ପଶ୍ଚିମବଙ୍ଗର ଡାଏମଣ୍ଡ ହାର୍ବରଠାରେ ୨୦୨୦ ଡିସେମ୍ୱର ୧୦ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ମଟରଗାଡିର ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ତିନି ଜଣ ଆଇପିଏସ ପୁଲିସ ଅଧିକାରୀଙ୍କୁ ଦଣ୍ଡିତ କଲା ଭଳି ତୁରନ୍ତ ଡେପୁଟେସନରେ କେନ୍ଦ୍ରକୁ ପଠାଇବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଗଲା । ରାଜ୍ୟରେ ଆଇପିଏସ ଅଫିସରଙ୍କର ଘୋର ଅଭାବ ଥିବା ଦର୍ଶାଇ ରାଜ୍ୟ ସରକାର ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ରୋକଠୋକ ମନା କରି ଦେଲେ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ଓ ତୃଣମୂଳ କଂଗ୍ରେସ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଏହି ଡେପୁଟେସନ ବିବାଦ ଏକ ରାଜନୈତିକ ରୂପ ନେଉଥିବା ବେଳେ ଏ ଭଳି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟଙ୍କ କ୍ଷମତା କ’ଣ ତାହା ବୁଝିବାର ଆବଶ୍ୟକତା ରହିଛି ।
ସମ୍ୱିଧାନର ଧାରା ୩୧୨ ଅନୁଯାୟୀ ଭାରତୀୟ ପୁଲିସ ସେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ସମାନ ଭାବେ ଆବଶ୍ୟକ । ତଦନୁଯାୟୀ ସର୍ବଭାରତୀୟ ପୁଲିସ ସେବାରେ କୃତକାର୍ଯ୍ୟ ହେଉଥିବା ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯାଇ କେନ୍ଦ୍ର ଦ୍ୱାରା ସେମାନଙ୍କୁ ରାଜ୍ୟ କ୍ୟାଡର ଅଧିକାରୀ ଭାବେ ବିଭିନ୍ନ ରାଜ୍ୟକୁ ପଠା ଯାଇଥାଏ । ତେବେ କେନ୍ଦ୍ର ପୁଲିସ ସଂଗଠନଗୁଡିକର ଆବଶ୍ୟକତାକୁ ଭରଣା କରିବା ପାଇଁ ବି ଆଇପିଏସ ଅଧିକାରୀଙ୍କ ଆବଶ୍ୟକତା ଉପୁଜି ଥାଏ, ଯାହା ବିଭିନ୍ନ ରାଜ୍ୟରୁ ଡେପୁଟେସନ ମାଧ୍ୟମରେ କେନ୍ଦ୍ରକୁ ଆଣିବାକୁ ହୋଇଥାଏ । ଏହିପରି ଭାବେ ଡେପୁଟେସନରେ ଆସୁଥିବା ଆଇପିଏସ ଅଧିକାରୀମାନେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ କୁହାଯାଉଥିବା ପାଞ୍ଚଟି ସଂସ୍ଥା ଯଥା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଏଫ), ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ଇଣ୍ଡୋ-ତିବ୍ଦତାନ ବୋର୍ଡର ପୁଲିସ (ଆଇଟିବିପି) ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ସମେତ ସିବିଆଇ, ଆଇବି, ଏନଆଇଏ, ଏନସିଆରବି ଭଳି ୯ଟି ପୁଲିସ ସଂଗଠନରେ ଅବସ୍ଥାପିତ ହୋଇଥାଆନ୍ତି । ଏତଦଭିନ୍ନ କିଛି ଅନ୍ତର୍ଜାତିକ ସଂସ୍ଥାକୁ ବି ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ପଠା ଯାଇଥାଏ । ଆଇପିଏସ (କ୍ୟାଡର) ନିୟମ, ୧୯୫୪ ନିୟମ ୬ ଅନୁଯାୟୀ ପ୍ରତି ରାଜ୍ୟ କ୍ୟାଡରରୁ କେନ୍ଦ୍ର ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ପଠା ଯାଇଥାଏ ଯାହା ହାରାହାରି ରାଜ୍ୟ କ୍ୟାଡରର ୨୫ ପ୍ରତିଶତ ହୋଇଥାଏ । ଏହାକୁ ରାଜ୍ୟର ସେଣ୍ଟ୍ରାଲ ଡେପୁଟେସନ ରିଜର୍ଭ (ସିଡିଆର) କୁହା ଯାଇଥାଏ । ଡେପୁଟେସନରେ ଆସିଥିବା ପୁଲିସ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କ ରାଜ୍ୟ କ୍ୟାଡରକୁ ଫେରି ଯାଇ ଥାଆନ୍ତି । ଅଧିକାରୀମାନଙ୍କ ଏହି ଦୁଇ ତରଫା ଯା-ଆସ ଫଳରେ ଏହି ସେବାର ସର୍ବ ଭାରତୀୟ ଚରିତ୍ର ବଜାୟ ରହିବା ସହ ଏହା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲାଭାନ୍ୱିତ ହୋଇ ଥାଆନ୍ତି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଅଧିକାରୀମାନେ ବି ନୂଆ ପ୍ରକାର କର୍ମ ଅଭିଜ୍ଞତା ସହ ନିଜ ଦକ୍ଷତା ବଢାଇବାର ଅବକାଶ ପାଇଥାଆନ୍ତି ।
ଆଇପିଏସ (କ୍ୟାଡର) ନିୟମ, ୧୯୫୪ର ନିୟମ ୬(୧) ଯାହା ୧୯୬୯ରେ ସଂଶୋଧିତ ହୋଇଛି, ତଦନୁଯାୟୀ ‘ଜଣେ କ୍ୟାଡର ଅଫିସର ସମ୍ପୃକ୍ତ ରାଜ୍ୟ ସରକାର ବା ରାଜ୍ୟ ସରକାରମାନଙ୍କ ଓ କେନ୍ଦ୍ର ସରକାରଙ୍କ ସହମତିରେ କେନ୍ଦ୍ର ସରକାର ବା ଅନ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଡେପୁଟେସନରେ ଯାଇ ପାରିବେ ।‘ ଅର୍ଥାତ୍, ଡେପୁଟେସନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହମତି ଅନିବାର୍ଯ୍ୟ । ତେବେ ୧୯୮୫ ମସିହାରେ ଏହି ନିୟମକୁ ସଂଶୋଧନ କରାଯାଇ ସେଥିରେ ଧାଡିଟିଏ ଯୋଡି ଦିଆଗଲା । ତଦନୁଯାୟୀ, ‘ଅସହମତିର ସ୍ଥିତିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ନିଷ୍ପତ୍ତି ଚୂଡାନ୍ତ ହେବ ଓ ସମ୍ପୃକ୍ତ ରାଜ୍ୟ ବା ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମାନିନେଇ ତାକୁ କାର୍ଯ୍ୟକାରି କରିବେ ।‘ ସମସ୍ୟା ହେଉଛି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମ୍ପୃକ୍ତ ରାଜ୍ୟ ସରକାର ଗ୍ରହଣ ନ କଲେ କ’ଣ କରାଯିବ ସେ ସମ୍ପର୍କରେ ସଂଶୋଧିତ ନିୟମରେ କିଛି ଉଲ୍ଲେଖ ନାହିଁ । ଏଥିପାଇଁ ନିୟମାନୁଯାୟୀ କେନ୍ଦ୍ର ସରକାର ନା ରାଜ୍ୟ ସରକାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନା ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରି ପାରିବେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ଡେପୁଟେସନ ନୀତି ଅନୁଯାୟୀ ଯଦି ଜଣେ ଅଧିକାରୀ କେନ୍ଦ୍ରରେ ଡେପୁଟେସନରେ ନିଯୁକ୍ତି ପାଇଁ ମନୋନୀତ ହୋଇ, ବ୍ୟକ୍ତିଗତ କାରଣରୁ ହେଉ ବା ରାଜ୍ୟ ସରକାରଙ୍କ ଚାପ କ୍ରମେ ହେଉ, କାର୍ଯ୍ୟରେ ଯୋଗଦାନ ନ କରନ୍ତି, ତେବେ ତାଙ୍କୁ ଭାରତ ସରକାରଙ୍କ ଅଧୀନରେ କୌଣସି ନିଯୁକ୍ତି ଲାଗି ପରବର୍ତ୍ତୀ ୫ ବର୍ଷ ଯାଏଁ ବିଚାରକୁ ନିଆଯିବ ନାହିଁ । ତେଣୁ ଏବର ବିବାଦରେ ରାଜ୍ୟ ସରକାର ଡେପୁଟେସନରେ ନ ପଠାଇବାକୁ ଅଡି ବସିଲେ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଭିନ୍ନ ଅନ୍ୟ ଉପାୟ ନାହିଁ । ଅନ୍ୟ କୌଣସି ଭାବେ ଦଣ୍ଡିତ ହେବାର ଭୟ ନ ଥିବାରୁ ରାଜ୍ୟରେ ରହିବାକୁ ଆଗ୍ରହୀ ଅଧିକାରୀଙ୍କୁ ଭାରତ ସରକାରଙ୍କ ଅଧୀନକୁ ଡେପୁଟେସନରେ ଯିବାରୁ ବଞ୍ଚିତ ହେବାର ଭୟ ଆଦୌ ବିଚଳିତ କରି ନ ଥାଏ । ସେହି କାରଣରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ତିନି ଜଣ ଆଇପିଏସ ଅଧିକାରୀଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ଦେଇ ପାରିଲେ । ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ନ କରି କେନ୍ଦ୍ର ସରକାର ଏକ ତରଫା ଭାବେ ଏହି ଡେପୁଟେସନ ନିଷ୍ପତ୍ତି ନେଇ ରାଜ୍ୟ କାର୍ଯ୍ୟକ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି ଯାହା ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି ବୋଲି ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗ । ଏ ନେଇ ସେଠାକାର ରାଜ୍ୟ ସରକାର ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ଛତିଶଗଡ ରାଜ୍ୟଗୁଡିକର ସମର୍ଥନ ବି ହାସଲ କରିବାକୁ ସମର୍ଥ ହୋଇଛନ୍ତି ।
୧୯୮୫ ମସିହାରେ ଆଇପିଏସ (କ୍ୟାଡର) ନିୟମ ସଂଶୋଧନ ପରେ ବି ଯେ କେନ୍ଦ୍ର ସରକାର ଡେପୁଟେସନ ମାମଲାରେ ରାଜ୍ୟ ସରକାରଙ୍କ ଅସହମତିରେ ତାଙ୍କ ନିଷ୍ପତ୍ତିକୁ ଲାଗୁ କରି ପାରିଛନ୍ତି ତାହା ନୁହେଁ । ତା’ର ସବୁଠାରୁ ବଡ ଉଦାହରଣ ଦେଖିବାକୁ ମିଳିଥିଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୧ ମସିହାରେ । ସେତେବେଳେ ଡିଏମକେ ଦଳ ଏନଡିଏର ଅଂଶୀଦାର ଥିଲା ଓ ଜୟଲଳିତା ଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ଡିଏମକେ ମୁଖ୍ୟ କରୁଣାନିଧିଙ୍କୁ ରାତି ଅଧରେ ତାମିଲନାଡୁ ପୁଲିସ ତାଙ୍କ ବାସ ଭବନରୁ ଉଠାଇ ଆଣିବା ଘଟଣା ଦେଶବ୍ୟାପି ଆଲୋଡନ ସୃଷ୍ଟି କରିଥିଲା । ସେଥିରେ ସମ୍ପୃକ୍ତ ତିନି ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ଏବର ଘଟଣା ଭଳି ଏକ ତରଫା ଭାବେ କେନ୍ଦ୍ରକୁ ଡେପୁଟେସନରେ ଆଣିବାର ଆଦେଶ ଜାରି କରିଥିଲେ ବି ତାକୁ ଜୟଲଳିତା ଅଗ୍ରାହ୍ୟ କରି ଦେଇଥିଲେ । କେବଳ ସେତିକି ନୁହେଁ ଏହା ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ଦର୍ଶାଇ ସେ ଆଉ କିଛି ରାଜ୍ୟଙ୍କଠାରୁ ସମର୍ଥନ ମଧ୍ୟ ହାସଲ କରି ପାରିଥିଲେ । ଫଳରେ ସେମାନଙ୍କ ଡେପୁଟେସନ ଆଉ କାର୍ଯ୍ୟକାରି ହୋଇ ପାରି ନ ଥିଲା । ତେଣୁ କୌଣସି ଅଧିକାରୀଙ୍କୁ ଡେପୁଟେସନରେ ପଠାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ବାଧ୍ୟ କରି ପାରିବେ ନାହିଁ ।
କେନ୍ଦ୍ରୀୟ ଡେପୁଟେସନ ରିଜର୍ଭ (ସିଡିଆର)ରେ ସର୍ବାଧିକ ୧୦୭୫ ଜଣ ଆଇପିଏସ ଅଧିକାରୀ ରହି ପାରିବେ । ହେଲେ ଏବେ ସେହି ସଂଖ୍ୟା ଯଥେଷ୍ଟ କମ ଅଛି । ସରକାରଙ୍କ ତରଫରୁ ୨୦୧୮ ମସିହାରେ ସଂସଦରେ ପ୍ରଦତ୍ତ ତଥ୍ୟ ଅନୁସାରେ କେନ୍ଦ୍ରୀୟ ଡେପୁଟେସନ ଲାଗି ଏସପି ଓ ଡିଆଇଜି ସ୍ତରରେ ଯଥାକ୍ରମେ ୨୯ ଓ ୧୭ଟି ଶୂନ୍ୟସ୍ଥାନ ଥିଲା ବେଳେ ସେଥି ଲାଗି ମାତ୍ର ଜଣେ ଲେଖାଏଁ ଅଧିକାରୀ ଆବେଦନ କରିଥିଲେ । ତା’ର ଏକ ବଡ କାରଣ ହେଉଛି ଦେଶରେ ୪୯୪୦ଟି ଆଇପିଏସ ପଦରୁ ୯୭୦ଟି ଅର୍ଥାତ୍ ପ୍ରାୟ ୨୦ ପ୍ରତିଶତ ଖାଲି ରହିଛି । ତେଣୁ ପ୍ରତି ରାଜ୍ୟରେ ଆବଶ୍ୟକତାଠାରୁ ଯଥେଷ୍ଟ କମ ସଂଖ୍ୟକ ଆଇପିଏସ ଅଧିକାରୀ ଥିବାରୁ ରାଜ୍ୟ ସରକାର ମଧ୍ୟ ଡେପୁଟେସନରେ ପଠାଇବାକୁ ଆଗ୍ରହ ଦେଖାଉନାହାନ୍ତି । ଆଇଜି, ଏଡିଜି, ଏସଡିଜି ଓ ଡିଜି ସ୍ତରରେ ଅଳ୍ପ ଶୂନ୍ୟସ୍ଥାନ ଥିବା ବେଳେ ସେଥିପାଇଁ ଅଧିକାରୀ ମିଳିବାରେ ଅସୁବିଧା ହୋଇ ନ ଥାଏ । ପ୍ରକ୍ରିୟା ଅନୁସାରେ କେନ୍ଦ୍ରକୁ ଡେପୁଟେସନରେ ଯିବା ଲାଗି ଆଗ୍ରହୀ ଆଇପିଏସ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ରାଜ୍ୟଗୁଡିକ କେନ୍ଦ୍ର ନିକଟକୁ ପଠାଇଥାଆନ୍ତି ଏବଂ ସେହି ତାଲିକାରୁ ଏକ କମିଟି ମାଧ୍ୟମରେ ଯୋଗ୍ୟ ଅଧିକାରୀଙ୍କୁ ମନୋନୟନ କରି କେନ୍ଦ୍ରକୁ ଡେପୁଟେସନରେ ନିଆ ଯାଇଥାଏ । ତେଣୁ କେନ୍ଦ୍ର ନାମୋଲ୍ଲେଖ କରି କାହାକୁ ଡେପୁଟେସନରେ ନେବାକୁ ଚାହିଁବା ନିୟମ ସଙ୍ଗତ ନୁହେଁ । ଏବର ଘଟଣାରେ ଠିକ ସେଇଆ ହୋଇଛି ଯେଉଁଥିପାଇଁ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହା ଯାଉଛି । ଅବଶ୍ୟ କେନ୍ଦ୍ର ତରଫରୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଡେପୁଟେସନରେ ନେବା ଲାଗି ପତ୍ର ପଠାଇବା କିଛି ନୂଆ ଘଟଣା ନୁହେଁ । ନବେ ଦଶକରେ କେନ୍ଦ୍ର ସରକାର ଆସାମ କ୍ୟାଡରର ଆଇପିଏସ ଅଧିକାରୀ ଇ ଏନ ରାମମୋହନଙ୍କ ନାମୋଲ୍ଲେଖ କରି ଡେପୁଟେସନରେ ଆଣିଥିଲେ, ଯିଏ ପରବର୍ତ୍ତୀ ସମୟରେ ବିଏସଏଫର ଡିଜି ହୋଇଥିଲେ । ତେବେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଅସହମତି ନ ଥିବାରୁ କୌଣସି ଅସୁବିଧା ହୋଇ ନ ଥିଲା ।
୨୦୧୮ ମସିହାରେ ବିହାର ରାଜ୍ୟର କଟିହାରସ୍ଥିତ ତତକାଳୀନ ପୁଲିସ ଅଧିକ୍ଷକ ଆଇପିଏସ ଅଧିକାରୀ ସିଦ୍ଧାର୍ଥ ମୋହନ ଜୈନଙ୍କର ୪ ବର୍ଷ ଲାଗି ସିବିଆଇକୁ ଡେପୁଟେସନରେ ଯିବାର ଆଦେଶ ଜାରି ହୋଇଥିଲା । କିନ୍ତୁ ତାଙ୍କ ବିଦାୟକାଳୀନ ସଭାରେ ସେ ତାଙ୍କ ସର୍ଭିସ ରିଭଲଭରରୁ ଛଅ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଜଣା ପଡିବା ପରେ ରାଜ୍ୟ ସରକାର ତାଙ୍କ ଡେପୁଟେସନ ଆଦେଶକୁ ବାତିଲ କରି ଦେଇଥିଲେ । ଅର୍ଥାତ୍, କେନ୍ଦ୍ର ଡେପୁଟେସନକୁ ଯାଉଥିବା ଆଇପିଏସ ଅଧିକାରୀ କେନ୍ଦ୍ର ଅଧୀନରେ ଯୋଗଦାନ କରିବା ପୂର୍ବରୁ ମଧ୍ୟ ସମ୍ପୃକ୍ତ ରାଜ୍ୟ ସରକାର ଚାହିଁଲେ ତାଙ୍କ ଡେପୁଟେସନ ଆଦେଶକୁ ରଦ୍ଦ କରି ଦେଇ ପାରିବେ । ତେବେ କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ କୌଣସି ଅଧିକାରୀଙ୍କୁ ରାଜ୍ୟ ସରକାର ବି ନିଲମ୍ୱିତ କରି ପାରିବେ ନାହିଁ, ତାହା ତାମିଲନାଡୁ କ୍ୟାଡର ଆଇପିଏସ ଅଧିକାରୀ ଅର୍ଚ୍ଚନା ରାମସୁନ୍ଦରମଙ୍କ ମାମଲାରେ କୋର୍ଟ ମଧ୍ୟ ମୋହର ଲଗାଇ ସାରିଛନ୍ତି ।
ଇତିମଧ୍ୟରେ ଡେପୁଟେସନ ଆଦେଶ ପାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟତର କୁହା ଯାଉଥିବା ବରିଷ୍ଠ ପୁଲିସ ଅଧିକାରୀ ରାଜୀବ ମିଶ୍ରଙ୍କୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ପଠାଇବା ତ ଦୂରର କଥା ବରଂ ତାଙ୍କୁ ଏଡିଜି ଭାବେ ପଦୋନ୍ନତି ଦେଇ ଆଉ ଏକ ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସର୍ବଭାରତୀୟ ସେବାର ଆଇଏଏସ ଓ ଆଇପିଏସ ଅଫିସରମାନେ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ନିରପେକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିବା ଆଶା କରାଯାଏ । ତେବେ କୌଣସି ରାଜ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଦୀର୍ଘ ଦିନ ଧରି ଶାସନରେ ରହିଲେ ସେଠାକାର କିଛି ଅଧିକାରୀ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ଅପେକ୍ଷା ଶାସକ ଦଳ ପ୍ରତି ବା ଦଳର ନେତାଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ଲାଭାନ୍ୱିତ ହେଉଥିବା ପରିଲକ୍ଷିତ ହେଉଛି, ଯାହା ଅମଲାତନ୍ତ୍ର ଓ ପୁଲିସର ନିରପେକ୍ଷତାକୁ ପ୍ରତିହତ କରି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ତିନି ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ନେବାରେ ସଫଳ ହେଲେ ତାହା ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଓ ଦଳୀୟ ରାଜନୀତି ସହ ସମ୍ପୃକ୍ତ ଥିବା ଅଧିକାରୀଙ୍କ ଲାଗି ସତର୍କ ଘଣ୍ଟି ହୋଇପାରେ । ଆଗାମୀ ଦିନରେ ଆଇଏଏସ ଓ ଆଇପିଏସଙ୍କ ଡେପୁଟେସନକୁ ନେଇ ବିରୋଧୀ ଦଳ ଶାସିତ ରାଜ୍ୟଗୁଡିକ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯଦି ଉତ୍ତେଜନା ଲାଗି ରହି ତିକ୍ତତା ବୃଦ୍ଧି ପାଏ ତେବେ ତଦ୍ଦ୍ୱାରା ସର୍ବ ଭାରତୀୟ ସେବା ବ୍ୟବସ୍ଥାର କାର୍ଯ୍ୟକାରିତା ବାଧାପ୍ରାପ୍ତ ହେବ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବାରୁ ନିବୃତ୍ତ ହେବା ଶ୍ରେୟସ୍କର ।
Published in Odisha Reporter on December 31, 2020
Comments
Post a Comment