Skip to main content

ଆଶା ଓ ଆଶଙ୍କାରେ ଷ୍ଟାର୍ଟଅପ୍

ଦୁଇ ଦଶନ୍ଧି ତଳେ ଏକ ଲାଭଜନକ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଆ ଖବରକାଗଜଗୁଡ଼ିକରେ ପ୍ରାୟ ପ୍ରତ୍ୟହ ବିଜ୍ଞାପନମାନ ପ୍ରକାଶ ପାଉଥିଲା । ଚାଷଟି ଥିଲା ‘ସଫେଦ ମୁସଲି’, ଯାହାର ଉତ୍ପାଦକୁ କେଜି ପିଛା ପ୍ରାୟ ୮୦୦ ଟଙ୍କା ଦରରେ କିଣି ନେବାର ବାଏବ୍ୟାକ୍  ଗ୍ୟାରେଣ୍ଟି ମଧ୍ୟ ଚାଷୀଙ୍କୁ ଦିଆଯାଉଥିଲା । ହେଲେ ସେଥିପାଇଁ ଆବଶ୍ୟକ ରୋପଣ ଉପାଦାନ (ଚେର) ଏଜେଣ୍ଟଙ୍କ ନିକଟରୁ ହିଁ ନିର୍ଦ୍ଦିଷ୍ଟ ଦରରେ କିଣିବାକୁ ହେଉଥିଲା । ସଫେଦ ମୁସଲିର ଚାହିଦା ଓ ବଜାର ସମ୍ପର୍କରେ ଅନଭିଜ୍ଞ ଚାଷୀଟି ଅତ୍ୟଧିକ ଲାଭର ସ୍ୱପ୍ନ ଦେଖି ସଫେଦ ମୁସଲି ଚାଷକୁ ଆଦରିଥିଲା ସିନା, ହେଲେ ଉଭୟ କଞ୍ଚାମାଲ ଓ ବିକ୍ରିବଟା ପାଇଁ ତାକୁ ସେହି ଏଜେଣ୍ଟ ଉପରେ ନିର୍ଭର କରିବାକୁ ହେଉଥିଲା । ସ୍ଫୀତ ଚାହିଦାକୁ ଦର୍ଶାଇ କେବଳ ଚେର କିଣି ସେହି ଚେରକୁ ଅନ୍ୟ ଚାଷୀଙ୍କୁ ବିକ୍ରି କରି ଗୋଟିଏ ବ୍ୟବସାୟ ମଡ଼େଲ ଆଉ କେତେ ଦିନ ବା ତିଷ୍ଠି ରହିପାରିଥାଆନ୍ତା? ଅନେକ ଚାଷୀ କ୍ଷତିଗ୍ରସ୍ତ ହେଲେ ଓ ସଫେଦ ମୁସଲି ଚାଷର ନାଁ ଗନ୍ଧ ଆଉ ଶୁଣିବାକୁ ମିଳିଲାନାହିଁ । ଅର୍ଥାତ୍ ଗୋଟିଏ ବ୍ୟବସାୟ ମଡ଼େଲ ସମ୍ପର୍କରେ ଭଲ କରି ନ ବୁଝି କେବଳ ଅନ୍ୟ କେହି ସ୍ୱପ୍ନ ବିକୁଛି ବୋଲି ତାକୁ ଯଦି ଗ୍ରହଣ କରିନିଆଯାଏ ତେବେ ତାକୁ ହୁଏତ ସଫେଦ ମୁସଲି ଚାଷୀର ଦୁରବସ୍ଥା ଭୋଗିବାକୁ ପଡ଼ିପାରେ । ଅନୁରୂପ ଭାବେ ଅଶୀ ଦଶକରେ ଓଏସଏଫସିରୁ ଋଣ ନେଇ ସମୁଦ୍ର ଦେଖି ନଥିବା କିଛି ଅନଭିଜ୍ଞ ଯୁବକ ବି ପାରାଦୀପରେ ଟ୍ରଲର ବ୍ୟବସାୟ କରିବାକୁ ଆଗେଇ ଆସି କିପରି କ୍ଷତିଗ୍ରସ୍ତ ହୋଇଥିଲେ ତାହା ହୁଏତ ଅନେକଙ୍କ ବିସ୍ମୃତ ହୋଇନଥିବ । ଭାରତରେ ସଂଖ୍ୟାଧିକ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ଅବସ୍ଥା କିଛିଟା ସେହିପରି । ଅଳ୍ପଦିନ ମଧ୍ୟରେ ବିପୁଳ ରୋଜଗାରର ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କୁ ‘ଅମୁକ ଷ୍ଟାର୍ଟଅପ ‘ୟୁନିକର୍ଣ୍ଣ’ ହୋଇଗଲାର ସ୍ୱପ୍ନ ବିକି ଷ୍ଟାର୍ଟଅପ୍ ପ୍ରତି ଆକୃଷ୍ଟ କରିବା ସହଜ । କିନ୍ତୁ ଷ୍ଟାର୍ଟଅପରେ ପାଦଦେବା ପୂର୍ବରୁ ନବଉଦ୍ୟୋଗୀମାନେ ଷ୍ଟାର୍ଟଅପ ପରିମଣ୍ଡଳର ଅନ୍ତତଃ କିଛିଟା ବାସ୍ତବତା ସମ୍ପର୍କରେ ଅବଗତ ହୋଇ ସତର୍କତା ଅବଲମ୍ୱନ କରି ଅଗ୍ରସର ହେବା ନିତାନ୍ତ ଆବଶ୍ୟକ । 

ଜୁଲାଇ ୨୦୨୧ରେ ଯେତେବେଳେ ଆଗଧାଡିର ଷ୍ଟାର୍ଟଅପ୍ ‘ଜୋମାଟୋ’ର ଶେୟାର ବଜାରରେ ଆଇପିଓ ମାଧ୍ୟମରେ ପ୍ରବେଶକୁ ନିବେଶକମାନେ ଉତ୍ସାହର ସହିତ ସ୍ୱାଗତ କଲେ ସେତେବେଳେ ୭୬ଟଙ୍କାର ପ୍ରତି ସେୟାର ୧୧୬ ଟଙ୍କାରେ ବିକ୍ରି ଆରମ୍ଭ ଦେଖି ଭାରତରେ ଷ୍ଟାର୍ଟଅପର ସୁବର୍ଣ୍ଣ ଯୁଗ ଆସିଗଲା ବୋଲି କୁହାଗଲା । ସେହି ଜୋମାଟୋ ସେୟାର ମୂଲ୍ୟ ନଭେମ୍ୱର ୨୦୨୧ ସୁଦ୍ଧା ୧୬୯ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇ ତା'ର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଏପ୍ରିଲ ୧୩, ୨୦୨୩ରେ ମାତ୍ର ୫୪ ଟଙ୍କାରେ ପହଞ୍ଚିଛି । ଫଳରେ କମ୍ପାନୀର ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପିଟାଲାଇଜେସନ) ୧.୩୩ ଲକ୍ଷ କୋଟି ଟଙ୍କାରୁ ଖସି ଆସି ମାତ୍ର ୪୪୦୦୦ କୋଟି ଟଙ୍କାରେ ପହଞ୍ଚିଛି, ଯଦ୍ଦ୍ୱାରା ନିବେଶକଙ୍କର ପ୍ରାୟ ୯୦୦୦୦ କୋଟି ଟଙ୍କା କ୍ଷତି ହୋଇସାରିଛି । ଅଂଶଧନ ବଜାରରେ ପ୍ରବେଶ କରିଥିବା ପେଟିଏମ, ନାଇକା ପରି କେତେକ ୟୁନିକର୍ଣ୍ଣଙ୍କ ଅବସ୍ଥା ମଧ୍ୟ ଊଣା ଅଧିକେ ସେଇୟା । ଭାରତୀୟ ୟୁନିକର୍ଣ୍ଣଗୁଡ଼ିକର ଅତ୍ୟଧିକ-ମୂଲ୍ୟାଙ୍କନ (ଓଭର ଭାଲୁଏସନ) ହୋଇଥିବାର ଅଭିଯୋଗ ହୋଇ ଖୁଚୁରା ନିବେଶକଙ୍କର ସେଗୁଡ଼ିକ ପ୍ରତି ମୋହଭଙ୍ଗ ହୋଇଛି । ଫଳରେ ୨୦୨୧ରେ ୧୧ଟି ଷ୍ଟାର୍ଟଅପ ଆଇପିଓ ଜାରି କରିଥିଲେ ବି  ୨୦୨୨ରେ ସେହି ସଂଖ୍ୟା ମାତ୍ର ୨କୁ ଖସିଆସିଥିଲା । ୨୦୨୩ର ପ୍ରଥମ ୩ ମାସ ମଧ୍ୟରେ ତ ଗୋଟିଏ ହେଲେ ଷ୍ଟାର୍ଟଅପ୍ ଆଇପିଓ ଜାରି କରିବାକୁ ସାହସ ଜୁଟାଇ ପାରିନାହାନ୍ତି । ଏପରିକି ଭାରତର ସର୍ବବୃହତ୍ ଷ୍ଟାର୍ଟଅପ୍ ‘ବାଇଜୁଜ’ ମଧ୍ୟ କ୍ରମାଗତ ୨ ବର୍ଷ ଧରି କ୍ଷତି କରି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।  ଅର୍ଥାତ୍ ଷ୍ଟାର୍ଟଅପଗୁଡ଼ିକୁ ନେଇ କ୍ରମାଗତ ଭାବେ ଆସୁଥିବା ଦୁଃସମ୍ୱାଦ ଷ୍ଟାର୍ଟଅପ ପରିମଣ୍ଡଳରେ ଏକ ନିରାଶାର ବାତାବରଣ ଖେଳାଇ ଦେଇଛି । 

କୌଣସି ଉତ୍ପାଦ ବା ସେବାକୁ ଅଭିନବ ଉପାୟରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ହେଉଥିବା ପ୍ରୟାସ ଯେଉଁ ନୂତନ କମ୍ପାନୀ ମାଧ୍ୟମରେ ହୁଏ ସାଧାରଣତଃ ତାକୁ ଷ୍ଟାର୍ଟଅପ୍ କୁହାଯାଇଥାଏ । ଭାରତ ସରକାରଙ୍କ ଅଧିନସ୍ଥ ଡିପିଆଇଆଇଟିର ତଥ୍ୟ ଅନୁଯାୟୀ ନଭେମ୍ୱର ୩୦, ୨୦୨୨ ସୁଦ୍ଧା ୮୪୧୦୨ଟି ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛନ୍ତି ଯେଉଁଥିରେ ପ୍ରାୟ ୭.୫୦ ଲକ୍ଷ ଲୋକ ନିଯୁକ୍ତ । ସଂଖ୍ୟାଧିକ ଷ୍ଟାର୍ଟଅପ କ୍ଷତିଗ୍ରସ୍ତ ହେଉଥିବାରୁ ସେଗୁଡ଼ିକର ବିଫଳତାର କାରଣ ଖୋଜିଲେ ସେଥିରୁ ସର୍ବାଧିକ ୪୨ ପ୍ରତିଶତ ଉତ୍ପାଦ ଚାହିଦାର ଭୁଲ ଆକଳନଜନିତ ବୋଲି ଜଣାପଡ଼େ । ପାଣ୍ଠିର ଅଭାବ (୨୯%), ଦୁର୍ବଳ ପ୍ରତିଷ୍ଠାତା (୨୩%), ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନପାରିବା (୧୯%) ଭଳି କାରଣଗୁଡ଼ିକ ମଧ୍ୟ ବିଫଳତାର ଅନ୍ୟ ବଡ଼ କାରଣ ହୋଇଥିଲେ ବି ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ, ଦୁର୍ବଳ ମାର୍କେଟିଂ, ଭୁଲ୍ ସମୟରେ ଉତ୍ପାଦ ବଜାରକୁ ଛାଡ଼ିବା ଆଦି କାରଣଗୁଡିକ ମଧ୍ୟ ବିଫଳତାର କାରଣ ହୋଇଥାଏ । ତେଣୁ ଷ୍ଟାର୍ଟଅପଗୁଡ଼ିକ ତିଷ୍ଠି ରହିବା ଓ ଅଗ୍ରଗତି କରିବା ପାଇଁ ଅନେକ ଆହ୍ୱାନ ମଧ୍ୟରୁ ନିମ୍ନ କେତୋଟି ପ୍ରମୁଖ । ପ୍ରଥମତଃ ସୁରକ୍ଷିତ ବ୍ୟାବସାୟିକ ବାତାବରଣ ଯୋଗାଇଦେବା ସମ୍ଭବ ହେଉନଥିବାରୁ ବ୍ୟବସାୟରେ ସେମାନଙ୍କୁ ଉଗ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରାରମ୍ଭିକ ସଫଳତା ଯୋଗୁଁ ସେଗୁଡ଼ିକ ନିକଟରୁ ପ୍ରତ୍ୟାଶା ବଢ଼ିଥାଏ । ସେଥିରୁ କେବଳ ବାସ୍ତବ ପ୍ରତ୍ୟାଶାଗୁଡ଼ିକୁ ଚିହ୍ନଟ କରି ତାହା ପରିପୂରଣ କରିବା ଦିଗରେ ନିରନ୍ତର ପ୍ରୟାସ ହେବା ଆବଶ୍ୟକ । ଷ୍ଟାର୍ଟଅପ ଲାଗି ଉପଯୁକ୍ତ ମାନବ ସମ୍ୱଳ ପାଇବା ମଧ୍ୟ ଏକ ବଡ଼ ଆହ୍ୱାନ । ବ୍ୟକ୍ତିଗତ ଭାବେ ପରିଚାଳିତ ଷ୍ଟାର୍ଟଅପ ତୁଳନାରେ ଅନ୍ୟମାନଙ୍କ ସହଯୋଗରେ ପରିଚାଳିତ ଷ୍ଟାର୍ଟଅପର ସଫଳତା ହାର ଅଧିକ ହେବା ପରିଲକ୍ଷିତ ହୋଇଥାଏ । ତଦ୍ଦ୍ୱାରା ନିଷ୍ପତ୍ତି ଗ୍ରହଣ ସହଜ ହେବା ସହ ସହଯୋଗୀଙ୍କ ବିଶ୍ୱସନୀୟତା ଓ ଖ୍ୟାତିରୁ ବି ଲାଭ ମିଳିଥାଏ । ଷ୍ଟାର୍ଟଅପଗୁଡ଼ିକର ଆର୍ଥିକ ପରିଚାଳନା ଏକ ବଡ଼ ଆହ୍ୱାନ । ଆବଶ୍ୟକ ପାଣ୍ଠି ପାଇଁ ସେଗୁଡ଼ିକ ମୁଖ୍ୟତଃ ନିବେଶକମାନଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ ଅଭିବୃଦ୍ଧି ସହ ପାଣ୍ଠିର ଆବଶ୍ୟକତା ବଢିବା ଓ ବେଳେବେଳେ ଉତ୍କଟ ଆର୍ଥିକ ଅନଟନ ଭିତରକୁ ଠେଲି ହୋଇଯିବା ସ୍ୱାଭାବିକ ହୋଇଥିଲେ ବି ସବୁ ଷ୍ଟାର୍ଟଅପ ସେହି ଆହ୍ୱାନର ମୁକାବିଲା କରିପାରିନଥାନ୍ତି । ସେଥିପାଇଁ ଆର୍ଥିକ ପରାମର୍ଶପ୍ରଦାନକାରୀ ସଂସ୍ଥାଗୁଡ଼ିକର ସହାୟତା ନେବା ଜରୁରୀ ହୋଇପଡ଼େ । ଦ୍ରୁତ ଅଭିବୃଦ୍ଧି ପାଇଁ ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଷ୍ଟାର୍ଟଅପର ନୀତି ଓ ଆଦର୍ଶ ଗ୍ରାହକକୈନ୍ଦ୍ରିକ ହେବା ବିଧେୟ ।

ଷ୍ଟାର୍ଟଅପର ସଫଳତାକୁ ମାପିବା ପାଇଁ ଭିନ୍ନ ଭିନ୍ନ ପଦ୍ଧତିର ଆଶ୍ରୟ ନିଆଯାଇଥାଏ, ଯେମିତି ଆୟ, ଲାଭ, ନଗଦ ପ୍ରବାହ ଭଳି ବିତ୍ତୀୟ ସୂଚକଗୁଡ଼ିକ ମାଧ୍ୟମରେ ହେଉ ବା ଗ୍ରାହକ ଆହରଣ ଓ ସେମାନଙ୍କୁ ଧରି ରଖିବା, କର୍ମଚାରୀ ସନ୍ତୋଷ, ନିବେଶକ ସନ୍ତୋଷ ଆଦି ଅନ୍ୟ ସୂଚକ ମାଧ୍ୟମରେ ହେଉ । ତେବେ ସବୁ ଷ୍ଟାର୍ଟଅପ ଏକା ପରି ହୋଇନଥିବାରୁ ଏକ ନିର୍ଦ୍ଦିଷ୍ଟ ଷ୍ଟାର୍ଟଅପ ଲାଗି ସଫଳତାର ଅର୍ଥ କ'ଣ ହେବ, ସେ ନେଇ ଉଦ୍ୟୋଗୀଙ୍କ ନିକଟରେ ସ୍ପଷ୍ଟତା ରହିବା ସହ ତାହା ହାସଲ କରିବା ପାଇଁ ଯୋଜନା ମଧ୍ୟ ରହିବା ଆବଶ୍ୟକ । କିନ୍ତୁ ଅଧିକାଂଶ ସଫଳ ଷ୍ଟାର୍ଟଅପ୍ ‘ପିଠଉ ଅନୁସାରେ ପିଠା ନୀତି’ରେ ବିଶ୍ୱାସ କରି କାର୍ଯ୍ୟ କରୁନଥିବାରୁ ଆୟବୃଦ୍ଧି (ରେଭିନ୍ୟୁ ମଡେଲ) ଅପେକ୍ଷା ଦ୍ରୁତ ଅଭିବୃଦ୍ଧି (ଫାଷ୍ଟ ଗ୍ରୋଥ) ମଡେଲ ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି । ବସ୍ତୁତଃ ଏହି ମଡ଼େଲଟି ‘ବର୍ତ୍ତମାନ’ର କ୍ଷତିରେ ବିବ୍ରତ ନହୋଇ ‘ଭବିଷ୍ୟତ’ରେ ହେବାକୁ ଥିବା ବୃହତ୍ ଲାଭ ଉପରେ ଦୃଷ୍ଟି ନିବଦ୍ଧ ରଖି ପରିଚାଳିତ ହୋଇଥାଏ । ତେଣୁ ସେଥିପାଇଁ ଆବଶ୍ୟକ ହେଉଥିବା ବିପୁଳ ପରିମାଣର ପୁଞ୍ଜିକୁ ବିଭିନ୍ନ ନିବେଶକଙ୍କଠାରୁ ଆହରଣ କରିବା ପାଇଁ ଲଗାତାର ପ୍ରୟାସ କରିବାକୁ ହୋଇଥାଏ । ଅତ୍ୟଧିକ ପୁଞ୍ଜିନିର୍ଭର ଏହି ମଡ଼େଲରେ ଷ୍ଟାର୍ଟଅପଟିର ହୁଏତ ଅହେତୁକ ମୂଲ୍ୟାଙ୍କନ ବୃଦ୍ଧି ହୋଇପାରେ, କିନ୍ତୁ କୌଣସି କାରଣରୁ ପୁଞ୍ଜିର ସର୍ତ୍ତ ଷ୍ଟାର୍ଟଅପର ବ୍ୟବସାୟ ଅନୁକୂଳ ନ ହୋଇ ପୁଞ୍ଜିପ୍ରବାହ ହ୍ରାସ ପାଇଲେ ଷ୍ଟାର୍ଟଅପଟି ବିପୁଳ କ୍ଷତିର ସମ୍ମୁଖୀନ ହୁଏ ଓ ସ୍ଥଳବିଶେଷରେ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇପାରେ ମଧ୍ୟ । ତେବେ ସାଧାରଣତଃ ସଫଳ ଷ୍ଟାର୍ଟଅପର ଉଦ୍ୟମୀମାନଙ୍କ ଆର୍ଥିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ତଥା ବିପଦ ସହନଶକ୍ତି ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥାଏ । ସେମାନେ ପ୍ରଥମରୁ ବଜାର ଚାହିଦା ଥିବା ଏକ ଭଲ ଉତ୍ପାଦ ଓ ଏକ ଶକ୍ତିଶାଳୀ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଟିମ ସହ ବ୍ୟବସାୟ ପ୍ରକ୍ରିୟାକୁ ବୁଝି ସାମଗ୍ରିକ ଭାବେ ପ୍ରତିଟି ଦିଗ ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଥାନ୍ତି । ପରିଚାଳନା କରୁଥିବା ଟିମଟି ମଧ୍ୟ ବହୁମୁଖୀ ପ୍ରତିଭାସମ୍ପନ୍ନ  ହେଲେ ତାହା ବିଭିନ୍ନ ପ୍ରକାର ଆହ୍ୱାନକୁ ମୁକାବିଲା କରିବାକୁ ସମର୍ଥ ହୋଇଥାଏ । ବିକାଶର ଆଦ୍ୟ ସ୍ତରରେ ଅଧିକାଂଶ କମ୍ପାନୀଙ୍କର କାର୍ଯ୍ୟକାରୀ ପୁଞ୍ଜିର ଅଭାବ ଦେଖାଦେଉଥିବାରୁ ସେମାନେ ଅଗ୍ରଗତି କରିପାରିନଥାନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିବାରୁ ନିୟମିତ ଲାଭ ହେବା ପର୍ଯ୍ୟନ୍ତ ସେଗୁଡ଼ିକୁ ବାହାରର ନିବେଶ ଉପରେ ନିର୍ଭର କରିବାକୁ ହୋଇଥାଏ । ପ୍ରାକ୍-ବୀଜ ନିବେଶ (ପ୍ରି-ସିଡ଼ ଫଣ୍ଡିଙ୍ଗ)ଠାରୁ ଆରମ୍ଭ କରି ଆଇପିଓ (ଇନିସିଆଲ ପବ୍ଲିକ ଅଫର) ପର୍ଯ୍ୟନ୍ତ ୮ଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଷ୍ଟାର୍ଟଅପର ପୁଞ୍ଜି ଆବଶ୍ୟକତା ଉପୁଜିଥାଏ । ତେବେ ନିବେଶ ଦୃଷ୍ଟିରୁ ଭାରତୀୟ ଷ୍ଟାର୍ଟଅପ ପରିମଣ୍ଡଳ ଏବେ ଏକ ‘ନିବେଶ ଶୀତକାଳ’ (ଫଣ୍ଡିଙ୍ଗ ଉଇଣ୍ଟର) ଦେଇ ଗତି କରୁଛି । ୨୦୨୧ରେ ଏଠାକାର ଷ୍ଟାର୍ଟଅପଗୁଡ଼ିକ ୩୭୦୦ କୋଟି ଡଲାର ପାଣ୍ଠି ସଂଗ୍ରହ କରିପାରିଥିଲେ । ୨୦୨୨ରେ ତାହା ୨୪୦୦ କୋଟି ଡଲାରକୁ ଖସି ଆସିଛି । ସୁଧହାର ବୃଦ୍ଧି ଓ ଆର୍ଥିକ ମାନ୍ଦାବସ୍ଥାର ଭୟ ନିବେଶକମାନଙ୍କୁ କୌଣସି ପ୍ରକାର ବିପଦ ମୁଣ୍ଡାଇବାକୁ ପ୍ରେରିତ କରୁନଥିବାରୁ ସେମାନେ ଷ୍ଟାର୍ଟଅପରେ ନିବେଶରୁ ଦୂରେଇ ରହୁଛନ୍ତି । ପୁଞ୍ଜି ଅଭାବରୁ ଷ୍ଟାର୍ଟଅପଗୁଡ଼ିକ ଭବିଷ୍ୟତର ବିସ୍ତାର ଯୋଜନାକୁ ଥୁକୁଲ୍ ପକାଇବାକୁ ବାଧ୍ୟ ହୋଇ କେବଳ ଏବର ରାଜସ୍ୱ ପ୍ରବାହର ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଫଳରେ ଭବିଷ୍ୟତ ବିସ୍ତାର ପାଇଁ ନିୟୋଜିତ କର୍ମଚାରୀମାନଙ୍କର ବ୍ୟାପକ ଛଟେଇ ହେଉଛି । ତେଣୁ ଷ୍ଟାର୍ଟଅପଗୁଡ଼ିକ ନିଯୁକ୍ତି ପ୍ରଦାନରେ ଏକ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ଯାହା ଆଶା କରାଯାଉଥିଲା, ତାହା ଆପାତତଃ ମଉଳିବାକୁ ଲାଗିଲାଣି । ବିଗତ ବର୍ଷମାନଙ୍କରେ ବିପୁଳ ପୁଞ୍ଜିର ସହଜ ଉପଲବ୍ଧତା କାରଣରୁ ଷ୍ଟାର୍ଟଅପର ନିଶ୍ଚିତ ସଫଳତାର ସୁନେଲି ସ୍ୱପ୍ନରେ ଆକର୍ଷିତ ହୋଇ ଅନେକ ଉଦ୍ୟୋଗୀ ଆଗେଇ ଆସିଥିଲେ । ଶତାଧିକ ଭାରତୀୟ କମ୍ପାନୀ ‘ୟୁନିକର୍ଣ୍ଣ’ (କମ୍ପାନିର ସମ୍ପତ୍ତିର ମୂଲ୍ୟ ୧୦୦ କୋଟି ଡଲାର)ରେ ପରିଣତ ହେବାକୁ ମଧ୍ୟ ବେଶ ବଡ ଆକାରରେ ପ୍ରଚାର କରାଯାଇ ଷ୍ଟାର୍ଟଅପ ଯୋଜନାର ସଫଳତାର ବଖାଣ ହେବାକୁ ଲାଗିଥିଲା । ୨୦୨୨ ସୁଦ୍ଧା ଭାରତରେ ୧୦୮ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କମ୍ପାନୀ ହୋଇପାରିଥିଲେ । ୨୦୨୧ରେ ୪୨ଟି ନୂଆ ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ ହୋଇପାରିଥିବା ବେଳେ ୨୦୨୨ରେ ସେହି ସଂଖ୍ୟା ୨୧କୁ ହ୍ରାସପାଇଛି । ଏବେ ପୁଞ୍ଜି ସଙ୍କୋଚନ ସମସ୍ୟାକୁ ସାମନା କରିପାରୁ ନଥିବା ଷ୍ଟାର୍ଟଅପଗୁଡ଼ିକ ବଜାରରୁ ନିଶ୍ଚିହ୍ନ ହୋଇଯିବା ଆଶଙ୍କା ଅସ୍ୱାଭାବିକ ହୋଇନଥିବାରୁ ଆଗାମୀ ଦିନରେ ବିଫଳ ଷ୍ଟାର୍ଟଅପଙ୍କ ସମ୍ପର୍କରେ ହୁଏତ ଅଧିକ କାହାଣୀ ଶୁଣିବାକୁ ମିଳିପାରେ । ତେଣୁ ୟୁନିକର୍ଣ୍ଣର ସ୍ୱପ୍ନ ଦେଖିବାରେ ମନା ନାହିଁ, କିନ୍ତୁ ବଜାରର କ୍ରୂର ବାସ୍ତବତାକୁ ଅଣଦେଖା କରି କେବଳ ସେହି ସ୍ୱପ୍ନରେ ଭାସିଯାଇ ଷ୍ଟାର୍ଟଅପରେ ପ୍ରବେଶ କରିବା ହୁଏତ ନିଜର ତଥା ପରିବାରର ଅପୂରଣୀୟ କ୍ଷତିସାଧନ କରି ‘ମୁଙ୍ଗେରିଲାଲ କେ ହସିନ୍ ସପନେ’ ହୋଇ ରହିଯାଇପାରେ । 

  ଆରମ୍ଭ ହେବାର ୫ ବର୍ଷ ମଧ୍ୟରେ ପ୍ରତି ୧୦୦ଟି ଷ୍ଟାର୍ଟଅପ୍ ମଧ୍ୟରୁ ୯୦ଟି ବିଫଳ ହେବା ଷ୍ଟାର୍ଟଅପ ପରିମଣ୍ଡଳରେ ସ୍ୱାଭାବିକ ଘଟଣା ହୋଇଥିଲେ ବି ଭାରତ ଭଳି ଏକ ଦେଶରେ ଏ ଭଳି ଉଚ୍ଚ ବିପଦସମ୍ପନ୍ନ ପରିମଣ୍ଡଳ ପ୍ରତି ବିଶେଷ ପ୍ରସ୍ତୁତି ନ ଥିବା ଓ ଆର୍ଥିକ ବିପଦ ମୁଣ୍ଡାଇବାର ଯଥେଷ୍ଟ କ୍ଷମତା ନଥିବା ସାଧାରଣ ପରିବାରର ଯୁବବର୍ଗଙ୍କୁ ଆକର୍ଷିତ କରିବା ବିପଦସଙ୍କୁଳ ନିଶ୍ଚୟ । ସେଥିପାଇଁ ପ୍ରଥମେ ସ୍କୁଲ ସ୍ତରରୁ ଉଦ୍ୟମିତା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ସହ ଆଦ୍ୟ ୫ ବର୍ଷ ଯାଏଁ ଉଦ୍ୟୋଗୀଙ୍କୁ ହାତଧରା (ହ୍ୟାଣ୍ଡ ହୋଲଡ଼ିଂ) ସାହାଯ୍ୟ ପ୍ରଦାନ କରାଯିବା ଆବଶ୍ୟକ । ଏଥିସହ ବିଫଳ ବା ବନ୍ଦ ହୋଇଥିବା ଷ୍ଟାର୍ଟଅପଗୁଡ଼ିକର କାରଣ ଅନୁଧ୍ୟାନ ସହ ସମ୍ପୃକ୍ତ ଉଦ୍ୟମୀମାନଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଅଧ୍ୟୟନ କରାଯାଇ ସେମାନଙ୍କ ପୁନର୍ବାସନର ବ୍ୟବସ୍ଥା କରାଯିବା ଉଚିତ । ତଦ୍ଦ୍ୱାରା ନୂତନ ଉଦ୍ୟମୀଙ୍କଠାରେ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପ୍ରତି ଆଗ୍ରହ ଓ ବିଶ୍ୱାସ ଜନ୍ମିପାରିବ । ସମୁଦ୍ର ବିହାର ପାଇଁ ଉତ୍ସୁକ ଲୋକଟିଏ ଯଦି ସମୁଦ୍ରର ଅତଳ ଗଭୀରତା ଓ ଅନ୍ତଃସ୍ରୋତ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ପୂର୍ବ ପ୍ରସ୍ତୁତି ନଥାଇ କେବଳ ସୁନୀଳ ଢେଉ ପ୍ରତି ଆକୃଷ୍ଟ ହୋଇ ସମୁଦ୍ରକୁ ଲମ୍ଫ ପ୍ରଦାନ କରେ ତେବେ ସେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେବା ଅବଶ୍ୟମ୍ଭାବୀ ।


Published in Sambad on April 18, 2023

 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍