ଆମେରିକାସ୍ଥିତ ହିଣ୍ଡନବର୍ଗ ସଂସ୍ଥା ଦ୍ୱାରା ଆଦାନି ସମୂହର କମ୍ପାନିଗୁଡ଼ିକର ଆର୍ଥିକ କାରବାରରେ ହୋଇଥିବା ବ୍ୟାପକ ହେରଫେରକୁ ରେଖାଙ୍କିତ କରି ଏକ ଗବେଷଣା ଆଧାରିତ ରିପୋର୍ଟ ଜାନୁଆରୀ ୨୪ରେ ପ୍ରକାଶ ପାଇବା ପରେ ପୁଞ୍ଜିବଜାରରେ ଝଡ଼ ସୃଷ୍ଟି ହୋଇଛି । ଫଳରେ ଆଦାନି କମ୍ପାନିଗୁଡିକର ସେୟାର ଦର ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇସାରିଲାଣି । ସପ୍ତାହକ ଭିତରେ ଗୌତମ ଆଦାନିଙ୍କ ସମ୍ପତ୍ତିର ମୂଲ୍ୟ ଯାହା ୧୨୭ ବିଲିଅନ ଡଲାର ଥିଲା ତାହା ହ୍ରାସ ପାଇ ୬୩ ବିଲିଅନ ଡଲାରରେ ପହଞ୍ଚିସାରିଲାଣି । ସେହି ଝଡ଼ର ପ୍ରଭାବ ଏବେ ପୁଞ୍ଜିବଜାରକୁ ଅତିକ୍ରମ କରି ସଂସଦରେ ଅନୁଭୂତ ହେବାକୁ ଲାଗିଲାଣି । ତେଣୁ ଏହି ରିପୋର୍ଟର ତଥ୍ୟ ଏବଂ ତଦ୍ଦ୍ୱାରା ସମ୍ଭାବ୍ୟ ଆର୍ଥିକ ଓ ରାଜନୈତିକ ପ୍ରଭାବ ସମ୍ପର୍କରେ ଏକ ଆଲୋଚନା କରାଯିବା ଆବଶ୍ୟକ ।
ଶହେ ଛଅ ପୃଷ୍ଠା ବିଶିଷ୍ଟ ସେହି ରିପୋର୍ଟଟିର ପ୍ରସ୍ତୁତକର୍ତ୍ତା ହେଉଛନ୍ତି ଆମେରିକାର ବିତ୍ତୀୟ ଫରେନସିକ ଗବେଷଣା ସଂସ୍ଥା ‘ହିଣ୍ଡନବର୍ଗ ରିସର୍ଚ୍ଚ’, ଯାହାର ପ୍ରତିଷ୍ଠାତା ନାଥାନ ଏଣ୍ଡରସନ । ଏହି କମ୍ପାନିର ଗବେଷଣା ମାଧ୍ୟମରେ ଏଯାବତ୍ ବିଭିନ୍ନ ଦେଶର ୧୬ଟି କମ୍ପାନିର ବ୍ୟାବସାୟିକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିସାରିଲାଣି । ତନ୍ମଧ୍ୟରୁ ଆମେରିକାର ନିକୋଲା ଟ୍ରକ କମ୍ପାନିର ମାଲିକ ଟ୍ରେଭର ମିଲଟନ୍ ଠକ ଘୋଷିତ ହୋଇ ଦଣ୍ଡିତ ହେବା ସହ ଅନେକ କମ୍ପାନିର ଅଂଶଧନର ମୂଲ୍ୟ ୯୦ ପ୍ରତିଶତ ଯାଏଁ ହ୍ରାସ ପାଇ ସେଗୁଡ଼ିକ ଆଉ ଉଧେଇ ପାରିନାହାନ୍ତି । ସେହି ରିପୋର୍ଟରେ ‘ଆଦାନି ଦୁର୍ନୀତିକୁ ‘କର୍ପୋରେଟ ଇତିହାସର ସବୁଠାରୁ ବଡ଼ ଠକେଇ’ ଭାବେ ଅଭିହିତ କରାଯାଇଛି ।
ସରକାରରେ ଥିବା କିଛି ସମର୍ଥକଙ୍କ ସହାୟତା ଓ ଠକାମିକୁ ରୂପ ଦେବା ପାଇଁ କିଛି ଆନ୍ତର୍ଜାତୀୟ କମ୍ପାନିଙ୍କ ସହଯୋଗରେ ଆଦାନି କିପରି ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇଥିଲେ ତା’ର ଅବତାରଣା ହିଣ୍ଡନବର୍ଗ ରିପୋର୍ଟରେ କରାଯାଇଛି । ଆଦାନି ସମୂହ କମ୍ପାନିଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଚାଲିଆସିଥିବା ଆକାଉଣ୍ଟିଂ ଠକେଇ, ଷ୍ଟକ ହେରଫେର, ‘ମନି ଲଣ୍ଡରିଂ’ ଆଦିର ଯେଉଁ ପ୍ରମୁଖ ଦିଗଗୁଡ଼ିକ ସମ୍ପର୍କରେ ତଥ୍ୟଭିତ୍ତିକ ଉଦାହରଣମାନ ପ୍ରସ୍ତୁତ ହୋଇଛି ସେଗୁଡ଼ିକ ଉପରେ ସମ୍ୟକ ଆଲୋକପାତ କରାଯାଉ । କମ୍ପାନିଗୁଡ଼ିକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣରେ ରଖିବା ଲାଗି ମାଲିକାନା ସେୟାର ପ୍ରତିଶତକୁ ଅଧିକ କରିବା ଓ ସେୟାର ମୂଲ୍ୟକୁ କୃତ୍ରିମ ଭାବେ ବୃଦ୍ଧି କରି ଲାଭବାନ ହୋଇଥିବାର ଉଲ୍ଲେଖ ହୋଇଛି । ପୁଞ୍ଜିବଜାର ନିୟନ୍ତ୍ରକ ‘ସେବି’ର ନିୟମ ଅନୁଯାୟୀ କୌଣସି ସୂଚିବଦ୍ଧ କମ୍ପାନିରେ ପ୍ରତିଷ୍ଠାତାଙ୍କ ସେୟାର ୭୫ ପ୍ରତିଶତରୁ ଅଧିକ ହେଲେ ତାହା ଅଣସୂଚିବଦ୍ଧ ହୋଇଥାଏ । ଆଦାନି ସମୂହର ୪ଟି ସୂଚିବଦ୍ଧ କମ୍ପାନିରେ ପ୍ରତିଷ୍ଠାତାଙ୍କ ସେୟାର ୭୫ ପ୍ରତିଶତର ନିକଟତର ହୋଇଥିଲା । ସେଥିପାଇଁ ସଂଖ୍ୟାଧିକ ବିଦେଶୀ ଅଫସୋର ଫଣ୍ଡ ଓ ବେନାମୀ ‘ସେଲ୍’ (ନକଲି) କମ୍ପାନିଙ୍କ ସହାୟତାରେ ‘ଆଦାନି ସେୟାର’ର ‘ଷ୍ଟକ୍ ପାର୍କିଂ’ କରାଯାଇଥିବାର ଅଭିଯୋଗ ହୋଇଛି । ‘ଷ୍ଟକ ପାର୍କିଂ’ ଏକ ବେନିୟମ ପ୍ରକ୍ରିୟା ଯେଉଁଥିରେ ପ୍ରତିଷ୍ଠାତାଙ୍କ ସେୟାରକୁ ଅନ୍ୟ ନାମରେ କିଣା ଯାଇ ବିଦେଶରେ ରଖାଯାଇଥାଏ ।
‘କେତନ ପାରେଖ ଷ୍ଟକ୍ ଦୁର୍ନୀତି’ ମାମଲା ସମେତ ଆହୁରି କେତେକ ଦୁର୍ନୀତିମୂଳକ ଉଦ୍ୟମ ଜରିଆରେ ଗତ ୨୦ ବର୍ଷ ମଧ୍ୟରେ ଆଦାନି କମ୍ପାନି ସମୂହର ସେୟାରର ବଜାର ମୂଲ୍ୟକୁ ଅନେକ ଥର କୃତ୍ରିମ ଭାବେ ହେରଫେର କରାଯାଇଥିବାର ଅଭିଯୋଗ ହୁଏ । କେବଳ ଗତ ୩ ବର୍ଷ ଭିତରେ ଆଦାନି କମ୍ପାନିଗୁଡ଼ିକ ମଧ୍ୟରୁ କେତେକର ସେୟାର ମୂଲ୍ୟରେ ୧୦୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । କମ୍ପାନିଗୁଡ଼ିକର ବିତ୍ତୀୟ ବିବରଣୀରୁ ଜଣାପଡ଼େ ଯେ ସେୟାରଗୁଡ଼ିକର ବଜାର ମୂଲ୍ୟ ବାସ୍ତବ ମୂଲ୍ୟଠାରୁ ୮ରୁ ୯ ଗୁଣ ଅଧିକ ଥିଲା ।
ବେନାମୀ ସେଲ୍ କମ୍ପାନିଙ୍କ ମାଧ୍ୟମରେ ସଂଖ୍ୟାଧିକ ‘ସଂଶ୍ଳିଷ୍ଟ-ପକ୍ଷ ଦେଣନେଣ’ (ରିଲେଟେଡ଼-ପାର୍ଟି ଟ୍ରାନଜେକସନ୍) ହୋଇ ସେହି ସବୁ ବିଦେଶୀ ସଂସ୍ଥାଙ୍କ ଜରିଆରେ ଗୋପନୀୟ ଭାବେ ଆଦାନି ସାମ୍ରାଜ୍ୟ ଦେଇ ହଜାର ହଜାର କୋଟି ଟଙ୍କାର ଅର୍ଥରାଶି ଯିବା ଆସିବା କରିଛି । ତନ୍ମଧ୍ୟରୁ ଅନେକ ସେଲ କମ୍ପାନି ସହ ଗୌତମ ଆଦାନିଙ୍କ ବଡ଼ ଭାଇ ବିନୋଦ ଆଦାନି ସଂଶ୍ଳିଷ୍ଟ ବୋଲି ମଧ୍ୟ ଜଣାପଡ଼େ ।
ଟିକସଦାତାଙ୍କ ଅର୍ଥର ଆତ୍ମସାତ୍, ସୂଚିବଦ୍ଧ କମ୍ପାନିଗୁଡ଼ିକରୁ ପାଣ୍ଠି ହଡ଼ପ ଏବଂ ଦୁର୍ନୀତି ମାଧ୍ୟମରେ ଆଦାନି ସମୂହ ପ୍ରାରମ୍ଭିକ ପର୍ୟ୍ୟାୟରେ ଅର୍ଥ ଆହରଣ କରିବା ଓ ସେ ସମ୍ପର୍କରେ ସରକାରୀ ତଦନ୍ତ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ‘ହୀରା ଦୁର୍ନୀତି’ରେ ଆଦାନି ଏକ୍ସପୋର୍ଟକୁ ଅବୈଧ ଭାବେ ବିପୁଳ ଟିକସ ରିହାତି ମିଳିବା, କର୍ଣ୍ଣାଟକର ୬୦ ହଜାର କୋଟି ଟଙ୍କାର ‘ଲୁହାପଥର ଦୁର୍ନୀତି’ ମାମଲାରେ ଆଦାନି ଏଣ୍ଟପ୍ରାଇଜେସର ଭୂମିକା, ଶକ୍ତି ଉପକରଣର ଅତ୍ୟଧିକ ବର୍ଦ୍ଧିତ ମୂଲ୍ୟ (ଓଭର ଇନଭଏସ) କରି ବ୍ୟବସାୟ ଆଧାରିତ ‘ମନି ଲଣ୍ଡରିଂ’ କରିବା, ବର୍ଦ୍ଧିତ ଦରରେ ଇଣ୍ଡୋନେସିଆରୁ କୋଇଲା ଆମଦାନି ହୋଇଥିବା ଦର୍ଶାଇ ସେହି ଦରକୁ ଲୋକଙ୍କଠାରୁ ଆଦାୟ କରିବା ଆଦି ଅନେକ ଠକାମି ଅଭିଯୋଗ ସମ୍ପର୍କରେ ଉଲ୍ଲେଖ ହୋଇଛି ।
ଗବେଷଣା ଲବ୍ଧ ସଠିକ୍ ତଥ୍ୟ ଅଭାବରୁ ବିନିବେଶ ବ୍ୟାଙ୍କଗୁଡ଼ିକ ଓ ପେଷାଦାର ନିବେଶକମାନେ ଆଦାନି ସମୂହର କମ୍ପାନିଗୁଡ଼ିକରେ ବିନିବେଶ କରିବାକୁ ଆଗ୍ରହ ଦେଖାନ୍ତି ନାହିଁ । ଅନ୍ୟପକ୍ଷରେ ଆଦାନି କମ୍ପାନିଗୁଡ଼ିକର ସେୟାରଗୁଡ଼ିକର ଦର କୃତ୍ରିମ ଭାବେ ହେଉ ପଛେ ହୁ ହୁ ହୋଇ ବଢ଼ିବା ଦ୍ୱାରା ‘କାଳେ ହାତଛଡ଼ା ହୋଇଯିବ’ (ଫୋମା- ଫିଅର ଅଫ ମିସିଂ ଆଉଟ) ମାନସିକତାରେ ଆକ୍ରାନ୍ତ ସାଧାରଣ ନିବେଶକମାନେ ଆଦାନି କମ୍ପାନି ସେୟାର ପ୍ରତି ଆକୃଷ୍ଟ ହୋଇଥିଲେ ।
ଗତ ବର୍ଷ ଆଦାନିଙ୍କ ସୂଚିବଦ୍ଧ କମ୍ପାନିଗୁଡ଼ିକର ସମୁଦାୟ ଆୟ ୨୫୦୦ କୋଟି ଡଲାର (ପ୍ରାୟ ୨ଲକ୍ଷ କୋଟି ଟଙ୍କା) ହୋଇ ନିଟ ଲାଭ ପ୍ରାୟ ୧୮୦କୋଟି ଡଲାର ହୋଇଥିଲା । ବାର୍ଷିକ ପ୍ରାୟ ୫୦୦ କୋଟି ଡଲାର ପୁଞ୍ଜି ବ୍ୟୟ କରୁଥିବା ଆଦାନି କମ୍ପାନି ସମୂହ ନିକଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ବନ୍ଦର ରହିଛି, ଯାହା ଭାରତର ବନ୍ଦର କ୍ଷମତାର ପ୍ରାୟ ୨୪ ପ୍ରତିଶତ । ଏତଦଭିନ୍ନ ଅଷ୍ଟ୍ରେଲିଆ, ଇସ୍ରାଏଲ ଓ ଶ୍ରୀଲଙ୍କାର କିଛି ବନ୍ଦର ମଧ୍ୟ ଆଦାନିଙ୍କ ନିୟନ୍ତ୍ରଣରେ ଅଛି । ଦେଶର ୬ଟି ବିମାନବନ୍ଦରର ଆଧୁନିକୀକରଣ ଓ ପରିଚାଳନା ଦାୟିତ୍ୱ ଆଦାନି ଏଣ୍ଟରପ୍ରାଇଜ ହାତରେ ଯାହା ଦେଶର ଏକ ଚତୁର୍ଥାଂଶ ବାଣିଜ୍ୟିକ ବିମାନ ଚଳାଚଳକୁ ନିୟନ୍ତ୍ରଣ କରୁଛି । ଦେଶର ପାଞ୍ଚ ଭାଗରୁ ଭାଗେ ଲେଖାଏଁ ବିଦ୍ୟୁତ ପରିବହନ ଓ ସିମେଣ୍ଟ ଉତ୍ପାଦନ କ୍ଷମତା ଆଦାନି ନିୟନ୍ତ୍ରଣରେ । ଏମିତି ବିପୁଳ ପରିମାଣର ସମ୍ପତ୍ତି ସତ୍ତ୍ୱେ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି କମ୍ପାନିଗୁଡ଼ିକର ଭବିଷ୍ୟତ ବିସ୍ତାର ଯୋଜନା ଓ ଅନ୍ୟାନ୍ୟ ଗତିବିଧି ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଭିତ୍ତିଭୂମି ବିକାଶ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଆଦାନି ସମୂହ ୨୦୨୩ରୁ ୨୦୨୭ ମଧ୍ୟରେ ପ୍ରାୟ ୫୦୦୦ ବିଲିଅନ ଡଲାର (୪ ଲକ୍ଷ କୋଟି ଟଙ୍କା) ପୁଞ୍ଜି ନିବେଶ କରିଥାନ୍ତା, ଯେଉଁଥିପାଇଁ ନିବେଶକଙ୍କଠାରୁ ପ୍ରଚୁର ପୁଞ୍ଜିର ଆବଶ୍ୟକତା ରହିଛି । ଆଦାନି ଏଣ୍ଟପ୍ରାଇଜେସ ଦ୍ୱାରା ଜାରି ହୋଇଥିବା ୨୦୦୦୦ କୋଟି ଟଙ୍କାର ‘ଏଫପିଓ’ (ଫଲୋଅନ୍ ପବ୍ଲିକ ଅଫର) ତା’ର ସଫଳତା ସତ୍ତ୍ୱେ ସମୂହ ନିବେଶକଙ୍କ ବିଶ୍ୱାସଭାଜନ ହୋଇପାରୁନାହିଁ ବୋଲି ହୃଦବୋଧ କରି କମ୍ପାନି ତାହାକୁ ବାତିଲ କରିବାକୁ ବାଧ୍ୟ ହେଲା । ଯେ କୌଣସି କମ୍ପାନିର ସଫଳତା ପାଇଁ ତା’ର ସମ୍ପତ୍ତି ଓ କ୍ୟାଶ ଫ୍ଲୋ (ନଗଦ ପ୍ରବାହ) ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନିବେଶକଙ୍କର ବିଶ୍ୱାସ ବା ଆସ୍ଥା । ବସ୍ତୁତଃ ବ୍ୟାଙ୍କିଂ ବ୍ୟବସାୟର ଆଧାର ହେଉଛି ‘ବିଶ୍ୱାସ’ । ତେଣୁ ଆଦାନି କମ୍ପାନି ସମୂହ ନିବେଶକଙ୍କ ପୁନର୍ବାର ବିଶ୍ୱାସଭାଜନ ହୋଇ ସେୟାର ମୂଲ୍ୟରେ ବୃଦ୍ଧି ନ ହେବା ଯାଏଁ ସମୂହ ପକ୍ଷରେ ଜନସାଧାରଣ ଓ ସଂସ୍ଥାଗତ ନିବେଶକଙ୍କଠାରୁ ପୁଞ୍ଜି ସଂଗ୍ରହ କରାଯିବା ଦୁରୂହ ହୋଇପଡ଼ିବ । ତା’ ଛଡ଼ା ଏ ପର୍ୟ୍ୟନ୍ତ ଆଦାନି ସମୂହର ପୁଞ୍ଜି-ପ୍ରଧାନ ଦ୍ରୁତ ବିସ୍ତାର ଅତ୍ୟଧିକ ଋଣ ଉପରେ ନିର୍ଭର କରି ସମ୍ଭବ ହୋଇଛି, ଯାହା ଆଦାନିଙ୍କ ଲାଗି ଭାରତୀୟ ବ୍ୟାଙ୍କ ଓ ବିଦେଶୀ ବିତ୍ତୀୟ ସଂସ୍ଥା ଅକୁଣ୍ଠ ଚିତ୍ତରେ ଉପଲବ୍ଧ କରାଇଥିବା ଜଣାପଡ଼େ । ଏଥିରେ ଭାରତୀୟ ବ୍ୟାଙ୍କଗୁଡ଼ିକ ପ୍ରାୟ ୮୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେଇଛନ୍ତି । କମ୍ପାନିଗୁଡ଼ିକର ଋଣଭାର ଅତ୍ୟଧିକ ହୋଇଥିବାବେଳେ ୪ଟି କମ୍ପାନିର ନଗଦ ପ୍ରବାହ (କ୍ୟାଶ ଫ୍ଲୋ) ବିଯୁକ୍ତାତ୍ମକ (ନେଗେଟିଭ) ହୋଇଥିବା ଚିନ୍ତାକୁ ବଢ଼ାଇଛି । ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନି ପକ୍ଷରେ ବିଦେଶୀ ଋଣ ଆହରଣ କରିବା କଷ୍ଟକର ଓ ମହଙ୍ଗା ହେବାକୁ ଯାଉଥିବାରୁ ଋଣ ପାଇଁ ସ୍ଥାନୀୟ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପଡ଼ିପାରେ । ତେବେ ବିବାଦ ନ ଥମିବା ପର୍ଯ୍ୟନ୍ତ ଆଦାନି ସମୂହର କମ୍ପାନିଗୁଡ଼ିକୁ ନୂଆ ଋଣ ଦେବା ପୂର୍ବରୁ ସେଗୁଡ଼ିକୁ ଅଧିକ ସତର୍କତା ଅବଲମ୍ୱନ କରିବାକୁ ହେବ। ତଦ୍ଦ୍ୱାରା କମ୍ପାନି ସମୂହକୁ ଆଉ ଅବାଧରେ ବିପୁଳ ପରିମାଣର ଋଣ ମିଳିବାରେ ବାଧା ଉତ୍ପନ୍ନ ହେବ । ତେଣେ ହିଣ୍ଡନବର୍ଗ ପ୍ରକରଣ ପରେ ଅନ୍ତର୍ଜାତୀୟ ପୁଞ୍ଜିବଜାରରେ ମଧ୍ୟ ଆଦାନି ସମୂହର ବିଶ୍ୱସନୀୟତା ଯଥେଷ୍ଟ ହ୍ରାସ ପାଇଚାଲିଛି । ସୁଇଜରଲାଣ୍ଡର ବିନିବେଶ ବ୍ୟାଙ୍କିଂ କମ୍ପାନୀ ‘କ୍ରେଡ଼ିଟ ସୁଇସ’ ଆଦାନି କମ୍ପାନିଗୁଡ଼ିକର ବଣ୍ଡର କୌଣସି ମୂଲ୍ୟ ନାହିଁ ବୋଲି କହି ସେଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଛି । ‘ସିଟିଗ୍ରୁପ’ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିସାରିଲେଣି ।
ହିଣ୍ଡନବର୍ଗ ରିପୋର୍ଟରେ ପ୍ରକାଶିତ ତଥ୍ୟ ଏକ ବିଦେଶୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ଏହା 'ଉଦ୍ଦେଶ୍ୟ ପ୍ରଣୋଦିତ' ବୋଲି କହି ହାଲୁକାରେ ନେଇ ହେବନାହିଁ । କାରଣ ଏଥିରେ ଥିବା ଅନେକ ତଥ୍ୟ ପୂର୍ବରୁ ଭାରତୀୟ ଗଣମାଧ୍ୟମରେ ଓ ଅନ୍ୟତ୍ର ପ୍ରକାଶ ପାଇଥିଲେ ବି ସେଗୁଡ଼ିକୁ ସେତେ ଗୁରୁତ୍ୱ ଦିଆଯାଇ ନଥିଲା । ଆଦାନି ସମୂହର ବିସ୍ତାର ଓ ଟିକସ ଫାଙ୍କିରେ ସରକାର କିପରି ସାହାଯ୍ୟ କରିଛନ୍ତି ସେ ନେଇ ‘ଇପିଡବଲ୍ୟୁ’ ପତ୍ରିକାର ତତକାଳୀନ ସମ୍ପାଦକ ପରଞ୍ଜୟ ଗୁହଠାକୁର୍ତଙ୍କ ୨୦୧୭ରେ ପ୍ରକାଶିତ ଆଲେଖ୍ୟ ପାଇଁ ତାଙ୍କୁ ଶେଷରେ ସମ୍ପାଦକ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ‘କ୍ରେଡ଼ିଟସାଇଟସ’ ସଂସ୍ଥାର ସେପ୍ଟେମ୍ୱର ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟରେ ଆଦାନି ସମୂହକୁ ‘ଅତ୍ୟଧିକ ଋଣଗ୍ରସ୍ତ’ କହି ଚିନ୍ତା ବ୍ୟକ୍ତ କରାଯିବା ସହ ଏହାର ଋଣ ପରିମାଣ ୨୮.୮ ବିଲିଅନ ଡଲାର (ପ୍ରାୟ ୨.୩୦ ଲକ୍ଷ କୋଟି ଟଙ୍କା) ବୋଲି ଆକଳନ କରାଯାଇଥିଲା । ଫରକ ହେଲା ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସମୂହର ଆର୍ଥିକ ଗତିବିଧି ସମ୍ପର୍କରେ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇ ତା’ର ଗୁରୁତର କୁପ୍ରଭାବ ପୁଞ୍ଜିବଜାର ଉପରେ ପଡ଼ିଲା ।
୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ମୋଦି ଗୁଜରାଟରୁ ଦିଲ୍ଲୀକୁ ଆଦାନିଙ୍କ ଏକ ଜେଟ ଯୋଗେ ଆସିବାରୁ ଉଭୟଙ୍କ ବନ୍ଧୁତାର ଘନିଷ୍ଠତା ସମ୍ପର୍କରେ ଦେଶବାସୀ ସେତେବେଳେ ଅବଗତ ହୋଇଥିଲେ । ସେହି ଉଡ଼ାଣ ପରଠାରୁ ଗୌତମ ଆଦାନିଙ୍କ ଭାଗ୍ୟାକାଶ ଉଜ୍ଜ୍ୱଳ ହୋଇ ସେ ଆର୍ଥିକ ଉପଲବ୍ଧିର ନୂଆ ନୂଆ ଉଚ୍ଚତାକୁ ଛୁଇଁବାକୁ ଲାଗିଲେ ଯାହା ହୁଏତ କାକତାଳୀୟ ହୋଇପାରେ । ଆର୍ଥିକ ସାମ୍ରାଜ୍ୟର ବିସ୍ତାର କରି ନିଜ ସମ୍ପତ୍ତିକୁ ୨୦୧୪ର ୭୦୦ କୋଟି ଡଲାର ସ୍ତରରୁ ସେପ୍ଟେମ୍ୱର ୨୦୨୨ରେ ୧୫୦୦୦ କୋଟି ଡଲାର ବା ୨୧ଗୁଣରୁ ଅଧିକ ପହଞ୍ଚାଇବା ଅନେକଙ୍କ ଭ୍ରୁକୁଞ୍ଚନ କରିଥିଲା । ତେବେ ସାଧାରଣ ଜନତାଙ୍କ କଷ୍ଟୋପାର୍ଜିତ ଧନ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଭଳି ସରକାରୀ ନିୟନ୍ତ୍ରଣାଧୀନ ବିତ୍ତୀୟ ସଂସ୍ଥାଙ୍କ ନିକଟରେ ଜମା ଥିବା ବେଳେ ସେମାନେ ସେହି ଅର୍ଥକୁ ଆଦାନି ସମୂହରେ ବିନିବେଶ କରି କ୍ଷତି ସହିବା କାରଣରୁ ଏହି ମାମଲା ଆହୁରି ସ୍ପର୍ଶକାତର ହୋଇପଡ଼ିଛି । ଏହି ପ୍ରକରଣରେ ନିବେଶକ ଓ ଜମାକାରୀଙ୍କ ପ୍ରାୟ ନଅ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହୋଇସାରିଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ମହାଦୁର୍ନୀତିର ଆଖ୍ୟା ଦେଇ ‘ଯୁଗ୍ମ ପାର୍ଲିଆମେଣ୍ଟାରି କମିଟି’ ବା ‘ଜେପିସି’ ମାଧ୍ୟମରେ ଦନ୍ତର ଦାବି କଲେଣି । ଉଲ୍ଲେଖଯୋଗ୍ୟ ଯେ ୟୁପିଏ-୨ ଶାସନର ଶେଷ ବେଳକୁ ଟୁଜି ଦୁର୍ନୀତି, କୋଇଲା ଦୁର୍ନୀତି ଆଦି ଦୁର୍ନୀତିଗୁଡ଼ିକ ମହାଦୁର୍ନୀତିର ରୂପ ନେଇଥିଲା । ପରବର୍ତ୍ତୀ ସମୟରେ ସେଗୁଡ଼ିକ ପ୍ରମାଣିତ ହୋଇନଥିଲେ ବି ସେହି ସମୟରେ ତାହା ରାଜନୈତିକ ମହାବାତ୍ୟା ସୃଷ୍ଟି କରିବାକୁ ସମର୍ଥ ହୋଇ ଶାସକ ଦଳକୁ ଗାଦିଚ୍ୟୁତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ଆଦାନି ପ୍ରକରଣରେ କ୍ଷତିର ପରିମାଣ ସେହି ଦୁର୍ନୀତିଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ହୋଇଥିବାରୁ ତାହା କ୍ରମଶଃ ‘ମହାଦୁର୍ନୀତି’ରେ ଆଖ୍ୟାୟିତ ହେବାକୁ ଲାଗିଲେ ରାଜନୈତିକ ‘ମହାବାତ୍ୟା’ରେ ରୂପାନ୍ତରିତ ହେବାକୁ ବିଳମ୍ୱ ହୋଇନପାରେ । ପ୍ରଧାନମନ୍ତ୍ରୀଙ୍କ ସହ ଆଦାନିଙ୍କ ଘନିଷ୍ଠ ବନ୍ଧୁତା ଲାଗି ମୋଦିଙ୍କ ଭାବମୂର୍ତ୍ତି ମଳିନ ହୋଇ ସୃଷ୍ଟି ହୋଇଥିବା ଝଡ଼ ଆଉ ଏକ ରାଜନୈତିକ ମହାବାତ୍ୟାର ରୂପ ନେବ ନାହିଁ ତ ?
Published in Sambad on February 7, 2023
Comments
Post a Comment