Skip to main content

କାହିଁକି ଫସର ଫାଟିଲା ଗୋ ଆଲିଙ୍ଗନ ଦିବସ

ନବେ ଦଶକର ପ୍ରାରମ୍ଭରୁ ଦେଶରେ ଅର୍ଥନୈତିକ ଉଦାରୀକରଣ ବ୍ୟବସ୍ଥା ପ୍ରଚଳନ ସହ ‘ଭାଲେଣ୍ଟାଇନ ଡେ’ ପାଳନର ଲୋକପ୍ରିୟତା ମଧ୍ୟ ବଢ଼ି ବଢ଼ି ଚାଲିଲା । କିଛି ବର୍ଷ ପରେ ଏହାକୁ ଅପସଂସ୍କୃତି କହି ବଜରଙ୍ଗ ଦଳ ପରି ମୌଳବାଦୀ ସଙ୍ଗଠନଗୁଡ଼ିକ ଏହାର ହିଂସାତ୍ମକ ଭାବେ ତୀବ୍ର ବିରୋଧ କରିବାକୁ ଲାଗିଲେ । ଏହା ସତ୍ତ୍ୱେ ଏହାର ପାଳନରେ ଉତ୍ସାହ ହ୍ରାସ ପାଇଲା ନାହିଁ । ୨୦୧୮ରେ ଭାରତୀୟ ଜନତା ଦଳ ତରଫରୁ ଏହି ଦିନଟିକୁ ‘ମାତୃ-ପିତୃ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ବି ରାଜସ୍ଥାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ତାକୁ ଅଗ୍ରାହ୍ୟ କରି କହିଥିଲେ ଯେ ବାପା-ମାଙ୍କୁ କେବଳ ଗୋଟିଏ ଦିନ ସମ୍ମାନ ଜଣାଇ ଦାୟିତ୍ୱମୁକ୍ତ ହୋଇହେବନାହିଁ । ବସ୍ତୁତଃ ‘ଭାଲେଣ୍ଟାଇନ ଡେ’ ପାଳନକୁ ଫିକା ପକାଇବା ଲାଗି ହୋଇଥିବା ଉଦ୍ୟମଗୁଡ଼ିକ ଆଶାନୁରୂପ ସଫଳତା ହାସଲ କରିବା ପରିବର୍ତ୍ତେ ‘ଭାଲେଣ୍ଟାଇନ ଡେ’ର ଲୋକପ୍ରିୟତା, ବିଶେଷ କରି ସହରାଞ୍ଚଳମାନଙ୍କରେ, ବୃଦ୍ଧି ପାଇ ଚାଲିଛି । ଏକ ଆକଳନ ଅନୁସାରେ କେବଳ ୨୦୨୦ ମସିହା ଭାଲେଣ୍ଟାଇନ ଦିବସ ଦିନ ଭାରତରେ ୧୦ କୋଟିରୁ ଅଧିକ ଡଲାର (ପ୍ରାୟ ୮୦୦ କୋଟି ଟଙ୍କା)ର ଉପହାର ଦିଆନିଆ ହୋଇଥିଲା । ‘ଭାଲେଣ୍ଟାଇନ ଡେ’କୁ ବିରୋଧ କ୍ରମରେ ସଦ୍ୟତମ ପ୍ରୟାସ ହେଉଛି ଫେବୃଆରି ୧୪ ଦିନଟିକୁ  ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବାର ଘୋଷଣା । ୨୦୨୩ରେ ଏହି ଦିନଟିକୁ ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ପ୍ରାଣୀ ମଙ୍ଗଳ ବୋର୍ଡ଼ (ଏଡବଲ୍ୟୁବିଆଇ) ତରଫରୁ ଫେବୃଆରି ୬ରେ ଏକ ନିର୍ଦ୍ଦେଶନାମା ଜାରି ହେବା ପରେ ତାହା ବିଭିନ୍ନ ମହଲରେ ଅତ୍ୟଧିକ ସମାଲୋଚନାର ଶରବ୍ୟ ହେଲା । ଶେଷରେ ପ୍ରାଣୀ ମଙ୍ଗଳ ବୋର୍ଡ ନିର୍ଦ୍ଦେଶନାମାଟିକୁ ପ୍ରତ୍ୟାହାର କରିବା ଲାଗି ଏକପ୍ରକାର ବାଧ୍ୟ ହେଲେ । ଫଳରେ ଏହି ପ୍ରୟାସ ମଧ୍ୟ ସଫଳ ହୋଇନାହିଁ ।

ଆଜିକାଲି ବିଦେଶରେ ମଧ୍ୟ ଗାଈକୁ ଆଲିଙ୍ଗନ କରିବା, ଗେହ୍ଲା କରିବା ଇତ୍ୟାଦି ନିରାମୟ ଜୀବନ ଯାପନ ଲାଗି ଆବଶ୍ୟକ ବୋଲି ଗ୍ରହଣ ହେବାକୁ ଲାଗିଲାଣି । ସାଧାରଣତଃ କୁକୁର, ବିଲେଇ ଭଳି ପୋଷା ଜୀବଜନ୍ତୁଗୁଡ଼ିକ ମଣିଷକୁ ଚାପମୁକ୍ତ ହେବାରେ ସହାୟକ ହୋଇଥାଆନ୍ତି ବୋଲି ବିଶ୍ୱାସ କରାଯାଏ । କ୍ରମଶଃ ଗାଈ ଓ ଅନ୍ୟ ଜୀବଜନ୍ତୁମାନଙ୍କ ସହ ଆନ୍ତରିକ ସମ୍ପର୍କ ମଧ୍ୟ ମଣିଷକୁ ଚାପମୁକ୍ତ କରିପାରେ ବୋଲି ଜଣା ପଡ଼ିଲାଣି । ତେଣୁ ନେଦରଲାଣ୍ଡସ, ଆମେରିକା, ବ୍ରିଟେନ୍, ସ୍ୱିଜରଲାଣ୍ଡ ଭଳି ଦେଶଗୁଡ଼ିକରେ ଗାଈ ଆଲିଙ୍ଗନ ନିରାମୟ ଜୀବନ ଯାପନର ଅଂଶ ବିଶେଷ ବୋଲି ବହୁଳ ଭାବେ ସ୍ୱୀକୃତ ହେଲାଣି । ନେଦରଲାଣ୍ଡସରେ କେଉଁ କାଳରୁ ଗାଈକୁ ଆଲିଙ୍ଗନ କରିବା ଏକ ସମାଜ ସ୍ୱୀକୃତ ରୀତି ଭାବେ ଅନୁସୃତ ହୋଇଆସୁଛି ଯାହାକୁ ‘କୋଏ କେନଫଲେନ’ (koe knufflen) ବୋଲି କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ ନେଦରଲାଣ୍ଡସ୍ ବିଶ୍ୱର ଅନ୍ୟତମ ପ୍ରମୁଖ ଦୁଗ୍ଧ ଉତ୍ପାଦନକରୀ ଓ ରପ୍ତାନୀକରୀ ଦେଶ । ତେବେ କୋଭିଡ଼ ମହାମାରି ସମୟରେ ସାରା ବିଶ୍ୱରେ ମଣିଷ ମଣିଷକୁ ଆଲିଙ୍ଗନ କରିବା ପାଇଁ ବାରଣ କରାଯାଉଥିଲା ବେଳେ ଲୋକମାନେ ଅତ୍ୟଧିକ ଚାପଗ୍ରସ୍ତ ରହୁଥିବାରୁ ୨୦୨୦ରେ ଗୋ ଆଲିଙ୍ଗନ ନିରାମୟ ଜୀବନ ଯାପନର ଏକ ମାଧ୍ୟମ ରୂପେ ବିଭିନ୍ନ ଦେଶରେ ଆଦୃତ ହେବାକୁ ଲାଗିଲା । ଗାଈ ଫାର୍ମକୁ ଯାଇ ସେଠାରେ ଗାଈଙ୍କ ଗହଣରେ ତିନି ଚାରି ଘଣ୍ଟା ସମୟ ବିତାଇବା ଦ୍ୱାରା ସେମାନେ ଚାପମୁକ୍ତ ହେଉଥିବାର ଅନୁଭବ କଲେ । ଗାଈଙ୍କ ପ୍ରତି ମମତା, ଏକ ଭିନ୍ନପ୍ରକାର ସୁଖ ଦେଲା ଯଦ୍ଦ୍ୱାର ଶରୀରରେ ହରମୋନ କ୍ଷରଣ ହେଲା ଯାହା ଚାପହ୍ରାସ କରିବାରେ ସହାୟକ ହେଉଥିବାର ଜଣାପଡ଼ିଲା । ଆଲିଙ୍ଗନ କଲାବେଳେ ଗାଈଙ୍କର ବିଶାଳକାୟ ତଥା ଉଷୁମ ଶରୀର ଓ ଅପେକ୍ଷାକୃତ ଧୀର ହୃତସ୍ପନ୍ଦନ ମଣିଷକୁ ପ୍ରଶାନ୍ତିଦାୟକ ଅନୁଭବ ପ୍ରଦାନ କରିଥାଏ ବୋଲି କେତେକ ଅଧ୍ୟୟନରୁ ଜଣାପଡ଼ିଲା । ଗାଈକୁ କୁଣ୍ଢାଇ ଧରିଲେ ମଣିଷର ଅକ୍ସିଟୋସିନ ସ୍ତର ବୃଦ୍ଧି ପାଇଥାଏ ଯଦ୍ଦ୍ୱାରା ହରମୋନ କ୍ଷରଣ ହୋଇ ସାମାଜିକ ବନ୍ଧନ ଦୃଢ କରିବା ଅନୁକୂଳ ହୋଇଥାଏ । ଏହା ମଣିଷକୁ ଚାପମୁକ୍ତ ହେବାରେ ସହାୟକ ହୋଇଥାଏ । ଏହା ପ୍ରକୃତି ଓ ପଶୁଙ୍କ ସହ ପୁନଃ ସମ୍ପର୍କିତ ହେବାର ସୁଯୋଗ ଦେବା ସହ ଏକାନ୍ତରେ ନିଜ ଜୀବନକୁ ପର୍ୟ୍ୟାଲୋଚନା କରି ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବା ଲାଗି ଅବକାଶ ସୃଷ୍ଟି କରିଥାଏ । ଆମେରିକାରେ କିଛି ଗାଈ ଫାର୍ମ ଗୋ ଆଲିଙ୍ଗନ ପାଇଁ ଘଣ୍ଟା ପ୍ରତି ୭୫ରୁ ୨୦୦ ଡଲାର (ପ୍ରାୟ ୬୦୦୦ରୁ ୧୬୦୦୦ ଟଙ୍କା) ପର୍ୟ୍ୟନ୍ତ ନେଉଥିବାର ଜଣାପଡ଼େ ।

ଗୋ ଆଲିଙ୍ଗନରୁ ଅନେକ ସୁଫଳ ମିଳୁଥିବାର କୁହାଯାଉଥିଲେ ବି ଆଜି ଯାଏଁ କୌଣସି ଦେଶରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ ହୁଏନାହିଁ । ଭାରତରେ ଗୋ ଆଲିଙ୍ଗନ ରୀତିଟି ବ୍ୟାପକ ଆଦୃତି ଲାଭ କରି ଏ ଯାଏଁ ଏକ ଲୋକପ୍ରିୟ ଅବଧାରଣାର ରୂପ ନେଇ ନଥିବା ବେଳେ ଏକା ଥରେ ଏକ ଗୋ ଆଲିଙ୍ଗନ ଦିବସ ପାଳନର ସରକାରୀ ସ୍ତରରେ ଘୋଷଣା ଅବିଚାରିତ ପରି ମନେ ହୁଏ । ସେଥିପାଇଁ ପୁଣି ଫେବୃଆରି ୧୪ରେ ପାଳିତ ହେଉଥିବା ‘ଭାଲେଣ୍ଟାଇନ ଡେ’ ଦିନଟିକୁ ଚୟନ କରିବା ଦ୍ୱାରା ଏହା ମୁକାବିଲା ମନୋବୃତ୍ତି ନେଇ କରାଯାଇଥିବାର ଭୁଲ ବାର୍ତ୍ତାଟିଏ ଯାଇ, ତାକୁ ବିରୋଧ କରିବାର ଖୋରାକ ଯୋଗାଇଲା । ‘ଗୋ ଆଲିଙ୍ଗନ ଦିବସ’ ପାଳନ ନିଷ୍ପତ୍ତି ଘୋଷଣା କଲା ବେଳେ ପଶୁମଙ୍ଗଳ ବୋର୍ଡ ତରଫରୁ କୁହାଯାଇଥଲା, “ଗୋ ଆଲିଙ୍ଗନ ଆବେଗାତ୍ମକ ସମୃଦ୍ଧି ଆଣିବା ସହ ବ୍ୟକ୍ତିଗତ ଓ ସାମୂହିକ ସୁଖ ବୃଦ୍ଧି କରିବ । ... ଗୋ ଆଲିଙ୍ଗନ ବୈଦିକ ପରମ୍ପରା ପ୍ରତି ଦେଖା ଦେଇଥିବା ବିପଦକୁ ଦୂର କରିବାରେ ସହାୟକ ହେବ । ଏହି ପରମ୍ପରା ପ୍ରାଚୀନ ହିନ୍ଦୁ ଧର୍ମଗ୍ରନ୍ଥ ବେଦରୁ ଉଦ୍ଭବ ହୋଇଥିଲେ ବି ‘ପାଶ୍ଚାତ୍ୟ’ ପ୍ରଭାବରେ ବିଲୁପ୍ତ ହେବାକୁ ବସିଲାଣି ।” ଏଠାରେ ‘ପାଶ୍ଚାତ୍ୟ ପ୍ରଭାବ’ର ଉଲ୍ଲେଖ ‘ଭାଲେଣ୍ଟାଇନ ଡେ’ ସନ୍ଦର୍ଭରେ କରାଯାଇଥିବା ଜଣାପଡ଼େ । ଏଥି ପୂର୍ବରୁ କୌଣସି ସରକାରୀ ସଂସ୍ଥା ପ୍ରକାଶ୍ୟରେ ‘ଭାଲେଣ୍ଟାଇନ ଡେ’ ପାଳନ ବିରୁଦ୍ଧରେ ଟିପ୍ପଣୀ ଦେଇଥିବାର ନଜିର ନଥିଲା । ତେଣୁ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଏଭଳି ନିଷ୍ପତ୍ତିର ବିରୋଧ ହେବା ସ୍ୱାଭାବିକ ଥିଲା । ଫଳରେ ‘ଗୋ ଆଲିଙ୍ଗନ ଦିବସ’ ପାଳନ ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହୃତ ହେଲା । ‘ଭାଲେଣ୍ଟାଇନ ଡେ’ ପାଳନକୁ ବିରୋଧ କରି ଫେବୃଆରି ୧୪ ଭିନ୍ନ ଅନ୍ୟ କୌଣସି ଦିନକୁ ‘ଗୋ ଆଲିଙ୍ଗନ ଦିବସ’ ପାଳନ ପାଇଁ ଚୟନ କରାଯାଇଥିଲେ ତାହା ହୁଏତ ଏତେ ବିରୋଧ ବା ସମାଲୋଚନାର ସମ୍ମୁଖୀନ ହୋଇନଥାନ୍ତା । ଏଥିରୁ ସ୍ପଷ୍ଟ ହେଲା ଯେ ଭଲ କାମଟିଏ ବି ମନ୍ଦ ଉଦ୍ଦେଶ୍ୟ ରଖି ଅବିଚାରିତ ଭାବେ କରାଗଲେ ତାହା ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ ଓ ତାହା ବିଫଳ ହୋଇଥାଏ ।   

ଗାଈଙ୍କୁ ନେଇ ଅନ୍ୟ ସରକାରୀ ସଂସ୍ଥାଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ଅବିଚାରିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବାର ଘୋଷଣା ହୋଇଛି ଯାହା ପରବର୍ତ୍ତୀ ସମୟରେ ସମାଲୋଚିତ ହୋଇ ପ୍ରତ୍ୟାହୃତ ହୋଇଛି ମଧ୍ୟ । ଫେବୃଆରି ୨୫, ୨୦୨୧ରେ କେନ୍ଦ୍ର ସରକାରଙ୍କ ‘ରାଷ୍ଟ୍ରୀୟ କାମଧେନୁ ଆୟୋଗ’ ଦ୍ୱାରା ଅନଲାଇନ ଯୋଗେ ଏକ ‘କାମଧେନୁ ଗୋବିଜ୍ଞାନ ପ୍ରଚାର ପ୍ରସାର ପରୀକ୍ଷା’ର ଆୟୋଜନ କରାଯାଇଥିଲା । ହିନ୍ଦୀ ଓ ଇଂରାଜୀ ଭାଷା ବ୍ୟତୀତ ଏହା ୧୨ଟି ଆଞ୍ଚଳିକ ଭାଷାରେ ମଧ୍ୟ ହୋଇଥାଆନ୍ତା । ତେବେ ପରୀକ୍ଷାର ପାଠ୍ୟକ୍ରମରେ ଗାଈର ଗୋବର ରେଡ଼ିଓଆକ୍ଟିଭ ବିକୀରଣରୁ ସୁରକ୍ଷା ପ୍ରଦାନ କରିବା, ଗାଈ କ୍ଷୀରରେ ସୁନାର ଅଂଶ ଥିବା, ଗୋ-ହତ୍ୟା ଯୋଗୁଁ ଭୂମିକମ୍ପ ହେଉଥିବା ଭଳି କେତେକ ବିଜ୍ଞାନ ଅସମର୍ଥିତ ଦାବି ସନ୍ନିବେଶିତ ହୋଇଥିବାରୁ ଏହା ବିବଦମାନ ହୋଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା । ଫଳରେ କେନ୍ଦ୍ର ସରକାରଙ୍କ ପଶୁପାଳନ ମନ୍ତ୍ରାଳୟ ହସ୍ତକ୍ଷେପ କରି ପରୀକ୍ଷାଟିକୁ ସ୍ଥଗିତ କରିବାକୁ ବାଧ୍ୟ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ପରୀକ୍ଷାର ପରିକଳ୍ପନା କରିଥିବା ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କଥିରିଆ ଅବସର ଗ୍ରହଣ କରିସାରିଛନ୍ତି ଓ ଇତିମଧ୍ୟରେ ପ୍ରାୟ ୨ ବର୍ଷ ଅତିବାହିତ ହୋଇସାରିଥିଲେ ବି ସେହି ସ୍ଥଗିତ ପରୀକ୍ଷାଟି ଆଉ ଆୟୋଜିତ ହୋଇନାହିଁ । ଦେଶୀ ଗାଈଙ୍କ ସଂରକ୍ଷଣ ଓ ସଂବର୍ଦ୍ଧନ ଉଦ୍ଦେଶ୍ୟରେ ଫେବୃଆରି ୬, ୨୦୧୯ରେ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ‘ରାଷ୍ଟ୍ରୀୟ କାମଧେନୁ ଆୟୋଗ’ର ପ୍ରତିଷ୍ଠା କରାଯାଇଥିଲା ଯାହା ପଶୁପାଳନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଛି । କଥିରିଆ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ସେ ଅଧ୍ୟକ୍ଷ ଥିବା ସମୟରେ ଅକ୍ଟୋବର ୨୦୨୦ରେ ଏପରି ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ଯେ ରାଜକୋଟସ୍ଥିତ ‘ଶ୍ରୀଜୀ ଗୋଶାଳା’ ଦ୍ୱାରା ଗାଈ ଗୋବରରୁ ଏକ ମୋବାଇଲ ଚିପ୍ ପ୍ରସ୍ତୁତ କରାଯାଇଛି ଯାହାର ନାମ ‘ଗୋସତ୍ତ୍ୱ କବଚ’ ରଖାଯାଇଛି । ଏବର ମୋବାଇଲ ଚିପଗୁଡିକରେ ହେଉଥିବା ବିକୀରଣ (ରେଡ଼ିଏସନ୍) ଜନିତ କୁପ୍ରଭାବ ପରି କୁପ୍ରଭାବ ଉପରୋକ୍ତ ଚିପର ବ୍ୟବହାରରେ ହେବନାହିଁ ବୋଲି ଦାବି କରାଯାଉଥିଲା । ବିଦେଶରୁ ଚିପ୍ ଆମଦାନି କରାଯାଇ ଦେଶରେ ମୋବାଇଲ ଫୋନ ନିର୍ମାଣ ଆଶାତୀତ ସଫଳତା ହାସଲ କରିଥିବାର କୁହାଯାଉଥିଲେ ବି ଭାରତରେ ତିଆରି ସେହି ବିକୀରଣମୁକ୍ତ ଗୋବରର ମୋବାଇଲ ଚିପ ସେଥିରେ ବ୍ୟବହୃତ ନହେବା ଚକିତ କରିଥାଏ ।     

ଭାରତୀୟ ସମ୍ୱିଧାନରେ ସ୍ଥାନିତ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ପରିଚ୍ଛେଦର ଅନୁଚ୍ଛେଦ ୫୧(କ) ଅନୁଯାୟୀ ନାଗରିକମାନେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ତାର୍କିକ ଓ ଯୁକ୍ତିସଙ୍ଗତ ଚିନ୍ତାଧାରାର ବିକାଶରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ହୋଇଥାଏ ଯେଉଁଥିରେ ପ୍ରଶ୍ନ ପଚାରି ତା’ର ଉତ୍ତର ଖୋଜିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ପଣ୍ଡିତ ଜବାହରଲାଲ ନେହରୁ ତାଙ୍କ ‘ଡିସକଭରି ଅଫ ଇଣ୍ଡିଆ’ ପୁସ୍ତକରେ ‘ବୈଜ୍ଞାନିକ ମନୋବୃତ୍ତି’କୁ ବ୍ୟାଖ୍ୟା କରି ଲେଖିଛନ୍ତି, “ଏହା ଏକ ଜୀବନ ଧାରଣର ଶୈଳୀ -  ଚିନ୍ତା ଓ କାର୍ଯ୍ୟ କରିବାର ଏକ ବ୍ୟକ୍ତିଗତ ଏବଂ ସାମାଜିକ ପ୍ରକ୍ରିୟା ଯାହା ପ୍ରଶ୍ନ ପଚାରିବା, ବାସ୍ତବତାକୁ ଅନୁଧ୍ୟାନ କରିବା, ପରୀକ୍ଷା କରିବା, ଅନୁମାନକୁ ସିଦ୍ଧ କରିବା, ବିଶ୍ଳେଷଣ କରିବା ଓ ସୂଚାଇବା ଭଳି ବୈଜ୍ଞାନିକ ପଦ୍ଧତିଗୁଡ଼ିକର ଉପଯୋଗ କରିଥାଏ ।“ ଆସ୍ଥା ଓ ବିଶ୍ୱାସରେ ପ୍ରଶ୍ନ ପଚାରିବାର ଅବକାଶ ନଥିବାରୁ ତାହା ବୈଜ୍ଞାନିକ ମନୋବୃତ୍ତି ବିକାଶର ପରିପନ୍ଥୀ ହୋଇଥାଏ । ତେଣୁ ବୈଜ୍ଞାନିକ ଗବେଷଣା ବା ବିଶ୍ଳେଷଣ ଆଧାରରେ କୌଣସି ବିଷୟ ପ୍ରମାଣିତ ହୋଇ ନଥିଲେ କେବଳ ଆସ୍ଥା ଓ ବିଶ୍ୱାସ ଆଧାରରେ ତାକୁ ନାଗରିକଙ୍କ ଉପରେ ଲଦି ଦେବାର ସରକାରୀ ପ୍ରୟାସ ହେଲେ ତାହା ବୈଜ୍ଞାନିକ ମନୋବୃତ୍ତି ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ସରକାରୀ ସଂସ୍ଥାଗୁଡ଼ିକ ସେଥିରୁ ନିବୃତ୍ତ ରହିବା ଆବଶ୍ୟକ । ଦିବସ ପାଳନ ଉପରେ ଧ୍ୟାନ ନ ଦେଇ ଗବେଷଣା ମାଧ୍ୟମରେ ଗାଈଙ୍କ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ଅଧିକ ତଥ୍ୟ ଉପସ୍ଥାପନ କରାଯାଇପାରିଲେ ଗୋସମ୍ପଦର ସୁରକ୍ଷା ଓ ସଂବର୍ଦ୍ଧନ ସୁନିଶ୍ଚିତ ହେବାରେ ସହାୟକ ହୁଅନ୍ତା । 

‘ଜୀବେ ଦୟା’ର ସିଦ୍ଧାନ୍ତରେ ବିଶ୍ୱାସ କରୁଥିବା ଭାରତୀୟ ସଂସ୍କୃତିରେ ଜୀବଜଗତର ପ୍ରତିଟି ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତାଙ୍କ ପ୍ରତି ଦୟା ମନୋଭାବ ପ୍ରଦର୍ଶିତ ହେବା ଆଶା କରାଯାଏ । ଏହି ଭଲପାଇବା କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରଜାତି ମଧ୍ୟରେ ସୀମିତ ନ ରହି ସମଗ୍ର ଜୀବଜଗତର ବିଭିନ୍ନ ପ୍ରଜାତିଙ୍କ ପ୍ରତି ପରିବ୍ୟାପ୍ତ ହେଲେ ତାହା ମଣିଷଠାରେ ଦୟା, କ୍ଷମା, ଆଦି ଗୁଣର ବିକାଶ ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଅନ୍ତା । ତାହା ହାସଲ କରିବା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ସ୍ୱାଗତଯୋଗ୍ୟ । ତେବେ ଧର୍ମ ଆଧାରରେ ଯଦି ସେହି କାର୍ଯ୍ୟଟି କରାଯାଏ ତେବେ ତାହା ଧାର୍ମିକ ସଂସ୍ଥା ଓ ଗୋଷ୍ଠୀଙ୍କ ଦ୍ୱାରା ହେବା ବିଧେୟ । ସରକାର ଓ ସରକାରୀ ସଂସ୍ଥା ସେଭଳି ପ୍ରୟାସଠାରୁ ଦୂରେଇ ରହିବା ଉଚିତ ।


Published in Odisha Reporter on February 14, 2023 


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ