Skip to main content

ନୀଳ ଆକାଶର ପ୍ରତୀକ୍ଷାରେ

ଫୁଟବଲ ତାରକା ମେସିଙ୍କ ଭାରତ ଆଗମନ ସମୟରେ ଦିଲ୍ଲୀର ଏକ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କୁ ସମ୍ୱର୍ଦ୍ଧନା ଦେବାକୁ ଅଗ୍ରସର ହୁଅନ୍ତେ ଉପସ୍ଥିତ ଦର୍ଶକ ‘ଏକ୍ୟୁଆଇ’ଟ୍ଟ ‘ଏକ୍ୟୁଆଇ’ ଚିତ୍କାର କରି ଟିଟ୍ଟିକାରି କଲେ। ଦିଲ୍ଲୀରେ ବାୟୁ ଏୟାର କ୍ଲାଲିଟି ଇଣ୍ଡେକ୍ସ (ଏ.କ୍ୟୁ.ଆଇ) ବା ବାୟୁ ମାନ ସୂଚକାଙ୍କ. ହାରାହାରି ୪୦୦ରୁ ଅଧିକ ରହି ସେଠାକାର ଅଧିବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଙ୍କଟ ଉତ୍ପନ୍ନ କରୁଥିବାରୁ ଜନସାଧାରଣଙ୍କ ଆକ୍ରୋଶର ତୀର୍ଯ୍ୟକ ଅଭିବ୍ୟକ୍ତି ଥିଲା ସେଭଳି ଟିଟ୍ଟିକାରି। କୌଣସି ପରିବେଶ ପ୍ରସଙ୍ଗରେ ଜନସାଧାରଣ ଉଦବେଳିତ ହେବା ଏକ ଶୁଭ ସୂଚନା ହୋଇପାରେ। ତେବେ କେବଳ ଦିଲ୍ଲୀ ନୁହେଁ, ଦେଶର ଶତାଧିକ ସହର ଏବେ ଉତ୍କଟ ବାୟୁ ପ୍ରଦୂଷଣ ସମସ୍ୟା ଓ ସଙ୍କଟ ଦ୍ୱାରା ଆକ୍ରାନ୍ତ। ବସ୍ତୁତଃ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରହିଛି ଭାରତର ଅଧିକ ସହର। ସେହି କାରଣରୁ ସେହି ସବୁ ସହରରେ ନୀଳ ଆକାଶର ଦୃଶ୍ୟ ଏବେ ଦୁର୍ଲଭ। ଏଥି ଯୋଗୁଁ ଆଗାମୀ ଦିନରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବାକୁ ଯାଉଛି।  

ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ.ଇ.ପି.) ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରତିବର୍ଷ ନିରବରେ ପ୍ରାୟ ୮୧ ଲକ୍ଷ ଲୋକଙ୍କ ପ୍ରାଣ ନେବାରେ ଲାଗିଛି, ଯାହା ହେଉଛି ଆମ ସମୟର ସର୍ବାଧିକ ପରିବେଶଜନିତ ସ୍ୱାସ୍ଥ୍ୟ ବିପଦ। ବାୟୁରେ ମଣିଷର ସ୍ୱାସ୍ଥ୍ୟ ଓ ପରିବେଶକୁ କ୍ଷତି ପହଞ୍ଚାଉଥିବା ଭୌତିକ, ରାସାୟନିକ ଓ ଜୈବିକ ଉପାଦାନର ଉପସ୍ଥିତି ହିଁ ବାୟୁ ପ୍ରଦୂଷଣକୁ ବୁଝାଏ। ସାଧାରଣତଃ ଜୀବାଶ୍ମ ଇନ୍ଧନ, ଗାଡ଼ିମଟର, ଶିଳ୍ପ, ବନାଗ୍ନି ଆଦିରୁ ନିର୍ଗତ ହେଉଥିବା ଧୂଆଁ, ରାସ୍ତା ଓ ନିର୍ମାଣ କାର‌୍ୟ୍ୟରୁ ଉଡ଼ୁଥିବା ଧୂଳି, ପ୍ରାକୃତିକ ଭାବେ ଅର୍ଥାତ୍ ଧୂଳି ବା ବାଲି ଝଡ଼, ଆଗ୍ନେୟଗିରି ଉଦଗିରଣ, ସାମୁଦ୍ରିକ ଲବଣାଂଶ ଆଦି ବାୟୁ ପ୍ରଦୂଷଣର କାରଣ ହୋଇଥାଏ। ଏହା ଏବେ ସମସ୍ତଙ୍କୁ ଜଣା ଯେ ପି.ଏମ.୨.୫, ପି.ଏମ.୧୦ (ଯଥାକ୍ରମେ ୨.୫ ଓ ୧୦ ମାଇକ୍ରୋସେଣ୍ଟିମିଟର ବ୍ୟାସବିଶିଷ୍ଟ) ଭଳି ସୂକ୍ଷ୍ମ କଣିକା, ଓଜୋନ, ନାଇଟ୍ରୋଜେନ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ ଓ ସଲଫର ଡାଇଅକ୍ସାଇଡ ଭଳି ଗ୍ୟାସ ହେଉଛନ୍ତି ବାୟୁର ମୁଖ୍ୟ ପ୍ରଦୂଷକ। ପିଏମ୨.୫ କଣିକା ଆମ ପ୍ରଶ୍ୱାସ ସହିତ ସହଜରେ ଫୁସଫୁସରେ ପ୍ରବେଶ କରି ରକ୍ତରେ ପ୍ରବାହିତ ହୁଅନ୍ତି ଓ ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇଥାନ୍ତି। ଏଣୁ ଉତ୍କଟ ବାୟୁ ପ୍ରଦୂଷଣ ଦ୍ୱାରା ଫୁସଫୁସ ଓ ହୃତପିଣ୍ଡର ରୋଗ ଓ କ୍ୟାନସରର ଆଶଙ୍କା ବୃଦ୍ଧି ପାଏ। ତେଣୁ ବାୟୁ ପ୍ରଦୂଷଣକୁ ସହନୀୟ ସ୍ତରରେ ରଖିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ମାର୍ଗଦର୍ଶିକା ଜାରି ହୋଇଥାଏ। ବାୟୁରେ ଥିବା ବିଭିନ୍ନ ପ୍ରଦୂଷଣକାରୀ କଣିକାର ଘନତ୍ୱ ଆଧାରରେ ଏ.କ୍ୟୁ.ଆଇ. ନିର୍ଦ୍ଧାରିତ ହୋଇ ବାୟୁ ପ୍ରଦୂଷଣର ସ୍ତରକୁ ଉତ୍ତମ, ଚଳନୀୟ, ଅସ୍ୱାସ୍ଥ୍ୟକର, ଗୁରୁତର ଓ ବିପଜ୍ଜନକ ଭାବେ ବର୍ଗୀକରଣ କରାଯାଇଛି। ଏ.କ୍ୟୁ.ଆଇ. ୬୦ରୁ ୮୦ ରହିଲେ ତାହା ମଣିଷ ସ୍ୱାସ୍ଥ୍ୟ ଅନୁକୂଳ। ଏବେ କିନ୍ତୁ ଭାରତର ଶତାଧିକ ସହରରେ ଏ.କ୍ୟୁ.ଆଇ.ର ସ୍ତର ଉଦବେଗଜନକ ଭାବେ ୩୦୦ରୁ ଅଧିକ। ଶୀତ ଦିନ ସରିବା ପର‌୍ୟ୍ୟନ୍ତ ସାରା ଦେଶରେ ବାୟୁ ପ୍ରଦୂଷଣ ଉତ୍କଟ ରହିବ। ଏହା ପଛର ଏକ ବଡ଼ କାରଣ ହେଲା ଏହି ସମୟରେ ବାୟୁ ଚଳାଚଳ ନ ହୋଇ  ସ୍ଥିର ରହିବା ସହ ବାୟୁମଣ୍ଡଳର ଉପର ସ୍ତର ତୁଳନାରେ ତଳ ସ୍ତର ଅପେକ୍ଷାକୃତ ଅଧିକ ଥଣ୍ଡା ରହୁଥିବାରୁ ଧୂଳି ଓ ଧୂଆଁ ତଳ ସ୍ତରରେ ଆବଦ୍ଧ ହୋଇଯାଏ, ଯଦ୍ଦ୍ୱାରା ହାନିକାରକ ଧୂଆଁ ମିଶ୍ରତ କୁହୁଡ଼ି (ଧୂମ-କୁହୁଡ଼ି ବା ସ୍ମଗ) ସୃଷ୍ଟି ହୋଇଥାଏ। 

ବାୟୁ ପ୍ରଦୂଷଣ ଏକ ବୈଶ୍ୱିକ ସମସ୍ୟା। ତେବେ ଚୀନ, ନେଦରଲାଣ୍ଡସ, ସିଙ୍ଗାପୁର, ଡେନମାର୍କ, ଚିଲି, ମେକ୍ସିକୋ ଭଳି ଦେଶ ଏହାର ସଫଳତାର ସହ ମୁକାବିଲା କରିପାରିଛନ୍ତି। ଏକଦା ଚୀନର ସହରଗୁଡ଼ିକ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷିତ ସହର ଥିଲେ। ଏହି କାରଣରୁ ସେଠାରେ ବର୍ଷକୁ ପ୍ରାୟ ୧୧ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଥିଲା ଓ ଫସଲ ନଷ୍ଟ ହୋଇ ବାର୍ଷିକ ପ୍ରାୟ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଥିଲା। ପ୍ରଦୂଷଣ ଜନିତ ଜନ ଆକ୍ରୋଶ ଓ ହତାଶାକୁ ଦୃଷ୍ଟିରେ ରଖି ଚୀନ ସରକାର ସେଠାକାର ସହରାଞ୍ଚଳର ବାୟୁକୁ ସ୍ୱଚ୍ଛ କରିବା ଦିଗରେ ନିର୍ଦ୍ଦିଷ୍ଟ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ୟାର ସମାଧାନ କଲେ। କୋଇଲା ଚାଳିତ କୌଣସି ନୂଆ ତାପଜ ବିଦ୍ୟୁତ କେନ୍ଦ୍ରର ସ୍ଥାପନାକୁ ଅନୁମତି ଦିଆଗଲା ନାହିଁ। ପୁରୁଣା ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଗଲା। କୋଇଲା ଖଣିମାନ ବନ୍ଦ କରାଗଲା ବା ସେ ସବୁରୁ ଉତ୍ତୋଳନର ପରିମାଣରେ ହ୍ରାସ କରାଗଲା। ହଜାର ହଜାର ସଂଖ୍ୟାରେ ପ୍ରଦୂଷଣକାରୀ ଶିଳ୍ପ (ଲୌହ ଓ ଇସ୍ପାତ ଶିଳ୍ପ ମଧ୍ୟ)କୁ ସାମୟିକ ଭାବେ ବନ୍ଦ କରିଦିଆଗଲା। ରାସ୍ତାରେ ଗାଡ଼ିର ସଂଖ୍ୟାକୁ ହ୍ରାସ କରିବା ଲାଗି ଲକ୍ଷ ଲକ୍ଷ ସଂଖ୍ୟାରେ ପୁରୁଣା ଗାଡ଼ିକୁ ଚଳନ ଅନୁପଯୋଗୀ ଘୋଷଣା କରାଯିବା ସହ ଲଟେରୀ ବା ନିଲାମ ମାଧ୍ୟମରେ ସୀମିତ ସଂଖ୍ୟକ ନୂଆ ଗାଡ଼ିର ରେଜିଷ୍ଟ୍ରେସନ କରାଗଲା। ବିଜୁଳି ଚାଳିତ ଗାଡ଼ି ବା ଇ.ଭି.କୁ ପ୍ରୋତ୍ସାହନ ମିଳିଲା ଓ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଗଲା। ୨୦୧୩ ମସିହାରେ ସୀମିତ ସଂଖ୍ୟକ ସହର ଲାଗି ଏକ ‘ବାୟୁ ପ୍ରଦୂଷଣ କାର୍ଯ୍ୟ ଯୋଜନା’ ପ୍ରସ୍ତୁତ ହେଲା, ଯାହା ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୮ ମସିହାରେ ଚୀନର ସବୁ ସହରକୁ ସମ୍ପ୍ରସାରିତ ହେଲା। ଏ ଭଳି କଠୋର ନିଷ୍ପତ୍ତିରେ ହଜାର ହଜାର ଶ୍ରମିକ ନିଯୁକ୍ତି ହରାଇଲେ ସତ, କିନ୍ତୁ ସେମାନଙ୍କର ଥଇଥାନ ଲାଗି ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଗଲା। କେବଳ ସେତିକି ନୁହେଁ, ସେମାନଙ୍କ ପୁନଃନିଯୁକ୍ତି ଓ ଦକ୍ଷତା ବିକାଶ ଲାଗି ପ୍ରୟାସ କରାଗଲା। ଚୀନର ଏହି ଚତୁର୍ମୁଖୀ ଯୋଜନାର ସୁଫଳ ସ୍ୱରୂପ ବେଜିଂ ସହରର ବାୟୁ ପ୍ରଦୂଷଣ ୫୪ ପ୍ରତିଶତ ହ୍ରାସ ପାଇଲା। କେହି କହିପାରନ୍ତି ଯେ ଚୀନ ଭଳି ଏକ କମ୍ୟୁନିଷ୍ଟ ଦେଶରେ ଏଭଳି କାର୍ଯ୍ୟପନ୍ଥା ସମ୍ଭବ, ଯାହା ଏକ ଗଣତାନ୍ତ୍ରିକ ଦେଶରେ ହେବା କଷ୍ଟକର। କିନ୍ତୁ ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ଥିଲେ ଏହା ସମ୍ଭବ ବୋଲି ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ସିଙ୍ଗାପୁର ଭଳି କେତେକ ଗଣତନ୍ତ୍ର ଦେଶ ସାବ୍ୟସ୍ତ କରିସାରିଛନ୍ତି।   

୨୦୧୯ ମସିହାରେ ଭାରତରେ ମଧ୍ୟ ୧୩୦ଟି ସହରରେ ‘ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ’ (ଏନ.ସି.ଏ.ପି.)ର ଆରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା ୨୦୧୭-୧୮କୁ ଆଧାର ବର୍ଷ ଭାବେ ଧରି ବାୟୁ ପ୍ରଦୂଷଣର ସ୍ତରକୁ ୨୦୨୪ ମସିହା ସୁଦ୍ଧା ଅନ୍ତତଃ ୨୦ରୁ ୩୦ ପ୍ରତିଶତ ହ୍ରାସ କରିବା ଥିଲା ଉଦ୍ଦେଶ୍ୟ। ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ପୂରଣ ହୋଇ ନ ପାରିବାରୁ ଏଥିରେ ପରିବର୍ତ୍ତନ କରାଯାଇଛି। ଏବେ ଆମ ସାମନାରେ ୨୦୨୬ ମସିହା ସୁଦ୍ଧା ବାୟୁ ପ୍ରଦୂଷଣର ସ୍ତରରେ ୪୦ ପ୍ରତିଶତ ହ୍ରାସ କରିବା ହେଉଛି ନୂତନ ଲକ୍ଷ୍ୟ। ଏଥିରେ ଭୁବନେଶ୍ୱର ସମେତ ଓଡ଼ିଶାର,୭ଟି ସହର ଅନ୍ତର୍ଭୁକ୍ତ। ଏହାର ରୂପାୟନରେ ଭୁବନେଶ୍ୱରର ପ୍ରଦର୍ଶନ ତୁଳନାତ୍ମକ ଭାବେ ଉନ୍ନତ ହୋଇଥିଲେ ହେଁ ଏଇ ନଭେମ୍ୱର ଓ ଡିସେମ୍ୱର ଦୁଇ ମାସ ଧରି ଭୁବନେଶ୍ୱରର ଏ.କ୍ୟୁ.ଆଇ. ହେଉଛି ୨୦୦ରୁ ୩୫୦ ମଧ୍ୟରେ; ଅର୍ଥାତ୍ ବାୟୁ ପ୍ରଦୂଷଣର ସ୍ତର ଗୁରୁତର। ବାଲେଶ୍ୱର, ଅନୁଗୁଳ ଆଦି ସହରମାନଙ୍କର ସ୍ଥିତି ଅନୁରୂପ। ଭୁବନେଶ୍ୱର ବାୟୁର ମାନକୁ ଠିକ୍ ରୂପେ ନିରୀକ୍ଷଣ କରିବା ଲାଗି ଏଠାରେ ୨୨ଟି ନିରନ୍ତର ସ୍ୱୟଂକ୍ରିୟ ବାୟୁ ମାନ ନିରୀକ୍ଷଣ କେନ୍ଦ୍ର (ସି.ଏ.ଏ.କ୍ୟୁ.ଏମ.ଏସ.)ର ଆବଶ୍ୟକତା ଥିଲା ବେଳେ ଏଠାରେ ମାତ୍ର ୬-୭ଟି ହସ୍ତଚାଳିତ ନିରୀକ୍ଷଣ କେନ୍ଦ୍ର ଉପଲବ୍ଧ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ଯଥେଷ୍ଟ ପ୍ରତିକୂଳ ପ୍ରଭାବ ପଡ଼ୁଥିବାରୁ, କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସବୁ ପୌରାଞ୍ଚଳରେ ଆଧୁନିକ ଯନ୍ତ୍ରପାତି ଖଞ୍ଜା ନିରୀକ୍ଷଣ କେନ୍ଦ୍ରମାନ ସ୍ଥାପନ କରାଯାଇ ବାୟୁର ମାନ ଉପରେ ତୀକ୍ଷ୍ଣ ନଜର ରଖାଯିବା ଆବଶ୍ୟକ।      

ସାଧାରଣତଃ ବଡ଼ ବଡ଼ ସହରର ବାୟୁ ପ୍ରଦୂଷଣ ଚର୍ଚ୍ଚାର ବିଷୟ ହେଉଥିଲେ ବି ଅତ୍ୟଧିକ ବାୟୁ ପ୍ରଦୂଷଣ ହେଉଥିବା ଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ର ସଂଲଗ୍ନ ଗ୍ରାମଗୁଡ଼ିକ ସମ୍ପର୍କରେ କ୍ୱଚିତ ଉଦବେଗ ପ୍ରକାଶ ପାଇଥାଏ। ଉଦାହରଣ ସ୍ୱରୂପ ଖଣିଜ ସମ୍ପଦରେ ଭରପୂର ଓଡ଼ିଶାରେ ଖୋଲା ଖଣି ଖନନ ସଂଲଗ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ ହୋଇଛି। ତଥ୍ୟ ଅନୁଯାୟୀ ଖୋଲା ଖଣି ଖନନରେ ଭାରି ଯନ୍ତ୍ରର ବ୍ୟବହାର ଓ ଉତ୍ତୋଳିତ ଖଣିଜ ପଦାର୍ଥର ପରିବହନ ଲାଗି ବ୍ୟବହୃତ ଟ୍ରକଗୁଡ଼ିକର ଅହରହ ଯାତାୟାତ ଯୋଗୁଁ ବାୟୁ ଅତ୍ୟଧିକ ପ୍ରଦୂଷିତ ହେଉଛି।  ପରିତାପର ବିଷୟ ଯେ ଅଧିକାଂଶ କ୍ଷେତ୍ରରେ ଏଭଳି ଖଣି ଖନନରୁ ନିର୍ଗତ ଧୂଳି ଓ କଣିକାଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି କମ୍ପାନୀଗୁଡ଼ିକ ତରଫରୁ ତତ୍ପରତା ପ୍ରକାଶ ପାଇ ନଥାଏ। ଫଳରେ ପ୍ରଭାବିତ ଗ୍ରାମଗୁଡ଼ିକରେ ରହୁଥିବା ଲୋକେ ବାୟୁ ପ୍ରଦୂଷଣକୁ ସେମାନଙ୍କ ଭାଗ୍ୟ ଲିଖନ ବୋଲି ଧରି ନେବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ତାପଜ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତର ଏକ ବୃହତ୍ କେନ୍ଦ୍ରରେ ପରିଣତ ହୋଇଛି। ବସ୍ତୁତଃ ଅନୁଗୁଳ, ଝାରସୁଗୁଡ଼ା, ସମ୍ୱଲପୁର ଓ ଢେଙ୍କାନାଳ ଜିଲ୍ଲାଗୁଡ଼ିକରେ ଏଗୁଡ଼ିକ କେନ୍ଦ୍ରିତ ହୋଇ ସେଠାକାର ବାୟୁକୁ ଅହରହ ପ୍ରଦୂଷିତ କରିଚାଲିଛନ୍ତି। ଏହି ତାପଜ କେନ୍ଦ୍ରଗୁଡ଼ିକରୁ ମୁଖ୍ୟତଃ ବହୁଳ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ ହେବା ସହ କିଛି ମାତ୍ରାରେ କ୍ଷତିକାରକ ସଲଫର ଡାଇଅକ୍ସାଇଡ ଓ ନାଇଟ୍ରୋଜେନ ଅକ୍ସାଇଡ ମଧ୍ୟ ନିର୍ଗତ ହୋଇଥାଏ। ଏଥି ସହିତ ନିର୍ଗତ ହେଉଥିବା ପାଉଁଶ ବହୁଳ ଭାବେ ବାୟୁମଣ୍ଡଳରେ ଭାସି ବୁଲେ ଯେଉଁଥିରେ ଥିବା ହାନିକାରକ କଣିକା ପଦାର୍ଥ ଫୁସଫୁସରେ ପ୍ରବେଶ କରି ଶ୍ୱାସଗତ ସମସ୍ୟା ସୃଷ୍ଟି କରିଥାଏ। ଖୋଲାଖଣି ଖନନ ଓ ତାପଦ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ଅଞ୍ଚଳର ଲୋକମାନେ ଆଜମା, ବ୍ରୋଙ୍କାଇଟିସ, ସିଲିକୋସିସ ଭଳି ଶ୍ୱାସଗତ ବେମାର ଓ ହୃଦରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହି ଧରଣର ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ଆଇନ ଥିଲେ ମଧ୍ୟ ତାହା କଡ଼ାକଡ଼ି ଭାବେ ପାଳନ ହେଉନାହିଁ। ତେଣୁ ଏ ସବୁ ଅଞ୍ଚଳରେ ବାୟୁ ମାନ ନିରୀକ୍ଷଣ କେନ୍ଦ୍ରମାନ ସ୍ଥାପନ କରି ନିରୀକ୍ଷଣ ଦାୟିତ୍ୱ ସ୍ଥାନୀୟ ନାଗରିକ ସମାଜ ଉପରେ ନ୍ୟସ୍ତ କରିବା କଥା ବିଚାର କରାଯାଇପାରେ। 

ଏକ ଅଧ୍ୟୟନ ଅନୁଯାୟୀ ଭୁବନେଶ୍ୱରରେ ମାତ୍ରାଧିକ ଗାଡ଼ିମଟର ଚଳାଚଳ ହିଁ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ତେଣୁ ଗାଡ଼ି ସଂଖ୍ୟା କମ କରିବା ସହ ବୈଦ୍ୟୁତିକ ବସ ଚଳାଚଳକୁ ଶତ ପ୍ରତିଶତ କରି ସାଧାରଣ ପରିବହନ ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ କରାଯାଉ। ସହର ମଧ୍ୟରେ କୋଇଲା ଓ ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବା ଶିଳ୍ପଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ। ଏଠାକାର ବାୟୁ ପ୍ରଦୂଷଣର ପ୍ରାୟ ୩୨ ପ୍ରତିଶତ ଆଖପାଖ ଅଞ୍ଚଳରୁ ଆସୁଥିବାରୁ ଆଖପାଖରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରୁ ଜାତ ପ୍ରଦୂଷଣକୁ ନେଇ ଗମ୍ଭୀରତାର ସହ ବିଚାର କରାଯିବା  ଉଚିତ। ଜୀବାଶ୍ମ ଇନ୍ଧନ ଚାଳିତ ଶିଳ୍ପଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା ଦରକାର। ସେହିପରି ଶୀତ ଦିନ ସରିବା ପର୍ଯ୍ୟନ୍ତ ଇଟାଭାଟିଗୁଡ଼ିକ ଉପରେ ରୋକ ଲାଗିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରର ବାୟୁ ସ୍ୱଚ୍ଛ ହେଲେ ଏଠାକାର ଲୋକଙ୍କ ଜୀବନ ପ୍ରତ୍ୟାଶା ଆଉ ୨ ବର୍ଷରୁ ଅଧିକ ବୃଦ୍ଧି ପାଇବ।   

ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦୁଇଟି ପରସ୍ପର ସହିତ ସଂଯୁକ୍ତ ହୋଇଥିବାରୁ ପ୍ରଥମ ସମସ୍ୟାଟି ଦୂରୀଭୁତ ହେଲେ ତାହା ଦ୍ୱିତୀୟ ସମସ୍ୟାକୁ ଏଡ଼ାଇବାରେ ଅନେକାଂଶରେ ସହାୟକ ହେବ। ସ୍ୱଚ୍ଛ ବାୟୁ ଜୀବନ ଧାରଣ ପାଇଁ ଅନିବାର୍ଯ୍ୟ ହୋଇଥିବାରୁ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । ସେଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ସହ ସରକାରଙ୍କ ତରଫରୁ ଆନ୍ତରିକତା ପ୍ରଦର୍ଶନର ଆବଶ୍ୟକତା ରହିଛି।  ତେବେ ଏ କ୍ଷେତ୍ରରେ ଜନ ସଚେତନତା ଓ ଜନ ଆକ୍ରୋଶ ବୃଦ୍ଧି ଅତ୍ୟନ୍ତ ଜରୁରୀ କାରଣ ତାହା ସରକାରଙ୍କ ଉପରେ ଚାପ ପକାଇଥାଏ। ଏଥି ସହ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି ସରକାରୀ ନୀତି ଓ କାର୍ଯ୍ୟକ୍ରମ ପ୍ରତି ଜନ ସମର୍ଥନ ଓ ସହଯୋଗ ମଧ୍ୟ ଆବଶ୍ୟକ। ଏ ଦିଗରେ ସମସ୍ତଙ୍କୁ ପ୍ରେରିତ କରି ୨୦୨୬ ବର୍ଷଟି ‘ନୀଳ ଆକାଶର ବର୍ଷ’ ହେଉ।  


Published in Sambad on December 30, 2025


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...