେତା ଓ ବାବୁଙ୍କର ନାଲି ବତୀ ମାନସିକତା
ଏ ଯାଏଁ ଯାଇନାହିଁ l ତାହା ରହି ରହି ଭିନ୍ନ ଭାବେ ପ୍ରଦର୍ଶିତ ହେଉଛି ଓ ସେହି କ୍ରମରେ ଏହି ଧଳା
ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି ବ୍ୟବସ୍ଥାଟି ସେହି ମାନସିକତାର ଏକ ଭିନ୍ନ ପରିପ୍ରକାଶ ମାତ୍ର l
ରାଜନେତା ଓ ବାବୁମାନେ ଏହା ସେମାନଙ୍କର ଅଧିକାର ବୋଲି ସ୍ଵଚ୍ଛନ୍ଦରେ ଗ୍ରହଣ କରି ନେଉଥିଲା ବେଳେ
ସାଧାରଣ ଜନତା ତାକୁ ବିରୋଧ ନ କରିବା ଦ୍ଵାରା ‘ଲୋକେ ତାହା ଚାହୁଁଛନ୍ତି’ ବୋଲି ସେମାନଙ୍କର ପ୍ରତ୍ୟୟ
ସୃଷ୍ଟି ହେଉଛି l ଏହିପରି ଉପନିବେଶୀୟ ଦାସତ୍ଵର ପ୍ରତୀକଗୁଡିକୁ ଚିହ୍ନଟ କରି ରାଜନେତା ଓ ବାବୁମାନଙ୍କୁ
ସେଗୁଡିକୁ ପରିତ୍ୟାଗ କରିବାର ମାନସିକତା ବିକାଶ କରିବାକୁ ହେବ l ଆମେ ଯେ ପର୍ଯ୍ୟନ୍ତ ଏ ଭଳି ସାମନ୍ତବାଦୀ
ମାନସିକତାରୁ ନିଜକୁ ମୁକୁଳାଇ ପାରି ନାହାନ୍ତି, ସେ ପର୍ଯ୍ୟନ୍ତ ପ୍ରକୃତ ଅର୍ଥରେ ସମତା ଆଧାରିତ ଏକ
ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ସମ୍ଭବ ହେବନାହିଁ l
Published on Sambad (24th Dec 2018)
Comments
Post a Comment