ଓଡିଶା ସରକାରଙ୍କ ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୭୨୪୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ସମଗ୍ର ବଜେଟ ରାଶି ୧.୭୦ ଲକ୍ଷ କୋଟି ଟଙ୍କାର ୧୦.୧୫ ପ୍ରତିଶତ । ୨୦୧୩ରେ ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପିତ ହେବାଠାରୁ କେବେ ହେଲେ କୃଷି ପାଇଁ ସମଗ୍ର ବଜେଟର ଏତେ କମ ପ୍ରତିଶତ ରାଶି ଆବଣ୍ଟିତ ହୋଇ ନ ଥିଲା । ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୧୯୪୦୮ କୋଟି ଟଙ୍କା ଥିବା ବେଳେ ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୨୧୬୦ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । କେବଳ ଏ ବର୍ଷ ନୁହେଁ, ବରଂ ଗତ ଦୁଇ ବର୍ଷ ଧରି କୃଷି ବଜେଟର ଆକାର କ୍ରମାଗତ ଭାବେ ହ୍ରାସ ପାଇ ୨୦୧୯-୨୦ ବର୍ଷ ତୁଳନାରେ ୩୭୬୮ କୋଟି ଟଙ୍କା କମ ହୋଇ ସାରିଛି । ୨୦୧୯-୨୦ରେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ତାହା ୧୦.୧୫ ପ୍ରତିଶତ ହୋଇ ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ବାସ୍ତବିକ ଉଦବେଗର ବିଷୟ ।
କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୫୯୧୯ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୪ ପ୍ରତିଶତ । ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୮୮୭୪ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଦୁଇ ବର୍ଷ ମଧ୍ୟରେ ତାହା ୩୧୫୫ କୋଟି ବା ପ୍ରାୟ ୩୫ ପ୍ରତିଶତ ହ୍ରାସ ପାଇବା ଚିନ୍ତାଜନକ । ତେବେ ଏହି ସମୟ ମଧ୍ୟରେ କାଳିଆ ଯୋଜନାରେ ଆବଣ୍ଟନ ପରିମାଣ ୩୮୧୧ କୋଟି ଟଙ୍କା କମ ହେବା ଏହାର ମୁଖ୍ୟ କାରଣ । ଏ ବର୍ଷ କାଳିଆ ଯୋଜନା ପାଇଁ ମାତ୍ର ୧୮୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପିଏମ-କିସାନ ସମ୍ମାନ ନିଧି ଯୋଜନାରେ ମିଶିଯିବା ପରେ ସରକାର ଚାଷୀଙ୍କୁ ଘୋଷିତ ବାର୍ଷିକ ୧୦ ହଜାର ଟଙ୍କା ପରିବର୍ତ୍ତେ ସେଥିରୁ ପିଏମ-କିସାନ ସମ୍ମାନ ନିଧିରେ ମିଳୁଥିବା ୬ ହଜାର ଟଙ୍କାକୁ ବାଦ ଦେଇ ୪ ହଜାର ଟଙ୍କା ଦେଉଥିବାରୁ ଏ ବାବଦରେ ବଜେଟୀୟ ଆବଣ୍ଟନ କମ ହୋଇଛି । ୨୦୧୮ରୁ ଆରମ୍ଭ ହୋଇଥିବା ‘କୃଷି ଉଦ୍ୟମୀ ପ୍ରୋତ୍ସାହନ ଯୋଜନା’ରେ ରାଜ୍ୟରେ ୧୦୦୦ ନୂତନ କୃଷି ଉଦ୍ୟମୀ ସୃଷ୍ଟି କରିବାକୁ ଥିବା ଲକ୍ଷ୍ୟ ହାସଲ କରିବାକୁ ଏ ବର୍ଷ ବଜେଟରେ ନୂଆ କରି ପ୍ରାୟ ୧୦ କୋଟି ଟଙ୍କାର ପାଣ୍ଠି ବରାଦ କରା ଯାଇଛି । ଗତ ବର୍ଷ କୃଷି ଯାନ୍ତ୍ରିକୀକରଣ ପାଇଁ ବଜେଟରେ ୧୬୫ କୋଟି ଟଙ୍କାର ପ୍ରାବଧାନ ଥିଲା ବେଳେ ଏ ବର୍ଷ ତାହା ସାମାନ୍ୟ ବୃଦ୍ଧି ପାଇ ସେଥିପାଇଁ ୧୮୦ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରିବା ପାଇଁ ଅଧିକ ସହାୟତାର ଆବଶ୍ୟକତା ଅନୁଭୂତ ହେଉଛି । ଆଗାମୀ ଦିନରେ କୃଷକମାନଙ୍କୁ ଏଫପିଓ ମାଧ୍ୟମରେ ସଂଗଠିତ କରାଇବା ଓ ସେଗୁଡିକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ଥିଲେ ବି ଗତ ବର୍ଷ ପରି ଏ ବର୍ଷ ବଜେଟରେ ଏଥି ନେଇ ୬୦ କୋଟି ଟଙ୍କାର ଆବଣ୍ଟନ ଅପରିବର୍ତ୍ତିତ ରହିବାକୁ ଗ୍ରହଣ କରି ହେଉ ନାହିଁ । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ମିଲେଟ ମିଶନ ସଫଳତାର ସହିତ କାମ କରୁଥିବାରୁ ଏହାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରି ସମ୍ପ୍ରସାରିତ କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା । ହେଲେ ଏଥିପାଇଁ ଆବଣ୍ଟନକୁ ଗତ ବର୍ଷର ୧୦୬ କୋଟି ଟଙ୍କାରୁ ସାମାନ୍ୟ ବଢାଇ ୧୧୦ କୋଟି ଟଙ୍କା କରାଯାଇଛି । କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବସିଡି ବାବଦ ବ୍ୟୟ ବରାଦ ଗତ ବର୍ଷ ପରି ଏ ବର୍ଷ ବଜେଟରେ ମଧ୍ୟ ୧୦୦ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି, ଯାହା ଆଦୌ ପର୍ଯ୍ୟାପ୍ତ ନୁହେଁ । କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ । ତେଣୁ ସବସିଡି ରାଶିର ପରିମାଣ ଅଧିକ ହେଲେ ତାହା ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରୁଥିବାରୁ ସେଥିପାଇଁ ଅଧିକ ରାଶି ଆବଣ୍ଟିତ ହେବା ସମୀଚୀନ । ରାଜ୍ୟରେ ସଂଖ୍ୟାଧିକ ଜିଲ୍ଲା ବୃଷ୍ଟି ନିର୍ଭର ହୋଇଥିଲେ ବି ‘ବୃଷ୍ଟି ନିର୍ଭର ଅଞ୍ଚଳର ଉନ୍ନତିକରଣ ଓ ଜଳବାୟୁ ପରିବର୍ତ୍ତନ’ ପାଇଁ ଗତ ବର୍ଷ ଆବଣ୍ଟିତ ହୋଇଥିବା ମାତ୍ର ୫୦ କୋଟି ଟଙ୍କାକୁ ହ୍ରାସ କରି ଏ ଥର ୩୦ କୋଟି ଟଙ୍କା କରି ଦିଆ ଯାଇଛି ।
ଏ ବର୍ଷ ସମବାୟ ବିଭାଗ ପାଇଁ ୧୬୪୧ କୋଟି ଟଙ୍କାର ବରାଦ ହୋଇଛି ଯାହା ସମଗ୍ର କୃଷି ବଜେଟର ପ୍ରାୟ ୧୦ ପ୍ରତିଶତ । ଗତ ବର୍ଷ ତୁଳନାରେ ବିଭାଗ ପାଇଁ ବଜେଟ ଆବଣ୍ଟନ ୧୫୯ କୋଟି ଟଙ୍କା ହ୍ରାସ ପାଇଛି । ଏଥି ମଧ୍ୟରୁ ୫୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିୟମ ବାବଦକୁ ବରାଦ କରାଯାଇଛି । ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୬୭୫ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୩୦ କୋଟି ଟଙ୍କା କମ । ରାଜ୍ୟରେ ଫସଲ ଋଣ ବୃଦ୍ଧି ପାଇଁ ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କଗୁଡିକ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରୁଥିଲା ବେଳେ ଫସଲ ଋଣରେ ସୁଧ ରିହାତି ପାଇଁ ବଜେଟୀୟ ଆବଣ୍ଟନ ହ୍ରାସ ପାଇବା, ବ୍ୟାଙ୍କ ଋଣ ପ୍ରଦାନକୁ ଉତ୍ସାହିତ କରିବାରେ ପ୍ରତିବନ୍ଧକ ସାଜିପାରେ । ରାଜ୍ୟ ସମବାୟ ବାଣିଜ୍ୟିକ ଫେଡରେସନର କର୍ପସ ପାଣ୍ଠିରେ ୧୦୦ କୋଟି ଟଙ୍କାର ପୁଞ୍ଜି ଲଗାଣ ବ୍ୟତୀତ ସମବାୟ କ୍ଷେତ୍ରକୁ ଗତି ପ୍ରଦାନ କରିବା ପାଇଁ ବଜେଟରେ ଦୂରଦୃଷ୍ଟି ଥାଇ କୌଣସି କାର୍ଯ୍ୟକ୍ରମ ପାଇଁ ସେ ଭଳି ଆବଣ୍ଟନ ହୋଇନାହିଁ ।
ଗତ ବର୍ଷ ତୁଳନାରେ ଏ ବର୍ଷ ଜଳ ସମ୍ପଦ ବିଭାଗ ପାଇଁ ମଧ୍ୟ ବଜେଟ ପ୍ରାୟ ୧୧୦୦କୋଟି ଟଙ୍କା ହ୍ରାସ ହୋଇ ୮୨୭୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଗତ ବର୍ଷ ଭଳି ଏ ବର୍ଷ ବି ସମଗ୍ର କୃଷି ବଜେଟର ପ୍ରତିଶତ ହିସାବରେ ଏହା ୪୮ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆଗାମୀ ବର୍ଷ ଅତିରିକ୍ତ ୨.୭୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ସେଥିପାଇଁ ବଜେଟୀୟ ଆବଣ୍ଟନ ଯଥେଷ୍ଟ ହୋଇଥିଲା ପରି ମନେ ହେଉନାହିଁ । କଳାହାଣ୍ଡି ଜିଲ୍ଲାରେ ସାନ୍ଦୁଲ ଓ ନବରଙ୍ଗପୁର ଜିଲ୍ଲାରେ ତୁରୀ-ଗୁଣ୍ଟାତରେ ଦୁଇଟି ନୂଆ ମଧ୍ୟମ ଜଳସେଚନ ପ୍ରକଳ୍ପର ପରିକଳ୍ପନା ସ୍ୱାଗତଯୋଗ୍ୟ । ତେବେ ରାଜ୍ୟର ମୁଖ୍ୟ ନଦୀଗୁଡିକ ଉପରେ ଆଗାମୀ ୫ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କା ବ୍ୟୟରେ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ବିଷୟ ଗତ ବଜେଟରେ ଘୋଷଣା ହୋଇଥିଲେ ବି ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇ ନ ପାରିବା ଓ ସେଥିପାଇଁ ଚଳିତ ବର୍ଷ ବଜେଟରେ ମାତ୍ର ୭୯୫ କୋଟି ଟଙ୍କା ବରାଦ ହେବା ଚିନ୍ତାଜନକ । ଗତ ବର୍ଷ ବଜେଟରେ ୧୦୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ଟି ଜିଲ୍ଲାର ୧୦୦୦୦ ପୋଖରୀର ନବୀକରଣର ବିଶେଷ ଉଲ୍ଲେଖ ଥିବା ବେଳେ ଏ ବର୍ଷ ସେ ସମ୍ପର୍କରେ ଉଲ୍ଲେଖ ନ ଥିବାରୁ ସେହି କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ପାର୍ବତୀ ଗିରି ମେଗା ଲିଫ୍ଟ ପ୍ରକଳ୍ପରେ ଗତ ବର୍ଷ ୫୪୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଏ ବର୍ଷ ତାହା ପ୍ରାୟ ୩୨୦ କୋଟି ଟଙ୍କା ବୃଦ୍ଧି ପାଇ ୮୬୦ କୋଟି ଟଙ୍କାରେ ପହଞ୍ଚିଛି । ତେବେ ‘ତ୍ୱରିତ ଜଳସେଚନ ସୁବିଧା ଯୋଜନା’ (ଏଆଇବିପି) ପାଇଁ ଆବଣ୍ଟନ ପ୍ରାୟ ୧୫୩ କୋଟି ଟଙ୍କା କମି ୧୬୫୮ କୋଟି ଟଙ୍କା ହେବା ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ ପାଇଁ ଆବଣ୍ଟନ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ୪୫୪ କୋଟି ଟଙ୍କା ଧାର୍ଯ୍ୟ ହେବା ଉଦବେଗର ବିଷୟ ।
ଏ ବର୍ଷ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୪୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା କୃଷି ବଜେଟର ୮ ପ୍ରତିଶତ । ଗତ ବର୍ଷ ତୁଳନାରେ ଏହି ବିଭାଗ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଅଧିକ ରାଶି ଆବଣ୍ଟିତ ହୋଇଛି । ଗତ ଦୁଇ ବର୍ଷ ଧରି ଏହି ବିଭାଗ ପାଇଁ ବରାଦ ହେଉଥିବା ରାଶିରେ ପରିମାଣ ଓ ପ୍ରତିଶତ ଦୃଷ୍ଟିରୁ ବୃଦ୍ଧି ପାଇବା ସ୍ୱାଗତଯୋଗ୍ୟ । ଅଧିକ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୭୦ କୋଟି ଟଙ୍କାର ରାଶି ବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ମାତ୍ର ୨ କୋଟି ଟଙ୍କା ଅଧିକ । ତେବେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆଶାନୁରୂପ ଅଗ୍ରଗତି କରି ପାରୁ ନଥିବା ଆଦୌ ଉତ୍ସାହପ୍ରଦ ନୁହେଁ । ସେହିପରି ‘ଶ୍ୱେତ ବିପ୍ଳବ’ ପାଇଁ ଆବଣ୍ଟନ ୯୦ କୋଟି ଟଙ୍କାରୁ ୯୨ କୋଟି ଟଙ୍କା ହେବା ପ୍ରାୟ ସ୍ଥିତାବସ୍ଥା ବଜାୟ ରହିବା ସହ ସମାନ । ଏ ଦୁଇଟି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେଉଥିବାରୁ ସେଥିପାଇଁ ଅଧିକ ଆବଣ୍ଟନ ହେବା ଉଚିତ ଥିଲା । ଏ ଥର ବିଭାଗର ବିଭିନ୍ନ ପ୍ରକାର ଭିତ୍ତିଭୂମିର ବିକାଶ ପାଇଁ ଧ୍ୟାନ ଦିଆ ଯାଇ ଅଧିକ ବ୍ୟୟ ବରାଦ ହେବା ସ୍ୱାଗତଯୋଗ୍ୟ ।
କେନ୍ଦ୍ର ସରକାରଙ୍କ ଘୋଷିତ ବିଭିନ୍ନ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର କୃଷି ବଜେଟ ପ୍ରସ୍ତୁତ କରିବା ଆଶା କରାଯାଏ । ତେବେ ଚଳିତ ବର୍ଷର କୃଷି ବଜେଟରେ ଅନ୍ତତଃ କେତୋଟି କ୍ଷେତ୍ରରେ ସେହି ତାଳମେଳ ପରିଲକ୍ଷିତ ହୋଇନାହିଁ । ଉଦାହରଣ ସ୍ୱରୂପ, କୃଷି କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଓ ସମ୍ପତ୍ତି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ କୃଷି ଭିତ୍ତିଭୂମି ପାଣ୍ଠି ଘୋଷିତ ହୋଇଛି ଯେଉଁଥିରେ ଚାରି ବର୍ଷ ମଧ୍ୟରେ ୧ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଉପଲବ୍ଧ କରାଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ସହ ପ୍ରତିଟି ଋଣ ଲାଗି ସିଜିଟିଏମଏସଇ ଦ୍ୱାରା ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରାଯିବ ଯେଉଁଥିପାଇଁ ଗ୍ୟାରେଣ୍ଟି ଫି କେନ୍ଦ୍ର ସରକାର ବହନ କରିବେ । ଓଡିଶାରେ ଘରୋଇ ସ୍ତରରେ କୃଷି ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ପାରିଥାଆନ୍ତେ । ତଦନୁଯାୟୀ କେନ୍ଦ୍ରୀୟ କୃଷି ଭିତ୍ତିଭୂମି ପାଣ୍ଠିକୁ ଧ୍ୟାନରେ ରଖି କୃଷି ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ କୃଷି ବଜେଟରେ ସ୍ୱତନ୍ତ୍ର ଭାବେ ବିଶେଷ ଋଣ ସଂଯୁକ୍ତ ସବସିଡି ଯୋଜନା ଘୋଷଣା କରା ଯାଇ ପାରିଥାଆନ୍ତା, ଯାହା ହୋଇନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷିର ସୌରକରଣ (ସୋଲାରାଇଜେସନ) ଉପରେ ଗୁରୁତ୍ୱ ଦିଆଯାଇ ପିଏମ-କୁସୁମ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସୋଲାର ପମ୍ପସେଟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିଲେ ବି ରାଜ୍ୟ କୃଷି ବଜେଟରେ ଏଥିପାଇଁ ପୂର୍ବ ବର୍ଷ ଭଳି ଏ ବର୍ଷ ବି ମାତ୍ର ୫ କୋଟି ଟଙ୍କା ଆବଣ୍ଟିତ ହୋଇଛି । ରାଜ୍ୟରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ଆଶାନୁରୂପ ହୋଇ ନ ପାରିବାର ମୁଖ୍ୟ କାରଣ ହେଉଛି ଏ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତାର ଅଭାବ । ରାଜ୍ୟର ଖୁବ କମ ସଂଖ୍ୟକ ମଣ୍ଡି ଜାତୀୟ ସ୍ତରରେ “ଇ-ନାମ’ ମଞ୍ଚ ସହ ସଂଯୁକ୍ତ ହୋଇଥିଲେ ବି ଏହାକୁ ବେଗ ପ୍ରଦାନ କରିବା ପାଇଁ ରାଜ୍ୟ କୃଷି ବଜେଟରେ କୌଣସି ବିଶେଷ ଧ୍ୟାନ ଦିଆ ଯାଇ ନାହିଁ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ କେନ୍ଦ୍ର ବଜେଟରେ ଦେଶରେ ୧୦୦୦ ମଣ୍ଡିକୁ ‘ଇ-ନାମ’ ସହ ସଂଯୁକ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ସବୁବେଳେ ଯେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ନୀତି ଓ ନିଷ୍ପତ୍ତିର ପ୍ରଭାବ ରାଜ୍ୟ କୃଷି ଉପରେ ପଡିବ, ତାହା ନୁହେଁ । ବେଳେବେଳେ ଅନ୍ୟ ମନ୍ତ୍ରଣାଳୟଙ୍କ ଦ୍ୱାରା ଗୃହୀତ ନୀତି ଓ ନିଷ୍ପତ୍ତି ମଧ୍ୟ ରାଜ୍ୟରେ କୃଷି ପାଇଁ ସୁଯୋଗ ସୃଷ୍ଟି କରିପାରେ, ଯେଉଁଥିପାଇଁ ପ୍ରଶାସନିକ ସ୍ତରରେ ଆଖି କାନ ଖୋଲା ରଖିବାକୁ ହେବ ଓ ତଦନୁସାରେ ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଉଦାହରଣ ସ୍ୱରୂପ, ବିଦେଶରୁ ପେଟ୍ରୋ-ଦ୍ରବ୍ୟର ଆମଦାନି କମ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଚିନିକଳ ଓ ଡିଷ୍ଟିଲେରିଗୁଡିକରୁ ଉତ୍ପାଦିତ ଇଥାନଲକୁ ପେଟ୍ରୋଲରେ ମିଶାଇ ବିକିବା ଲାଗି ଦେଶରେ ଏକ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟ କରୁଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଫଳରେ ଚିନିକଳ ଓ ଡିଷ୍ଟିଲେରିଗୁଡିକ ତୈଳ ବିପଣନ କମ୍ପାନୀଗୁଡିକୁ ଚଳିତ ବର୍ଷ ପ୍ରାୟ ୩୧୦ କୋଟି ଲିଟର ଇଥାନଲ ଯୋଗାଇବାକୁ ସମର୍ଥ ହୋଇଛନ୍ତି, ଯଦ୍ଦ୍ୱାରା ଆଖୁଚାଷୀମାନେ ମଧ୍ୟ ପରୋକ୍ଷରେ ଲାଭବାନ ହେଉଛନ୍ତି । ତେବେ ଚିନିକଳଗୁଡିକ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଅବସ୍ଥିତ ଥିବାରୁ ସେଠାରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ରିଫାଇନେରି ପର୍ଯ୍ୟନ୍ତ ତାହା ପହଞ୍ଚାଇବା ବ୍ୟୟ ବହୁଳ ହେଉଛି । ଓଡିଶାର ପାରାଦ୍ୱୀପଠାରେ ଏକ ରିଫାଇନେରି ଥିବାରୁ ସେଠାକାର ଇଥାନଲ ଆବଶ୍ୟକତା ଯଦି ଓଡିଶାର ଚିନିକଳ ଓ ଡିଷ୍ଟିଲେରିଗୁଡିକ ଦ୍ୱାରା ପରିପୂରଣ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଆନ୍ତା ତେବେ ଜଳସେଚନ ସୁବିଧା ଥିବା କେତେକ ଅଞ୍ଚଳର ଚାଷୀ ଆଖୁଚାଷ କରିବାକୁ ଆଗ୍ରହ ପ୍ରକାଶ କରି ଲାଭବାନ ହୁଅନ୍ତେ । ଭବିଷ୍ୟତରେ କେନ୍ଦ୍ର ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସହ ତାଳମେଳ ରକ୍ଷା କରି ସେଥିରୁ ଓଡିଶାର କୃଷି ଓ କୃଷକମାନେ କିପରି ସର୍ବାଧିକ ଲାଭବାନ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ଓ ରାଜ୍ୟ କୃଷି ବଜେଟରେ ତାହା ନିର୍ଦ୍ଦିଷ୍ଟ ଭାବେ ପ୍ରତିଫଳିତ ହେବା ଆବଶ୍ୟକ । ସମଗ୍ର ରାଜ୍ୟ ବଜେଟରେ ଉଭୟ ପରିମାଣ ଓ ପ୍ରତିଶତ ଦୃଷ୍ଟିରୁ ଏ ବର୍ଷ କୃଷି ପାଇଁ ଆବଣ୍ଟନ ହ୍ରାସ ପାଇଥିବାରୁ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ରାଜ୍ୟ ସରକାରଙ୍କ ପାଇଁ କୃଷି କ’ଣ ଆଉ ପୂର୍ବ ପରି ଗୁରୁତ୍ୱ ବହନ କରୁ ନାହିଁ ?
Published in Odisha Reporter on March 19, 2021
Samabaya prati adhika jatnasila heba uchit.. budget re adhika prabadhan jaruri thila...dhana mandi prati gurutwa nadeba thik nuhan.
ReplyDeleteDhanyabad
Delete