ଏନଡିଏ ସରକାର କ୍ଷମତାକୁ ଆସିଲା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦ ହଜାର ଏନଜିଓଙ୍କର ଏଫସିଆରଏ ଲାଇସେନ୍ସ ବାତିଲ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଆଇନର ବିଭିନ୍ନ ପ୍ରାବଧାନକୁ ଉଲ୍ଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ସରକାର ଏମାନଙ୍କ ଲାଇସେନ୍ସକୁ ବାତିଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଭଳି ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ଏଫସିଆରଏ ପ୍ରାବଧାନକୁ ଉଲ୍ଲଂଘନ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କିପରି ସେମାନଙ୍କ ଖସିଯିବା ପାଇଁ ନିଜେ ଗଳାବାଟଟିଏ ପ୍ରସ୍ତୁତ କରିପାରନ୍ତି, ତାର ଏକ ନଗ୍ନ ନମୁନା ସରକାରଙ୍କ ଗତ ଅର୍ଥ ବିଲରେ ଦେଖିବାକୁ ମିଳିଥିଲା ।
ବିଦେଶୀ ଦାନକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୧୯୭୬ ମସିହାରେ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ (ଫରେନ କଂଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ) ବା ଏଫସିଆରଏ, ୧୯୭୬ ପ୍ରଚଳନ ହୋଇଥିଲା । ଅନୁଧ୍ୟାନ କଲେ ଜଣାଯିବ ଯେ ମୂଳ ରୂପରେ ଏହି ଆଇନଟିରେ ଜରୁରୀକାଳୀନ ପରିସ୍ଥିତିରେ ଶାସକ ଦଳ ଓ ସରକାରୀ ମାନସିକତାର ପ୍ରତିଫଳନ ହୋଇଥିଲା । ସେତେବେଳେ ବିଭିନ୍ନ ରାଜନୈତିକ ଦଳ ଓ ସମ୍ବାଦପତ୍ର ସଂସ୍ଥାଙ୍କ ନିକଟରେ ଯେପରି କୌଣସି ବିଦେଶୀ ଦାନ ନ ପହଞ୍ଚେ ସେଥିପାଇଁ ସରକାର ଏହି ଆଇନର ପରିକଳ୍ପନା କରିଥିଲେ । ଏନଜିଓମାନଙ୍କ ସଂଖ୍ୟା ଓ ସେମାନେ ପାଉଥିବା ବିଦେଶୀ ଦାନ ସେତେବେଳେ ନଗଣ୍ୟ ଥିଲା । ୟୁପିଏ ସରକାର ୨୦୧୦ ମସିହାରେ ଏହି ଆଇନକୁ ସଂଶୋଧନ କରି ଏଫସିଆରଏ, ୨୦୧୦ ଆଇନ ପ୍ରଣୟନ କଲେ, ଯାହା ୨୦୧୧ ମସିହାରୁ କାର୍ଯ୍ୟ କରୁଛି ।
ଏଫସିଆରଏ, ୧୯୭୬ର ପ୍ରସ୍ତାବନାରେ ଲେଖା ହୋଇଛି, “ଏହା କିଛି ବ୍ୟକ୍ତି ବିଶେଷ ଓ ସଂଗଠନଙ୍କ ଦ୍ୱାରା ଦିଆଯାଇଥିବା ବିଦେଶୀ ଦାନ ଓ ବିଦେଶୀ ସତ୍କାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ, ଯଦ୍ଦ୍ୱାରା ଜାତୀୟ ଜୀବନର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟରତ ସଂସଦୀୟ ସଂସ୍ଥା, ରାଜନୈତିକ ସଂଗଠନ, ଶୈକ୍ଷିକ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ଓ ବ୍ୟକ୍ତିବିଶେଷ ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ମୂଲ୍ୟବୋଧ ସଂଗତ କାର୍ଯ୍ୟ କରିବେ ....।” ସେହିପରି ଏଫସିଆରଏ, ୨୦୧୦ର ପ୍ରସ୍ତାବନାରେ ଉଲ୍ଲେଖ ହୋଇଛି, “ଏହା....ବିଦେଶୀ ଦାନ ଓ ବିଦେଶୀ ସତ୍କାର ବ୍ୟବହାର କରି ଜାତୀୟ ସ୍ୱାର୍ଥହାନି ହେଲା ଭଳି କୌଣସି କାର୍ଯ୍ୟକୁ ନିଷେଧ କରିବା ପାଇଁ ଏକ ଆଇନ ।” ଏହି ସଂଶୋଧିତ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦେଶୀ ଦାନ ପାଇଁ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ସ୍ୱର ଉଠାଉଥିବା ଏନଜିଓମାନଙ୍କ ଗତିବିଧି ଉପରେ ଲଗାମ ଲଗାଇବା ।
ଏଫସିଆରଏ, ୧୯୭୬ର ଅନୁଚ୍ଛେଦ ୪ ଓ ୨୦୧୦ ଆଇନର ଅନୁଚ୍ଛେଦ ୩ ଅନୁସାରେ କୌଣସି ବିଦେଶୀ କମ୍ପାନୀ ବା ବିଦେଶୀ ଉତ୍ସରୁ ଭାରତରେ ପଞ୍ଜିକୃତ କୌଣସି ରାଜନୈତିକ ଦଳ ଦାନ ଗ୍ରହଣ କରିବା ନିଷିଦ୍ଧ । ଏହାର ଉଲ୍ଲଂଘନ ଏକ ଗମ୍ଭୀର ଆପରାଧିକ ମାମଲା । ବିଦେଶରେ ପଞ୍ଜିକୃତ କମ୍ପାନୀର ସହାୟକ (ସବସିଡିଆରି) କମ୍ପାନୀଗୁଡିକ ମଧ୍ୟ ଏହି ଆଇନରେ ବିଦେଶୀ କମ୍ପାନୀ ଭାବେ ପରିଗଣିତ ହେବେ । କମ୍ପାନୀ ଆଇନ, ୧୯୫୬ର ଅନୁଚ୍ଛେଦ ୫୯୧ରେ ବିଦେଶୀ କମ୍ପାନୀ ପର୍ଯ୍ୟାୟବାଚୀ ସମସ୍ତ କମ୍ପାନୀଙ୍କୁ, ଏହି ଆଇନରେ ମଧ୍ୟ ବିଦେଶୀ କମ୍ପାନୀ ଭାବେ ଗ୍ରହଣ କରାଯିବ ।
୨୦୦୪ରୁ ୨୦୧୦ ମସିହା ମଧ୍ୟରେ ପ୍ରାୟ ୨୫ଟି ବିଦେଶୀ କମ୍ପାନୀଠାରୁ ଉଭୟ ବିଜେପି ଓ କଂଗ୍ରେସ ଦଳ କୋଟି କୋଟି ଟଙ୍କାର ଦାନ ଗ୍ରହଣ କରିଥିଲେ, ଯାହା ଏଫସିଆରଏ ଆଇନର ସିଧାସଳଖ ଉଲ୍ଲଂଘନ କରୁଥିଲା । ପରବର୍ତ୍ତୀ ସମୟରେ ମଧ୍ୟ ଏହି ଦାନ ଗ୍ରହଣ ପ୍ରକ୍ରିୟା ଜାରି ରହିଥିଲା । କେବଳ ସେତିକି ନୁହେଁ, ଏହି ବିଦେଶୀ ଦାନ, ଯାହା ଆଇନତଃ ଅବୈଧ, ଉପରେ ଆୟକର ଛାଡ ନେଇ ଆୟକର ଆଇନର ମଧ୍ୟ ଉଲ୍ଲଂଘନ ହୋଇଥିଲା । ଅନୀଲ ଅଗ୍ରଓାଲଙ୍କ କମ୍ପାନୀ ବେଦାନ୍ତ ରିସୋର୍ସେସ ଏକ ବିଦେଶୀ କମ୍ପାନୀ ଓ ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । ଏହାର ଭାରତରେ ଥିବା ସହାୟକ କମ୍ପାନୀ ଷ୍ଟେରଲାଇଟ ଇଣ୍ଡଷ୍ଟ୍ରିଜ, ସେସା ଗୋଆ, ମାଡ୍ରାସ ଆଲୁମିନିୟମ କମ୍ପାନୀ (ମାଲକୋ) ଆଦି ଆଇନ ଆନୁଯାୟୀ ବିଦେଶୀ କମ୍ପାନୀ ପର୍ଯ୍ୟାୟବାଚୀ । ବେଦାନ୍ତ କମ୍ପାନୀ ଏହି ସହାୟକ କମ୍ପାନୀଗୁଡିକ ଜରିଆରେ ଉଭୟ ଦଳକୁ ପାଣ୍ଠି ପ୍ରଦାନ କରିଛି । ଓଡିଶାରେ ବିଜେଡି ମଧ୍ୟ ବେଦାନ୍ତ ଦାନର ଲାଭାର୍ଥୀ ବୋଲି ଅଭିଯୋଗ ହୁଏ । ବେଦାନ୍ତର ୨୦୧୨ ମସିହା ବାର୍ଷିକ ବିବରଣୀ ଅନୁଯାୟୀ ସେହି ବର୍ଷ ବେଦାନ୍ତ ଗ୍ରୁପ ଭାରତର ରାଜନୈତିକ ଦଳମାନଙ୍କୁ ସିଧାସଳଖ ବା ଟ୍ରଷ୍ଟ ଜରିଆରେ ପ୍ରାୟ ୨୦ ଲକ୍ଷ ଡଲାର ଦାନ ଆକାରରେ ଦେଇଥିଲା । କମ୍ପାନୀ ବୋର୍ଡର ବିଶ୍ୱାସ ଯେ ଭାରତର ଏହି ରାଜନୈତିକ ପ୍ରକ୍ରିୟାରେ ସହଯୋଗ ଦ୍ୱାରା ଗଣତାନ୍ତ୍ରିକ ପ୍ରକିୟା ଉତ୍ସାହିତ ଓ ସୁଦୃଢ ହୋଇପାରିବ ।
ଜନ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଅନୁଚ୍ଛେଦ ୨୯(ଖ) ଓ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ ୨୦୧୦ର ଅନୁଚ୍ଛେଦ ୩(୧)(ଗ) ଅନୁଯାୟୀ ରାଜନୈତିକ ଦଳର ବିଦେଶୀ କମ୍ପାନୀଠାରୁ ଦାନଗ୍ରହଣ ନିଷିଦ୍ଧ । ପ୍ରମୁଖ ରାଜନୈତିକ ଦଳଗୁଡିକ ଆଇନକୁ ସମ୍ମାନ ଜଣାଇବେ ବୋଲି ଆଶା କରାଯାଏ । ଆଇନକୁ ଉଲ୍ଲଂଘନ କରି ସେମାନେ ସାଧାରଣ ଜନତାଙ୍କ ଆଗରେ ଏକ ଖରାପ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରତିବାଦ କରି ଆସୋସିଏସନ ଅଫ ଡେମୋକ୍ରାଟିକ ରାଇଟସ (ଏଡିଆର) ସଂସ୍ଥା ଓ ପୂର୍ବତନ ଅର୍ଥ ସଚିବ ଇ.ଏ.ଏସ. ଶର୍ମା ଦିଲ୍ଲୀ ହାଇକୋର୍ଟରେ ୨୦୧୩ ମସିହା ଜାନୁଆରୀରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ମାର୍ଚ୍ଚ ୨୮, ୨୦୧୪ରେ କୋର୍ଟ ତାଙ୍କ ରାୟରେ ବିଦେଶୀ କମ୍ପାନୀଙ୍କଠାରୁ ଦାନ ନେଇଥିବା ଓ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଦଳକୁ ଦୋଷୀ ସାବ୍ୟସ୍ତ କଲେ । ଏଥି ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କୁ ୬ ମାସ ମଧ୍ୟରେ ଉଭୟ ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ । ଉଭୟ ଦଳ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ପ୍ରତିବାଦ କରି ସୁପ୍ରିମକୋର୍ଟରେ ବିଶେଷ ଲିଭ ପିଟିସନ ଦାଖଲ କଲେ । ସୁପ୍ରିମକୋର୍ଟ ପିଟିସନକୁ ଗ୍ରହଣ କଲେ ମଧ୍ୟ ରାୟ ବିରୁଦ୍ଧରେ ରହିତାଦେଶ ଦେବାକୁ ମନା କରିଦେଲେ ।
ଦିଲ୍ଲୀ ହାଇକୋର୍ଟଙ୍କ ରାୟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଅବୈଧ କାର୍ଯ୍ୟକୁ ଏଫସିଆରଏରେ ସଂଶୋଧନ ଆଣି କିପରି ବୈଧ କରାଯାଇ ପାରିବ, ତାହାର ଚିଠା ପ୍ରସ୍ତୁତ ହେଲା । ଭାରତୀୟ କମ୍ପାନୀ ଆଇନ, ୧୯୫୬ର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ନିୟମ ଅନୁୟାୟୀ ଯେ କୌଣସି କମ୍ପାନୀ, ଯାହାର ମୋଟ ମୂଲ୍ୟ (ନେଟଓର୍ଥ) ୫୦୦ କୋଟି ଟଙ୍କା ହୋଇଥିବ ବା ବାର୍ଷିକ ରାଜସ୍ୱ ୧୦୦୦ କୋଟି ଟଙ୍କା ହୋଇଥିବ ବା ବାର୍ଷିକ ୫ କୋଟି ଟଙ୍କା ଲାଭ ହୋଇଥିବ, ତାର ୩ ବର୍ଷ ହାରାହାରି ଲାଭର ଶତକଡା ୨ ଭାଗ ସାମାଜିକ ବିକାଶ କାର୍ଯ୍ୟରେ ସିଧାସଳଖ ବା କୌଣସି ପରୋପକାରୀ ଅନୁଷ୍ଠାନ ଜରିଆରେ ବା କୌଣସି ଲାଭ ଉଦ୍ଦେଶ୍ୟ ନଥିବା (ନଟ ଫର ପ୍ରଫିଟ) ସଂସ୍ଥା ସହ ମିଶି ଖର୍ଚ୍ଚ କରିବେ । ମାତ୍ର ଯେଉଁ କମ୍ପାନୀର ଅଂଶଧନରେ ଶତକଡା ୫୦ ଭାଗ ବିଦେଶୀ ମାଲିକାନା ଥିବ, ସେହି କମ୍ପାନୀରୁ ମିଳୁଥିବା ଦାନ ବିଦେଶୀ ଦାନ ଭାବେ ବିବେଚିତ ହେବ । ଏ କ୍ଷେତ୍ରରେ ଏହି କମ୍ପାନୀଗୁଡିକ କେବଳ ଗୃହ ମନ୍ତ୍ରଣାଳୟରେ ପଞ୍ଜିକୃତ ଲାଭ ଉଦ୍ଦେଶ୍ୟ ନଥିବା ସଂଗଠନ ସହ ମିଶି ଏହି ଅର୍ଥ ଖର୍ଚ୍ଚ କରିପାରିବେ । ସରକାର ଏହି ନିୟମରେ ସଂଶୋଧନ ଆଣିଲେ । ଫଳରେ ବିଦେଶୀ କମ୍ପାନୀଠାରୁ ଲାଭ ଉଦ୍ଦେଶ୍ୟ ନଥିବା ସଂଗଠନ, ରାଜନୈତିକ ଦଳ, ନିର୍ବାଚନ ଲଢୁଥିବା ପ୍ରାର୍ଥୀ, ସମ୍ବାଦପତ୍ର, ସରକାରୀ କର୍ମଚାରୀ ଆଦିଙ୍କୁ ମିଳୁଥିବା ଦାନ ବିଦେଶୀ ଦାନ ଭାବେ ବିବେଚିତ ହେବନାହିଁ । ସରକାର ଏଫସିଆରଏରେ ଏହି ସଂଶୋଧନ କରି ତାକୁ ଅର୍ଥ ବିଲ, ୨୦୧୬ ଜରିଆରେ ପାରିତ କରାଇ ନେଲେ । କେବଳ ସେତିକି ନୁହେଁ, ଏହି ସଂଶୋଧନର କାର୍ଯ୍ୟକାରିତା ପିଛିଲା ଭାବେ ୨୬ ସେପ୍ଟେମ୍ବର ୨୦୧୦ରୁ ଲାଗୁ ହେବ ବୋଲି କରାଇନେଲେ । ଏହି ସଂଶୋଧନ ଦ୍ୱାରା ରାଜନୈତିକ ଦଳଗୁଡିକର ବିଦେଶୀ କମ୍ପାନୀଙ୍କଠାରୁ ଦାନ ଗ୍ରହଣ କରିବାର ବାଟ ପରିଷ୍କାର ହୋଇଗଲା ।
ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ପ୍ରତିହତ କରିବା ପାଇଁ ସଂଶୋଧିତ ଆଇନରେ ଉଭୟ ଶାସକ ଓ ବିରୋଧୀ ଦଳ ଲାଭାନ୍ୱିତ ହେଉଥିବାରୁ, ବିଲଟିକୁ ଅତି ତରବରିଆ ଭାବେ ଅର୍ଥ ବିଲର ଅଂଶ ବିଶେଷ କରି ପାରିତ କରାଇ ନେଲେ, ଯେମିତି ‘ଆଧାର’ ବିଲ କ୍ଷେତ୍ରରେ ହୋଇଥିଲା । ଏଫସିଆରଏ, ୨୦୧୦ର ଆଇନକୁ ପାଣିଚିଆ କରିବା ଉଦ୍ଦେଶ୍ୟରେ ଅର୍ଥ ବିଲ, ୨୦୧୬ରେ ଖଂଡ ୨୩୩କୁ ଯୋଡି ଦିଆଗଲା, ଯଦ୍ଦ୍ୱାରା ବିଦେଶୀ କମ୍ପାନୀର ସଂଜ୍ଞା ସମ୍ପୂର୍ଣ୍ଣ ବଦଳିଗଲା । ନୂଆ ସଂଜ୍ଞା ଅନୁଯାୟୀ, କୌଣସି କମ୍ପାନୀରେ ବିଦେଶୀ ସଂସ୍ଥାର ଶତକଡା ୫୦ ଭାଗରୁ କମ ଅଂଶଧନ ଥିଲେ ତାହା ବିଦେଶୀ କମ୍ପାନୀ ଭାବେ ପରିଗଣିତ ହେବ ନାହିଁ । ପରବର୍ତ୍ତୀ ସମୟରେ ଉଭୟ ଦଳ ଏହି ସଂଶୋଧିତ ଆଇନକୁ ତର୍ଜମା କରି ଓ ଆଶ୍ୱସ୍ତ ହୋଇ ପିଟିସନ ପ୍ରତ୍ୟାହାର କରି ନେଇଥିବାରୁ ସୁପ୍ରିମକୋର୍ଟ ୨୯ ନଭେମ୍ବର ୨୦୧୬ରେ ମାମଲାଟିକୁ ଖାରଜ କରି ଦେଇଥିଲେ । ଫଳରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା ଓ ଆଶା କରାଯାଉଥିଲା ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନ ଉଭୟ ଦଳଙ୍କ ବିରୁଦ୍ଧରେ ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମାତ୍ର ଏନଜିଓମାନଙ୍କ କ୍ଷେତ୍ରରେ ଏଫସିଆରଏ ଉଲ୍ଲଂଘନ ପାଇଁ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯେଉଁ ତତ୍ପରତା ଦେଖାଇଥିଲେ, ଏ କ୍ଷେତ୍ରରେ ସେପରି କିଛି ଦେଖିବାକୁ ମିଳିଲା ନାହିଁ ।
କିଛି ଦିନର ନୀରବତା ପରେ ମାର୍ଚ୍ଚ ୧୪, ୨୦୧୮ରେ ସେହି ବର୍ଷର ଅର୍ଥ ବିଲ ପାରିତ ହେବା ସହ ୨୧ଟି ସଂଶୋଧନ ଅତି ତରବରିଆ ଭାବେ ଅଧ ଘଣ୍ଟା ମଧ୍ୟରେ ସଂସଦରେ ବିନା ଆଲୋଚନାରେ ଗୃହୀତ ହୋଇଗଲା । ଏହି ସଂଶୋଧନଗୁଡିକ ମଧ୍ୟରେ ଗୋଟିଏ ଥିଲା, ଏଫସିଆରଏ, ୨୦୧୦ରେ ଥିବା ବିଦେଶୀ ଦାନ ସଂକ୍ରାନ୍ତୀୟ ଆଇନରେ ସଂଶୋଧନ । ତଦନୁଯାୟୀ ରାଜନୈତିକ ଦଳଗୁଡିକୁ ମିଳୁଥିବା ବିଦେଶୀ ଦାନ ଆଉ ଜାଞ୍ଚ ବା ବିବେଚନାର ପରିସରଭୁକ୍ତ ହେବନାହିଁ, ତାହା ପୁଣି ପିଛିଲା ଭାବେ ଅଗଷ୍ଟ ୫, ୧୯୭୬ ମସିହାରୁ, ଯେବେଠାରୁ ପୁରୁଣା ଏଫସିଆରଏ ଆଇନର ପ୍ରଚଳନ ହୋଇଥିଲା । ପିଛିଲା ଭାବେ ଆଇନଟିର ସଂଶୋଧନ କରିବାର ଏକମାତ୍ର କାରଣ ହେଉଛି ଉପରୋକ୍ତ ଦଳଗୁଡିକ ୨୦୧୦ ପୂର୍ବରୁ ନେଇଥିବା ବିଦେଶୀ ଦାନକୁ ବୈଧ ବୋଲି ଆଇନ ତିଆରି କରି ନିଜେ ଦଣ୍ଡମୁକ୍ତ ହେବା । ‘ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା’ ନ୍ୟାୟରେ ପ୍ରମୁଖ ବିରୋଧୀ ଦଳ ବିରୋଧ ନ କରି ଚୁପ ରହିବା ସ୍ୱାଭାବିକ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଦାଲତ ଦ୍ୱାରା ନିନ୍ଦିତ ଓ ଦଣ୍ଡିତ ହେବା ପରେ ରାଜନୈତିକ ଦଳମାନେ ସେମାନଙ୍କୁ ସୁହାଇଲା ଭଳି ଆଇନକୁ ପରିବର୍ତ୍ତନ କରିବା କେତେ ଦୂର ନୀତି ଓ ଆଇନସଙ୍ଗତ ? ଏହା ରାଜନୈତିକ ସ୍ୱାର୍ଥ-ଦ୍ୱନ୍ଦ୍ୱର ପ୍ରଶ୍ନ ଉଠାଉ ନାହିଁ କି ? ସାଧାରଣ ଲୋକଙ୍କ ପାଇଁ ସେମାନେ ଏ ଧରଣର ପଦକ୍ଷେପ ଗ୍ରହଣ କରିପାରିବେ କି ? ୧୯୭୬ ମସିହାର ଆଇନ ଅନୁଯାୟୀ ବିଦେଶୀ କମ୍ପାନୀର ସଂଜ୍ଞା ହେଉଛି ବିଦେଶରେ ପଞ୍ଜିକୃତ ବା ବିଦେଶରେ ସହାୟକ କମ୍ପାନୀ ଥିବା ଭାରତୀୟ ବା ବିଦେଶୀ କମ୍ପାନୀ । ଉଲ୍ଲେଖଯୋଗ୍ୟ, ଏଫସିଆରଏ, ୨୦୧୦ ଆଇନ ପ୍ରଚଳନ ସହ ୧୯୭୬ ଆଇନଟିକୁ ନିରସ୍ତ କରାଯାଇଥିବାରୁ ନୂଆ ସଂଶୋଧନଟି ପିଛିଲା ଭବେ ୧୯୭୬ରୁ ଲାଗୁ ହେବାର ସାମ୍ବିଧାନିକ ଓ ଆଇନଗତ ବୈଧତା କେତେ, ତାହା ପର୍ଯ୍ୟାଲୋଚନାର ବିଷୟ । କାରଣ ସେହି ସମୟ ମଧ୍ୟରେ ହୁଏତ ଆହୁରି ଅନେକ ଅନୁଷ୍ଠାନ ସେହି ଆଇନର ପୂର୍ବ ପ୍ରାବଧାନର ଉଲ୍ଲଂଘନ ପାଇଁ ଦଣ୍ଡିତ ହୋଇ ସାରିଥିବେ ।
ନିର୍ବାଚନୀ ରାଜନୀତିରେ କର୍ପୋରେଟ କ୍ଷେତ୍ରର ପୁଞ୍ଜି ଲଗାଣ ନିର୍ବାଚନକୁ ପ୍ରଭାବିତ କରି ଗଣତନ୍ତ୍ରକୁ କି ଭଳି ବିପର୍ଯ୍ୟସ୍ତ କରିପାରେ ତାହା ଅନେକେ ଊଣା ଅଧିକେ ଅନୁଭବ କଲେଣି । ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳଗୁଡିକ ପାଇଁ ବିଦେଶୀ ଦାନର ବାଟ ଉନ୍ମୁକ୍ତ ହୋଇଗଲେ ଭାରତୀୟ ନିର୍ବାଚନ ଓ ରାଜନୀତି ଯେ ବିଦେଶୀ ପ୍ରଭାବ ଓ ଚାପରୁ ବର୍ତ୍ତି ପାରିବ ନାହିଁ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏହି ବିଦେଶୀ ଦାନ ଦ୍ୱାରା ଜାତୀୟ ସ୍ୱାର୍ଥହାନି ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ତାହା ଏଫସିଆରଏ, ୨୦୧୦ର ପ୍ରସ୍ତାବନାର ପରିପନ୍ଥୀ ହେଉନାହିଁ କି ? ଏହା ଭବିଷ୍ୟତରେ ଆମ ଦେଶର ସାବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ । ଜରୁରୀକାଳୀନ ପରିସ୍ଥିତିର କଳା ଆଇନକୁ ଆଜି ଯାଏଁ ସମାଲୋଚନା କରୁଥିବା ବିଜେପି, ସେହି ଜରୁରୀକାଳୀନ ପରିସ୍ଥିତିରେ ପ୍ରଣୀତ ଏକ ଆଇନର ଅଢୁଆଳରେ ନିଜକୁ ସୁରକ୍ଷା ପ୍ରଦାନ କରିବାର ଚେଷ୍ଟା କରିବା ବାସ୍ତବିକ ନିନ୍ଦନୀୟ । ଅର୍ଥ ବିଲ ମାଧ୍ୟମରେ ଲୁଚାଚୋରା ଭାବେ ଏଫସିଆରଏ ସଂଶୋଧନ ଓ ବିଦେଶୀ କମ୍ପାନୀର ସଂଜ୍ଞା ପରିବର୍ତ୍ତନ ଆଦୌ ଏକ ଗ୍ରହଣୀୟ ବିଧି ପ୍ରଣୟନ ପରମ୍ପରା ହୋଇ ନପାରେ । ଏହି ଧାରା ଗଣତନ୍ତ୍ର ପାଇଁ ବିପଜ୍ଜନକ । ତେଣୁ ରାଜନୈତିକ ଦଳମାନେ ଯେପରି ବିଦେଶୀ ଦାନ ପାଇଁ ଲାଳାୟିତ ନହୋଇ ସେଥିରୁ କ୍ଷାନ୍ତ ହୁଅନ୍ତି ସେଥିପାଇଁ ଜନମତ ସୃଷ୍ଟିର ଆବଶ୍ୟକତା ରହିଛି । ତାହାହେଲେ ଯାଇ ଆମ ଗଣତନ୍ତ୍ର ସୁଦୃଢ ହୋଇପାରିବ ।
Published in 10th Anniversary Special issue of Odia Daily Swatantrabarta on 26 December 2018
Send more
ReplyDeleteThanks. Yes I will post.
DeleteVery good article
DeleteVery good article
ReplyDeleteThanks, Ankit
Delete