ବିଶ୍ୱର ଅଧିକାଂଶ ଲୋକ ଯେଉଁ ଦେଶରେ ଜନ୍ମ ହୋଇଥାଆନ୍ତି ସେହିଠାରେ ହିଁ ସାରା ଜୀବନ ବିତାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ପ୍ରତି ୩୦ ଜଣରେ କେବଳ ମାତ୍ର ଜଣେ ସ୍ୱେଚ୍ଛାରେ ବା ବାଧ୍ୟ ହୋଇ ପ୍ରବାସୀ ଭାବେ ଜୀବନ ବିତାଇଥାଏ । ଏକ ଆକଳନ ଅନୁସାରେ ୨୦୨୦ରେ ସାରା ବିଶ୍ୱରେ ପ୍ରାୟ ୨୮.୧୦ କୋଟି ବା ସମୁଦାୟ ଜନସଂଖ୍ୟାର ୩.୬ ପ୍ରତିଶତ ଲୋକ ଅନ୍ତର୍ଜାତୀୟ ପ୍ରବାସୀ ଭାବେ ଜୀବନ ଅତିବାହିତ କରୁଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହି ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇସାରିଲାଣି । ତେବେ ଲୋକମାନେ କେବଳ ଯେ ଉଚ୍ଚତର ଶିକ୍ଷା, ନିଯୁକ୍ତି ଓ ରୋଜଗାର ସୁଯୋଗ ଆଶାରେ ପ୍ରବାସୀ ଭାବେ ଅନ୍ୟ ଦେଶକୁ ଯାଆନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ କେତେକ ନିଜ ଦେଶର ନାଗରିକତା ପରିତ୍ୟାଗ କରି ସେମାନେ ଯାଇଥିବା ଦେଶର ନାଗରିକତା ଗ୍ରହଣ କରିବାକୁ ପସନ୍ଦ କରିଥାଆନ୍ତି । ଗତ କିଛି ବର୍ଷ ଧରି ଏହିପରି ଭାବେ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଅନ୍ୟ ସବୁ ଦେଶ ତୁଳନାରେ ଆଗରେ ଅଛନ୍ତି । ବିଦେଶ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତା ପରିତ୍ୟାଗ କରିଛନ୍ତି । କେବଳ ୨୦୨୨ରେ ୨.୨୫ ଲକ୍ଷ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି ଯାହା ଏକ ସର୍ବକାଳୀନ ରେକର୍ଡ । ତନ୍ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଆମେରିକାର ନାଗରିକତା ପାଇବା ପାଇଁ ଭାରତର ନାଗରିକତା ପରିତ୍ୟାଗ କରିଛନ୍ତି । ତେଣୁ ପ୍ରସଙ୍ଗଟିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟମାନେ କାହିଁକି ଏତେ ଅଧିକ ସଂଖ୍ୟାରେ ନାଗରିକତା ଛାଡୁଛନ୍ତି ତାହା ବୁଝିବାର ଆବଶ୍ୟକତା ରହିଛି ।
ଗତ କିଛି ବର୍ଷ ଧରି ପ୍ରତିବର୍ଷ ଲକ୍ଷାଧିକ ଭାରତୀୟ ସେମାନଙ୍କ ଭାରତୀୟ ନାଗରିକତା ପରିତ୍ୟାଗ କରୁଥିବା ବେଳେ ଏହାର କାରଣ ବ୍ୟକ୍ତିଗତ ବୋଲି ସରକାରଙ୍କ ସଫେଇ ଗ୍ରହଣୀୟ ହେଉନାହିଁ । ଅନ୍ୟପକ୍ଷରେ ଭାରତୀୟ ନାଗରିକତା ପାଇବା ପାଇଁ ବିଦେଶୀ ନାଗରିକଙ୍କଠାରେ ସେଭଳି ଉତ୍ସୁକତା ବା ଆଗ୍ରହ ପରିଲକ୍ଷିତ ହେଉ ନଥିବା କଥା ଅନ୍ତତଃ ବିଦେଶ ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼େ । ବଙ୍ଗଳାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ନାଗରିକଙ୍କୁ ବାଦ ଦେଲେ ୨୦୧୭ରୁ ୨୦୨୨ ଛଅ ବର୍ଷ ମଧ୍ୟରେ କ୍ରମାନ୍ୱୟରେ ଯଥାକ୍ରମେ ମାତ୍ର ୧୭୫, ୧୨୯, ୧୧୩, ୨୭, ୪୨ ଓ ୬୦ ଜଣ ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ କରିଥିବା ସେହି ଅନାଗହକୁ ପୁଷ୍ଟି କରେ । ୨୦୧୭ରୁ ୨୦୨୨ ମଧ୍ୟରେ ମାତ୍ର ୫୨୨୦ ଜଣ ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି, ଯହିଁରୁ ୪୫୫୨ ଜଣ ବା ୮୭ ପ୍ରତିଶତ କେବଳ ପାକିସ୍ତାନର ନାଗରିକ ହୋଇଥିଲା ବେଳେ ବଙ୍ଗଳାଦେଶର ୧୧୬ ଜଣ ଓ ଆଫଗାନିସ୍ତାନର ୪୧୧ ଜଣକୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି । ବଙ୍ଗଳାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଉତ୍ପୀଡ଼ିତ ହୋଇ ଭାରତକୁ ଆସୁଥିବା ସେଠାକାର ସଂଖ୍ୟା ଲଘୁମାନଙ୍କୁ ତ୍ୱରିତ ଭାରତୀୟ ନାଗରିକତା ପ୍ରଦାନ ପାଇଁ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରଣୟନ ହୋଇ ଦେଶବ୍ୟାପି ଅଶାନ୍ତିର ବାତାବରଣ ଖେଳିଯାଇଥିଲା । ଏ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନ କାର୍ୟ୍ୟକାରୀ ହୋଇ ନଥିଲେ ବି ସେହି ସବୁ ଦେଶରୁ ଭାରତକୁ ଆସି ନାଗରିକତା ପାଇଁ ଆବେଦନ କରିଥିବା କମ ସଂଖ୍ୟକ ଲୋକଙ୍କ ମଧ୍ୟରୁ ବି ହାତ ଗଣତି ଲୋକଙ୍କୁ ନାଗରିକତା ପ୍ରଦାନ କରାଯାଇଥିବାରୁ ତାହା ନାଗରିକତା ସଂଶୋଧନ ଆଇନ ପ୍ରଣୟନର ବାସ୍ତବ ଉଦ୍ଦେଶ୍ୟ ପଛରେ ଥିବା ଆନ୍ତରିକତା ଉପରେ ପ୍ରଶ୍ନ ଉଠାଉଛି ।
ଭାରତୀୟ ନାଗରିକତା ପରିତ୍ୟାଗର ଅନେକ କାରଣ ରହିଛି । କେହି କେହି ଉଚ୍ଚ ଶିକ୍ଷା ପାଇଁ ବିଦେଶର ଖ୍ୟାତନାମା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯାଇ ଜ୍ଞାନର ବିକାଶ ପାଇଁ ଉପଲବ୍ଧ ଭିତ୍ତିଭୂମି ଓ ଅନ୍ୟ ଅନୁକୂଳ ବାତାବରଣ ଯୋଗୁଁ ସେଠାରେ ସ୍ଥାୟୀ ରୂପେ ବସବାସ କରିବା ଲାଗି ନିଷ୍ପତ୍ତି ନେଇଥାଆନ୍ତି । ଭାରତରେ ଟିକସ ହାର ଅଧିକ ଥିବାରୁ ଧନୀକ ଶ୍ରେଣୀର କିଛି ବ୍ୟକ୍ତି ବିଦେଶରେ ରହିବାକୁ ପସନ୍ଦ କରି ସେଠାକାର ନାଗରିକତା ଗ୍ରହଣ କରିଥାଆନ୍ତି । ଅଧିକ ରୋଜଗାର ହେଲା ଭଳି ଉଚ୍ଚ ମାନର ନିଯୁକ୍ତି ସୁଯୋଗ ଅଳ୍ପ କେତେକ ବିଦେଶୀ ରାଷ୍ଟ୍ରରେ ମିଳିବା ଅପେକ୍ଷାକୃତ ସହଜ ହୋଇଥାଏ । ଭାରତୀୟ ଟଙ୍କାର କ୍ରମାଗତ ଅବମୂଲ୍ୟାୟନ ମଧ୍ୟ କିଛି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ ଓ ସେମାନେ ଦେଶଠାରୁ ଦୂରରେ ରହିବାକୁ ପସନ୍ଦ କରିଥାଆନ୍ତି । କେହି କେହି ଏଠାକାର ଆଇନଶୃଙ୍ଖଳା ବ୍ୟବସ୍ଥା, ସହରଗୁଡ଼ିକରେ ପ୍ରଦୂଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ଦର୍ଶାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି । କିଛି ବୟସ୍କ ଲୋକ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକତ୍ର ବସବାସ କରିବା ପାଇଁ ବିଦେଶକୁ ଯାଇ ସେଠାକାର ନାଗରିକତା ଗ୍ରହଣ କରୁଥିବାର ପରିଲକ୍ଷିତ ହେଉଛି । କେତେକ ଦେଶ ଦ୍ୱୈତ ନାଗରିକତାକୁ ଗ୍ରହଣ କରୁଥିବା ବେଳେ ଭାରତ ତାହା ଗ୍ରହଣ କରେନାହିଁ । ଅର୍ଥାତ୍ ଅନ୍ୟ ଦେଶର ନାଗରିକତା ଗ୍ରହଣ କଲେ ଜଣେ ଭାରତୀୟଙ୍କୁ ତାଙ୍କ ନାଗରିକତା ପରିତ୍ୟାଗ କରିବାକୁ ହୋଇଥାଏ । ନାଗରିକତା ପରିତ୍ୟାଗ କଲା ପରେ ମଧ୍ୟ ଜଣେ ଚାହିଁଲେ ‘ଭାରତର ବିଦେଶୀ ନାଗରିକ’ (ଓଭରସିଜ ସିଟିଜେନ ଅଫ ଇଣ୍ଡିଆ) କାର୍ଡ ପାଇବା ପାଇଁ ଆବେଦନ କରିପାରିଥାଆନ୍ତି । ତଦ୍ଦ୍ୱାରା ସେ ଭାରତରେ ରହିବା, କାମ କରିବା ବା ବ୍ୟବସାୟ କରିବାର ମଧ୍ୟ ସୁବିଧା ପାଇଥାଆନ୍ତି ।
'ଗ୍ଲୋବାଲ ସିଟିଜେନ ରିପୋର୍ଟ'ର ଆକଳନ ଅନୁଯାୟୀ ୨୦୨୨ରେ ପୃଥିବୀର ବିଭିନ୍ନ ଦେଶରେ ଥିବା ପ୍ରାୟ ୮୮୦୦୦ ନିୟୁତପତି (ମିଲିଅନେଆର୍ - ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କାର ସମ୍ପତ୍ତି ଥିବା ବ୍ୟକ୍ତି) ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହୋଇଛନ୍ତି । ସେମାନଙ୍କ ପସନ୍ଦର ପ୍ରଥମ ୧୦ଟି ଦେଶ ହେଲା ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଇସ୍ରାଏଲ୍, ସ୍ୱିଜରଲାଣ୍ଡ, ଆମେରିକା, ପର୍ତ୍ତୁଗାଲ, ଗ୍ରୀସ, କାନାଡ଼ା, ଓ ନିଉଜିଲାଣ୍ଡ । ଏଥି ସହ କିଛି ଧନୀ ବ୍ୟକ୍ତି ୩ଏମ ନାମକ ଟିକସ ସ୍ୱର୍ଗ କୁହାଯାଉଥିବା ମାଲଟା, ମରିସସ ଓ ମୋନାକୋରେ ଅବସ୍ଥାପିତ ହେବାକୁ ଆଗ୍ରହୀ । ଉଲ୍ଲେଖଯୋଗ୍ୟ ଅତୀତରେ ଭାରତରୁ ଏହି ଦେଶଗୁଡ଼ିକୁ ଯାଇ ଅବସ୍ଥାପିତ ହୋଇଥିବା କିଛି ନିୟୁତପତିଙ୍କ ନାମ ପରବର୍ତ୍ତୀ ସମୟରେ ବିଭିନ୍ନ ଆର୍ଥିକ ଅପରାଧ ସହ ଯୋଡ଼ି ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ନିୟୁତପତିମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରାୟ ୪୦୦୦ ୟୁଏଇକୁ ନିଜ ନୂଆ ଦେଶ ଭାବେ ଗ୍ରହଣ କରିବାକୁ ଆଗେଇ ଆସିଥିବା ବେଳେ ଅଷ୍ଟ୍ରେଲିଆର ନାଗରିକତା ଗ୍ରହଣ କରିବାକୁ ପ୍ରାୟ ୩୫୦୦ ମିଲିଅନେଆର ଆଗ୍ରହୀ । ସେହିପରି ଯେଉଁ ୧୦ଟି ଦେଶରୁ ସର୍ବାଧିକ ସଂଖ୍ୟକ ନିୟୁତପତି ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହେଉଛନ୍ତି ସେଗୁଡ଼ିକ ହେଲା ରୁଷିଆ, ଚୀନ, ଭାରତ, ହଂକଂ, ୟୁକ୍ରେନ, ବ୍ରାଜିଲ, ବ୍ରିଟେନ, ମେକ୍ସିକୋ, ସାଉଦି ଆରବ ଓ ଇଣ୍ଡୋନେସିଆ । ୨୦୨୧ରେ ଚୀନରୁ ସର୍ବାଧିକ ୧୬୦୦୦ ଓ ଭାରତରୁ ୭୦୦୦ ନିୟୁତପତି ଦେଶ ଛାଡ଼ିଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗି ରହି ରୁଷିଆ ଉପରେ ପଶ୍ଚିମା ଦେଶଙ୍କ ତରଫରୁ ବିଭିନ୍ନ ଆର୍ଥିକ କଟକଣା ଲାଗିଥିବାରୁ ସେଠାକାର ନିୟୁତପତିମାନଙ୍କ ମଧ୍ୟରୁ କେତେକ ୟୁଏଇ, ଇସ୍ରାଏଲକୁ ପଳାଇ ଯାଉଥିବାର ଜଣାପଡ଼ିଛି । ୨୦୨୨ରେ ଭାରତରୁ ପ୍ରାୟ ୮୦୦୦ ନିୟୁତପତି ଦେଶ ଛାଡ଼ି ଅନ୍ୟତ୍ର ଯାଉଥିବା ଜଣାପଡ଼ୁଛି । ତେବେ ହୁଏତ ଏହା ଭାରତ ପାଇଁ ଆଶ୍ୱସ୍ତିର ବିଷୟ ହୋଇପାରେ ଯେ ଦେଶରେ ପ୍ରତି ବର୍ଷ ଅଧିକ ସଂଖ୍ୟକ ନିୟୁତପତି ସୃଷ୍ଟି ହେଉଛନ୍ତି । ହେଲେ ପୂର୍ବାପେକ୍ଷା ନିୟୁତପତିଙ୍କ ପାଇଁ ଆମେରିକା ଓ ବ୍ରିଟେନ ପସନ୍ଦଯୋଗ୍ୟ ଗନ୍ତବ୍ୟ ଦେଶ ଭାବେ ସେମାନଙ୍କର ଆକର୍ଷଣ ହରାଇଛନ୍ତି । ଉଦବେଗର ବିଷୟ ଯେ 'ଏମ୩ଏମ ହୁରୁନ ଗ୍ଲୋବାଲ ରିଚ' ତାଲିକାରେ ଥିବା ୧୮୭ ଜଣ ଭାରତୀୟ ବିଲିଅନେଆର (୧୦୦ କୋଟି ଡଲାର ନେଟୱର୍ଥରୁ ଅଧିକ)ଙ୍କ ମଧ୍ୟରୁ ୩୦ ଜଣ ବିଦେଶରେ ରହୁଛନ୍ତି । ଗତ କିଛି ବର୍ଷ ଭିତରେ ୧୧୪ ଜଣ ଭାରତୀୟ ବିଲିଅନେଆର ଦେଶ ଛାଡ଼ିସାରିଲେଣି । ଅନ୍ୟ ପକ୍ଷରେ ଅନ୍ୟ କୌଣସି ଦେଶର ଜଣେ ହେଲେ ବି ବିଲି୍ଅନେଆର ଭାରତରେ ବସବାସ କରିବାକୁ ଆସିନାହାନ୍ତି ।
ଭାରତୀୟ ଧନୀକ ଶ୍ରେଣୀ ଭାରତର ନାଗରିକତା ଛାଡ଼ିବାର ଏକ ବଡ଼ କାରଣ ହେଉଛି ଭାରତୀୟ ପାସପୋର୍ଟର ଦୁର୍ବଳତା । ଭାରତୀୟ ପାସପୋର୍ଟ ଏକ ଅପେକ୍ଷାକୃତ ଦୁର୍ବଳ ପାସପୋର୍ଟ ଭାବେ ବିବେଚିତ, କାରଣ ଏହାକୁ ବ୍ୟବହାର କରି ମାତ୍ର ୫୯ଟି ଦେଶକୁ 'ମୁକ୍ତ ଭିସା' ବା 'ଆଗମନରେ ଭିସା'ର ସୁବିଧା ମିଳିପାରିଥାଏ । ଯେଉଁ ଦେଶର ପାସପୋର୍ଟକୁ ବ୍ୟବହାର କରି ଯେତେ ଅଧିକ ଅଞ୍ଚଳକୁ ମୁକ୍ତ ଭିସାରେ ଯାଇ ହୁଏ ସେହି ଦେଶର ଆର୍ଥିକ ଶକ୍ତି ସେତେ ସୁଦୃଢ଼ ବୋଲି ଗ୍ରହଣ କରାଯାଇଥାଏ । ତା’ ଛଡ଼ା ସେହି ଦେଶର ନାଗରିକମାନେ ନିର୍ବିଘ୍ନରେ ଅଧିକ ଦେଶରେ ବାଣିଜ୍ୟ ବ୍ୟବସାୟ କରିବାକୁ ସକ୍ଷମ ହୋଇଥାଆନ୍ତି । ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥନୀତି ହୋଇଥିଲେ ବି ଏହାର ପାସପୋର୍ଟକୁ ବ୍ୟବହାର କରି ବିଶ୍ୱ ଜିଡ଼ିପିର ମାତ୍ର ୬.୭ ପ୍ରତିଶତ ଅଞ୍ଚଳକୁ ମୁକ୍ତ ଭିସା ବା ଆଗଗମନରେ ଭିସାରେ ଯାଇ ହୋଇଥାଏ । ତାହା ବିତ୍ତଶାଳୀଙ୍କ ମୁକ୍ତ ଗମନାଗମନରେ ବାଧା ସୃଷ୍ଟି କରି ନିର୍ବିଘ୍ନ ବାଣିଜ୍ୟ କାରବାରରେ ବାଧକ ସାଜିଥାଏ । ୨୦୨୩ର 'ହେନଲି ପାସପୋର୍ଟ ସୂଚକାଙ୍କ' ତାଲିକାରେ ୧୯୯ଟି ଦେଶର ପାସପୋର୍ଟ ମଧ୍ୟରେ ଭାରତ ପାସପୋର୍ଟର ସ୍ଥାନ ୮୫ରେ ଅଛି, ଯାହା ୨୦୧୪ରେ ୭୬ ଥିଲା । ଏହି ସୂଚକାଙ୍କର ଶୀର୍ଷରେ ଥିବା ଜାପାନର ପାସପୋର୍ଟକୁ ବ୍ୟବହାର କରି ୧୯୩ଟି ଦେଶକୁ ମୁକ୍ତ ଭିସା ବା ଆଗମନରେ ଭିସାରେ ଯାଇ ହୋଇଥାଏ । ତେଣୁ ପାସପୋର୍ଟର ଗୁରୁତ୍ୱ ଅଧିକ ଥିବା ଦେଶର ନାଗରିକତା ଗ୍ରହଣ କଲେ ବିତ୍ତଶାଳୀମାନେ ନିର୍ବିଘ୍ନରେ ଯାତାୟତ କରିପାରୁଥିବାରୁ ତାହା ସେମାନଙ୍କୁ ଭାରତର ନାଗରିକତା ଛାଡ଼ିବା ଲାଗି ପରୋକ୍ଷରେ ପ୍ରବର୍ତ୍ତାଇ ଥାଏ ।
ଚଳିତ ଶତାବ୍ଦୀର ପ୍ରାରମ୍ଭରେ ଭାରତରେ ବିକାଶର ବିଶାଳ ସମ୍ଭାବନାରେ ଆକୃଷ୍ଟ ହୋଇ ନିଜ ଭାଗ୍ୟର ଅନୁସନ୍ଧାନରେ ଅନେକ ଅନିବାସୀ ଭାରତୀୟ (ଏନଆରଆଇ) ମଧ୍ୟ ଭାରତରେ ବାଣିଜ୍ୟ ବ୍ୟବସାୟ କରିବାକୁ ଲେଉଟି ଆସିଥିଲେ । ଭାରତର ତରୁଣ ଜନସଂଖ୍ୟାର ପ୍ରତିଶତ ଅନ୍ୟ ଅନେକ ଦେଶ ତୁଳନାରେ ଅଧିକ ହୋଇଥିବାରୁ ଏଠାରୁ ଜନସାଂଖ୍ୟିକ ଲାଭାଂଶ ଭଲ ମିଳିବ ବୋଲି ଆଶା କରାଯାଉଥିଲା । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ କାରଣରୁ ସେମାନଙ୍କ ମଧ୍ୟରୁ ଅନେକଙ୍କର ମୋହଭଙ୍ଗ ହୋଇ ସେମାନେ ଭାରତ ଛାଡ଼ି ଫେରିଗଲେଣି । ଭାରତରେ ଅନେକ ଦୁର୍ନୀତି ଅଭିଯୋଗ ହେବା, ସେହି ଅଭିଯୋଗରେ କିଛି ବ୍ୟବସାୟୀ ବର୍ଷ ବର୍ଷ ଧରି ଜେଲରେ ରହିବା ପରେ ପ୍ରମାଣ ଅଭାବରୁ ଛାଡ଼ ପାଇବା, ବଡ଼ ବଡ଼ ଠକେଇ କରି କିଛି ବ୍ୟବସାୟୀ ଦେଶ ବାହାରକୁ ଚାଲିଯିବାକୁ ସମର୍ଥ ହେବା ଆଦିରେ ବ୍ୟବସାୟୀ ମହଲକୁ ଗୋଟିଏ ବାର୍ତ୍ତା ଅନ୍ତତଃ ସ୍ପଷ୍ଟ ଭାବେ ଯାଇଛି । କେବଳ ବ୍ୟବସାୟଗତ ଦକ୍ଷତା ନୁହେଁ ଭାରତରେ ବ୍ୟବସାୟ କରି ସଫଳତା ପାଇବାକୁ ହେଲେ ସେହି ସମୟର ଜନପ୍ରିୟ ରାଜନୈତିକ ବଖାଣକୁ ଗୁରୁତ୍ୱ ଦେଇ ତଦନୁସାରେ ଆଚରଣ କରିବା । ଅନ୍ୟଥା ବିପଦକୁ ଆମନ୍ତ୍ରଣ କରିବା ସୁନିଶ୍ଚିତ । ଏଥିପାଇଁ ସେମାନଙ୍କୁ ରାଜନୈତିକ ସ୍ତରରୁ ଧମକଚମକର ମଧ୍ୟ ସାମନା କରିବାକୁ ହୋଇଥାଏ । କୋଭିଡ଼ ସମୟରେ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକା ପାଇବା ପାଇଁ କୋଭିସିଲଡ଼୍ ଟୀକାର ପ୍ରସ୍ତୁତକାରୀ ଆଦାର ପୁନାୱାଲା ରାଜନୈତିକ ବ୍ୟକ୍ତିବିଶେଷଙ୍କଠାରୁ ଧମକପୂର୍ଣ୍ଣ ଫୋନମାନ ପାଇ ଦେଶ ଛାଡ଼ି ବିଦେଶକୁ ଚାଲିଯିବା ଲାଗି ତତ୍ପର ହେବା ସେହି ବାତାବରଣର ଏକ ଉଦାହରଣ ମାତ୍ର ।
ଦେଶ ଭିତରେ ଗାଁ ଛାଡ଼ି ଛୋଟ ସହରକୁ ବା ଛୋଟ ସହର ଛାଡ଼ି ମହାନଗରରେ ବସବାସ କରିବାକୁ ଆସିଲା ବେଳେ ମଧ୍ୟବିତ୍ତ ପରିବାରଗୁଡ଼ିକ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଉନ୍ନତ ନିଯୁକ୍ତି ଓ ରୋଜଗାର ଆଦି ଯେଉଁ ବ୍ୟବସ୍ଥାଗୁଡ଼ିକର ସୁବିଧାଗୁଡ଼ିକୁ ଗଣିଥାଆନ୍ତି ଦେଶ ଛାଡ଼ି ବିଦେଶକୁ ଗଲା ବେଳେ ସ୍ୱଚ୍ଛଳ ବର୍ଗର ଲୋକେ ସେହି ସୁବିଧା ସୁଯୋଗଗୁଡ଼ିକୁ ସେମାନଙ୍କ ନାଗରିକତା ପରିତ୍ୟାଗର କାରଣ ବୋଲି ଦର୍ଶାଇଥାଆନ୍ତି । ସବୁଜ ଚାରଣଭୂମି ଥିଲେ ଗାଈପଲ ଯେପରି ସେଥିପ୍ରତି ଆକୃଷ୍ଟ ହୋଇଥାନ୍ତି, ଦେଶଠାରୁ ଅନ୍ୟତ୍ର ଅଧିକ ସୁବିଧା ସୁଯୋଗର ସମ୍ଭାବନା ଦେଖିଲେ ସ୍ୱଚ୍ଛଳ ବର୍ଗ ପ୍ରଥମେ ସେଠାକୁ ଯିବାକୁ ଆକୃଷ୍ଟ ହୋଇଥାନ୍ତି । କେବଳ ଦେଶର ଅର୍ଥନୀତିର ଆକାର ବଢ଼ିଗଲେ ନୁହେଁ ବରଂ ଭାରତ ସବୁ ଦୃଷ୍ଟିରୁ ଅନ୍ୟ ଉନ୍ନତ ଦେଶଗୁଡ଼ିକ ପରି ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳୀରେ ପରିଣତ ହୋଇପାରିଲେ ଯାଇ ବିଦେଶୀ ଲୋକ ଭାରତୀୟ ନାଗରିକତା ନେବାକୁ ଆସନ୍ତୁ କି ନ ଆସନ୍ତୁ, ଭାରତୀୟମାନେ ଅନ୍ତତଃ ସବୁଜ ଚାରଣଭୂମିର ସନ୍ଧାନରେ ଅନ୍ୟତ୍ର ଯାଇ ସେଠାକାର ନାଗରିକତା ଗ୍ରହଣ କରିବାରୁ ନିବୃତ୍ତ ହୁଅନ୍ତେ । ଦେଶ ସ୍ୱାଧୀନତାର ଅମୃତକାଳ ପାଳନ କରୁଥିବା ବେଳେ ପ୍ରତିବର୍ଷ ଅଧିକ ସଂଖ୍ୟକ ଭାରତୀୟ ‘ଭାରତ ଛାଡ଼’ ପଣ ନେଇଥିଲା ପରି ଭାରତର ନାଗରିକତା ପରିତ୍ୟାଗ କରିବା ବାସ୍ତବିକ ଦୁର୍ଭାଗ୍ୟଜନକ । ଭାରତର ନାଗରିକ ହୋଇ ରହିବା ଅପେକ୍ଷା ବୈଶ୍ୱିକ ନାଗରିକ (ଗ୍ଲୋବାଲ ସିଟିଜେନ) ହେବା ଅଧିକ ଅର୍ଥପୂର୍ଣ୍ଣ ବୋଲି ସେମାନଙ୍କ ମଧ୍ୟରୁ ଅନେକ ହୃଦୟଙ୍ଗମ କରୁଥିବାରୁ ଭାରତୀୟ ନାଗରିକତା ସେମାନଙ୍କ ପାଇଁ ଆକର୍ଷଣ ହରାଉଛି । ଭାରତ ଦ୍ୱୈତ ନାଗରିକତା ପ୍ରଦାନକୁ ଗ୍ରହଣ ନ କରିବା ଦ୍ୱାରା ଦେଶ ବାହାରେ ରହୁଥିବା ଲୋକେ ନାଗରିକତା ପରିତ୍ୟାଗ କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ନାଗରିକତା ପରିତ୍ୟାଗ କରିବା ସମସ୍ତଙ୍କ ପାଇଁ ଏତେ ସହଜ ନିଷ୍ପତ୍ତି ହୋଇ ନଥିଲେ ବି ଅନେକେ ସେଭଳି ବେଦନାଦାୟକ ନିଷ୍ପତ୍ତି ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାଆନ୍ତି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅପ୍ରବାସୀ ଭାରତୀୟ (ଏନଆରଆଇ)ମାନଙ୍କୁ ଦେଶରେ ଭୋଟଦାନ ଅଧିକାର ଦେବା ପାଇଁ ବିମର୍ଶ ଆରମ୍ଭ ହୋଇଥିଲା । ଅନୁରୂପ ଭାବେ ଦ୍ୱୈତ ନାଗରିକତା ପ୍ରଦାନ ପାଇଁ ସଂସଦ ଓ ନାଗରିକ ସମାଜରେ ବିମର୍ଶ ହୋଇ ତାହା କାର୍ଯ୍ୟକାରୀ କରାଯାଇପାରିଲେ ଭାରତୀୟ ନାଗରିକତା ପରିତ୍ୟାଗ କରୁଥିବା ଅନେକେ ହୁଏତ ସେଥିରୁ କ୍ଷାନ୍ତ ହୁଅନ୍ତେ ।
Published in Samadrushti in its 16-30 June 2023 issue
ସାର୍, ନମସ୍କାର। ଆଉ ଗୋଟିଏ ବଡ଼ କାରଣ ପ୍ରତି ଆପଣ ନଜର ଦେଇନାହାନ୍ତି। ତାହା ହେଲା 'ସଂରକ୍ଷଣ' । ଅତୀତ ରେ ମୁଁ ସଂରକ୍ଷଣ ଉପରେ ଗୋଟିଏ ଲେଖା କରିବା ପାଇଁ ପ୍ରାୟ ୫୦ ଟି ଉଚ୍ଚ ବିଦ୍ଯାଳୟ/ମହବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀ ଙ୍କ ସାମ୍ପଲ୍ ସର୍ଭେ କରିଥିଲି। ବହୁ ସଂଖ୍ଯକ ପିଲା ଏହାକୁ ବିରୋଧୀ ଓ ସୁଯୋଗ ମିଳିଲେ ବିଦେଶ ଚାଲିଯିବାକୁ ପସନ୍ଦ କରିଥିଲେ
ReplyDeleteଧନ୍ୟବାଦ । ବିଦେଶ ଚାଲିଯିବା ଓ ବିଦେଶୀ ନାଗରିକତା ଗ୍ରହଣ କରିବା ଦୁଇଟି ଭିନ୍ନ କଥା । ଉପଲବ୍ଧ ତଥ୍ୟରୁ ଭାରତୀୟ ନାଗରିକତା ପରିତ୍ୟାଗ ପଛରେ ସଂରକ୍ଷଣ ଏକ ବଡ଼ କାରଣ ବୋଲି ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
Deleteନମସ୍କାର ସାର ! ଭାରତୀୟଙ୍କର ବିଦେଶୀ ନାଗରିକତ୍ୱ ଗ୍ରହଣ କରିବା ପଛରେ ଥିବା କାରଣ ଗୁଡିକୁ ଆପଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ପଢି ଖୁସି ଲାଗିଲା ।
ReplyDeleteଧନ୍ୟବାଦ
DeleteNamaskar Saral bhai
ReplyDeleteWonderful article. But what is wrong if Indians move away to other countries? Still Indian gdp and per capita income is growing. Further, maximum people have gone to America instead of japan.why?
Thanks. If Indians are renouncing Indian citizenship for our systemic weaknesses and flaws, then it is an area of concern and needs to be rectified at the earliest.
Delete