ଯାହାର ନାମ ଆଗେ ଥିଲା ଫ୍ରି ସ୍କୁଲ ଷ୍ଟ୍ରିଟ, ସେହି ମିର୍ଜା ଗାଲିବ ଷ୍ଟ୍ରିଟର ଲ୍ୟାଜର୍ସ ନିଲାମ ଦୋକାନରେ ପ୍ରତି ରବିବାର ସକାଳେ ସହଦେବବାବୁଙ୍କୁ ଦେଖା ଯିବା ଆରମ୍ଭ ହେଇଛି ଏଇ ପ୍ରାୟ ତିନି ମାସ ହେଲା ।
ପ୍ରଥମ ଅବସ୍ଥାରେ ଲୋକାଲ ଟ୍ରେନରେ ଚଟି ବହି, ଗୋପାଳ ଭାଣ୍ଡ ବହି, ଖନାବଚନ ବହି, ପାଂଚାଳି ବହି ଏଇ ସବୁ ବିକ୍ରି କରୁଥିଲେ, ତା’ପରେ ନାନା ରକମ ଦଲାଲି କାମ କରି କମିଶନି ଟଙ୍କା ଜମାଇ ଗୋଟେ ଛୋଟମୋଟ ବ୍ୟବସାୟ ଆରମ୍ଭ କରି ଏଇ ପ୍ରାୟ ପାଂଚ ବର୍ଷ ହେବ ଇଲେକଟ୍ରିକ କ୍ୟାବଲର ବ୍ୟବସାୟ କରି ସହଦେବ ଘୋଷ ଆଜି ଆସି ଯେଉଁଠାରେ ଠିଆ ହେଇଛନ୍ତି ସେଠି ତାଙ୍କର ସଦାନନ୍ଦ ରୋଡରେ ଗୋଟେ ସୁଦୃଶ୍ୟ ଫ୍ଲାଟ, ଗୋଟେ ଫିଆଟ ଗାଡି, ଟେଲିଫୋନ, ଟେଲିଭିଜନ, ଦୁଇଟା ଚାକର, ଗୋଟେ ପୂଜାରୀ, ଗୋଟେ ଆଲସିସିଆନ କୁକୁର । ଆଗେ ଯେଉଁମାନେ ତାଙ୍କର ଖୁବ ପାଖର ଲୋକ ଥିଲେ, ଏବେ ସେମାନେ ତାଙ୍କୁ ଦେଖିଲେ ଚଟ କରି ଚିହ୍ନି ପାରନ୍ତି ନାହିଁ, ବା ଚିହ୍ନିଲେ ବି କଥା କହିବାକୁ ସାହସ କରି ଆଗେଇ ଆସନ୍ତି ନାହିଁ । ସହଦେବବାବୁଙ୍କର ବି ଖୁବ ଇଚ୍ଛା ନାହିଁ ଯେ ସେମାନେ ତାଙ୍କୁ ଚିହ୍ନନ୍ତୁ ; ସେଥିପାଇଁ ସେ ନିଶ ରଖିଛନ୍ତି, କଲିକୁ ଇଂଚେ ବଢାଇଛନ୍ତି, ଆଉ ଆଖି ଖରାପ ହେଇ ନଥିଲେ ବି ଗୋଟେ ପାଓାରଲେସ ସୁନାର ଚଷମା ନେଇଛନ୍ତି । ଅବସ୍ଥାରେ ଉନ୍ନତି ସଙ୍ଗେ ସଙ୍ଗେ ତାଙ୍କର ନୂଆ ସାଙ୍ଗ ବି ଜୁଟିଛନ୍ତି, ଯେଉଁମାନେ ପ୍ରତି ଦିନ ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଭଲ ଚା’ ପିଅନ୍ତି, ଭଲ ସିଗାରେଟ ଟାଣନ୍ତି, ପ୍ଲାଷ୍ଟିକ ତାସରେ ତିନ୍ପତି ଖେଳନ୍ତି, ଆଉ ଶନି-ରବିବାରରେ ଟେଲିଭିଜନରେ ହିନ୍ଦୀ-ବଙ୍ଗଳା ସିନେମା ଦେଖନ୍ତି ।
ଲ୍ୟାଜର୍ସ ଦୋକାନକୁ ଯିବାର କାରଣଟା ସହଦେବବାବୁଙ୍କ ବୈଠକଖାନାକୁ ଗଲେ ହିଁ ବୁଝିହୁଏ । ଘରର ଶୋଭା ବଢାଇବା ପାଇଁ ପ୍ରତି ରବିବାର ସେ ନିଲାମରୁ କିଛି ନା କିଛି ସୌଖୀନ ଜିନିଷ କିଣି ଆଣିଥାନ୍ତି । ଘଡି, ଲ୍ୟାମ୍ପ, ପିତଳ ଓ ମାଟିର ମୂର୍ତି, ମହମବାତୀଦାନୀ, ବିଲାତି ଲ୍ୟାଣ୍ଡସ୍କେପ ଛବି – ଘରର ଏ ସବୁ କିଛି ଲ୍ୟାଜର୍ସ ଦୋକାନରୁ ଅଣା । ଏହା ବ୍ୟତୀତ ଟେବୁଲ, ଚେୟାର, ସୋଫା, କାର୍ପେଟ ଇତ୍ୟାଦି ତ ଅଛି ।
ଲ୍ୟାଜର୍ସ କମ୍ପାନୀର ମିହିରବାବୁ କଥା ଦେଇଛନ୍ତି ଯେ ଆଜି ସେ ବିଲାତି ଔପନ୍ୟାସିକମାନଙ୍କ ଭଲ ଗୋଟେ ସେଟ ବହି ସହଦେବବାବୁଙ୍କ ପାଇଁ ଯୋଗାଡ କରି ଦେବେ । ମିହିରବାବୁ ଅଭିଜ୍ଞ ଲୋକ, କୋଡିଏ ବର୍ଷ ହେଲାଣିି ଅଛନ୍ତି ଲ୍ୟାଜର୍ସ କମ୍ପାନୀରେ । ନାଗୁଆ ଗରାଖଙ୍କ ଚାହିଦାଗୁଡିକୁ ସେ ଆଗରୁ ଅନୁମାନ କରି ପାରନ୍ତି । ସହଦେବବାବୁଙ୍କ ପସନ୍ଦଟା ବି ତାଙ୍କୁ ଭଲ ଭାବେ ଜଣା । ଏଥି ପୂର୍ବରୁ ବି ସେ ହଠାତ୍-ବଡଲୋକ ହେଇଥିବା ଅନେକଙ୍କ ଚାହିଦା ପୂରଣ କରିଛନ୍ତି । ଏମାନଙ୍କ ଭିତରୁ ଅନେକେ ପାଠଶାଠ ପଢି ନଥିଲେ ବି ଯେ ଚିକଚିକ ବିଲାତି ବହି ଦେଇ ଆଲମାରି ସଜାଇବାକୁ ଭଲ ପାଇଥାନ୍ତି, ତାହା ମିହିରବାବୁ ଭଲ କରି ଜାଣନ୍ତି ।
ଷୋହଳଟା ବହିର ସେଟ, ଗାଢ ଲାଲ ଚମଡାରେ ବନ୍ଧା, ଏଗୁଡିକୁ ଦେଖିଲା ମାତ୍ରେ ସହଦେବବାବୁଙ୍କ ମନଟା ଖୁସିରେ ନାଚି ଉଠିଥିଲା । କିନ୍ତୁ ତାହା ଦେଖିବା ପର ମୁହୂର୍ତରେ ହିଁ, ବହିଗୁଡା ଯେଉଁ ଟେବୁଲ ଉପରେ ରଖା ହେଇଥିଲା ତା’ର ଠିକ ପଛ ପାଖ କାନ୍ଥରେ ଟଙ୍ଗା ଗିଲଟି ଫ୍ରେମରେ ବନ୍ଧା ଗୋଟେ ଛବିକୁ ଦେଖି ସେ କେମିତି ଟିକେ ଘାବରେଇ ଯାଇ ବହି କଥାଟା ସାମୟିକ ଭାବେ ଭୁଲି ଗଲେ ।
ଛବିଟା ଗୋଟେ ଅଏଲ ପେଂଟିଂ । ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ପୋର୍ଟ୍ରେଟ । ସାଇଜରେ ଅନ୍ଦାଜ ତିନି ଫୁଟ ବାଇ ଚାରି ଫୁଟ । ସେଇଟା ଯେ ବେଶ୍ ପୁରୁଣା, ତାହା ଯେମିତି ତା’ର ଧୂଳିଧୂସରିତ ଅବସ୍ଥାରୁ ବୁଝି ହୁଏ, ସେମିତି ବୁଝି ହୁଏ ଛବିରେ ଥିବା ଅନେକ ଛୋଟମୋଟ ଜିନିଷରୁ । ହୁକା, କିରୋସିନି ଲ୍ୟାମ୍ପ, ରୂପାର ପାନ ବଟୁଆ, ହାତୀଦାନ୍ତର ହାତବାଲା ଛଡି – ଏ ସମସ୍ତ ବିତି ଯାଇଥିବା ଦିନର କଥା ମନେ ପକାଇ ଦିଅନ୍ତି । ତା’ ଛଡା ବାବୁଙ୍କ ପିନ୍ଧା ଗିଲକରା ଗୋଟେ ପାଖ ବୋତାମବାଲା ପଞ୍ଜାବି, ଘନ କାମ କରା କାଶ୍ମୀରୀ ସାଲ, କୁଂଚକରା ଚଉଡା ଧଡିବାଲା ଧୋତି, ଏ ସବୁ ବା ଆଜିକାଲି ଆଉ କିଏ ପିନ୍ଧୁଛି ? ଯେଉଁ କାଳର ଛବି ସେ ସମୟରେ ଅନେକ ସମ୍ଭ୍ରାନ୍ତ ବଙ୍ଗାଳୀ ଆର୍ଟିଷ୍ଟମାନଙ୍କୁ ଦେଇ ନିଜର ଛବି ଅଙ୍କାଇ ଘରେ ଟଙ୍ଗେଇ ରଖୁଥିଲେ ; ତେଣୁ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯାହା ସହଦେବବାବୁଙ୍କୁ ଅବାକ କଲା, ତାହା ହେଲା ଭଦ୍ରଲୋକଙ୍କ ମୁହଁ – “କେମିତି ଲାଗୁଛିି ?” ସହଦେବବାବୁଙ୍କ ଆଡକୁ ଆଗେଇ ଆସି ପ୍ରଶ୍ନ କଲେ ମିହିରବାବୁ - “ପୂରାପୂରି ଆପଣଙ୍କ ମୁହଁ ପରି – ଠିକ୍ ନା ?”
ସହଦେବବାବୁଙ୍କର ସେଇୟା ମନେ ହେଇଥିଲା, କିନ୍ତୁ ବିଶ୍ୱାସଟାକୁ ଦୃଢ କରିବା ପାଇଁ ହାତ ପାଖରେ ବିକ୍ରି ଲାଗି ରଖା ହେଇଥିବା ଗୋଟେ ବାହାରର ଆଇନାରେ ନିଜ ମୁହଁଟାକୁ ଦେଖି ନେଇ କହିଲେ – “ସତରେ ତ । ଆଜ୍ଞା, ଇଏ କାହାର ଛବି ?”
ମିହିରବାବୁ ଜାଣନ୍ତିନି । କହିଲେ, “ଗୋଟେ ଲଟ୍ ଆସିଛି ଚିତପୁରର ଗୋଟେ ପୁରୁଣା ଘରର ଗୋଦାମରୁ । ଏବେ ସେହି ଘରେ ଗୋଟେ ଗେଞ୍ଜି କାରଖାନା ବସିଛି । ଅନେକ ଜିନିଷ ଭିତରେ ଏଇଟା ବି ଥିଲା ।”
“କାହାର ଛବି ଜାଣି ନାହାନ୍ତି ?” ପୁଣି ଥରେ ପଚାରିଲେ ସହଦେବବାବୁ ।
“ଉଁହୁଁ । ଦେଖିଲା ମାତ୍ରେ ଆପଣଙ୍କ କଥା ମନେ ପଡିଛି । କେହି ଜମିଦାର-ଫମିଦାର ହେଇଥିବେ । ତେବେ ଆର୍ଟିଷ୍ଟ କୁଆଡେ ନାଁ କରା । ଶୈଳେଶ ଚାଟାର୍ଜୀ, ଏଲଗିନ ରୋଡରେ ରହନ୍ତି, ଆର୍ଟ ନେଇ ଲେଖାଲେଖି କରନ୍ତି, ସେ ଏଇ କିଛି ସମୟ ଆଗରୁ ଆସି ଦେଖି କହିଲେ, ପରେଶ ଗୁଁଇଙ୍କର କୁଆଡେ ଆଗରୁ ଭଲ ନାମ ଥିଲା ।”
ଛବିର ଡାହାଣ ପାଖ କୋଣରେ ଲାଲ ରଙ୍ଗରେ ଲେଖା ଶିଳ୍ପୀଙ୍କ ନାମଟା ସହଦେବବାବୁଙ୍କ ଦୃଷ୍ଟିକୁ ଏଡାଇ ଯାଇନି । “ଏଇଟା ବି ଅକ୍ସନ୍ ହେବ ନା କ’ଣ ?” ସେ ପଚାରିଲେ ।
“କାହିଁକି, ଆପଣଙ୍କର ଦରକାର ?”
ଆଶ୍ଚର୍ଯ୍ୟ, ସହଦେବ ଘୋଷଙ୍କର ଅନେକ ଇଚ୍ଛା ଭିତରୁ ଗୋଟେ ବଡ ଇଚ୍ଛା ଥିଲା ନିଜର ଗୋଟେ ପୋର୍ଟେ୍ରଟ ଅଙ୍କାଇବା । ଦିନେ ଲ୍ୟାଜର୍ସରେ ହିଁ ଗୋଟେ ତେଲ ରଙ୍ଗର ପ୍ୟାଂଟିିଂ ଦେଖି ଇଚ୍ଛାଟା ପ୍ରବଳ ହୁଏ । କଥାଟା ମିହିରବାବୁଙ୍କୁ କହିଲା ପରେ ସେ ବି ଉତ୍ସାହିତ କରିଥିଲେ । – “ଆଜ୍ଞା, ଇଏ ଗୋଟେ ନୂଆ କଥା ହେବ । ଆଜିକାଲି ଆଉ ୟା’ର ରିୱାଜ ନାହିଁ ; କିନ୍ତୁ ପକ୍କା ହାତରେ ଗୋଟେ ବଡ ସାଇଜର ପୋର୍ଟ୍ରେଟ ଅଙ୍କେଇ ଘରେ ଟଙ୍ଗେଇ ରଖିଲେ ସେଇ ଘରର ଚେହେରା ବଦଳି ଯାଇଥାଏ । ଆଉ ଏଇ ଛବିଗୁଡାର ଆୟୁଷ କେତେ ଦିନ ଜାଣନ୍ତି ? ଏବେ ବି ଆର୍ଟ ଗ୍ୟାଲେରିରେ ଚାରି ଶହ ପାଞ୍ଚ ଶହ ବର୍ଷର ପୁରୁଣା ଅଏଲ ପ୍ୟାଂଟିଂ ଦେଖିଲେ ମନେ ହେବ ଯେମିତି କାଲିକା ଅଙ୍କା ।”
କୌଣସି ଆର୍ଟିଷ୍ଟଙ୍କ ସହ ପରିଚୟ ନାହିଁ, ଏପରିକି କଳାଜଗତ ସହ କୌଣସି ସମ୍ପର୍କ ନ ଥିବାରୁ ଶେଷରେ ସହଦେବବାବୁ ଆନନ୍ଦବଜାର ପତ୍ରିକା ଓ ଯୁଗାନ୍ତର ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ପଡୋଶୀ ସାମ୍ବାଦିକ ସୁଜୟ ବୋସ ବିଜ୍ଞାପନର ଭାଷାଟିକୁ ସଜାଡି ଦେଇଥିଲେ - ‘ତୈଳଚିତ୍ର ପ୍ରତିକୃତି-ଅଙ୍କନ ପାଇଁ ସୁଦକ୍ଷ ଶିଳ୍ପୀ ଆବଶ୍ୟକ । ପ୍ରଶଂସାପତ୍ର ସହ ନିମ୍ନଲିଖିତ ଠିକଣାରେ...’ ଇତ୍ୟାଦି ।
ଜଣେ ଶିଳ୍ପୀର ଦରଖାସ୍ତ ଦେଖି ତା’କୁ ସହଦେବବାବୁ ଘରକୁ ଡକାଇ ପଠାଇଲେ । ବୟସ ପଚିଶ ପାଖାପାଖି ହେବ, ନାମ କଲ୍ଲୋଳ, କଲ୍ଲୋଳ ଦାଶଗୁପ୍ତ । ଗଭର୍ଣ୍ଣମେଂଟ କଲେଜ ଅଫ ଆର୍ଟସରୁ ପାସ କରି ଚାକିରୀ ପାଇଁ ଚେଷ୍ଟା କରୁଛି । ଛାତ୍ର ଭାବେ ଯେ ଭଲ ଥିଲା ତା’ର ପ୍ରମାଣ ରହିଛି ସାର୍ଟିଫିକେଟଗୁଡିକରେ । କିନ୍ତୁ ପିଲାଟିର ମୁଣ୍ଡ ବାଳ, ନିଶ, ଦାଢିର ରୂପ, ଢିଲା ପ୍ୟାଂଟ ଆଉ ଉଗ୍ର ବାଇଗଣି ରଙ୍ଗର ସାର୍ଟକୁ ଦେଖି ସହଦେବବାବୁଙ୍କ ଭରସା ପାଇଲାନି । ବୋଧେ ଅତିରିକ୍ତ ଅଭାବୀ ବୋଲି ପିଲାଟି ବାରଣ କରିବା ସତ୍ୱେ ଆଉ ଦି’ ଥର ଆସିଥିଲା, ହେଲେ ସହଦେବବାବୁଙ୍କ ମନ ତରଳିଲାନି । ଯାହାର ଚେହେରା ଏତେ ଅପରିଷ୍କାର ତା’ର ଛବି ଅଙ୍କା ହାତ ପରିଷ୍କାର ହେବ କିପରି ?
ଶେଷରେ ଜଣେ ବ୍ୟବସାୟୀ ବନ୍ଧୁଙ୍କ କଥାରେ ବିଶ୍ୱାସ କରି ଜଣେ ଭଦ୍ର ଚେହେରାସମ୍ପନ୍ନ ଆର୍ଟିଷ୍ଟକୁ ଡାକି ଦୁଇ ଦିନ ସିଟିଂ ବି ଦେଇଥିଲେ ସହଦେବବାବୁ । କିନ୍ତୁ ଦ୍ୱିତୀୟ ଦିନ ଯେତେବେଳେ ଦେଖିଲେ ଯେ ତାଙ୍କ ଚେହେରାଟା ତାଙ୍କ ଭଳି ନ ହେଇ ନିଉ ମାର୍କେଟର ପାରାଡାଇଜ ଷ୍ଟୋର୍ସର ବ୍ରଜେନ ଦତଙ୍କ ଭଳି ହେଇ ଯାଉଛି, ବାଧ୍ୟ ହେଇ ଆର୍ଟିଷ୍ଟର ହାତରେ ପାଂଚଟା ଦଶ ଟଙ୍କିଆ ନୋଟ ଗୁଞ୍ଜି ଦେଇ ତାକୁ ବିଦାୟ ଦେଇଥିଲେ ।
ମିିହିରବାବୁଙ୍କ ପ୍ରଶ୍ନର ଉତରରେ ସହଦେବବାବୁ କହିଲେ, “ଖବରକାଗଜରେ ବିଜ୍ଞାପନ ଦେଇ ବି ତ ଭଲ ଆର୍ଟିଷ୍ଟ ପାଇଲିନି, ଅଥଚ ଏଇଟା ଯେମିତି ମୋ’ ପାଇଁ ତିଆରି ହେଇଛି ! – ସେଥିପାଇଁ ଭାବୁଥିଲି ମାନେ ...”
“ତା’ ହେଲେ ଆପଣଙ୍କ ପାଇଁ ଛବିଟା ରଖି ଦେଉଛି ?”
“ଇୟେ, କେତେ ହେବ ?”
“ଦାମ ? ଦେଖେ କେତେ କମେଇ ପାରିବି । ତେବେ ସେଇ ଯେଉଁ କହୁଥିଲି - ଏକଦା ଆର୍ଟିଷ୍ଟଙ୍କର ଭଲ ନାମ ଥିଲା ।”
ଶେଷରେ ଏହି ଅଜ୍ଞାତପରିଚୟ ବଙ୍ଗାଳୀଙ୍କ ଛବିଟିକୁ ସାଢେ ସାତ ଶହ ଟଙ୍କାରେ କିଣି ଆଣି ସହଦେବବାବୁ ତାକୁ ତାଙ୍କ ବୈଠକଖାନାର ସବୁଠାରୁ ବେଶି ଆଖିରେ ପଡୁଥିବା କାନ୍ଥରେ ସ୍ଥାନ ଦେଲେ । ପ୍ରକୃତରେ ଘରର ଚେହେରା ବଦଳିଗଲା । ଜବରଦସ୍ତ ଶିଳ୍ପୀ, ସେଥିରେ କୌଣସି ସନେ୍ଦହ ନାହିଁ । କାଶ୍ମୀରୀ ଶାଲର ପ୍ରତିଟି କଢ କେତେ ଧୈର୍ଯ୍ୟ ଓ ଯତ୍ନ ସହକାରେ ଅଙ୍କା ; ଡାହାଣ ହାତ ଅନାମିକାରେ ପିନ୍ଧିଥିବା ମୁଦିଟିର ହୀରାଟା ଯେମିତି ଚକଚକ କରୁଛି ; ହୁକାର ରୂପାର ପାତ୍ରଟି ଯେମିତି ଏବେ ପାଲିଶ କରା ହେଇଛି ।
କହିବା ବାହୁଲ୍ୟ, ସହଦେବବାବୁଙ୍କ ସାଙ୍ଗମାନେ ବି ଛବିଟିକୁ ଦେଖି ଥ ମାରିଗଲେ । ପ୍ରଥମେ ସମସ୍ତେ ଭାବିଥିଲେ ଯେ ବୋଧେ ଏହାରି ଭିତରେ ସମୟ କାଢି ସହଦେବବାବୁ କେଉଁ ଆର୍ଟିଷ୍ଟର ଷ୍ଟୁଡିଓକୁ ଯାଇ ଏଇ ଛବିଟିକୁ ଅଙ୍କେଇ ଆଣିଛନ୍ତି । ତା’ପରେ ପ୍ରକୃତ କଥାଟି ଜାଣି ସମସ୍ତଙ୍କ ଆଖି ତାଟକା ହେଇଗଲା । ପୃଥିବୀର କୋଟି କୋଟି ମଣିଷ ପ୍ରତ୍ୟେକଙ୍କର ଆଖି, କାନ, ନାକ, ଓଠ, ମୋଟାମୋଟି ଯାଆଁଳା ଭାଇ-ଭଉଣୀଙ୍କୁ ଛାଡି ଦେଲେ ଦି’ ଜଣଙ୍କ ଚେହେରାରେ ଏତେ ସାଦୃଶ୍ୟ ବା କେଉଁଠି ଆଖିରେ ପଡେ ? ସତ୍ୟନାଥ ବକ୍ସି ତ ସିଧା ପଚାରି ବସିଲା, “ଇଏ ତମର କେହି ପୂର୍ବ ପୁରୁଷ ନୁହନ୍ତି ତ ?” ଅବଶ୍ୟ ତାହା ସମ୍ଭବ ନୁହେଁ, କାରଣ ସହଦେବବାବୁଙ୍କ ପୂର୍ବପୁରୁଷମାନଙ୍କ ମଧ୍ୟରେ କେହି ବି ଗତ ଶହେ ବର୍ଷ ଭିତରେ ସେମିତି ଟଙ୍କା କମେଇ ନାହାନ୍ତି । ଜେଜେବାପା ଥିଲେ ରେଳଷ୍ଟେସନରେ ଟିକେଟବାବୁ, ଆଉ ପ୍ରପିତାମହ ଥିଲେ ଜମିଦାରୀ ସିରସ୍ତାରେ ସାମାନ୍ୟ କିରାଣୀ ।
ନନ୍ଦ ବାନାର୍ଜୀର ରହସ୍ୟ ଉପନ୍ୟାସ ପଢାର ପାଗଳାମି ଯୋଗୁ ସେ ନିଜକୁ ଜଣେ ଛୋଟକାଟର ଗୁଇନ୍ଦା ଭାବେ କଳ୍ପନା କରିବାକୁ ଭଲପାଏ । ସେ କହିଲା, “ଏଇ ବାବୁଜଣକର ପରିଚୟ ଖୋଜି ବାହାର ନ କଲା ଯାଏଁ ଆଶ୍ୱସ୍ତି ମିଳିବନି । ସେହି ହୀରାର ମୁଦି ଭିତରେ ମୁଁ ଗୋଟେ ରହସ୍ୟର ଗନ୍ଧ ପାଉଛି । ନିତାଇ ଦା’ଙ୍କ ପାଖରେ ଚାରି ଭଲୁ୍ୟମର ବଂଶ ପରିଚୟ ଅଛି । ବଙ୍ଗଳାର ଜମିଦାରମାନଙ୍କ ନାଡିନକ୍ଷତ୍ର ସେଥିରୁ ଜଣାଯାଏ ; ଗୁଡାଏ ଛବି ବି ଅଛି ।”
ସେ ଦିନ ଆଉ ତାସ ଆଡ୍ଡା ଜମିଲା ନାହିଁ । ଏଇ ଧରଣର କାକତାଳୀୟ ଘଟଣା ଆଉ ଯାହାକୁ ଯାହା ଜଣା ଥିଲା ସେହି ସବୁ କଥା ହେଇ ସନ୍ଧ୍ୟାଟା କଟିଗଲା ।
ରାତିରେ ବିଛଣାରେ ଶୋଇ ସହଦେବ ଅନୁଭବ କଲେ ଯେ ଛବିଟା ଦିନ ବେଳେ ବୈଠକଖାନାରେ ରହିଲେ ବି ରାତିରେ ଶୋଇବା ଘରେ ରହିଲେ ଭଲ ହୁଅନ୍ତା । ଆଉ ସେହି ସଙ୍ଗେ ଛବିଟାର ମୁଣ୍ଡ ଉପରେ ଗୋଟେ ବ୍ଲୁ ଲାଇଟର ବ୍ୟବସ୍ଥା କରାଯାଇ ପାରିଲେ – ଯେମିତି ଟ୍ରେନ କୋଠରୀମାନଙ୍କରେ ଥାଏ - ଆଉ ତାକୁ ରାତି ସାରା ଜଳାଇ ରଖାଗଲେ ନିଦରେ ବି ବ୍ୟାଘାତ ହେବନି, ଅଥଚ ଅଧ ରାତିରେ ନିଦ ଭାଙ୍ଗିଲା ମାତ୍ରେ ଛବିଟା ଆଖିରେ ପଡିବ ।
ତା’ ପର ଦିନ ଇଲେକଟ୍ରିକ ମିସ୍ତ୍ରୀକୁ ଡକାଇ ସେହି କାମଟିକୁ କରାଇ ନେଲେ ସହଦେବବାବୁ ।
ଛବିଟା ପାଇବା ତିନି ଦିନ ଭିତରେ ସେ କଲିଟାକୁ ଇଂଚେ ପାଖାପାଖି କମ କରିଦେଲେ, କାରଣ କଲିଟାରେ ହିଁ ଛବିର ଚେହେରା ସାଙ୍ଗେରେ ମେଳ ନ ଥିଲା । ହାତ ନଖ ନିୟମିତ ଭାବେ ନ କାଟିବା ଫଳରେ ଅସଞ୍ଜତ ଭାବେ ବଢି ଯାଇଥିଲା ସହଦେବବାବୁଙ୍କର ; ଛବିର ବାବୁଙ୍କ ନଖ ମୂଳ ଯାଏଁ ପରିଷ୍କାର ଭାବେ କଟା, ତେଣୁ ସହଦେବବାବୁ ନିଜ ନଖର ଯତ୍ନ ନେବା ଆରମ୍ଭ କଲେ । ପାନର ଅଭ୍ୟାସ ନ ଥିଲା ; ଛବି ଭଳି ପାନ ଡବା କିଣି ଚାକରକୁ ଦେଇ ଖିଲି ପାନ ଡବାରେ ସଜାଇ କରି ପୂରାଇ ପକେଟରେ ନେଇ କାମକୁ ଯିବା ଆରମ୍ଭ କଲେ । ଗାଉଁଲି ମଣିଷ, ଛୋଟରୁ ବଡ ହେଇଛନ୍ତି ବୋଲି ଆଦବ କାଇଦା ଦିଗଟି ସହଦେବବାବୁଙ୍କୁ ଆଦୌ ଜଣା ନ ଥିଲା । ଏଇ ସମ୍ଭ୍ରାନ୍ତ ଘରର ବାବୁଙ୍କ ପ୍ରଭାବ କ୍ରମେ ତାଙ୍କ ହାବଭାବରେ ଗୋଟେ ପାଲିଶ ଆସିବା ଆରମ୍ଭ ହେଲା । ଲାଲବଜାର ଅଫିସରେ ବସି ଯେତିକି ସମୟ କାମ କରନ୍ତି ସେତିକି ସମୟ କିଛି ପରିବର୍ତନ ଲକ୍ଷ୍ୟ କରାଯାଏ ନାହିଁ । ଟେରିଲିନ ସାର୍ଟ ଆଉ ଟେରିକଟ ପ୍ୟାଂଟ ପିନ୍ଧି ଅଫିସକୁ ଯାଆନ୍ତି, ଗୋଲ୍ଡ ଫ୍ଲେକ ସିଗାରେଟ ଟାଣନ୍ତି, ଦିନରେ ତିନି ଥର ଚା’ ଆଉ ଦି’ ପହରେ ସୀତାନାଥ ଦୋକାନରୁ ଅଣା ହେଇଥିବା ପୁରୀ, ତରକାରୀ ଆଉ ଜିଲାପି ଖାଆନ୍ତି । ଏ ସବୁ ଅନେକ ଦିନର ଅଭ୍ୟାସ । କିନ୍ତୁ କାମ ସାରି ଘରକୁ ଫେରିଲା ପରେ ସେ ଆଉ ଆଗର ମଣିଷ ହେଇ ରହନ୍ତି ନାହିଁ । ଚାଲିବା ଭଙ୍ଗୀ, କଥା କହିବା ଢଙ୍ଗ, କୋଳରେ ତକିଆ ଧରି ବାବୁ ହେଇ ବସିବା କାଇଦା, ଚାକରକୁ ହାଙ୍କି କରି ଡାକିବାର ମିଜାଜ, ଏ ସବୁ ନୂଆ । ଅବଶ୍ୟ ଏ ସବୁ ସାଙ୍ଗମାନଙ୍କ ଦୃଷ୍ଟି ଏଡାଇ ଯାଏ ନାହିଁ । ସେମାନେ କହନ୍ତି, “ତମ ଉପରେ ଛବିର ବାବୁର ପ୍ରଭାବ ଯେଉଁ ଭଳି ପଡୁଛି, ତମକୁ ତ ଫ୍ଲାଟ ଘର ଛାଡି ବଙ୍ଗଳା ଘର ଦେଖିବାକୁ ହେବ ।” ସହଦେବବାବୁ ମୃଦୁ ହସନ୍ତି, କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ ।
ଛବି ବାବୁଙ୍କର ସବୁଠାରୁ ନିକଟର ଭଳି ସେତେବେଳେ ଲାଗେ ଯେତେବେଳେ ରାତିରେ ସହଦେବବାବୁ ଘରେ ପଶି ଅନ୍ୟ ଆଲୁଅ ସବୁ ଲିଭାଇ ଦେଇ ଖାଲି ନୀଳ ଆଲୁଅଟି ଜଳାଇ ଖଟରେ ଶୁଅନ୍ତି । ସେତେବେଳେ ତାଙ୍କର ମନେ ହୁଏ ସତେ ଯେମିତି ସେହି ବାବୁ ଆଉ ସିଏ, ଏକା ବ୍ୟକ୍ତି ।
ଆଉ ସେତେବେଳେ ହିଁ ତାଙ୍କର ମନେହୁଏ ସେହି ଭଳି ଗୋଟିଏ ପାଖରେ ସୁନା ବୋତାମବାଲା ପଞ୍ଜାବି, ସେହି ଭଳି ଲାଲ ଚଉଡା ଧଡିବାଲା ଧୋତି, ସେହି ଭଳି କାମକରା କାଶ୍ମୀରୀ ଶାଲ, ସେହି ଚେୟାର, ସେହି ହୁକ୍କା, ସେହି ହୀରାର ମୁଦି, ସେହି ହାତୀଦାନ୍ତ ହାତବାଲା ଛଡି, ଏ ସବୁ ତାଙ୍କର ଦରକାର ।
ଆଉ ଗୋଟେ ଗୋଟେ କରି ସବୁ ଯୋଗାଡ ହେଲା ।
ଛଡି ଆଉ ଚେୟାର ଦେଲେ ମିହିରବାବୁ ହିଁ । ଚିତପୁରରୁ ଲୋକ ଡକାଇ ଛବି ସହ ମିଳାଇ ସ୍ପେଶାଲ ହୁକ୍କା ତିଆରି କରାଗଲା । ତା’ ସହିତ ଭଲ ଅମ୍ବୁରି ତମାଖୁ ଅଣାଇ ତାକୁ ଟାଣିବାର ଅଭ୍ୟାସ ବି ଆରମ୍ଭ ହେଲା । ଛବି ଭଳି ପଞ୍ଜାବି ତିଆରି କରାଇବାରେ କୌଣସି ଅସୁବିଧା ନାହିଁ, ଆଉ ତା’ ପାଇଁ ସୁନା ବୋତାମ ବି କିଣା ହେଲା ।
ଶାଲଟା ଯୋଗାଡ ହେଲା ଗୋଟେ ବୃଦ୍ଧ କାଶ୍ମୀରୀ ଶାଲବାଲା ନିକଟରୁ ।
ଗତ ଶୀତରେ ନାଦିର ଶା ଶାଲବାଲା ହରେକରକମ ଶାଲ ନେଇ ସହଦେବବାବୁଙ୍କ ଘରକୁ ଆସିଥିଲା । ସହଦେବବାବୁ କିଛି କିଣି ନ ଥିଲେ । ଏ ଥର ଶୀତ ପଡିଲା ମାତ୍ରେ ଗୋଟେ ରବିବାର ସକାଳେ ଶାଲବାଲା ପୁଣି ଆସି ହାଜର । ସହଦେବବାବୁ ତାକୁ ଛବିଟାକୁ ଦେଖାଇ କହିଲେ, “ଠିକ ଏମିତି ଗୋଟେ ଶାଲ ଯୋଗାଡ କରି ଆଣି ଦେଇ ପାରିବୁ ?”
ନାଦିର ଶା ତା’ ଅଭିଜ୍ଞ ଆଖିରେ ଛବି ଉପରେ ଗୋଟେ ଦୃଷ୍ଟି ପକାଇ କହିଲା, “ଆଜିକାଲି ତ ଆଉ ଏମିତି ଫୁଲବାଲା ଶାଲ ଚଟ କରି ମିଳେ ନାହିଁ । ତେବେ ଟାଇମ ଦେଲେ ଖୋଜି ଦେଖିପାରେ ।”
ସେହି ଫୁଲବାଲା ଶାଲ ଆସିଗଲା ତିନି ସପ୍ତାହ ଭିତରେ । ରଙ୍ଗ ସାମାନ୍ୟ ମିଶୁ ନ ଥିଲା ; ତେବେ ଅସଲ ଶାଲର ରଙ୍ଗ କେମିତି ଥିଲା କିଏ କହିବ ? ଏକେ ତ ପୁରୁଣା ଛବି, ରଙ୍ଗ ବଦଳି ଯାଇ ଥାଇପାରେ, ତା’ ଛଡା ଆର୍ଟିଷ୍ଟର ତେଲ ରଙ୍ଗ ଆଉ ଶାଲର ଅସଲ ରଙ୍ଗ ଭିତରେ କୌଣସି ତଫାତ ନ ଥିଲା ବୋଲି କିଏ ଜୋର ଦେଇ କହି ପାରିବ ।
“କେତେ ଦାମ ?” ସହଦେବବାବୁ ପଚାରିଲେ ।
“ଆପଣଙ୍କ ପାଇଁ ସ୍ପେଶାଲ ରେଟ ସାଢେ ଚାର ।”
“ସାଢେ ଚାରି ଶହ ?”, ଆଜିକା ଦିନରେ ଭଲ କାଶ୍ମୀରୀ ଶାଲର ଦାମ ସମ୍ପର୍କରେ ସହଦେବବାବୁଙ୍କର କୌଣସି ଧାରଣା ନାହିଁ ।
“ନୋ ସାର”, ଆଖି କୋଣରେ କୁଂଚ ପକାଇ ମୃଦୁ ହସି କହିଲେ ନାଦିର ଶା – “ଫୋର ଥାଉଜେଣ୍ଡ ଏଣ୍ଡ ଫାଇଭ ହଣ୍ଡ୍ରେଡ ।”
ସ୍ପେଶାଲ ରେଟ ଆଉ କମିଲା ନାହିଁ । ନାଦିର ଶାକୁ ସାଢେ ଚାରି ହଜାର ଟଙ୍କାର ଗୋଟେ ଚେକ ଲେଖି ଦେଲେ ସହଦେବ ଘୋଷ ।
ଛବି ସହିତ ମେଳାଇ ଚେୟାର, ମାର୍ବଲର ତିନି ଗୋଡିଆ ଟେବୁଲ, ଘଷା କାଚର ଡୋମବାଲା କିରୋସିନି ଲ୍ୟାମ୍ପ ଆଉ ସେକସପିୟରଙ୍କ ବହି କିଣିଲା ପରେ ବି ଗୋଟେ ଜିନିଷ ବାକି ରହିଲା ।
ତାହା ହେଲା ବାବୁଙ୍କ ଡାହାଣ ହାତର ଅନାମିକାରେ ପିନ୍ଧା ହୀରା ମୁଦି ।
ଥରେ ସହଦେବବାବୁ ନୈହାଟୀ ଯାଇ ବିଖ୍ୟାତ ଜ୍ୟୋତିଷ ଦୁର୍ଗାଚରଣ ଭଟ୍ଟାଚାର୍ଯ୍ୟଙ୍କୁ ଦେଇ ତାଙ୍କ ଭାଗ୍ୟ ଗଣନା କରାଇ ଆଣିଥିଲେ । ସେତେବେଳେ ସେ ନୂଆ ନୂଆ ବ୍ୟବସାୟରେ ଓହ୍ଲାଇଥାନ୍ତି, ଭାଗ୍ୟରେ କ’ଣ ଅଛି କିଛି ଜଣା ନାହିଁ । ଜ୍ୟୋତିଷ ସହଦେବର ଅଭାବନୀୟ ଆର୍ଥିକ ସାଫଲ୍ୟର କଥା ଗଣନା କରି ଗୋଟେ କାଗଜରେ ଲେଖି ଦେଇଥିଲେ । କିନ୍ତୁ ଆଠ ବର୍ଷ ଭିତରେ ଯେ ସେହି ବ୍ୟବସାୟରେ ଏପରି ଦୁର୍ଯୋଗ ଦେଖା ଦେବ ସେ ସମ୍ପର୍କରେ କୌଣସି ଉଲ୍ଲେଖ ସେହି କାଗଜରେ ନ ଥିଲା । ଆଜି ସେହି କାଗଜଟିକୁ ଛିଣ୍ଡାଇ ଦଳି ଚକଟି ତାକୁ ଝରକା ବାହାରକୁ ଫୋପାଡି ଦେଲେ ସହଦେବବାବୁ ।
କାରଣ ଆଉ କିଛି ନୁହେଁ, ଗତ ମାସକ ମଧ୍ୟରେ ଦୁଇଟା ବଡ ଅର୍ଡର ବାତିଲ ହେଇଯିବାରୁ ସହଦେବଙ୍କର ବେଶ କିଛି ଲକ୍ଷ ଟଙ୍କା ଲୋକସାନ ହେଇଯାଇଛି ।
ଅତ୍ୟନ୍ତ ସାଧାରଣ ଅବସ୍ଥାରୁ ଆରମ୍ଭ କରିଥିଲେ ବି ତାଙ୍କୁ କେବେ ବି ଖସିବାର ଗ୍ଳାନି ଭୋଗ କରିବାକୁ ହେଇନି । ସେ ତଳୁ ଧୀରେ ଧୀରେ ସମାନ ଭାବେ ଉପରକୁ ଉଠିଛନ୍ତି । ଅର୍ଥାତ୍, ପୂରାଟା ଖାଲି ଉଠିବା, ଖସିବା ନୁହେଁ । କିନ୍ତୁ ଆଜି ହଠାତ୍ ଖସିବାର ବିଭୀଷିକାମୟ ଅଭିଜ୍ଞତା ତାଙ୍କୁ ଦିଗହରା କରି ଦେଲା । ଆଉ ଏଇ ଅବସ୍ଥାଟା ଯେ ସାମୟିକ ସେଭଳି ଭରସା ବି ସେ ପାଇଲେ ନାହିଁ ।
ଏଇ ଅବସ୍ଥାରେ ଜଣେ ଜ୍ୟୋତିଷ ଉପରୁ ଆସ୍ଥା ହରାଇଲେ ବି ଆଉ ଜଣଙ୍କ ନିକଟକୁ ଯିବାର ଲୋଭ ସମ୍ଭାଳି ପାରିଲେନି ସହଦେବ ଘୋଷ । ଭବାନୀପୁର ଗିରୀଶ ମୁଖାର୍ଜୀ ରୋଡର ନାରାୟଣ ଜ୍ୟୋତିଷଙ୍କୁ ଯାଇ ଧରିଲେ ସେ ।
ନାରାୟଣ ଜ୍ୟୋତିଷଙ୍କୁ ଗଣନା କରିବାକୁ ଲାଗିଲା ସାଢେ ଚାରି ମିନିଟ । ସହଦେବର ଚରମ ଦୁର୍ଦ୍ଦିନ ଦେଖା ଦେଇଛି । ଅଶୁଭ ଗ୍ରହର ପ୍ରଭାବ ରହିବ ବର୍ଷଟା ଯାକ । ଏବଂ କୌଣସି ଜଣେ ବ୍ୟକ୍ତି ଯାହା ଉପରେ ସହଦେବବାବୁ ବିଶ୍ୱାସ ରଖିଥିଲେ, ସେ ପ୍ରତାରକର କାମ କରୁଛନ୍ତି । ଏଇ ବ୍ୟକ୍ତିଟି ଯେ କିଏ, ତାକୁ ଖୋଜି ବାହାର କରିବାର ପ୍ରୟୋଜନ ଅନୁଭବ କଲେ ନାହିଁ ସହଦେବବାବୁ । ଏମିତି କେହି କରିପାରେ ବୋଲି ଆଗରୁ ଜାଣିଥିଲେ ହୁଏତ ସାବଧାନ ହେଇ ପାରିଥାନ୍ତେ । ବ୍ୟବସାୟରେ ଓହ୍ଲାଇ ତାଙ୍କୁ ଅନେକଙ୍କ ଉପରେ ବିଶ୍ୱାସ କରିବାକୁ ହୋଇଛି, ସେମାନଙ୍କ ଭିତରୁ କିଏ ପଟ୍ଟି ମାରିଛି ତାହା ଜାଣି ଏବେ କି ଲାଭ ? ଅସଲ କଥା ତା’ର ସର୍ବନାଶ ହେଇଛି, ତା’ ପାଦ ତଳୁ ମାଟି ଖସି ଯାଇଛି ।
ପ୍ରଥମେ ହିଁ ଗଲା ଫିଆଟ ଗାଡିଟା । ଚାରି ବର୍ଷ ତଳେ ଚଉତିରିଶ ହଜାର ଟଙ୍କାରେ କିଣା ଗାଡିଟାକୁ ସହଦେବବାବୁଙ୍କୁ ବାର ହଜାର ଟଙ୍କାରେ ବିକିବାକୁ ହେଲା ।
ଦୁର୍ଦ୍ଦିନର ବନ୍ଧୁ ହିଁ ପ୍ରକୃତ ବନ୍ଧୁ, ଏପରି ଏକ ପ୍ରବାଦ ଇଂରାଜୀରେ ଅଛି । ଦେଖାଗଲା, ସହଦେବବାବୁଙ୍କ ତିନି ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ସେହି ପରୀକ୍ଷାରେ ଉତୀର୍ଣ୍ଣ ହେଲେ । ନନ୍ଦ ବାନାର୍ଜୀ, ଯିଏ କହିଥିଲେ ଛବିର ବାବୁର ପରିଚୟ ଖୋଜି ବାହାର କରିବାକୁ ହେବ ବୋଲି, ସେ ବାବଦରେ ଏ ଯାଏଁ ଆଗେଇ ପାରି ନାହାନ୍ତି । ବଂଶ ପରିଚୟର ଚାରି ଖଣ୍ଡରୁ ଗୋଟେ ଖଣ୍ଡରେ ସଲିମଗଞ୍ଜର ଜମିଦାର ଭୂତନାଥ ଚୌଧୁରୀଙ୍କ ଛବି ସହିତ ଆଉ ସବୁ କିଛି ମୋଟାମୋଟି ମିଶି ଯାଉଥିଲେ ବି ମୁହଁଟା ପୂରା ମିଶିନି । ନନ୍ଦ ପାଖରେ ଥିବାରୁ ଏଇ ସଙ୍କଟ ଅବସ୍ଥାରେ ବି ସହଦେବବାବୁ ତଥାପି ସମ୍ଭାଳି ଯାଇଛନ୍ତି ; ନ ହେଲେ କ’ଣ ଯେ ହେଇଥା’ନ୍ତା କହି ହେବନି ।
ଦିନେ ଏଇ ନନ୍ଦ ବାନାର୍ଜୀ ହିଁ ସହଦେବକୁ କଥାଟା କହିଲେ ।
ଛବିଟା ବିଦା କର ଭାଇ । ମୋର ବିଶ୍ୱାସ ସେଇଟା ହିଁ ନଷ୍ଟର ମୂଳ । ଆଉ ସତ କହିବାକୁ ଗଲେ, ଏବେ ତୋର ଯାହା ଚେହେରା ହେଇଛି, ତା’ ସହିତ ତା’ର ମେଳ ଖୁବ କମ ।
ହାତରେ ଆଇନା ଧରି ଛବି ଆଗରେ ଠିଆ ହେଇ ନିଜ ମୁହଁ ସଙ୍ଗେ ମିଳେଇ ସହଦେବବାବୁଙ୍କର ଯେ ସେ କଥାଟା ମନେ ହେଇନି ତା’ ନୁହେଁ । ଗତ ଦି’ ମାସ ଭିତରେ କାନ ଦି’ ପାଖରେ ପାଚିଲା ବାଳ ଦେଖା ଦେଇଛି, ଆଖି ତଳେ କଳା ପଡିଛି, ଗାଲ ପଶି ଯାଇଛି, ଚମଡାର ମସୃଣତା ଚାଲିଯାଇଛି । ଅଥଚ ଛବି ବାବୁର କୌଣସି ବିକାର ନାହିଁ ।
“ପୁଣି ସେହି ଲ୍ୟାଜର୍ସକୁ ଯାଇ ଛବିଟାକୁ ଫେରାଇ ଦିଅ”, କହିଲେ ନନ୍ଦ ବାନାର୍ଜୀ । “ତମକୁ ତ କହିଥିଲା, ଆର୍ଟିଷ୍ଟର ବେଶ ନାମ ଡାକ ଅଛି ବୋଲି । ଗ୍ରାହକ ମିଳିଯିବେ । ଆପଦ ବିଦା ହେବ, କିଛି ପଇସା ବି ଘରକୁ ଆସିବ ।”
ସେହି ରାତିରେ ଘରର ଆଲୁଅ ଲିଭାଇ ନୀଳ ବତୀଟାକୁ ଜଳାଇ ଛବିଟା ଆଡକୁ କିଛି ସମୟ ଦେଖିି ସହଦେବବାବୁଙ୍କ ମନରେ ଯେଉଁ ଭାବଟା ଆସିଲା, ତାହା ଆଗରୁ କେବେ ଆସି ନ ଥିଲା । ତାହା ଆତଙ୍କର ଭାବ । ବାବୁର ଓଠ କୋଣର ହସଟି ଏତେ ଦିନ ଧରି ପ୍ରସନ୍ନ ଭଳି ମନେ ହେଇ ଆସିିଥିଲା, ଏବେ ମନେ ହେଉଛି ପୈଶାଚିକ । ଦୃଷ୍ଟିିଟା ବି ସିଧା ତା’ ଆଡକୁ ହେଇଥିବାରୁ ମନେ ହେଉଛି ଯେମିତି ହସଟା ତା’କୁ ଉଦେ୍ଦଶ୍ୟ କରି ହସା । କି ଆଶ୍ଚର୍ଯ୍ୟ, କେବେକାର କେଉଁଠିକାର ଜଣେ ବାବୁ, ସେହି ବାବୁର ଛବି ଆଙ୍କିଲେ ଆଦି କାଳର ଶିଳ୍ପୀ ପରେଶ ଗୁଁଇ, ଆଉ ସେହି ଛବି କିଣା ହେଇ ତାଙ୍କ ଘରକୁ ଆସି ତାଙ୍କ ଜୀବନଟାକୁ ଏମିତି ଭାବେ ଦୁର୍ବିସହ କରିଦେଲା ? ଛବିଟା କିଣା ହେଲା ପରେ ତା’ ବାହାରେ କେତେ ଯେ ଟଙ୍କା ତାଙ୍କର ଖର୍ଚ୍ଚ ହେଇଛି ସେ କଥା ଭାବି ସହଦେବବାବୁ ଶୀତେଇ ଉଠିଲେ । ତଥାପି ସାମର୍ଥ୍ୟ ନ ଥିଲା ବୋଲି ତ ହୀରାର ମୁଦିଟା କିଣା ହେଇନି ; ନ ହେଲେ ତା’ ପଛରେ ପୁଣି...
ଆଉ ଭାବି ପାରିଲେନି ସହଦେବବାବୁ । ନୀଳ ବତୀ ଲିଭାଇ ଦେଇ ଖଟରେ ଶୋଇ ସ୍ଥିର କରି ନେଲେ କାଲି ସକାଳେ ଟ୍ୟାକ୍ସି କରି ଲ୍ୟାଜର୍ସକୁ ଯାଇ ଛବିଟା ଫେରସ୍ତ ଦେଇ ଆସିବେ ।
“ଗୁଡ ମର୍ଣ୍ଣିଂ ସାର । ସେଇଟା କ’ଣ ବୋହି ଆଣିଲେଣି ?”
ପ୍ରାୟ ବର୍ଷକ ପରେ ମିହିରବାବୁଙ୍କ ସାଙ୍ଗରେ ଦେଖା ହେଲା । ଅବଶ୍ୟ ଆଜି ରବିବାର ନୁହେଁ, ତେଣୁ ନିଲାମର କୌଣସି ପ୍ରସ୍ତୁତି ନାହିଁ । ସହଦେବବାବୁ ତିନିଟା ବଙ୍ଗଳା ଖବରକାଗଜ ଦେଇ ସର୍ବାଙ୍ଗ ମୋଡା ଛବିଟାକୁ ଟେବୁଲ ଉପରେ ଓହ୍ଲାଇ ରଖି ମୁଣ୍ଡ ଝାଳ ପୋଛି ମିହିରବାବୁଙ୍କୁ କଥାଟା କହିଲେ । ଅବଶ୍ୟ ପ୍ରକୃତ କାରଣଟା ତ ଆଉ କହି ହେବନି, ତେଣୁ କହିଲେ, “ଆଜ୍ଞା, ଛବିଟା ଦେଖି ସମସ୍ତେ ଥଟ୍ଟା କରୁଛନ୍ତି । କହୁଛନ୍ତି, ଜମିଦାରୀ ପ୍ରଥା କେଉଁ କାଳରୁ ଉଠିଗଲାଣି, ଆଉ ତମର ହଠାତ୍ କାହିଁକି ଜମିଦାର ସାଜି ଛବି ଅଙ୍କାଇବାର ଇଚ୍ଛା ହେଲା । ଶୁଣି ଶୁଣି କାନ ବଧୀର ହେଇଗଲାଣି । ତେଣୁ ଫେରାଇ ଦେବାକୁ ସ୍ଥିର କଲି । ଦେଖିବେ କେହି ଯଦି କିଣନ୍ତି । ଅବଶ୍ୟ ପଡି ରହିଲେ ବି କ୍ଷତି ନାହିଁ ।”
“ଟ୍ୟାକ୍ସିରୁ ଓହ୍ଲାଇବା ଦେଖିଲି ? ଗାଡି କ’ଣ ହେଲା ?”
“ଗ୍ୟାରେଜରେ । ଆସେ...”
ସହଦେବବାବୁ ଚାଲିଗଲା ପରେ ଟେଲିଫୋନର ବହି ଦେଖି ଆକାଡେମୀ ଅଫ ପାଇନ ଆର୍ଟସର ନମ୍ବର ବାହାର କରି ପୁତୁରାକୁ ଗୋଟେ ଫୋନ କଲେ ମିହିରବାବୁ । ପୁତୁରାର ଛବିର ଏକଜିବିସନ ହେଉଛି ସେଠାରେ । ବଡ ଆଦରର ପୁତୁରା ଇଏ ।
“କିଏ କଲ୍ଲୋଳ ? ମୁଁ ମିହିର ଦାଦା । ଶୁଣ, ତୋର ପ୍ରଥମ ରୋଜଗାର କେମିତି କରାଇ ଦେଇଥିଲି, ମନେ ଅଛି ? – ମନେ ନାହିଁ? ସେହି ଯେଉଁ ସଦାନନ୍ଦ ରୋଡର ଜଣେ ଭଦ୍ରଲୋକ ପୋର୍ଟ୍ରେଟ ଆର୍ଟିଷ୍ଟ ଲାଗି ବିଜ୍ଞାପନ ଦେଇଥିଲେ, ତୁ ଯାଇଥିଲୁ, ତୋତେ ଖେଦି ଦେଇଥିଲେ, ଆଉ ତୁ ମନରୁ ପୋର୍ଟେ୍ରଟଟି କଲୁ ଜମିଦାର ପୋଷାକ ପିନ୍ଧାଇ ? ... ସେହି ଛବି ଏବେ ଫେରି ଆସିଛି, ବୁଝିଲୁ ? ତୁ ସମୟ କାଢି ଆସି ନେଇଯିବୁ । ଦୋକାନରେ ଏତେ ମାଲ, ରଖିବା ଲାଗି ଜାଗା ନାହିଁ ।”
ଟେଲିଫୋନଟା ରଖି ମିହିରବାବୁ ଗ୍ରାହକଙ୍କ ଆଡକୁ ମନ ଦେଲେ । ଆରନ ସାହେବ ଆସିଛନ୍ତି ସେହି ଚେସ ସେଟଟାକୁ ଖୋଜି ଖୋଜି । ତା’କୁ ଏବେ ଦେଢ ଶହ ବର୍ଷ ତଳେ ବର୍ମାରେ ତିଆରି କହି ଚଳେଇବାକୁ ହେବ ।
ମୂଳ ରଚନା : ସତ୍ୟଜିତ ରାୟ
ଅନୁବାଦ : ସରଳ କୁମାର ଦାସ
'କାହାଣୀ' ପତ୍ରିକାର ୨୦୨୦ ପୂଜା ସଂଖ୍ୟାରେ ପ୍ରକାଶିତ
Comments
Post a Comment