Skip to main content

ସୁପ୍ତ ଆଗ୍ନେୟଗିରି ଉପରେ ଆନ୍ତଃରାଜ୍ୟ ସୀମା ବିବାଦ

ଗତ ଜୁଲାଇ ୨୬, ୨୦୨୧ରେ ମିଜୋରାମର ଭାରିଙ୍ଗତେ ଗାଁ ନିକଟରେ ଆସାମ ଓ ମିଜୋରାମ ରାଜ୍ୟ ଦୁଇଟିର ପୁଲିସଙ୍କ ମଧ୍ୟରେ କଦର୍ଯ୍ୟ ରକ୍ତାକ୍ତ ସଂଘର୍ଷର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଲା । ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଏପରି ଭୟଙ୍କର ରୂପ ନେଲା ଯେ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆସାମର ୬ ଜଣ ପୁଲିସ କର୍ମୀଙ୍କ ସମେତ ଜଣେ ସାଧାରଣ ନାଗରିକର ପ୍ରାଣହାନି ହେଲା । କିଛି ଦିନ ତଳେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ମଧ୍ୟ ଅଶୋଭନୀୟ ସ୍ତରକୁ ଯାଇଥିଲା । କେବଳ ଆସାମ-ମିଜୋରାମ ବା ଓଡିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ନୁହେଁ ; ବରଂ ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ବର୍ଷ ବର୍ଷ ଧରି ଅସମାହିତ ଅବସ୍ଥାରେ ଲାଗି ରହିଥିବାରୁ ସେଗୁଡିକର ତୁରନ୍ତ ସମାଧାନ ହେବା ବାଞ୍ଛନୀୟ ।

ଇତି ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଲୋକସଭାରେ ସୂଚିତ କରାଯାଇଛି ଯେ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ କେବଳ ୭ଟି ସୀମା ବିବାଦ ରହିଛି । ସେଗୁଡିକ ହେଲା, ହରିଆଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମିଜୋରାମ ଓ ଆସାମ-ମେଘାଳୟ । ଅର୍ଥାତ୍, ଉପରୋକ୍ତ ସୀମା ବିବାଦଗୁଡିକ ମଧ୍ୟରୁ ସର୍ବାଧିକ ୪ଟି ବିବାଦ ସହ ଆସାମ ରାଜ୍ୟ ସଂଶ୍ଳିଷ୍ଟ । ପାହାଡ ପର୍ବତ ଘେରା ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଦଶକ-ଦଶକ ଧରି ବିବାଦ ଲାଗି ରହିବାର ଏକ ପ୍ରମୁଖ କାରଣ ହେଉଛି କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାର ସେହି ବିବାଦର ସମାଧାନ କରିବାକୁ ଆନ୍ତରିକତା ପ୍ରଦର୍ଶନ କରି ନାହାନ୍ତି । କେବଳ ତ୍ରିପୁରା ଓ ମଣିପୁରକୁ ବାଦ ଦେଲେ ସେଠାରେ ଅବଶିଷ୍ଟ ଚାରିଟି ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ ଓ ମେଘାଳୟ, ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଆସାମରୁ ଅଲଗା ହୋଇ ସୃଷ୍ଟି ହୋଇଥିଲେ ବି ସେଗୁଡିକ ସହ ଆସାମର ସୀମା ବିବାଦ ଲାଗିରହିଛି । ଏହି ସୀମା ବିବାଦର ସମାଧାନ ପାଇଁ ଆସାମ ସରକାର ୧୯୮୮ରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଂସଦ ଦ୍ୱାରା ପାରିତ ଆଇନ ଅନୁଯାୟୀ ଏହି ରାଜ୍ୟଗୁଡିକର ସାମ୍ୱିଧାନିକ ସୀମା ଉପରେ ଆସାମ ଗୁରୁତ୍ୱ ଦେଉଥିଲା ବେଳେ ବିବାଦରେ ସଂଶ୍ଳିଷ୍ଟ ଅନ୍ୟ ରାଜ୍ୟଗୁଡିକ ସମ୍ୱିଧାନ ନିର୍ଦ୍ଧାରିତ ସୀମା ସହ ଐତିହାସିକ ପୃଷ୍ଠଭୂମିକୁ ଗୁରୁତ୍ୱ ଦେଇ ସୀମା ବିବାଦର ସମାଧାନ କରିବା ଉପରେ ଜୋର ଦେଉଛନ୍ତି । ଉଦାହରଣ ସ୍ୱରୂପ, ୧୯୩୩ର ସୀମାଙ୍କନକୁ ଆଧାର କରି ୧୯୭୨ରେ ମିଜୋରାମକୁ ଆସାମରୁ ଅଲଗା କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରାଯାଇଥିଲା, ଯାହା ୧୯୮୭ରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଲା । ସୀମା ନିର୍ଦ୍ଧାରଣ ବେଳେ ମିଜୋରାମର ସମ୍ମତି ଗ୍ରହଣ କରାଯାଇ ନଥିବାରୁ ୧୯୭୨ର ବିଜ୍ଞପ୍ତିକୁ ଅସ୍ୱୀକାର କରି ମିଜୋରାମ ୧୮୭୫ର ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ (ବିଇଏଫଆର) ଆଇନରେ ଚିହ୍ନିତ ସୀମାକୁ ପ୍ରକୃତ ସୀମା ରୂପେ ଗ୍ରହଣ କରିବାକୁ ଅଡି ବସିବା ହିଁ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର କାରଣ । ଉତ୍ତର-ପୂର୍ବାଞ୍ଚଳରେ ସୀମା ବିବାଦ ପାଇଁ ଦୁଇ ରାଜ୍ୟର ପୁଲିସ ମୁହାଁମୁହିଁ ହେବା କିଛି ନୂଆ କଥା ନୁହେଁ । ଏଥି ପୂର୍ବରୁ ୧୯୮୫ରେ ନାଗାଲାଣ୍ଡ ଓ ଆସାମର ସଶସ୍ତ୍ର ପୁଲିସ ବାହିନୀ ପରସ୍ପରର ମୁହାଁମୁହିଁ ହୋଇଥିଲେ ଓ  ଦୀର୍ଘ ଦିନ ଧରି ଉତ୍ତେଜନା ଲାଗି ରହିଥିଲା ।     

ଲୋକସଭାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଯେଉଁ ୭ଟି ଆନ୍ତଃରାଜ୍ୟ ସୀମା ବିବାଦ କଥା ସୂଚିତ କରାଗଲା ସେଥିରେ ଓଡିଶାର ପଡୋଶୀ ରାଜ୍ୟଗୁଡିକ ସହ ଥିବା ସୀମା ବିବାଦ ସମ୍ପର୍କରେ କୌଣସି ଉଲ୍ଲେଖ ନ ରହିବା ବାସ୍ତବିକ ଉଦବେଗର ବିଷୟ । ମାତ୍ର ଅଳ୍ପ କିଛି ଦିନ ତଳେ କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଓଡିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯେଉଁପରି ଉଦବେଗ ପ୍ରକାଶ କରୁଥିବାର ଦେଖା ଯାଇଥିଲା, କାହିଁ ତା’ର କାଣିଚାଏ ପ୍ରତିଫଳନ ତ ଲୋକସଭାରେ ଦେଖିବାକୁ ମିଳିଲା ନାହିଁ । ଓଡିଶାର ସୀମା ବିବାଦ କେବଳ କୋଟିଆ ଗ୍ରାମପୁଞ୍ଜ ପର୍ଯ୍ୟନ୍ତ ସୀମିତ ନ ରହି ଚାରିଟି ଯାକ ପଡୋଶୀ ରାଜ୍ୟ ସହ ସଂଲଗ୍ନ ୧୦ଟି ଜିଲ୍ଲାର ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଦୀର୍ଘ ଦିନ ଧରି ଲାଗି ରହିଛି । ଏ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଜଣକ ପରେ ଜଣେ ରାଜସ୍ୱ ମନ୍ତ୍ରୀ ଯେମିତିକି ବିଜୟଶ୍ରୀ ରାଉତରାୟ ଜୁଲାଇ ୨୮, ୨୦୧୪ରେ, ମହେଶ୍ୱର ମହାନ୍ତି ଅପ୍ରେଲ ୨୩, ୨୦୧୮ରେ, ସୁଦାମ ମାରାଣ୍ଡି ନଭେମ୍ୱର ୧୭, ୨୦୧୯ ଓ ନଭେମ୍ୱର ୨୫, ୨୦୨୦ରେ ସୂଚନା ପ୍ରଦାନ କରି ଆସିଛନ୍ତି । ତଦନୁସାରେ ଆନ୍ଧ୍ର ପ୍ରଦେଶ ସହ କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲା, ପଶ୍ଚିମବଙ୍ଗ ସହ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା, ଝାରଖଣ୍ଡ ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା ଏବଂ ଛତିଶଗଡ ସହ ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଗାଁରେଏହି ସୀମା ବିବାଦ ଲାଗି ରହିଥିବାର ସୂଚନା ମିଳେ । ସରକାରୀ ଅଫିସରସ୍ତରରେ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଥିଲେ ବି ସମାଧାନର ବାଟ ଫିଟିବାରେ ଅହେତୁକ ବିଳମ୍ୱ ହେଉଛି । ତେଣୁ ମନ୍ତ୍ରୀସ୍ତରୀୟ ବା ମୁଖ୍ୟମନ୍ତ୍ରୀସ୍ତରୀୟ ବାର୍ତ୍ତାଳାପର ଆବଶ୍ୟକତା ଅନୁଭୂତ ହେଉଥିଲେ ବି ସେ ନେଇ ଆନ୍ତରିକତା ପ୍ରଦର୍ଶିତ ହେଉନାହିଁ । ଫଳରେ ବର୍ଷ ବର୍ଷ ଧରି ସେହି ସମାନ ସଂଖ୍ୟକ ଗାଁ ଆନ୍ତଃରାଜ୍ୟ ସୀମା ବିବାଦଗ୍ରସ୍ତ ବୋଲି ବିଧାନସଭାରେ ତଥ୍ୟ ଉପସ୍ଥାପନ ହେବା ବ୍ୟତୀତ କୌଣସି ଗୋଟିଏ ଗାଁରେ ବିବାଦ ସମାଧାନ ହୋଇଥିବାର ଶୁଭ ଖବର ରାଜ୍ୟବାସୀ ଶୁଣିବାକୁ ପାଉନାହାନ୍ତି । ଓଡିଶାର ଚାରିଟି ରାଜ୍ୟ ସହ ସୀମା ବିବାଦ କିଛି ନୂଆ ହୋଇ ନ ଥିଲେ ବି ତାହା କେନ୍ଦ୍ର ସରକାରଙ୍କ ଆନ୍ତଃରାଜ୍ୟ ସୀମା ବିବାଦ ତାଲିକାରେ ସ୍ଥାନ ନ ପାଇବାର କାରଣ କ’ଣ ବୁଝି ହେଉନାହିଁ । ସେହିପରି ମଣିପୁର-ନାଗାଲାଣ୍ଡ ସମେତ ଆଉ କିଛି ରାଜ୍ୟରେ ବି ସୀମା ବିବାଦ ସମସ୍ୟା ଲାଗି ରହିଛି । ନାଗାଲାଣ୍ଡ-ଅରୁଣାଚଳ ପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି । ସ୍ୱାଧୀନତା ପୂର୍ବରୁ ରାଜ୍ୟଗୁଡିକ ମଧ୍ୟରେ ବିବାଦ ମୁଖ୍ୟତଃ ଭାଷା କୈନ୍ଦ୍ରିକ ଥିଲେ ବି ପରବର୍ତ୍ତୀ ସମୟରେ ତାହା ନଦୀ ଜଳ ବଣ୍ଟନ, ଜଳସେଚନ, ବିଦ୍ୟୁତ ଓ ପ୍ରାକୃତିକ ସମ୍ୱଳ ଉପରେ ଅଧିକାର ଆଦି ବିଭିନ୍ନ କାରଣରୁ ବଢି ବଢି ଚାଲିଛି ଓ ଏଥିରେ ସଂଖ୍ୟାଧିକ ରାଜ୍ୟ ଛନ୍ଦି ହୋଇ ପଡିଛନ୍ତି ।

ଭାରତ ରାଜ୍ୟମାନଙ୍କର ଏକ ସମାହାର (ୟୁନିଅନ ଅଫ ଷ୍ଟେଟସ) । ହେଲେ ଭାରତୀୟ ସମ୍ୱିଧାନରେ ଅଖଣ୍ଡ ଭାରତର କଳ୍ପନା କରା ଯାଇଥିଲେ ବି ସେଥିରେ ଥିବା ରାଜ୍ୟଗୁଡିକ ଅଖଣ୍ଡ ନୁହନ୍ତି । ସେହି କାରଣରୁ ଏକାଧିକ ଥର ଏକାଧିକ ରାଜ୍ୟକୁ ବିଭାଜିତ କରି ନୂତନ ରାଜ୍ୟ ସୃଷ୍ଟି କରାଯାଇଛି ଓ ସେଗୁଡିକର ସୀମା ପୁନର୍ନିଦ୍ଧାରଣ କରାଯାଇଛି । ବସ୍ତୁତଃ କୌଣସି ରାଜ୍ୟର ସୀମା ଅପରିବର୍ତ୍ତନୀୟ ନୁହେଁ । ସମ୍ୱିଧାନର ଧାରା ୩  ଅନୁଯାୟୀ ସଂସଦ ଦ୍ୱାରା ପାରିତ ଆଇନ ଅନୁସାରେ ନୂଆ ରାଜ୍ୟ ଗଠନ, ରାଜ୍ୟର କ୍ଷେତ୍ରଫଳ କମ ବା ଅଧିକ, ସୀମା ପରିବର୍ତ୍ତନ, ଏପରିକି ରାଜ୍ୟର ନାମ ମଧ୍ୟ ପରିବର୍ତ୍ତନ କରା ଯାଇପାରିବ । ଏହି କ୍ଷମତାକୁ ପ୍ରୟୋଗ କରି ସଂସଦ ଆଇନ ପ୍ରଣୟନ କଲା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଯାଇ ପାରିଥିଲା । ବିବାଦରେ ଜଡିତ ରାଜ୍ୟଗୁଡିକ ଏହି ସାମ୍ୱିଧାନିକ ପ୍ରାବଧାନର ବାସ୍ତବତାକୁ ହୃଦୟଙ୍ଗମ କରି ପାରିଲେ ବିବାଦର ସମାଧାନ ପାଇଁ କିଛି କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ହେବାରେ ହୁଏତ ଅସୁବିଧା ହୁଅନ୍ତା ନାହିଁ । ତେବେ ରାଜ୍ୟର ସୀମା ପୁନର୍ନିଦ୍ଧାରଣ ପ୍ରକ୍ରିୟାଟି ଯେତିକି ସହଜ ମନେ ହେଉଛି, ତାହା ସେତେ ସହଜ ନୁହେଁ । କାରଣ ଏହା ଦ୍ୱାରା ପ୍ରଭାବିତ ରାଜ୍ୟଗୁଡିକୁ ବିଶ୍ୱାସକୁ ନ ନେଇ କେନ୍ଦ୍ର ଏକ ତରଫା ଭାବେ ଏହି କାର୍ଯ୍ୟଟି କରିବା ଅର୍ଥ, ନୂଆ ସମସ୍ୟାକୁ ଜନ୍ମ ଦେବା । ତେଣୁ ପ୍ରଭାବିତ ରାଜ୍ୟଙ୍କ ସହ ବିଚାର ବିମର୍ଶ ପୂର୍ବକ ସେମାନଙ୍କୁ ପରିବର୍ତ୍ତିତ ସୀମାକୁ ଗ୍ରହଣ କରିବା ଲାଗି ରାଜି କରାଇବା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ ।

ଏ ପ୍ରସଙ୍ଗରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲି ଆସିଥିବା ଛିଟମହଲ (ଏନକ୍ଲେଭ) ସୀମା ବିବାଦର ସମାଧାନକୁ ଉଦାହରଣ ରୂପେ ଗ୍ରହଣ କରା ଯାଇପାରେ । ଭାରତର କିଛି ଅଞ୍ଚଳ ବଙ୍ଗଳାଦେଶରେ ଓ ବଙ୍ଗଳାଦେଶର କିଛି ଅଞ୍ଚଳ ଭାରତ ସୀମା ଦ୍ୱାରା ପରିବେଷ୍ଟିତ ଥାଇ ସେଗୁଡିକୁ ଛିଟମହଲ କୁହା ଯାଉଥିଲା । ଏହିପରି ଭାବେ ଭାରତର ୧୦୬ଟି ଛିଟମହଲ ବଙ୍ଗଳାଦେଶ ଭିତରେ ଥିଲା ବେଳେ ବଙ୍ଗଳାଦେଶର ୯୨ଟି ଛିଟମହଲ ଭାରତ ଭିତରେ ଥିଲା । ବସ୍ତୁତଃ, ସେହି ସବୁ ଛିଟମହଲର ଅଧିବାସୀମାନେ କୌଣସି ଦେଶର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଏକ ପ୍ରକାର ଦେଶହୀନ (ଷ୍ଟେଟଲେସ) ଭାବେ କାଳାତିପାତ କରୁଥିଲେ । ବଙ୍ଗଳାଦେଶରେ ଥିବା ଭାରତର ଛିଟମହଲଗୁଡିକୁ ବଙ୍ଗଳାଦେଶକୁ ଛାଡି ଦେଇ ଭାରତରେ ଥିବା ବଙ୍ଗଳାଦେଶର ଛିଟମହଲଗୁଡିକୁ ଗ୍ରହଣ କରିବା ପାଇଁ ରାଜି ହୋଇଗଲେ ସମସ୍ୟାର ସମାଧାନ ହେବାର ସମ୍ଭାବନା ଥିଲେ ବି ତଦ୍ଦ୍ୱାରା ଭାରତକୁ ପ୍ରାୟ ୪୦ ବର୍ଗ କିଲୋମିଟର ଭୂଭାଗ ହରାଇବାକୁ ପଡୁଥିଲା । ଏଥି ପାଇଁ ନେହରୁ, ଇନ୍ଦିରା ଗାନ୍ଧୀ, ମନମୋହନ ସିଂହଙ୍କ ଦ୍ୱାରା ପ୍ରୟାସ ହୋଇ ଆସିଥିଲେ ବି ଦେଶର ଭୂମି ସହ ଦେଶବାସୀଙ୍କ ଆବେଗର ପ୍ରଶ୍ନ ଜଡିତ ଥିବାରୁ ତାହା ହୋଇପାରୁ ନଥିଲା । ଶେଷରେ ମୋଦୀ ୨୦୧୫ରେ ଭାରତର ପ୍ରାୟ ୪୦ ବର୍ଗ କିଲୋମିଟର ଭୂଭାଗ ବଙ୍ଗଳାଦେଶକୁ ଛାଡିବାକୁ ରାଜି ହୋଇ ଏହି ସମସ୍ୟାର ସମାଧାନ କରିବାକୁ ସକ୍ଷମ ହୋଇଥିଲେ ଓ ଉଭୟ ଦେଶ ମଧ୍ୟରେ ଏକ ପାରମ୍ପରିକ ସୀମା ନିର୍ଦ୍ଧାରିତ ହୋଇ ପାରିଥିଲା । ଅର୍ଥାତ୍, ଆବେଗର ବଶବର୍ତ୍ତୀ ନ ହୋଇ ବ୍ୟାବହାରିକ ଭାବେ ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଉଦ୍ୟମ କରି ଦୀର୍ଘ ଦିନର ଏକ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ହୋଇପାରିଥିବାରୁ ସମାନ ଆଭିମୁଖ୍ୟ ସହ ଆନ୍ତଃରାଜ୍ୟ ସୀମା ବିବାଦଗୁଡିକର ସମାଧାନ କାହିଁକି ବା ହୋଇ ନ ପାରିବ ? ବିବାଦର ସମାଧାନ କରିବା ଲାଗି ସମ୍ପୃକ୍ତ ରାଜ୍ୟଗୁଡିକ ମଧ୍ୟରେ ପାରସ୍ପରିକ ସହମତି ଓ ସହଯୋଗ ଆବଶ୍ୟକ ଓ ଏ କ୍ଷେତ୍ରରେ କେନ୍ଦ୍ର ସରକାର କେବଳ ସହାୟତା ପ୍ରଦାନକାରୀର ଭୂମିକା ନିର୍ବାହ କରି ପାରିବେ ବୋଲି କେନ୍ଦ୍ର ସରକାର କହିଥାଆନ୍ତି । ତେବେ ରାଜ୍ୟଗୁଡିକ ଉପରେ ବିବାଦ ସମାଧାନର ଦାୟିତ୍ୱ ଛାଡି ଦେଇ କେନ୍ଦ୍ର ସରକାର ନିଷ୍କ୍ରିୟ ରହିଲେ ଏଭଳି ବିବାଦଗୁଡିକ ସମାଧାନ ହେବା ତ ଦୂରର କଥା; ବରଂ ଭିତରେ ଭିତରେ କୁହୁଳି ଭୟଙ୍କର ରୂପ ଧାରଣ କରୁଥିବ । ତେଣୁ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରି ସକ୍ରିୟ ଭୂମିକା ନିର୍ବାହ କରିବା ଆବଶ୍ୟକ । ସମ୍ପୃକ୍ତ ରାଜ୍ୟଗୁଡିକ ସହ ନିୟମିତ ବାର୍ତ୍ତାଳାପ କରି ଉଭୟ ପକ୍ଷଙ୍କୁ ଏକା ଟେବୁଲରେ ବସାଇ ବିବାଦର ଗ୍ରହଣଯୋଗ୍ୟ ସମାଧାନର ବାଟ ଫିଟାଇବାକୁ ତତ୍ପରତା ପ୍ରକାଶ କରିବା ଉଚିତ । ଆବଶ୍ୟକ ସ୍ଥଳେ ଉପଗ୍ରହର ଉପଯୋଗ କରି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରା ଯାଇପାରେ । ଆନ୍ତଃରାଜ୍ୟ ବିବାଦର ସଂଖ୍ୟାଧିକ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ଏହି ମାମଲାଗୁଡିକର ଆଶୁ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରି ରାମ ମନ୍ଦିର ମାମଲା ଢାଞ୍ଚାରେ ଦୈନନ୍ଦିନ ଶୁଣାଣିର ବ୍ୟବସ୍ଥା କରା ଯାଇପାରନ୍ତା । ୧୯୬୯ରେ ପ୍ରାଶାସନିକ ସଂସ୍କାର କମିଶନଙ୍କ କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ଗଠିତ ଷ୍ଟଡି ଟିମର ଅଧ୍ୟକ୍ଷ ଏମ ସି ସିତଲବାଦ ସତର୍କ କରାଇ ଦେଇଥିଲେ, “ଆନ୍ତଃରାଜ୍ୟ ବିବାଦଗୁଡିକ ତୁରନ୍ତ ଓ ନିରପେକ୍ଷ ଭାବେ ସମାଧାନ ହେବା ଆବଶ୍ୟକ, ଅନ୍ୟଥା ସେଗୁଡିକ କ୍ଷତିକାରକ ଘାଆରେ ପରିଣତ ହୋଇ ସଂଘର୍ଷ ଉତ୍ପନ୍ନ କରିବେ, ବିକାଶକୁ ପ୍ରତିହତ କରିବେ, ଜନତା ଓ ସରକାରଙ୍କ ଶକ୍ତିକୁ ବିକୃତ ଦିଗରେ ନେଇଯିବେ ଓ ପ୍ରତି କ୍ଷେତ୍ରରେ ପ୍ରତିକୂଳ ଭାବନା ସୃଷ୍ଟି କରିବେ ।” ସିତଲବାଦଙ୍କ ସତର୍କ ବାଣୀ ଆଜି ମଧ୍ୟ କେତେ ପ୍ରାସଙ୍ଗିକ ! ସମସ୍ୟାର ସମାଧାନରେ ଯେତେ ବିଳମ୍ୱ ହେଉଥିବ କ୍ଷତି ସେତେ ଅଧିକ ହେବାର ଆଶଙ୍କା ଦେଖା ଦେବ ଓ ଦେଶର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବ । ବସ୍ତୁତଃ ଆନ୍ତଃରାଜ୍ୟ ସୀମା ବିବାଦ ସୁପ୍ତ ଆଗ୍ନେୟଗିରି ସଦୃଶ ହଠାତ୍ ଜୀବନ୍ତ ହୋଇ ଭୟଙ୍କର ରୂପ ଧାରଣ କରି ଧନ ଜୀବନ ହାନି ହେବାର ଆଶଙ୍କା ଥିବାରୁ ସେଗୁଡିକର ସମାଧାନରେ ଦୀର୍ଘସୂତ୍ରୀ ଆଭିମୁଖ୍ୟ ସମ୍ପୃକ୍ତ ରାଜ୍ୟ ବା ଜାତୀୟ ସ୍ୱାର୍ଥର ଅନୁକୂଳ ନୁହେଁ ।

 

Published in Sambad on August 10, 2021

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ