ପଶ୍ଚିମବଙ୍ଗ ବିଧାନସଭା ପାଇଁ ୮ ଦଫାରେ ନିର୍ବାଚନ କରିବା, ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାରେ ବିଳମ୍ୱ କରି ଶାସକ ଦଳକୁ ଲାଭ ପହଞ୍ଚାଇବା, ଲୋକ ଜନଶକ୍ତି ପାର୍ଟିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କମିସନଙ୍କ ନିକଟରେ ଥିବା ବିବାଦର ନିର୍ଣ୍ଣୟ ନ କରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦର ତରବରିଆ ଭାବେ ନିଷ୍ପତ୍ତି ନେବା, ଆଚରଣ ବିଧି ଉଲ୍ଲଂଘନ ମାମଲାଗୁଡ଼ିକରେ ପାତରଅନ୍ତର ପ୍ରଦର୍ଶନ କରିବା ଭଳି ଅଭିଯୋଗ ନିକଟ ଅତୀତରେ ନିର୍ବାଚନ କମିସନଙ୍କ ବିରୋଧରେ ହୋଇ ଏହି ଅନୁଷ୍ଠାନର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । କୋଭିଡ଼ ନିୟମ ଉଲ୍ଲଂଘନ କରି ନିର୍ବାଚନୀ ରାଲି କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ କମିସନ ମାନ୍ଦ୍ରାଜ ହାଇକୋର୍ଟଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏକ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନିର୍ବାଚନ କମିସନଙ୍କ ସ୍ୱାଧୀନତା ଆଜି ସଙ୍କଟରେ । ଏହା ପଛର ଏକ ବଡ଼ କାରଣ ହେଉଛି ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟା, ଯେଉଁଥିରେ କିଏ କମିସନର ହେବେ ତାହା ବସ୍ତୁତଃ ପ୍ରଧାନମନ୍ତ୍ରୀ ହିଁ ସ୍ଥିର କରିଥାନ୍ତି । ସେହି ଦୃଷ୍ଟିରୁ ଗଲା ମାର୍ଚ୍ଚ ୨, ୨୦୨୩ରେ ‘ଅନୁପ ବରନଓୱାଲ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ରାୟ କହିଛି, “ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ବା ବିରୋଧୀ ଦଳର କେହି ନେତା ନଥିଲେ ଲୋକସଭାରେ ବିରୋଧୀ ଦଳଙ୍କ ମଧ୍ୟରେ ସର୍ବାଧିକ ସଦସ୍ୟ ଥିବା ଦଳର ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରିବେ ।“ ସଂସଦ ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ କରିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବଳବତ୍ତର ରହିବ । ଫଳସ୍ୱରୂପ, ଏଣିକି ଆଉ ଶାସକ ଦଳ ନିଜକୁ ସୁହାଇଲା ଭଳି ନିର୍ବାଚନ କମିସନର ନିଯୁକ୍ତ କରିପାରିବେ ନାହିଁ ।
ନିର୍ବାଚନ ସଂକ୍ରାନ୍ତ ବିଧିବ୍ୟବସ୍ଥା ସମ୍ୱିଧାନର ପଞ୍ଚଦଶ ଅଧ୍ୟାୟର ଅନୁଚ୍ଛେଦ ୩୨୪ରୁ ୩୨୯ ପର୍ୟ୍ୟନ୍ତ ବର୍ଣ୍ଣିତ । ଅନୁଚ୍ଛେଦ ୩୨୪(୨) ଅନୁଯାୟୀ, ନିର୍ବାଚନ କମିସନରେ ଜଣେ ମୁଖ୍ୟ ନିର୍ବାଚନ କମିସନର ଓ କିଛି ନିର୍ବାଚନ କମିସନର ରହିବେ ଓ ଏଥିପାଇଁ ସଂସଦ ଦ୍ୱାରା ପ୍ରଣୀତ ଆଇନ ଅନୁଯାୟୀ ସେମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେବେ । ତେବେ କେଉଁ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟାରେ ନିର୍ବାଚନ କମିଶନରଙ୍କ ଚୟନ ହେବ, ସମ୍ୱିଧାନରେ ତା’ର ଉଲ୍ଲେଖ ନାହିଁ । ସେହି ଦାୟିତ୍ୱଟିକୁ ସଂସଦ ଉପରେ ନ୍ୟସ୍ତ କରାଯାଇଛି । ବସ୍ତୁତଃ ସମ୍ୱିଧାନରେ ଥିବା ମନୋନୀତ ସାମ୍ୱିଧାନିକ କର୍ତ୍ତୃପକ୍ଷଙ୍କ ମଧ୍ୟରୁ କେବଳ ନିର୍ବାଚନ କମିସନ, ଜାତୀୟ ଅନୁସୂଚିତ ଜାତି କମିସନ, ଅନୁସୂଚିତ ଜନଜାତି କମିସନ, ପଛୁଆ ବର୍ଗ କମିସନଙ୍କ ନିଯୁକ୍ତି କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ ଯୋଗ୍ୟତାର ସମ୍ୱିଧାନ ବା ଆଇନରେ କୌଣସି ଉଲ୍ଲେଖ ନାହିଁ । ତେବେ ପରମ୍ପରା କ୍ରମେ ଉଚ୍ଚ ପଦମଣ୍ଡନ କରିଥିବା ପ୍ରାଶାସନିକ ଅଧିକାରୀମାନଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତି ମିଳିଆସିଛି । ସମ୍ୱିଧାନ ପ୍ରଣୟନର ୭୨ ବର୍ଷ ପରେ ମଧ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ଲାଗି ସଂସଦ କୌଣସି ଆଇନ କରି ନଥିବାରୁ ଏବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିର୍ବାଚନ କମିସନର ନିଯୁକ୍ତ ହେଉଛନ୍ତି । ସୁତରାଂ ତାଙ୍କ ନିଯୁକ୍ତିରେ ସ୍ୱଚ୍ଛତା ପରିଲକ୍ଷିତ ହେଉନାହିଁ । ଅର୍ଥାତ୍ ଉଭୟ ସମ୍ୱିଧାନ ଓ ଆଇନରେ ଏଭଳି ଏକ ‘ଶୂନ୍ୟସ୍ଥାନ’ ଥିବା ଦୃଷ୍ଟିରୁ ସ୍ଥିତି ସ୍ପଷ୍ଟ କରିବା ଲାଗି ମାମଲାଟିକୁ ସୁପ୍ରିମକୋର୍ଟର ଏକ ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠଙ୍କ ଦ୍ୱାରା ବିଚାର କରାଯିବା ଦରକାର ପଡ଼ିଲା ।
ସ୍ୱାଧୀନତା ପୂର୍ବରୁ ଭାରତ ସରକାର ଆଇନ, ୧୯୩୫ ଅନୁଯାୟୀ ନିର୍ବାଚନ କମିସନ କାର୍ଯ୍ୟପାଳିକାର ଅଂଶବିଶେଷ ଥିଲା । କିନ୍ତୁ ଭୋଟଦାନ ଅଧିକାରକୁ ନାଗରିକଙ୍କର ମୌଳିକ ଅଧିକାର ଭାବେ ଗ୍ରହଣ କରିବାକୁ ସମ୍ୱିଧାନ ପ୍ରଣୟନ ସଭାରେ ସହମତି ପ୍ରକାଶ ପାଇବା ପରେ ସେହି ଅଧିକାରର ଅବାଧ ସାବ୍ୟସ୍ତ ଲାଗି ଏକ ରାଜନୈତିକ ଚାପ ଓ ପ୍ରଭାବ ମୁକ୍ତ ନିର୍ବାଚନ ତନ୍ତ୍ର ପ୍ରତିଷ୍ଠା ଗୁରୁତ୍ୱ ପାଇଲା । ତେଣୁ ନିର୍ବାଚନ କମିସନକୁ କାର୍ଯ୍ୟପାଳିକାର ନିୟନ୍ତ୍ରଣରୁ ମୁକ୍ତ ରଖିବା ଜରୁରୀ ଥିଲା । ସମ୍ୱିଧାନ ପ୍ରଣୟନ ସଭାରେ ଆଲୋଚନା ବେଳେ ଆମ୍ୱେଦକରଙ୍କ ସମେତ ଅନ୍ୟ ସଦସ୍ୟମାନେ ନିର୍ବାଚନ କମିସନରଙ୍କ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ସଦସ୍ୟ ପ୍ରଫେସର ଶିବନ ଲାଲ ସାକସେନା ଜୁନ ୧୫, ୧୯୪୯ରେ ଆଶଙ୍କା ବ୍ୟକ୍ତ କରିଥିଲେ, “ଏହା ଘଟିବାର ସମ୍ଭାବନା ଯଥେଷ୍ଟ ଅଧିକ ଯେ କ୍ଷମତାରେ ଥାଇ ପରବର୍ତ୍ତୀ ନିର୍ବାଚନ ଜିତିବାକୁ ଚାହୁଁଥିବା କୌଣସି ରାଜନୈତିକ ଦଳ ଜଣେ ବିଶ୍ୱସ୍ତ ଦଳୀୟ କର୍ମୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇପାରେ । ... କେହି କ୍ଷମତାର ଅପବ୍ୟବହାର କରି ଜଣେ ଅନୁପଯୁକ୍ତ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଇପାରେ ଯଦ୍ଦ୍ୱାରା ନିର୍ବାଚନୀ ପ୍ରକ୍ରିୟାରେ ବ୍ୟାପକ କ୍ଷତି ଘଟିପାରେ ।“ ସେହିପରି ହୃଦୟନାଥ କୁଞ୍ଜରୁ ଜୁନ ୧୬, ୧୯୪୯ରେ କହିଥିଲେ, “ଯଦି ନିର୍ବାଚନୀ ତନ୍ତ୍ର ତ୍ରୁଟିଯୁକ୍ତ, ଅଦକ୍ଷ ହୁଏ ବା ସନ୍ଦେହଜନକ ସାଧୁତାସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହୁଏ ତେବେ ଗଣତନ୍ତ୍ର ଉତ୍ସରୁ ହିଁ ବିଷାକ୍ତ ହୋଇଯିବ ।“
ବର୍ତ୍ତମାନର ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ କେତେକ ପ୍ରାସଙ୍ଗିକ ପ୍ରଶ୍ନ ଉତ୍ଥାପନ କରି ବର୍ତ୍ତମାନର ନିଯୁକ୍ତି ପ୍ରକ୍ରିୟା କିପରି ତ୍ରୁଟିଯୁକ୍ତ ତାହା ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ରାୟରେ ଦର୍ଶାଇଛି । ଉଲ୍ଲେଖ ଥାଉ କି ନିର୍ବାଚନ କମିସନର ନିଯୁକ୍ତିରେ ଏକ ସ୍ୱାଧୀନ ପ୍ରକ୍ରିୟାର ଅନୁସରଣ ପାଇଁ ହୋଇଥିବା ଉପରୋକ୍ତ ମାମଲାଟିର ଶୁଣାଣି ନଭେମ୍ୱର ୧୭, ୨୦୨୨ରେ ହୋଇଥିଲା ଓ ପରବର୍ତ୍ତୀ ଶୁଣାଣି ତାରିଖ ନଭେମ୍ୱର ୨୨ ଧାର୍ୟ୍ୟ ହୋଇଥିଲା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟକୁ ଅପେକ୍ଷା ନ କରି ନଭେମ୍ୱର ୧୮ରେ ଗୋଏଲଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତି ପ୍ରଦାନ କରାଗଲା । ଉଲ୍ଲେଖଯୋଗ୍ୟ ଯେ ତିନିଜଣିଆ ନିର୍ବାଚନ କମିସନର ଗୋଟିଏ ପଦ ମେ ୨୦୨୨ରୁ ଖାଲି ଥିଲା ଓ ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ନ ହେବା ପର୍ୟ୍ୟନ୍ତ ସ୍ଥାନଟିକୁ ପୂରଣ ନ କରିବାକୁ ଆବେଦନକାରି ପ୍ରାର୍ଥନା କରିଥିଲେ । ଗୋଏଲଙ୍କ ନିଯୁକ୍ତିର ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ମାତ୍ର ଦିନକ ମଧ୍ୟରେ ନଭେମ୍ୱର ୧୮ରେ ହିଁ ସମାପ୍ତ କରାଯାଇଥିଲା । ସେହି ଦିନ ଚାକିରିରେ ଥିବା ଓ ଅବସର ଗ୍ରହଣ କରିଥିବା କିଛି ଆଇଏଏସ ଅଧିକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଗଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବାଛି ଏକ ସଂକ୍ଷିପ୍ତ ତାଲିକା (ସର୍ଟଲିଷ୍ଟ) କରାଗଲା । ସେମାନଙ୍କ ମଧ୍ୟରୁ ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ ଅରୁଣ ଗୋଏଲଙ୍କ ନାମ ଉପରେ ପ୍ରଧାନମନ୍ତ୍ରୀଙ୍କ ମୋହର ବାଜିଲା, ଯିଏ କେନ୍ଦ୍ର ସରକାରଙ୍କ ଭାରି ଶିଳ୍ପ ମନ୍ତ୍ରାଳୟର ସଚିବ ରୂପେ କାର୍ୟ୍ୟ କରି ଡିସେମ୍ୱର ୩୧, ୨୦୨୨ରେ ଅବସର ଗ୍ରହଣ କରିଥାଆନ୍ତେ । ସେହିଦିନ ଗୋଏଲ ମହାଶୟ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ ଆବେଦନ କରିବା ଇଙ୍ଗିତ କରିଥାଏ ଯେ ସତେ ଯେପରି ସେ ତାଙ୍କର ଏହି ନିଯୁକ୍ତି ସମ୍ପର୍କରେ ପୂର୍ବରୁ ଜାଣିଥିଲେ । ଏଥି ସହ ଅବସର ଗ୍ରହଣ ଲାଗି ଆବଶ୍ୟକ ତାଙ୍କ ତିନିମାସିଆ ନୋଟିସ ଅବଧିକୁ ଛାଡ଼ କରିବାକୁ ମଧ୍ୟ ସେ ଅନୁରୋଧ କଲେ । ସେହିଦିନ ହିଁ ତାଙ୍କ ଆବେଦନ ମଞ୍ଜୁର ହୋଇଗଲା । ତା’ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କ ନିଯୁକ୍ତି ସେହିଦିନ ହିଁ ଅଧିସୂଚିତ ହୋଇଗଲା । ନିର୍ବାଚନ କମିସନର ରୂପେ ନିଯୁକ୍ତି ଯୋଗୁଁ ସେ ଆଉ ୫ ବର୍ଷ ପରେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଫେବୃଆରୀ ୨୦୨୫ରେ ଅବସର ଗ୍ରହଣ କରିବା ପରେ ସେ ପ୍ରାୟ ୩ ବର୍ଷ ସେହି ପଦରେ ଅଧିଷ୍ଠିତ ରହିବେ । ସୁପ୍ରିମକୋର୍ଟଙ୍କ ଅନୁଯାୟୀ “ପ୍ରସ୍ତାବଠାରୁ ଆରମ୍ଭ କରି ସମଗ୍ର ପ୍ରକ୍ରିୟା, ଆଇନ ମନ୍ତ୍ରୀଙ୍କ ହାତରେ ପ୍ରସ୍ତୁତ ହେବା, ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ସୁପାରିଶ ହେବା, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେବା, ନିଯୁକ୍ତ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଦରଖାସ୍ତ ସ୍ୱୀକୃତ ହେବା, ତାଙ୍କୁ ତିନି ମାସର ନୋଟିସ ଅବଧି ଛାଡ଼ କରାଯିବା, ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁଚ୍ଛେଦ ୩୨୪(୨) ଅଧୀନରେ ନିଯୁକ୍ତି ପାଇଁ ଅଧିସୂଚିତ ହେବା, ଏ ସବୁକିଛି ଗୋଟିଏ ଦିନରେ ସମ୍ପନ୍ନ ହେବା “ ରହସ୍ୟମୟ ପ୍ରତୀତ ହୁଏ । ଏଭଳି ପ୍ରକ୍ରିୟାରେ ନିଯୁକ୍ତ ବ୍ୟକ୍ତିଜଣକ ନିଯୁକ୍ତିକାରୀ ପ୍ରତି ସହାନୁଭୂତିଶୀଳ ରହିବା ସ୍ୱାଭାବିକ ହୋଇଥିବା ବେଳେ, ସେ ଯେତେ ନିରପେକ୍ଷ ଆଚରଣ କଲେ ମଧ୍ୟ ତାଙ୍କ ଆଚରଣ ସବୁବେଳେ ସନ୍ଦେହ ଘେରରେ ରହିବା ବି ସ୍ୱାଭାବିକ । ଯଦିଓ ସୁପ୍ରିମକୋର୍ଟ ଗୋଏଲଙ୍କ ନିଯୁକ୍ତିକୁ ବାତିଲ କରିନାହାନ୍ତି ଏହି ନିଯୁକ୍ତି ପ୍ରକରଣରେ ଦୁର୍ନୀତିର ସମସ୍ତ ସମ୍ଭାବନା ନେଇ ଅଦାଲତଙ୍କ ଇଙ୍ଗିତ କାରଣରୁ ନୈତିକତା ଦୃଷ୍ଟିରୁ ଗୋଏଲ ଇସ୍ତଫା ଦେବା ଉଚିତ ହୁଅନ୍ତା ।
ଭିନ୍ନ ଭିନ୍ନ ସରକାରଙ୍କ ଅମଳରେ ନିର୍ବାଚନ କମିସନଙ୍କ ସ୍ୱାଧୀନତା ହାନି ଲାଗି ଉଦ୍ୟମ ହୋଇଥିଲେ ବି କମିସନ କ୍ରମାଗତ ଭାବେ ନିଜ ବିଶ୍ୱସନୀୟତାକୁ ବୃଦ୍ଧି କରି ଟିଏନ ଶେଷାନଙ୍କ ଅମଳରେ ତାକୁ ଶିଖରରେ ପହଞ୍ଚାଇ ପାରିଥିଲା । ଏପରିକି ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ନିର୍ବାଚନର ପରିଚାଳନା ନିରପେକ୍ଷ ଥିଲା । କିନ୍ତୁ, ଶେଷାନଙ୍କ ପରେ ନିର୍ବାଚନ କମିସନ ସେହି ମର୍ୟ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇପାରିଲେ ନାହିଁ । ସାଧାରଣତଃ ଦେଖାଯାଇଥାଏ ଯେ ମେଣ୍ଟ ସରକାରଙ୍କ ତୁଳନାରେ ଏକକ ସଂଖ୍ୟା ଗରିଷ୍ଠତା ସହ ଗଠିତ ସରକାର ଅମଳରେ ନିର୍ବାଚନ କମିସନ ଦୁର୍ବଳ ହୋଇଥାଏ । ଏହା ୨୦୧୪ ପରେ ଅଧିକ ଅନୁଭୂତ ହେଉଛି । ସରକାରଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ କମିସନରମାନେ ନିଯୁକ୍ତ ହେଉଥିବାରୁ ସେମାନେ ସରକାରୀ ଦଳ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥାନ୍ତି ବୋଲି ଧାରଣା ସୃଷ୍ଟି ହୋଇଥାଏ । ଅନ୍ୟ ପକ୍ଷରେ କମିସନରେ ଥାଇ ଆନୁଷ୍ଠାନିକ ସ୍ୱାୟତ୍ତତା କଥା ଉଠାଉଥିବା ବ୍ୟକ୍ତିଙ୍କୁ କିପରି କ୍ଷତିର ବିପଦ ମୁଣ୍ଡାଇବାକୁ ହୋଇଥାଏ, ତା’ର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରାକ୍ତନ ନିର୍ବାଚନ କମିସନର ଅଶୋକ ଲାଭାସା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନୀ ସଭାରେ ମୋଦୀ ଓ ବିଜେପିର ତତ୍କାଳୀନ ସଭାପତି ଅମିତ ଶାହ ଦେଇଥିବା କିଛି ବିବାଦାସ୍ପଦ ମନ୍ତବ୍ୟ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି କମିସନଙ୍କ ନିକଟକୁ ଆସିଥିବା ଅଭିଯୋଗରେ କମିସନ ଉଭୟଙ୍କୁ ଦୋଷମୁକ୍ତ କରିଥିଲେ ହେଁ ଅନ୍ୟତମ ନିର୍ବାଚନ କମିସନର ଅଶୋକ ଲାଭାସାଙ୍କର ଏ ସଂକ୍ରାନ୍ତରେ ଭିନ୍ନମତ ଥିବାରୁ ସେ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ପରିବାର ସଦସ୍ୟଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସିଙ୍କ ଦ୍ୱାରା ଚଢ଼ଉ କରାଯାଇଥିଲା । ତାଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀ ପଦକୁ ଉନ୍ନୀତ ହେବାର ସମ୍ଭାବନା ସତ୍ତ୍ୱେ ତାଙ୍କୁ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ପଦଚ୍ୟୁତ କରିବା ସହଜ ନୁହେଁ କାରଣ କେବଳ ମହାଭିଯୋଗ (ଇମ୍ପିଚମେଣ୍ଟ) ମାଧ୍ୟମରେ ହିଁ ତାଙ୍କୁ ବହିଷ୍କାର କରାଯାଇପାରେ । କିନ୍ତୁ ଏହି ସୁରକ୍ଷା କମିସନର ଅନ୍ୟ ସଦସ୍ୟମାନଙ୍କୁ ଉପଲବ୍ଧ ନଥିବାରୁ ସେମାନଙ୍କୁ ସହଜରେ ପଦଚ୍ୟୁତ କରାଯାଇପାରେ । ଏହା କମିସନଙ୍କ ନିରପେକ୍ଷ ଆଚରଣର ପରିପନ୍ଥୀ । ଅଶୋକ ଲାଭାସା ପ୍ରକରଣ ପରେ ନିର୍ବାଚନ କମିସନରମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପରି ସୁରକ୍ଷା (କେବଳ ଇମ୍ପିଚମେଣ୍ଟ ମାଧ୍ୟମରେ ବହିଷ୍କାର ) ନମିଳିଲେ କେଉଁ କମିସନର ସାଧୁତାର ସହ କାର୍ୟ୍ୟ କରି ସ୍ୱାଧୀନତା ଓ ନିରପେକ୍ଷତା ପ୍ରଦର୍ଶନ କରିବାର ସାହସ କରିବ ?
ସୁପ୍ରିମକୋର୍ଟଙ୍କ ଆଦେଶକୁ କେହି କେହି ମାତ୍ରାଧିକ ବିଚାର ବିଭାଗୀୟ ସକ୍ରିୟତା (ଜୁଡ଼ିସିଆଲ ଆକ୍ଟିଭିଜିମ୍) ବୋଲି କହିପାରନ୍ତି । କିନ୍ତୁ ସମ୍ୱିଧାନରେ ଥିବା ‘ଶୂନ୍ୟସ୍ଥାନ’ ପୂରଣ କରିବା ଲାଗି ସଂସଦ ଆବଶ୍ୟକ ଆଇନ ପ୍ରଣୟନ ନକଲେ ବା କରିବାରେ ବିଳମ୍ୱ କଲେ ସମ୍ୱିଧାନ ଓ ଜନସ୍ୱାର୍ଥର ସୁରକ୍ଷା ଲାଗି ସୁପ୍ରିମକୋର୍ଟ ଏଭଳି କରିବା ଉଚିତ । ନିର୍ବାଚନ କମିସନଙ୍କ ସ୍ୱାଧୀନତା ଓ ନିରପେକ୍ଷତା ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ଅପରିହାର୍ୟ୍ୟ ହୋଇଥିବାବେଳେ ଭଗ୍ନଜାନୁ କମିସନ୍ ଗଣତନ୍ତ୍ର ପାଇଁ ବିପଜ୍ଜନକ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ନିର୍ବାଚନ କମିସନର ସ୍ୱାଧୀନତାକୁ ପୁନଃସ୍ଥାପିତ କରି ତା’ର ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଏ । ଏଥିସହ ରାଜ୍ୟଗୁଡ଼ିକରେ ନିର୍ବାଚନ ଆୟୋଗ ନିଯୁକ୍ତି ବେଳେ ମଧ୍ୟ ଅନୁରୂପ ପ୍ରକ୍ରିୟାକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟି ମାଧ୍ୟମରେ ଚୟନ କରାଯିବା ଉଚିତ ।
Published in Sambad on March 07, 2023
Excellent article. Congratulations
ReplyDeleteThanks
Delete