Skip to main content

ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ରିପୋର୍ଟ

ଜାନୁଆରୀ ୨୪, ୨୦୨୩ ମଙ୍ଗଳବାର ଦିନ ଗୋଟିଏ ଗବେଷଣା ଆଧାରିତ ରିପୋର୍ଟ ପ୍ରକାଶ ପାଇଲା । ଷ୍ଟକ ମାର୍କେଟରେ ଜାନୁଆରୀ ୨୫ରୁ ଫେବୃଆରୀ ୧ ପାଞ୍ଚଟି ବ୍ୟବସାୟ ଦିବସରେ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ସମୂହର ୭ଟି ପ୍ରମୁଖ ସୂଚିବଦ୍ଧ (ଲିଷ୍ଟେଡ) କମ୍ପାନିର ଶେୟାର ନିମ୍ନ ପ୍ରକାରେ ରସାତଳଗାମୀ ହେବାକୁ ଲାଗିଲା – ଆଦାନୀ ଏଣ୍ଟରପ୍ରାଇଜେସ – ୩୪୪୨ଟଙ୍କାରୁ ୨୧୨୯ ଟଙ୍କା ( ୧୩୧୩ ଟଙ୍କା), ଆଦାନୀ ଟ୍ରାନସମିସନ – ୨୭୫୬ ଟଙ୍କାରୁ ୧୭୩୦ ଟଙ୍କା (୧୦୨୬ ଟଙ୍କା), ଆଦାନୀ ଟୋଟାଲ ଗ୍ୟାସ –  ୩୮୫୧ ଟଙ୍କାରୁ ୧୯୦୨ ଟଙ୍କା (୧୯୪୯ ଟଙ୍କା), ଆଦାନୀ ଗ୍ରିନ ଏନର୍ଜି – ୧୯୧୭ ଟଙ୍କାରୁ ୧୧୫୩ ଟଙ୍କା (୭୬୪ ଟଙ୍କା),  ଆଦାନୀ ପାୱାର – ୨୭୫ ଟଙ୍କାରୁ ୨୨୪ ଟଙ୍କା (୫୧ ଟଙ୍କା), ),  ଆଦାନୀ ପୋର୍ଟସ – ୭୬୧ ଟଙ୍କାରୁ ୪୯୨ ଟଙ୍କା ( ୨୬୯ ଟଙ୍କା), ଆଦାନୀ ୱିଲମାର – ୫୭୩ ଟଙ୍କାରୁ ୪୪୪ ଟଙ୍କା (୧୨୯ ଟଙ୍କା) । ଫଳରେ ଗୌତମ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୭ ବିଲିଅନ ଡଲାରରୁ ହ୍ରାସ ପାଇ ୭୫.୧ ବିଲିଅନ ଡଲାରରେ ପହଞ୍ଚି ତାଙ୍କ ସମ୍ପତ୍ତିର ମୂଲ୍ୟ ୫୦ ବିଲିଅନ ଡଲାରରୁ ଅଧିକ ବା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଲା । ବିଶ୍ୱର ୩ୟ ଧନୀ ବୋଲାଉଥିବା ବ୍ୟକ୍ତିଜଣକ ପ୍ରଥମ ୧୦ ଜଣ ଧନୀଙ୍କ ତାଲିକାରୁ ବି ବାଦ୍ ପଡ଼ି ୧୫ଶ ସ୍ଥାନରେ ପହଞ୍ଚିଗଲେ ।

କର୍ପୋରେଟ ଦୁନିଆରେ ଚହଳ ପକାଇ ବିତ୍ତଶାଳୀ ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ୧୦୬ ପୃଷ୍ଠା, ୩୨୦୦୦ ଶବ୍ଦ ଓ ୭୨୦ଟି ଉଦ୍ଧୃତି ବିଶିଷ୍ଟ ସେହି ରିପୋର୍ଟଟିର ପ୍ରସ୍ତୁତକର୍ତ୍ତା ହେଉଛନ୍ତି ଆମେରିକାର ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ସଂସ୍ଥା ଓ ଏହି ରିସର୍ଚ୍ଚ ପ୍ରସ୍ତୁତି ପଛରେ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟର ଗବେଷଣା ସନ୍ନିହିତ ରହିଛି । ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଏକ ବିତ୍ତୀୟ ଫରେନସିକ ଗବେଷଣା ସଂସ୍ଥା ଯାହାର ପ୍ରତିଷ୍ଠାତା ନାଥାନ ଏଣ୍ଡରସନ ନିଜେ ଅଂଶଧନ ବଜାରରେ ଜଣେ ‘ସର୍ଟ ସେଲର’ ହୋଇଥିବାରୁ ଅଂଶଧନ ବଜାରର ବିଭିନ୍ନ ସୂକ୍ଷ୍ମ ଗତିବିଧି ଉପରେ ତାଙ୍କର ଧ୍ୟାନ ଥାଏ । ୨୦୧୭ରେ ପ୍ରତିଷ୍ଠିତ ଏହି ସଂସ୍ଥା ବିନିବେଶ ପରିଚାଳନା ଶିଳ୍ପ ସହ ସମ୍ପୃକ୍ତ କମ୍ପାନିଗୁଡ଼ିକରର ଅଂଶଧନ (ଇକ୍ୟୁଇଟି), ଋଣ ଓ ଡେରିଭେଟିଭର ବିଶ୍ଳେଷଣ କରିଆସୁଛି । ଏହାର ଗବେଷଣା ମାଧ୍ୟମରେ ସାରା ବିଶ୍ୱରେ ବିଭିନ୍ନ କମ୍ପାନିଙ୍କ ଦ୍ୱାରା ହେଉଥିବା ଆକାଉଣ୍ଟିଂ ଅନିୟମିତତାଠାରୁ ଆରମ୍ଭ କରି ଅବୈଧ ଓ ଅନୈତିକ ବ୍ୟାବସାୟିକ ବ୍ୟବହାର ଆଦି ଲୋକଲୋଚନକୁ ଆସି ବ୍ୟବସାୟ ଦୁନିଆର ବଡ଼ ବଡ଼ ଦୁର୍ନୀତି ସମ୍ପର୍କରେ ବିଶ୍ୱବାସୀ ଅବଗତ ହୋଇପାରୁଛନ୍ତି । ସେପ୍ଟେମ୍ୱର ୨୦୨୨ରେ ପ୍ରକାଶିତ ହିଣ୍ଡେନବର୍ଗର ଏକ ଗବେଷଣା ଆଧାରିତ ଆଲେଖ୍ୟକୁ ଭିତ୍ତି କରି ଆମେରିକାର ନିକୋଲା ଟ୍ରକ କମ୍ପାନୀର ମାଲିକ ଟ୍ରେଭର ମିଲଟନ୍ ଠକ ଘୋଷିତ ହୋଇ ଦଣ୍ଡିତ ହୋଇଛନ୍ତି । ସେହିପରି ଅନ୍ୟ ଏକ ରିପୋର୍ଟରେ ଚାଇନା ମେଟାଲ ରିସୋର୍ସେସ କମ୍ପାନୀର ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ସେହି କମ୍ପାନୀର ଅଂଶଧନର ମୂଲ୍ୟ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଥିଲା । କିଛି ସାମ୍ୱାଦିକ ଓ ବିତ୍ତୀୟ ବିଶ୍ଳେଷକଙ୍କୁ ନେଇ ଗଠିତ ହିଣ୍ଡେନବର୍ଗ ସଂସ୍ଥା ଏଯାବତ୍ ୧୬ଟି କମ୍ପାନୀର ବ୍ୟାବସାୟିକ ଅନିୟମିତତା ଓ ଦୁର୍ନୀତିକୁ ପଦାରେ ପକାଇସାରିଲାଣି ।

ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଗ୍ରୁପର ୭ଟି ପ୍ରମୁଖ ସୂଚିବଦ୍ଧ କମ୍ପାନିର ସମୁଦାୟ ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପିଟାଲାଇଜେସନ) ମୂଲ୍ୟ ୧୭.୮ ଲକ୍ଷ କୋଟି ଟଙ୍କା (୨୧୮ ବିଲିଅନ ଡଲାର) ଥିଲା । ସମୂହ ନିୟନ୍ତ୍ରଣରେ ଅସଂଖ୍ୟ ଘରୋଇ କମ୍ପାନି ଓ ପାରିବାରିକ ଟ୍ରଷ୍ଟ ଥିବାବେଳେ ୨୦୧୪ରୁ ଆଦାନୀ ସମୂହ ପ୍ରାୟ ୩୦ଟି କମ୍ପାନୀର ମାଲିକାନାକୁ ଆହରଣ ମାଧ୍ୟମରେ ନିଜ ଅକ୍ତିଆରକୁ ଆଣିସାରିଲେଣି । ଏ ସମସ୍ତ ଆହରଣ ମୁଖ୍ୟତଃ ସିମେଣ୍ଟ, ବନ୍ଦର ଓ ଲଜିଷ୍ଟିକସ, ବିମାନବନ୍ଦର, ଶକ୍ତି କ୍ଷେତ୍ର ଉପରେ କେନ୍ଦ୍ରିତ ଯଦିଓ ଏନଡ଼ିଟିଭି ଭଳି ମିଡ଼ିଆ କମ୍ପାନି ବି ଏହି ଆହରଣରୁ ବାଦ ପଡ଼ିନାହାନ୍ତି । ତନ୍ମଧ୍ୟରେ ରହିଛି ନିକଟରେ ଆହରଣ ହୋଇଥିବା ଆମ୍ୱୁଜା ସିମେଣ୍ଟ ଓ ଏସିସି । ଆଦାନୀ ସମୂହ ବନ୍ଦର, ବିମାନ ବନ୍ଦର ବିକାଶ, ଖଣି, ଡେଟା ସେଣ୍ଟର, ଶକ୍ତି ଉତ୍ପାଦନ ଓ ପରିବହନ ଭଳି ବିଭିନ୍ନ ବ୍ୟବସାୟରେ ନିୟୋଜିତ । ୫ଟି ବ୍ୟବସାୟ ଦିବସ ମଧ୍ୟରେ ଆଦାନୀ ସମୂହର ମାର୍କେଟ କ୍ୟାପିଟାଲାଇଜେସନ ମୂଲ୍ୟ ୮୬ ବିଲିଅନ ଡଲାର ବା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି । ଗୌତମ ଆଦାନୀ ଓ ତାଙ୍କ ପରିବାର ସଦସ୍ୟମାନେ ୧୨୭ ବିଲିଅନ ଡଲାର ସମ୍ପତ୍ତିର ମାଲିକ ହୋଇପାରିଥିଲେ । ତନ୍ମଧ୍ୟରୁ ୧୦୦ ବିଲିଅନ ଡଲାର କେବଳ ଗତ ୩ ବର୍ଷ ଭିତରେ ଆସିଛି । ତାଙ୍କ ସମ୍ପତ୍ତି କାଗଜ ସମ୍ପତ୍ତି ବୋଲି କୁହାଯାଉଛି । ଅର୍ଥାତ୍ ତାଙ୍କ କମ୍ପାନିଗୁଡ଼ିକର ଶେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ତାଙ୍କ ସମ୍ପତ୍ତିର ଆକାଶଛୁଆଁ ବୃଦ୍ଧିର ବଡ଼ କାରଣ । ଉପରୋକ୍ତ ୭ଟି ସୂଚିବଦ୍ଧ କମ୍ପାନୀ ମଧ୍ୟରୁ ଆଦାନୀ ୱିଲମାର ୨୦୨୨ରେ ସୂଚିବଦ୍ଧ ହୋଇଛି । ଏଥିମଧ୍ୟରୁ ଆଦାନି ଏଣ୍ଟପ୍ରାଇଜେସ ଓ ଆଦାନି ପୋର୍ଟସ ଶେୟାର ଦୁଇଟି ସମ୍ମାନଜନକ ନିଫଟି ୫୦ ସୂଚକାଙ୍କରେ ସ୍ଥାନ ପାଇଥିବା ବେଳେ ୬ଟି ଶେୟାର ଏମଏସସିଆଇ ଇଣ୍ଡିଆ ସୂଚକାଙ୍କରେ ସ୍ଥାନ ପାଇଛି । ତେବେ ଗତ ୩ ବର୍ଷ ଭିତରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନି ଟ୍ରାନସମିଶନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଗ୍ରିନ ଏନର୍ଜି, ଆଦାନୀ ପାୱାର ଓ ଆଦାନୀ ପୋର୍ଟସର ଶେୟାର ମୂଲ୍ୟରେ ଯଥାକ୍ରମେ ୧୩୯୮%, ୭୨୯%, ୨୧୨୧%, ୯୦୮%, ୩୩୨% ଓ ୯୮ ପ୍ରତିଶତର ଅବିଶ୍ୱସନୀୟ ବୃଦ୍ଧି ଘଟିଥିବା ବେଳେ ଆଦାନୀ ୱିଲମାର ଶେୟାର ମୂଲ୍ୟ ବର୍ଷକ ଭିତରେ ୧୪୯ ପ୍ରତିଶତ ବୃଦ୍ଧି ପାଇଛି । କମ୍ପାନିଗୁଡ଼ିକର ବିତ୍ତୀୟ ବିବରଣୀରୁ ସେଗୁଡ଼ିକର ବିତ୍ତୀୟ ସ୍ଥିତି ଯାହା ସେଥିରେ ଶେୟାରଗୁଡ଼ିକର ବଜାର ମୂଲ୍ୟ ବାସ୍ତବ ମୂଲ୍ୟଠାରୁ ୮୫ ପ୍ରତିଶତରୁ ଅଧିକ ବୋଲି ଜଣାପଡ଼ୁଛି ।

 ମୂଳରୁ ଆଦାନୀ ସମୂହର ପରିଚାଳନା ନିୟନ୍ତ୍ରଣ ମୁଖ୍ୟତଃ ପରିବାର ସଦସ୍ୟଙ୍କ ଦ୍ୱାରା ହୋଇଆସୁଛି, କାରଣ ନେତୃତ୍ୱ ସ୍ଥାନରେ ଥିବା ୨୨ ଜଣଙ୍କ ମଧ୍ୟରୁ ୮ ଜଣ ଆଦାନୀ ପରିବାର ସହ ସମ୍ୱନ୍ଧିତ । ପ୍ରକାରାନ୍ତରେ ସମସ୍ତ କ୍ଷମତା ଜଣେ ବ୍ୟକ୍ତି ଗୌତମ ଆଦାନୀଙ୍କଠାରେ କେନ୍ଦ୍ରିତ ହେବା ଅର୍ଥ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଦ୍ୱାରା ନିଆଯିବା, ଯାହା ଅତ୍ୟଧିକ ବିପଜ୍ଜନକ । ହିଣ୍ଡେନବର୍ଗ ରିପୋର୍ଟରେ କେଇ ଦଶକ ଧରି ଆଦାନୀ ସମୂହ ଦ୍ୱାରା ଚାଲିଆସିଥିବା ନିର୍ଲଜ ଆକାଉଣ୍ଟିଂ ଠକେଇ, ଷ୍ଟକ ହେରଫେର, ମନି ଲଣ୍ଡ୍ରିଂ ଆଦିର ପ୍ରମାଣ ଥିବାର ଉଲ୍ଲେଖ ରହିଛି । ବସ୍ତୁତଃ ଏହି ଠକେଇକୁ କର୍ପୋରେଟ ଇତିହାସରେ ଏକ ସାଂଘାତିକ ଠକେଇ ବୋଲି ଅଭିହିତ କରାଯାଇଛି । ସରକାରରେ ଥିବା କିଛି ସମର୍ଥକଙ୍କ ସହାୟତା ଓ ଏପରି ଠକାମୀକୁ ରୂପ ଦେବା ପାଇଁ କୁଟୀର ଶିଳ୍ପ ଭଳି ଗଢ଼ି ଉଠିଥିବା କିଛି ଆନ୍ତର୍ଜାତୀୟ କମ୍ପାନିଙ୍କ ସହଯୋଗରେ ଆଦାନୀ ଏଇ ବିଶାଳ ସାମ୍ରାଜ୍ୟକୁ ପ୍ରତିଷ୍ଠା ଓ ବିସ୍ତାର କରିବାକୁ ସକ୍ଷମ ହୋଇଛି ।

ରିପୋର୍ଟରେ ଉପକ୍ରମ ଓ ଉପସଂହାର ବ୍ୟତୀତ ୭ଟି ଅଧ୍ୟାୟରେ କିପରି ଭିନ୍ନ ଭିନ୍ନ ଭାବେ ଆଦାନୀ ସମୂହ ଠକେଇ ଓ ଅନିୟମିତତା କରିଛି, ତାହାର ଉଦାହରଣ ସହ ବିବରଣୀ ରହିଛି । ଠକାମିଗୁଡ଼ିକ ଏତେ ଜଟିଳ ଯେ ଶେୟାର ବଜାର ସହ ସମ୍ପର୍କ ନଥିବା ସାଧାରଣ ଲୋକଟିଏ ପକ୍ଷେ ସେଗୁଡ଼ିକୁ ବୁଝିବା କଷ୍ଟକର ହୋଇଥିଲେ ବି ସେ ଦିଗରେ ପ୍ରୟାସ କରାଯାଉ । ବିଦେଶୀ ଅଫସୋର ଫଣ୍ଡ ଓ ବେନାମୀ ସେଲ୍ କମ୍ପାନିଙ୍କ ଜରିଆରେ ଭାରତୀୟ ଶେୟାର ବଜାର ନିୟନ୍ତ୍ରକ ସେବିର ନିୟମକୁ ଉଲ୍ଲଂଘନ କରି ଆଦାନୀ ସମୂହ କିପରି ‘ଷ୍ଟକ ପାର୍କିଂ’ କରିଛି ତା’ର ଅବତାରଣା ହୋଇଛି ପ୍ରଥମ ଅଧ୍ୟାୟରେ । ‘ଷ୍ଟକ ପାର୍କିଂ’ ଏକ ବେନିୟମ ପ୍ରକ୍ରିୟା ଯେଉଁଥିରେ ପ୍ରଥମରୁ ଶେୟାରକୁ ଅଳ୍ପ ଦିନ ପରେ ମୂଳ ମାଲିକ କିଣିନେବାର ବୁଝାମଣା ସହ ଅନ୍ୟ ଏକ ପକ୍ଷକୁ ତାହା ବିକ୍ରି କରାଯାଇଥାଏ । ପ୍ରତିଷ୍ଠାତା ନିଜେ ବିନିବେଶ ନ କରି ତାଙ୍କ ଭରସାଯୋଗ୍ୟ ଅନ୍ୟ ବ୍ୟକ୍ତିଙ୍କ ସଂସ୍ଥା ମାଧ୍ୟମରେ ନିଜ କମ୍ପାନିର ଶେୟାର କିଣାଇଥାନ୍ତି । ଯେଉଁ କମ୍ପାନିରେ ସାଧାରଣ ଲୋକଙ୍କ ପାଖରେ ଯେତେ ଅଧିକ ପ୍ରତିଶତ ଶେୟାର ଥାଏ ସେଥିରେ ଅନୈତିକ ଭାବେ ଶେୟାର ମୂଲ୍ୟକୁ କମ-ବେଶି କରିବାର ସମ୍ଭାବନା ସେତେ କମ ହୋଇଥାଏ । ଷ୍ଟକ ବଜାର ନିୟନ୍ତ୍ରକ ସେବିର ନିୟମ ଅନୁଯାୟୀ କୌଣସି ସୂଚିବଦ୍ଧ କମ୍ପାନିର ଶେୟାରରେ ଭିତିରି କାରବାର (ଇନସାଇଡ଼ର ଟ୍ରେଡ଼ିଂ) ମାଧ୍ୟମରେ ବଜାରରେ ଶେୟାର ଦରକୁ  ହେରଫେର କରିବାର ସମ୍ଭାବନାକୁ ହ୍ରାସ କରିବା ପାଇଁ ସେହି କମ୍ପାନିର ପ୍ରତିଷ୍ଠାତାଙ୍କ ଅଂଶଧନର ବିବରଣୀ ସାଧାରଣରେ ଉପଲବ୍ଧ ହେବା (ଡିସକ୍ଲୋଜର) ସହ ଅନ୍ତତଃ ୨୫ ପ୍ରତିଶତ ଅଂଶଧନ ସାଧାରଣ ଲୋକଙ୍କ ନିକଟରେ ରହିବା ଦରକାର । ପ୍ରତିଷ୍ଠାତାଙ୍କ ଶେୟାର ୭୫ ପ୍ରତିଶତରୁ ଅଧିକ ହେଲେ କମ୍ପାନିକୁ ଅଣସୂଚିବଦ୍ଧ କରିଦିଆଯାଉଥିବାରୁ କିଛି କମ୍ପାନିର ପ୍ରତିଷ୍ଠାତା ମରିସସ୍ ଓ ଅନ୍ୟ କେତେକ ଦେଶରେ ଥିବା ବିଦେଶୀ କମ୍ପାନୀଙ୍କ ସହାୟତାରେ ଷ୍ଟକ୍ ପାର୍କିଂ କରାନ୍ତି । ଏହାଦ୍ୱାରା ସେମାନେ ଡିସକ୍ଲୋଜର ଆବଶ୍ୟକତାକୁ ଏଡ଼ାଇବା ସହ ଇଚ୍ଛାନୁସାରେ କିଣାବିକା କରି କମ୍ପାନିର ଶେୟାର ମୂଲ୍ୟକୁ ହେରଫେର କରିବାକୁ ସମର୍ଥ ହୁଅନ୍ତି । ଆଦାନୀ ସମୂହର ୪ଟି ସୂଚିବଦ୍ଧ କମ୍ପାନିରେ ପ୍ରତିଷ୍ଠାତାଙ୍କ ଶେୟାର ୭୫ ପ୍ରତିଶତର ନିକଟତର ହୋଇ ଅଣସୂଚିବଦ୍ଧ ହେବାକୁ ବସିଥିଲା । ଅଧିକନ୍ତୁ ମରିସସସ୍ଥିତ ସଂଖ୍ୟାଧିକ ସେଲ କମ୍ପାନୀ ମାଧ୍ୟମରେ ଶେୟାରରେ ବିନିଯୋଗ କରାଯାଇଛି ଯାହା ପ୍ରତିଷ୍ଠାତାଙ୍କ ଶେୟାର ବୋଲି ସନ୍ଦେହ କରାଯାଏ । ଏତଦଭିନ୍ନ ମରିସସସ୍ଥିତ ମଣ୍ଟେରୋସା ଇନଭେଷ୍ଟମେଣ୍ଟ ହୋଲଡିଙ୍ଗସ ନିୟନ୍ତ୍ରଣରେ ଥିବା ୫ଟି ବିନିବେଶ ଫଣ୍ଡ, ଇଲାରା କ୍ୟାପିଟାଲ, ଓପାଲ ଇନଭେଷ୍ଟମେଣ୍ଟ ଓ ସାଇପ୍ରସସ୍ଥିତ ନିଉ ଲିଆଇନା ଇନଭେଷ୍ଟମେଣ୍ଟ ଆଦି ବିନିବେଶ କମ୍ପାନୀଗୁଡ଼ିକ ଜରିଆରେ ଆଦାନୀ ସମୂହର କମ୍ପାନୀଗୁଡ଼ିକର ଅଂଶଧନରେ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଅଂଶଧନ କିଣାଯାଇଥିବା (ଷ୍ଟକ ପାର୍କିଂ)ର ସନ୍ଦେହ କରାଯାଉଛି ।

ଗତ ୨୦ ବର୍ଷ ମଧ୍ୟରେ ଆଦାନୀ ସମୂହର କମ୍ପାନିଗୁଡ଼ିକର ଅଂଶଧନର ବଜାର ମୂଲ୍ୟକୁ ଅନେକ ଥର କୃତ୍ରିମ ଭାବେ ହେରଫେର କରାଯାଇଥିବା କଥା ଦ୍ୱିତୀୟ ଅଧ୍ୟାୟରେ ଉଲ୍ଲେଖ ହୋଇଛି । କେତନ ପାରେଖ ଷ୍ଟକ ଦୁର୍ନୀତିରେ ଆଦାନୀ ଏକ୍ସପୋର୍ଟର ଅଂଶଧନର ମୂଲ୍ୟ ୬ ସପ୍ତାହ (ନଭେମ୍ୱର-ଡିସେମ୍ୱର ୧୯୯୯) ମଧ୍ୟରେ ୪୫୦ଟଙ୍କାରୁ ବଢ଼ି ୧୩୦୦ ଟଙ୍କା ହେବା ପରେ ଖସି ଆସିବା ଓ ପୁଣି ୩ ମାସ ଭିତରେ (ମେ-ଜୁଲାଇ ୨୦୦୦) ୫୭୦ଟଙ୍କାରୁ ବଢ଼ି ୧୧୧୧ଟଙ୍କା ହେବା ତହିଁର ଏକ ଉଦାହରଣ ମାତ୍ର । ୧୪ଟି ଘରୋଇ ଆଦାନୀ କମ୍ପାନି କେତନ ପାରେଖଙ୍କ ନିୟନ୍ତ୍ରଣାଧୀନ ସଂସ୍ଥାକୁ ଅଂଶଧନ ହସ୍ତାନ୍ତର କରି ପାରେଖଙ୍କୁ ଏହି ଷ୍ଟକ ଦୁର୍ନୀତି କରିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୁଏ । ସେହିପରି ବିଭିନ୍ନ ସମୟରେ ଆଦାନୀ କମ୍ପାନିର ଅଂଶଧନର ମୂଲ୍ୟକୁ କୃତ୍ରିମ ରୂପେ ହେରଫେର କରିବାର ପ୍ରୟାସ କରାଯାଇଥିବାର ଦୃଷ୍ଟାନ୍ତ ରହିଛି ।

‘ସଂଶ୍ଳିଷ୍ଟ-ପକ୍ଷ ଦେଣନେଣ’ (ରିଲେଟେଡ଼-ପାର୍ଟି ଟ୍ରାନଜେକସନ୍) ଓ ବିଦେଶୀ ସଂସ୍ଥାଙ୍କ ଜରିଆରେ କିପରି ଗୋପନୀୟ ଭାବେ ଆଦାନୀ ସାମ୍ରାଜ୍ୟକୁ ଅର୍ଥରାଶି ଆସିଛି ଓ ସାମ୍ରାଜ୍ୟରୁ ତାହା ଯାଇଛି ତା’ର ଅବତାରଣା ତୃତୀୟ ଅଧ୍ୟାୟରେ ହୋଇଛି । ‘ସଂଶ୍ଳିଷ୍ଟ-ପକ୍ଷ ଦେଣନେଣ’ କହିଲେ ପୂର୍ବରୁ ବ୍ୟାବସାୟିକ ସମ୍ବନ୍ଧ ଥିବା ବା ଏକାପ୍ରକାର ସ୍ୱାର୍ଥ ଥିବା ଦୁଇଟି ପକ୍ଷ ମଧ୍ୟରେ କାରବାରକୁ ବୁଝାଇଥାଏ । ଏହି ଧରଣର କାରବାର ବେନିୟମ ନହେଲେ ବି ଅନୈତିକ ହୋଇଥାଏ କାରଣ ଏହା ସ୍ୱାର୍ଥ-ଦ୍ୱନ୍ଦ୍ୱର ସମ୍ଭାବନା ସୃଷ୍ଟି କରିଥାଏ । ତେଣୁ ସୂଚିବଦ୍ଧ କମ୍ପାନିଗୁଡ଼ିକ ଏହି ଧରଣର କାରବାରକୁ ସାଧାରଣରେ ପ୍ରକାଶ କରିବା ବିଧେୟ । ଆଦାନୀ ସମୂହର ୭ଟି ସୂଚିବଦ୍ଧ କମ୍ପାନିଙ୍କର ୫୭୮ଟି ସହାୟକ କମ୍ପାନି ଅଛନ୍ତି । ସେଥିରୁ କିଛି ମରିସସ୍, ପାନାମା, ୟୁଏଇ ଭଳି ଆର୍ଥିକ ଦୃଷ୍ଟିରୁ ଅପାରଦର୍ଶୀ ବୋଲି ବଦନାମ ଥିବା ଦେଶଗୁଡ଼ିକରେ ପଞ୍ଜିକୃତ । ଉପରୋକ୍ତ ୭ଟି କମ୍ପାନିରେ କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ୬୦୨୫ଟି ‘ସଂଶ୍ଳିଷ୍ଟ-ପକ୍ଷ ଦେଣନେଣ’ ହୋଇଥିବାର ଜଣାପଡ଼ିଛି । ସେଥିରୁ ଅନେକ କାରବାର ସନ୍ଦେହଜନକ କାରଣ ସେଗୁଡ଼ିକ ସଂଖ୍ୟାଧିକ ବେନାମୀ ସେଲ୍ କମ୍ପାନିଙ୍କ ଜରିଆରେ ହୋଇଛି, ଯାହା ମଧ୍ୟରୁ ଅନେକ ସେଲ କମ୍ପାନି ସହ ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀ ସଂଶ୍ଳିଷ୍ଟ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ଏହି ବିନୋଦ ଆଦାନୀ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଯାହାଙ୍କ ନାମ କୁଖ୍ୟାତ ‘ପାନାମା ପେପର୍ସ’ ଓ ‘ପାଣ୍ଡୋରା ପେପର୍ସ’ରେ ଥିବା ମଧ୍ୟ ଜଣାପଡ଼ିଥିଲା । ତାଙ୍କ ନିୟନ୍ତ୍ରଣାଧୀନ ବିଦେଶୀ ସେଲ କମ୍ପାନିଗୁଡ଼ିକ ଆଦାନୀ ସମୂହ କମ୍ପାନିଗୁଡ଼ିକର ଆର୍ଥିକ ଦୁର୍ନୀତିରେ ଏକ ବଡ଼ ଭୂମିକା ନିର୍ବାହ କରିଥିବାର ଜଣାପଡ଼େ । ‘ସଂଶ୍ଳିଷ୍ଟ-ପକ୍ଷ ଦେଣନେଣ’ ସମ୍ପର୍କରେ ସମ୍ପୂର୍ଣ୍ଣ ଆବଶ୍ୟକୀୟ ଘୋଷଣା ନକରି ହାତବାକ୍ସରୁ ଟଙ୍କା କାଢ଼ିଲା ଭଳି ୭ଟି ସୂଚିବଦ୍ଧ କମ୍ପାନିରୁ ଅର୍ଥ ଅନ୍ୟତ୍ର ହସ୍ତାନ୍ତର ହୋଇଥିବାର ଅନେକ ଉଦାହରଣ ଉପସ୍ଥାପିତ ହୋଇଛି, ଯାହା ଶେୟାରଧାରକଙ୍କ ସ୍ୱାର୍ଥବିରୋଧୀ ।

ଆକାଉଣ୍ଟିଂ ଅନିୟମିତତା ଓ ସନ୍ଦେହଜନକ କାରବାରକୁ ରୋକିବା ଲାଗି କିପରି ଆଦାନୀ ସମୂହରେ କୌଣସି ପ୍ରକାର ସୁଦୃଢ଼ ଆର୍ଥିକ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ, ସେ ସମ୍ପର୍କରେ ଚତୁର୍ଥ ଅଧ୍ୟାୟରେ ଉଲ୍ଲେଖ ରହିଛି । ଏ ଦିଗରେ କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ)ଙ୍କର ଏକ ବଡ଼ ଭୂମିକା ଥାଏ । କୌଣସି ସିଏଫଓଙ୍କୁ ଦୀର୍ଘ ଦିନ ଧରି କାର୍ୟ୍ୟ କରିବାର ଅବକାଶ ଦିଆଯାଇନାହିଁ, ଯାହା ଗତ ୮ ବର୍ଷ ମଧ୍ୟରେ ୫ ଜଣ ସିଏଫଓ ବଦଳା ଯାଇଥିବାରୁ ସୁସ୍ପଷ୍ଟ । ବାହାରର ସ୍ୱାୟତ୍ତ ଅଡ଼ିଟରଙ୍କ ଜରିଆରେ ପ୍ରତ୍ୟେକ କମ୍ପାନିର ଅଡ଼ିଟ କରାଯାଇଥାଏ । ଏ କ୍ଷେତ୍ରରେ ଅନାମଧେୟ କ୍ଷୁଦ୍ର ଅଡ଼ିଟ ସଂସ୍ଥାଙ୍କ ଜରିଆରେ ବିଶାଳ ବ୍ୟବସାୟ ଥିବା ଆଦାନୀ କମ୍ପାନିଗୁଡ଼ିକର ଅଡ଼ିଟ କରାଇବା ସନ୍ଦେହଜନକ । ଉଲ୍ଲେଖଯୋଗ୍ୟ ଯେ ବିଶେଷ ଅଭିଜ୍ଞତା ନଥିବା ୨୩, ୨୪ ଓ ୨୮ ବର୍ଷୀୟ ଅଡ଼ିଟରମାନେ ଆର୍ଥିକ ବିବରଣୀରେ ଦସ୍ତଖତ କରିବା ସେହି ସନ୍ଦେହକୁ ବଢ଼ାଉଛି ଯାହା ।

କିପରି ଟିକସଦାତାଙ୍କ ଅର୍ଥର ଆତ୍ମସାତ୍, ସୂଚିବଦ୍ଧ କମ୍ପାନିରୁ ପାଣ୍ଠି ହଡ଼ପ ଏବଂ ଦୁର୍ନୀତି ମାଧ୍ୟମରେ ଆଦାନୀ ସମୂହ ପ୍ରାରମ୍ଭିକ ପର୍ୟ୍ୟାୟରେ ଅର୍ଥ ଆହରଣ କରିଥିଲା ଓ ସେ ସମ୍ପର୍କରେ ସରକାରୀ ତଦନ୍ତ ବି ହୋଇଥିଲା ସେ ନେଇ ପଞ୍ଚମ ଅଧ୍ୟାୟରେ ଉଲ୍ଲେଖ ରହିଛି । ପ୍ରଥମ ଅବସ୍ଥାରେ ଆମଦାନୀ-ରପ୍ତାନୀ ଦୁର୍ନୀତି ମାଧ୍ୟମରେ ଆଦାନୀ ସାମ୍ରାଜ୍ୟର ମୂଳଦୁଆ ପଡ଼ିଥିବା ଭଳି ଜଣାଯାଏ । ‘ହୀରା ଦୁର୍ନୀତି’ରେ ଆଦାନୀ ଏକ୍ସପୋର୍ଟ ବିରୁଦ୍ଧରେ ସରକାରଙ୍କ ଡିଆରଆଇ ଦ୍ୱାରା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଏହାଦ୍ୱାରା କମ୍ପାନିକୁ ଅବୈଧ ଭାବେ ବିପୁଳ ଟିକସ ରିହାତି ମିଳିଛି । କର୍ଣ୍ଣାଟକର ୬୦ ହଜାର କୋଟି ଟଙ୍କାର ‘ଲୁହାପଥର ଦୁର୍ନୀତି’ ମାମଲାରେ ଆଦାନୀ ଏଣ୍ଟପ୍ରାଇଜେସର ବଡ ଭୂମିକା ଥିବା ସମ୍ପର୍କରେ ୨୦୧୧ର କର୍ଣ୍ଣାଟକର ଲୋକାୟୁକ୍ତଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଉଲ୍ଲେଖଯୋଗ୍ୟ ଯେ ବେଆଇନ ଭାବେ ଉତ୍ତୋଳିତ ବିପୁଳ ପରିମାଣର ଲୁହାପଥର ବେଲେକେରୀ ବନ୍ଦର ଦେଇ ବିଦେଶକୁ ରପ୍ତାନି କରାଯାଇଥିଲା, ଯେଉଁ ବନ୍ଦରର କିଛି ଅଂଶ ସରକାରଙ୍କ ଦ୍ୱାରା ଆଦାନୀ ଏଣ୍ଟରପ୍ରାଇଜକୁ ଲିଜ୍ ସୂତ୍ରରେ ଦିଆଯାଇଥିଲା । ଶକ୍ତି ଉପକରଣର ଅତ୍ୟଧିକ ବର୍ଦ୍ଧିତ ମୂଲ୍ୟ (ଓଭର ଇନଭଏସ) ଦର୍ଶାଇ ଆଦାନୀ ସମୂହ ବ୍ୟବସାୟ ଆଧାରିତ ମନିଲଣ୍ଡ୍ରିଂ କରିବା ସହ ସଂସ୍ଥାଙ୍କ ନିକଟରୁ ବିପୁଳ ପରିମାଣର ଅର୍ଥ ହଡ଼ପ କରିଥିଲେ ବୋଲି ୨୦୧୪ରେ ଡ଼ିଆରଆଇର ଅନ୍ୟ ଏକ ତଦନ୍ତ ରିପୋର୍ଟରେ ଅଭିଯୋଗ ହୋଇଥିଲା । ସେହିପରି ବର୍ଦ୍ଧିତ ଦରରେ ଇଣ୍ଡୋନେସିଆରୁ କୋଇଲା ଆମଦାନି ହୋଇଥିବା ଦର୍ଶାଇ ସେହି ବର୍ଦ୍ଧିତ ଦରକୁ ଲୋକଙ୍କଠାରୁ ଆଦାୟ କରି ଟିକସଦାତାଙ୍କୁ ଠକିଥିବାର ଅନ୍ୟ ଏକ ଅଭିଯୋଗରେ ଅନ୍ୟାନ୍ୟ କମ୍ପାନିଙ୍କ ସହ ଆଦାନୀ ସମୂହର ସମ୍ପୃକ୍ତି ବିଷୟ ଡିଆରଆଇର ୨୦୧୬ ତଦନ୍ତ ରିପୋର୍ଟରେ ଉଲ୍ଲେଖ ହୋଇଛି । ସମୂହ ଦ୍ୱାରା ଓଭର ଇନଭଏସିଂ ମାଧ୍ୟମରେ ହୋଇଥିବା ଅନ୍ୟ କେତେକ ଆର୍ଥିକ ଦୁରାଚାରର ମଧ୍ୟ ଅବତାରଣା କରାଯାଇଛି ।

ବିନିବେଶ ବ୍ୟାଙ୍କଗୁଡ଼ିକ ଓ ପେଷାଦାର ନିବେଶକମାନେ ନିଜକୁ ଆଦାନୀ ସମୂହର କମ୍ପାନିଗୁଡ଼ିକଠାରୁ କାହିଁକି ଦୂରେଇ ରଖିଛନ୍ତି ସେ ସମ୍ପର୍କରେ ଷଷ୍ଠ ଅଧ୍ୟାୟରେ ଲେଖାଯାଇଛି । କୌଣସି ଆର୍ଥିକ ଉପକରଣ (ଶେୟାର, ବଣ୍ଡ ଆଦି)ରେ ନିବେଶ କରିବା କେତେ ନିରାପଦ, ଲାଭଜନକ ସେ ସମ୍ପର୍କରେ ତର୍ଜମା କରି ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଆଦି ବିଭିନ୍ନ ସଂସ୍ଥା ନିବେଶକଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାନ୍ତି ଯାହାକୁ ‘ସେଲ-ସାଇଡ’ ବୋଲି କୁହାଯାଏ । ଆଦାନୀ ସମୂହର ପ୍ରତିଭୁତିଗୁଡ଼ିକ ସମ୍ପର୍କରେ ସେହି ଗବେଷଣା ଲବ୍ଧ ସୂଚନା ସାଧାରଣତଃ ସହଜରେ ଉପଲବ୍ଧ ହୋଇ ନଥାଏ । ସେଥିପାଇଁ କୌଣସି ଜଣେ ହେଲେ ସକ୍ରିୟ ଘରୋଇ ମ୍ୟୁଚୁଆଲ ଫଣ୍ଡର ପ୍ରବନ୍ଧକ ଏକାଧିକ ଆଦାନୀ ଶେୟାରକୁ ନିଜ ପୋର୍ଟଫୋଲିଓରେ ଅଧିକ ପରିମାଣରେ ରଖିବାକୁ ଚାହାନ୍ତି ନାହିଁ । କୌଣସି ମ୍ୟୁଚୁଆଲ ଫଣ୍ଡ କୌଣସି ଆଦାନୀ କମ୍ପାନୀର ୧ ପ୍ରତିଶତ ଶେୟାରରେ ମଧ୍ୟ ବିନିବେଶ କରିନାହାନ୍ତି । ୩୧ଟି ମ୍ୟୁଚୁଆଲ ଫଣ୍ଡ ମିଶି ସର୍ବାଧିକ ଆଦାନୀ ସମୂହର ଆଦାନୀ ଏଣ୍ଟରପ୍ରାଇଜର ୧.୧୯ ପ୍ରତିଶତ ଶେୟାରରେ ବିନିବେଶ କରିଥିବା ବେଳେ ଅନ୍ୟ ୩ଟି କମ୍ପାନୀରେ ୧୯-୨୦ଟି ଲେଖାଏଁ ମ୍ୟୁଚୁଆଲ ଫଣ୍ଡ ମିଶି ମାତ୍ର ୦.୧୨-୦.୧୩ ପ୍ରତିଶତ ଶେୟାରରେ ବିନିବେଶ କରିଥିବାରୁ ସ୍ପଷ୍ଟ ଯେ ପେଷାଦାର ନିବେଶକମାନେ ବି ଆଦାନୀ ସମୂହର କମ୍ପାନିଗୁଡ଼ିକଠାରୁ ଦୂରତ୍ୱ ରକ୍ଷା କରିବାକୁ ଅଧିକ ପସନ୍ଦ କରିଛନ୍ତି ।

ଗୌତମ ଆଦାନୀ ସମାଲୋଚନାକୁ ସ୍ୱାଗତ କରନ୍ତି ବୋଲି କୁହାଯାଉଥିଲେ ବି ସମାଲୋଚକଙ୍କ ପ୍ରତି ଆଦାନୀ ସମୂହର ମନୋବୃତ୍ତି ଓ ଆଚରଣ ସମ୍ପର୍କରେ ସପ୍ତମ ଅଧ୍ୟାୟରେ ଉଲ୍ଲେଖ ରହିଛି । ଆଦାନୀ ସମୂହର ଅଷ୍ଟ୍ରେଲିଆସ୍ଥିତ କୋଇଲା ପ୍ରକଳ୍ପ ବିରୁଦ୍ଧରେ ପରିବେଶ ସୁରକ୍ଷାକୁ ଦର୍ଶାଇ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରତିବାଦକୁ ରୋକିବା ଲାଗି ସମୂହ ତରଫରୁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖାଯାଇଥିଲା । ଆଦାନୀ ସମୂହର କାର୍ୟ୍ୟକଳାପ ସମ୍ପର୍କରେ ସମାଲୋଚନାମୂଳକ ଭିଡ଼ିଓ ପ୍ରସ୍ତୁତ କରୁଥିବା ୟୁ-ଟ୍ୟୁବର ଲୋକତନ୍ତ୍ର ଟିଭିର ବିନୟ ଦୁବେଙ୍କୁ ସେଥିରୁ କ୍ଷାନ୍ତ ରଖିବା ପାଇଁ ସମୂହ ୨୦୨୧ରେ ଅଦାଲତର ଦ୍ୱାରସ୍ଥ ହେବାକୁ ପଛାଇ ନଥିଲା । ଆଦାନୀ ସମୂହର ବିସ୍ତାର ଓ ଟିକସ ଫାଙ୍କିରେ ସରକାର କିପରି ସାହାଯ୍ୟ କରୁଛନ୍ତି ସେ ନେଇ ଇକୋନୋମିକ ଆଣ୍ଡ ପଲିଟିକାଲ ଉଇକଲି (ଇପିଡବଲ୍ୟୁ) ପତ୍ରିକାର ତତକାଳୀନ ସମ୍ପାଦକ ପରଞ୍ଜୟ ଗୁହଠାକୁର୍ତଙ୍କ ୨୦୧୭ରେ ସେହି ପତ୍ରିକାରେ ପ୍ରକାଶିତ ଦୁଇଟି ଆଲେଖ୍ୟ ଓ ଅନ୍ୟତ୍ର କିଛି ଆଲେଖ୍ୟ ପ୍ରକାଶ ପାଇବା ପରେ ତାଙ୍କ ବିରୁଦ୍ଧରେ ସମୂହ ତରଫରୁ ମାନହାନି ମକଦ୍ଦମା ହୋଇଥିଲା । ଶେଷରେ ତାଙ୍କୁ ସମ୍ପାଦକ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସାଧାରଣତଃ ବିଶ୍ୱସନୀୟ ଓ ସ୍ଥିର ବିତ୍ତୀୟ ସଂସ୍ଥାଗୁଡ଼ିକ ପ୍ରଶ୍ନ, ସମାଲୋଚନା ବା ଟୁଇଟରେ ଭୟଭୀତ ବା ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ । ଭିନ୍ନ ମତ, ଆଲୋଚନା, ସମାଲୋଚନା ଦ୍ୱାରା ନାଗରିକ ତଥା ନିବେଶକମାନେ ସୂଚନା ଓ ତଥ୍ୟ ଆଧାରିତ ନିର୍ଣ୍ଣୟ ନେବାକୁ ସମର୍ଥ ହୁଅନ୍ତି, ଯାହା ଏକ ସୁସ୍ଥ ଓ ସକ୍ରିୟ ଆର୍ଥିକ ବଜାର ପାଇଁ ଅପରିହାର୍ୟ୍ୟ । ତେଣୁ ସମାଲୋଚକଙ୍କ ପ୍ରତି ସମୂହର ପ୍ରତିଶୋଧମୂଳକ ଆଚରଣ ଗ୍ରହଣୀୟ ହୋଇ ନପାରେ ।                                        

ଆଦାନୀ ଏଣ୍ଟରପ୍ରାଇଜ ତରଫରୁ ଏକ ଏଫପିଓ (ଫଲୋଅପ୍ ପବ୍ଲିକ ଅଫର) ମାଧ୍ୟମରେ ୨୦୨୩ ଜାନୁଆରୀ ୨୭ରୁ ୩୧ ମଧ୍ୟରେ ପ୍ରାୟ ୬.୧୪ କୋଟି ଅଂଶଧନ ବିକ୍ରି ହୋଇ ନିବେଶକଙ୍କଠାରୁ  ପ୍ରାୟ ୨୦ ହଜାର କୋଟି ଟଙ୍କା ସଂଗ୍ରହ ହେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । ଏଥିପାଇଁ ପ୍ରତି ଅଂଶଧନର ମୂଲ୍ୟ ୩୧୨୨ରୁ ୩୨୭୬ ଟଙ୍କା ମଧ୍ୟରେ ରଖାଯାଇଥିଲା । ଏହି ବିବାଦ ଯୋଗୁଁ କମ୍ପାନୀ ଶେୟାରର ବଜାର ମୂଲ୍ୟ ହ୍ରାସ ପାଇବାରୁ ସାଧାରଣ ନିବେଶକଙ୍କର ଏଫପିଓରେ ନିବେଶ ପ୍ରତି ଆଗ୍ରହ ପ୍ରକାଶ ପାଇଲା ନାହିଁ । ୟୁଏଇର ରାଜପରିବାର ସମର୍ଥିତ ଆଇଏଚସି, କିଛି ଅତ୍ୟଧିକ ଧନିକ ଶ୍ରେଣୀର ବ୍ୟକ୍ତି ତଥା ଆନୁଷ୍ଠାନିକ ନିବେଶକଙ୍କ ସହାୟତାରେ କମ୍ପାନୀ କୌଣସି ମତେ ଶେଷ ମୁହୂର୍ତ୍ତରେ ଏଫପିଓ ନିବେଶ ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ହେଲା । ଏଫପିଓରେ ନିବେଶ ଖୋଲାଥିବା ପର୍ୟ୍ୟନ୍ତ ସମୂହର ଅନ୍ୟ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ପ୍ରତିଦିନ ହ୍ରାସ ପାଉଥିଲେ ବି ଆଦାନୀ ଏଣ୍ଟରପ୍ରାଇଜେସର ଶେୟାର ମୂଲ୍ୟ ଖସିବା ପରେ ସାମାନ୍ୟ ବୃଦ୍ଧି ପାଇବାକୁ କୃତ୍ରିମ ଭାବେ କରାଯାଇଥିବାର ସନ୍ଦେହ ହୁଏ । କାରଣ ନିବେଶ ବନ୍ଦ ହେବା ପର ଦିନ ଆଦାନୀ ସମୂହର ଅନ୍ୟ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ହ୍ରାସ ଜାରି ରହିଥିଲେ ବି ଆଦାନୀ ଏଣ୍ଟରପ୍ରାଇଜେସର ଶେୟାରର ମୂଲ୍ୟ ସର୍ବାଧିକ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଲା । ସ୍ଥିତି ଏପରି ହେଲା ଯେ ସଫଳତାର ସହ ଏଫପିଓ ବନ୍ଦ ହୋଇଥିଲେ ମଧ୍ୟ କମ୍ପାନୀକୁ ଏଫପିଓଟିକୁ ବାତିଲ କରିବାକୁ ହେଲା, ଯାହା ଭାରତର ଶେୟାର ବଜାର ଇତିହାସରେ କେବେ ହୋଇ ନଥିଲା । ତେବେ ଉଦବେଗର ବିଷୟ ହେଉଛି ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇ ଆଦାନୀ ସମୂହର ଶେୟାରଗୁଡ଼ିକ ଯେତେବେଳେ ଧରାଶାୟୀ ହେଉଥିଲା ସେତେବେଳେ ପ୍ରତିକୂଳ ମନ୍ତବ୍ୟ ସତ୍ତ୍ୱେ ଆଦାନୀ ଏଣ୍ଟପ୍ରାଇଜେସର ଏଫପିଓରେ ଏଲଆଇସି ୩୦୦ କୋଟି ଟଙ୍କା ଏବଂ ଏସବିଆଇ କର୍ମଚାରୀ ପେନସନ ଫଣ୍ଡ ଓ ଏସବିଆଇ ଲାଇଫ ମିଶି ୨୨୫ କୋଟି ଟଙ୍କା ନିବେଶ କରିବାକୁ ନିଷ୍ପତ୍ତି ନେବା । ସାଧାରଣତଃ ଏହି ଧରଣର ବଡ଼ ବଡ଼ ବିନିବେଶ ନିଷ୍ପତ୍ତି ସମ୍ପୃକ୍ତ ସଂସ୍ଥାର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ଼ ଅଫ ଡିରେକ୍ଟର୍ସ) ଗ୍ରହଣ କରିଥାନ୍ତି । ତେବେ ବିନିବେଶ କ୍ଷେତ୍ରରେ ଅନ୍ୟ ସମୟରେ ଆକ୍ରାମକ ଭୂମିକା ଗ୍ରହଣ କରୁଥିବା ଘରୋଇ ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଏହି ଏଫପିଓରେ ବିନିବେଶ ପାଇଁ ଆଗେଇ ଆସି ନଥିଲା ବେଳେ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ସମୂହର ଦୁଇଟି ସଂସ୍ଥା ଏଭଳି ଅସାଧାରଣ ନିଷ୍ପତ୍ତି କାହା ସ୍ୱାର୍ଥରେ ନେଲେ ତାହା ଏବେ ସନ୍ଦେହ ପରିସର ଭିତରେ ।      

ରିପୋର୍ଟର ଉପସଂହାରରେ ଲେଖାଯାଇଛି, “ଯେତେବେଳେ ଆଦାନୀ ସମୂହ ଭଳି କର୍ପୋରେଟ ଜଳହସ୍ତୀମାନେ ଏକ ଜଟିଳ ଠକେଇକୁ ଦିବାଲୋକରେ ସାକାର କରିବାକୁ ସମର୍ଥ ହୁଅନ୍ତି ଓ ଯେତେବେଳେ ସମାଲୋଚନାକୁ ଦବାଇ ଦେବା ପାଇଁ ଅର୍ଥ ଓ କ୍ଷମତାର ଉପଯୋଗ କରୁଥିବା ଲୋକଙ୍କ ବିରୁଦ୍ଧରେ ସ୍ୱର ଉଠାଇବାକୁ ସାଧାରଣ ନାଗରିକମାନେ ଭୟଭୀତ ହୁଅନ୍ତି ସେତେବେଳେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥାଏ ।“ ନିକଟରେ ‘ଇଣ୍ଡିଆ ଟୁଡେ’ ସହ ଏକ ସାକ୍ଷାତକାରରେ ଗୌତମ ଆଦାନୀ ସମାଲୋଚନାକୁ ସ୍ୱାଗତ କରନ୍ତି ଓ ସ୍ୱଚ୍ଛତାର ସହ ବିକାଶ ତାଙ୍କର ଆଭିମୁଖ୍ୟ ବୋଲି କହିଥିବାରୁ ରିପୋର୍ଟ ଶେଷରେ ସେହି ସ୍ୱଚ୍ଛତାର ପ୍ରତ୍ୟାଶାରେ ଆଦାନୀ ଗ୍ରୁପଠାରୁ ୮୮ଟି ପ୍ରଶ୍ନର ଉତ୍ତର ମଗାଯାଇଛି । 

ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ତରଫରୁ ଏହାକୁ ନିରାଧାର ତଥା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହିଣ୍ଡେନବର୍ଗ ରିସର୍ଚ୍ଚ ବିରୁଦ୍ଧରେ ନ୍ୟାୟିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଛି । ଅନ୍ୟ ପକ୍ଷରେ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ସଂସ୍ଥା ଉତଥାପନ କରିଥିବା ଅଭିଯୋଗରୁ ଓହରି ଯିବାର ସମ୍ଭାବନା ନାହିଁ ଓ ସେମାନେ ନିଜ ରିପୋର୍ଟ ଉପରେ ଆଜି ବି କାଏମ ରହିଛନ୍ତି କହି ନ୍ୟାୟିକ କାର୍ୟ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି । ଆଗାମୀ ଦିନରେ ରିପୋର୍ଟରେ ଉନ୍ମୋଚିତ ହୋଇଥିବା ତଥ୍ୟ ସତ୍ୟର ଉଦଘାଟନରେ ସହାୟକ ହେବ ବୋଲି ଆଶା କରାଯାଏ । ଇତିମଧ୍ୟରେ ଦେଶ ବିଦେଶରେ ରିପୋର୍ଟକୁ ନେଇ ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲାଣି । ଆମେରିକାର ବିଲିଅନେୟାର ନିବେଶକ ବିଲ ଆକମେନ ରିପୋର୍ଟକୁ ଅତ୍ୟଧିକ ବିଶ୍ୱସନୀୟ ଓ ଅତ୍ୟନ୍ତ ଉତ୍ତମ ଗବେଷଣା ପ୍ରସୂତ ବୋଲି ଅଭିହିତ କରିଛନ୍ତି । କୁଇନସଲାଣ୍ଡସ୍ଥିତ ଗାଲିଲି ବେସିନର କୋଇଲା ଖଣି ସମେତ ଅଷ୍ଟ୍ରେଲିଆରେ ଆଦାନୀଙ୍କର ଭବିଷ୍ୟତରେ ବ୍ୟାବସାୟିକ କାର୍ୟ୍ୟକଳାପ ଏହି ରିପୋର୍ଟ ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । 

ଆଦାନୀ ସାମ୍ରାଜ୍ୟର ବିସ୍ତାର ପଛରେ ସରକାରୀ ସମର୍ଥନ ସହ ସ୍ଥାନୀୟ ଓ ବିଦେଶୀ ବ୍ୟାଙ୍କ ତଥା ଅନ୍ୟ ବିତ୍ତୀୟ ସଂସ୍ଥାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିପୁଳ ପରିମାଣର ଋଣ ମୁଖ୍ୟ ଭୂମିକା ନିର୍ବାହ କରିଛି । ଆଦାନୀ କମ୍ପାନିଗୁଡ଼ିକୁ ବିପୁଳ ପରିମାଣରେ ଋଣ ଯୋଗାଇ ଦେଇଥିବା ଭାରତୀୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅଛନ୍ତି ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଆଇସିଆଇସିଆଇ ବ୍ୟାଙ୍କ, ଆକସିସ୍ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ ଆଦି । ସିଏଲଏସଏ ସଂସ୍ଥା ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆଦାନୀ ସମୂହର ସମୁଦାୟ ଋଣ ୨.୧୦ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ସେଥିରୁ ମାତ୍ର ୮୦ ହଜାର କୋଟି ଟଙ୍କା ବା ପ୍ରାୟ ୪୦ ପ୍ରତିଶତ ବ୍ୟାଙ୍କ ଋଣ ହୋଇଥିବାରୁ ସ୍ଥିତି ଅନିୟନ୍ତ୍ରିତ ନୁହେଁ । ଅନୁସୂଚିତ (ସିଡ଼୍ୟୁଲଡ଼) ବ୍ୟାଙ୍କଗୁଡ଼ିକ ତରଫରୁ ଦେଶରେ ଜାନୁଆରି ୧୩, ୨୦୨୩ ସୁଦ୍ଧା ପ୍ରାୟ ୧୩୩ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଥିଲା ବେଳେ ସେଥିରୁ ଆଦାନୀ ସମୂହକୁ ୮୦ ହଜାର କୋଟି ଟଙ୍କା ବା ୦.୬ ପ୍ରତିଶତ ଋଣ ହୁଏତ ବ୍ୟାଙ୍କ ବ୍ୟବସ୍ଥାକୁ ଅସ୍ଥିର କରିବାକୁ ସମର୍ଥ ହୋଇନପାରେ, ତେବେ ଗୋଟିଏ ସମୂହକୁ ଏତେ ପରିମାଣରେ ଋଣ ପ୍ରଦାନ କରାଗଲେ ତାହା ପରୋକ୍ଷରେ ଏକାଧିକାର ନିର୍ମାଣରେ ସାହାଯ୍ୟ କରୁନାହିଁ କି ? ଏହି ଘଟଣା ଆଦାନୀ ସମୂହରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତ୍ୟଧିକ ଋଣ ଲଗାଣରେ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରି ଆଦାନୀ ସମୂହକୁ ପ୍ରଦତ୍ତ ସମୁଦାୟ ଋଣର ପରିମାଣ ଜାଣିବା ଲାଗି ପଦକ୍ଷେପ ଗ୍ରହଣ କଲେଣି । କମ୍ପାନିଗୁଡ଼ିକର ଋଣଭାର ଅତ୍ୟଧିକ ହୋଇଥିବାବେଳେ ୪ଟି କମ୍ପାନିର ନଗଦ ପ୍ରବାହ (କ୍ୟାଶ ଫ୍ଲୋ) ନକାରାତ୍ମକ (ନେଗେଟିଭ) ହେବା ଚିନ୍ତାକୁ ବଢ଼ାଇଛି । କିଛି କମ୍ପାନିର ପ୍ରତିଷ୍ଠାତାଙ୍କ ଶେୟାରକୁ ବର୍ଦ୍ଧିତ ମୂଲ୍ୟ ଆଧାରରେ ବନ୍ଧକ ରଖାଯାଇ ଋଣ ନିଆଯାଇଛି ଯାହା କମ୍ପାନି ବା ଅନ୍ୟ ନିବେଶକଙ୍କ ସ୍ୱାର୍ଥରେ ହୋଇ ନପାରେ । ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନି ପକ୍ଷରେ ବିଦେଶୀ ଋଣ ଆହରଣ କରିବା କଷ୍ଟକର ଓ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଯୋଗାଇଦେବା ପାଇଁ ସ୍ଥାନୀୟ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପଡ଼ିପାରେ । ତେବେ ବିବାଦ ନ ଥମିବା ପର୍ୟ୍ୟନ୍ତ ବ୍ୟାଙ୍କଗୁଡ଼ିକ ଆଦାନୀ ସମୂହର କମ୍ପାନିଗୁଡ଼ିକୁ ନୂଆ ଋଣ ଦେବାରୁ ଦୂରେଇ ରହିବା ସ୍ୱାଭାବିକ । ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୂହରେ ଋଣ ବା ଶେୟାର ମାଧ୍ୟମରେ ପୁଞ୍ଜିନିବେଶ କରିଥିବା ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ଉପରୁ ଶେୟାରଧାରକଙ୍କ ବିଶ୍ୱାସ ଓ ଭରସା କମ ହୋଇଥିବା ଜଣାପଡ଼ୁଛି କାରଣ ଜାନୁଆରୀ ୨୪ ଓ ଫେବୃଆରୀ ୧ ମଧ୍ୟରେ ସେଗୁଡ଼ିକର ଶେୟାର ମୂଲ୍ୟ ଯଥେଷ୍ଟ କମ ହୋଇ ସେମାନଙ୍କ ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପିଟାଲାଇଜେସନ) ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଉଦାହରଣ ସ୍ୱରୂପ ଏହି ସମୟ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଶେୟାର ମୂଲ୍ୟ ୫୯୪ ଟଙ୍କାରୁ ୧୧ ପ୍ରତିଶତ ହ୍ରାସ ପାଇ ୫୨୭ଟଙ୍କାରେ ପହଞ୍ଚିବା ଦ୍ୱାରା ବଜାର ପୁଞ୍ଜିକରଣ ମୂଲ୍ୟ ୪.୭୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ଏଲଆଇସିର ଶେୟାର ମୂଲ୍ୟ ୭୦୨ ଟଙ୍କାରୁ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଇ ୫୯୮ ଟଙ୍କାରେ ପହଞ୍ଚିଛି । ଫଳରେ ଏହି ସମୟ ମଧ୍ୟରେ ଏଲଆଇସି ଶେୟାରର ବଜାର ପୁଞ୍ଜିକରଣ ମୂଲ୍ୟ ୪.୪୪ ଲକ୍ଷ କୋଟି ଟଙ୍କାରୁ ୬୫.୪ ହଜାର କୋଟି ଟଙ୍କା ହ୍ରାସ ପାଇ ୩.୭୯ ଲକ୍ଷ କୋଟି ଟଙ୍କା ହୋଇସାରିଲାଣି । ଉଲ୍ଲେଖଯୋଗ୍ୟ ଯେ ଆଦାନୀ ସମୂହର କମ୍ପାନିଗୁଡ଼ିକରେ ଏଲଆଇସି ଶେୟାର ଓ ଋଣ ମାଧ୍ୟମରେ ମାତ୍ର ୩୬ ହଜାର କୋଟି ଟଙ୍କାର ନିବେଶ କରିଛି ।  

ଅନ୍ୟ ପକ୍ଷରେ ଇତିମଧ୍ୟରେ ଆଦାନୀ ସମୂହ ଏକ ୪୧୩ପୃଷ୍ଠା ବିଶିଷ୍ଟ ପ୍ରତିବାଦ ଉପସ୍ଥାପନ କରିବା ସହ ଏହାକୁ ‘ଭାରତ ବିରୁଦ୍ଧରେ ଏକ ସୁନିୟୋଜିତ ଆକ୍ରମଣ’ ବୋଲି ଅଭିହିତ କରିଛି । ସମୂହର ସିଏଫଓ ଏହି ପ୍ରତିବାଦ ଉପସ୍ଥାପନ କଲାବେଳେ ତାଙ୍କ ପଛ ପାଖରେ ଆଦାନୀ ସମୂହର ଲୋଗୋକୁ ନରଖି ଭାରତର ଜାତୀୟ ପତାକାକୁ ରଖିଥିଲେ । ଏକ ଘରୋଇ କମ୍ପାନି ନିଜ ବ୍ୟାବସାୟିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଜାତୀୟ ପତାକାର ଉପଯୋଗ କରିବା ବାସ୍ତବିକ ନିନ୍ଦନୀୟ । ପ୍ରତ୍ୟୁତ୍ତରରେ ହିଣ୍ଡେନବର୍ଗ, ‘ଆମେ ବିଶ୍ୱାସ କରୁ ଯେ ଆଦାନୀ ସମୂହ ଶରୀରରେ ଜାତୀୟ ପତାକାକୁ ଗୁଡ଼େଇ ବ୍ୟବସ୍ଥିତ ଢଙ୍ଗରେ ଦେଶକୁ ଲୁଟ କରି ଚାଲି ଭାରତର ଆଗ୍ରଗତିରେ ବାଧା ଉତ୍ପନ୍ନ କରୁଛି,‘ ଓ ‘ଜାତୀୟତାବାଦର ଅଢୁଆଳରେ ଜାଲିଆତିକୁ ଲୁଚାଇ ଦେଇହେବ ନାହିଁ’ ‘ ଭଳି ଆକ୍ରମଣାତ୍ମକ ମନ୍ତବ୍ୟମାନ ଦେଇଛି ।       

ରିପୋର୍ଟର ପ୍ରାରମ୍ଭରେ ଲେଖାଯାଇଛି, “ଭାରତରେ ଅଭିଜାତ ବର୍ଗର ବ୍ୟବସାୟୀ ଓ ରାଜନେତାଙ୍କ ସମାଲୋଚନା ଯୋଗୁଁ ସାମ୍ୱାଦିକମାନଙ୍କୁ ଅଧିକ ସଂଖ୍ୟାରେ ଜେଲରେ ପୂରାଇ ଦିଆଯାଉଛି ବା ହତ୍ୟା କରାଯାଉଛି । ଶେୟାର ବଜାର ବିଶ୍ଳେଷକମାନଙ୍କୁ ସେମାନଙ୍କର କମ୍ପାନୀ ବିରୁଦ୍ଧ ଲେଖା ଲାଗି ଗିରଫ କରାଯାଇଛି । ଏହି ଅଭିବ୍ୟକ୍ତିର ରୁଦ୍ଧ ବାତାବରଣରେ କର୍ପୋରେଟ ଠକେଇ ଅବାଧରେ ବୃଦ୍ଧି ପାଇଚାଲିଛି ।“ ଭାରତରେ ରୁଦ୍ଧ ବାତାବରଣରେ ବିତ୍ତୀୟ ସାମ୍ୱାଦିକ ଓ ସାମ୍ୱାଦିକତାର ସ୍ଥିତିକୁ ନେଇ ଏକ ବିଦେଶୀ ସଂସ୍ଥା ଦ୍ୱାରା ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ବୋଲି କୁହାଯାଇପାରେ । ୧୯୯୨ରେ ହୋଇଥିବା ହର୍ଷଦ ମେହେଟ୍ଟାଙ୍କ ଷ୍ଟକ ମାର୍କେଟ ଦୁର୍ନୀତି ମାମଲା ସେତେବେଳେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଦୀର୍ଘ ଦିନ ଧରି ସେ ସଂକ୍ରାନ୍ତୀୟ ଖବର ସମ୍ୱାଦପତ୍ରଗୁଡ଼ିକର ପ୍ରଥମ ପୃଷ୍ଠା ମଣ୍ଡନ କରୁଥିଲା । ସେହି ଦୁର୍ନୀତିକୁ ଉନ୍ମୋଚିତ କରିଥିଲେ ସୁଚେତା ଦଲାଲ ନାମକ ଜଣେ ମହିଳା ବ୍ୟବସାୟ ସାମ୍ୱାଦିକ । ତାଙ୍କର ଏହି ଅବଦାନ ପାଇଁ ୨୦୦୬ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ତାହା ମୁଖ୍ୟ ଗଣମାଧ୍ୟମଗୁଡ଼ିକରେ ଯେଉଁଭଳି ଆଲୋଚନା ହେବା କଥା ତାହା ହେଲା ନାହିଁ । ଇତିମଧ୍ୟରେ ଦେଶରେ ଅନେକ ବଡ଼ ବଡ଼ ବ୍ୟାବସାୟିକ ଦୁର୍ନୀତି କାଣ୍ଡ ସଂଘଟିତ ହୋଇଥିଲେ ବି କୌଣସି ସାମ୍ୱାଦିକ ସେଗୁଡ଼ିକୁ ଉନ୍ମୋଚନ କରି ସମ୍ମାନିତ ହୋଇଥିବାର ଉଦାହରଣ ଦେଖିବାକୁ ନମିଳିବା, ଉପରୋକ୍ତ ଟିପ୍ପଣୀକୁ ଆଂଶିକ ପୁଷ୍ଟି କରୁଥାଇପାରେ । ତେବେ ବ୍ୟାବସାୟିକ ଦୁର୍ନୀତିଗୁଡ଼ିକୁ ଉନ୍ମୋଚନ କରିବା ଲାଗି ଅଧିକ ସଂଖ୍ୟାରେ ସାମ୍ୱାଦିକ ସାହସ ପ୍ରଦର୍ଶନ କରିବାକୁ ଆଗେଇ ନ ଆସିଲେ ତାହା ଯେ ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରି ଗଣତନ୍ତ୍ରକୁ ବିପନ୍ନ କରିବ, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଏକ ବିଦେଶୀ ସଂସ୍ଥା ହୋଇଥିବାରୁ ତା’ କଥାକୁ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରାଯାଉ କି ନଯାଉ ଅନ୍ତତଃ ରିପୋର୍ଟରେ ତଥ୍ୟ ଭିତ୍ତିରେ ଯେଉଁ ଦୁର୍ନୀତିଗୁଡ଼ିକର ଗୁରୁତର ଅଭିଯୋଗ ଅଣାଯାଇଛି ସେଗୁଡ଼ିକର ସ୍ୱଚ୍ଛତାର ସହ ଉଚ୍ଚସ୍ତରୀୟ ତଦନ୍ତ ଲାଗି ସେବି, ଇଡ଼ି, ସିବିଆଇ, ଇନକମ ଟ୍ୟାକ୍ସ,  ଆଦି ସମ୍ୱନ୍ଧିତ କର୍ତ୍ତୃପକ୍ଷଗୁଡ଼ିକ ତତ୍ପରତା ପ୍ରଦର୍ଶନ କଲେ ସତ୍ୟ ଉନ୍ମୋଚିତ ହୋଇପାରନ୍ତା । ତାହା ଦେଶର ଛବି ଉଜ୍ଜ୍ୱଳ କରିବା ସହ ଶେୟାର ବଜାରରେ ସ୍ଥିରତା ଆଣି ସାଧାରଣ ନିବେଶକଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିପାରନ୍ତା ଯଦ୍ଦ୍ୱାରା ଜାତୀୟ ସ୍ୱାର୍ଥ ସୁରକ୍ଷିତ ରହିପାରନ୍ତା । ଅତୀତରେ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥାର ଗବେଷଣା ଆଧାରିତ ରିପୋର୍ଟର ଶରବ୍ୟ ହୋଇଥିବା କମ୍ପାନିଗୁଡ଼ିକର ଶେୟାର ମୂଲ୍ୟ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ହ୍ରାସ ପାଇଛି ଓ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଉ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରିନାହାନ୍ତି କି ଉଧେଇ ପାରିନାହାନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଅନୁରୂପ ଭାବେ ବିଶାଳ ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲେ ବି ଏହା ଆଦାନୀ ସମୂହର ପତନକୁ ସୁନିଶ୍ଚିତ କରିବ ନା ଆଦାନୀ ସମୂହ ପୁନଶ୍ଚ ନିବେଶକଙ୍କ ବିଶ୍ୱାସଭାଜନ ହୋଇ ନିଜ ପୂର୍ବ ଗୌରବକୁ ଫେରିପାଇବ, ତାହା ଭବିଷ୍ୟତର ଘଟଣାବଳୀ ନିର୍ଦ୍ଧାରଣ କରିବ । ତେବେ ଆର୍ଥିକ ବଜାରରେ ଉଠିଥିବା ଏଇ ଝଡ଼ ଆଗାମୀ ଦିନରେ ରାଜନୀତି କ୍ଷେତ୍ରକୁ ସଂକ୍ରମିତ ହେବାର ପୂର୍ବାଭାସ ମିଳୁଛି । 

 Published in February 01-15, 2023  issue of Samadrushti

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ