ପ୍ରତିବର୍ଷ ମାର୍ଚ୍ଚ ୨୭ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳନ କରାଯାଇଥାଏ ଓ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଦିବସରେ ବିଶ୍ୱର ଜଣେ ପ୍ରମୁଖ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଏକ ବାର୍ତ୍ତା ବିଭିନ୍ନ ଭାଷାରେ ଅନୁଦିତ ହୋଇ ନାଟ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ । ୨୦୨୩ରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଛନ୍ତି ମିଶରର ୯୧ ବର୍ଷୀୟା ଅଭିନେତ୍ରୀ ସମିହା ଆୟୁବ । ଏହି ଅବସରରେ ମିଶରର ସମୃଦ୍ଧ ନାଟ୍ୟ ପରମ୍ପରା ତଥା ସମିହାଙ୍କ ଭଳି ଜଣେ ଉଚ୍ଚକୋଟିର କଳାକାରଙ୍କର ସୁଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପରିବ୍ୟାପ୍ତ କଳାଜୀବନ ସମ୍ପର୍କରେ ଅନ୍ତତଃ କିଞ୍ଚିତ୍ ଜାଣିବାର ଅବକାଶ ସୃଷ୍ଟି ହୋଇଛି ।
ପ୍ରାଚୀନ ଗ୍ରୀସକୁ ରଙ୍ଗମଞ୍ଚର ଏନ୍ତୁଡ଼ିଶାଳ ରୂପେ ଗ୍ରହଣ କରାଯାଇଥାଏ । ତେବେ ମିଶରର ଅକ୍ସିରାଇଙ୍କୋସଠାରେ ଉତଖନନ ପରେ ମିଳିଥିବା ଏକ ରଙ୍ଗମଞ୍ଚରେ ଏକାକଳୀନ ୧୦୦୦୦ ଦର୍ଶକ ବସି ପ୍ରଦର୍ଶନ ଉପଭୋଗ କରିପାରୁଥିବାର ଜଣାଯାଏ । ସେତେବେଳେ ମିଶର ରୋମାନ ସାମ୍ରାଜ୍ୟର ଅଂଶବିଶେଷ ଥିବାରୁ ଏହି ରଙ୍ଗମଞ୍ଚଟିରେ ଉଭୟ ଗ୍ରୀକ୍ (ଅର୍ଦ୍ଧବୃତ୍ତାକାର ଦର୍ଶକଙ୍କ ବସିବା ସ୍ଥାନ) ଓ ରୋମାନ ଶୈଳୀ (ଆସନ ତଳେ ସୁଡ଼ଙ୍ଗ)ର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ । ଖ୍ରୀଷ୍ଟପୂର୍ବ ୩୨୩ରେ ସମ୍ରାଟ ଆଲେକଜାଣ୍ଡାରଙ୍କ ଦ୍ୱାରା ମିଶର ଅଧିକୃତ ହେବା ପରେ ସେଠାକୁ ଗ୍ରୀକ ନାଟକ ଆସିଥିଲା ବୋଲି କୁହାଯାଏ । ଅର୍ଥାତ୍ ପ୍ରାଚୀନ କାଳରୁ ମିଶରରେ ଏକ ଉନ୍ନତ ମଞ୍ଚନାଟ୍ୟ ପରମ୍ପରା ଗଢ଼ି ଉଠିଥିବାର ସୂଚନା ମିଳେ । ତେବେ ଭୂ-ମଧ୍ୟସାଗରୀୟ ଅଞ୍ଚଳର ଆଖପାଖରେ ଅବସ୍ଥିତ ଅକ୍ସିରାଇଙ୍କୋସ ସମେତ ଅନ୍ୟ ରଙ୍ଗମଞ୍ଚଗୁଡ଼ିକରେ ମୁଖ୍ୟତଃ ଇଉରିପିଡ଼ିସ, ଆରିଷ୍ଟୋଫେନସ୍, ମେନାଣ୍ଡର, ଫିଲେମୋନ, ସୋଫୋକ୍ଲିସ୍, ଆସ୍କିଲୋସଙ୍କ ଭଳି ସେ ସମୟର ପ୍ରସିଦ୍ଧ ନାଟ୍ୟକାରମାନଙ୍କ ଗ୍ରୀକ୍ ନାଟକଗୁଡ଼ିକ ମଞ୍ଚସ୍ଥ ହେଉଥିଲା । ଏହା ସତ୍ତ୍ୱେ ମିଶରରେ ଆଧୁନିକ ରଙ୍ଗମଞ୍ଚର ଉଦ୍ଭବ ଆଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ହୋଇଥିଲା । ଫ୍ରାନ୍ସର ମିଶର ଅଭିଯାନ ସମୟରେ ୧୭୮୯ରେ ପ୍ରଥମ କରି ଆଧୁନିକ ନାଟକର ସ୍ୱାଦ ଚାଖିଥିଲେ ମିଶରବାସୀ । ମିଶରରେ ନେପୋଲିଅନ ବୋନାପାର୍ଟଙ୍କ ଫରାସୀ ଅଭିଯାନ (୧୭୯୯ରୁ ୧୮୦୧) ସମୟରେ ସେ ତାଙ୍କ ସୈନ୍ୟମାନଙ୍କର ମନୋରଞ୍ଜନ ପାଇଁ କାଇରୋର ମାମଲୁକଠାରେ ଏକ ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠା କରିବାକୁ ସ୍ଥିର କରିଥିଲେ ବି ସମୟର ସ୍ୱଳ୍ପତା ଦୃଷ୍ଟିରୁ ତାହା ସମ୍ଭବ ହୋଇନଥିଲା । ଅଟୋମାନ ଶାସକ ଇସମାଇଲ ପାଶା କାଇରୋକୁ ମଧ୍ୟ-ପ୍ରାଚ୍ୟର ପାରିସ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ଏହା ୧୮୫୦ ସୁଦ୍ଧା ମଧ୍ୟ-ପ୍ରାଚ୍ୟର ଏକ ସାଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇସାରିଥିଲା ଓ ଆରବ ଦୁନିଆର କଳାକାରମାନେ ନିଜ ନିଜ ଭାଗ୍ୟ ଓ ପ୍ରସିଦ୍ଧି ଅନ୍ୱେଷଣରେ ସେଠାରେ ଆସି ବସବାସ କରିବାକୁ ଲାଗିଲେ । ତେବେ ସୁଏଜ କେନାଲର ଉଦଘାଟନ ଉତ୍ସବ ପାଳନ ଅବସରରେ ଭାଗ ନେବାକୁ ଆସୁଥିବା ବିଦେଶୀ ପ୍ରତିନିଧିମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୧୮୬୯ରେ ଖିଡ଼ାଇଭ ଇସମାଇଲଙ୍କ ଦ୍ୱାରା ଫରାସୀ କମେଡ଼ି ଥିଏଟର ‘କମେଡ଼ି ଫ୍ରାଙ୍କୋଏଜ୍’ ସ୍ଥାପିତ ହୋଇଥିଲା । ସେ ‘ଅପେରା ହାଉସ’ ମଧ୍ୟ ପ୍ରତିଷ୍ଠା କରିଥିଲେ । ମିଶରରେ ରଙ୍ଗମଞ୍ଚର ବିକାଶ ଲାଗି ତାଙ୍କ ପ୍ରଚେଷ୍ଟା ଅହରହ ଜାରି ରହିଥିଲା । ୧୮୮୫ରେ ପ୍ରଥମ ମିଶରୀୟ ରଙ୍ଗମଞ୍ଚ ‘ଟିଆଟ୍ରୋ ଅଲ-ଆଜବକେୟା’ର ସ୍ଥାପନା ହେଲା । ସେହି ସମୟରେ ମିଶର ୟୁରୋପୀୟ ସଂସ୍କୃତି ଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହୋଇଥିବାରୁ ସେଠାକାର ନାଟକଗୁଡ଼ିକର ଗଠନଶୈଳୀରେ ମଧ୍ୟ ୟୁରୋପୀୟ ଛାପ ଦେଖିବାକୁ ମିଳୁଥିଲା ଓ ସେଗୁଡ଼ିକୁ କେବଳ ଧନୀକ ଶ୍ରେଣୀର ଲୋକମାନେ ଉପଭୋଗ କରୁଥିଲେ । କାଳକ୍ରମେ ସ୍ଥାନୀୟ କାହାଣୀ, ସଂସ୍କୃତି ଉପରେ ଆଧାରିତ ଆରବୀ ଭାଷାରେ ଲିଖିତ ନାଟକମାନ ପରିବେଷଣ ହେବାକୁ ଲାଗିଲା । ପ୍ରଥମ ସ୍ଥାନୀୟ ନାଟ୍ୟକାର ଭାବେ ୟାକୁବ ସାନୁଙ୍କ ନାଟକଗୁଡ଼ିକ ଆଦୃତି ଲାଭ କରିବାକୁ ଲାଗିଲା । ତେବେ ସାନୁଙ୍କ ଗୋଟିଏ ନାଟକରେ ଶାସକଙ୍କ ଦ୍ୱାରା ହେଉଥିବା ସାମାଜିକ ଅନ୍ୟାୟ ପ୍ରଦର୍ଶିତ ହୋଇଥିବାରୁ ଅଟୋମାନ ଶାସକ ଇସମାଇଲ ପାଶା ଉତ୍ତ୍ୟକ୍ତ ହୋଇ ନାଟକର ପ୍ରଦର୍ଶନକୁ ବନ୍ଦ କରିଦେଇଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମୁଖ୍ୟତଃ ‘ନଗିବ ଅଲ ରିହାନି’ ଓ ‘ଏଲି ଅଲ କସର’ କମ୍ପାନୀ ଦ୍ୱାରା ପ୍ରଦର୍ଶିତ ହାସ୍ୟରସାତ୍ମକ ଓ ‘ୟୁସୁଫ ୱାହାବି’ ଦ୍ୱାରା ପ୍ରଦର୍ଶିତ ଗମ୍ଭୀର ନାଟକଗୁଡ଼ିକ ଲୋକଙ୍କ ଦ୍ୱାରା ଆଦୃତ ହେଉଥିଲା ।
ମିଶରରେ ବିଦ୍ରୋହ ପରେ ୧୯୫୨ରେ ରାଜତନ୍ତ୍ରର ଅବସାନ ଘଟି ପ୍ରଜାତନ୍ତ୍ରର ପ୍ରତିଷ୍ଠା ହେବା ପରେ ଗମାଲ ଅବଦେଲ ନାସେର ଶାସନ ଭାର ଗ୍ରହଣ କଲେ । ସେ ମିଶରର ନିଜସ୍ୱ ଜାତୀୟ ପରିଚୟର ପୁନଃସ୍ଥାପନା ଉପରେ ଗୁରୁତ୍ୱ ଆରୋପ କରୁଥିବାରୁ କଳାକୁ ଜାତୀୟ ଚେତନା ଉଦ୍ରେକ ଲାଗି ଏକ ଅସ୍ତ୍ର ରୂପେ ଉପଯୋଗ କରିବାକୁ ଲାଗିଲେ । ଫଳରେ ସେଠାରେ ଏକ ବଡ଼ ଧରଣର ସାଂସ୍କୃତିକ ବିପ୍ଳବର ଅୟମାରମ୍ଭ ହୋଇଥିଲା । ପାରମ୍ପରିକ ନାଟକକୁ ଛାଡ଼ି ମିଶରର ତତକାଳୀନ ବାସ୍ତବତାକୁ କେନ୍ଦ୍ର କରି ନାଟକମାନ ଲେଖିବାକୁ ନବ ପ୍ରଜନ୍ମର ନାଟ୍ୟକାରମାନେ ଆଗେଇ ଆସିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ତୱଫିକ ଅଲ-ହକିମ, ୟୁସିଫ ଇଦ୍ରିସ, ଅଲଫ୍ରେଡ଼ ଫରାଗ, ସଲାହ ଅବଦୁଲ-ସବୁର, ମିଖାଇଲ ରୋମାନ, ନୋମନ ଆଶୁର ପ୍ରମୁଖ । ରେଡ଼ିଓ ନାଟକ ମଧ୍ୟ ବହୁଳ ଭାବେ ଆଦୃତି ଲାଭ କରିଥିଲା । ନାସେରଙ୍କ ସମୟରେ ନ୍ୟାସନାଲ ଇଜିପସିଆନ ଥିଏଟର ପ୍ରତିଷ୍ଠା ହେଲା । ରାଜ୍ୟ ନିୟନ୍ତ୍ରଣରେ ଥିବା ‘ଥିଏଟର ଅଫ ଟେଲିଭିଜନ’ ଦ୍ୱାରା ମଞ୍ଚ ନାଟକଗୁଡ଼ିକୁ ରେକର୍ଡ଼ିଂ କରାଯାଇ ଟେଲିଭିଜନରେ ପ୍ରଦର୍ଶନ କରାଯାଉଥିଲା । ସ୍କୁଲ କଲେଜଠାରୁ ଆରମ୍ଭ କରି କମ୍ପାନୀ ଓ କର୍ମଚାରୀ ୟୁନିଅନ ପର୍ଯ୍ୟନ୍ତ ଥିଏଟର ସର୍ବତ୍ର ବ୍ୟାପିଗଲା । କହିବାକୁ ଗଲେ ସମଗ୍ର ନାଟ୍ୟ ଗତିବିଧି ଏକ ପ୍ରକାର ସରକାରୀ ନିୟନ୍ତ୍ରଣରେ ଚାଲିଥିଲା । ନାସେରଙ୍କ ରାଜତ୍ୱ କାଳକୁ ମିଶରୀୟ ନାଟକର ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ ।
୧୯୬୭ରେ ଇସ୍ରାଏଲ ଦ୍ୱାରା ଯୁଦ୍ଧରେ ପରାସ୍ତ ହେବା ପରେ ମିଶରୀୟମାନେ ଅତିମାତ୍ରାରେ ହତୋତ୍ସାହିତ ହୋଇ ଭାଙ୍ଗିପଡ଼ିଥିଲେ । ସେପର୍ଯ୍ୟନ୍ତ ମିଶରରେ ପ୍ରଚଳିତ ଦୁଇ ପ୍ରକାରର ନାଟ୍ୟଧାରା ସହ ମୁଖ୍ୟଧାରାର ରଙ୍ଗମଞ୍ଚରେ ନୂତନ ଭାବେ ଏକ ତୃତୀୟ ନାଟ୍ୟଧାରାର ଆବିର୍ଭାବ ଘଟିଲା । ପ୍ରଥମ ଧାରାର ନାଟକରେ ରାଜନୀତି ଓ ସରକାରୀ ସମାଲୋଚନାଠାରୁ ଦୂରରେ ରହି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ନାଟକ ପରିବେଷଣ କରାଯାଉଥିଲା । ନାଟ୍ୟକାର ଫୱାଦ ଏଲ-ମୋହନ୍ଦେଶ ଏହି ନାଟ୍ୟଧାରାର ପକ୍ଷଧର ଥିଲେ । ଦ୍ୱିତୀୟ ଧାରାର ନାଟକଗୁଡ଼ିକ ଦେଶାତ୍ମବୋଧକ ଓ ଜାତୀୟତାବାଦୀ ନାଟକ ଥିଲା । ଏହି ଧରଣର ନାଟକ ପୂର୍ବରୁ ପରିବେଷିତ ହେଉଥିଲେ ବି ୧୯୬୭ ପରେ ମିଶରୀୟ ଜାତୀୟତାର ପୁନଃଜାଗରଣ ପାଇଁ ତା’ର ସଂଖ୍ୟାରେ ବୃଦ୍ଧି ଘଟିଲା ଯଦିଓ ଏଗୁଡ଼ିକ ସରକାରୀ ପ୍ରାୟୋଜିତ ଥିଲା । ନୂତନ ଭାବେ ଆବିର୍ଭୁତ ନାଟ୍ୟଧାରାଟିରେ ପ୍ରଚଳିତ ଶାସନ ବ୍ୟବସ୍ଥା ବିରୁଦ୍ଧରେ କଡ଼ା ସମାଲୋଚନା ଥିଲା । ପରାସ୍ତ ହେବା ପଛରେ କିପରି ସୈନ୍ୟବାହିନୀ ଓ ରାଜନେତାମାନେ ଦାୟୀ ସେ ସମ୍ପର୍କରେ ନାଟକଗୁଡ଼ିକରେ ପ୍ରତୀକ, ଲୋକକଳା ମାଧ୍ୟମରେ ପ୍ରଦର୍ଶନ କରି ଲୋକଙ୍କ ହତାଶା ଓ ଦମନକୁ ରେଖାଙ୍କିତ କରାଗଲା । ଅବଶ୍ୟ ସହରତଳି ଅଞ୍ଚଳରୁ ସଞ୍ଚାଳିତ ଏହି ଧାରାର ନାଟକଗୁଡ଼ିକର ପକ୍ଷଧରମାନଙ୍କୁ ବାରମ୍ୱାର ଗିରଫ, ଜେରା ଓ ଅଟକର ସମ୍ମୁଖୀନ ହେବାକୁ ପଡ଼ୁଥିଲା ।
୧୯୭୩ରେ ବ୍ରିଟିଶ ଚଳଚ୍ଚିତ୍ର ‘ଟୁ ସାର ଉଇଥ ଲଭ’ ଛାୟାରେ ଲିଖିତ ନାଟ୍ୟକାର ଅଲି ସଲେମଙ୍କ ନାଟକ ‘ମଦ୍ରସେତ୍ ଏଲ ମୋସାଗବେନ’ (ବିଦ୍ରୋହୀଙ୍କ ସ୍କୁଲ) ନାଟକଟି ଆଶାତୀତ ମଞ୍ଚ ସଫଳତା ପାଇଥିଲା ସତ, ହେଲେ ଏହି ନାଟକ ମିଶରୀୟ ଥିଏଟର ଓ ସ୍କୁଲ ବ୍ୟବସ୍ଥାର ଅଧଃପତନର କାରଣ ପାଲଟିଥିଲା ବୋଲି କୁହାଯାଏ । ଏହି ନାଟକରେ ଦଳେ ପଥଭ୍ରଷ୍ଟ ଫେଲ ହୋଇଥିବା ହାଇସ୍କୁଲ ଛାତ୍ର କିପରି ସେମାନଙ୍କ ପରିବାର ଓ ସ୍କୁଲରେ ଆତଙ୍କ ରଚୁଛନ୍ତି ଓ ଶେଷରେ ସେମାନଙ୍କ ନୂଆ ଦର୍ଶନ ଶିକ୍ଷକ କିପରି ସେମାନଙ୍କୁ ବାଟକୁ ଆଣିଛନ୍ତି ତାହା ଦର୍ଶାଯାଇଥିଲା । ହେଲେ ନାଟକଟି ତାର ପରିବେଷଣ ଶୈଳୀ ପାଇଁ ନିନ୍ଦିତ ହୋଇଥିଲା । ସମାଜ ଉପରେ ରଙ୍ଗମଞ୍ଚର କୁପ୍ରଭାବ କିପରି ପଡ଼ିପାରେ ତାର ଉଦାହରଣ ଦେବାକୁ ଯାଇ ଆଜିଯାଏଁ ଏହି ନାଟକଟିର ଅବତାରଣା କରାଯାଇଥାଏ ।
ସତୁରୀ ଦଶକରେ ରାଷ୍ଟ୍ରପତି ଅନୱାର ସାଦତଙ୍କ ଖୋଲା-ଦରଜା ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁଁ ଉପସାଗରୀୟ ଅଞ୍ଚଳରେ ରହୁଥିବା ହଜାର ହଜାର ସଂଖ୍ୟାରେ ମିଶରୀୟ ପ୍ରବାସୀ ଶ୍ରମିକ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୁଢ଼ୀବାଦୀ ୱାହାବି ବିଚାରଧାରାରେ ଦୀକ୍ଷିତ ହୋଇ ଅନିୟନ୍ତ୍ରିତ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟକୁ ବରଣ କରୁଥିବାରୁ ମିଶରର ଆର୍ଥିକ ଅବସ୍ଥା ଚରମ ବିପର୍ୟ୍ୟୟ ଭିତରକୁ ଠେଲି ହୋଇଗଲା । ନାଟକର ପୃଷ୍ଠପୋଷକତା କରିଆସୁଥିବା ମଧ୍ୟବିତ୍ତ ବର୍ଗ କ୍ରମଶଃ ଅନ୍ତର୍ହିତ ହେବାକୁ ଲାଗିଲେ । ମିଶରର ଦୁଇ ପ୍ରମୁଖ ସହର କାଇରୋ ଓ ଆଲେକଜାଣ୍ଡ୍ରିଆ ସେମାନଙ୍କ ବିଶ୍ୱଜନୀନ (କସମୋପଲିଟାନ) ଚରିତ୍ରକୁ ହରାଇବା ଆରମ୍ଭ କରିଦେଲେ । ସରକାରୀ ନିୟନ୍ତ୍ରଣରେ ପରିଚାଳିତ ରଙ୍ଗମଞ୍ଚ ଓ କମ୍ପାନୀଗୁଡ଼ିକରେ ଗତାନୁଗତିକ ପରିବେଷଣ ଭିନ୍ନ ଉତ୍କର୍ଷ ସାଧନ ଲାଗି ନା ଥିଲା ଆଗ୍ରହ ନା ଥିଲା ପ୍ରଚେଷ୍ଟା । ଅଶୀ ଦଶକର ମଧ୍ୟଭାଗ ବେଳକୁ ଆନ୍ତରିକତା ଓ ପୃଷ୍ଠପୋଷକତା ଅଭାବରୁ ମିଶରରେ ନାଟକ ତା’ର ଚମକ ହରାଇ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚିସାରିଥିଲା ।
୧୯୯୦ରେ ହୋଇଥିବା ଉପସାଗରୀୟ ଯୁଦ୍ଧ ଯୋଗୁଁ ମିଶର ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ନାଟକ ଉତ୍ସବକୁ ବାତିଲ କରିଦିଆଗଲା । ନାଟକ ସରକାରଙ୍କ ନିୟନ୍ତ୍ରଣରେ ରହିବା ଓ ସରକାରୀ ସୁବିଧା ସୁଯୋଗ ପାଉ ନଥିବା କଳାକାରମାନଙ୍କୁ ଅବଜ୍ଞା କରାଯାଉଥିବାର ପ୍ରତିବାଦରେ ଏକ ମୁକ୍ତ ନାଟ୍ୟ ଆନ୍ଦୋଳନ ଆରମ୍ଭ ହୋଇ ‘ମୁକ୍ତ ନାଟକ ଉତ୍ସବ’ର ଘୋଷଣା କରାଗଲା । ପରବର୍ତ୍ତୀ ସମୟରେ ଏହା ‘ଭୂମିଗତ ନାଟ୍ୟ ଆନ୍ଦୋଳନ’ (ଅଣ୍ଡରଗ୍ରାଉଣ୍ଡ ଥିଏଟର ମୁଭମେଣ୍ଟ) ଭାବେ ମଧ୍ୟ ପରିଚିତ ହେବାକୁ ଲାଗିଲା । ଛୋଟ ଛୋଟ ନାଟକ କମ୍ପାନୀଗୁଡ଼ିକ ସରକାରୀ ନିୟନ୍ତ୍ରଣ ଓ କଟକଣା ବାହାରେ ରହି ସ୍ୱାଧୀନ ଭାବେ ନାଟକ ପ୍ରଦର୍ଶନ କରିବାକୁ ଲାଗିଲେ । ଏହି ନାଟ୍ୟଗୋଷ୍ଠୀଗୁଡ଼ିକରେ ପ୍ରାୟତଃ ଯୁବ ବର୍ଗର କଳାକାରମାନେ ଥିଲେ । ସେମାନେ ନିଜ ନିଜ ରାଜନୈତିକ ମତାଦର୍ଶର ପରିପ୍ରକାଶ ପାଇଁ ନାଟକକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିନେଲେ । ଏଥିପାଇଁ ସରକାରୀ ସହାୟତା ନ ମିଳିଲେ ବି ବିଦେଶୀ ଫଣ୍ଡିଂ ସଂସ୍ଥାଙ୍କ ଆର୍ଥିକ ସହାୟତାରେ ସେମାନେ କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜ କଳା ପ୍ରଦର୍ଶନ କରି ପ୍ରଶଂସିତ ହେବାର ସୁଯୋଗ ପାଇପାରିଲେ । ହାସନ ଏଲ ଗ୍ରିଟଲିଙ୍କୁ ଏହି ମୁକ୍ତ ନାଟ୍ୟ ଆନ୍ଦୋଳନର ପିତା ବୋଲି ବିବେଚନା କରାଯାଏ । ତାଙ୍କ ସମେତ ଏହି ଆନ୍ଦୋଳନର ପୁରୋଧାମାନଙ୍କ ମଧ୍ୟରୁ କେତେକ ବିଦେଶରେ ନାଟକ ସଂକ୍ରାନ୍ତରେ ଶିକ୍ଷା ଗ୍ରହଣ କରି ସ୍ୱଦେଶକୁ ଫେରି ଏହି ନୂଆ ଧାରାର ନାଟକର ମଙ୍ଗ ଧରିଥିଲେ । ଗ୍ରିଟଲିଙ୍କ ଦ୍ୱାରା ‘ଏଲ ୱାର୍ସା’ ନାଟ୍ୟ ସଂସ୍ଥା ସ୍ଥାପିତ ହୋଇଥିବା ବେଳେ, ଅଟ୍ଟାରଙ୍କ ଦ୍ୱାରା ‘ଦି ଟେମ୍ପଲ’ ଓ ଗଲାଲଙ୍କ ଦ୍ୱାରା ‘ଏନକାଉଣ୍ଟର’ ନାଟ୍ୟସଂସ୍ଥା ପ୍ରତିଷ୍ଠିତ ହୋଇଥିଲା । ଏହି ମୁକ୍ତଧାରା ନାଟକ ସହ ସଂଶ୍ଳିଷ୍ଟ ନାଟ୍ୟକର୍ମୀମାନଙ୍କର ଗୋଟିଏ ବୈଶିଷ୍ଟ୍ୟ ଯେ ସେମାନେ ଲାଭର ଆଶା ନ ରଖି ପାରମ୍ପରିକ ନାଟକଠାରୁ ଦୂରରେ ରହି ନାଟକ ପାଇଁ ସମର୍ପିତ ଭାବେ କାର୍ୟ୍ୟରତ ଥିଲେ । ଏହି ଆନ୍ଦୋଳନ ସହ ସାମିଲ ନଥିଲେ ବି ‘ଟିଆଟ୍ରୋ’ ସଂସ୍ଥା ସହ ଜଡ଼ିତ ଯୁବ ନାଟ୍ୟକାର ମୋତାଜବେଲ୍ଲାଙ୍କ ଅବଦାନ ମଧ୍ୟ ପ୍ରଶଂସନୀୟ ।
ଆଜି ମଧ୍ୟ ମିଶରରେ ନାଟକ ଜୀବିତ ଅଛି, ଯଦିଓ ମିଶରୀୟ ସିନେମା ତୁଳନାରେ ନାଟକ ତା’ର ଲୋକପ୍ରିୟତା କିଛିଟା ହରାଇଛି । ତେବେ ମିଶରରେ ୨୦୧୧ ଓ ୨୦୧୩ରେ ସଂଘଟିତ ଦୁଇଟି ବିପ୍ଳବ ପରେ ନାଟକକୁ ରାଜନୈତିକ ବକ୍ତବ୍ୟ ଉପସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ଭାବେ ଉପଯୋଗ କରିବାର ଧାରା ବହୁଳ ଭାବେ ଉପଯୋଗରେ ଆସିଛି । ସେଥିପାଇଁ ନାଟକରେ କବିତା, ନୃତ୍ୟ ଆଦିର ପ୍ରୟୋଗ କରିବା ସହ ନାଟ୍ୟ ରଚନାର ଧାରାରେ ବି ଭିନ୍ନତା ଆଣିବାକୁ ଯୁବପିଢ଼ି ଚେଷ୍ଟା କରୁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନାଟକୋତ୍ସବମାନ ନିୟମିତ ଅନ୍ତରାଳରେ ଆୟୋଜିତ ହେବା ଦ୍ୱାରା ମିଶରୀୟ ଦର୍ଶକମାନେ ଭିନ୍ନ ଧରଣର ନାଟ୍ୟ ଅଭିଜ୍ଞତା ହାସଲ କରିବାକୁ ସମର୍ଥ ହୋଇ ସେମାନଙ୍କ ରୁଚି ଉନ୍ନତ ହେଉଛି । କେବଳ ମନୋରଞ୍ଜନ ପାଇଁ ନୁହେଁ ନାଟକ ମାଧ୍ୟମରେ ଏକ ବଳିଷ୍ଠ ବକ୍ତବ୍ୟ ଉପସ୍ଥାପନ କରିବା ହିଁ ଏବେ ସେଠାରେ ନାଟ୍ୟ ପ୍ରଦର୍ଶନର ଲକ୍ଷ୍ୟ ହୋଇଯାଇଛି । ବିଡ଼ମ୍ୱନା ହେଉଛି ମୁକ୍ତଧାରାର ନାଟକଗୁଡ଼ିକ ବିଦେଶରେ ଯେତେ ସ୍ୱୀକୃତି ଲାଭ କଲେ ମଧ୍ୟ ସ୍ୱଦେଶରେ ସେଗୁଡ଼ିକ ଅନୁରୂପ ସମର୍ଥନ ପାଇପାରୁନାହାନ୍ତି । ଅନ୍ୟ ପକ୍ଷରେ ସରକାରୀ ନାଟକ ଓ ମୁକ୍ତଧାରାର ନାଟକ ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରୁନାହିଁ ।
ସମିହା ଆୟୁବଙ୍କ ଦୀର୍ଘ ନାଟ୍ୟଯାତ୍ରା ସହ ଆଧୁନିକ ମିଶରୀୟ ନାଟକର ଉତ୍ଥାନ-ପତନର କାଳଖଣ୍ଡ ସଂଯୋଗ ବଶତଃ ପ୍ରାୟ ମିଶିଯାଉଛି । ନାଟକ, ସିନେମା ଓ ଟେଲିଭିଜନ ଦୁନିଆରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ସ୍ୱତନ୍ତ୍ର ଛାପ ଛାଡ଼ିଥିବା ସମିହା ଆୟୁବ ମିଶରର ରାଜଧାନୀ କାଇରୋ ନିକଟସ୍ଥ ଶୁବ୍ରାଠାରେ ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଶିକ୍ଷା ସମାପ୍ତି ପରେ ସେ ଆକ୍ଟିଂ ଇନଷ୍ଟିଚ୍ୟୁଟରେ ଯୋଗ ଦେଇ ୧୯୫୨ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ଶିକ୍ଷା ସମାପ୍ତି ବେଳକୁ ମିଶର ଏକ ପ୍ରଜାତନ୍ତ୍ରରେ ପରିଣତ ହୋଇସାରିଥିଲା । ଶିକ୍ଷା ସମାପ୍ତି ପରେ ସେ ରେଡ଼ିଓରେ କାମ କରିବା ଆରମ୍ଭ କଲେ କାରଣ ସେତେବେଳେ ରେଡ଼ିଓରେ ନାଟକ ପ୍ରସାରଣକୁ ଗୁରୁତ୍ୱ ଦିଆଯିବାକୁ ଲାଗିଲା । ଦୁଇଟି ରେଡ଼ିଓ ଧାରାବାହିକ ନାଟକରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ପ୍ରଶଂସା ସାଉଁଟିବା ପରେ ସେ ନାଟ୍ୟଜଗତର ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ । ପ୍ରଥମେ ନାଟ୍ୟକାର ଜାକି ତୁଲେମାତ ଏହି ପ୍ରତିଭାବାନ୍ ଅଭିନେତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ । ଏହା ପରେ ତାଙ୍କର ମଞ୍ଚ ନାଟକରେ ପ୍ରବେଶ ହେଲା ଓ ସେ ଜଣେ ଅତି ଉଚ୍ଚକୋଟୀର ଅଭିନେତ୍ରୀ ଭାବେ ପରିଗଣିତ ହେଲେ । ଅଲ-ବଖିଲ (କୃପଣ), କୋବ୍ରି ଅଲ-ନମୁସ (ମଶା ପୋଲ), ସିକ୍କତ ଅଲ-ସଲାମା (ଠିକ୍ ରାସ୍ତା) ନାଟକଗୁଡ଼ିକରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ । ସତୁରୀ ଦଶକରେ ଉତ୍ତରାର୍ଦ୍ଧରେ ସେ ଅଲ-କ୍ୱାମୀ (ନ୍ୟାସନାଲ ଥିଏଟର)ରେ ଯୋଗ ଦେଇଥିଲେ । ସେ ୧୯୭୨ରୁ ୧୯୭୫ ପର୍ଯ୍ୟନ୍ତ ମଡ଼ର୍ଣ୍ଣ ଥିଏଟରର ନିର୍ଦ୍ଦେଶକ ଭାବେ ଦାୟିତ୍ ନିର୍ବାହ କରିବା ପରେ ୧୯୭୫ରୁ ୧୯୮୫ ପର୍ଯ୍ୟନ୍ତ ୧୦ ବର୍ଷ ଯାଏଁ ଅଲ କ୍ୱାମୀ ଥିଏଟରର ନିର୍ଦ୍ଦେଶକ ଭାର ସମ୍ଭାଳିଥିଲେ ।
ବର୍ତ୍ତମାନ ସମିହା ‘ଶର୍ମ ଏଲ-ଶେଖ ଇଣ୍ଟରନ୍ୟାସନାଲ ଥିଏଟର ଫେଷ୍ଟିଭାଲ ଫର ୟୁଥ’ର ସମ୍ମାନିତ ସଭାପତି ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କ ସମଗ୍ର ନାଟ୍ୟ ଜୀବନରେ ସେ ସମୁଦାୟ ୧୭୦ଟି ନାଟକରେ ଅଂଶଗ୍ରହଣ କରିଥିଲେ । ଏଗୁଡ଼ିକ ମଧ୍ୟରେ ରହିଛି ‘ରବା ଏଲ-ଆଦାୱେୟା’, ‘ସେକେତ ସଲାମା’, ‘ଦେମା’, ‘ଆଲା ଆସ୍ତର ଏଲ-କାବା’ ଭଳି ପ୍ରସିଦ୍ଧ ନାଟକ । ନାଟକଠାରୁ ଦୀର୍ଘ ୧୧ ବର୍ଷ ଧରି ଦୂରେଇ ରହିବା ପରେ ସମିହା ପୁଣି ଥରେ ୨୦୨୧ରେ ୯୦ ବର୍ଷ ବୟସରେ ଖ୍ୟାତନାମା ନିର୍ଦ୍ଦେଶକ ମାଜେନ ଏଲ ଘାରାବାୱିଙ୍କ ନିର୍ଦ୍ଦେଶିତ ନାଟକ ‘ଅଲମାଜ ୱ ସେ ଅବଦୌ’ ମାଧ୍ୟମରେ ରଙ୍ଗମଞ୍ଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସମିହା ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଗୁରୁତ୍ୱପୂର୍ଣ୍ଣ ସିନେମାଗୁଡ଼ିକ ହେଲା ‘ଅଲ ମୋତାଶାରେଦା’, ‘ଶାତିଆ ଅଲ-ଘରାମ ୱାଲ ୱାଲ’, ‘ବେଇନ-ଅଲ ଅତଲାଲ’, ‘ତିତା ରହିବା’, ‘ଏଲ ଲିଲା ଏଲ କବିରା’ ଆଦି । ଟେଲିଭିଜନ ନାଟକରେ ବି ସେ ତାଙ୍କ ସ୍ୱତନ୍ତ୍ର ଅଭିନୟ ଛାପ ଛାଡ଼ିଯିବାକୁ ସମର୍ଥ ହୋଇଛନ୍ତି । ୧୯୮୪ରେ ତାଙ୍କ ଅଭିନୀତ ‘ଏଲ ମିରାୟା’ ଟେଲିଭିଜନ ନାଟକ ପାଇଁ ସେ ବେଶ ପ୍ରଶଂସିତ ହୋଇଥିଲେ ।
ସମିହାଙ୍କୁ ଆଦର ଓ ସମ୍ମାନର ସହିତ ‘ଦି ଲେଡ଼ି ଅଫ ଆରବ ଥିଏଟର’ ଭାବେ ସମ୍ୱୋଧନ କରାଯାଇଥାଏ । ୨୦୧୫ରେ କଳାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଶରର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ନାଇଲ ପୁରସ୍କାର’ ପ୍ରଦାନ କରାଯାଇଥିଲା । ସେହି ବର୍ଷ ଅଲ କ୍ୱାମୀ ଥିଏଟରର ବଡ଼ ହଲଟିକୁ ମଧ୍ୟ ସମିହାଙ୍କ ନାମରେ ନାମିତ କରାଯାଇଥିଲା । କେବଳ ନାଟ୍ୟ କ୍ଷେତ୍ରରେ ନୁହେଁ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଦମନଲୀଳା ବିରୁଦ୍ଧରେ ସେ କାଇରୋ ଫିଲ୍ମ ଫେଷ୍ଟିଭାଲରେ ମୁଖରତାର ସହ ସ୍ୱର ଉତ୍ତୋଳନ କରିବାକୁ କୁଣ୍ଠାବୋଧ କରିନଥିଲେ । ନିକଟରେ ତାଙ୍କ ଜୀବନୀ ଉପରେ ସାମ୍ୱାଦିକ ସାୟେଦ ମାମୁଦଙ୍କ ଦ୍ୱାରା ଆରବୀ ଭାଷାରେ ଲିଖିତ ପୁସ୍ତକ ‘ଆକର୍ଷକ ମହିଳା: ଏକ ସୃଜନଶୀଳତାର ପେଶା (ଦି ଚାର୍ମିଂ ଉମେନ: ଏ ଭୋକେସନ ଅଫ କ୍ରିଏଟିଭିଟି) ପ୍ରକାଶ ପାଇ ବେଶ ଚର୍ଚ୍ଚିତ ହୋଇଛି । ଅବଶ୍ୟ ସେ ସାରାଜୀବନ ସରକାରୀ ପ୍ରାୟୋଜିତ ନାଟକଗୁଡ଼ିକ ସହ ସଂଶ୍ଳିଷ୍ଟ ରହିଆସିଛନ୍ତି ।
ସରକାରୀ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ପରିବେଷିତ ନାଟକଗୁଡ଼ିକ ହୁଏତ ମନୋରଞ୍ଜନର ଖୋରାକ ଯୋଗାଇପାରନ୍ତି ହେଲେ ଆଖପାଖର ସାମାଜିକ ଓ ରାଜନୈତିକ ବିସଙ୍ଗତି ପ୍ରତି ଯେପରି ଅନ୍ୟମନସ୍କ ରହିବାକୁ ସେମାନେ ଏକପ୍ରକାର ବାଧ୍ୟ ହୋଇଥାନ୍ତି । ସେହି ନାଟକଗୁଡ଼ିକ ପ୍ରଚାରଧର୍ମୀ ହେଉ ବା ନହେଉ ସେଗୁଡ଼ିକରେ ଅନ୍ତତଃ ବ୍ୟବସ୍ଥା ବିରୋଧୀ ସ୍ୱର ଉତ୍ତୋଳିତ ହେବାର ସମ୍ଭାବନା କ୍ଷୀଣ । କିନ୍ତୁ ନାଟକ ଭଳି ଏକ ବଳିଷ୍ଠ ମାଧ୍ୟମର ଧର୍ମ ହେଉଛି ସେହି ସାମାଜିକ ଓ ରାଜନୈତିକ ବିସଙ୍ଗତିଗୁଡ଼ିକୁ ଶାଣିତ ଭାବେ ଉପସ୍ଥାପନ କରି ଜନତାଙ୍କ ସ୍ୱରକୁ ମଝିମଞ୍ଚରେ ଥୋଇବା । ମିଶରର ମୁକ୍ତ ନାଟ୍ୟ ଆନ୍ଦୋଳନରୁ ଏତିକି ଅନ୍ତତଃ ଶିକ୍ଷା ମିଳେ ଯେ ସରକାରୀ ନିୟନ୍ତ୍ରଣରୁ ବାହାରେ ରହି, କୌଣସି ପ୍ରକାର ସରକାରୀ ସହାୟତାର ଅପେକ୍ଷା ନ ରଖି, ସ୍ଥଳ ବିଶେଷରେ ସରକାରୀ ଦମନର ଶିକାର ହୋଇ ମଧ୍ୟ ନିଜର ସ୍ୱାଧୀନ ବକ୍ତବ୍ୟକୁ ସମ୍ପ୍ରେସିତ କରିବା ପାଇଁ ନାଟକକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ଉପଯୋଗ କରିହେବ ।
Published in Odisha Reporter on March 27, 2023
Comments
Post a Comment