Skip to main content

ମହାନିବୃତ୍ତି – ଚାକିରିରୁ ଇସ୍ତଫାର ସୁଅ

କୋଭିଡ ମହାମାରୀର ପ୍ରକୋପ କମିବା ପରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଆରମ୍ଭ କରିବା ମାତ୍ରେ ଆମେରିକାରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀଙ୍କ ଚାକିରିରୁ ଇସ୍ତଫାର ସୁଅ ଛୁଟିବାକୁ ଲାଗିଲା । ହଠାତ୍ ସଂଘଟିତ ଏହି ପ୍ରକରଣକୁ ଟେକ୍ସାସ ଏ ଆଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ କ୍ଲୋଜ ‘ଗ୍ରେଟ୍ ରେଜିଗନେସନ୍’ ଭାବେ ଅଭିହିତ କଲେ, ଯାହାକୁ ‘ମହାନିବୃତ୍ତି’ ବୋଲି କୁହାଯାଇପାରେ । କର୍ମଚାରୀମାନେ ସେମାନଙ୍କ ଜୀବିକା-ଯାତ୍ରା (କ୍ୟାରିଅର)ର ପୁନଃ ମୂଲ୍ୟାୟନ କରି ଏକକାଳୀନ ଏତେ ସଂଖ୍ୟାରେ ଇସ୍ତଫା ଦେବାର ନିଷ୍ପତ୍ତି ଗ୍ରହଣ କରୁଥିବାରୁ ତା’ର ବଡ ଧରଣର କୁପ୍ରଭାବ କମ୍ପାନୀଗୁଡିକ ଉପରେ ପଡିବାକୁ ଲାଗିଲା । ଏହି ପରିସ୍ଥିତି ଉତ୍ପନ୍ନ ହେବାର କାରଣ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପର୍ଯ୍ୟାଲୋଚନା କରାଯାଇପାରେ ।

ମହାମାରୀ ସମୟରେ ବ୍ୟାପକ ଲକଡାଉନ ଯୋଗୁଁ ଅଧିକାଂଶ କମ୍ପାନୀ କ୍ଷତିର ସମ୍ମୁଖୀନ ହେଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ତେବେ  ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଜୋଲଟସ୍ (ଜବ ଓପନିଙ୍ଗସ ଆଣ୍ଡ ଜବ ଟର୍ଣ୍ଣଓଭର ସର୍ଭେ) ରିପୋର୍ଟ ଅନୁଯାୟୀ ସେଠାରେ କୋଭିଡ ପ୍ରକୋପ କମିବା ପରେ ୨୦୨୧ରେ ମାସିକ ହାରାହାରି ୩୯.୮୦ ଲକ୍ଷ ଲୋକ ଚାକିରିରୁ ସ୍ୱତଃ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ସଂଖ୍ୟା ନଭେମ୍ୱରରେ ସର୍ବାଧିକ ୪୫.୩୦ ଲକ୍ଷ ହୋଇଥିଲା । ଫଳରେ ସେଠାରେ ୧.୧୩ କୋଟି ରିକ୍ତ ପଦ ସୃଷ୍ଟି ହୋଇ ଆମେରିକାର ଶ୍ରମ ବଜାରରେ ଏକ ଭିନ୍ନ ଧରଣର ଅସ୍ଥିରତାର ବାତାବରଣ ସୃଷ୍ଟି ହେଲା । ଇସ୍ତଫା ଦେଉଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାକ୍-କୋଭିଡ କାଳ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଛି । ମହାନିବୃତ୍ତି ଯୋଗୁଁ ଶ୍ରମର ଚାହିଦାରେ ଯଥେଷ୍ଟ ବୃଦ୍ଧି ଘଟିଛି ଓ କୁଶଳୀ ଓ ପ୍ରତିଭାସମ୍ପନ୍ନ ଶ୍ରମଶକ୍ତିକୁ ଆକୃଷ୍ଟ କରିବା ପାଇଁ ନିଯୁକ୍ତିଦାତାମାନେ ଅଧିକ ପାରିଶ୍ରମିକ ଦେବାକୁ ବାଧ୍ୟ ହେଉଛନ୍ତି ।  କିଛି କର୍ମଚାରୀ ଅନ୍ୟ କମ୍ପାନୀ ଦେଉଥିବା ଅଧିକ ଦରମା ଓ ଉନ୍ନତ ଚାକିରି ସର୍ତ୍ତାବଳୀରେ ଆକୃଷ୍ଟ ହୋଇ ଚାକିରିରୁ ଇସ୍ତଫା ଦେଉଛନ୍ତି । ଶ୍ରମ ବଜାରରେ ରିକ୍ତ ପଦ ସଂଖ୍ୟା ଅଧିକ ଥିବା ଯାଏଁ ଏହି ଧରଣର ମହାନିବୃତ୍ତି ଲାଗି ରହିଥିବ । 

ଏହି ମହାନିବୃତ୍ତି ପଛରେ ଅନେକ କାରଣ ଥିଲେ ମଧ୍ୟ ଗୋଟିଏ କଥା ସ୍ପଷ୍ଟ ଯେ କର୍ମଚାରୀମାନେ ଆଉ ସେମାନଙ୍କୁ ମିଳୁଥିବା ଦରମା ଓ ଚାକିରି ସର୍ତ୍ତାବଳୀରେ ସନ୍ତୁଷ୍ଟ ନୁହନ୍ତି । ଲୋକମାନେ ଯେ ଘରେ ବସି ରହିବା ଲାଗି ଚାକିରି ଛାଡି ଦେଉଛନ୍ତି, ତାହା ନୁହେଁ । ମହାମାରୀ ଅନେକ ଲୋକଙ୍କୁ ସେମାନଙ୍କ କାମ ଓ ଅଗ୍ରାଧିକାରଗୁଡିକର ପୁନଃ ମୂଲ୍ୟାୟନ କରି ସେମାନେ କ’ଣ କରିବାକୁ ଚାହାନ୍ତି ତାହା ସୁସ୍ଥ ମନରେ ଚିନ୍ତା କରିବା ଲାଗି ଅବକାଶ ସୃଷ୍ଟି କରିଛି । ତନ୍ମଧ୍ୟରେ କିଛି ଲୋକଙ୍କ ଭଲ ଚାକିରି ପାଇବା ଲାଗି ପ୍ରଚେଷ୍ଟା, ନିଜ ବ୍ୟବସାୟ ଆରମ୍ଭ କରିବାର ଆଗ୍ରହ, ପିଲାଙ୍କ ଯତ୍ନ ନେବା ବା ସେମାନଙ୍କ ସ୍କୁଲ ରୁଟିନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ଆଦି ଅନ୍ତର୍ଭୁକ୍ତ । ‘କାର୍ଯ୍ୟମୁକ୍ତ’ ଭାବେ ଯେ ଜୀବନ ଜୀଇଁ ହୁଏ, ତାହା ବି ଲକଡାଉନ ଯୋଗୁଁ ଅନେକେ ଶିଖିଗଲେ । ଫଳରେ ଚାକିରିକୁ ଅଧିକ ଗୁରୁତ୍ୱ ଦେଇ ନିଜ ନିଜ ସଉକକୁ ଅଣଦେଖା କରିଆସିଥିବା କିଛି ଲୋକ ସେଗୁଡିକୁ ଚରିତାର୍ଥ କରିବା ପାଇଁ ବି ମନୋନିବେଶ କରୁଛନ୍ତି । କିଛି ଲୋକଙ୍କ ନିକଟରେ ବେଶ ଭଲ ସଞ୍ଚୟ ଥିବାରୁ ସେମାନେ ସେମାନଙ୍କ ଚାକିରି ସମ୍ପର୍କରେ ପୁନର୍ବିବେଚନା କରିବାକୁ ସମର୍ଥ ହୋଇ ବିପଦ ମୁଣ୍ଡାଇବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି । କିଛି ଅର୍ଥନୀତିଜ୍ଞଙ୍କ ମତରେ ଆମେରିକାର ଆର୍ଥିକ ଗତିବିଧି ପ୍ରାଣବନ୍ତ ହେଉଥିବାର ପ୍ରତ୍ୟୟ ସୃଷ୍ଟି ହେଉଥିବାରୁ କିଛି ଲୋକ ରିସ୍କ ନେବାକୁ ପଛାଉନାହାନ୍ତି, ଯାହା ଦେଶର ଅର୍ଥନୀତି ପ୍ରତି ଶୁଭଙ୍କର ।    

ବେକାରୀ ସମସ୍ୟା ଉତ୍କଟ ଥିବା ଭାରତ ଭଳି ବିକାଶଶୀଳ ଦେଶରେ ଚାକିରିରୁ ଇସ୍ତଫା ଦେବା କଥା ଚିନ୍ତା କରିବାକୁ ଏକ ଦୁଃସାହସ ବୋଲି ଗ୍ରହଣ କରାଯାଉଥିବାରୁ ମହାନିବୃତ୍ତି ଏକ ସମସ୍ୟାର ରୂପ ଧାରଣ କରିବା ଆଶଙ୍କା କ୍ଷୀଣ । ଅନ୍ୟ ପକ୍ଷରେ ଭାରତରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଧିକାଂଶ ବିକଶିତ ଦେଶ ତୁଳନାରେ ଉନ୍ନତ ଓ ଶକ୍ତିଶାଳୀ ନୁହେଁ । ଉଦାହରଣ ସ୍ୱରୂପ, ଆମେରିକାରେ ଜାନୁଆରୀ ୨୦୨୨ରେ ମୁଣ୍ଡପିଛା ହାରାହାରି ମାସିକ ସାମାଜିକ ସୁରକ୍ଷା ରାଶି ୧୬୫୭ ଡଲାର ବା ପ୍ରାୟ ୧.୨୪ ଲକ୍ଷ ଟଙ୍କା ମିଳୁଥିଲା ବେଳେ ଜଣେ କର୍ମଚାରୀ ସମ୍ପୂର୍ଣ୍ଣ ଚାକିରି ଅବଧି ପୂରଣ କରି ଅବସର ଗ୍ରହଣ କରିଥିଲେ ତାଙ୍କୁ ସର୍ବୋଚ୍ଚ ମାସିକ ୩୩୪୫ ଡଲାର ବା ପ୍ରାୟ ୨.୫୦ ଲକ୍ଷ ଟଙ୍କା ମିଳିଥାଏ । ଅବଶ୍ୟ କାର୍ଯ୍ୟକାଳ ପୂରିବା ଆଗରୁ ଚାକିରି ଛାଡି ଦେଲେ ଏହି ରାଶି କମ ମିଳୁଥିଲେ ବି ସାଧାରଣ ଭାବେ ଜୀବନଯାପନ କରିବାକୁ ତାହା ଯଥେଷ୍ଟ ହୋଇଥାଏ । ଭାରତରେ ଘରେ ବସି ରହି ଏତେ ପରିମାଣର ସହାୟତା ରାଶି ମିଳିବା କଳ୍ପନାତୀତ । ଅଧିକନ୍ତୁ ଭାରତ ତୁଳନାରେ ବିକଶିତ ଦେଶମାନଙ୍କରେ ମୁଣ୍ଡପିଛା ଆୟ ଯଥେଷ୍ଟ ଅଧିକ ହୋଇଥିବାରୁ ସେଠାରେ କର୍ମଚାରୀମାନେ ଚାକିରି କାଳରେ ଯଥେଷ୍ଟ ରାଶି ସଞ୍ଚୟ କରିବାକୁ ସମର୍ଥ ହୁଅନ୍ତି । ଭାରତରେ କର୍ମଚାରୀମାନଙ୍କ ରୋଜଗାର ପ୍ରାୟତଃ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ନିଅଣ୍ଟ ହେଉଥିବାରୁ ସଞ୍ଚୟ ପାଇଁ ରାଶି ବଳକା ରହି ନ ଥାଏ । ଚାକିରିରୁ ଇସ୍ତଫା ଦେବାର ବିଳାସିତା ସେମାନଙ୍କ ନିକଟରେ ଉପଲବ୍ଧ ନ ଥିବାରୁ ସେମାନେ ନିଜ ହତାଶାକୁ ମନ ଭିତରେ ଚାପି ରଖିବାକୁ ଉଚିତ ମନେ କରନ୍ତି । ଅବଶ୍ୟ ଭାରତର ଶ୍ରମଶକ୍ତିର ଏକ ନିର୍ଦ୍ଦିଷ୍ଟ ବର୍ଗ ମଧ୍ୟରେ ଏବେ ଏକ ଭିନ୍ନ ଧରଣର ଅସ୍ଥିରତା ପରିଲକ୍ଷିତ ହେଉଛି । ପ୍ରବଳ କାମ ଚାପ ଯୋଗୁଁ ଗତ ନଅ ମାସ ମଧ୍ୟରେ ରେଳବାଇରୁ ୭୭ ଜଣ ବରିଷ୍ଠ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ତା’ର ଏକ ଉଦାହରଣ ମାତ୍ର । କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ଓ କ୍ଷେତ୍ରରେ କର୍ମଚାରୀଙ୍କ ଚାକିରୀରୁ ଇସ୍ତଫା ହାର ଅପେକ୍ଷାକୃତ ଅଧିକ ହୋଇଛି । ‘ଆଇଟି’ ବା ‘ଟେକ୍’ କମ୍ପାନୀଗୁଡିକ କ୍ଷେତ୍ରରେ ଏହା ସର୍ବାଧିକ । ଭାରତରେ ଶୈଶବାବସ୍ଥାରେ ଥିବା ଷ୍ଟାର୍ଟ ଅପ୍ ପରିମଣ୍ଡଳର ଦ୍ରୁତ ଅଭିବୃଦ୍ଧି ଯୋଗୁଁ କିଛି କର୍ମଚାରୀ ସେଥିପ୍ରତି ଆକୃଷ୍ଟ ହୋଇ ବା ଅନ୍ୟ କେଉଁ କମ୍ପାନୀରେ ଅଧିକ ବେତନ ଓ ସୁବିଧା ସୁଯୋଗର ଅବକାଶ ପାଇ ଚାକିରି ଛାଡୁଥିଲେ ବି ସେମାନଙ୍କ ପ୍ରତିଶତ ନଗଣ୍ୟ । ଏହି କର୍ମଚାରୀମାନେ ମୁଖ୍ୟତଃ ଉଚ୍ଚ ବେତନଭୋଗୀ, ଯେଉଁମାନଙ୍କ ପାଇଁ ଆହୁରି ଅଧିକ ଆୟର ଆଶାରେ ଚାକିରି ଛାଡି ନୂଆ କିଛି କରିବାର ବିପଦ ମୁଣ୍ଡାଇବାର ପ୍ରବଣତା ଓ ସାମର୍ଥ୍ୟ ଅଧିକ ଥାଏ । ତାହା ସେମାନଙ୍କ ଦୈନନ୍ଦିନ ଚଳଣିକୁ ବିପଦଗ୍ରସ୍ତ କରି ନ ଥାଏ । ଏମାନଙ୍କୁ ଅଟକାଇ ରଖିବା ପାଇଁ ଆଇଟି ଓ ଟେକ୍ କମ୍ପାନୀଗୁଡିକ ଦରମା ବଢାଇବାଠାରୁ ଆରମ୍ଭ କରି କମ୍ପାନୀର ଅଂଶଧନ (ସେୟାର) ପ୍ରଦାନ ଓ ଅନ୍ୟାନ୍ୟ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି, କାରଣ ଅନ୍ତର୍ଜାତାୟ ସ୍ତରରେ ସେହି ଧରଣର କର୍ମଚାରୀଙ୍କ ଦରମା ଓ ଚାକିରି ସୁବିଧାମାନ ଆନୁପାତିକ ଭାବେ ଯଥେଷ୍ଟ ବୃଦ୍ଧି ପାଇସାରିଛି । ଅନ୍ୟ ପକ୍ଷରେ ଅନ୍ୟାନ୍ୟ କମ୍ପାନୀଗୁଡିକରେ ଓ ନିମ୍ନ ବେତନଭୋଗୀ କର୍ମଚାରୀଙ୍କ ଆଡୁ ଚାକିରି ଛାଡି ଯିବାର ଭୟ ଅନୁଭୂତ ହେଉ ନ ଥିବାରୁ ସେମାନଙ୍କ ଦରମା ବଢାଇବା ବା ଚାକିରି ସର୍ତ୍ତାବଳୀରେ ସୁଧାର ଆଣିବା ପାଇଁ ଅନୁକମ୍ପା ପ୍ରଦର୍ଶନ ହେବା ପରିଲକ୍ଷିତ ହେଉନାହିଁ । ତେବେ ନିମ୍ନ ବେତନଭୋଗୀ କର୍ମଚାରୀମାନେ ସେମାନଙ୍କ ଦକ୍ଷତାକୁ ବଢାଇ ଅଧିକ କୁଶଳୀ ହେଲେ ଓ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ସ୍ୱଚ୍ଛଳ ହେଲେ ସେମାନେ ମଧ୍ୟ ନିଜ ରୋଜଗାର ବଢାଇବା ଲାଗି ଚାକିରି ଛାଡି କମ୍ପାନୀ ବଦଳାଇବାର ବିପଦକୁ ମୁଣ୍ଡାଇପାରନ୍ତି । ଭାରତରେ ମଧ୍ୟ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ନିମ୍ନ ବେତନଭୋଗୀ କର୍ମଚାରୀଙ୍କ ମଧ୍ୟରେ ଘନଘନ କମ୍ପାନୀ ବଦଳାଇବାର ପ୍ରବୃତ୍ତି ପରିଲକ୍ଷିତ ହେଉଛି । କର୍ମଚାରୀମାନେ ଅଧିକ କୁଶଳୀ ହୋଇ କମ୍ପାନୀଙ୍କ ପାଇଁ ଅପରିହାର୍ଯ୍ୟ ସାବ୍ୟସ୍ତ ହେଲେ ସେମାନଙ୍କଠାରେ ଚାକିରି ବଦଳାଇବାର ପ୍ରବଣତା ଅଧିକ ବୃଦ୍ଧି ପାଇବ । ସେତେବେଳେ ସେମାନଙ୍କୁ ଧରି ରଖିବା ପାଇଁ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଚାକିରି ସର୍ତ୍ତାବଳୀକୁ ଅଧିକ ଆକର୍ଷଣୀୟ କରିବାକୁ ପଛାଇବେ ନାହିଁ ।

ଶିଳ୍ପ ବିପ୍ଲବ ପରେ ମାଲିକ-ଶ୍ରମିକ ମଧ୍ୟରେ ସମ୍ପର୍କ ଦୀର୍ଘଦିନ ଧରି ଗତାନୁଗତିକ ଭାବେ ଗୋଟିଏ ଧାରାରେ ଚାଲି ଆସିଥିବା ବେଳେ ଏଇ କିଛି ବର୍ଷ ମଧ୍ୟରେ ତାହା ତିନିଟି ପର୍ଯ୍ୟାୟରେ ଗତି କରି ସେଥିରେ ପରିବର୍ତ୍ତନ ପରିଲକ୍ଷିତ ହେଲାଣି । ପ୍ରାଥମିକ ପର୍ଯ୍ୟାୟର ଶିଳ୍ପ ବିପ୍ଳବରେ ଶ୍ରମିକ ବା କର୍ମଚାରୀଙ୍କ ପାଇଁ ଚାକିରି ଖଣ୍ଡିଏ ପାଇବା ହିଁ ଥିଲା ସବୁ କିଛି, କାରଣ ତାହା ହିଁ ସେମାନଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଥିଲା ଜରୁରୀ । ମାଲିକ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ମଧ୍ୟ ‘ମାଲିକ ହିଁ ସବୁବେଳେ ଠିକ୍’ ସିଦ୍ଧାନ୍ତକୁ ଗ୍ରହଣ କରି ସେମାନେ ନିଜେ ଚାକିରି ଛାଡିବା କଥା ମନକୁ ଆଣୁ ନ ଥିଲେ । ଥରେ ଜଣେ ଗୋଟିଏ ଚାକିରିରେ ଭର୍ତ୍ତି ହୋଇଗଲେ ଅବସର ନେବା ପର୍ଯ୍ୟନ୍ତ ଚାକିରି ଛାଡି ଅନ୍ୟ କେଉଁଠିକୁ ଯିବା କଥା ଆଉ ମନକୁ ଆଣୁ ନ ଥିଲେ । ଅନେକେ ଏହାକୁ ସେମାନଙ୍କର କମ୍ପାନୀ ପ୍ରତି ଆନୁଗତ୍ୟ ବୋଲି କହୁଥିଲେ ବି ସେମାନଙ୍କ ମଧ୍ୟରେ ଥିବା ଅସୁରକ୍ଷାର ଭାବନା ଓ ବିକଳ୍ପହୀନତା ସେମାନଙ୍କୁ ଏପରି ଆଚରଣ କରିବାକୁ ଏକ ପ୍ରକାର ବାଧ୍ୟ କରୁଥିଲା । ସୂଚନା ବିପ୍ଳବର ଦ୍ୱିତୀୟ ପର୍ଯ୍ୟାୟରେ କର୍ମଚାରୀଟିଏ ଆଉ କେବଳ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଚାକିରୀ କଲାନାହିଁ । ବରଂ ଜୀବନଧାରଣର ମାନ (ଷ୍ଟାଣ୍ଡାର୍ଡ ଅଫ ଲିଭିଙ୍ଗ) ବୃଦ୍ଧି ଲାଗି ଚାକିରୀ କରିବା ତା’ର ପ୍ରାଥମିକତାର ଅଂଶବିଶେଷ ହେଲା । ବର୍ତ୍ତମାନ ଚାଲିଥିବା ତୃତୀୟ ପର୍ଯ୍ୟାୟର ଡିଜିଟାଲ ବିପ୍ଳବରେ ସାମାଜିକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାରୁ କର୍ମଚାରୀଟିଏ ଏବେ ଜୀବନର ମାନ (କ୍ୱାଲିଟି ଅଫ ଲାଇଫ) ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲାଣି । ଏଥି ପୂର୍ବରୁ କେହି ଗୋଟିଏ ସଂସ୍ଥାରେ ଚାକିରି କଲେ ସେ ଦିନର ଚବିଶ ଘଣ୍ଟା ଲାଗି ସେହି ସଂସ୍ଥାର କର୍ମଚାରୀ ବୋଲି ଧରି ନିଆଯାଉଥିଲା । ଅର୍ଥାତ୍ ତା’ର ବ୍ୟକ୍ତିଗତ ଜୀବନ, ସଉକ ଇତ୍ୟାଦି ସଂସ୍ଥାର ଆବଶ୍ୟକତା ଆଗରେ ଗୌଣ ହୋଇଯାଉଥିଲା । ବର୍ତ୍ତମାନ ସେଥିରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଛି । ସେମାନେ ଆଉ ସଂସ୍ଥାର ଚବିଶ ଘଣ୍ଟିଆ କର୍ମଚାରୀ ଭାବେ ପରିଗଣିତ ହୋଇ ଚାପଗ୍ରସ୍ତ ହେବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଚାକିରି ସହିତ, ସେମାନଙ୍କ ପାରିବାରିକ ଓ ସାମାଜିକ ଜୀବନକୁ ଗୁରୁତ୍ୱ ଦେଲେଣି ଓ ଏଯାବତ୍ ଅଣଦେଖା କରି ଆସିଥିବା ବ୍ୟକ୍ତିଗତ ସଉକକୁ ଚରିତାର୍ଥ କରିବା ଲାଗି ତତ୍ପର ହେଲେଣି । ଅନେକଙ୍କ କ୍ଷେତ୍ରରେ କୋଭିଡ ସମୟରେ ଘରେ ରହି କାମ କଲା ବେଳେ ସେମାନଙ୍କର ଏହି ଉପଲବ୍ଧି  ଚରମରେ ପହଞ୍ଚିସାରିଛି । କର୍ମଚାରୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ପୂରଣ କରିବା ଲାଗି ନମନୀୟତା ପ୍ରଦର୍ଶନ କରିବା ବ୍ୟତୀତ କମ୍ପାନୀଗୁଡିକଙ୍କ ନିକଟରେ ଅନ୍ୟ ବିକଳ୍ପ ଥିଲା ପରି ଜଣାପଡୁନାହିଁ । ଆଗାମୀ ଦିନରେ ଭାରତରେ ନିମ୍ନ ବେତନଭୋଗୀଙ୍କ ମଧ୍ୟରେ ଏହି ଉପଲବ୍ଧି ବୃଦ୍ଧି ପାଇଲେ ଚାକିରି ଛାଡିବା ହୁଏତ ସାଧାରଣରେ ପରିଣତ ହୋଇପାରେ ।       

ଆମେରିକାରେ ‘ମହାନିବୃତ୍ତି ପ୍ରକରଣ’ଟି ବିପୁଳ ସମ୍ପତ୍ତି (ନେଟୱର୍ଥ) ଥିବା ବଡ ବଡ କମ୍ପାନୀଗୁଡିକୁ ମଧ୍ୟ ମାନବ ସମ୍ୱଳର ସୁପରିଚାଳନା ନେଇ ଚିନ୍ତିତ କରି ସେମାନଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ କାର୍ୟ୍ୟ କରିଛି । ଯେ କୌଣସି କମ୍ପାନୀର ଅଗ୍ରଗତିରେ କୁଶଳୀ ଓ ପ୍ରତିଭାସମ୍ପନ୍ନ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଧରି ରଖିବା କମ୍ପାନୀ ପାଇଁ ଜରୁରୀ ହୋଇପଡେ । ସେଭଳି କର୍ମଚାରୀଙ୍କ ନିକଟରେ ସୁଯୋଗର ଅଭାବ ନ ଥିବାରୁ କମ୍ପାନୀ ପ୍ରତି କର୍ମଚାରୀଙ୍କ ଆନୁଗତ୍ୟକୁ ଆଉ ହାଲୁକାରେ ଧରି ନେଇ ହେବନାହିଁ । କର୍ମଚାରୀଙ୍କ ଦରମା ଓ ଚାକିରି ସର୍ତ୍ତାବଳୀକୁ ଯଦି ଆକର୍ଷଣୀୟ ଓ ନମନୀୟ କରି ରଖା ନ ଯାଏ ତେବେ କୁଶଳୀ କର୍ମଚାରୀଟିଏ ଚାକିରି ଛାଡିବା ନିଷ୍ପତ୍ତି ନେଇଯାଇପାରେ । ଏକକାଳୀନ ବହୁ ସଂଖ୍ୟାରେ କର୍ମଚାରୀ ଚାକିରି ଛାଡିବାକୁ ଆଗେଇ ଆସିଲେ ତାହା ମହାନିବୃତ୍ତିର ରୂପ ଧାରଣ କରି ନିର୍ଦ୍ଦିଷ୍ଟ କମ୍ପାନୀ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ଆମେରିକାର ମହାନିବୃତ୍ତି ପ୍ରକରଣରୁ ଶିକ୍ଷାଲାଭ କରି କର୍ମଚାରୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ନମନୀୟତା ପ୍ରଦର୍ଶନ କଲେ ଭବିଷ୍ୟତରେ ହୁଏତ ଭାରତରେ ମହାନିବୃତ୍ତି ପ୍ରକରଣ ଦେହରାଯିବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ।         

 

(Published in Sambad on April 20, 2004

Comments

  1. ପ୍ରଣାମ୍ ସାର୍ ଏହା ଏକ ନୂତନ ବିଲକ୍ଷଣ ମାତ୍ର ଏହା ଆମେରିକା ଧଳି ବିକଶିତ ରାଷ୍ଟ୍ର ରେ ଆପଣ ଯାହା ଉଲ୍ଲେଖ କରିଛନ୍ତି ଯେ ସେଠାରେ ସାମାଜିକ ସୁରକ୍ଷା ନିମନ୍ତେ ମିଳୁଥିବା ଅର୍ଥରାଶି ଯୋଗୁଁ ଏହା ସଂଭବ ମାତ୍ର ଭାରତ ଭଳି ବିକାଶମୁଖୀ ରାଷ୍ଟ୍ର ରେ ଏଭଳି ସଂଭାବନା ଦେଖାଦେବାର ଆଶଙ୍କା ଥିବା ଭଳି ମନେ ହୁଏନା ା ଆଲେଖ୍ୟ ଟି ଯୁଗୋପଯୋଗୀ ା ଆନ୍ତରିକ ଧନ୍ୟବାଦ୍

    ReplyDelete
  2. ଭାରତୀୟ ଶିଳ୍ପ ମାନଙ୍କରେ ଏପରି ସମ୍ଭାବନା ଆଗତ ହେଲେ ଏକ ସ୍ୱଚ୍ଛନ୍ଦ ଅର୍ଥନୀତି ବ୍ୟବସ୍ଥାର ପରିଚୟ ମିଳିବ. ବର୍ତ୍ତମାନ ଏହା ସୁଦୂର ପରାହତ ମନେ ହେଲେବି ସମୟ କ୍ରମେ ଏପରି ପରିସ୍ଥିତି ଆସିବା ଅସମ୍ଭବ ନୁହେଁ. ବିଜ୍ଞ ଆଲୋଚନା ପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି. ନମସ୍କାର....

    ReplyDelete
  3. Congrats. A thought provoking article.

    ReplyDelete
  4. ଆଲେଖ୍ୟ ଟି ଭଲ ଲାଗିଲା ।

    ReplyDelete
  5. ଧନ୍ୟବାଦ ମାଡାମ ।

    ReplyDelete
  6. Great article written. The unemployment insurance or the social security amount of 1700 dollars per month approx is huge. Can there be a chance that thus amount is the minimum amount required for living in America? Are they able to save anything? In india a monthly 20000 salary is considered to be median. What amount is the equivalent amount in india? Please make some analysis

    ReplyDelete
  7. What happens in US today, will surely happen in our country after a few years. There is always a time lag. Gone are the days, when the Industry owners will call the shots. Quality skilled manpower is required for any enterprise to succeed. Hence, the interest of the workforce in the industry cannot be overlooked. A futuristic visionary blog. Thanks. T Maharana

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍