ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅବଦୁଲ ନାଜିରଙ୍କ ନିଯୁକ୍ତି ଘୋଷଣା ହେବା ଏବେ ବିତର୍କର ବିଷୟ ହୋଇଛି । ସମ୍ୱେଦନଶୀଳ ବାବରି ମସଜିଦ-ଶ୍ରୀରାମ ଜନ୍ମଭୂମି ବିବାଦ ମାମଲା ଓ ବିମୁଦ୍ରାକରଣ ନିଷ୍ପତ୍ତିର ବୈଧତା ଉପରେ ମୋହର ମାରି ନିର୍ଣ୍ଣୟ ଦେଇଥିବା ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଅବଦୁଲ ନଜିର ଜାନୁଆରି ୪, ୨୦୨୩ରେ ଅବସର ଗ୍ରହଣ କରିବା ପରେ ମାତ୍ର ୪୦ ଦିନ ମଧ୍ୟରେ ତାଙ୍କ ନାମ ରାଜ୍ୟପାଳ ରୂପେ ଘୋଷଣା ହେବା ସମାଲୋଚନାର କାରଣ ହୋଇଛି । ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ମନୋନୀତ ହେବା ପରେ ଜଷ୍ଟିସ ନଜିରଙ୍କ ନିଯୁକ୍ତି ଘୋଷଣା ଦ୍ୱାରା ‘ନ୍ୟାୟପାଳିକାର ସ୍ୱାଧୀନତା’ ପ୍ରତି ବିପଦ ଘନଉଥିବା କୁହାଯାଉଛି । ତେଣୁ ବିଚାରପତି ପୁନଃନିଯୁକ୍ତି ପ୍ରସଙ୍ଗଟିର ବିଭିନ୍ନ ଦିଗ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି ।
ଅବସର ଗ୍ରହଣ ପରେ ଜଣେ ବିଚାରପତିଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଗଲେ ନ୍ୟାୟପାଳିକାର ସ୍ୱାଧୀନତା ବାଧାପ୍ରାପ୍ତ ହୋଇଥାଏ ବୋଲି ସମାଲୋଚନା ହୋଇଥାଏ । ସାମ୍ୱିଧାନିକ ଶାସନ ବ୍ୟବସ୍ଥାର ସମଗ୍ର ଢାଞ୍ଚା କ୍ଷମତାର ବିଭାଜନ ଉପରେ ତିଷ୍ଠି ରହିଛି । ତଦନୁଯାୟୀ ନ୍ୟାୟପାଳିକା ସମ୍ୱିଧାନର ତର୍ଜମା କରି ଏହାକୁ ସୁରକ୍ଷା ପ୍ରଦାନ କରିବା ସହ କାର୍ଯ୍ୟପାଳିକା ଓ ବିଧାନମଣ୍ଡଳର ମନୋମୁଖୀ, ମାତ୍ରାଧିକ, ଅସାମ୍ୱିଧାନିକ ଓ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଉଥିବାରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ନ୍ୟାୟପାଳିକାର ସ୍ୱାଧୀନତା ଅତୁଟ ରହିବା ନିତାନ୍ତ ଜରୁରୀ । କୌଣସି ଚାପର ବଶବର୍ତ୍ତୀ ହୋଇ ଅଥବା ପ୍ରଲୋଭନରେ ସମ୍ମୋହିତ ହୋଇ ନ୍ୟାୟପାଳିକାର ସ୍ୱାଧୀନତା ପ୍ରଭାବିତ ହେବାର ଆଶଙ୍କାକୁ ଗ୍ରହଣ କରାଯାଇ ନପାରେ । ଅବସର ପରେ ସରକାରଙ୍କ ଦ୍ୱାରା ବିଚାରପତିଙ୍କ ପୁନଃନିଯୁକ୍ତି ସାଧାରଣ ନାଗରିକଙ୍କ ମନରେ ସନ୍ଦେହ ସୃଷ୍ଟି କରି ସେହି ଆଶଙ୍କାକୁ ଜନ୍ମ ଦେଇଥାଏ ।
ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିମାନେ ସରକାରଙ୍କ ଅଧୀନସ୍ଥ କୌଣସି କାର୍ଯ୍ୟନିର୍ବାହୀ ପଦରେ ନିଯୁକ୍ତିକୁ ଗ୍ରହଣ କରିବା ଉଚିତ ନୁହେଁ କାରଣ ତଦ୍ଦ୍ୱାରା ଅଧିକ ଦରମା ଓ ଅଧିକ ମାନସମ୍ମାନର ପ୍ରଲୋଭନରେ ନ୍ୟାୟପାଳିକାର ସ୍ୱାଧୀନତା ପ୍ରଭାବିତ ହୋଇପାରେ ବୋଲି ସମ୍ୱିଧାନ ପ୍ରଣୟନ ସଭାରେ ପ୍ରଫେସର କେ ଟି ଶାହ ଆଶଙ୍କା ବ୍ୟକ୍ତ କରିଥିଲେ । ନ୍ୟାୟପାଳିକା ନିର୍ଣ୍ଣୟ ନେଉଥିବା ମାମଲାଗୁଡ଼ିକରେ ସରକାରଙ୍କ ସ୍ୱାର୍ଥ କ୍ଷୀଣ ବା ଆଦୌ ନଥାଏ ବୋଲି ସେତେବେଳେ ଆମ୍ୱେଦକର ଦର୍ଶାଇଥିଲେ ଓ ପ୍ରସ୍ତାବଟି ନାକଚ ହୋଇଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ପ୍ରମାଦଯୁକ୍ତ ନୀତି ଓ କ୍ରିୟାନ୍ୱୟନ ପାଇଁ ସରକାର ହିଁ ସବୁଠାରୁ ବଡ଼ ମକଦ୍ଦମାକାରୀ (ଲିଟିଗାଣ୍ଟ) ପାଲଟିଗଲେ । ସ୍ଥିତି ତ ଆସି ଏପରି ହେଲାଣି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଥିବା ପ୍ରାୟ ୮୦ ପ୍ରତିଶତ ମାମଲାରେ ସରକାର ପକ୍ଷଭୁକ୍ତ । ସମ୍ୱିଧାନର ଅନୁଚ୍ଛେଦ ୧୨୪(୭) ଅନୁଯାୟୀ ଅବସର ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିମାନେ କୌଣସି କୋର୍ଟ ବା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଓକିଲାତି କରିପାରିବେନି । ଅର୍ଥାତ୍ ସମ୍ୱିଧାନରେ ଓକିଲାତି କରିବା ଉପରେ ପ୍ରତିବନ୍ଧ ଥିଲେ ବି ସେମାନଙ୍କ ପୁନଃନିଯୁକ୍ତି ଉପରେ କୌଣସି ପ୍ରତିବନ୍ଧ ନାହିଁ ।
ସ୍ୱାଧୀନତା ପରେ ୧୯୫୨ରେ ସୁପ୍ରିମକୋର୍ଟର ବିଚାରପତି ସୈୟଦ ଫଜଲ ଅଲ୍ଲି ଅବସର ଗ୍ରହଣ କରିବାର ମାସକ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ଯାହା କୌଣସି ଅବସରପ୍ରାପ୍ତ ବିଚାରପତି ରାଜ୍ୟପାଳ ଭାବେ ନିଯୁକ୍ତ ହେବାର ପ୍ରଥମ ଘଟଣା ଥିଲା । ଏହାପରେ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ସରକାରୀ ଭାବେ ପୁନଃନିଯୁକ୍ତି ପ୍ରଦାନ କରିବାର ଧାରା କ୍ରମଶଃ ସାଧାରଣ ହେବାକୁ ଲାଗିଲା । ବିଚାରପତିଙ୍କ ଅବସର-ପରବର୍ତ୍ତୀ ପୁନଃନିଯୁକ୍ତି ପ୍ରସଙ୍ଗ ଜଷ୍ଟିସ ଏମ ସି ସିତଲବାଦଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ‘ଲ କମିଶନ’ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କମିଶନଙ୍କ ୧୯୫୮ରେ ପ୍ରକାଶିତ ୧୪ଶ ରିପୋର୍ଟର ୨୮ତମ ପାରାରେ ଏ ସମ୍ପର୍କରେ ଉଲ୍ଲେଖ ହୋଇଥିଲା, “ଆମେ ଲକ୍ଷ୍ୟ କରୁଛୁ ଯେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ପାଇଁ ଏକମାତ୍ର ପ୍ରତିବନ୍ଧକ ହେଉଛି ଯେ ସେମାନେ କୌଣସି କୋର୍ଟ ବା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଓକିଲାତି କରିପାରିବେନି । ଫଳସ୍ୱରୂପ, କିଛି ଅବସରପ୍ରାପ୍ତ ସୁପ୍ରିମକୋର୍ଟର ବିଚାରପତି ‘ଚ୍ୟାମ୍ୱର ପ୍ରାକ୍ଟିସ’ କରୁଥିବା ବେଳେ ଆଉ କିଛି ସରକାରଙ୍କ ଅଧୀନରେ ନିଯୁକ୍ତି ପାଇଛନ୍ତି । ଅବସର ପରେ ‘ଚ୍ୟାମ୍ୱର ପ୍ରାକ୍ଟିସ’ ଆରମ୍ଭ କରିବା ଅବସରପ୍ରାପ୍ତ ବିଚାରପତିଙ୍କ ଗରିମା ଓ ଅନ୍ୟ ଦେଶମାନଙ୍କର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ପ୍ରତିଷ୍ଟିତ ଉଚ୍ଚ ପରମ୍ପରାର ଅନୁରୂପ କି ନୁହେଁ ସେ ନେଇ ଆମର ଘୋର ସନ୍ଦେହ ରହିଛି ।” ପରବର୍ତ୍ତୀ ୨୯ତମ ପାରାରେ ଉଲ୍ଲେଖ ହୋଇଛି, “କିନ୍ତୁ ଅବସର ପରେ ସୁପ୍ରିମକୋର୍ଟ ବିଚାରପତିମାନେ ସରକାରୀ ନିଯୁକ୍ତିର ଆଶାୟୀ ହେବା ଯେ ସ୍ପଷ୍ଟ ଭାବେ ଅବାଞ୍ଛିତ ସେଥିରେ କୌଣସି ସନ୍ଦେହ ନାହିଁ ।” ସେହି ରିପୋର୍ଟରେ ଆହୁରି ଲେଖା ହୋଇଛି, “ସର୍ବୋଚ୍ଚ ଅଦାଲତରେ ଅନେକ ମାମଲାରେ ସରକାର ଏକ ପକ୍ଷ ଅଟନ୍ତି ଓ ବିଚାରପତିଙ୍କଠାରୁ ତାଙ୍କ ବିଚାରରେ ‘ଅସମ୍ପର୍କିତ ଦୃଷ୍ଟିକୋଣ’ (ଡିଟେଚମେଣ୍ଟ ଅଫ ଆଉଟଲୁକ)ର ଆଶା କରାଯାଉଥିବା ବେଳେ ସରକାର ପକ୍ଷଭୁକ୍ତ ହୋଇଥିବା ମାମଲାରେ ଅବସର ପରେ ସରକାରଙ୍କ ଦ୍ୱାରା ପୁନଃନିଯୁକ୍ତି ଆଶାୟୀ ଜଣେ ବିଚାରପତି ପ୍ରଭାବିତ ହୋଇପାରନ୍ତି ବୋଲି ସାଧାରଣ ନାଗରିକଟିଏର ଧାରଣା ହୋଇପାରେ ।” ଏହା ନ୍ୟାୟପାଳିକାର ସ୍ୱାଧୀନତାକୁ ପ୍ରଭାବିତ କରୁଥିବାରୁ ଲ’ କମିଶନ ଏହି ପୁନଃନିଯୁକ୍ତି ପ୍ରଥାକୁ ତୁରନ୍ତ ବନ୍ଦ କରିବା ଲାଗି ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ପୁନଃନିଯୁକ୍ତି ପ୍ରକ୍ରିୟା ବନ୍ଦ ହେଲାନାହିଁ । ଏକ ଅଧ୍ୟୟନ ଅନୁସାରେ ୧୯୯୯ରୁ ୨୦୨୦ ମଧ୍ୟରେ ସୁପ୍ରିମକୋର୍ଟର ୧୦୩ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରୁ ୭୩ ଜଣ ପୁନଃନିଯୁକ୍ତ ହୋଇଥିଲେ । ୬୫ ଜଣ ଅବସର ଗ୍ରହଣର ୩ ବର୍ଷ ମଧ୍ୟରେ ପୁନଃନିଯୁକ୍ତ ହୋଇଥିଲା ବେଳେ ୬୨ ଜଣ ସରକାରୀ ବା ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାରେ ନିଯୁକ୍ତ ହୋଇଥିଲେ ।
ଅବସର ନେବାର ଅଳ୍ପ କିଛିଦିନ ମଧ୍ୟରେ ଜଣେ ବିଚାରପତିଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯିବା ଦ୍ୱାରା ସରକାର ତାଙ୍କଠାରୁ ‘ପ୍ରତିବଦଳରେ’ (କୁଇଡ ପ୍ରୋ କୋ) କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଅନୁକୂଳ ରାୟ ମାଧ୍ୟମରେ କିଛି ପାଇଥିବାର ସନ୍ଦେହ ଉପୁଜି ସମାଲୋଚିତ ହୋଇଥାଏ । ତେଣୁ ଅବସରପ୍ରାପ୍ତ ବିଚାରପତିଙ୍କ ପୁନଃନିଯୁକ୍ତିକୁ ଏଡ଼ାଇ ଦିଆଯାଇପାରିଲେ ସନ୍ଦେହର ଅବକାଶ ରହନ୍ତାନାହିଁ । ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ଭି ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଆର ଏସ ପାଠକ ମଧ୍ୟ ଅବସର ପରବର୍ତ୍ତୀ ପୁନଃନିଯୁକ୍ତି ବିପକ୍ଷରେ ମତ ଦେଇଥିଲେ । ବିଚାରପତିଙ୍କ ଅବସର ଗ୍ରହଣ ବୟସକୁ ୬୫ ବର୍ଷରୁ ବଢ଼ାଇ ୭୦ କରି ଦିଆଗଲେ ଅବସର ପରେ ପୁନଃନିଯୁକ୍ତି ହୁଏତ କିଛି ପରିମାଣରେ ତା’ର ଆକର୍ଷଣ ହରାନ୍ତା ବୋଲି କେତେକଙ୍କ ମତ । ତେବେ ଏଣିକି ଲ’ କମିସନ, ଅନ୍ୟ କେତେକ କମିସନ, ବିଭିନ୍ନ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ) ଓ ଅନ୍ୟ କେତେକ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାର ମୁଖ୍ୟ ଭାବେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଇନତଃ ଅନିବାର୍ୟ୍ୟ ହୋଇଥିବାରୁ ଅବସର ପରେ ସେମାନଙ୍କ ପୁନଃନିଯୁକ୍ତି ଏକପ୍ରକାର ଅପରିହାର୍ୟ୍ୟ ହୋଇପଡ଼ିଛି । ତେଣୁ ଏହି ଧରଣର ପୁନଃନିଯୁକ୍ତିକୁ ଏଡାଇ ଦିଆଯାଇ ପାରିବନାହିଁ । ତେବେ ୨୦୧୨ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜେ.ଏସ ବର୍ମା ବିଚାରପତିମାନଙ୍କ ଅବସର ପରବର୍ତ୍ତୀ ଆଚରଣ ନିର୍ଦ୍ଧାରିତ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ତେଣୁ ସରକାରୀ ହସ୍ତକ୍ଷେପ ନହୋଇ ଏକ ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଉପରୋକ୍ତ ପୁନଃନିଯୁକ୍ତିଗୁଡ଼ିକ କରାଗଲେ ତାହା ସେତେଟା ସନ୍ଦେହ ଉତ୍ପନ୍ନ କରନ୍ତା ନାହିଁ । ଏଥିପାଇଁ ଅବସର ପରେ ପୁନଃନିଯୁକ୍ତି ପୂର୍ବରୁ ଅନ୍ତତଃ ଦୁଇବର୍ଷର ‘ଉପଶମନ ଅବଧି’ (କୁଲିଙ୍ଗ ଅଫ୍ ପିରିଅଡ଼) ରହିବା ଆବଶ୍ୟକ ବୋଲି ପ୍ରାକ୍ତନ ପ୍ରଧାନ ବିଚାରପତି ଆର ଏମ ଲୋଧା ମତ ଦେଇଥିଲେ । ଏହି ଅବଧି ଯେତେ ଅଧିକ ହୋଇଥାଏ ‘ପ୍ରତିବଦଳରେ’ ପୁନଃନିଯୁକ୍ତିର ସନ୍ଦେହ ହ୍ରାସ ପାଇ ସେତେ କମ୍ ସମାଲୋଚନା ହୋଇଥାଏ । ତେବେ ବିଚାରପତିମାନଙ୍କ ପୁନଃନିଯୁକ୍ତି ବେଳେ ଉପଶମନ ଅବଧିକୁ ବାଧ୍ୟତାମୂଳକ କରିବା କଥା ସରକାର ଚାହାନ୍ତି ନାହିଁ ବୋଲି ରାଜ୍ୟସଭାରେ ୨୦୧୯ରେ ସ୍ପଷ୍ଟ କରିସାରିଛନ୍ତି ।
କିନ୍ତୁ ଉପରୋକ୍ତ ଅପରିହାର୍ୟ୍ୟ ନିଯୁକ୍ତିଗୁଡ଼ିକ ଭିନ୍ନ ଅବସରପ୍ରାପ୍ତ ବିଚାରପତିମାନେ ରାଜ୍ୟପାଳଙ୍କ ଭଳି ରାଜନୈତିକ କ୍ଷମତାସମ୍ପନ୍ନ ପଦବୀଗୁଡ଼ିକରେ ନିଯୁକ୍ତ ହେବା ସମୀଚୀନ କି ? ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳ ସମ୍ୱିଧାନର ଅନୁଚ୍ଛେଦ ୧୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ‘ଖୁସି ପର୍ୟ୍ୟନ୍ତ’ (ପ୍ଲେଜର୍) ସେହି ପଦରେ ଅଧିଷ୍ଠିତ ରହିଥାନ୍ତି । ରାଷ୍ଟ୍ରପତିଙ୍କ ‘ଖୁସି’ ଅର୍ଥ ଶାସକ ଦଳର ଖୁସି ହୋଇଥିବାରୁ ତାହା ଏକ ରାଜନୈତିକ ନିଯୁକ୍ତି ହୋଇଥାଏ । ସାଧାରଣତଃ ରାଜନୈତିକ ବ୍ୟକ୍ତିବିଶେଷମାନେ ହିଁ ସେଥିରେ ନିଯୁକ୍ତି ପାଇଥାନ୍ତି । ସେଭଳି ଏକ ରାଜନୈତିକ ପଦବୀରେ ଜଣେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତି ପାଇବା ଦ୍ୱାରା ତାହା ‘ନ୍ୟାୟପାଳିକାର ସ୍ୱାଧୀନତା’ ପ୍ରତି ବିପଦ ସୃଷ୍ଟି କରିଥାଏ । ତେଣୁ ସେମାନଙ୍କ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ଅସାମ୍ୱିଧାନିକ ବା ଅବୈଧ ନହେଲେ ବି ଏଥିଯୋଗୁ ନ୍ୟାୟପାଳିକାର ସ୍ୱାଧୀନତା କ୍ଷୁଣ୍ଣ ହେବାର ଆଶଙ୍କା ଥିବାରୁ ନୈତିକତା ଦୃଷ୍ଟିରୁ ଏହା ଠିକ୍ ନୁହେଁ ବୋଲି କେହି କେହି ମତ ଦିଅନ୍ତି । ଅବଶ୍ୟ ପୂର୍ବରୁ ଜଷ୍ଟିସ୍ ଫତିମା ବିବି ଓ ଜଷ୍ଟିସ ପି. ସଦାଶିବମ ମଧ୍ୟ ଅବସର ପରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ।
ଐତିହାସିକ ରାମ ମନ୍ଦିର-ବାବରି ମସଜିଦ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କର ଯେଉଁ ପାଞ୍ଚଜଣିଆ ଖଣ୍ଡପୀଠ ନିର୍ଣ୍ଣୟ ଦେଇଥିଲେ ସେଥିରେ ଥିଲେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ ବୋବଡ଼େ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଅବଦୁଲ ନଜିର । ଜଷ୍ଟିସ ଚନ୍ଦ୍ରଚୂଡ଼ ଏବେ ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ ବୋବଡେ ଅପ୍ରେଲ ୨୩, ୨୦୨୧ରେ ପ୍ରଧାନ ବିଚାରପତି ଭାବେ ଅବସର ଗ୍ରହଣ କରିଛନ୍ତି । ନଭେମ୍ୱର ୯, ୨୦୧୯ରେ ଉପରୋକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ଜଷ୍ଟିସ ଗୋଗୋଇ ନଭେମ୍ୱର ୧୭, ୨୦୧୯ରେ ଅବସର ଗ୍ରହଣ କରିଥିଲେ । ମାତ୍ର ୪ ମାସ ପରେ ମାର୍ଚ୍ଚ ୧୯, ୨୦୨୦ରେ ତାଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଥିଲା । ଜୁଲାଇ ୨୦୨୧ରେ ଅବସର ଗ୍ରହଣ କରିଥିବା ଜଷ୍ଟିସ ଅଶୋକ ଭୂଷଣଙ୍କୁ ୪ ମାସ ପରେ ନଭେମ୍ୱର ୨୦୨୧ରେ ‘ଜାତୀୟ କମ୍ପାନି ଆଇନ ଅପିଲ ନ୍ୟାୟାଧିକରଣ’ (ଏନସିଏଲଏଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଗଲା । ଜଷ୍ଟିସ ନଜିରଙ୍କ ନାମ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଘୋଷଣା କରାଯିବା ପରେ ଉପରୋକ୍ତ ମାମଲାରେ ରାୟ ଶୁଣାଇଥିବା ବିଚାରପତିଙ୍କ ମଧ୍ୟରୁ ୩ଜଣ ଅବସର ଗ୍ରହଣ ପରେ ବିଭିନ୍ନ ଭାବେ ତୁରନ୍ତ ପୁନଃନିଯୁକ୍ତ ହେବା ହୁଏତ ଏକ ସଂଯୋଗ ହୋଇପାରେ । ହେଲେ ସେମାନଙ୍କ ନିର୍ଣ୍ଣୟ ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି କି ବୋଲି ସନ୍ଦେହଟିଏ ଜନତାଙ୍କ ମନରେ ଉଙ୍କି ମାରିବା କିଛି ବିଚିତ୍ର ନୁହେଁ । ‘ସିଜରଙ୍କ ପତ୍ନୀ ମଧ୍ୟ ସନ୍ଦେହର ଊର୍ଦ୍ଧ୍ୱରେ ରହିବା’ ଆଶା କରାଯାଉଥିବା ବେଳେ ବିଚାରପତିଙ୍କଠାରୁ ତ ତା’ଠାରୁ ଯଥେଷ୍ଟ ଅଧିକ ଅପେକ୍ଷା ରହିଥାଏ ।
ସେପ୍ଟେମ୍ୱର ୫, ୨୦୧୩ରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଅରୁଣ ଜେଟଲି କହିଥିଲେ, “ମୁଁ ମନେ କରେ ଯେ ଆମେ ଏଣିକି ପ୍ରତିଟି ଆଇନ ପ୍ରଣୟନରେ ବିଚାରପତିଙ୍କ ଲାଗି ଅବସର-ପରବର୍ତ୍ତୀ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଟିକେ ବେଶି ଆଗେଇ ଯାଉଛନ୍ତି । ଅଳ୍ପ କେତେଜଣ ଗଣ୍ୟମାନ୍ୟ ଓ ସମ୍ମାନାସ୍ପଦ ବ୍ୟକ୍ତିଙ୍କୁ ବାଦ ଦେଲେ ପ୍ରାୟ ସମସ୍ତେ ଅବସର ପରେ ନିଯୁକ୍ତିଟିଏ ଚାହାନ୍ତି । ଆମେ ତାହା ସୃଷ୍ଟି ନ କଲେ ସେମାନେ ନିଜେ ନିଜ ପାଇଁ ସୃଷ୍ଟି କରନ୍ତି । ଅବସର-ପରବର୍ତ୍ତୀ ନିଯୁକ୍ତିର ଆଶା ଅବସର ଗ୍ରହଣ ପୂର୍ବର ରାୟଗୁଡ଼ିକୁ ପ୍ରଭାବିତ କରିଥାଏ । ଏହା ‘ନ୍ୟାୟପାଳିକାର ସ୍ୱାଧୀନତା’ ପ୍ରତି ଏକ ବିପଦ ଓ ଏହା ପ୍ରାକ୍-ଅବସର ରାୟଗୁଡ଼ିକୁ ପ୍ରଭାବିତ କରିବା ସହ ନ୍ୟାୟପାଳିକାର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।“
ଜଷ୍ଟିସ ଅବଦୁଲ ନଜିର ତାଙ୍କ ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବରେ କହିଥିଲେ ଯେ ଅଯୋଧ୍ୟା ବିବାଦ ମାମଲାରେ ସେ ଭିନ୍ନ ରାୟ ଶୁଣାଇଥିଲେ ଆଜି ହୁଏତ ତାଙ୍କ ସମ୍ପ୍ରଦାୟରେ ତାଙ୍କୁ ଜଣେ ନାୟକର ମର୍ୟ୍ୟାଦା ମିଳିପାରିଥାନ୍ତା, କିନ୍ତୁ ସେ ସମ୍ପ୍ରଦାୟର ସ୍ୱାର୍ଥକୁ ନୁହେଁ ବରଂ ଦେଶର ସ୍ୱାର୍ଥକୁ ଆଗରେ ରଖି ନିର୍ଣ୍ଣୟ ନେବାକୁ ଉଚିତ ମଣିଥିଲେ । ଆଜି ଯେତେବେଳେ ତାଙ୍କ ରାଜ୍ୟପାଳ ଭାବେ ନିଯୁକ୍ତି ଘୋଷଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଇବାକୁ ବସିଛି ତାଙ୍କ ବିବେକ ତାଙ୍କୁ କି ନିର୍ଣ୍ଣୟ ନେବାକୁ ପ୍ରେରିତ କରୁଛି ତାହା ଦେଖିବାକୁ ଦେଶବାସୀ ଅପେକ୍ଷା କରିଛନ୍ତି । ତେବେ ଭବିଷ୍ୟତରେ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ରାଜନୈତିକ କ୍ଷମତାସମ୍ପନ୍ନ ପଦବୀଠାରୁ ଦୂରେଇ ରଖିବା ଲାଗି ଆଇନ ପ୍ରଣୟନ କରାଗଲେ ତାହା ନ୍ୟାୟପାଳିକାର ସ୍ୱାଧୀନତା, ବିଶ୍ୱସନୀୟତା, ଗରିମାକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହୁଅନ୍ତା ।
Published in Sambad on February 21, 2023
Comments
Post a Comment