Skip to main content

ଚତୁର୍ଥ ବୃହତ୍ ଅର୍ଥନୀତିରେ ଦୁର୍ବଳ ଟଙ୍କା

ଇତିମଧ୍ୟରେ ଭାରତୀୟ ଅର୍ଥନୀତିର ଚଳନ୍ତି ଦୁଃସ୍ଥିତିକୁ ରେଖାଙ୍କିତ କରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏପରି ଦୁଇଟି ଅପ୍ରିୟ ଟିପ୍ପଣୀ ଦେଇଛନ୍ତି, ଯାହା ଉଦବେଗଜନକ।  ସରକାରୀ ଭାବେ ସେପ୍ଟେମ୍ୱର ତ୍ରୈମାସ ବା ଚଉଠ ଲାଗି ଜାରି ହୋଇଥିବା ଜିଡିପି ବୃଦ୍ଧି ହାର ୮.୨ ପ୍ରତିଶତ ଦର୍ଶାଯାଇଛି। ଠିକ୍ ଏତିକିବେଳେ ଆନ୍ତ୍ରର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ତରଫରୁ ଭାରତର ଜାତୀୟ ଆକାଉଣ୍ଟସ ପରିସଂଖ୍ୟାନ ତଥ୍ୟର ନିର୍ଭରଯୋଗ୍ୟତାକୁ ପ୍ରଶ୍ନ କରି ଏହାର ସ୍ତରକୁ ‘ଖ’ ବର୍ଗରୁ ‘ଗ’ ବର୍ଗକୁ ଖସାଇଦିଆଯାଇଛି। କାରଣ ଦର୍ଶାଯାଇଛି ଯେ ଖାଉଟି ଓ ନିଯୁକ୍ତି ଭଳି କେତେକ ପ୍ରସଙ୍ଗରେ ଏବେ ମଧ୍ୟ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇ ତଥ୍ୟ ବ୍ୟବହାର କରାଯାଉଥିବାରୁ ଜିଡିପି ଆକଳନ ତ୍ରୁଟିଶୂନ୍ୟ ହୋଇ ନପାରେ। ଅର୍ଥାତ୍ ଭାରତର ଜିଡିପି ବୃଦ୍ଧି ହାର ଠିକ୍ ନୁହେଁ ବୋଲି ସିଧାସଳଖ କୁହାଯାଇ ନଥିଲେ ବି ପରୋକ୍ଷରେ ସେହି ଇଙ୍ଗିତ ଦିଆଯାଇଛି। ଆଇଏମଏଫର ଦ୍ୱିତୀୟ ଟିପ୍ପଣୀଟି ନିମ୍ନଗାମୀ ଟଙ୍କାର ପ୍ରକୃତ ମୂଲ୍ୟକୁ ନେଇ। ଡିସେମ୍ୱର ୩ ତାରିଖରେ ଡଲାର ପିଛା ଟଙ୍କାର ମୂଲ୍ୟ ପ୍ରଥମ ଥର ଲାଗି ୯୦ ଟଙ୍କାର ସୀମାକୁ ଟପିଯାଇଥିଲା। ଟଙ୍କାର ଏଭଳି ମୂଲ୍ୟ ହ୍ରାସ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।  ଅବଶ୍ୟ ଏଥି ପୂର୍ବରୁ ଆଇଏମଏଫ ତାଙ୍କ ଟିପ୍ପଣୀରେ ଉଲେଖ କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଝିରେ ମଝିରେ ମୁଦ୍ରା ବଜାରରେ ହସ୍ତକ୍ଷେପ କରୁ ନଥିଲେ ଟଙ୍କାର ମୂଲ୍ୟ ହୁଏତ ଆହୁରି ତଳକୁ ଖସନ୍ତାଣି। ଗୋଟିଏ ପଟେ ଜିଡିପି ଅଭିବୃଦ୍ଧି ହୋଇ ଭାରତ ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେଲା ବେଳକୁ ଟଙ୍କା ସବଳ ନ ହୋଇ ଦୁର୍ବଳ ହେବା ଅନେକଙ୍କୁ ଆଚମ୍ୱିତ କରିଛି। ୨୦୨୫ ମସିହାର ଆରମ୍ଭରେ ଡଲାର ପିଛା ଟଙ୍କାର ମୂଲ୍ୟ ୮୫.୨୨ ଟଙ୍କା ଥିଲା, ଯାହାର ଅର୍ଥ ବର୍ଷକ ଭିତରେ ତାହା ପ୍ରାୟ ୫ ଟଙ୍କା ହ୍ରାସ ପାଇସାରିଲାଣି। ଟଙ୍କାର ଏହି ଦ୍ରୁତ ଅବମୂଲ୍ୟାୟନ ପଛର କାରଣଗୁଡ଼ିକ ବୁଝିବାର ଆବଶ୍ୟକତା ରହିଛି।

ଟଙ୍କାର ମୂଲ୍ୟ ହ୍ରାସ ପଛର ଦୁଇଟି ମୁଖ୍ୟ କାରଣ ହେଉଛି ବିପୁଳ ପରିମାଣରେ ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହେବା ଓ ବାଣିଜ୍ୟ ନିଅଣ୍ଟ ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବା। ସେହିପରି ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜିର ପ୍ରବାହ ହ୍ରାସ ପାଇବା ମଧ୍ୟ ଅନ୍ୟତମ କାରଣ। । ଟ୍ରମ୍ପ ସରକାର ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଯିବା ପରେ ଭାରତରୁ ଆମେରିକାକୁ ରପ୍ତାନୀ ହ୍ରାସ ପାଇଲା। ପୁନଶ୍ଚ ଟଙ୍କାର ମୂଲ୍ୟରେ ଅସ୍ଥିରତା ଦେଖା ଦେଇ ତାହା ନିମ୍ନଗାମୀ ହେବା ଯୋଗୁଁ ଟଙ୍କା ଦୁର୍ବଳ ହେଲା ଏବଂ ତା’ ସହିତ ବିଦେଶୀ ପୁଞ୍ଜି ନିବେଶକଙ୍କ ବିଶ୍ୱାସ ଦୋହଲି ଗଲା। ଫଳରେ କେବଳ ଡିସେମ୍ୱର ମାସର ପ୍ରଥମ ସପ୍ତାହରେ ୧୧,୮୨୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହୋଇଥିବା ବେଳେ ୨୦୨୫ ମସିହାରେ ଏ ପର୍ଯ୍ୟନ୍ତ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଦେଶୀ ପୁଞ୍ଜି ଭାରତରୁ ଚାଲି ଯାଇ ସାରିଲାଣି। ଏହି ପୁଞ୍ଜି ପ୍ରତ୍ୟାହାରର ସବୁଠାରୁ ବଡ଼ କାରଣ ହେଉଛି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପାଦିତ ହେବାରେ ଅହେତୁକ ବିଳମ୍ୱ ଘଟିବା। ଟ୍ରମ୍ପ ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପରେ ମନେ ହେଉଥିଲା ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ହେତୁ ସମ୍ଭବତଃ ଏହି ଚୁକ୍ତି ଖୁବ୍ ଶୀଘ୍ର ସମ୍ପାଦିତ ହେବ। କିନ୍ତୁ ଇତିମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ବୃଦ୍ଧି ଓ ଅନ୍ୟାନ୍ୟ କାରଣରୁ ସେହି ଆଶା ଏକପ୍ରକାର ମଉଳିଯାଇଛି। ଭାରତର ଉନ୍ନତ ଜିଡିପି ଅଭିବୃଦ୍ଧି ସତ୍ତ୍ୱେ ନିବେଶକମାନେ ଏଠାରେ ପୁଞ୍ଜି ଲଗାଣକୁ ବିପଦସଙ୍କୁଳ ମନେ କରୁଛନ୍ତି। ଫଳରେ ପୁଞ୍ଜି ଲଗାଣକାରୀଙ୍କ ଉତ୍ସାହରେ ଶିଥିଳତା ଦେଖା ଦେଇ ଦେଶରୁ ବିପୁଳ ପରିମାଣରେ ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହେଉଛି। ପୁନଶ୍ଚ ‘ମୋର୍ଗାନ ଷ୍ଟାନଲି କ୍ୟାପିଟାଲ ଇଣ୍ଟରନ୍ୟାସନାଲ’ ଦ୍ୱାରା ପ୍ରସ୍ତୁତ ଏମ.ଏସ.ସି.ଆଇ. ସୂଚକାଙ୍କ ଅନୁଯାୟୀ ସେକେଣ୍ଡାରୀ ମାର୍କେଟ ବା ମାଧ୍ୟମିକ ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ଅଂଶଧନର ମୂଲ୍ୟ ସେମାନଙ୍କ ଆୟ ତୁଳନାରେ ଏତେ ଅଧିକ ହୋଇଯାଇଛି ଯେ ବିଦେଶୀ ପୁଞ୍ଜି ନିବେଶକଙ୍କ ଲାଗି ଏଠାକାର ସେକେଣ୍ଡାରୀ ମାର୍କେଟରେ ନିବେଶ ଅନାକର୍ଷଣୀୟ ଓ ବିପଦସଙ୍କୁଳ ହୋଇପଡ଼ିଛି। ସେଥିପାଇଁ ସେମାନେ ଏଠାରୁ ପୁଞ୍ଜି ପ୍ରତ୍ୟାହାର କରି ଅନ୍ୟ ଆକର୍ଷଣୀୟ ବଜାରକୁ ନେଇଯାଉଛନ୍ତି। ପ୍ରତ୍ୟାହୃତ ବିଦେଶୀ ପୁଞ୍ଜିର ଏକ ବଡ଼ ଅଂଶ ଚୀନରେ ନିବେଶ ହେଉଛି। ‘ଆଇ.ସି.ଆଇ.ସି.ଆଇ. ଡାଇରେକ୍ଟ’ର ଏକ ରିପୋର୍ଟ ଅନୁଯାୟୀ ଭାରତ ତୁଳନାରେ ଚୀନ କମ୍ପାନୀଗୁଡ଼ିକର ଅଂଶଧନର ମୂଲ୍ୟ କମ ହୋଇଥିବାରୁ ସେଠାରେ  ପୁଞ୍ଜି ନିବେଶ ଅଧିକ ଲାଭପ୍ରଦ ମନେ ହେଉଛି। ପ୍ରତ୍ୟାହୃତ ବିଦେଶୀ ପୁଞ୍ଜିର କିଛି ଅଂଶ ହଂକଂ, ଦକ୍ଷିଣ କୋରିଆ, ତାଇୱାନ ଭଳି ଦେଶରେ ମଧ୍ୟ ବିନିଯୁକ୍ତ ହୋଇଛି। ଏଥି ସହିତ ଆମେରିକା ଫେଡେରାଲ ରିଜର୍ଭର ସୁଧ ହାରକୁ ଉଚ୍ଚ ରଖିବାର ନୀତି ଯୋଗୁ କିଛି ପୁଞ୍ଜି ଆମେରିକାରେ ନିବେଶ ଲାଗି ଫେରିଛି। ଭାରତରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ହେବାର ଅନ୍ୟ ଏକ କାରଣ ହେଉଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ (ଏଆଇ) ବା କୃତ୍ରିମ ବିଦ୍ୱତା କ୍ଷେତ୍ରରେ ଭାରତ ଏ ଯାଏଁ ନିଜକୁ ଏକ ଅଗ୍ରଣୀ ଦେଶ ଭାବେ ଅବସ୍ଥାପିତ କରିପାରିନାହିଁ। ‘ଗ୍ଲୋବାଲ ଏ.ଆଇ. ସୂଚକାଙ୍କ’ ଅନୁଯାୟୀ ଆମେରିକା, ଚୀନ, ସିଙ୍ଗାପୁର, ବ୍ରିଟେନ, ଫ୍ରାନ୍ସ, ଦକ୍ଷିଣ କୋରିଆ ଅଗ୍ରଣୀ ଦେଶ ଭାବେ ଉଭା ହୋଇଥିବା ବେଳେ ଭାରତ ଦଶମ ସ୍ଥାନରେ ରହିଛି। ପୁଞ୍ଜି ନିବେଶକଙ୍କ ଲାଗି ଏ.ଆଇ. ଏକ ଆକର୍ଷଣୀୟ ସୂର୍ଯ୍ୟୋଦୟ କ୍ଷେତ୍ର ହୋଇଥିବାରୁ ଏହି କ୍ଷେତ୍ରରେ ଅଗ୍ରଣୀ ଦେଶଗୁଡ଼ିକୁ ପୁଞ୍ଜି ପ୍ରବାହ ବଢ଼ିବା ସ୍ୱାଭାବିକ। ଏ ସବୁ ସତ୍ତ୍ୱେ ବିଦେଶୀ ପୁଞ୍ଜି ନିବେଶକଙ୍କ ଲାଗି ଏବେ ମଧ୍ୟ ଭାରତର ପ୍ରାଥମିକ  ବଜାର (ଆଇପିଓ) ଓ ଋଣ ବଜାର (ଡେଟ ମାର୍କେଟ) ଆକର୍ଷଣୀୟ ହୋଇରହିଥିବାରୁ ସେକେଣ୍ଡାରୀ ମାର୍କେଟରୁ ପ୍ରତ୍ୟାହୃତ କିଛି ରାଶି ଏଥିରେ ନିବେଶ ହେଉଛି।

ଏଇ ବର୍ଷ ପ୍ରାୟ ପ୍ରତିମାସ ନିୟମିତ ଭାବେ ବୃଦ୍ଧି ପାଇ ଚାଲିଥିବା ବାଣିଜ୍ୟ ନିଅଣ୍ଟ ଅକ୍ଟୋବର ମାସରେ ସର୍ବାଧିକ ୪୧୭୦ କୋଟି ଡଲାର ବା ପ୍ରାୟ ୩.୭୧ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସରେ ବାଣିଜ୍ୟ ନିଅଣ୍ଟର ପରିମାଣ ଥିଲା ୨,୬୨୦ କୋଟି ଡଲାର ବା ପ୍ରାୟ ୨.୨୦ ଲକ୍ଷ କୋଟି ଟଙ୍କା। ଏହାର ମୁଖ୍ୟ କାରଣ ହେଉଛି ଏହି ସମୟରେ ସାମଗ୍ରୀ ଆମଦାନୀର ପରିମାଣରେ ପ୍ରାୟ ୧୬.୬ ପ୍ରତିଶତ ବୃଦ୍ଧି ପାଇ ତାହା ୭,୬୧୦ କୋଟି ଡଲାର ହୋଇଥିବା ବେଳେ ରପ୍ତାନୀର ପରିମାଣ ହ୍ରାସ ପାଇ ୩,୪୪୦ କୋଟି ଡଲାର ହୋଇଥିଲା। ପାରମ୍ପରିକ ଭାବେ ଆମେରିକାକୁ ସର୍ବାଧିକ ପରିମାଣର ରପ୍ତାନୀ ହେଉଥିବା ବେଳେ ଏହି ସମୟ ମଧ୍ୟରେ ଆମେରିକାକୁ ରପ୍ତାନୀରେ ୮.୬ ପ୍ରତିଶତ ହ୍ରାସ ଘଟିଛି। ରତ୍ପାନୀ ବୃଦ୍ଧି ଲାଗି ନୂଆ ବଜାର ସ୍ଥିର ହୋଇପାରିନାହିଁ। ଭାରତକୁ ହେଉଥିବା ଆମଦାନୀର ପ୍ରାୟ ୪୦ ପ୍ରତିଶତ ଅଧିକାର କରନ୍ତି ଅଶୋଧିତ ତେଲ, ସୁନାଗହଣା, ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ। ତାହା ହ୍ରାସ ନ ପାଇଲେ ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବା ଅସମ୍ଭବ। ତେଣୁ ଶକ୍ତି କ୍ଷେତ୍ରରେ ଦେଶକୁ ଯଥାଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ସେମିତି ସୁନାଗହଣାର ଆମଦାନୀକୁ ହ୍ରାସ କରିବାକୁ ହେବ। ଇତିମଧ୍ୟରେ ଗତ କିଛି ମାସ ଧରି ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜି ପ୍ରବାହ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାରରେ ସଂକୋଚନ ଘଟୁଛି। ନଭେମ୍ୱର ମାସରେ ଏହାର ପରିମାଣ ୬୮,୬୦୦ କୋଟି ଡଲାରକୁ ହ୍ରାସ ପାଇଛି।              

ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲେ ହେଁ ଅନ୍ୟ ଅନେକ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ଭଲ ରହିଥିଲା। ତେବେ ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ସହ ଇଉରୋ, ପାଉଣ୍ଡ ଓ ଅନ୍ୟ ବିଦେଶୀ ମୁଦ୍ରା ତୁଳନାରେ ବି ହ୍ରାସ ପାଇଛି। ବସ୍ତୁତଃ ଟଙ୍କାର ମୂଲ୍ୟ ଏସୀୟ ମହାଦେଶର ମୁଦ୍ରାଗୁଡ଼ିକ ମଧ୍ୟରେ ସର୍ବନିମ୍ନ ପ୍ରଦର୍ଶନକାରୀ ମୁଦ୍ରାରେ ପରିଣତ ହେବା ଚିନ୍ତାଜନକ। ଉଲ୍ଲେଖଯୋଗ୍ୟ ଯେ ଟଙ୍କାର ମୂଲ୍ୟର ୫ ପ୍ରତିଶତ ହ୍ରାସ ପାଇବାର ଅର୍ଥ ଦରବୃଦ୍ଧି, ଯଦ୍ଦ୍ୱାରା ମୁଦ୍ରାସ୍ଫୀତି ୦.୩୫ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେବ।

କମ୍ପାନୀଗୁଡ଼ିକର ବାହ୍ୟ ଋଣ ସମେତ ଦେଶର ମୋଟ ବାହ୍ୟ ଋଣର ପରିମାଣ ୨୦୨୫ ମସିହା ଜୁନ ମାସ ସୁଦ୍ଧା  ୭୪,୭୨୦ କୋଟି ଡଲାର ବା ୬୭.୨ ଲକ୍ଷ କୋଟି ଟଙ୍କାରେ ପଦଞ୍ଚିଲାଣି। ଏଥିମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ବା ୪୧,୦୦୦ କୋଟି ଡଲାର ଋଣ ଡଲାର ଆକାରରେ ନିଆଯାଇଥିବାରୁ ତାକୁ ଡଲାର ଆକାରରେ ହିଁ ପରିଶୋଧ କରିବାକୁ ହେବ। ଫଳରେ ସୁଧ ହାର ସମାନ ରହିଲେ ବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କାରଣଋୁ ଋଣ କିସ୍ତିର ପରିଶୋଧ ବାବଦକୁ ବିପୁଳ ପରିମାଣ ଅତିରିକ୍ତ ଅର୍ଥର ପ୍ରାବଧାନ କରିବାକୁ ହେବ। ଫଳରେ ସମାଜ ମଙ୍ଗଳ ଓ ବିକାଶମୂଳକ କାର‌୍ୟ୍ୟ ବାଧିତ ହେବାର ଆଶଙ୍କା ଦେଖାଦେଇପାରେ। ସେହିପରି କମ୍ପାନୀଗୁଡ଼ିକୁ ବିଦେଶୀ ଋଣର କିସ୍ତି ପରିଶୋଧ ଲାଗି ଅଧିକ ଅର୍ଥର ପ୍ରାବଧାନ କରିବାକୁ ହେବ ଯଦ୍ଦ୍ୱାରା ସେଗୁଡ଼ିକର ଲାଭ ପ୍ରଭାବିତ ହୋଇପାରେ।          

ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ସାଧାରଣ ଖାଉଟି ଓ ପରିବାରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଦେଶରେ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୮ ପ୍ରତିଶତ ବିଦେଶରୁ ଆମଦାନୀ ହେଉଥିବାରୁ ତୈଳର ଦରବୃଦ୍ଧି ହେବ, ଯଦ୍ଦ୍ୱାରା ପରିବହନ, ଖାଦ୍ୟଯୋଗାଣର ଖର୍ଚ୍ଚ ବଢ଼ିବ, ଯାହା ଦର ବୃଦ୍ଧି ଘଟାଇବ। ଏହି କାରଣରୁ ଡଲାର ମୂଲ୍ୟରେ ବିଦେଶରୁ ଆମଦାନୀ ହେଉଥିବା ସ୍ମାର୍ଟ ଫୋନ, ଲାପଟପ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ, ଔଷଧ, ସ୍ୱାସ୍ଥ୍ୟ ଉପକରଣ ଇତ୍ୟାଦି ମହଙ୍ଗା ହୋଇଯିବ। ବିଦେଶରେ ପିଲାମାନଙ୍କୁ ପାଠ ପଢ଼ାଇବା ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ହେବା ସଙ୍ଗେ ବିଦେଶ ଭ୍ରମଣ, ଶିଳ୍ପଗୁଡ଼ିକ ଲାଗି ଆମଦାନୀ ହେଉଥିବା ବିଦେଶୀ କଞ୍ଚାମାଲ, ଯନ୍ତ୍ରାଂଶ ଆଦି ମହରଗ ହେବ। ଫଳରେ ଶିଳ୍ପପତିମାନେ ଉତ୍ପାଦନ ହ୍ରାସକରିବାକୁ ନିଷ୍ପତ୍ତି ନେବା ସହ ସମ୍ପ୍ରସାରଣ ଯୋଜନାକୁ ସ୍ଥଗିତ ରଖିବାର ଆଶଙ୍କା ଦେଖାଦେବ। ଏହାର ପ୍ରତିକୂଳ ପ୍ରଭାବ ରୋଜଗାର ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରେ।

ଟଙ୍କାର ମୂଲ୍ୟରେ ସ୍ଥିରତା ଆଣିବା ଲାଗି ବିଦେଶୀ ମୁଦ୍ରା ପରିଚାଳନା ନୀତିର ପୁନର୍ବିନ୍ୟାସ ଆବଶ୍ୟକ। ସେଥିପାଇଁ ତତ୍ପରତା ପ୍ରଦର୍ଶନ କରିବାକୁ ପଡ଼ିବ। ସେହିପରି ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରି ବାଣିଜ୍ୟ ନିଅଣ୍ଟକୁ କମ କରିବାକୁ ହେବ। ରପ୍ତାନୀ ବୃଦ୍ଧି ପାଇଁ ନୂଆ ବଜାର ଖୋଜିବା ସହ ରପ୍ତାନୀକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ଲାଗି ଉଚିତ ବାଣିଜ୍ୟ ନୀତି ପ୍ରଣୟନ ହେବା ଦରକାର। ଦୁର୍ବଳ ଟଙ୍କା ରପ୍ତାନୀକୁ ପ୍ରୋତ୍ସାହିତ କରୁଥିବାରୁ ତାହା ଅର୍ଥନୀତି ପାଇଁ ଭଲ ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଥାନ୍ତି। କିନ୍ତୁ ବାସ୍ତବତା କିଛି ଭିନ୍ନ। ଭାରତରୁ ପୋଷାକପତ୍ର, ଔଷଧ, ଇଲେକ୍ଟ୍ରୋନିକ ସାମଗ୍ରୀ ଆଦିର ରପ୍ତାନୀ ହେଉଥିଲେ ହେଁ ସେଗୁଡ଼ିକର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଯନ୍ତ୍ରାଂଶ ଆଦିର ସିଂହଭାଗ  ବିଦେଶରୁ ଆମଦାନୀ ହୋଇଥାଏ। ତେଣୁ ଏହି ଧରଣର ରପ୍ତାନୀ ସେତେ ଲାଭଜନକ ହୋଇ ନଥାଏ।                    

୨୦୨୮ ମସିହା ସୁଦ୍ଧା ଭାରତର ଅର୍ଥନୀତିର ଆକାର ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବାର ପୂର୍ବାନୁମାନ କରାଯାଉଥିଲା। ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦ୍ରୁତ ହ୍ରାସ ପାଉଥିବାରୁ  ଭାରତର ଏହି ସ୍ୱପ୍ନ ପୂରଣର ସମୟ ସୀମା ୨୦୨୯ ମସିହାକୁ ଘୁଞ୍ଚିଯିବ ବୋଲି ଆଇଏମଏଫ ପୂର୍ବାନୁମାନ କଲାଣି। ଭାରତର ବିଦେଶୀ ମୁଦ୍ରା ପରିଚାଳନା ବ୍ୟବସ୍ଥାର ପୁନର୍ବର୍ଗୀକରଣ କରି ଆଇଏମଏଫ ଏହାକୁ ସ୍ଥିର (ଷ୍ଟାବିଲ୍ଇଜଡ) ବର୍ଗରୁ ‘କ୍ରଲ-ଲାଇକ ପେଗ୍’ ବର୍ଗକୁ ଖସାଇଦେଇଛି, ଅର୍ଥାତ୍ ଟଙ୍କାର ମୂଲ୍ୟ ପୂର୍ଣ୍ଣ ଭାସମାନ (ଫୁଲି ଫ୍ଲୋଟିଂ) ନ ହୋଇ ଏହାକୁ ସ୍ଥିରତା ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଆଶ୍ରା ବାଡ଼ିର ପ୍ରୟୋଜନ ହେଉଛି। ଦେଶର ଅର୍ଥନୀତି ପ୍ରାଣବନ୍ତ ହେବା ଯେତିକି ଜରୁରୀ ଟଙ୍କାର ମୂଲ୍ୟରେ ସ୍ଥିରତା ଆସି ଟଙ୍କା ସୁଦୃଢ଼  ହେବା ତତୋଧିକ ଆବଶ୍ୟକ। ତଦ୍ଦ୍ୱାରା ଟଙ୍କା ପୂର୍ଣ୍ଣ ଭାସମାନ ହେଲେ ଯାଇ ବିଦେଶୀ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରିବ। ତେଣୁ ଟଙ୍କାର ଦୁର୍ବଳତାକୁ ଏଡ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ କରାଯିବା ଉଚିତ।      


Published on December 16, 2025 in Sambad



Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...