ଇତିମଧ୍ୟରେ ଭାରତୀୟ ଅର୍ଥନୀତିର ଚଳନ୍ତି ଦୁଃସ୍ଥିତିକୁ ରେଖାଙ୍କିତ କରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏପରି ଦୁଇଟି ଅପ୍ରିୟ ଟିପ୍ପଣୀ ଦେଇଛନ୍ତି, ଯାହା ଉଦବେଗଜନକ। ସରକାରୀ ଭାବେ ସେପ୍ଟେମ୍ୱର ତ୍ରୈମାସ ବା ଚଉଠ ଲାଗି ଜାରି ହୋଇଥିବା ଜିଡିପି ବୃଦ୍ଧି ହାର ୮.୨ ପ୍ରତିଶତ ଦର୍ଶାଯାଇଛି। ଠିକ୍ ଏତିକିବେଳେ ଆନ୍ତ୍ରର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ତରଫରୁ ଭାରତର ଜାତୀୟ ଆକାଉଣ୍ଟସ ପରିସଂଖ୍ୟାନ ତଥ୍ୟର ନିର୍ଭରଯୋଗ୍ୟତାକୁ ପ୍ରଶ୍ନ କରି ଏହାର ସ୍ତରକୁ ‘ଖ’ ବର୍ଗରୁ ‘ଗ’ ବର୍ଗକୁ ଖସାଇଦିଆଯାଇଛି। କାରଣ ଦର୍ଶାଯାଇଛି ଯେ ଖାଉଟି ଓ ନିଯୁକ୍ତି ଭଳି କେତେକ ପ୍ରସଙ୍ଗରେ ଏବେ ମଧ୍ୟ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇ ତଥ୍ୟ ବ୍ୟବହାର କରାଯାଉଥିବାରୁ ଜିଡିପି ଆକଳନ ତ୍ରୁଟିଶୂନ୍ୟ ହୋଇ ନପାରେ। ଅର୍ଥାତ୍ ଭାରତର ଜିଡିପି ବୃଦ୍ଧି ହାର ଠିକ୍ ନୁହେଁ ବୋଲି ସିଧାସଳଖ କୁହାଯାଇ ନଥିଲେ ବି ପରୋକ୍ଷରେ ସେହି ଇଙ୍ଗିତ ଦିଆଯାଇଛି। ଆଇଏମଏଫର ଦ୍ୱିତୀୟ ଟିପ୍ପଣୀଟି ନିମ୍ନଗାମୀ ଟଙ୍କାର ପ୍ରକୃତ ମୂଲ୍ୟକୁ ନେଇ। ଡିସେମ୍ୱର ୩ ତାରିଖରେ ଡଲାର ପିଛା ଟଙ୍କାର ମୂଲ୍ୟ ପ୍ରଥମ ଥର ଲାଗି ୯୦ ଟଙ୍କାର ସୀମାକୁ ଟପିଯାଇଥିଲା। ଟଙ୍କାର ଏଭଳି ମୂଲ୍ୟ ହ୍ରାସ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଅବଶ୍ୟ ଏଥି ପୂର୍ବରୁ ଆଇଏମଏଫ ତାଙ୍କ ଟିପ୍ପଣୀରେ ଉଲେଖ କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଝିରେ ମଝିରେ ମୁଦ୍ରା ବଜାରରେ ହସ୍ତକ୍ଷେପ କରୁ ନଥିଲେ ଟଙ୍କାର ମୂଲ୍ୟ ହୁଏତ ଆହୁରି ତଳକୁ ଖସନ୍ତାଣି। ଗୋଟିଏ ପଟେ ଜିଡିପି ଅଭିବୃଦ୍ଧି ହୋଇ ଭାରତ ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେଲା ବେଳକୁ ଟଙ୍କା ସବଳ ନ ହୋଇ ଦୁର୍ବଳ ହେବା ଅନେକଙ୍କୁ ଆଚମ୍ୱିତ କରିଛି। ୨୦୨୫ ମସିହାର ଆରମ୍ଭରେ ଡଲାର ପିଛା ଟଙ୍କାର ମୂଲ୍ୟ ୮୫.୨୨ ଟଙ୍କା ଥିଲା, ଯାହାର ଅର୍ଥ ବର୍ଷକ ଭିତରେ ତାହା ପ୍ରାୟ ୫ ଟଙ୍କା ହ୍ରାସ ପାଇସାରିଲାଣି। ଟଙ୍କାର ଏହି ଦ୍ରୁତ ଅବମୂଲ୍ୟାୟନ ପଛର କାରଣଗୁଡ଼ିକ ବୁଝିବାର ଆବଶ୍ୟକତା ରହିଛି।
ଟଙ୍କାର ମୂଲ୍ୟ ହ୍ରାସ ପଛର ଦୁଇଟି ମୁଖ୍ୟ କାରଣ ହେଉଛି ବିପୁଳ ପରିମାଣରେ ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହେବା ଓ ବାଣିଜ୍ୟ ନିଅଣ୍ଟ ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବା। ସେହିପରି ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜିର ପ୍ରବାହ ହ୍ରାସ ପାଇବା ମଧ୍ୟ ଅନ୍ୟତମ କାରଣ। । ଟ୍ରମ୍ପ ସରକାର ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଯିବା ପରେ ଭାରତରୁ ଆମେରିକାକୁ ରପ୍ତାନୀ ହ୍ରାସ ପାଇଲା। ପୁନଶ୍ଚ ଟଙ୍କାର ମୂଲ୍ୟରେ ଅସ୍ଥିରତା ଦେଖା ଦେଇ ତାହା ନିମ୍ନଗାମୀ ହେବା ଯୋଗୁଁ ଟଙ୍କା ଦୁର୍ବଳ ହେଲା ଏବଂ ତା’ ସହିତ ବିଦେଶୀ ପୁଞ୍ଜି ନିବେଶକଙ୍କ ବିଶ୍ୱାସ ଦୋହଲି ଗଲା। ଫଳରେ କେବଳ ଡିସେମ୍ୱର ମାସର ପ୍ରଥମ ସପ୍ତାହରେ ୧୧,୮୨୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହୋଇଥିବା ବେଳେ ୨୦୨୫ ମସିହାରେ ଏ ପର୍ଯ୍ୟନ୍ତ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଦେଶୀ ପୁଞ୍ଜି ଭାରତରୁ ଚାଲି ଯାଇ ସାରିଲାଣି। ଏହି ପୁଞ୍ଜି ପ୍ରତ୍ୟାହାରର ସବୁଠାରୁ ବଡ଼ କାରଣ ହେଉଛି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପାଦିତ ହେବାରେ ଅହେତୁକ ବିଳମ୍ୱ ଘଟିବା। ଟ୍ରମ୍ପ ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପରେ ମନେ ହେଉଥିଲା ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ହେତୁ ସମ୍ଭବତଃ ଏହି ଚୁକ୍ତି ଖୁବ୍ ଶୀଘ୍ର ସମ୍ପାଦିତ ହେବ। କିନ୍ତୁ ଇତିମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ବୃଦ୍ଧି ଓ ଅନ୍ୟାନ୍ୟ କାରଣରୁ ସେହି ଆଶା ଏକପ୍ରକାର ମଉଳିଯାଇଛି। ଭାରତର ଉନ୍ନତ ଜିଡିପି ଅଭିବୃଦ୍ଧି ସତ୍ତ୍ୱେ ନିବେଶକମାନେ ଏଠାରେ ପୁଞ୍ଜି ଲଗାଣକୁ ବିପଦସଙ୍କୁଳ ମନେ କରୁଛନ୍ତି। ଫଳରେ ପୁଞ୍ଜି ଲଗାଣକାରୀଙ୍କ ଉତ୍ସାହରେ ଶିଥିଳତା ଦେଖା ଦେଇ ଦେଶରୁ ବିପୁଳ ପରିମାଣରେ ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହେଉଛି। ପୁନଶ୍ଚ ‘ମୋର୍ଗାନ ଷ୍ଟାନଲି କ୍ୟାପିଟାଲ ଇଣ୍ଟରନ୍ୟାସନାଲ’ ଦ୍ୱାରା ପ୍ରସ୍ତୁତ ଏମ.ଏସ.ସି.ଆଇ. ସୂଚକାଙ୍କ ଅନୁଯାୟୀ ସେକେଣ୍ଡାରୀ ମାର୍କେଟ ବା ମାଧ୍ୟମିକ ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ଅଂଶଧନର ମୂଲ୍ୟ ସେମାନଙ୍କ ଆୟ ତୁଳନାରେ ଏତେ ଅଧିକ ହୋଇଯାଇଛି ଯେ ବିଦେଶୀ ପୁଞ୍ଜି ନିବେଶକଙ୍କ ଲାଗି ଏଠାକାର ସେକେଣ୍ଡାରୀ ମାର୍କେଟରେ ନିବେଶ ଅନାକର୍ଷଣୀୟ ଓ ବିପଦସଙ୍କୁଳ ହୋଇପଡ଼ିଛି। ସେଥିପାଇଁ ସେମାନେ ଏଠାରୁ ପୁଞ୍ଜି ପ୍ରତ୍ୟାହାର କରି ଅନ୍ୟ ଆକର୍ଷଣୀୟ ବଜାରକୁ ନେଇଯାଉଛନ୍ତି। ପ୍ରତ୍ୟାହୃତ ବିଦେଶୀ ପୁଞ୍ଜିର ଏକ ବଡ଼ ଅଂଶ ଚୀନରେ ନିବେଶ ହେଉଛି। ‘ଆଇ.ସି.ଆଇ.ସି.ଆଇ. ଡାଇରେକ୍ଟ’ର ଏକ ରିପୋର୍ଟ ଅନୁଯାୟୀ ଭାରତ ତୁଳନାରେ ଚୀନ କମ୍ପାନୀଗୁଡ଼ିକର ଅଂଶଧନର ମୂଲ୍ୟ କମ ହୋଇଥିବାରୁ ସେଠାରେ ପୁଞ୍ଜି ନିବେଶ ଅଧିକ ଲାଭପ୍ରଦ ମନେ ହେଉଛି। ପ୍ରତ୍ୟାହୃତ ବିଦେଶୀ ପୁଞ୍ଜିର କିଛି ଅଂଶ ହଂକଂ, ଦକ୍ଷିଣ କୋରିଆ, ତାଇୱାନ ଭଳି ଦେଶରେ ମଧ୍ୟ ବିନିଯୁକ୍ତ ହୋଇଛି। ଏଥି ସହିତ ଆମେରିକା ଫେଡେରାଲ ରିଜର୍ଭର ସୁଧ ହାରକୁ ଉଚ୍ଚ ରଖିବାର ନୀତି ଯୋଗୁ କିଛି ପୁଞ୍ଜି ଆମେରିକାରେ ନିବେଶ ଲାଗି ଫେରିଛି। ଭାରତରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ହେବାର ଅନ୍ୟ ଏକ କାରଣ ହେଉଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ (ଏଆଇ) ବା କୃତ୍ରିମ ବିଦ୍ୱତା କ୍ଷେତ୍ରରେ ଭାରତ ଏ ଯାଏଁ ନିଜକୁ ଏକ ଅଗ୍ରଣୀ ଦେଶ ଭାବେ ଅବସ୍ଥାପିତ କରିପାରିନାହିଁ। ‘ଗ୍ଲୋବାଲ ଏ.ଆଇ. ସୂଚକାଙ୍କ’ ଅନୁଯାୟୀ ଆମେରିକା, ଚୀନ, ସିଙ୍ଗାପୁର, ବ୍ରିଟେନ, ଫ୍ରାନ୍ସ, ଦକ୍ଷିଣ କୋରିଆ ଅଗ୍ରଣୀ ଦେଶ ଭାବେ ଉଭା ହୋଇଥିବା ବେଳେ ଭାରତ ଦଶମ ସ୍ଥାନରେ ରହିଛି। ପୁଞ୍ଜି ନିବେଶକଙ୍କ ଲାଗି ଏ.ଆଇ. ଏକ ଆକର୍ଷଣୀୟ ସୂର୍ଯ୍ୟୋଦୟ କ୍ଷେତ୍ର ହୋଇଥିବାରୁ ଏହି କ୍ଷେତ୍ରରେ ଅଗ୍ରଣୀ ଦେଶଗୁଡ଼ିକୁ ପୁଞ୍ଜି ପ୍ରବାହ ବଢ଼ିବା ସ୍ୱାଭାବିକ। ଏ ସବୁ ସତ୍ତ୍ୱେ ବିଦେଶୀ ପୁଞ୍ଜି ନିବେଶକଙ୍କ ଲାଗି ଏବେ ମଧ୍ୟ ଭାରତର ପ୍ରାଥମିକ ବଜାର (ଆଇପିଓ) ଓ ଋଣ ବଜାର (ଡେଟ ମାର୍କେଟ) ଆକର୍ଷଣୀୟ ହୋଇରହିଥିବାରୁ ସେକେଣ୍ଡାରୀ ମାର୍କେଟରୁ ପ୍ରତ୍ୟାହୃତ କିଛି ରାଶି ଏଥିରେ ନିବେଶ ହେଉଛି।
ଏଇ ବର୍ଷ ପ୍ରାୟ ପ୍ରତିମାସ ନିୟମିତ ଭାବେ ବୃଦ୍ଧି ପାଇ ଚାଲିଥିବା ବାଣିଜ୍ୟ ନିଅଣ୍ଟ ଅକ୍ଟୋବର ମାସରେ ସର୍ବାଧିକ ୪୧୭୦ କୋଟି ଡଲାର ବା ପ୍ରାୟ ୩.୭୧ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସରେ ବାଣିଜ୍ୟ ନିଅଣ୍ଟର ପରିମାଣ ଥିଲା ୨,୬୨୦ କୋଟି ଡଲାର ବା ପ୍ରାୟ ୨.୨୦ ଲକ୍ଷ କୋଟି ଟଙ୍କା। ଏହାର ମୁଖ୍ୟ କାରଣ ହେଉଛି ଏହି ସମୟରେ ସାମଗ୍ରୀ ଆମଦାନୀର ପରିମାଣରେ ପ୍ରାୟ ୧୬.୬ ପ୍ରତିଶତ ବୃଦ୍ଧି ପାଇ ତାହା ୭,୬୧୦ କୋଟି ଡଲାର ହୋଇଥିବା ବେଳେ ରପ୍ତାନୀର ପରିମାଣ ହ୍ରାସ ପାଇ ୩,୪୪୦ କୋଟି ଡଲାର ହୋଇଥିଲା। ପାରମ୍ପରିକ ଭାବେ ଆମେରିକାକୁ ସର୍ବାଧିକ ପରିମାଣର ରପ୍ତାନୀ ହେଉଥିବା ବେଳେ ଏହି ସମୟ ମଧ୍ୟରେ ଆମେରିକାକୁ ରପ୍ତାନୀରେ ୮.୬ ପ୍ରତିଶତ ହ୍ରାସ ଘଟିଛି। ରତ୍ପାନୀ ବୃଦ୍ଧି ଲାଗି ନୂଆ ବଜାର ସ୍ଥିର ହୋଇପାରିନାହିଁ। ଭାରତକୁ ହେଉଥିବା ଆମଦାନୀର ପ୍ରାୟ ୪୦ ପ୍ରତିଶତ ଅଧିକାର କରନ୍ତି ଅଶୋଧିତ ତେଲ, ସୁନାଗହଣା, ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ। ତାହା ହ୍ରାସ ନ ପାଇଲେ ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବା ଅସମ୍ଭବ। ତେଣୁ ଶକ୍ତି କ୍ଷେତ୍ରରେ ଦେଶକୁ ଯଥାଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ସେମିତି ସୁନାଗହଣାର ଆମଦାନୀକୁ ହ୍ରାସ କରିବାକୁ ହେବ। ଇତିମଧ୍ୟରେ ଗତ କିଛି ମାସ ଧରି ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜି ପ୍ରବାହ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାରରେ ସଂକୋଚନ ଘଟୁଛି। ନଭେମ୍ୱର ମାସରେ ଏହାର ପରିମାଣ ୬୮,୬୦୦ କୋଟି ଡଲାରକୁ ହ୍ରାସ ପାଇଛି।
ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲେ ହେଁ ଅନ୍ୟ ଅନେକ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ଭଲ ରହିଥିଲା। ତେବେ ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ସହ ଇଉରୋ, ପାଉଣ୍ଡ ଓ ଅନ୍ୟ ବିଦେଶୀ ମୁଦ୍ରା ତୁଳନାରେ ବି ହ୍ରାସ ପାଇଛି। ବସ୍ତୁତଃ ଟଙ୍କାର ମୂଲ୍ୟ ଏସୀୟ ମହାଦେଶର ମୁଦ୍ରାଗୁଡ଼ିକ ମଧ୍ୟରେ ସର୍ବନିମ୍ନ ପ୍ରଦର୍ଶନକାରୀ ମୁଦ୍ରାରେ ପରିଣତ ହେବା ଚିନ୍ତାଜନକ। ଉଲ୍ଲେଖଯୋଗ୍ୟ ଯେ ଟଙ୍କାର ମୂଲ୍ୟର ୫ ପ୍ରତିଶତ ହ୍ରାସ ପାଇବାର ଅର୍ଥ ଦରବୃଦ୍ଧି, ଯଦ୍ଦ୍ୱାରା ମୁଦ୍ରାସ୍ଫୀତି ୦.୩୫ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେବ।
କମ୍ପାନୀଗୁଡ଼ିକର ବାହ୍ୟ ଋଣ ସମେତ ଦେଶର ମୋଟ ବାହ୍ୟ ଋଣର ପରିମାଣ ୨୦୨୫ ମସିହା ଜୁନ ମାସ ସୁଦ୍ଧା ୭୪,୭୨୦ କୋଟି ଡଲାର ବା ୬୭.୨ ଲକ୍ଷ କୋଟି ଟଙ୍କାରେ ପଦଞ୍ଚିଲାଣି। ଏଥିମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ବା ୪୧,୦୦୦ କୋଟି ଡଲାର ଋଣ ଡଲାର ଆକାରରେ ନିଆଯାଇଥିବାରୁ ତାକୁ ଡଲାର ଆକାରରେ ହିଁ ପରିଶୋଧ କରିବାକୁ ହେବ। ଫଳରେ ସୁଧ ହାର ସମାନ ରହିଲେ ବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କାରଣଋୁ ଋଣ କିସ୍ତିର ପରିଶୋଧ ବାବଦକୁ ବିପୁଳ ପରିମାଣ ଅତିରିକ୍ତ ଅର୍ଥର ପ୍ରାବଧାନ କରିବାକୁ ହେବ। ଫଳରେ ସମାଜ ମଙ୍ଗଳ ଓ ବିକାଶମୂଳକ କାର୍ୟ୍ୟ ବାଧିତ ହେବାର ଆଶଙ୍କା ଦେଖାଦେଇପାରେ। ସେହିପରି କମ୍ପାନୀଗୁଡ଼ିକୁ ବିଦେଶୀ ଋଣର କିସ୍ତି ପରିଶୋଧ ଲାଗି ଅଧିକ ଅର୍ଥର ପ୍ରାବଧାନ କରିବାକୁ ହେବ ଯଦ୍ଦ୍ୱାରା ସେଗୁଡ଼ିକର ଲାଭ ପ୍ରଭାବିତ ହୋଇପାରେ।
ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ସାଧାରଣ ଖାଉଟି ଓ ପରିବାରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଦେଶରେ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ବିଦେଶରୁ ଆମଦାନୀ ହେଉଥିବାରୁ ତୈଳର ଦରବୃଦ୍ଧି ହେବ, ଯଦ୍ଦ୍ୱାରା ପରିବହନ, ଖାଦ୍ୟଯୋଗାଣର ଖର୍ଚ୍ଚ ବଢ଼ିବ, ଯାହା ଦର ବୃଦ୍ଧି ଘଟାଇବ। ଏହି କାରଣରୁ ଡଲାର ମୂଲ୍ୟରେ ବିଦେଶରୁ ଆମଦାନୀ ହେଉଥିବା ସ୍ମାର୍ଟ ଫୋନ, ଲାପଟପ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ, ଔଷଧ, ସ୍ୱାସ୍ଥ୍ୟ ଉପକରଣ ଇତ୍ୟାଦି ମହଙ୍ଗା ହୋଇଯିବ। ବିଦେଶରେ ପିଲାମାନଙ୍କୁ ପାଠ ପଢ଼ାଇବା ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ହେବା ସଙ୍ଗେ ବିଦେଶ ଭ୍ରମଣ, ଶିଳ୍ପଗୁଡ଼ିକ ଲାଗି ଆମଦାନୀ ହେଉଥିବା ବିଦେଶୀ କଞ୍ଚାମାଲ, ଯନ୍ତ୍ରାଂଶ ଆଦି ମହରଗ ହେବ। ଫଳରେ ଶିଳ୍ପପତିମାନେ ଉତ୍ପାଦନ ହ୍ରାସକରିବାକୁ ନିଷ୍ପତ୍ତି ନେବା ସହ ସମ୍ପ୍ରସାରଣ ଯୋଜନାକୁ ସ୍ଥଗିତ ରଖିବାର ଆଶଙ୍କା ଦେଖାଦେବ। ଏହାର ପ୍ରତିକୂଳ ପ୍ରଭାବ ରୋଜଗାର ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ।
ଟଙ୍କାର ମୂଲ୍ୟରେ ସ୍ଥିରତା ଆଣିବା ଲାଗି ବିଦେଶୀ ମୁଦ୍ରା ପରିଚାଳନା ନୀତିର ପୁନର୍ବିନ୍ୟାସ ଆବଶ୍ୟକ। ସେଥିପାଇଁ ତତ୍ପରତା ପ୍ରଦର୍ଶନ କରିବାକୁ ପଡ଼ିବ। ସେହିପରି ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରି ବାଣିଜ୍ୟ ନିଅଣ୍ଟକୁ କମ କରିବାକୁ ହେବ। ରପ୍ତାନୀ ବୃଦ୍ଧି ପାଇଁ ନୂଆ ବଜାର ଖୋଜିବା ସହ ରପ୍ତାନୀକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ଲାଗି ଉଚିତ ବାଣିଜ୍ୟ ନୀତି ପ୍ରଣୟନ ହେବା ଦରକାର। ଦୁର୍ବଳ ଟଙ୍କା ରପ୍ତାନୀକୁ ପ୍ରୋତ୍ସାହିତ କରୁଥିବାରୁ ତାହା ଅର୍ଥନୀତି ପାଇଁ ଭଲ ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଥାନ୍ତି। କିନ୍ତୁ ବାସ୍ତବତା କିଛି ଭିନ୍ନ। ଭାରତରୁ ପୋଷାକପତ୍ର, ଔଷଧ, ଇଲେକ୍ଟ୍ରୋନିକ ସାମଗ୍ରୀ ଆଦିର ରପ୍ତାନୀ ହେଉଥିଲେ ହେଁ ସେଗୁଡ଼ିକର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଯନ୍ତ୍ରାଂଶ ଆଦିର ସିଂହଭାଗ ବିଦେଶରୁ ଆମଦାନୀ ହୋଇଥାଏ। ତେଣୁ ଏହି ଧରଣର ରପ୍ତାନୀ ସେତେ ଲାଭଜନକ ହୋଇ ନଥାଏ।
୨୦୨୮ ମସିହା ସୁଦ୍ଧା ଭାରତର ଅର୍ଥନୀତିର ଆକାର ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବାର ପୂର୍ବାନୁମାନ କରାଯାଉଥିଲା। ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦ୍ରୁତ ହ୍ରାସ ପାଉଥିବାରୁ ଭାରତର ଏହି ସ୍ୱପ୍ନ ପୂରଣର ସମୟ ସୀମା ୨୦୨୯ ମସିହାକୁ ଘୁଞ୍ଚିଯିବ ବୋଲି ଆଇଏମଏଫ ପୂର୍ବାନୁମାନ କଲାଣି। ଭାରତର ବିଦେଶୀ ମୁଦ୍ରା ପରିଚାଳନା ବ୍ୟବସ୍ଥାର ପୁନର୍ବର୍ଗୀକରଣ କରି ଆଇଏମଏଫ ଏହାକୁ ସ୍ଥିର (ଷ୍ଟାବିଲ୍ଇଜଡ) ବର୍ଗରୁ ‘କ୍ରଲ-ଲାଇକ ପେଗ୍’ ବର୍ଗକୁ ଖସାଇଦେଇଛି, ଅର୍ଥାତ୍ ଟଙ୍କାର ମୂଲ୍ୟ ପୂର୍ଣ୍ଣ ଭାସମାନ (ଫୁଲି ଫ୍ଲୋଟିଂ) ନ ହୋଇ ଏହାକୁ ସ୍ଥିରତା ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଆଶ୍ରା ବାଡ଼ିର ପ୍ରୟୋଜନ ହେଉଛି। ଦେଶର ଅର୍ଥନୀତି ପ୍ରାଣବନ୍ତ ହେବା ଯେତିକି ଜରୁରୀ ଟଙ୍କାର ମୂଲ୍ୟରେ ସ୍ଥିରତା ଆସି ଟଙ୍କା ସୁଦୃଢ଼ ହେବା ତତୋଧିକ ଆବଶ୍ୟକ। ତଦ୍ଦ୍ୱାରା ଟଙ୍କା ପୂର୍ଣ୍ଣ ଭାସମାନ ହେଲେ ଯାଇ ବିଦେଶୀ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରିବ। ତେଣୁ ଟଙ୍କାର ଦୁର୍ବଳତାକୁ ଏଡ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ କରାଯିବା ଉଚିତ।
Published on December 16, 2025 in Sambad
Comments
Post a Comment