Skip to main content

ମାଂସାହାର କମାନ୍ତୁ, ଦେହଦୁନିଆ ବଞ୍ଚାନ୍ତୁ

ଗତ ୩୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମାଂସ ଭକ୍ଷଣର ପରିମାଣ ଦୁଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ତାହା ୩୬ କୋଟି ଟନରେ ପହଞ୍ଚି ସାରିଲାଣି । ଏହି ହାରରେ ମାଂସ ଭକ୍ଷଣ ଜାରି ରହିଲେ ୨୦୫୦ ସୁଦ୍ଧା ମାଂସର ଚାହିଦା ପ୍ରାୟ ୫୭ କୋଟି ଟନକୁ ବୃଦ୍ଧି ପାଇବ । ସେଥିପାଇଁ ଶିଳ୍ପ ଢ଼ାଞ୍ଚାରେ ସଘନ ମାଂସ ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେବ । ସଘନ ମାଂସ ଉତ୍ପାଦନ ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ, ଜଳ ପ୍ରଦୂଷିତ ହେଉଛି ଓ ପୃଥିବୀ ଅଧିକ ଉତ୍ତପ୍ତ ହେଉଥିବାରୁ ତାହା ଉଦବେଗର କାରଣ ପାଲଟିଛି । ଆମେରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନିଉଜିଲାଣ୍ଡ, ସ୍ପେନ ଭଳି ଦେଶଗୁଡ଼ିକରେ ବାର୍ଷିକ ମାଂସାହାର ମୁଣ୍ଡ ପିଛା ୧୦୦ କିଲୋଗ୍ରାମରୁ ମଧ୍ୟ ଅଧିକ । ଅବଶ୍ୟ ଭାରତରେ ତାହା ମାତ୍ର ୬.୮୨ କିଲୋଗ୍ରାମ ହୋଇଥିଲେ ବି ଅଧିକ ସଂଖ୍ୟକ ବ୍ୟକ୍ତି ମାଂସାହାରୀ ହେଉଥିବାରୁ ଏଠାରେ ମାଂସ ଭକ୍ଷଣର ପରିମାଣରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ତେଣୁ ମାଂସ ଭକ୍ଷଣର ପରିମାଣକୁ ହ୍ରାସ କରିବା ପାଇଁ ସାରା ବିଶ୍ୱରେ ବିମର୍ଶ ବୃଦ୍ଧି ପାଇବାକୁ ଲାଗିଲାଣି ।

ମାଂସାହାର ହ୍ରାସ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ପ୍ରକୃତପକ୍ଷେ ଉଭୟ ମଣିଷ ଓ ପୃଥିବୀର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ । ଆମେରିକା ଭଳି ଦେଶରେ ଲୋକମାନେ ଅନୁମୋଦିତ ପରିମାଣଠାରୁ ୩ରୁ ୬ ଗୁଣ ଅଧିକ ମାଂସ ଭକ୍ଷଣ କରିଥାନ୍ତି । ଅତିମାତ୍ରାରେ ମାଂସ ଭକ୍ଷଣ କରୁଥିବା ଲୋକମାନେ ହୃଦରୋଗ, କର୍କଟ, ମଧୁମେହ ଆଦି ରୋଗର ଶିକାର ହୋଇଥାନ୍ତି । ବିଶେଷକରି ଶିଳ୍ପ ଢ଼ାଞ୍ଚାରେ ଉତ୍ପାଦିତ ମାଂସ ଭକ୍ଷଣର ଅତ୍ୟଧିକ କୁପ୍ରଭାବ ମଣିଷର ଶରୀର ଉପରେ ପଡ଼ିଥାଏ । ଉଦାହରଣ ସ୍ୱରୂପ ଏଭଳି ମାଂସ ଉତ୍ପାଦନ ପାଇଁ ପ୍ରଚୁର ପରିମାଣରେ ଆଣ୍ଟିବାଇଓଟିକର ବ୍ୟବହାର ହେଉଥିବାରୁ ତାହାର ଭକ୍ଷଣ ଦ୍ୱାରା ମଣିଷଠାରେ ଆଣ୍ଟିବାଇଓଟିକ ନିରୋଧ କ୍ଷମତା ବୃଦ୍ଧି ପାଇଥାଏ, ଯାହା ବିପଜ୍ଜନକ ହୋଇପାରେ । ସେହିପରି ମାଂସ ଉତ୍ପାଦନର ପରିବେଶ ଉପରେ ମଧ୍ୟ ମନ୍ଦ ପ୍ରଭାବ ପଡ଼ିଥାଏ । ପଶୁ ଖାଦ୍ୟ ଉତ୍ପାଦନ ପାଇଁ ଅତ୍ୟଧିକ ସମ୍ୱଳର ଆବଶ୍ୟକତା ହୋଇଥାଏ । ଯେମିତି ବିଶ୍ୱର ପ୍ରାୟ ୨୨ ପ୍ରତିଶତ ମଧୁର ଜଳ କେବଳ ମାଂସ ଉତ୍ପାଦନ ପାଇଁ ପରୋକ୍ଷ ଭାବେ ବିନିଯୋଗ ହେଉଥିବା ବେଳେ ୮୩ ପ୍ରତିଶତ ଚାଷ ଜମି ପଶୁ- କୃଷି (ଆନିମାଲ ଏଗ୍ରିକଲଚର) ପାଇଁ ବିନିଯୋଗ ହେଉଥିବା ଜଣାପଡ଼଼େ । ତା’ଛଡ଼ା ଗୋଟିଏ ସ୍ଥାନରେ ଶହ ଶହ ସଂଖ୍ୟାରେ ପଶୁଙ୍କୁ ଏକତ୍ରିତ ଭାବେ ରଖାଯାଉଥିବାରୁ ତାହା ଜଳ ପ୍ରଦୂଷଣର ମଧ୍ୟ ଏକ ବଡ଼ କାରଣ ପାଲଟିଥାଏ । ଏହା ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ । ପଶୁଙ୍କୁ ଖାଦ୍ୟ ଓ ଚାରା ଯୋଗାଇବା ପାଇଁ ଜଙ୍ଗଲ କାଟି ସଫା କରାଯାଉଥିବାରୁ ଏହା ଜଙ୍ଗଲ ଅବକ୍ଷୟର ଏକ ବଡ଼ କାରଣ । ଏହା ଜୈବ ବିବିଧତା ବିଲୁପ୍ତିର କାରଣ ହେବା ସହ ସବୁଜ କୋଠରୀ ଗ୍ୟାସ (ଜିଏଚଜି) ନିର୍ଗମନର ସବୁଠୁ ବଡ଼ କାରଣ ହୋଇଥାଏ, ଯଦ୍ଦ୍ୱାରା ଜଳବାୟୁ ପରିବର୍ତ୍ତନ ସମସ୍ୟା ଅଧିକ ଜଟିଳ ହୋଇଥାଏ । ତେବେ ମାଂସାହାର ହ୍ରାସ କରିବା ସପକ୍ଷରେ ଥିବା ଲୋକମାନେ ମୁଖ୍ୟତଃ ଚାରିଟି କାରଣରୁ ଏହାର ସମର୍ଥନ କରୁଛନ୍ତି – ସ୍ୱାସ୍ଥ୍ୟଗତ, ପଶୁମଙ୍ଗଳ, ପରିବେଶ ସୁରକ୍ଷା, ମାଂସର ବର୍ଦ୍ଧିତ ଦାମ ।     

ଗ୍ରୀକ୍ ଦାର୍ଶନିକ ପିଥାଗୋରାସଙ୍କୁ ‘ନୈତିକ ନିରାମିଷବାଦ’ର ଆଦ୍ୟ ପ୍ରବର୍ତ୍ତକ ଭାବେ ଗ୍ରହଣ କରାଯାଇଥାଏ । ଖ୍ରୀଷ୍ଟ ପୂର୍ବ ୫୮୦ରେ ଜନ୍ମିତ ଏହି ପ୍ରସିଦ୍ଧ ଗଣିତଜ୍ଞଙ୍କ ଅନୁସାରେ ମଣିଷ ତଥା ସମସ୍ତ ଜୀବଜନ୍ତୁଙ୍କର ଆତ୍ମା ଅଛି ଯାହା ନଶ୍ୱର । ମୃତ୍ୟୁ ପରେ ତାହା ଅନ୍ୟ ଶରୀର ମାଧ୍ୟମରେ ପୁନର୍ଜନ୍ମ ଗ୍ରହଣ କରିଥାଏ । ପରବର୍ତ୍ତୀ ଜନ୍ମରେ ମଣିଷ ପଶୁ ହୋଇ ଜନ୍ମ ଗ୍ରହଣ କରୁଥିଲା ବେଳେ ପଶୁମାନେ ମଣିଷ ରୂପେ ଜନ୍ମ ଗ୍ରହଣ କରିପାରନ୍ତି । ମଣିଷ ଅନ୍ୟ ଜୀବଜନ୍ତୁଙ୍କୁ ମାରି ଖାଇବା ଅର୍ଥ ଆତ୍ମାକୁ କଦାକାର କରିବା ଓ ସେହି ଆତ୍ମାକୁ ଉଚ୍ଚତର ସ୍ତରରେ ବିଲୀନ କରିବାରେ ବାଧା ଉତ୍ପନ୍ନ କରିବା । ମାଂସ ଖାଇବା କେବଳ ଯେ ସ୍ୱାସ୍ଥ୍ୟ ପକ୍ଷରେ ଅହିତକର ତାହା ନୁହେଁ, ଏହା ମଣିଷଠାରେ ହିଂସ୍ର ପ୍ରବୃତ୍ତିର ବିକାଶ କରି ପରସ୍ପର ବିରୁଦ୍ଧରେ ଲଢ଼ିବାର ମାନସିକତା ସୃଷ୍ଟି କରାଇଥାଏ । ସେଥିପାଇଁ ସେ ନିଜେ ମାଂସ ଖାଉ ନଥିଲେ ଓ ଅନ୍ୟମାନଙ୍କୁ ମାଂସ ଖାଇବାରୁ ନିବୃତ୍ତ ରହିବାକୁ ପ୍ରବର୍ତ୍ତାଉ ଥିଲେ । ଭାରତରେ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମଗୁଡ଼ିକରେ ‘ଜୀବେ ଦୟା’ର କଥା କୁହାଯାଇଛି, ଯାହା ପରୋକ୍ଷରେ ନିରାମିଷବାଦର ପ୍ରସାର କରିଥାନ୍ତି । ଭାରତ ଭଳି ବିଶ୍ୱର କେତେକ ଦେଶରେ ପ୍ରଚଳିତ ସାଂସ୍କୃତିକ ବା ଧାର୍ମିକ ପରମ୍ପରା ଯୋଗୁଁ ନିରାମିଷବାଦ ସେଠାରେ ତାର ସ୍ଥିତିକୁ ସୁଦୃଢ଼ କରିବାକୁ ସମର୍ଥ ହୋଇଛି । ଅନ୍ୟ ପକ୍ଷରେ ଅନ୍ୟ କେତେକ ଦେଶରେ ପଶୁ ଅଧିକାର, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟଗତ ଚିନ୍ତା ଆଦି ନିରାମିଷବାଦ ସପକ୍ଷରେ ଜନମତକୁ ପ୍ରବଳ କରିବା ଦିଗରେ ସହାୟକ ହେଉଛନ୍ତି ।    

ବ୍ରିଟେନସ୍ଥିତ ‘ଇନଷ୍ଟିଚ୍ୟୁଟ ଅଫ୍ ମେକାନିକାଲ ଇଞ୍ଜିନିଅର୍ସ’ର ତଥ୍ୟ ଅନୁଯାୟୀ ୧ କେଜି ଗୋମାଂସ (ବିଫ୍) ପ୍ରସ୍ତୁତ କରିବା ପାଇଁ  ୧୫୪୧୫ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ଛେଳି ଓ ମେଣ୍ଢା ମାଂସ ଏବଂ ଘୁଷୁରି ମାଂସ ୧ କେଜି ପ୍ରସ୍ତୁତ କରିବା ପାଇଁ ଯଥାକ୍ରମେ ୧୦୪୧୨ ଲିଟର ଓ ୫୯୮୮ ଲିଟର ଜଳ ଆବଶ୍ୟକ ହୋଇଥାଏ । ସେହିପରି ଗୋଟିଏ କେଜି କୁକୁଡ଼ା ମାଂସ ପ୍ରସ୍ତୁତି ପାଇଁ ୪୩୨୫ ଲିଟର ଜଳ ଆବଶ୍ୟକ ହୋଇଥାଏ । ଅର୍ଥାତ୍ ମାଂସ ଉତ୍ପାଦନ ପାଇଁ ପ୍ରଚୁର ପରିମାଣରେ ଜଳର ଆବଶ୍ୟକତା ହେଉଥିବା ବେଳେ ସମ ପରିମାଣର କୃଷିଜାତ ନିରାମିଷ ଖାଦ୍ୟ ପ୍ରସ୍ତୁତି ପାଇଁ ମାତ୍ର ୨୦୦ରୁ ୨୫୦୦ ଲିଟର ଜଳ ଆବଶ୍ୟକ ହୋଇଥାଏ । ତେଣୁ ମାଂସାହାର ଯେତେ ଅଧିକ ହେବ ଜଳର ଆବଶ୍ୟକତା ସେତେ ଅଧିକ ବଢ଼ିବ । ଜନସାଧାରଣଙ୍କୁ ମାଂସ ବର୍ଜିତ ଆହାର ପ୍ରତି ଆକୃଷ୍ଟ କରିବା ପାଇଁ ୨୦୦୩ ମସିହାରେ ଏକ ‘ମିଟଲେସ୍ ମନଡ଼େ’ (ମାଂସ ବର୍ଜିତ ସୋମବାର) ଅଭିଯାନର ଆରମ୍ଭ କରାଗଲା । ଏହାକୁ ବିଜ୍ଞାପନ ଦୁନିଆର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ ସିଡନି ଲର୍ନରଙ୍କ ପ୍ରତିଷ୍ଠିତ’ ମନଡେ କ୍ୟାମ୍ପେନ ଇଙ୍କ’ ଦ୍ୱାରା ‘ହପକିନସ୍ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲଥ ସେଣ୍ଟର ଫର ଏ ଲିଭେବଲ୍ ଫ୍ୟୁଚର’ ସହାୟତାରେ ଆରମ୍ଭ କରାଗଲା । ତେବେ ଏହାର ଇତିହାସ ଖୋଜିବାକୁ ଗଲେ ତାହା ପ୍ରଥମ ବିଶ୍ୱଯୁଦ୍ଧ ସମୟର ବୋଲି ଜଣାପଡ଼଼େ । ସେତେବେଳେ ଉତ୍କଟ ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ ଏକ ଘୋଷଣାନାମା ଜାରି କଲେ ଯଦନୁଯାୟୀ ସେ ମଙ୍ଗଳବାର ଦିନ ମାଂସ ନ ଖାଇବାକୁ ଓ ଅନ୍ୟ ଦିନଗୁଡ଼ିକରେ ଗୋଟିଏ ଓଳି ମାଂସ ନ ଖାଇବାକୁ ଆହ୍ୱାନ ଜଣାଇଲେ । ଯୁଦ୍ଧ ପରିପ୍ରେକ୍ଷୀରେ ୟୁଏସ ଫୁଡ଼ ଆଡମିନିଷ୍ଟ୍ରେସନର ତତ୍କାଳୀନ ମୁଖ୍ୟ ହରବର୍ଟ ହୁଭର ‘ଯୁଦ୍ଧ ଜିତିବ ଖାଦ୍ୟ’ (ଫୁଡ ଉଇଲ ଉଇନ ଦି ୱାର)ର ଆହ୍ୱାନ ଦେଲେ । ତଦନୁଯାୟୀ ଦେଶବାସୀଙ୍କୁ କେତେକ ପ୍ରମୁଖ ଖାଦ୍ୟ କମ ଖାଇବାକୁ ଅନୁରୋଧ କରାଯାଇଥିଲା । ଏହା ଆମେରିକା ଓ ଇଉରୋପର ଯୁଦ୍ଧଜନିତ ଖାଦ୍ୟାଭାବକୁ କିଛି ମାତ୍ରାରେ ଲାଘବ କରିପାରିବ ବୋଲି ଆଶା କରାଯାଉଥିଲା । ସେତେବେଳେ ‘ମିଟଲେସ ଟିଉସଡ଼େ’ (ମାଂସ ବର୍ଜିତ ମଙ୍ଗଳବାର) ଓ ‘ହ୍ୱିଟଲେସ ୱେଡନେସଡେ’ (ଗହମ ବର୍ଜିତ ବୁଧବାର) ସ୍ଳୋଗାନଗୁଡ଼ିକ ଦିଆଯାଉଥିଲା । ତେବେ ‘ମିଟଲେସ୍ ମନଡେ’ ଅଭିଯାନ ଏବେ ବିଶ୍ୱର ୪୦ଟି ଦେଶରେ ଅନୁସୃତ ହେଉଛି ଓ ଏହାଦ୍ୱାରା ସାରା ବିଶ୍ୱରେ ମାଂସାହାରକୁ ୧୫ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଛି । ଏତଦଭିନ୍ନ କିଛି ଦେଶରେ ସପ୍ତାହର ଅଲଗା ଅଲଗା ଦିନକୁ ଲୋକମାନେ ମାଂସ ବର୍ଜିତ ଦିବସ ରୂପେ ପାଳନ କରି ମାଂସାହାର କରୁନାହାନ୍ତି । ତେବେ ୨୦୨୩ରେ ଜୁନ ୧୧ରୁ ୧୭ ଯାଏଁ ଗୋଟିଏ ସପ୍ତାହକୁ ‘ବିଶ୍ୱ ମାଂସ ମୁକ୍ତ ସପ୍ତାହ’ ରୂପେ ପାଳନ କରାଯାଇଛି ।   

‘ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ’ରେ ପ୍ରକାଶିତ ଏକ ଗବେଷଣାର ତଥ୍ୟ ଅନୁଯାୟୀ ଉଦ୍ଭିଦଜ ପୁଷ୍ଟିସାର ଖାଉଥିବା ଲୋକମାନଙ୍କ ତୁଳନାରେ ଅଧିକ ମାଂସ (ରେଡ଼ ମିଟ), ପ୍ରକ୍ରିୟାକୃତ ମାଂସ ବା ପ୍ରାଣୀଜ ପୁଷ୍ଟିସାର ଖାଉଥିବା ଲୋକମାନେ କୌଣସି ଦୁରାରୋଗ୍ୟ (କ୍ରନିକ୍) ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ଆଶଙ୍କା ଅଧିକ । ଫିନଲାଣ୍ଡରେ ୟୁରୋପର ସବୁଠୁ ଅଧିକ ପ୍ରତିଶତ ଲୋକ ଦୃଦରୋଗରେ ଆକ୍ରାନ୍ତ ହେଉଥିବାରୁ ୪୨ରୁ ୬୦ ବର୍ଷ ବୟସର ୨୬୪୧ ଜଣ ଫିନଲାଣ୍ଡ ଅଧିବାସୀଙ୍କ ଉପରେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଏହି ଗବେଷଣା କରାଯାଇଥିଲା । ୨୦ ବର୍ଷ ପରେ ସେହି ଲୋକମାନଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ଜାଣିବାକୁ ଚେଷ୍ଟା କରି ଜଣାଗଲା ଯେ ସେମାନଙ୍କ ମଧ୍ୟରୁ ୧୨୨୫ ଜଣ ମୃତ୍ୟୁବରଣ କରିସାରିଥିଲେ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଦୈନିକ ୨୦୦ ଗ୍ରାମ ବା ତା’ଠାରୁ ଅଧିକ ମାଂସ (ରେଡ଼ ମିଟ) ବା ପ୍ରକ୍ରିୟାକୃତ ମାଂସ ଖାଉଥିଲେ ଅଥବା ଅଧିକ ପ୍ରାଣୀଜ ପୁଷ୍ଟିସାର ଗ୍ରହଣ କରୁଥିଲେ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ଅକାଳ ମୃତ୍ୟୁର ସମ୍ଭାବନା ୨୩ ପ୍ରତିଶତ ଅଧିକ ଥିଲା । ଅବଶ୍ୟ ମାଛ, ଅଣ୍ଡା, କ୍ଷୀର ଭଳି ପ୍ରାଣୀଜ ପୁଷ୍ଟିସାର ଗ୍ରହଣରେ ମୃତ୍ୟୁଜନିତ ସେହି ବିପଦ ଦେଖାଯାଇ ନଥାଏ । ଅନ୍ୟପକ୍ଷରେ ଉଦ୍ଭିଦଜ ପୁଷ୍ଟିସାର ଗ୍ରହଣ କରୁଥିବା ଲୋକମାନେ ସାଧାରଣତଃ ମାଂସ ଖାଉଥିବା ଲୋକଙ୍କଠାରୁ ଅଧିକ ଦିନ ବଞ୍ଚିଥାନ୍ତି ।

ସାରା ବିଶ୍ୱରେ ଏବେ ମାଂସାହାରକୁ ବର୍ଜନ ବା କମ କରି ନିରାମିଷ ଖାଦ୍ୟ ଖାଇବା ପ୍ରତି ଆକର୍ଷଣ ଓ ରୁଚି ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ‘ଗୁଗଲ୍’ ତରଫରୁ ଜାନୁଆରୀ ୨୦୨୨ରେ ପ୍ରକାଶିତ ‘ବାର୍ଷିକ ସର୍ଚ୍ଚ ରିପୋର୍ଟ’ ଆଧାରରେ ୨୦୨୧ରେ ‘ଭେଗାନ ଫୁଡ଼ ନିଅର ମି’ (ମୋ ପାଖାପାଖି ନିରାମିଷ ଆହାର) ଖୋଜ (ସର୍ଚ୍ଚ)ଟିରେ ୫୦୦୦ ପ୍ରତିଶତ ବୃଦ୍ଧି ପାଇ ଏହା ‘ବ୍ରେକ ଥ୍ରୁ ପ୍ରର୍ଯ୍ୟାୟ’କୁ ଉନ୍ନୀତ ହୋଇଛି । ସେହିପରି ସ୍ୱଳ୍ପ ମାଂସାହର କିପରି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ସହାୟକ ହୋଇଥାଏ ସେ ସମ୍ପର୍କରେ ବ୍ରିଟେନରେ ଅଧିକ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡ଼ିଛି । ଅର୍ଥାତ୍ ଉଦ୍ଭିଦଜ ଜୀବନଯାତ୍ରାକୁ ଗ୍ରହଣ କରିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତରେ ୨୦୧୫ରୁ ୨୦୨୧, ଏଇ ୬ ବର୍ଷ ମଧ୍ୟରେ, ମାଂସାହାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଛି । ୨୦୧୯ରୁ ୨୦୨୧ମଧ୍ୟରେ ୧୫ରୁ ୪୯ ବର୍ଷ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ-୫)ର ରିପୋର୍ଟ ଅନୁଯାୟୀ ଦେଶରେ ଶୁଦ୍ଧ ଶାକାହାରୀଙ୍କ ସଂଖ୍ୟା ପୁରୁଷମାନଙ୍କ କ୍ଷେତ୍ରରେ ୫ ପ୍ରତିଶତ ହ୍ରାସ ପାଇ ୧୬.୬ ପ୍ରତିଶତ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ତାହା ୧ ପ୍ରତିଶତ ହ୍ରାସ ପାଇ ୨୯.୪ ପ୍ରତିଶତରେ ପହଞ୍ଚିଛି । ଗତ ୬ ବର୍ଷ ମଧ୍ୟରେ ମାଛ, କୁକୁଡ଼ା ଓ ମାଂସାହାରୀଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ୍ ଭାରତ ଏକ ଶାକାହାରୀବହୁଳ ଦେଶ ବୋଲି ଯେଉଁ ଅବଧାରଣାଟିଏ ରହି ଆସିଥିଲା ତାହା କ୍ରମଶଃ ଭୁଲ୍ ପ୍ରମାଣିତ ହେବାରେ ଲାଗିଛି । ଭାରତର ତିନି ପ୍ରମୁଖ ଧର୍ମାବଲମ୍ୱୀଙ୍କ ମଧ୍ୟରେ ଗତ ୬ ବର୍ଷ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହିନ୍ଦୁ ପୁରୁଷଙ୍କ କ୍ଷେତ୍ରରେ ତାହା ୪୪.୪ରୁ ବଢ଼ି ୫୨.୫ ପ୍ରତିଶତ (୮ ପ୍ରତିଶତ ବୃଦ୍ଧି) ହୋଇଥିଲା ବେଳେ ହିନ୍ଦୁ ମହିଳାଙ୍କ କ୍ଷେତ୍ରରେ ତାହା ୩୮.୩ରୁ ବଢ଼ି ୪୦.୭ ପ୍ରତିଶତ (୨ ପ୍ରତିଶତ ବୃଦ୍ଧି) ହୋଇଛି । ମୁସଲମାନ ପୁରୁଷ ଓ ମହିଳାଙ୍କ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ଯଥାକ୍ରମେ ୬ ଓ ୩ ପ୍ରତିଶତ ବୃଦ୍ଧି ପାଇଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ଯଥାକ୍ରମେ ୧୦ ଓ ୯ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଅପେକ୍ଷାକୃତ ଅଧିକ । ଭାରତ ଏବେ ବିଶ୍ୱର ସର୍ବାଧିକ ଦନବହୁଳ ଦେଶ ହୋଇସାରିଥିବାରୁ ଏଠାରେ ମାଂସାହାରୀଙ୍କ ସଂଖ୍ୟା ଓ ମାଂସାହାରର ପରିମାଣ ବୃଦ୍ଧି ପାଇବା କେବଳ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଚିନ୍ତାର  ବିଷୟ ତାହା ନୁହେଁ ବରଂ ପରିବେଶଗତ ଦୃଷ୍ଟିରୁ ମଧ୍ୟ ତାର ଆଶାତୀତ କୁପରିଣାମ ପରିଲକ୍ଷିତ ହୋଇପାରେ । ଭାରତରେ ମାଂସ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୨୨ରେ ତାହା ୯୦ ଲକ୍ଷ ଟନରେ ପହଞ୍ଚି ସାରିଥିଲେ ବି ଏବେ ମଧ୍ୟ ମାଂସର ମୁଣ୍ଡପିଛା ବାର୍ଷିକ ଉପଲବ୍ଧତା ୬.୮୨ କିଲୋଗ୍ରାମ, ଯାହା ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଯଥେଷ୍ଟ କମ । ଗରିବ ଲୋକମାନଙ୍କୁ ସୁଲଭ ଭାବେ ମିଳିପାରୁଥିବା ପ୍ରାଣୀଜ ପୁଷ୍ଟିସାରରୁ ସେମାନଙ୍କୁ ବଞ୍ଚିତ ନ କରି ସାମଗ୍ରିକ ଭାବେ ମାଂସାହାରର ପରିମାଣ ହ୍ରାସ କରିବା ଓ ଶାକାହାର ପ୍ରତି ଲୋକଙ୍କୁ ପୁନର୍ବାର ଆକୃଷ୍ଟ କରିବା ଲାଗି ଭାରତରେ ମଧ୍ୟ ବିଶେଷ ଅଭିଯାନର ଆବଶ୍ୟକତା ରହିଛି ।


Published in Odisha Reporter on June 19, 2023


Comments

  1. One of the major reasons for increased usage of meet has been found to be cost effectiveness of meat and saving of kitchen time. The article is an eye opener indeed as meat production and usage will increase faster during coming days.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍