ଭାରତ ସରକାରଙ୍କ ଦ୍ୱାରା ୨୦୨୧ ମସିହା ପାଇଁ ବ୍ରିଟିଶ ନାଟ୍ୟ ନିର୍ମାତା ଓ ନିର୍ଦ୍ଦେଶକ ପିଟର ବ୍ରୁକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଥା ଘୋଷଣା ହେଲା ବେଳେ ତାହା ଅନେକଙ୍କୁ ଚକିତ କରିଥିଲା । ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନଜଜନକ ପୁରସ୍କାର ଓ ସମ୍ମାନରେ ଭୂଷିତ ଏହି ୯୬ ବର୍ଷୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ଭାରତର ‘ପଦ୍ମଶ୍ରୀ’ ପୁରସ୍କାର ପାଇବାରେ ହେଉଛନ୍ତି ଦ୍ୱିତୀୟ ଅନ୍ତର୍ଜାତୀୟ ନାଟ୍ୟବ୍ୟକ୍ତିତ୍ୱ । ସମ୍ଭବତଃ, ବିଂଶ ଶତାବ୍ଦୀର ୮୦ ଦଶକରେ ବିଶ୍ୱର ବିଭିନ୍ନ ଦେଶରେ ମଞ୍ଚସ୍ଥ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୁହାଯାଏ ରିଚାର୍ଡ ଆଟେନବରୋଙ୍କ ନିର୍ଦ୍ଦେଶିତ ‘ଗାନ୍ଧୀ’ ସିନେମା ଯେପରି ଗାନ୍ଧୀଜୀ ଓ ଭାରତକୁ ବିଶ୍ୱ ପଟଳରେ ବଳିଷ୍ଠ ଭାବେ ଉପସ୍ଥାପିତ କରିଥିଲା, ଠିକ ସେହିପରି ପିଟର ବ୍ରୁକଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକଟି ଭାରତର ସମୃଦ୍ଧ ଭାଷା, କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ବଳିଷ୍ଠ ଢଙ୍ଗରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇଥଲା । ବିଂଶ ଶତାବ୍ଦୀରେ ନବନାଟ୍ୟ ଆନ୍ଦୋଳନର ବିକାଶରେ ପିଟର ବ୍ରୁକଙ୍କର ବଳିଷ୍ଠ ଅବଦାନ ଥିଲା । ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କ ନାଟ୍ୟଜୀବନରେ ସେ ନାଟ୍ୟ ଓ ସିନେମା ଜଗତକୁ ରୁଦ୍ଧିମନ୍ତ କଲା ଭଳି ଏତେ ମାଇଲଖୁଣ୍ଟି ସ୍ଥାପନ କରି ସାରିଛନ୍ତି ଯେ ତାଙ୍କୁ ଜଣେ ଜୀବନ୍ତ କିମ୍ୱଦନ୍ତୀ ନାଟ୍ୟପୁରୁଷ କହିଲେ କିଛି ଭୁଲ ହେବନାହିଁ ।
ମାର୍ଚ୍ଚ ୨୧, ୧୯୨୫ରେ ଲଣ୍ଡନଠାରେ ଜନ୍ମିତ ପିଟର ବ୍ରୁକଙ୍କ ପୂରା ନାମ ପିଟର ଷ୍ଟିଫେନ ପଲ ବ୍ରୁକ । ତାଙ୍କ ବାପା ସାଇମନ ବ୍ରୁକ ଓ ମାଆ ଇଦା ଜାନସେନ ଜିଉ ସମ୍ପ୍ରଦାୟର । ଉଭୟେ ବୈଜ୍ଞାନିକ ଥିଲେ ଓ ସେମାନେ ରୁଷିଆର ଲାଟଭିଆରୁ ପ୍ରବାସୀ ଭାବେ ଆସି ଲଣ୍ଡନରେ ବସବାସ କରୁଥିଲେ । ପିଲାଦିନୁ ପିଟରଙ୍କର ନାଟକ ପ୍ରତି ଅତ୍ୟଧିକ ଆଗ୍ରହ ଥିଲା । ତାଙ୍କ ପତ୍ନୀ ନାତାଶା ପାରିଙ୍କର ନିଧନ ହୋଇସାରିଛି । ତାଙ୍କ ପୁଅ ସାଇମନ ଜଣେ ନିର୍ଦ୍ଦେଶକ ହୋଇଥିବା ବେଳେ ଝିଅ ଇରିନା ମଧ୍ୟ ଜଣେ ଅଭିନେତ୍ରୀ ଓ ଓ ନିର୍ଦ୍ଦେଶିକା । ପିଟରଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ବୟସ, ସେ ସେକସପିଅରଙ୍କ ‘ହାମଲେଟ’ ନାଟକଟିକୁ ନିଜ ଢଙ୍ଗରେ ଚାରି ଘଣ୍ଟା ଧରି ପ୍ରଦର୍ଶନ କରିଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢିଲା ବେଳେ ସେ ଟେଲିଭିଜନ ବିଜ୍ଞାପନଗୁଡିକ ପାଇଁ ଲେଖୁଥିଲେ ଓ କ୍ରମେ ନାଟ୍ୟ ନିର୍ଦ୍ଦେଶନା ପ୍ରତି ଆକୃଷ୍ଟ ହୋଇଥିଲେ । ୧୯୪୩ରେ ମାତ୍ର ୧୮ ବର୍ଷ ବୟସରେ ଲଣ୍ଡନର ଟର୍ଚ୍ଚ ଥିଏଟରରେ ସେ ନାଟ୍ୟକାର ମାଲୋଙ୍କ ‘ଡକ୍ଟର ଫଷ୍ଟସ’ ନାଟକଟିର ନିର୍ଦ୍ଦେଶନାରୁ ତାଙ୍କ ନାଟ୍ୟଜୀବନ ଆରମ୍ଭ କରିଥିଲେ । ୧୯୪୫ରେ ସେ ବର୍ମିଙ୍ଘମ ଥିଏଟର ରିପୋର୍ଟରୀ ପାଇଁ ତାଙ୍କର ପ୍ରଥମ ସେକସପିଅରୀୟ ନାଟକ ‘କିଙ୍ଗ ଜନ’ର ନିର୍ଦ୍ଦେଶନା ଦେବା ପରେ ସେହି ବର୍ଷ ଚାଣ୍ଟିକ୍ଲିର ଥିଏଟରରେ ଜାଁ କକଟଉଙ୍କ ନାଟକ ‘ଦି ଇନଫର୍ନାଲ ମ୍ୟାସିନ’ର, ନିର୍ଦ୍ଦେଶନା ଦେଇଥିଲେ । ସେ ଜାଁ ପଲ ସାତ୍ରାଙ୍କ ତିନିଟି ଚର୍ଚ୍ଚିତ ନାଟକ, ‘ଭିସିଅସ ସର୍କଲ’କୁ ୧୯୪୬ରେ, ‘ଦି ରେସ୍ପେକ୍ଟେବଲ ପ୍ରଷ୍ଟିଟ୍ୟୁଟ’ ଓ ‘ମେନ ଉଇଦାଉଟ ସେଡୋଜ’କୁ ୧୯୪୭ରେ ନିର୍ଦ୍ଦେଶନା ଦେଇଥଲେ । ସେ ୧୯୪୭ରେ ଷ୍ଟ୍ରାଟଫୋର୍ଡ ଥିଏଟରରେ ସେକସପିଅରଙ୍କ ନାଟକ ‘ରୋମିଓ ଆଣ୍ଡ ଜୁଲିଏଟ’ ଓ ‘ଲଭସ ଲେବରସ ଲଷ୍ଟ’ରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୪୭ରୁ ୧୯୫୦ ଯାଏଁ ଲଣ୍ଡନସ୍ଥିତ ରୟାଲ ଅପେରାରେ ପ୍ରଯୋଜନା ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଏହି ସମୟରେ ସେ ରୟାଲ ଅପେରା ପାଇଁ କେତେଗୁଡିଏ ନାଟକର ନିର୍ଦ୍ଦେଶନା ଦେଇଥିଲେ । ତନ୍ମଧ୍ୟରୁ ବିବାଦୀୟ ନାଟକ ରିଚାର୍ଡ ଷ୍ଟ୍ରସଙ୍କ ‘ସଲୋମି’, ହୱାର୍ଡ ରିଚାର୍ଡସନଙ୍କ ‘ଡାର୍କ ଅଫ ଦି ମୁନ’ ଆଦି ସ୍ମରଣୀୟ । ତେବେ ଏହା ପରେ ତାଙ୍କ ନାଟ୍ୟ ଜୀବନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ଆସି ପହଞ୍ଚିଥିଲା ଯେତେବେଳେ ସେ ସେକସପିଅରଙ୍କ ନାଟକଗୁଡିକୁ ନୂତନ ଭାବେ ମଞ୍ଚାୟନ କରିବା ଲାଗି ମନୋନିବେଶ କଲେ । ଫଳସ୍ୱରୂପ ୧୯୫୦ରୁ ୧୯୬୨ ମଧ୍ୟରେ ‘ମେଜର ଫର ମେଜର’ (୧୯୫୦), ‘ଉଇଣ୍ଟରସ ଟେଲ’ (୧୯୫୧), ‘ଟାଇଟସ ଆଣ୍ଡ୍ରୋନିକସ’ (୧୯୫୫), ‘ହାମଲେଟ’ (୧୯୫୫), ‘ଦି ଟେମ୍ପେଷ୍ଟ’ (୧୯୫୭), ‘କିଙ୍ଗ ଲିଅର’ ଆଦି ସେକସପିଅରଙ୍କ ନାଟକଗୁଡିକର ତାଙ୍କ ନିର୍ଦ୍ଦେଶନାରେ ସଫଳତାର ସହ ମଞ୍ଚସ୍ଥ ହୋଇ ପାରିଥିଲା । ଏହି ସମୟରେ ସେ କିଛି ସମସାମୟିକ ନାଟ୍ୟକାରଙ୍କ ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
ପିଟର ଯେତେବେଳେ ସେକସପିଅରଙ୍କ ଗୋଟିଏ ପରେ ଗୋଟିଏ ନାଟକର ଉନ୍ନତ ମଞ୍ଚାୟନ ସହ ସଫଳତାର ଚରମରେ ଥିଲେ ସେତେବେଳେ ସେଥିରେ ସେ ସନ୍ତୁଷ୍ଟ ନ ରହି ପ୍ରଖ୍ୟାତ ଫରାସୀ ନାଟ୍ୟକାର ଅଟୋନା ଆଖତୋଙ୍କ ପ୍ରଣୀତ ‘ନିଷ୍ଠୁର ଥିଏଟର’ (ଥିଏଟର ଅଫ କ୍ରୁଏଲଟି) ) ଧାରା ପ୍ରତି ଆକୃଷ୍ଟ ହୋଇ ସେହି ଧାରାକୁ ଇଂରାଜୀ ମଞ୍ଚରେ ପ୍ରୟୋଗ କରିବାର ପ୍ରୟାସ କଲେ । ପାରମ୍ପରିକ ପାଶ୍ଚାତ୍ୟ ନାଟ୍ୟ ଶୈଳୀଠାରୁ ‘ନିଷ୍ଠୁର ଥିଏଟର’ର ନାଟ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହି ଥିଏଟର ମାଧ୍ୟମରେ କଳାକାରମାନେ ଦର୍ଶକଙ୍କ ଚେତନାକୁ ଏକ ପ୍ରକାର ସିଧାସଳଖ ଆଘାତ ପହଞ୍ଚାଇବାକୁ ଉଦ୍ୟମ କରିଥାଆନ୍ତି । ଏଥିରେ ଦର୍ଶକଙ୍କ ବସିବା ସ୍ଥାନ ଓ ନାଟକର ପ୍ରଦର୍ଶନ ସ୍ଥଳୀ ଆଉ ଅଲଗା ହୋଇ ରହି ନ ଥାଏ । ଘନ ଘନ ଉଗ୍ର ଆଲୋକ ସମ୍ପାତ, ମଞ୍ଚାୟନ ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହତବାକ୍ କରି, ସେମାନଙ୍କୁ ଆଘାତ ପହଞ୍ଚାଇ, ମନୋରଞ୍ଜନର ପର୍ଯ୍ୟାୟକୁ ଅତିକ୍ରମ କରି ଏମିତି ଏକ ଭିନ୍ନ ସ୍ତରକୁ ନେଇଯିବା ‘ନିଷ୍ଟୁର ଥିଏଟର’ର ଲକ୍ଷ୍ୟ ହୋଇଥାଏ । ଦର୍ଶକଙ୍କଠାରେ ଏକ ନବଚେତନାର ଉନ୍ମେଷ ହେବା ସହ ସେମାନଙ୍କ ଭିତରେ କିଛି ଗୋଟେ ନୂଆ ଅନୁଭୂତି ଆତ୍ମପ୍ରକାଶ କରିବାର ସମ୍ଭାବନା ଦେଖା ଦେଇପାରେ । ବ୍ରୁକ ଏହି ନାଟ୍ୟଶୈଳୀକୁ ବିଂଶ ଶତାବ୍ଦୀର ଷାଠିଏ ଦଶକର ଆରମ୍ଭରେ ଲଣ୍ଡନଠାରେ ପ୍ରୟୋଗରେ ଆଣିବା ପାଇଁ ରୟାଲ ସେକସପିଅର କମ୍ପାନୀରେ ‘ଥିଏଟର ଅଫ କ୍ରୁଏଲଟି ୱାର୍କସପ’ର ପ୍ରତିଷ୍ଠା କଲେ । ଅଖତୋଙ୍କ ପ୍ରବର୍ତ୍ତିତ ଆଘାତ ଓ ବିସ୍ମୟର କୌଶଳକୁ ବ୍ରୁକ ଗ୍ରହଣ କରିବା ସହିତ ଏହି ନାଟ୍ୟଶୈଳୀରେ ଦର୍ଶକଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ ପାରମ୍ପରିକ ସଂଳାପ ବା ଗୀତର ବ୍ୟବହାରକୁ ସର୍ବନିମ୍ନ କରି ଆଲୋକ, ସେଟ, ପ୍ରପସ୍, କଷ୍ଟ୍ୟୁମସ ଓ ଆକସନ ଉପରେ ବେଶି ଗୁରୁତ୍ୱ ଦେଲେ । ଯାହା ଫଳରେ ଦର୍ଶକଙ୍କୁ ନାଟକର ଏକ ବାସ୍ତବ, ଅମିଶ୍ରିତ, ଆବେଗମୟ ନୂତନ ଅନୁଭବ ମିଳିପାରିଲା । ଏହି କ୍ରମରେ ୧୯୬୪ରେ ପ୍ରଥମେ ସେ ଜାଁ ଜିନେଟଙ୍କ ରଚିତ ‘ଦି ସ୍କ୍ରିନସ’ ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଯାହା ଦର୍ଶକୀୟ ଆଦୃତି ଲାଭ କରିଥିଲା । ଏହା ପରେ ସେ ପିଟର ୱେସଙ୍କ ରଚିତ ‘ମରାତ ସାଡ’ ନାଟକର ନିର୍ଦ୍ଦେଶନା ଦେଲେ । ଆଧୁନିକ ସମାଜର ହିଂସ୍ର ଉନ୍ମାଦନାକୁ ସେ ଦର୍ଶକଙ୍କୁ ବିଚଳିତ କଲା ଭଳି ସେମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲେ । ଏହି ନାଟକରେ ସେ ଗୋଟିଏ ପାଗଳ ଗାରଦର ପରିବେଶକୁ ଏପରି ଜୀବନ୍ତ ଭାବେ ସୃଷ୍ଟି କରି ପାରିଥିଲେ ଯେ ଦର୍ଶକମାନଙ୍କ ମଧ୍ୟରେ ଭୀତିସଞ୍ଚାର ହୋଇଥିଲା । ଏହି ନାଟକ ପାଇଁ ପିଟର ବ୍ରୁକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ‘ଟନି ଆୱାର୍ଡ’ ମିଳିବା ସହ ନାଟକଟିକୁ ୭ଟି ବଡ ପୁରସ୍କାର ମିଳିଥିଲା । ଏହି ନାଟକଟି ତାଙ୍କ ନାଟ୍ୟଜୀବନର ଏକ ମାଇଲଖୁଣ୍ଟି ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଏହା ବ୍ରୁକଙ୍କୁ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିବାରେ ସହାୟକ ହୋଇଥିଲା । ୧୯୬୬ ମସିହାରେ ଭିଏତନାମ ଯୁଦ୍ଧର ଅନୁଭୂତି ଓ ବିଭୀଷିକାକୁ ସେ ‘ୟୁଏସ’ ନାଟକ ମାଧ୍ୟମରେ ଫୁଟାଇଥିଲେ । ଏହା ପରେ ସେ ଇଂରାଜୀ କବି ଟେଡ ହ୍ୟୁଗସଙ୍କ ଦ୍ୱାରା ସେନେକାଙ୍କ ‘ୱଡିପସ’ର ନାଟ୍ୟ ରୂପାନ୍ତରକୁ ମଞ୍ଚସ୍ଥ କରିଥିଲେ । ବ୍ରୁକଙ୍କ ଏହି ପର୍ଯ୍ୟାୟର ଶେଷ ନାଟକ ଥିଲା ୧୯୭୦ରେ ମଞ୍ଚସ୍ଥ ସେକସପିଅରଙ୍କ ନାଟକ ‘ଏ ମିଡ ସମର ନାଇଟସ ଡ୍ରିମ’, ଯେଉଁଥିରେ ସେ ଟ୍ରାପିଜ୍, ଜଗଲିଂ, ସର୍କସ ଇଫେକ୍ଟସ ଆଦିର ବହୁଳ ପ୍ରୟୋଗ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ । ଏଥିରେ ସେ ଦର୍ଶକଙ୍କ ପାଇଁ ମ୍ୟାଜିକ, ଆନନ୍ଦ ଓ ଉତ୍ସବର ଏକ ବିଚିତ୍ର ପରିବେଶ ସୃଷ୍ଟି କରିବା ସହ ତାଙ୍କ ଅନନ୍ୟ ଉପସ୍ଥାପନା ଶୈଳୀ ମାଧ୍ୟମରେ ସେ ନାଟକଟିର ଏକ ଭିନ୍ନ ବ୍ୟାଖ୍ୟା ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ । ପିଟର ବ୍ରୁକଙ୍କ ଏହି ନାଟ୍ୟ ପ୍ରଦର୍ଶନକୁ ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ନାଟ୍ୟ ପ୍ରଦର୍ଶନ ରୂପେ ଗ୍ରହଣ କରା ଯାଇଥାଏ ।
ବ୍ୟାବସାୟିକ ଥିଏଟରରେ ଅପାର ସଫଳତା ପାଇବା ସତ୍ତ୍ୱେ ସେ ଏମିତି ଏକ ନୂଆ ପ୍ରକାର ଥିଏଟରର ଅନୁସନ୍ଧାନରେ ଥିଲେ ଯାହା ସାରା ବିଶ୍ୱବାସୀଙ୍କ ସହ ସଂଯୋଗ ସ୍ଥାପନ କରି ପାରୁଥିବ ଓ ଯାହା ପ୍ରକୃତ ଅର୍ଥରେ ସାର୍ବଜନୀନ ହୋଇପାରୁଥିବ । ସେଥିପାଇଁ ସେ ୧୯୭୦ରେ ଲଣ୍ଡନ ଛାଡି ପାରିସକୁ ଚାଲି ଆସିଲେ । ସେଠାରେ ସେ ଫରାସୀ ନାଟ୍ୟ ନିର୍ଦ୍ଦେଶିକା ମିସଲିନା ରୋଜନଙ୍କ ସହ ମିଶି ‘ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଥିଏଟର ରିସର୍ଚ୍ଚ’ ନାମକ ସଂସ୍ଥାର ପ୍ରତିଷ୍ଠା କଲେ । “ଥିଏଟରର ଚରିତ୍ର କିପରି ହେବା ଉଚିତ ?”, “ବିଭିନ୍ନ ସଂସ୍କୃତି ଓ ଅନ୍ତର୍ବିଭାଗୀୟ ସମନ୍ୱୟ ଆଧାରରେ ଥିଏଟରର ଏକ ଭାଷା ସୃଷ୍ଟି କରି ହେବ କି ?” ଆଦି ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଏଠାରେ ତାଙ୍କର ପ୍ରଚେଷ୍ଟା ଆରମ୍ଭ ହେଲା । ଏହି ପର୍ଯ୍ୟାୟର ପ୍ରଥମ ନାଟକ ଥିଲା ‘ଅର୍ଘାଷ୍ଟ’ (୧୯୭୧), ଯାହା ଟେଡ ହ୍ୟୁଗସଙ୍କ ଦ୍ୱାରା ବିକଶିତ ଶବ୍ଦକୁ ଆଧାର କରି ଥିଏଟରର ଏକ ନୂଆ ଭାଷା ଭାବେ ବ୍ୟବହୃତ ହେଲା । ଏହି ନାଟକଟି ପର୍ସିଆ (ଏବର ଇରାନ)ର ପର୍ସିପୋଲିସ ଭଗ୍ନାବଶେଷର ପୃଷ୍ଠଭୂମିରେ ଅଭିନୀତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଦେଶର କଳାକାର ଅଂଶଗ୍ରହଣ କରିଥିଲେ । ୧୯୭୨ ଓ ୧୯୭୩ରେ ଏହି ନାଟ୍ୟ ଦଳ ‘କନଫରେନ୍ସ ଅଫ ବାର୍ଡସ’ ପ୍ରକଳ୍ପକୁ ସାଙ୍ଗରେ ନେଇ ଆଫ୍ରିକାର ବିଭିନ୍ନ ଗାଁ ଗଣ୍ଡାରେ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ରୀତିନୀତିକୁ ଶିଖିବାର ଅବକାଶ ପାଇଲେ । ତାଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ହୋଇଥିବା ନାଟକଗୁଡିକ ମୁଖ୍ୟତଃ ପାରିସରେ ଅଭିନୀତ ହୋଇଥିଲା । ଏହି କ୍ରମରେ ପିଟର ହାଣ୍ଡକିଙ୍କ ରଚିତ ‘କାସ୍ପର’ (୧୯୭୨), ‘ଟିମନ ଅଫ ଏଥେନ୍ସ’ (୧୯୭୪), ଆଲଫ୍ରେଡ ଜାରିଙ୍କ ଫରାସୀ ନାଟକ ‘ଉବୁ ରୟ’ ଉପରେ ଆଧାରିତ ‘ଉବୁ ଉଇଥ ବୁଆଉଫେସ’ (୧୯୭୭), ‘ଆଣ୍ଟୋନି ଆଣ୍ଡ କ୍ଲିଓପେଟ୍ରା’ (୧୯୭୮), ‘ଚେରି ଅର୍ଚାର୍ଡ’ (୧୯୮୧), ‘ଚିନ ଚିନ’ (୧୯୮୪), ‘ଓଜା ଅଲବର୍ଟ’ (୧୯୮୯), ‘ଦି ଟେମ୍ପେଷ୍ଟ’ (୧୯୯୦), ‘ହୁ ଇଜ ଦେଆର ?’ (୧୯୯୬), ‘ମହାଭାରତ’ ନାଟକକୁ ଆଧାର କରି ତାଙ୍କ ନିର୍ଦ୍ଦେଶନାରେ ୨୦୧୫ରେ ଲଣ୍ଡନରେ ‘ବ୍ୟାଟଲଫିଲ୍ଡ’ ନାଟକଟି ମଞ୍ଚସ୍ଥ ହେଲା ପରେ ତାହା ଫ୍ରାନ୍ସ, ଜାପାନ, ସିଙ୍ଗାପୁର ଓ ଭାରତରେ ମଧ୍ୟ ମଞ୍ଚସ୍ଥ ହୋଇଥିଲା ।
ଫରାସୀ ନାଟ୍ୟକାର ଜାଁ କ୍ଲଡ କେରିଅରଙ୍କ ଫରାସୀ ଭାଷାରେ ରଚିତ ଓ ପିଟର ବ୍ରୁକଙ୍କ ନିର୍ଦ୍ଦେଶିତ ନାଟକ ‘ମହାଭାରତ’ ପ୍ରଥମେ ଫ୍ରାନ୍ସର ରାଇନ ନଦୀ କୂଳରେ ଥିବା ବଲବନ ଖଣିରେ ୧୯୮୫ରେ ଅଭିନୀତ ହୋଇଥିଲେ ବି ତାହା ପରେ ଇଂରାଜୀରେ ଅନୁଦିତ ହୋଇ ଇଉରୋପ, ଜାପାନ, ଆମେରିକା ଆଦି ବିଭିନ୍ନ ଦେଶରେ ୪ ବର୍ଷ (୧୯୮୫ରୁ ୧୯୮୯) ଧରି ଅଭିନୀତ ହୋଇଥଲା । ନଅ ଘଣ୍ଟାର ଏହି ନାଟକଟି ତିନିଟି ଭାଗରେ ତିନି ଦିନ ଧରି ଅଭିନୀତ ହେଉଥିଲା । ପରବର୍ତ୍ତୀ ସମୟରେ ଏହା ଗୋଟିଏ ରାତିରେ ଆରମ୍ଭରୁ ଶେଷ ଯାଏଁ ଅଭିନୀତ ହେଉଥିଲା । ନାଟକଟି ଉଭୟ ମୁକ୍ତ ମଞ୍ଚରେ ଓ ଅଡିଟୋରିଅମରେ ଅଭିନୀତ ହୋଇଛି । ଏହି ନାଟକରେ ଇଉରୋପ, ଆଫ୍ରିକା ଓ ଏସିଆ ମହାଦେଶର ୧୬ଟି ଦେଶର ୨୧ ଜଣ କଳାକାର ଅଭିନୟ କରିଥିଲେ ଓ ଏକମାତ୍ର ଭାରତୀୟ ଭାବେ ମଲ୍ଲିକା ସାରାଭାଇ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିଲେ । ନାଟକଟିର ପ୍ରସ୍ତୁତି ପୂର୍ବରୁ ଭାରତର ସଂସ୍କୃତି, ନୃତ୍ୟ ଓ ନାଟ୍ୟ ଆଦି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବା ଲାଗି ପିଟର ତାଙ୍କ ସହକର୍ମୀଙ୍କ ସହ ଭାରତକୁ ଆସିଥିଲେ । ସେ ତାଙ୍କ ନାଟକରେ କଥାକଳି ଓ ପୁରୁଲିଆ ଛଉ ନୃତ୍ୟ ଶୈଳୀର ଉପଯୋଗ କରିବା ସହ ଜାପାନ, ବାଲି ଓ ଭାରତ ଭଳି ଦେଶର ପ୍ରାଚ୍ୟ ନାଟ୍ୟ ଶୈଳୀର ମଧ୍ୟ ପ୍ରୟୋଗ କରିଛନ୍ତି । ଏହାର ମଞ୍ଚାୟନ ମନୋରଞ୍ଜନ ଦୁନିଆରେ ଚହଳ ପକାଇ ଦେଇଥିଲା ଓ ପାଶ୍ଚାତ୍ୟ ସମାଲୋଚକମାନେ ଏହାର ଭୂୟସୀ ପ୍ରଶଂସା କରି ଏହାକୁ ବିଂଶ ଶତାବ୍ଦୀର ଏକ ଉଲ୍ଲେଖନୀୟ ମଞ୍ଚ କୃତି ଭାବେ ଗ୍ରହଣ କରିଥିଲେ । ନାଟକଟିକୁ ପ୍ରଶଂସା କରି ନିଉୟର୍କ ଟାଇମସ ଲେଖିଥିଲା, “ଏକ ହିନ୍ଦୁ ପୁରାଣକଥାକୁ ସାର୍ବଜନୀନ କଳାରେ ରୂପାନ୍ତରିତ କରି ତାକୁ ବିଶ୍ୱର ସବୁ ସଂସ୍କୃତିଙ୍କ ନିକଟରେ ପହଞ୍ଚାଇବାରେ ନାଟକଟି ସଫଳ ହୋଇଛି ।“ ମହାଭାରତ ନାଟକଟିର ସାରମର୍ମକୁ ସେ ଦାର୍ଶନିକ ଦୃଷ୍ଟିରୁ ନୁହେଁ ବରଂ ତାଙ୍କ ନାନ୍ଦନିକ ଦୃଷ୍ଟିଶକ୍ତି ମାଧ୍ୟମରେ ପରିପ୍ରକାଶ କରିଥିଲେ । ଫଳରେ ତାହା ଭାରତରେ ମଞ୍ଚସ୍ଥ ହେଲା ବେଳେ କିଛି ନାଟ୍ୟ ସମାଲୋଚକଙ୍କ ସମାଲୋଚନାର ଶିକାର ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଯେଉଁ ସମୟରେ ଭାରତୀୟମାନେ ମହାଭାରତ ସିରିଆଲଟିକୁ ଟିଭି ପର୍ଦ୍ଦାରେ ଦେଖି ଆମୋଦିତ ହେଉଥିଲେ, ପ୍ରାୟ ସେତିକିବେଳେ ଜଣେ ବିଦେଶୀ ସେହି ମହାଭାରତକୁ ନାଟକ ଭାବେ ବିଶ୍ୱର ବିଭିନ୍ନ ଦେଶରେ ପରିବେଷଣ କରି ଭାରତୀୟ ସଂସ୍କୃତିର ଉତ୍କର୍ଷକୁ ବିଶ୍ୱବାସୀଙ୍କ ସମକ୍ଷରେ ଉପସ୍ଥାପିତ କରି ଚାଲିଥିଲେ ।
ନାଟ୍ୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ‘ନିଷ୍ଠୁର ଥିଏଟର’ର ପ୍ରବର୍ତ୍ତକ ଫରାସୀ ନାଟ୍ୟକାର ଅଟୋନା ଆଖତୋ ଓ ବିଂଶ ଶତାବ୍ଦୀର ମଧ୍ୟ ଭାଗର ଇଂରେଜ ନିର୍ଦ୍ଦେଶକ ଜୋଆନ ଲିଟଲଉଡଙ୍କର ବ୍ରୁକଙ୍କ ଉପରେ ସବୁଠାରୁ ବେଶି ପ୍ରଭାବ ପଡିଥିଲା । ସେ ପୋଲାଣ୍ଡର ନାଟ୍ୟ ନିର୍ଦ୍ଦେଶକ ଜର୍ଜି ଗ୍ରୋଟୋସ୍କି, ଜର୍ମାନ ନାଟ୍ୟକାର ବରଟୋଲ୍ଟ ବ୍ରେଖଟ, ଋଷୀୟ ନିର୍ଦ୍ଦେଶକ ଭିସେଭୋଲୋଡ ମାୟରହୋଲଡ, ଏଡୱାର୍ଡ ଗର୍ଡନ କ୍ରେଗ ଆଦିଙ୍କ ଦ୍ୱାରା ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିଲେ ।
ପିଟର ବ୍ରୁକ ୯ଟି ଇଂରାଜୀ ସିନେମାର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେଗୁଡିକ ହେଲା ଦି ‘ବେଗରସ ଅପେରା’ (୧୯୫୩), ‘ସେଭେନ ଡେଜ ସେଭେନ ନାଇଟସ’ (୧୯୬୦), ‘ଲର୍ଡ ଅଫ ଦି ଫ୍ଲାଏଜ’ (୧୯୬୩), ‘ରାଇଡ ଅଫ ଦି ଭାଲକିରି’ (୧୯୬୭), ‘ମରାତ/ ସାଡ’ (୧୯୬୮), ‘କିଙ୍ଗ ଲିଅର’ (୧୯୭୧), ‘ଟେଲ ମି ଲାଏଜ’ (୧୯୭୧), ‘ମିଟିଙ୍ଗସ ଉଇଥ ରିମାର୍କେବଲ ମେନ’ (୧୯୭୯), ‘ଦି ମହାଭାରତ’ (୧୯୮୯) । ଏତଦଭିନ୍ନ ସେ ଟେଲିଭିଜନ ପାଇଁ ‘ଟ୍ରାଜେଡି ଅଫ ହାମଲେଟ’ (୨୦୦୨)ର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରଗୁଡିକ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, କାନସ୍ ଫିଲ୍ମ ଫେଷ୍ଟିଭାଲଠାରୁ ଆରମ୍ଭ କରି ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ଓ ସମ୍ମାନିତ ହୋଇଥିଲା ।
ବିଶ୍ୱ ନାଟ୍ୟ ଦିବସ ଅବସରରେ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ପିଟର ବ୍ରୁକ ପ୍ରଦାନ କରିଥିବା ବାର୍ତ୍ତାକୁ ୧୯୬୯ ଓ ୧୯୮୮ରେ ଦୁଇ ଥର ସାରା ବିଶ୍ୱରେ ପ୍ରସାରିତ କରାଯିବା ତାଙ୍କ ପାଇଁ ଏକ ବିରଳ ଉପଲବ୍ଧି । ସେ ଅନେକ ପୁରସ୍କାର ଓ ସମ୍ମାନରେ ଭୂଷିତ । ‘ମରାତ/ସାଡ’ ନାଟକ ପାଇଁ ୧୯୬୬ରେ ଓ ‘ଏ ମିଡ ସମର ନାଇଟସ ଡ୍ରିମ’ ନାଟକ ପାଇଁ ୧୯୭୧ରେ ଏହିପରି ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ଦୁଇ ଥର ‘ଟନି ଆୱାର୍ଡ’ ମିଳିଥିଲା । ଏତଦଭିନ୍ନ ତାଙ୍କୁ ଗ୍ରାଣ୍ଡ ପ୍ରି ଡୋମିନିକ (୧୯୭୫), ବ୍ରିଗେଡିଅର ପ୍ରାଇଜ (୧୯୭୫), ସୋସାଇଟି ଅଫ ୱେଷ୍ଟ ଏଣ୍ଡ ଥିଏଟର (୧୯୮୩), ଏମି ଆୱାର୍ଡ (୧୯୮୪), ପ୍ରି ଇଟାଲିଆ (୧୯୮୪), ଇଉରୋପ ଥିଏଟର ଆୱାର୍ଡ, ଇଣ୍ଟରନ୍ୟାସନାଲ ଏମି ଆୱାର୍ଡ (୧୯୯୦) ପ୍ରିମିଅମ ଇମ୍ପିରିଆଲ (୧୯୯୭), ଡାନ ଡେଭିଡ ପ୍ରାଇଜ (୨୦୦୫), ଇବସନ ଆୱାର୍ଡ (୨୦୦୮) ଆଦି ଅନେକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସେ ପାଇଥିବା ସମ୍ମାନଗୁଡିକ ମଧ୍ୟରେ ରହିଛି ୧୯୬୫ରେ ବ୍ରିଟିଶ ସାମ୍ରାଜ୍ୟର ନାଇଟହୁଡ ସମ୍ମାନ, ଆମେରିକାନ ହଲ ଅଫ ଫେମରେ ପ୍ରବେଶ (୧୯୮୩), ୟୁନିଭର୍ସିଟି ଅଫ ବର୍ମିଙ୍ଘମ ସମେତ ୩ଟି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରା ଯାଇଥିବା ଡି.ଲିଟ ଉପାଧି, ଫ୍ରାନ୍ସ ସରକାରଙ୍କ କମାଣ୍ଡର ଡି ଲା ଲିଜିଅନ ଡି-ଅନର (୨୦୧୩), ବ୍ରିଟିଶ ଏକାଡେମି ଦ୍ୱାରା ପ୍ରେସିଡେଣ୍ଟସ ଆୱାର୍ଡ (୨୦୧୧), ପ୍ରିନସେସ ଅଫ ଅଷ୍ଟୁରିଆସ ଆୱାର୍ଡ (୨୦୧୯) ଓ ଭାରତ ସରକାରଙ୍କ ପ୍ରଦତ୍ତ ପଦ୍ମଶ୍ରୀ ସମ୍ମାନ (୨୦୨୧) । ପିଟର ବ୍ରୁକଙ୍କ ଦ୍ୱାରା ରଚିତ ନାଟକ ସମ୍ପର୍କିତ ପୁସ୍ତକ, ‘ଦି ଏମ୍ପଟି ସ୍ପେସ’, ‘ଦି ସିଫ୍ଟିଙ୍ଗ ପଏଣ୍ଟ’, ‘ଦେଆର ଆର ନୋ ସିକ୍ରେଟସ’, ‘ଦି ଓପନ ଡୋର’, ‘ଥ୍ରେଡସ୍ ଅଫ ଟାଇମ: ରିକଲେକସନସ୍’, ‘ଇଭୋକିଂ ସେକସପିଅର’ ଆଦି ବେଶ ଚର୍ଚ୍ଚିତ ।
ପିଟର ବ୍ରୁକଙ୍କୁ ବିଂଶ ଶତାବ୍ଦୀ ରଙ୍ଗମଞ୍ଚର ମାଷ୍ଟର ଜାଦୁକର ଭାବେ ଗ୍ରହଣ କରା ଯାଇଥାଏ । ପାରମ୍ପରିକ ନାଟକର ଗଣ୍ଡି ଭିତରେ ବାନ୍ଧି ହୋଇ ରହିବାର ନିର୍ଦ୍ଦେଶକ ନୁହନ୍ତି ପିଟର ବ୍ରୁକ୍ । ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଶୈଳୀକୁ ସାରା ଜୀବନ ସେ ଅନୁସରଣ କରିବାକୁ ଚାହିଁ ନାହାନ୍ତି । ଦର୍ଶକଙ୍କର ଯାହା କିଛି ନାଟକୀୟ ଅନୁଭୂତି ରହିଛି ତାକୁ ଟପି ଯାଇ ବା ତା’ ବାହାରକୁ ଯାଇ ସେମାନଙ୍କୁ ନୂଆ କିଛି ନାଟକୀୟ ଅନୁଭୂତି ପ୍ରଦାନ କରିବା ଲାଗି ଅହରହ ଅନ୍ୱେଷଣରେ ଥାଆନ୍ତି ସେ । ନାଟକକୁ କେତେ ଅଧିକ ପ୍ରଭାବଶାଳୀ କରି ହେବ ସେ ନେଇ ଲଗାତାର ପରୀକ୍ଷାନିରୀକ୍ଷା ଚଳାଇଥାଆନ୍ତି । ତଥାପି ସେ ତାଙ୍କ ନାଟକଗୁଡିକରେ ଭାବାନୁବେଗର ଯଥେଷ୍ଟ ପ୍ରୟୋଗ କରି ସେଥିରେ ସଫଳ ହୋଇଛନ୍ତି, ତାହା ‘ମରାତ/ ସାଡ’ ନାଟକରେ ସମ୍ୱେଦନଶୀଳତାର ପ୍ରୟୋଗ ହେଉ ଅଥବା ‘ଏ ମିଡ ସମର ନାଇଟସ ଡ୍ରିମ’ ନାଟକରେ କୁହୁକର ପ୍ରୟୋଗ ମାଧ୍ୟମରେ ହେଉ । ‘ନିଉୟର୍କ ଟାଇମସ’ ପତ୍ରିକାର ନାଟ୍ୟ ସମାଲୋଚକ କ୍ଲାଇବ ବାର୍ଣ୍ଣସଙ୍କ ଅନୁସାରେ, “ଥିଏଟର ଥିଲା ପର୍ଯ୍ୟନ୍ତ ପିଟର ବ୍ରୁକଙ୍କ ‘ଏ ମିଡ ସମର ନାଇଟସ ଡ୍ରିମ’ ନାଟକର ପ୍ରଦର୍ଶନର କଥା ଚର୍ଚ୍ଚା ହେଉଥିବ ।“ କେବଳ ସେହି ଗୋଟିଏ ନାଟକ ନୁହେଁ ବରଂ ପ୍ରାୟ ତାଙ୍କର ସବୁ ନାଟକର ପ୍ରଦର୍ଶନରେ ନୂତନତା ପାଇଁ ସେ ଚିର ଦିନ ଲାଗି ବିଶ୍ୱ ନାଟ୍ୟ ଇତିହାସରେ ଜଣେ ସ୍ମରଣୀୟ ନାଟ୍ୟପୁରୁଷ ହୋଇ ରହିବେ ।
(Published in Samadrushti in 01-15 September 2021 issue)
Comments
Post a Comment