Skip to main content

ବିରୋଧୀଙ୍କ ଆଇନଗତ ମେଣ୍ଟ ଜରୁରୀ

ରାୟପୁରଠାରେ ଅନୁଷ୍ଠିତ କଂଗ୍ରେସର ମହାଧିବେଶନରେ ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ଦେଶର ରାଜନୈତିକ ବାତାବରଣକୁ ଦୃଷ୍ଟିରେ ରଖି ବିରୋଧୀଦଳଙ୍କ ମଧ୍ୟରେ ରାଜନୈତିକ ମେଣ୍ଟ ଗଠନ ପୂର୍ବରୁ ପ୍ରଥମେ ଏକ ଆଇନଗତ ମେଣ୍ଟ ଗଠନର ଆବଶ୍ୟକତା ଉପରେ ପ୍ରଖର ଯୁକ୍ତି ବାଢ଼ିଥିଲେ । କଂଗ୍ରେସର ସଦସ୍ୟ ନଥିବା ଅନ୍ୟତମ ବିଶିଷ୍ଟ ଆଇନଜ୍ଞ କପିଲ ସିବଲ ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଅନୁରୂପ ଭାବେ ଏକ ଆଇନଗତ ମେଣ୍ଟରେ ବାନ୍ଧି ରଖିବା ଲାଗି ‘ଇନସାଫ କେ ସିପାହୀ’ ନାମକ ଏକ ମଞ୍ଚର ଗଠନ କରିଛନ୍ତି । ଠିକ୍ ଏତିକିବେଳେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଯେଉଁ ତତ୍ପରତାର ସହିତ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଗଲା, ତାହା ସ୍ୱାଭାବିକ ଭାବେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ଉପରୋକ୍ତ ଆଇନଗତ ମେଣ୍ଟ ଗଠନର ପରିକଳ୍ପନାକୁ ବାସ୍ତବ ରୂପ ଦେବାର ସମ୍ଭାବନାଟିଏ ସୃଷ୍ଟି କରିଛି । 

ଏକ ବିଡ଼ମ୍ୱନା ସ୍ୱରୂପ ମାତ୍ର ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ ଭୋଟ ପାଇ ବିଜେପି ୩୦୩ ଆସନ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ଯଥେଷ୍ଟ ଅଧିକ ଭୋଟ ପାଇ ମଧ୍ୟ ରାଜନୈତିକ ମେଣ୍ଟ ବା ସମନ୍ୱୟ ଅଭାବରୁ ବିଜେପିର ମୁକାବିଲା କରିବାକୁ ଅସମର୍ଥ ହେଉଛନ୍ତି । ଏଭଳି ସ୍ଥଳେ ବିରୋଧୀଦଳଗୁଡ଼ିକ ମଧ୍ୟରେ ମେଣ୍ଟଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କିଛି ଦଳ କଂଗ୍ରେସରୁ ବାହାରି ତିଆରି ହୋଇଥିଲା ବେଳେ ଆଉ କିଛି ମୂଳରୁ କଂଗ୍ରେସ ବିରୋଧୀ ରାଜନୀତି କରିଆସିଥିବାରୁ ସେମାନଙ୍କ ପକ୍ଷେ କଂଗ୍ରେସ ସହ ମେଣ୍ଟ ଗଠନ ଅସହଜ ହେଉଛି । ଅବଶ୍ୟ କିଛି ଦଳ ପରବର୍ତ୍ତୀ ସମୟରେ କଂଗ୍ରେସର ନିକଟତର ହୋଇଛନ୍ତି ମଧ୍ୟ । ଅଧିକନ୍ତୁ, ଆପ୍ ଦଳର ଅଭିବୃଦ୍ଧିର କାରଣ ଅନେକ ଦୃଷ୍ଟିରୁ କଂଗ୍ରେସର ବିଫଳତା ବୋଲି ମନେ କରାଯାଏ । ତା’ଛଡ଼ା ବିଭିନ୍ନ ପ୍ରସଙ୍ଗରେ ପ୍ରତିଟି ଦଳର ଭିନ୍ନ ଭିନ୍ନ ମତ ରହିବା ବି କିଛି ବିଚିତ୍ର ନୁହେଁ । ତେଣୁ ନିଜ ନିଜ ଅଞ୍ଚଳରେ ନିଜ ପତିଆରାକୁ ଅତୁଟ ରଖିବା ସହ ଭବିଷ୍ୟତରେ ବିସ୍ତାର ପାଇଁ ଆଶାୟୀ ଦଳଗୁଡ଼ିକ ପରସ୍ପରକୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରୂପେ ଦେଖନ୍ତି । ତେଣୁ ସବୁ ବିରୋଧୀଦଳଙ୍କୁ ନେଇ ରାଜନୈତିକ ମେଣ୍ଟଗଠନ ସହଜ ନୁହେଁ । ଏହାସତ୍ତ୍ୱେ କଂଗ୍ରେସକୁ ବାଦ୍ ଦେଇ ଦେଶବ୍ୟାପୀ କୌଣସି ମେଣ୍ଟର ପରିକଳ୍ପନା କରାଯାଇପାରିବନି ବୋଲି ସମସ୍ତେ ହୃଦବୋଧ କରନ୍ତି । ଏପରି ସ୍ଥଳେ ଗତ କିଛି ମାସ ଧରି ଏକ ସୁନିୟୋଜିତ ଢଙ୍ଗରେ କେନ୍ଦ୍ରୀୟ ସଂସ୍ଥାଙ୍କ ଦୁରୁପଯୋଗ କରି ବିଭିନ୍ନ ବିରୋଧୀଦଳର ନେତାମାନଙ୍କୁ ଜେଲରେ ପୂରାଇ ସେଗୁଡ଼ିକୁ ଦୁର୍ବଳ କରାଯିବାର ପ୍ରୟାସ ହେଉଥିବାର ଅଭିଯୋଗ ହେଉଛି । ଏପରିକି କେନ୍ଦ୍ରୀୟ ସଂସ୍ଥାଙ୍କ ଦୁରୁପଯୋଗ ମାଧ୍ୟମରେ ଦଳ ବିଭାଜନ, କ୍ଷମତା ଦଖଲ ଭଳି ଅଗଣତାନ୍ତ୍ରିକ କାର୍ୟ୍ୟଗୁଡ଼ିକୁ ରୂପ ଦିଆଯାଉଥିବାର ଅଭିଯୋଗ ମଧ୍ୟ ହେଉଛି । ଯେନତେନ ପ୍ରକାରେଣ ବିଜେପି କ୍ଷମତାରେ ରହିବାକୁ ଚାହୁଁଥିବା କଥା ଏବେ ବିରୋଧୀଦଳଙ୍କ ନିକଟରେ ସ୍ପଷ୍ଟତର ହୋଇ ସେମାନଙ୍କୁ ଆତଙ୍କିତ କରିବାକୁ ଲାଗିଲାଣି । ସେହି ଦଳଗୁଡ଼ିକର କିଛି ନେତା ଲାଭ ଓ ଲୋଭରେ ଦଳ ଛାଡ଼ୁଥିବା ବେଳେ ସେଥିରେ ଆକୃଷ୍ଟ ହେଉ ନଥିବା କିଛି ନେତାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି କେନ୍ଦ୍ରୀୟ ସଂସ୍ଥାଙ୍କ କ୍ଷମତାର ଦୁରୁପଯୋଗରେ ହଇରାଣ କରାଯାଉଥିବାର ଅଭିଯୋଗ ହେଉଛି । ଦୁର୍ନୀତିଗ୍ରସ୍ତ ନେତାଟିଏ ଶାସକ ଦଳର ହୋଇଗଲେ ତଦନ୍ତ ବାଟ ହୁଡ଼ୁଛି । ‘କଂଗ୍ରେସମୁକ୍ତ ଭାରତ’ର କଥା କହୁଥିବା ଶାସକ ଦଳ ପ୍ରକୃତରେ ଯେ ଏକ ‘ବିରୋଧୀମୁକ୍ତ ଭାରତ’ର ସ୍ୱପ୍ନ ଦେଖୁଛି ବୋଲି ଏକ ଅସ୍ୱସ୍ତିକର ଭୟ ସେମାନଙ୍କୁ ଗ୍ରାସ କଲାଣି । ତେଣୁ ରାଜନୈତିକ ବିସ୍ତାରର ସ୍ୱପ୍ନ ଦେଖିବା ପୂର୍ବରୁ ନିଜ ଅସ୍ତିତ୍ୱର ଲଢ଼େଇ ପାଇଁ ଏକ ଆଇନଗତ ମେଣ୍ଟର ଆବଶ୍ୟକତା ରହିଛି, ଯଦ୍ଦ୍ୱାରା କେନ୍ଦ୍ରୀୟ ସଂସ୍ଥାଙ୍କ କ୍ଷମତାର ଦୁରୁପଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିହେବ ।  

ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡ଼ି. 'ପିଏମଏଲଏ' ବା 'ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ'କୁ ଅସ୍ତ୍ର କରି ଙଠାତ୍ ବଳୀୟାନ ହୋଇ ଉଠିଥିବାର ଦେଖାଯାଉଛି । ୨୦୦୨ରେ ଏନଡ଼ିଏ ସରକାର ଅମଳରେ ପ୍ରଣୀତ ଏହି ଆଇନଟି ୨୦୦୫ରେ ଉପା ସରକାର ଅମଳରେ ପ୍ରଥମେ କାର୍ୟ୍ୟକାରୀ ହୋଇଥିଲା । ଇତିମଧ୍ୟରେ ଏହି ଆଇନରେ ଏକାଧିକ ସଂଶୋଧନ ଆଣି ଇ.ଡ଼ି.କୁ ଅଧିକ କ୍ଷମତାଶାଳୀ କରାଯାଇଛି । ଏବେ ଇ.ଡ଼ି.ର ଏହି କ୍ଷମତା ବୃଦ୍ଧିର କାରଣଗୁଡ଼ିକୁ ଅନୁଧ୍ୟାନ କରାଯାଉ । ସାଧାରଣତଃ ଆପରାଧିକ ପ୍ରକ୍ରିୟା ଅନୁଯାୟୀ ପୋଲିସ କାହାକୁ ଗିରଫ କଲେ ଅଭିଯୁକ୍ତକୁ ଏଫଆଇଆରର ପ୍ରତିଲିପି ଦିଆଯାଇଥାଏ, ଯେଉଁଥିରେ ତା’ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକର ଉଲ୍ଲେଖ ଥାଏ, ଯାହାକୁ ଭିତ୍ତି କରି ଅଭିଯୁକ୍ତ ଜଣକ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାର ପ୍ରୟାସ କରିଥାଏ । ମାତ୍ର ମନି ଲଣ୍ଡରିଂ ଆଇନ ଅନୁଯାୟୀ ଇ.ଡ଼ି. ଯେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିବେ, ହେଲେ ଗିରଫ ସମୟରେ ଅଭିଯୁକ୍ତଙ୍କୁ ଇ.ଡ଼ି. ଦ୍ୱାରା ପ୍ରସ୍ତୁତ 'ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ' (ଏଫଆଇଆର ଭଳି)ର ପ୍ରତିଲିପି ଦେବା ବାଧ୍ୟତାମୂଳକ ନୁହେଁ; ଅର୍ଥାତ୍ ଅଭିଯୁକ୍ତଙ୍କୁ କେବଳ ଗିରଫର କାରଣ ଜଣାଇଦେଲେ ହିଁ ଯଥେଷ୍ଟ । ତେଣୁ ଇ.ଡ଼ି. ଦ୍ୱାରା ଗିରଫ ହେଲେ ସହଜରେ ଜାମିନ ମିଳି ନଥାଏ ଓ ଅଭିଯୁକ୍ତଙ୍କୁ ମାସ ମାସ ଧରି ଜେଲରେ କଟାଇବାକୁ ହୋଇଥାଏ । ବିରୋଧୀଦଳଗୁଡ଼ିକର ଅଭିଯୋଗ ଯେ ଏହାକୁ ବିରୋଧର ସ୍ୱରକୁ ଚାପି ଦେବା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ସାକ୍ଷ୍ୟ ଅଧିନିୟମ, ୧୯୭୨ ଅନୁଯାୟୀ ଅଭିଯୁକ୍ତ ଦ୍ୱାରା ପୋଲିସ ସମ୍ମୁଖରେ ପ୍ରଦାନ କରାଯାଇଥିବା ସ୍ୱୀକାରୋକ୍ତି ଅଦାଲତରେ ପ୍ରମାଣ ରୂପେ ଗ୍ରହଣୀୟ ନୁହେଁ । ହେଲେ ପିଏମଏଲଏ ଅନୁଯାୟୀ ଇ.ଡ଼ି. ଅଧିକାରୀଙ୍କ ସମ୍ମୁଖରେ ପ୍ରଦତ୍ତ ବିବୃତିକୁ ଅଭିଯୁକ୍ତ ବିରୁଦ୍ଧରେ ପ୍ରମାଣ ରୂପେ ବ୍ୟବହାର କରିହୁଏ । ଇ.ଡ଼ି.ର ଏଭଳି କ୍ଷମତାଗୁଡ଼ିକର ବିରୋଧୀଙ୍କ ବିରୋଧରେ ଦୁରୁପଯୋଗ ହେଉଥିବାର ଅଭିଯୋଗ ହୁଏ । ରାଜ୍ୟସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୨୨ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ୩୦୧୦ଟି ଚଢ଼ଉ କରାଯାଇଛି । ୨୦୧୪ ପର୍ଯ୍ୟନ୍ତ ମାତ୍ର ୧୧୨ଟି ଚଢ଼ଉ ହୋଇଥିଲା ବେଳେ ଗତ ୮ ବର୍ଷ ମଧ୍ୟରେ ତାହା ପ୍ରାୟ ୨୭ ଗୁଣ ବୃଦ୍ଧି ପାଇଛି । ୨୦୧୪ ପୂର୍ବରୁ ୫୪ ପ୍ରତିଶତ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ଇ.ଡ଼ି. ତଦନ୍ତ ହୋଇଥିବା ବେଳେ ୨୦୧୪ ପରେ ତାହା ୯୫ ପ୍ରତିଶତରେ ପହଞ୍ଚିସାରିଛି ।

ସେହିପରି ୨୦୦୪ରୁ ୨୦୧୪ ମଧ୍ୟରେ ସମୁଦାୟ ୭୨ ଜଣ ରାଜନୈତିକ ନେତାଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୪୩ ଜଣ ବା ପ୍ରାୟ ୬୦ ପ୍ରତିଶତ ବିରୋଧୀ ଦଳର ଥିଲେ । ୨୦୧୪ରୁ ସେପ୍ଟେମ୍ୱର ୨୦୨୨ ମଧ୍ୟରେ ରାଜନେତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନରେ ବୃଦ୍ଧି ହୋଇ ତାହା ୧୨୪ରେ ପହଞ୍ଚିଛି, ଯହିଁରୁ ବିରୋଧୀଦଳର ନେତାଙ୍କ ସଂଖ୍ୟା ୧୧୮ ବା ୯୫ ପ୍ରତିଶତ ହୋଇଯାଇଛି । ୨୦୧୮ରେ ଦୁର୍ନୀତି ନିବାରଣ ଆଇନରେ ସଂଶୋଧନ କରାଯାଇ ସେଥିରେ ଧାରା ୧୭ (କ) ଯୋଗ ହେବା ପରେ ଦୁର୍ନୀତି ମାମଲା ରୁଜୁ ହେବାର ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଥିଲେ ବି ବିରୋଧୀଙ୍କ ବିରୁଦ୍ଧରେ ମାମଲା ବୃଦ୍ଧି ପାଇଛି । ଏହାର ଏକ ବଡ଼ କାରଣ ହେଉଛି ଏହି ଧାରା ୧୭(କ) ଅନୁଯାୟୀ ସରକାରଙ୍କ ବିନା ଅନୁମୋଦନରେ ସିବିଆଇ ନିଜ ଆଡ଼ୁ କୌଣସି ତଦନ୍ତ ବା ଅନୁସନ୍ଧାନ କରିପାରିବ ନାହିଁ । ଥରେ ଭାବନ୍ତୁ ତ, କେଉଁ ଦଳ ନିଜ ଦଳର ନେତାଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଅନୁମତି ଦେବା ପାଇଁ ତତ୍ପରତା ଦେଖାଇବ !    

ନିଜ ନିଜ ଦଳର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏ ପର୍ଯ୍ୟନ୍ତ ପରସ୍ପରଠାରୁ ନିରାପଦ ଦୂରତା ରକ୍ଷା କରି ଆସୁଥିବା କିଛି ବିରୋଧୀ ଦଳ ଏବେ ଆଇନଗତ ମେଣ୍ଟ ଗଠନ କରି ସେହି ଦୂରତାକୁ କମାଇବାକୁ ଚାହିଁଲେଣି । ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ସେମାନଙ୍କ ମଧ୍ୟରୁ କେତେକ ଆତଙ୍କିତ ଏବଂ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଫଳରେ ‘କର ବା ମର ସ୍ଥିତି’ର ସମ୍ମୁଖୀନ ହୋଇ ଏ ପର୍ଯ୍ୟନ୍ତ କଂଗ୍ରେସଠାରୁ ଦୂରତା ରକ୍ଷା କରିଆସୁଥିବା ତୃଣମୂଳ କଂଗ୍ରେସ, ବିଆରଏସ, ଆପ୍ ପରି ଦଳଗୁଡ଼ିକ ବି ଏବେ କଂଗ୍ରେସ ସହ ଏକ ଆଇନଗତ ମେଣ୍ଟରେ ଆବଦ୍ଧ ହୋଇସାରିଛନ୍ତି । ମାର୍ଚ୍ଚ ୨୪, ୨୦୨୩ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଦିନ ଜାତୀୟ କଂଗ୍ରେସ, ଡିଏମକେ, ଆରଜେଡ଼ି, ବିଆରଏସ, ତୃଣମୂଳ କଂଗ୍ରେସ, ଆପ୍, ଏନସିପି, ଶିବସେନା(ଉଦ୍ଧବ ଗୋଷ୍ଠୀ), ସିପିଏମ, ସିପିଆଇ, ସମାଜବାଦୀ ପାର୍ଟି ଓ ନ୍ୟାସନାଲ କନଫରେନ୍ସ ପରି ୧୪ଟି ରାଜନୈତିକ ଦଳ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗର ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଦଳଗୁଡିକ ୨୦୧୯ର ସାଧାରଣ ନିର୍ବାଚନ ଆଧାରରେ ୪୨.୫ ପ୍ରତିଶତ ଭୋଟର ପ୍ରତିନିଧିତ୍ୱ କରୁଥିବା ବେଳେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତାରେ ଅଛନ୍ତି । ବିରୋଧୀଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ନିକଟରେ ସେମାନଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ସିବିଆଇ ଓ ଇ.ଡ଼ି. ପରି ତଦନ୍ତକାରୀ ସଂସ୍ଥାଗୁଡ଼ିକଦ ‘ସୁନିର୍ବାଚିତ ଓ ସଲକ୍ଷ୍ୟେ’ ଦୁରୁପଯୋଗ କରାଯାଉଛି । ଦୁର୍ନୀତି ନିବାରଣ ନୁହେଁ, ବରଂ ବିରୋଧୀଦଳ ନେତାମାନଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଦେଇ ସେମାନଙ୍କୁ ହଇରାଣ ହରକତ କରିବା ଯେପରି ଏକମାତ୍ର ଉଦ୍ଦେଶ୍ୟ ହୋଇପଡ଼ିଛି । ସେମାନଙ୍କ ଦ୍ୱାରା ଅଦାଲତଙ୍କ ନିକଟରେ ଉପସ୍ଥାପିତ ତଥ୍ୟରେ ଦର୍ଶାଯାଇଛି ଯେ ୨୦୦୫-୧୪ ମଧ୍ୟରେ ଏହି ସଂସ୍ଥାଗୁଡ଼ିକ ଦ୍ୱାରା ହୋଇଥିବା ଚଢ଼ଉ ପରେ ୯୩ ପ୍ରତିଶତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବେଳେ ୨୦୧୪-୨୨ ମଧ୍ୟରେ ସେହି ପ୍ରତିଶତ ୨୨କୁ ଖସିଆସିଛି । ଅନ୍ୟ ପକ୍ଷରେ ମାମଲା ସଂଖ୍ୟାରେ ବୃଦ୍ଧି ଘଟି ୨୦୨୧-୨୨ ସୁଦ୍ଧା ୧୧୮୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମନି ଲଣ୍ଡରିଂ ଆଇନରେ ମାତ୍ର ୨୩ ଜଣ ଦୋଷୀ ସାବ୍ୟସ୍ତ ହେବା ଉଦବେଗଜନକ । ତେଣୁ ଗିରଫ ଓ ରିମାଣ୍ଡ କ୍ଷେତ୍ରରେ ଏହି ସଂସ୍ଥାଗୁଡ଼ିକୁ ଅବାଧ ସ୍ୱାଧୀନତା ପ୍ରଦାନ ନକରି ସୁପ୍ରିମକୋର୍ଟ ଏକ ମାର୍ଗଦର୍ଶିକା ଜାରି କରିବାକୁ ଆବେଦନ କରାଯାଇଛି । ତଦନୁଯାୟୀ ସଂଜ୍ଞେୟ (କଗନିଜେବଲ) ଅପରାଧ କ୍ଷେତ୍ରରେ ପୋଲିସ, ଇ.ଡ଼ି. ଅଧିକାରୀ ଓ ଅଦାଲତଗୁଡ଼ିକ ଗିରଫ ଓ ରିମାଣ୍ଡ ପୂର୍ବରୁ ବ୍ୟକ୍ତିଜଣକର ପଳାତକ ହେବାର ଆଶଙ୍କା, ପ୍ରମାଣ ନଷ୍ଟ କରିବାର ଆଶଙ୍କା ଓ ସାକ୍ଷୀଙ୍କୁ ପ୍ରଭାବିତ ବା ଭୟଭୀତ କରିବାର ଆଶଙ୍କା ଭଳି ସମ୍ଭାବନାକୁ ବିବେଚନାକୁ ନେବା ଆବଶ୍ୟକ । ସେଭଳି ଆଶଙ୍କା ନଥିଲେ ନିର୍ଦ୍ଦିଷ୍ଟ ସମୟରେ ପଚରାଉଚୁରା ବା ଗୃହବନ୍ଦୀ ଭଳି ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଅନୁସନ୍ଧାନ କରାଯାଇପାରେ । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାରେ ଲୋକସଭା ସଚିବାଳୟ ଯେଉଁ ତତ୍ପରତା ପ୍ରଦର୍ଶନ କଲେ, ତା’ର ପ୍ରତିକ୍ରିୟା ଉଭୟ ଦେଶ ଭିତରେ ଓ ବିଦେଶରେ ଦେଖିବାକୁ ମିଳିଲାଣି । କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଥିପୂର୍ବରୁ ବିରୋଧୀ ଦଳର କୌଣସି ନେତା ଅନ୍ୟାୟର ଶିକାର ହେଲେ ସବୁ ଦଳ ଏକାଠି ହୋଇ ତା’ର ବିରୋଧ କରୁନଥିଲା ବେଳେ ଏବେ ସବୁ ବିରୋଧୀ ଦଳ, ଆଇନଗତ ଭାବେ ହେଉ ପଛେ, ପ୍ରଥମ ଥର ଲାଗି ଏକଜୁଟ ହୋଇଛନ୍ତି, ଯାହା ବିରୋଧୀ ଏକତା ଲାଗି ନୂତନ ଆଶା ଉଦ୍ରେକ କରିଛି । ଆଶା କରାଯାଏ, ଏକ ବୃହତ୍ତର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଦଳଗୁଡ଼ିକ ପରସ୍ପର ମଧ୍ୟରେ ଥିବା ମତାନୈକ୍ୟ ଓ ବିରୋଧଗୁଡ଼ିକୁ ସାମୟିକ ଭାବେ ପାର୍ଶ୍ୱରେ ରଖି ରାଜନୈତିକ ସ୍ତରରେ ନିକଟତର ହେବାର ପ୍ରୟାସ କରିବେ । ତାହାହେଲେ ଯାଇ ରାହୁଳ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଯୋଗୁଁ ଆକସ୍ମିକ ଭାବେ ଗଠିତ ଏହି ଆଇନଗତ ମେଣ୍ଟ ହୁଏତ ଏକ ବୃହତ୍ତର ରାଜନୈତିକ ମେଣ୍ଟରେ ପରିବର୍ତ୍ତିତ ହୋଇ ଭାରତୀୟ ରାଜନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ କଡ଼ ଲେଉଟାଇବାକୁ ବାଧ୍ୟ କରିବ ।


Published in Sambad on April 04, 2023

 

Comments

  1. General public welcome the decision of the present government at centre. It is only 100 to 150 people belonging to various opposition parties who run their family politics oppose the government because their corrupt political business couldn't run and they are enable to amass corrupt money. As a result the total ecosystem doesn't get their pie from these politicians and their shops are closed now. When the political parties invite western powers who are anti- India to invade our country at this juncture I question the ethics and modalities of this article. People are now shrewd enough to understand the political dispensation. Yes, such type of article must have yield high dividends from from opposition parties and anti-India forces. Save the country.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍