ଅଷ୍ଟ୍ରେଲିଆର ଜଙ୍ଗଲରେ ୨୦୧୯-୨୦ରେ ଲାଗିଥିବା ଏକ ବଡ଼ ଧରଣର ନିଆଁ ବ୍ୟାପକ ବିପର୍ଯ୍ୟୟର କାରଣ ପାଲଟିଥିଲା । ସେହି ବନାଗ୍ନିର ଭୟାବହତା ଏତେ ଅଧିକ ଥିଲା ଯେ ସେଥିରେ ପ୍ରାୟ ୩.୩୮ ଲକ୍ଷ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ନିଆଁ ଲାଗି ଅଷ୍ଟ୍ରେଲିଆର ସମୁଦାୟ ଜଙ୍ଗଲର ପାଞ୍ଚ ଭାଗରୁ ଭାଗେ ନଷ୍ଟ ହୋଇଯାଇଥଲା । ସେଥିରେ ୩୪ ଜଣଙ୍କର ପ୍ରାଣହାନି ଘଟିବା ସହ ପ୍ରାୟ ୩୦୦୦ ଘର ଜଳିଯାଇଥିଲା ଓ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ । ସେହି ବନାଗ୍ନିରେ ନିଶ୍ଚିହ୍ନ ହୋଇଯାଇଥିବା ପ୍ରାୟ ୧୦୦ କୋଟି ଜୀବଜନ୍ତୁ କେବଳ ଏକ ତଥ୍ୟ ଭାବେ ଲିପିବଦ୍ଧ ହୋଇଗଲେ ସିନା ସେମାନଙ୍କର କରୁଣ ଆର୍ତ୍ତନାଦ କାହାରି କାନରେ ପଡ଼ିଲାନାହିଁ । ଚଳିତ ଶତାବ୍ଦୀରେ ୨୦୦୩ରେ ପୂର୍ବ ସାଇବେରିଆ, ୨୦୧୪ରେ କାନାଡ଼ାର ନର୍ଥୱେଷ୍ଚ କ୍ଷେତ୍ର, ୨୦୧୯ରେ ସାଇବେରିଆ, ୨୦୨୧ରେ ରୁଷିଆ ବନାଗ୍ନିଗୁଡ଼ିକ ମଧ୍ୟ ବଡ ଧରଣର ବନାଗ୍ନି ରୂପେ ବିବେଚିତ । ଭାରତରେ ସେଭଳି ବଡ଼ ଧରଣର ବନାଗ୍ନି ଅନୁଭୂତ ହୋଇନଥିଲେ ବି ଗତ କିଛି ବର୍ଷ ଧରି ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବନାଗ୍ନି ଲିପିବଦ୍ଧ ହୋଇ ଅପୂରଣୀୟ କ୍ଷତି ସାଧିତ ହୋଇଛି । ବିଶେଷ କରି ସଂଖ୍ୟା ଦୃଷ୍ଟିରୁ ସବୁ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାରେ ଲଗାତାର ଭାବେ ସର୍ବାଧିକ ବନାଗ୍ନି ଲିପିବଦ୍ଧ ହେବା ଚିନ୍ତାଜନକ ହୋଇଥିବାରୁ ତାହା ରାଜ୍ୟବାସୀଙ୍କ ବିମର୍ଶର ବିଷୟ ହେବା ଆବଶ୍ୟକ ।
ଜଙ୍ଗଲରେ ନିଆଁ ଲାଗିବା ଏକ ପ୍ରାକୃତିକ ପ୍ରକ୍ରିୟା । ଏହାଦ୍ୱାରା ଜଙ୍ଗଲରେ ଶୁଖିଲା ଓ ମଲାଗଛର ଆବରଣ ସଫା ହୋଇ ନୂଆ ଉଦ୍ଭିଦଜଗତର ସୃଷ୍ଟି ଓ ବିସ୍ତାର ଲାଗି ସୁଯୋଗ ମିଳିଥାଏ । ଜଙ୍ଗଲ ନିଆଁ ଯୋଗୁଁ ଉତ୍ପନ୍ନ ଉତ୍ତାପ ତ କିଛି ଉଦ୍ଭିଦ ପ୍ରଜାତିର ବିକାଶ ଓ ବିସ୍ତାର ପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଜଙ୍ଗଲ ନିଆଁକୁ ପ୍ରୟୋଜନୀୟ ‘ମନ୍ଦ’ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଅନିୟନ୍ତ୍ରିତ ଓ ମନୁଷ୍ୟକୃତ ବନାଗ୍ନି ଜଙ୍ଗଲର ଅପୂରଣୀୟ କ୍ଷତିସାଧନ କରିଥାଏ । ଜାତିସଂଘ ପରିବେଶ କାର୍ୟ୍ୟକ୍ରମ (ୟୁଏନଇପି) ଅନୁଯାୟୀ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଓ ଜମି-ବ୍ୟବହାରରେ ପରିବର୍ତ୍ତନ ଯୋଗୁଁ ବନାଗ୍ନି ଘନଘନ ଓ ତୀବ୍ର ହେବ । ଫଳରେ ବଡ଼ ଧରଣର ବନାଗ୍ନି ୨୦୩୦ ସୁଦ୍ଧା ୧୪ ପ୍ରତିଶତ ହେବାକୁ ଯାଉଥିବା ବେଳେ ୨୦୫୦ ସୁଦ୍ଧା ଏହା ୩୦ ଓ ଶତାବ୍ଦୀର ଶେଷ ବେଳକୁ ୫୦ ପ୍ରତିଶତରେ ପହଞ୍ଚିବ । ଜଙ୍ଗଲ ଅବକ୍ଷୟର ଏକ ବଡ଼ କାରଣ ହେଉଛି ବନାଗ୍ନି । ଏହାଦ୍ୱାରା କେବଳ ଯେ ମୂଲ୍ୟବାନ ବନଜ ସମ୍ପଦ ନଷ୍ଟ ହୋଇଥାଏ ତାହା ନୁହେଁ, ଏହା ଜୈବ ବିବିଧତାର ଅପୂରଣୀୟ କ୍ଷତି କରିବା ସହ ପରିବେଶ ଉପରେ ଏହାର ମାତ୍ରାଧିକ କୁପ୍ରଭାବ ପଡ଼ିଥାଏ । ଏଥିଯୋଗୁଁ ଅତ୍ୟଧିକ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜ ଗ୍ୟାସ ନିର୍ଗମନ ହୋଇଥାଏ ଯାହା ବୈଶ୍ୱିକ ଉଷ୍ଣତା (ଗ୍ଲୋବାଲ ୱାର୍ମିଂ) ବୃଦ୍ଧିର କାରଣ ପାଲଟିଥାଏ । ଦୂର ଦୂରାନ୍ତରେ ପାଉଁଶ ଓ ଗ୍ୟାସ ପହଞ୍ଚିଯାଇ ସେଠାକାର ବାୟୁ ପ୍ରଦୂଷିତ ହୋଇଥାଏ । ତେଣୁ ଅନିୟନ୍ତ୍ରିତ ବନାଗ୍ନି ଯୋଗୁଁ ପାରିସ ଚୁକ୍ତି ଅନୁଯାୟୀ ୨୦୩୦ ସୁଦ୍ଧା ବୈଶ୍ୱିକ ଉଷ୍ଣତାକୁ ୧.୫ ଡ଼ିଗ୍ରି ସେଣ୍ଟିଗ୍ରେଡ଼ ମଧ୍ୟରେ ସୀମିତ ରଖିବାର ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦୁରୂହ ହେବା ସହ କେତୋଟି ସତତ ବିକାଶ ଲକ୍ଷ୍ୟ (ଏସଡ଼ିଜି) ହାସଲରେ ଏହା ବାଧକ ସାଜିପାରେ ବୋଲି ୟୁଏନଇପି ଆଶଙ୍କା ବ୍ୟକ୍ତ କରିସାରିଛନ୍ତି ।
ଗତ କିଛି ବର୍ଷ ଧରି ଦେଶରେ ବନାଗ୍ନିର ସଂଖ୍ୟା ଓ ତୀବ୍ରତାରେ ଅତ୍ୟଧିକ ବୃଦ୍ଧି ପରିଲକ୍ଷିତ ହୋଇଛି । ସାରା ଦେଶରେ ହାରାହାରି ୩୬ ପ୍ରତିଶତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଥିଲା ବେଳେ ଓଡିଶାରେ ୪୩ ପ୍ରତିଶତ ଜଙ୍ଗଲ ବନାଗ୍ନିପ୍ରବଣ ଅଟେ । ୨୦୧୮-୧୯ରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ବହୁ ସଂଖ୍ୟକ ବଡ଼ ଧରଣର ବନାଗ୍ନି ଲିପିବଦ୍ଧ ହୋଇଥିଲା । ସେହିପରି ୨୦୧୬ରେ ଉତ୍ତରାଖଣ୍ଡରେ, ୨୦୧୯ରେ କର୍ଣ୍ଣାଟକର ବାନ୍ଦିପୁର ନ୍ୟାସନାଲ ପାର୍କରେ ଓ ୨୦୨୧ରେ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ବଡ଼ ଧରଣର ନିଆଁ ଲାଗି ନାନାଦି କ୍ଷୟକ୍ଷତି ହୋଇଥିଲା । ଭାରତରେ ପ୍ରତିବର୍ଷ ନଭେମ୍ୱରରୁ ଜୁନ ଯାଏଁ ୮ ମାସକୁ ‘ବନାଗ୍ନି ଋତୁ’ ଭାବେ ଗ୍ରହଣ କରାଯାଇଥାଏ । ୨୦୨୦-୨୦୨୧ ବନାଗ୍ନି ଋତୁରେ ଓଡ଼ିଶାରେ ୫୧,୯୬୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଲିପିବଦ୍ଧ ହୋଇଥିଲା, ଯାହା ଭାରତର ସବୁ ରାଜ୍ୟ ତୁଳନାରେ ସର୍ବାଧିକ । ଏହାପରେ ରାଜ୍ୟ ସରକାରଙ୍କ ତରଫରୁ ଏହି ସମସ୍ୟାର କାରଣ ଓ ନିରାକରଣ ଅନୁଧ୍ୟାନ ପାଇଁ ଏକ ୯ ଜଣିଆ ଟାସ୍କ ଫୋର୍ସ କମିଟି ଗଠିତ ହୋଇଥିଲା । ବନାଗ୍ନି ପରିଚାଳନା କ୍ଷେତ୍ରରେ ପ୍ରଚଳିତ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବନାଗ୍ନି ନିୟନ୍ତ୍ରଣରେ ସ୍ଥାନୀୟ ଅଧିବାସୀଙ୍କ ସହଭାଗିତାକୁ ବଢ଼ାଇବା ଲାଗି ପଦକ୍ଷେପ ଗ୍ରହଣ କରିବା, ବନାଗ୍ନି ନିବାରଣ ଓ ପରିଚାଳନା ପାଇଁ ପ୍ରଚଳିତ ମାନକ ସଞ୍ଚାଳନ ପ୍ରକ୍ରିୟା (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)ରେ ଉନ୍ନତି ଆଣିବା ପାଇଁ କେତେକ ପରାମର୍ଶ ଦିଆଯାଇଥିବା ଜଣାପଡ଼େ । ତେବେ ଏ ବର୍ଷ ପୁଣି ଓଡ଼ିଶାରେ ଦେଶର ସର୍ବାଧିକ ବନାଗ୍ନି ଲିପିବଦ୍ଧ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା କରାଯାଉଥିଲେ ବି ଏ ପର୍ଯ୍ୟନ୍ତ କମିଟିର ପରାମର୍ଶଗୁଡ଼ିକ କାର୍ଯ୍ୟକାରୀ ହୋଇନପାରିବା ପରିତାପର ବିଷୟ ।
ଜଳବାୟୁ ପରିବର୍ତ୍ତନ ବନାଗ୍ନିର ମୁଖ୍ୟ କାରଣ ହୋଇଥିଲେ ବି ଓଡ଼ିଶାରେ ଅଧିକାଂଶ ବନାଗ୍ନି ପ୍ରାୟତଃ ମନୁଷ୍ୟକୃତ । ପୋଡ଼ୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଯିବା ଏକ ପ୍ରାଚୀନ ପରମ୍ପରା । ତେବେ ଇତିମଧ୍ୟରେ ପୋଡ଼ୁଚାଷ ଅଞ୍ଚଳ ହ୍ରାସ ପାଇଛି । ଅନ୍ୟପକ୍ଷରେ ଜଙ୍ଗଲମାନଙ୍କରୁ ଉଚ୍ଚ ମାନର କେନ୍ଦୁପତ୍ର ପାଇବା ପାଇଁ କେନ୍ଦୁବୁଦାଗୁଡ଼ିକୁ ପୋଡ଼ିବା ଏକ ପରମ୍ପରାରେ ପରିଣତ ହୋଇଛି । କେନ୍ଦୁବୁଦାଗୁଡ଼ିକୁ ନ ପୋଡ଼ି କାଟିବା ପାଇଁ ପ୍ରତିବର୍ଷ ରାଜ୍ୟ ବଜେଟରେ ବିପୁଳ ଅର୍ଥରାଶିର ପ୍ରାବଧାନ ହୋଇଥାଏ ଓ ୨୦୨୧ରେ ଏଥିପାଇଁ ୩୫ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ଏହା ସତ୍ତ୍ୱେ କେନ୍ଦୁବୁଦା ପୋଡ଼ା ବନ୍ଦ ନହେବା କ୍ଷୋଭର ବିଷୟ । ଅଧିକନ୍ତୁ ରାଜ୍ୟର ପ୍ରାୟ ୧୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ମହିଳା । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇନଥିବାରୁ ଅନ୍ତତଃ କିଛି ଲୋକଙ୍କୁ ଅଧିକ ରୋଜଗାରକ୍ଷମ ବିକଳ୍ପ କାର୍ୟ୍ୟରେ ନିୟୋଜିତ କରାଯାଇପାରିଲେ କେନ୍ଦୁପତ୍ର ସଂଗ୍ରହଜନିତ ବନାଗ୍ନି ସଂଖ୍ୟା ହ୍ରାସ ପାଇପାରନ୍ତା । ସେହିପରି ଶାଳପତ୍ର ଓ ମହୁଲ ଫୁଲ ସଂଗ୍ରହ ପାଇଁ ମଧ୍ୟ ନିଆଁ ଲଗାଯାଇଥାଏ । ଜଙ୍ଗଲ ଭିତରେ ଚଳପ୍ରଚଳ କରିବା ପାଇଁ ପାଦଚଲା ରାସ୍ତାଗୁଡ଼ିକୁ ପରିଷ୍କାର ରଖିବା ପାଇଁ ବି ସ୍ଥାନୀୟ ଲୋକେ ନିଆଁ ଲଗାଇ ଦେଉଥିବାର ଦେଖାଯାଏ । କିଛି ଅର୍ଥକରୀ ଫସଲ, ଯେମିତି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ହଳଦୀ ଚାଷ, ନବରଙ୍ଗପୁର ଜିଲ୍ଲାରେ ମକା ଚାଷ, କରିବା ପାଇଁ ବ୍ୟାପକ ଜଙ୍ଗଲ ପୋଡ଼ିର ଅଭିଯୋଗ ହୋଇଥାଏ । ନବରଙ୍ଗପୁର ଜିଲ୍ଲାରେ ଆଦିବାସୀଙ୍କ ଦ୍ୱାରା ଜଙ୍ଗଲ ପୋଡ଼ି ଚାଷ ଆରମ୍ଭ ହେଉଥିଲେ ବି ପରବର୍ତ୍ତୀ ସମୟରେ ସେହି ଜମି ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣକୁ ଚାଲିଯାଉଥିବାର ଦେଖାଯାଉଛି । ବସ୍ତୁତଃ ଜବରଦଖଲକାରୀଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ହଜାର ହଜାର ଏକର ଜଙ୍ଗଲ ଜମି ବର୍ଷ ବର୍ଷ ଧରି ଜବର ଦଖଲରେ ରହିଛି ଓ ଅପରାଧୀମାନେ ନୂଆ ନୂଆ ଜଙ୍ଗଲରେ ନିଆଁ ଲଗାଇ ଜମି ଦଖଲକୁ ନେବା ଲାଗି କୁଣ୍ଠାବୋଧ କରୁନାହାନ୍ତି । ଏହି ଧରଣର ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହୁଏତ ଜଙ୍ଗଲ ଜମିକୁ ଦଖଲ କରିବାର ମାନସିକତା ହ୍ରାସ ପାଇ ଜଙ୍ଗଲରେ ନିଆଁ ଲାଗିବା କମ ହୁଅନ୍ତା । ଅତୀତରେ କିଛି ସରକାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତି ଆରୋପକୁ ଘଣ୍ଟ ଘୋଡ଼ାଇବା ପାଇଁ ମଧ୍ୟ ପ୍ରାୟୋଜିତ ବନାଗ୍ନିର ସହାୟତା ନିଆଯାଇଥିବାର ଅଭିଯୋଗ ଶୁଣିବାକୁ ମିଳେ ।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ (ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ- ଏଫଏସଆଇ) ସଂସ୍ଥା ୨୦୦୪ ମସିହାରୁ ‘ମୋଡ଼ିସ’ (ମୋଡ଼ରେଟ ରିଜଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋରେଡ଼ିଓମିଟର) ସେନସର ଓ ୨୦୧୭ରୁ ‘ଏସଏନପିପି-ଭିଆଇଆଇଆରଏସ ସେନସର’ ମାଧ୍ୟମରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପର୍କରେ ରାଜ୍ୟ ବନ ବିଭାଗଗୁଡ଼ିକୁ ସତର୍କ ସୂଚନା ପ୍ରଦାନ କରିଆସୁଛି । ଉଲ୍ଲେଖଯୋଗ୍ୟ ଯେ ଏଫଏସଆଇ ତରଫରୁ ଯେଉଁ ୧୦ଟି ରାଜ୍ୟରେ ବିଟ୍ ଓ ରେଞ୍ଜ ସ୍ତରରେ ସତର୍କ ସୂଚନା ଦିଆଯାଉଛି ସେହି ତାଲିକାରେ ଓଡ଼ିଶା ନାହିଁ । ତୃଣମୂଳ ସ୍ତରର ଯେତେ ଅଧିକ ସତର୍କ ସୂଚନା ମିଳିପାରିବ, ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳତା ସେତେ ବେଶି ମିଳିବ । ତେଣୁ ଏଫଏସଆଇ ସହ ସମନ୍ୱୟ ରକ୍ଷା କରି ବିଟ ଓ ରେଞ୍ଜ ସ୍ତରର ସୂଚନା ହାସଲ କରିବା ଲାଗି ପ୍ରୟାସ ହେବା ଆବଶ୍ୟକ ।
ବନାଗ୍ନିର ସଂଖ୍ୟା ଓ ବିଭୀଷିକା ବଢ଼ିବା ସହିତ ଏହାର ନିବାରଣ ଓ ନିୟନ୍ତ୍ରଣ ପାଇଁ ମଧ୍ୟ ଗତ କିଛି ବର୍ଷ ଧରି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପଲବ୍ଧ ହୋଇଆସିଛି । ଏଥି ମଧ୍ୟରେ ‘ଆଇଓଟି (ଇଣ୍ଟରନେଟ ଅଫ ଥିଙ୍ଗସ୍) ସେନସର’ ନିଆଁକୁ ଚିହ୍ନଟ ଓ ନିବାରଣ କରିବାରେ ଉପଯୋଗୀ ହୋଇପାରୁଛି । ଏହି ସେନସର ଜରିଆରେ ଜଙ୍ଗଲର ନିର୍ଦ୍ଦିଷ୍ଟ ସ୍ଥାନର ଉତ୍ତାପ, ଆର୍ଦ୍ରତା, ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ ଆଦି ଅଗ୍ନି-ଅନୁକୂଳ ଉପାଦାନଗୁଡ଼ିକ ସମ୍ପର୍କରେ ସୂଚନା ସଂଗ୍ରହ ହୋଇପାରୁଛି । ଅନୁରୂପ ଭାବେ ସେନସର, କ୍ୟାମେରା, ପାଣିପାଗ ତଥ୍ୟ, ଐତିହାସିକ ତଥ୍ୟ, ଉପଗ୍ରହରୁ ମିଳୁଥିବା ତଥ୍ୟ, ସାମାଜିକ ଗଣମାଧ୍ୟମରୁ ଉପଲବ୍ଧ ତଥ୍ୟ ଆଦିକୁ ‘କୃତ୍ରିମ ବୁଦ୍ଧିମତ୍ତା’ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଉପଯୋଗରେ ତୁରନ୍ତ ବିଶ୍ଳେଷଣ କରାଯାଇପାରୁଛି । ଏହା ବନାଗ୍ନି ନିବାରଣରେ ଉପଯୋଗୀ ସାବ୍ୟସ୍ତ ହେଉଛି । ଅଗ୍ନି ନିର୍ବାପନରେ ମଣିଷଙ୍କୁ ପାଖରୁ ବ୍ୟବହାର କରିବା ବିପଦସଙ୍କୁଳ ହେଉଥିବାରୁ ଅଗ୍ନି ନିର୍ବାପକମାନେ ଦୂରତା ରକ୍ଷାକରି ପ୍ରଥମେ ଡ୍ରୋନ ମାଧ୍ୟମରେ ନିଆଁର ଭୟାବହତାକୁ ନିରୀକ୍ଷଣ ଓ ଆକଳନ କରି ସେହି ଅନୁସାରେ ନିର୍ବାପନ ରଣନୀତି ପ୍ରସ୍ତୁତ କରିଥାଆନ୍ତି । ଡ୍ରୋନ ଜରିଆରେ ନିଆଁର ସର୍ଭେ, ନିଆଁ ଲିଭାଇବା ଓ ନିଆଁ ଘେରରେ ରହିଥିବା ବିପନ୍ନ ମଣିଷ ଓ ଜୀବଜନ୍ତୁଙ୍କୁ ଉଦ୍ଧାର କରାଯାଇପାରୁଛି । ଡେନମାର୍କର ‘ରୋବୋଟୋ’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ଏହି ଧରଣର ଡ୍ରୋନ ପ୍ରସ୍ତୁତ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତର କିଛି ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ହେଲିକେପ୍ଟରର ବ୍ୟବହାର କରାଯାଉଥିବା ବେଳେ ଏହା ବ୍ୟୟବହୁଳ ହେବା ସହ ବିପଦପୂର୍ଣ୍ଣ ମଧ୍ୟ । ଓଡ଼ିଶାରେ ମଧ୍ୟ ଏହି ସବୁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ତୁରନ୍ତ ଉପଯୋଗ କରାଯିବାର ଆବଶ୍ୟକତା ରହିଛି ।
କୁହାଯାଏ, ଜଙ୍ଗଲରେ ନିଆଁ ଲାଗିବାର ପ୍ରଥମ ଘଣ୍ଟାଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ତା’ପରେ ଏହା ଏପରି ଉଗ୍ର ରୂପ ଧାରଣ କରିବାକୁ ଲାଗେ ଯେ ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ । ତେଣୁ ନିଆଁ ଲିଭାଇବା ପାଇଁ ଓଡ୍ରାଫ ବା ଅନ୍ୟ କୁଶଳୀ ଅଗ୍ନି ନିର୍ବାପକଙ୍କ ସହାୟତା ନିଆଗଲେ ବି ସେତେବେଳକୁ ବିଳମ୍ୱ ହୋଇସାରିଥାଏ । ତେଣୁ, ରାସ୍ତାଗୁଡ଼ିକରେ ଦୁର୍ଘଟଣାପ୍ରବଣ ଅଞ୍ଚଳ(ବ୍ଲାକ ସ୍ପଟସ୍)ମାନ ଚିହ୍ନିତ ହେଲା ଭଳି ବନାଗ୍ନିପ୍ରବଣ ଅଞ୍ଚଳଗୁଡ଼ିକର ଚିହ୍ନିତ କରାଯାଇ ଅଗ୍ନି ନିୟନ୍ତ୍ରଣ ପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କ ଗୋଷ୍ଠୀ ଭାଗିଦାରୀକୁ ସୁନିଶ୍ଚିତ କରିବା ଆବଶ୍ୟକ । ଏଥିପାଇଁ ସେମାନଙ୍କୁ ଓ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ତାଲିମ ମାଧ୍ୟମରେ ସର୍ବନିମ୍ନ କୌଶଳ ଓ ଉପକରଣ ପ୍ରଦାନ କରାଯାଇ ସକ୍ଷମ କରାଗଲେ ସେହି ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଘଣ୍ଟାର ସଦୁପଯୋଗ ହୋଇପାରନ୍ତା ।
ଓଡ଼ିଶାର ପାହାଡ଼, ଜଙ୍ଗଲ ତଳେ ଥିବା ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଅହରହ ଲୋଲୁପ ଦୃଷ୍ଟି ପକାଇଆସୁଥିବା ଶିଳ୍ପପତି ଓ ପୁଞ୍ଜିପତିଙ୍କ ପାଇଁ ବନାଗ୍ନି ମାଧ୍ୟମରେ ଜଙ୍ଗଲ ନଷ୍ଟହେବା ହୁଏତ ସୁସମାଚାର ହୋଇପାରେ । ମାତ୍ର ଜଙ୍ଗଲକୁ ନିଜ ଜୀବନ ଓ ଜୀବିକାର ଅଂଶ ଭାବେ ଗ୍ରହଣ କରୁଥିବା ଆଦିବାସୀ ସମାଜ ପାଇଁ ଜଙ୍ଗଲର ମହତ୍ତ୍ୱ କେତେ ଅଧିକ ତାହା ସେମାନଙ୍କଠାରୁ ବେଶି ଆଉ କିଏ ବା ବୁଝିବ । ଜଙ୍ଗଲ ନିଶ୍ଚିହ୍ନ ହୋଇଗଲେ ସେମାନଙ୍କ ଭାଷା, ଧର୍ମ, ସଂସ୍କୃତି ପ୍ରତି ବିପଦ ମାଡ଼ି ଆସି ସେମାନଙ୍କ ସମଗ୍ର ଅସ୍ତିତ୍ୱ ସଙ୍କଟାପନ୍ନ ହୋଇପଡ଼ିପାରେ । ତେଣୁ ଜଙ୍ଗଲର ସୁରକ୍ଷା ପାଇଁ ଆଦିବାସୀ ସମାଜର ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କୁ ମାନସମନ୍ଥନ କରିବାକୁ ହେବ ଯେମିତି ଜାଣତ ବା ଅଜାଣତରେ, ଲାଭ ବା ଲୋଭର ବଶବର୍ତ୍ତୀ ହୋଇ ଜଙ୍ଗଲର ଇଞ୍ଚେ ଅଞ୍ଚଳ ବି ବନାଗ୍ନିରେ ଧ୍ୱଂସ ହୋଇନଯାଏ । କେବଳ ଆଦିବାସୀ ସମାଜ ନୁହେଁ ଓଡ଼ିଶାର ଜଙ୍ଗଲ ସୁରକ୍ଷିତ ରଖିବା ରାଜ୍ୟର ସବୁ ଅଧିବାସୀଙ୍କ କର୍ତ୍ତବ୍ୟ ହେବା ଉଚିତ, କାରଣ ଜଙ୍ଗଲର କ୍ଷୟକ୍ଷତି ପ୍ରତି ବିମୁଖ ହେବା ଅର୍ଥ ଜାଣିଶୁଣି ବିପଦକୁ ଆମନ୍ତ୍ରଣ କରିବା । ବାତ୍ୟା ବା ବନ୍ୟାର ମୁକାବିଲା ପାଇଁ ସରକାର, ଗଣମାଧ୍ୟମ ଓ ରାଜ୍ୟବାସୀଙ୍କଠାରେ ଯେଉଁ ଉତ୍କଣ୍ଠା ଓ ତତ୍ପରତା ପ୍ରକାଶ ପାଇଥାଏ, ବନାଗ୍ନିର ମୁକାବିଲା ପାଇଁ ତାହା ସେହିପରି ପରିଲକ୍ଷିତ ହେଉନଥିବାରୁ ବନାଗ୍ନିକୁ ମଧ୍ୟ ଏକ ସମାନ ସ୍ତରର ବିପର୍ଯ୍ୟୟ ରୂପେ ଗ୍ରହଣ କରି ତା’ର ମୁକାବିଲା ପାଇଁ ଆନ୍ତରିକତା ପ୍ରଦର୍ଶନର ଆବଶ୍ୟକତା ରହିଛି । ଓଡ଼ିଶାର ଭୌଗୋଳିକ କ୍ଷେତ୍ରର ପ୍ରାୟ ଏକ-ତୃତୀୟାଂଶ ଜଙ୍ଗଲରେ ଆଚ୍ଛାଦିତ ହୋଇଥିବାରୁ ସେହି ଜଙ୍ଗଲ ସୁରକ୍ଷିତ ରହିବା ଆବଶ୍ୟକ । ନହେଲେ ଆଉ କିଛି ବର୍ଷ ପରେ ଆମ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତରୁ ହୁଏତ ‘ଘନଘନ ବନଭୂମି ରାଜିତ ଅଙ୍ଗେ’ ଧାଡ଼ିଟିକୁ ବାଦ ଦେବାର ଅବକାଶ ସୃଷ୍ଟି ହୋଇପାରେ ।
Published in Sambad on March 21, 2023
Comments
Post a Comment