Skip to main content

ସେନାରେ ମହିଳା ଓ ପରୋକ୍ଷ ପକ୍ଷପାତ

ସମସ୍ତଙ୍କ ପ୍ରତି ସମାନ ନିୟମ ଲାଗୁ କରିବା ବା ସମାନ ଆଚରଣ ପ୍ରଦର୍ଶନ କରିବା ବି ବେଳେବେଳେ ପକ୍ଷପାତିତା ହୋଇପାରେ । ‘ଲେଫନାଣ୍ଟ କର୍ଣ୍ଣେଲ ନିତିଶା ବନାମ ଭାରତ ସରକାର’ ମାମଲାରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ମାର୍ଚ୍ଚ ୨୫, ୨୦୨୧ରେ ପରୋକ୍ଷ ପକ୍ଷପାତିତା ପ୍ରସଙ୍ଗରେ ଏପରି ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରିଛନ୍ତି ଯାହା ସମ୍ବିଧାନରେ ପ୍ରଦାନ କରାଯାଇଥିବା ସମାନତା ଅଧିକାରକୁ ନୂଆ କରି ଅବଲୋକନ ଓ ତର୍ଜମା କରିବା ପାଇଁ ବିମର୍ଶର ସମ୍ଭାବନା ସୃଷ୍ଟି କରିବ । ଏହି ରାୟର ସିଧାସଳଖ ପ୍ରଭାବରେ ସେନାବାହିନୀରେ କାର୍ଯ୍ୟରତ ମହିଳା ଅଧିକାରଙ୍କ ସ୍ଥାୟୀ କମିସନ ପାଇବା ବାଟ ସୁଗମ ହେବାକୁ ଯାଉଥିଲେ ବି ବିଭିନ୍ନ ସଂସ୍ଥାରେ ନାନା ଭାବେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ନିୟନ୍ତ୍ରଣ କରିବାରେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରେ । ରାୟଟିର ଗୁରୁତ୍ୱକୁ ବୁଝିବା ପାଇଁ ମାମଲାଟିର ପୃଷ୍ଠଭୂମିକୁ ଜାଣିବା ଆବଶ୍ୟକ ।

ଆର୍ମି ଆକ୍ଟ, ୧୯୫୦ ଅନୁଯାୟୀ କେବଳ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଦ୍ୱାରା ନିର୍ଦ୍ଧାରିତ କୋର, ବିଭାଗ ବା ଶାଖାକୁ ବାଦ ଦେଇ ମହିଳା ଅଧିକାରୀମାନେ ଅନ୍ୟତ୍ର ସ୍ଥାୟୀ କମିସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ । ମହିଳାମାନଙ୍କୁ ପ୍ରଥମେ ୧୯୫୮ରେ ଭାରତୀୟ ସେନା ବାହିନୀରେ ଆର୍ମି ମେଡିକାଲ କୋରରେ ସ୍ଥାୟୀ କମିସନ ପ୍ରଦାନ କରାଗଲା । ଜାନୁଆରୀ ୩୦, ୧୯୯୨ରେ ସେନାବାହିନୀର ବିଭିନ୍ନ ଶାଖା ଓ ବିଭାଗରେ ମହିଳାମାନଙ୍କୁ  ସର୍ଟ ସର୍ଭିସ କମିସନଡ (ଅସ୍ଥାୟୀ) ଅଫିସର ଭାବେ ନିଯୁକ୍ତି ଦିଆଗଲା । ତଥାପି ସେମାନଙ୍କୁ ସ୍ଥାୟୀ କମିସନ ପ୍ରଦାନ କରା ନ ଯାଇ ସେମାନଙ୍କ ପ୍ରତି ପକ୍ଷପାତିତା କରାଯାଉଛି ବୋଲି ଅଭିଯୋଗ କରି ୨୦୦୩ରେ ବବିତା ପୁନିୟା ନାମକ ଜଣେ ଆଡଭୋକେଟ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କଲେ । ସେନାବାହିନୀର ଅନ୍ୟ ମହିଳା ଅଧିକାରୀମାନେ ଦାଏର କରିଥିବା ମାମଲାଗୁଡିକୁ ମଧ୍ୟ ଏହି ମାମଲା ସହିତ ଏକାଠି କରି ଦିଆଗଲା । ସେନାବାହିନୀରେ ଅଫିସରଙ୍କ ପାଇଁ ସ୍ଥାୟୀ କମିସନର ଅର୍ଥ  ହେଲା ଅବସର ଯାଏଁ ଏକ ସୁଦୀର୍ଘ କ୍ୟାରିଅରର ଗ୍ୟାରେଣ୍ଟି ସହ ପେନସନ ସମେତ ଆହୁରି ଅନେକ ସୁବିଧା ପାଇବା । ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିସନ ଦେବା ସପକ୍ଷରେ ରାୟ ଦେଇଥିଲେ, ଯାହା ବିରୋଧରେ ସେନାବାହିନୀ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଫେବୃଆରୀ ୨୫, ୨୦୨୦ରେ ରାୟ ଦେଇ କହିଥିଲେ ଯେ ମହିଳାମାନଙ୍କୁ ସ୍ଥାୟୀ କମିସନ ନ ଦେବାର ସେନାବାହିନୀର ନୀତି ପକ୍ଷପାତପୂର୍ଣ୍ଣ । ତେଣୁ ଏ ଦିଗରେ ନୀତିଗତ ନିଷ୍ପତ୍ତି ନେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମହିଳାମାନଙ୍କୁ ସ୍ଥାୟୀ କମିସନ ପ୍ରଦାନ ଲାଗି ଏକ ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରିତ ହେଲା । ପୁନଶ୍ଚ ତାହା ପକ୍ଷପାତପୂର୍ଣ୍ଣ ବୋଲି ଅଭିଯୋଗ କରି ପୀଡିତ ମହିଳା ଅଧିକାରୀଙ୍କ ମଧ୍ୟରୁ ଲେଫନାଣ୍ଟ କର୍ଣ୍ଣେଲ ନୀତିଶା ଓ ଅନ୍ୟମାନେ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ରାୟରେ ଅଦାଲତ କହିଛନ୍ତି ଯେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ପ୍ରଦାନ ଲାଗି ନିର୍ଦ୍ଧାରିତ ଯୋଗ୍ୟତାର ମାନଦଣ୍ଡ ଉପରକୁ ନିରପେକ୍ଷ ମନେ ହେଉଥିଲେ ବି ଏହା ପରୋକ୍ଷରେ ପକ୍ଷପାତପୂର୍ଣ୍ଣ । ସୁପ୍ରିମକୋର୍ଟ କହିଛନ୍ତି ଯେ ପରୋକ୍ଷ ପକ୍ଷପାତ ସମ୍ୱିଧାନର ବିରୋଧାଚରଣ କରିଥାଏ । ଏହା ସହିତ ପରୋକ୍ଷ ପକ୍ଷପାତର ବ୍ୟାଖ୍ୟା ମଧ୍ୟ କରିଛନ୍ତି । ନିର୍ଦ୍ଧାରିତ ଯୋଗ୍ୟତାର ମାନଦଣ୍ଡ ଉଭୟ ପୁରୁଷ ଓ ମହିଳା ଅଧିକାରୀଙ୍କ ଲାଗି ସମାନ ବୋଲି ମନେ ହେଉଥିଲେ ବି ଏହା ମହିଳାଙ୍କ ପ୍ରତି ପକ୍ଷପାତ କରୁଥିବାର ଜଣା ପଡେ । ଉଦାହରଣ ସ୍ୱରୂପ, ଦୀର୍ଘ ବର୍ଷ ଧରି ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆ ଯାଉ ନ ଥିବାରୁ ସେମାନଙ୍କୁ ଭଲ ସିଆର (ରିପୋର୍ଟ) ମଧ୍ୟ ମିଳୁ ନ ଥିଲା । ଏବେ ତାହା ସେମାନଙ୍କ ଯୋଗ୍ୟତା ହାସଲରେ ବାଧା ସୃଷ୍ଟି କରୁଛି । ସ୍ଥାୟୀ କମିସନ ପାଇଁ ପୁରୁଷ ଅଧିକାରୀଙ୍କ ପରି ମହିଳା ଅଧିକାରୀଙ୍କର ନିର୍ଦ୍ଧାରିତ ବୟସରେ ମେଡିକାଲ ଫିଟନେସ ପରୀକ୍ଷା ହୋଇ ନ ଥିବାରୁ ବିଳମ୍ୱିତ ଭାବେ ସେମାନଙ୍କଠାରୁ ସେହି ଫିଟନେସ ଆଶା କରିବା ଅର୍ଥ ସେମାନଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା କରିବା ।

କେବଳ ସାମାଜିକ ବା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଲୋକେ ଯେ ପକ୍ଷପାତିତାର ଶିକାର ହୋଇଥାଆନ୍ତି ତାହା ନୁହେଁ । ସାଧାରଣତଃ ଏକା ଭଳି ସ୍ଥିତିରେ ଥିବା ଦୁଇ ଜଣଙ୍କୁ ସମାନ ଭାବେ ଆଚରଣ ନ କରି ତାଙ୍କ ମଧ୍ୟରୁ ଜଣକୁ ଅନ୍ୟ ତୁଳନାରେ ନ୍ୟୂନ ଆଚରଣ କରାଗଲେ ତାହା ପକ୍ଷପାତିତା ବୋଲି ବିବେଚିତ ହୋଇଥାଏ । ଅନ୍ୟ ପକ୍ଷରେ ଶାରୀରିକ ଅକ୍ଷମତା, ଗର୍ଭଧାରଣ ଭଳି ଭିନ୍ନ ସ୍ଥିତିରେ ଥିବା କାରଣରୁ ଜଣେ ମହିଳା ତୁଳନାତ୍ମକ ଭାବେ ଅସୁବିଧାଜନକ ସ୍ଥିତିରେ ଥିଲେ ବି ତାକୁ ଅନ୍ୟମାନଙ୍କ ସହ ସମାନ ଭାବେ ଆଚରଣ କରିବା ମଧ୍ୟ ତା’ ପ୍ରତି ପକ୍ଷପାତିତା ; ଯାହାକୁ ପରୋକ୍ଷ ପକ୍ଷପାତିତା କୁହା ଯାଇପାରେ । ପରୋକ୍ଷ ପକ୍ଷପାତିତା ସେତେବେଳେ ହୋଇଥାଏ ଯେତେବେଳେ କୌଣସି ସଂସ୍ଥାର ନୀତି, ନିୟମ ବା ପ୍ରଥା ସମସ୍ତଙ୍କ ପ୍ରତି ସମାନ ଭାବେ ଲାଗୁ ହେଉଥିଲେ ବି କିଛି ସଂରକ୍ଷିତ ବିଶିଷ୍ଟ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ବା ଅସୁବିଧାଜନକ ହୋଇଥାଏ । ଏହି ବିଶେଷତାର ଆଧାର ବୟସ, ଅକ୍ଷମତା, ଲିଙ୍ଗ ପୁନର୍ନିର୍ଦ୍ଧାରଣ, ବିବାହ, ଜାତି, ଧର୍ମ, ବର୍ଣ୍ଣ, ବିଶ୍ୱାସ, ଯୌନ ଓ ଯୌନ ଦୃଷ୍ଟିଭଙ୍ଗୀ ହୋଇପାରେ ।  ଉଦାହରଣ ସ୍ୱରୂପ, କୌଣସି ଦେଶ ଯଦି ଆଇନ ପ୍ରଣୟନ କରେ ଯେ କେବଳ ସେହି ଦେଶରେ ପଢିଥିବା ପିଲା ସେହି ଦେଶରେ ନିଯୁକ୍ତି ପାଇବେ, ତେବେ ତାହା ଅନ୍ୟ ଦେଶରେ ପଢି ସେଠାରେ ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିବା ସମସ୍ତଙ୍କ ପାଇଁ ଜାତିଗତ ଆଧାରରେ ପରୋକ୍ଷ ପକ୍ଷପାତିତା ହୋଇଥାଏ । ସେହିପରି ପ୍ରସବ ପରେ ପରେ ଜଣେ କର୍ମଜୀବୀ ମହିଳାଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ପୂରା ସମୟ କାମ କରିବାକୁ ବାଧ୍ୟ କରିବା ଅର୍ଥ ତାଙ୍କର ଶିଶୁଯତ୍ନ ନେବାର ଆବଶ୍ୟକତାକୁ ଅଣଦେଖା କରି ତାଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା କରିବା, ଯାହା ଲିଙ୍ଗଗତ ଆଧାରରେ ହୋଇଥାଏ ।                

ପରୋକ୍ଷ ପକ୍ଷପାତିତାକୁ ବୁଝିବା ଲାଗି ‘ଅଷ୍ଟ୍ରେଲିଆନ ଆଇରନ ଆଣ୍ଡ ଷ୍ଟିଲ କମ୍ପାନି ବନାମ ବ୍ୟାଙ୍କୋଭିକ’ ମାମଲାଟିର ଅନୁଶୀଳନ କରା ଯାଇପାରେ । ଏହି କମ୍ପାନିରେ ଏକ ନିର୍ଦ୍ଦିଷ୍ଟ ‘ଛଟେଇ ନୀତି’ କାର୍ଯ୍ୟକାରୀ ହେଉଥିଲା, ଯହିଁରେ ଛଟେଇ କରିବାକୁ ହେଲେ ଚାକିରୀରେ ସବା ଶେଷରେ ଯୋଗ ଦେଇଥିବା କମର୍ଚାରୀଟିକୁ ପ୍ରଥମେ ଛଟେଇ (ଲାଷ୍ଟ ଇନ ଫାର୍ଷ୍ଟ ଆଉଟ) କରାଯିବାର ନିୟମ ଥିଲା । କିନ୍ତୁ ବହୁ ଦିନ ଧରି ମହିଳାମାନଙ୍କୁ ସେହି କମ୍ପାନିରେ ନିଯୁକ୍ତି ପ୍ରଦାନ କରା ଯାଉ ନ ଥିଲା । ବହୁ ଦିନରୁ ଚାଲି ଆସିଥିବା ଏହି ସିଧାସଳଖ ପକ୍ଷପାତିତାକୁ ଦୂର କରି କମ୍ପାନି ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲାଗିଲା । ତେବେ ଇଚ୍ଛାକୃତ ଭାବେ ନ ହେଲେ ବି କମ୍ପାନିର ଛଟେଇ ନୀତି ଯୋଗୁ ମହିଳାମାନେ ଚାକିରୀରେ ସବା ଶେଷରେ ଯୋଗ ଦେଇଥିବାରୁ ସେମାନେ ହିଁ ପ୍ରଥମେ ଛଟେଇର ଶିକାର ହେଲେ । ଏହି କମ୍ପାନିର ନୀତି ଆପାତତଃ ନିରପେକ୍ଷ ବୋଲି ମନେ ହେଉଥିଲେ ବି ଏହା ପରୋକ୍ଷ ଭାବେ ମହିଳା କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ଥିଲା । ଆନୁଷ୍ଠାନିକ ବା ନିୟମସଙ୍ଗତ ଭାବେ ପକ୍ଷପାତିତାକୁ ଦୂର କରିବା ପାଇଁ ପ୍ରଣୀତ ନୀତି ଓ ନିୟମ ସେହି ପକ୍ଷପାତିତାକୁ ପରୋକ୍ଷ ଭାବେ ଚିରସ୍ଥାୟୀ କରି ରଖିବାରେ ସହାୟକ ହେଲା । ଦେଖାଯାଏ ଯେ କେତେକ କ୍ଷେତ୍ରରେ ସଂସ୍ଥାମାନେ ପକ୍ଷପାତିତାକୁ ଚିରସ୍ଥାୟୀ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ପ୍ରତ୍ୟକ୍ଷ ବଦଳରେ ପରୋକ୍ଷ ବାଟଟିକୁ ଆପଣାଇବାକୁ କୁଣ୍ଠାବୋଧ କରି ନ ଥାଆନ୍ତି ।

୨୦୦୯ ମସିହାରେ ବ୍ରିଟିଶ ସୁପ୍ରିମକୋର୍ଟର ଜଷ୍ଟିସ ବାରୋନେସ ହେଲ ଏକ ରାୟରେ ଲେଖିଥିଲେ  “ପ୍ରତ୍ୟକ୍ଷ ଓ ପରୋକ୍ଷ ପକ୍ଷପାତିତା ପରସ୍ପରର ବିରୋଧୀ । ଦୁଇଟି ଯାକ ଏକ ସଙ୍ଗରେ ହୋଇ ପାରିବନି । ଦୁଇଟି ମଧ୍ୟରେ ମୁଖ୍ୟ ପ୍ରଭେଦ ହେଲା ପ୍ରତ୍ୟକ୍ଷ ପକ୍ଷପାତିତାକୁ କୌଣସି ମତେ ନ୍ୟାୟସଙ୍ଗତ ପ୍ରତିପାଦିତ କରି ହେବ ନାହିଁ । ଅନ୍ୟ ପକ୍ଷରେ ଏକ ବୈଧ ଲକ୍ଷ୍ୟ ହାସଲ କରିବା ପାଇଁ ପରୋକ୍ଷ ପକ୍ଷପାତିତାକୁ ଆନୁପାତିକ ଭାବେ ନ୍ୟାୟସଙ୍ଗତ ପ୍ରତିପାଦିତ କରା ଯାଇପାରେ ।“ ସେଥିପାଇଁ ସମ୍ପୃକ୍ତ ସଂସ୍ଥା ସେହି ନୀତି ନିୟମ ପ୍ରଣୟନ ପଛରେ ଥିବା ଉଚିତ କାରଣଟିକୁ (ଯାହାକୁ ‘ଉଦ୍ଦେଶ୍ୟ ଔଚିତ୍ୟ’ ବା ଅବଜେକ୍ଟିଭ ଜଷ୍ଟିଫିକେସନ ବୋଲି କୁହା ଯାଇଥାଏ) ବୁଝାଇ ପାରିଲେ ତାହା ଆଉ ପରୋକ୍ଷ ପକ୍ଷପାତିତା ହୋଇ ରହି ନ ଥାଏ । ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ ଭଳି ସଂସ୍ଥାରେ ପ୍ରଚଳିତ ଏକ ନିୟମାନୁସାରେ ସେହି ସଂସ୍ଥାର ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ପେନସନଧାରୀଙ୍କୁ କିଛି ବିଶେଷ ସ୍ୱାସ୍ଥ୍ୟସେବା ସୁବିଧା ମିଳିଥାଏ, ଯାହା ସେହି ବର୍ଗର ପେନସନ ପାଉ ନ ଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଉପଲବ୍ଧ ନ ଥିବାରୁ ତାକୁ ପରୋକ୍ଷ ପକ୍ଷପାତ ଶ୍ରେଣୀଭୁକ୍ତ କରାଯାଇପାରେ । ନିକଟରେ ଓଡିଶା ସରକାର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ ଶିକ୍ଷା କ୍ଷେତ୍ରରେ ସିଟ୍ ଆରକ୍ଷଣ କଥା ଘୋଷଣା କରିବା ପରେ ତାହା ଅନ୍ୟ ସ୍କୁଲରେ ପଢୁଥିବା ପିଲାଙ୍କ ପ୍ରତି ପରୋକ୍ଷ ପକ୍ଷପାତିତା ଭାବେ ପରିଗଣିତ ହୋଇପାରେ । ତେବେ ଏହି ନିୟମ ଓ ନିଷ୍ପତ୍ତି ପଛର ‘ଉଦ୍ଦେଶ୍ୟ ଔଚିତ୍ୟ’କୁ ଗ୍ରହଣୀୟ ହେଲା ଭଳି ପ୍ରତିପାଦିତ କରାଯାଇ ପାରିଲେ ଯାଇ ତାହା ପରୋକ୍ଷ ପକ୍ଷପାତିତା ପର୍ଯ୍ୟାୟଭୁକ୍ତ ହେବ ନାହିଁ । ଅନ୍ୟଥା ଆଇନ ଅଦାଲତରେ ତାହାର ବୈଧତାକୁ ଚ୍ୟାଲେଞ୍ଜ କରା ଯାଇପାରିବ ।

ବ୍ରିଟେନରେ ସମାନତା ଆଇନ, ୨୦୧୦ର ପ୍ରଣୟନ ପରେ କାହା ପ୍ରତି ପରୋକ୍ଷ ପକ୍ଷପାତୀ ଆଚରଣ ବେଆଇନ । ଭାରତୀୟ ସମ୍ୱିଧାନର ଧାରା ୧୫(୧) ଅନୁଯାୟୀ କେବଳ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ଆଦି ଆଧାରରେ କୌଣସି ନାଗରିକ ପ୍ରତି ଯେପରି କୌଣସି ପ୍ରକାର ପକ୍ଷପାତିତା ନ ହୁଏ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ରାଷ୍ଟ୍ରର ଓ ଏହା ନାଗରିକର ମୌଳିକ ଅଧିକାର । ସାଧାରଣତଃ ଜାତିଗତ ଓ ଧର୍ମଗତ ପକ୍ଷପାତିତା ପ୍ରତ୍ୟକ୍ଷ ପକ୍ଷପାତିତା ଶ୍ରେଣୀଭୁକ୍ତ ଓ ସମ୍ୱିଧାନର ଧାରା ୧୬(୧) ଅନୁସାରେ ବିଭିନ୍ନ ଭାବେ ସମାଜର ବଞ୍ଚିତ ବା ଅବହେଳିତ ବର୍ଗଙ୍କ ପାଇଁ ସ୍ଥାନ ଆରକ୍ଷଣର ସକାରାତ୍ମକ ପଦକ୍ଷେପ (ଆଫାର୍ମେଟିଭ ଆକସନ) ମାଧ୍ୟମରେ ମୌଳିକ ସମାନତା (ସବଷ୍ଟାଣ୍ଟିଭ ଇକ୍ୱାଲିଟି)ର ଲକ୍ଷ୍ୟ ହାସଲ କରା ଯାଇଥାଏ । ହେଲେ ପରୋକ୍ଷ ପକ୍ଷପାତିତାକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସେପରି ଆନ୍ତରିକତା ଦୃଷ୍ଟିଗୋଚର ହୋଇନାହିଁ । ତେବେ ବଞ୍ଚିତ ହେବାର ଅନେକ କାରଣ ମଧ୍ୟରୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ହେବା ସହ କେହି କେହି ମନସ୍ତାତ୍ତ୍ୱିକ, ଶାରୀରିକ ଭାବେ ଆଘାତପ୍ରାପ୍ତ ହେବା କାରଣରୁ ବା ରାଜନୈତିକ ବହିଷ୍କରଣ ଯୋଗୁ ମଧ୍ୟ ବଞ୍ଚିତ ହେବା ଅନ୍ତର୍ଭୁକ୍ତ । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅନୁସାରେ ଭାରତୀୟ ସମ୍ୱିଧାନରେ ଯେଉଁ ମୌଳିକ ସମାନତାର ଅବଧାରଣା ରହିଛି ତାହା ଉଭୟ ପଦ୍ଧତିଗତ ଓ ପରୋକ୍ଷ ପକ୍ଷପାତିତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି । ପରୋକ୍ଷ ପକ୍ଷପାତିତାର କାରଣ କୌଣସି ପୂର୍ବାଗ୍ରହ ବା ପୁରୁଷତାନ୍ତ୍ରିକ ମନୋଭାବର ପ୍ରାବଲ୍ୟ ବି ହୋଇପାରେ । ତେଣୁ ନିଯୁକ୍ତିଦାତା କେବଳ ‘ଉପଯୁକ୍ତତା’ (ସୁଇଟେବିଲିଟି)କୁ ଆଳ କରି ନିଜ ଜାଣତ ବା ଅଜାଣତରେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ । କୋର୍ଟଙ୍କ ମତରେ ଢାଞ୍ଚାଗତ ପକ୍ଷପାତିତାର ସମସ୍ୟାକୁ ପ୍ରାୟତଃ ଢାଞ୍ଚାଗତ ପ୍ରତିକାର ମାଧ୍ୟମରେ ହିଁ ସମାଧାନ କରା ଯାଇ ପାରିଥାଏ । 

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସେନାବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିସନ ପ୍ରଦାନ କ୍ଷେତ୍ରରେ ଉପୁଜିଥିବା ସଂଶୟ ଦୂର ହେବାର ଆଶା ଉଜ୍ଜ୍ୱଳ । ତେବେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ପରୋକ୍ଷ ପକ୍ଷପାତ ଆଚରଣରୁ ନିବୃତ୍ତ ହେବା ପ୍ରୟୋଜନ । ଅଧିକନ୍ତୁ, ନୀତି ନିୟମରେ ଥିବା  ପରୋକ୍ଷ ପକ୍ଷପାତକୁ ଚିହ୍ନଟ କରି ସଂଶୋଧନ କରିବାର ଆବଶ୍ୟକତା ରହିଛି । ଏହା ହେଲେ ଏହି ଧରଣର ମାମଲା ଅଯଥାରେ ଅଦାଲତକୁ ଯିବ ନାହିଁ । ଏ କ୍ଷେତ୍ରରେ ପ୍ରଭାବିତ ବର୍ଗ ମଧ୍ୟ ସଂସ୍ଥାର ଦୃଷ୍ଟି ଆକର୍ଷଣ କରି ସେଗୁଡିକୁ ଚିହ୍ନଟ କରିବାରେ ସହାୟତା ପ୍ରଦାନ କରିବା ଉଚିତ । କେବଳ ସେତିକି ନୁହେଁ, ଏହି ପରୋକ୍ଷ ପକ୍ଷପାତିତା ଆଚରଣ ସମ୍ୱିଧାନ ପ୍ରଦତ୍ତ ସମାନତା ଅଧିକାରର ବିରୋଧାଚରଣ କରୁଥିବାରୁ ସେଗୁଡିକୁ ଦୂର କରିବାର ପ୍ରୟାସ ଅଧିକ ଜୋରଦାର ହେବା ଉଚିତ ।


Published in Sambad on May 22, 2021

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍