କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ନାମ ଯେତେବେଳେ ୧୯୧୩ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷିତ ହେଲା ସେତେବେଳେ ପଶ୍ଚିମା ଦୁନିଆରେ ଏହି ସ୍ୱଳ୍ୱ ପରିଚିତ ଭାରତୀୟ କବିଙ୍କ ଏ ଭଳି ଏକ ସମ୍ମାନଜନକ ପୁରସ୍କାର ଲାଭରେ ବିଶ୍ୱବାସୀ କେବଳ ବିସ୍ମିତ ହୋଇ ନ ଥିଲେ ବରଂ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କାରଣ ୫୨ ବର୍ଷୀୟ ଏହି ନୋବେଲ ବିଜେତା ନୋବେଲ ପୁରସ୍କାର ପାଇଥିବା କେବଳ ପ୍ରଥମ ଭାରତୀୟ ନ ଥିଲେ ବରଂ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଅଣ-ୟୁରୋପୀୟ ମଧ୍ୟ ଥିଲେ । ତେବେ ତାଙ୍କର ଏହି ନୋବେଲ ପୁରସ୍କାର ପ୍ରାପ୍ତି ପଛର ଘଟଣାବଳୀ କିଛି କମ ରୋମାଞ୍ଚକର ନ ଥିଲା । ୧୯୧୨ ମସିହାର କଥା । ଶାନ୍ତି ନିକେତନ ଓ ଅନ୍ୟାନ୍ୟ କାର୍ୟ୍ୟରେ ଅତ୍ୟଧିକ ବ୍ୟସ୍ତ ରହିବା ଯୋଗୁ ତା’ର ପ୍ରତିକୂଳ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଲାଗିଲା । ଡାକ୍ତରମାନେ ତାଙ୍କୁ ଜଳବାୟୁ ପରିବର୍ତ୍ତନ କରି ତାଙ୍କ ଭଗ୍ନ ସ୍ୱାସ୍ଥ୍ୟ ଫେରି ପାଇବା ଲାଗି କିଛି ଦିନ ୟୁରୋପରେ କଟାଇ ଆସିବାକୁ ପରାମର୍ଶ ଦେଲେ । ତଦନୁସାରେ ସେ ମେ’ ୧୯୧୨ରେ ଜାହାଜରେ ଇଂଲଣ୍ଡ ଅଭିମୁଖେ ପ୍ରସ୍ଥାନ କଲେ । ଜଳବାୟୁ ପରିବର୍ତ୍ତନ କରି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଉଦ୍ଦିଷ୍ଟ ଏହି ଯାତ୍ରା ତାଙ୍କୁ ନୋବେଲ ପୁରସ୍କାର ହାସଲ କରିବାରେ ସହାୟକ ହେବା ସହ ଏକ ପ୍ରକାର ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ କରି ତାଙ୍କୁ ବିଶ୍ୱବନ୍ଦିତ କରି ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସାହିତ୍ୟର ପ୍ରାୟ ପ୍ରତ୍ୟେକଟି ବିଭାଗରେ ରବୀନ୍ଦ୍ରନାଥ ଠାକୁର ତାଙ୍କ କଲମ ଚାଳନା କରିଥିଲେ । ସେ ଅନେକ କବିତା, କ୍ଷୁଦ୍ରଗଳ୍ପ, ନାଟକର ରଚୟିତା ହୋଇଥିଲେ ବି ତାଙ୍କର ପରିଚୟ ମୂଳତଃ ଜଣେ ଅନନ୍ୟ କବି ଭାବେ । ତାଙ୍କର ଅନବଦ୍ୟ ସୃଷ୍ଟି ‘ଗୀତାଞ୍ଜଳି’ ରଚନା ହେବା ପୂର୍ବରୁ ସେ ଯେଉଁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରିଥିଲେ ତାହା ତାଙ୍କୁ ହୁଏତ ଜୀବନର ସଂଜ୍ଞା ନୂଆ କରି ବୁଝିବାରେ ସାହାଯ୍ୟ କରିଥିଲା ଓ ତାହା ହିଁ ସେହି କବିତାଗୁଡିକରେ ପ୍ରତିଫଳିତ ହୋଇଥିଲା । ରବୀନ୍ଦ୍ରନାଥ ତାଙ୍କର ମାତ୍ର ୨୯ ବର୍ଷ ବୟସ୍କା ପତ୍ନୀ ମୃଣାଳିନୀ ଦେବୀଙ୍କୁ ୧୯୦୨ ମସିହାରେ ହରାଇବା ପରେ ତାଙ୍କ ଝିଅ ରେଣୁକାର ବି ସେହି ବର୍ଷ ଦେହାନ୍ତ ହେଲା । ତାଙ୍କ ବାପା ଦେବେନ୍ଦ୍ରନାଥ ଠାକୁର ମଧ୍ୟ ୧୯୦୫ରେ ଦେହତ୍ୟାଗ କରିଥିଲେ । ଠିକ ଦୁଇ ବର୍ଷ ପରେ ୧୯୦୭ରେ ତାଙ୍କର ସାନ ପୁଅ ଶମୀନ୍ଦ୍ରନାଥର ହଇଜା ରୋଗରେ ନିଧନ ହେଲା ପରେ ସତେ ଯେମିତି ଦୁଃଖର ପାହାଡ ତାଙ୍କ ଉପରେ ଅଜାଡି ହୋଇ ପଡିଥିଲା । ପରିବାରରେ ଜଣକ ପରେ ଜଣେ ନିଜ ଲୋକର ଦେହାବସାନ ସତ୍ତ୍ୱେ ସେ ଶାନ୍ତ ରହିଥିଲେ ଓ ତାଙ୍କ ବେଦନା ଯେତେ ଅଧିକ ହୋଇଥିଲେ ବି ସେ ତାଙ୍କ ଅନ୍ତରର ଶାନ୍ତିକୁ ଅନ୍ତର୍ହିତ ହେବାକୁ ଦେଇ ନ ଥିଲେ । ଏହି ବେଦନାସିକ୍ତ ପୃଷ୍ଠଭୂମିରେ ଲିଖିତ ‘ଗୀତାଞ୍ଜଳି’ ହିଁ ତାଙ୍କ ଆଭ୍ୟନ୍ତରୀଣ ଶାନ୍ତିକୁ ଖୋଜିବା ଲାଗି ଏକ ପ୍ରୟାସ ଥିଲା । ବଙ୍ଗଳା ଭାଷାରେ ‘ଗୀତାଞ୍ଜଳି’ ପୁସ୍ତକଟି ଅଗଷ୍ଟ ୧୯୧୦ରେ ପ୍ରକାଶ ପାଇଥିଲା ଓ ଏଥିରେ ୧୫୭ଟି କବିତା ଥିଲା । ଦୀର୍ଘ ଦିନ ପରେ ସେ ତାଙ୍କର କିଛି କବିତାର ଇଂରାଜୀରେ ଅନୁବାଦ କରିବାକୁ ସ୍ଥିର କଲେ । ରବୀନ୍ଦ୍ରନାଥ ତାଙ୍କ ଝିଆରୀ ଇନ୍ଦିରା ଦେବୀ ଚୌଧୁରାଣୀଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ ଯେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ଇଂଲଣ୍ଡ ଉଦ୍ଦେଶ୍ୟରେ ପ୍ରସ୍ଥାନ ବିଳମ୍ୱିତ ହୋଇଥିଲା ଓ ସେ ମାର୍ଚ୍ଚ ୧୯୧୨ରେ ତାଙ୍କର କିଛି କବିତାର ଇଂରାଜୀ ଅନୁବାଦ କରିବା ଆରମ୍ଭ କରିଥିଲେ । ଅନୁବାଦ କରିବାର କାରଣ ସମ୍ପର୍କରେ ସେ ଲେଖିଛନ୍ତି, “ସେହି ଭାବ ଓ ଅନୁଭବ ଯାହା ଅତୀତରେ ମୋ’ ଅନ୍ତରରେ ଆନନ୍ଦର ଉତ୍ସବ ସୃଷ୍ଟି କରିଥିଲା, ତାକୁ ଅନ୍ୟ ଏକ ଭାଷା ମାଧ୍ୟମରେ ବାନ୍ଧି ରଖିବାର ଅଦମ୍ୟ ଇଚ୍ଛା ମୋ’ ଭିତରେ ପୁଣି ଥରେ ଜାଗ୍ରତ ହେଲା ।“ ମେ’ ୧୯୧୨ରେ ଇଂଲଣ୍ଡ ଉଦ୍ଦେଶ୍ୟରେ ଜାହାଜରେ ଯାତ୍ରା କରିବା ପରଠାରୁ ପ୍ରାୟ ମାସେ ଧରି ସେ ଗଭୀର ଚିନ୍ତନ ଓ ମନନରେ ନିମଜ୍ଜିତ ରହିବା ସହ ଅନୁବାଦ କାର୍ୟ୍ୟରେ ସମ୍ପୂର୍ଣ୍ଣ ନିମଗ୍ନ ରହିଲେ ।
ରବୀନ୍ଦ୍ରନାଥଙ୍କ ନୋବେଲ ପୁରସ୍କାର ପାଇବା ପଛରେ ଇଂଲଣ୍ଡର ଉଇଲିୟମ ରଥେନଷ୍ଟାଇନଙ୍କର ଭୂମିକା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଜଣେ ଉଚ୍ଚକୋଟୀର କଳା ସମାଲୋଚକ, କଳା ପ୍ରଶାସକ ଓ ଚିତ୍ରକର ଥିଲେ । ଲିଥୋଗ୍ରାଫି ପୋର୍ଟ୍ରେଟ ଚିତ୍ରକର ଭାବେ ତାଙ୍କର ବେଶ ସୁନାମ ଥିଲା । ରଥେନଷ୍ଟାଇନ ୧୯୧୦ରେ ଭାରତକୁ ଆସିଥିବା ବେଳେ ‘ମଡର୍ଣ୍ଣ ରିଭିୟୁ’ ପତ୍ରିକାରେ ରବୀନ୍ଦ୍ରନାଥଙ୍କ ଏକ ଗପର ଅନୁବାଦ ପଢି ତାଙ୍କ ରଚନା ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ହୋଇ ପଡିଥିଲେ । ତାଙ୍କ ନିକଟରେ ଏକ ଏକସରସାଇଜ ଖାତାରେ ଅଜିତ ଚକ୍ରବର୍ତ୍ତୀ ନାମକ ଜଣେ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ରବୀନ୍ଦ୍ରନାଥଙ୍କ କିଛି କବିତାର ଇଂରାଜୀ ଅନୁବାଦ ଆସି ପହଞ୍ଚିଥିଲା, ଯାହାକୁ ପଢି ସେ କବିତାଗୁଡିକର ରହସ୍ୟମୟତାରେ ଅଭିଭୂତ ହୋଇ ଯାଇଥିଲେ । ଲଣ୍ଡନକୁ ଫେରିବା ପରେ ତାଙ୍କର ପ୍ରମତ୍ତ ଲାଲ ସେନ ଓ ଡଃ ବ୍ରଜେନ୍ଦ୍ରନାଥ ସିଲ ନାମକ ଦୁଇ ଜଣ ବଙ୍ଗାଳୀ ଭଦ୍ରଲୋକଙ୍କ ସହ ଘନିଷ୍ଠତା ବଢିଥିଲା ଓ ସେମାନଙ୍କଠାରୁ ସେ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଅଧିକ ଜାଣିଥିଲେ । ସେମାନଙ୍କର ରବୀନ୍ଦ୍ରନାଥଙ୍କ ସହ ଭଲ ପରିଚୟ ଥିବାରୁ ସେମାନେ ତାଙ୍କୁ ତୁରନ୍ତ ଲଣ୍ଡନ ଆସିବାକୁ ଏକ ପ୍ରକାର ବାଧ୍ୟ କରି ଚିଠି ଲେଖିଥିଲେ । ରବୀନ୍ଦ୍ରନାଥ ଜୁନ ୧୯୧୨ରେ ଲଣ୍ଡନରେ ପହଞ୍ଚିବା ପରେ ଦିନେ ସେହି ଦୁଇ ବନ୍ଧୁ ଓ ତାଙ୍କ ପୁଅକୁ ସାଙ୍ଗରେ ଧରି ରଥେନଷ୍ଟାଇନଙ୍କ ବାସଭବନରେ ହାଜର ହେଲେ । ରଥେନଷ୍ଟାଇନଙ୍କ ହାତକୁ ଏକ ନୋଟ ଖାତା ବଢାଇ ଦେଇ ତାକୁ ଗ୍ରହଣ କରିବାକୁ ସେ ଅନୁରୋଧ କଲେ । ସେଥିରେ ଥିଲା ଭାରତରୁ ଜାହାଜରେ ଆସିବା ବେଳେ ସେ ଅନୁବାଦ କରିଥିବା ତାଙ୍କର କିଛି କବିତା । କବିତାଗୁଡିକୁ ପଢିଲା ପରେ ରଥେନଷ୍ଟାଇନ ବୁଝି ପାରିଥିଲେ ଯେ ସେଗୁଡିକ ସାଧାରଣ କବିତା ନୁହେଁ, ବରଂ ଏକ ଭିନ୍ନ ଧରଣର ଉଚ୍ଚ ସ୍ତରର କବିତା ଯାହା କେବଳ ଜଣେ ମହାନ ରହସ୍ୟବାଦୀ ଦ୍ୱାରା ଲେଖାହେବା ସମ୍ଭବ । ପ୍ରଖ୍ୟାତ ସାହିତ୍ୟ ସମାଲୋଚକ ଆଣ୍ଡ୍ରିଉ ବ୍ରାଡଲେଙ୍କୁ ସେ କବିତାଗୁଡିକୁ ଦେଖାଇଲେ ଓ କବିତାଗୁଡିକୁ ପଢିଲା ପରେ ବ୍ରାଡଲେ କହିଥିଲେ, “ଜଣାପଡୁଛି ଯେମିତି ଆମେ ଶେଷରେ ପୁଣି ଥରେ ଜଣେ କବିଙ୍କୁ ଖୋଜି ପାଇଛେ ।“ ସେଗୁଡିକୁ ଟାଇପ କରାଇ ସେ ପ୍ରସିଦ୍ଧ କବି ଉଇଲିୟମ ବଟଲର ୟିଟସ୍ ଓ ସମାଲୋଚକ ଷ୍ଟପଫୋର୍ଡ ବ୍ରୋକଙ୍କ ନିକଟକୁ ବି ପଠାଇଥିଲେ । କବିତାଗୁଡିକ ସେମାନଙ୍କ ଦ୍ୱାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ଜୁନ ୩୦, ୧୯୧୨ରେ ରଥେନଷ୍ଟାଇନଙ୍କ ହାମ୍ପଷ୍ଟେଡସ୍ଥିତ ବାସଭବନରେ ରବୀନ୍ଦ୍ରନାଥଙ୍କ ଦ୍ୱାରା ତାଙ୍କ କବିତା ଆବୃତ୍ତି ଲାଗି ଏକ ଆସରର ଆୟୋଜନ କରାଯାଇଥିଲା, ଯେଉଁଠି ଆର୍ନେଷ୍ଟ ରିସ, ଚାର୍ଲସ ଟ୍ରେଭେଲ୍ୟାନ, ସି ଏଫ ଆଣ୍ଡ୍ରିଉଜଙ୍କ ପରି ଅଳ୍ପସଂଖ୍ୟକ ଗଣ୍ୟମାନ୍ୟ କବି ଓ ବିଦ୍ୱାନ ଉପସ୍ଥିତ ଥିଲେ । ସେହି ସଭାରେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଆମେରିକୀୟ କବି ଏଜରା ପାଉଣ୍ଡ, ଯିଏ ସେ ସମୟରେ ଚର୍ଚ୍ଚିତ ‘ପୋଏଟ୍ରି ପତ୍ରିକାର ଲଣ୍ଡନ ପ୍ରତିନିଧି ରୂପେ କାର୍ୟ୍ୟ କରୁଥିଲେ । ପାଉଣ୍ଡ ମତ ଦେଇଥିଲେ, “ଏଇ ଶୀତ ଋତୁରେ ରବୀନ୍ଦ୍ରନାଥଙ୍କ କବିତା ଚହଳ ପକାଇବ” । ଆମେରିକାରେ ରବୀନ୍ଦ୍ରନାଥଙ୍କ କବିତା ପ୍ରଥମେ ତାଙ୍କ ପତ୍ରିକାରେ ଛପା ହେଉ ବୋଲି ସେ ଆଗ୍ରହୀ ଥିଲେ । ୟିଟସ ଲଣ୍ଡନକୁ ଆସି କବିତାଗୁଡିକ ସମ୍ପର୍କରେ ରବୀନ୍ଦ୍ରନାଥଙ୍କ ସହ ଆଲୋଚନା କଲେ ଓ ମୂଳ କବିତାକୁ ନ ବଦଳାଇ ଅଳ୍ପ କିଛି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ । ଲଣ୍ଡନସ୍ଥିତ ‘ଇଣ୍ଡିଆନ ସୋସାଇଟି’ ତା’ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ଅନୁଦିତ ତାଙ୍କ କିଛି ନିର୍ବାଚିତ କବିତାର ଏକ ସଙ୍କଳନ ପ୍ରକାଶ କରୁ ବୋଲି ରଥେନଷ୍ଟାଇନ ହିଁ ପ୍ରସ୍ତାବ ଦେଇଥିଲେ । ‘ଇଣ୍ଡିଆନ ସୋସାଇଟି’ ପୁସ୍ତକଟି ପ୍ରକାଶ କରିବାକୁ ରାଜି ହେବାରୁ ଡବଲ୍ୟୁ ବି ୟିଟସ୍ ଆଗ୍ରହ ସହକାରେ ବହିଟିର ୨୨ ପୃଷ୍ଠା ବିଶିଷ୍ଟ ଏକ ମୁଖବନ୍ଧ ଲେଖିଥିଲେ । ଶେଷରେ ‘ଇଣ୍ଡିଆନ ସୋସାଇଟି’ ଦ୍ୱାରା ଏହାର ଇଂରାଜୀ ଅନୁବାଦ ‘ଗୀତାଞ୍ଜଳି (ସଙ୍ଗ ଅଫରିଙ୍ଗସ)’ ସୀମିତ ସଂଖ୍ୟାରେ ମାତ୍ର ୭୫୦ଟି କପି ସହ ନଭେମ୍ୱର ୧୯୧୨ରେ ପ୍ରକାଶ ପାଇଥିଲା ଓ ଏହାର ମୂଲ୍ୟ ସାଢେ ଦଶ ସିଲିଂ ରଖା ଯାଇଥିଲା । ହେଲେ ଏହା ବଙ୍ଗଳା ‘ଗୀତାଞ୍ଜଳି’ ପୁସ୍ତକଠାରୁ ଭିନ୍ନ ଥିଲା । ୧୦୪ ପୃଷ୍ଠାର ଏହି ବହିଟିରେ ଥିବା ୧୦୩ଟି କବିତା କେବଳ ‘ଗୀତାଞ୍ଜଳି’ରୁ ନୁହେଁ ବରଂ କବିଙ୍କର ୧୦ଟି ପୁସ୍ତକରୁ ନିଆ ଯାଇଥିଲା । ତନ୍ମଧ୍ୟରୁ ସର୍ବାଧିକ ୫୩ଟି ‘ଗୀତାଞ୍ଜଳି’ରୁ ନିଆଯାଇଥିବା ବେଳେ ଅନ୍ୟ କବିତାଗୁଡିକ ‘ଗୀତିମାଲ୍ୟ’ ‘ନୈବେଦ୍ୟ’, ‘ଖେୟା’, ‘ଶିଶୁ’ ‘ଚୈତାଳୀ’, ‘ସ୍ମରଣ’, ‘କଳ୍ପନା’ ଓ ‘ଉତ୍ସର୍ଗ’ ଆଦି ପୁସ୍ତକରୁ ନିଆ ଯାଇଥିଲା । ଏପରି କି ତାଙ୍କର ନାଟକ ‘ଅଚଳାୟତନ’ରେ ସ୍ଥାନିତ ଏକ କବିତା ମଧ୍ୟ ଏହାର ଅଂଶବିଶେଷ ହୋଇଥିଲା । ପ୍ରକାଶନ ପରେ ଆମେରିକାର ‘ଦି ଟାଇମସ ଲିଟରାରି ସପ୍ଲିମେଣ୍ଟ’ରେ ପୁସ୍ତକଟି ସମ୍ପର୍କରେ ଏକ ସୁନ୍ଦର ସମୀକ୍ଷା ପ୍ରକାଶ ପାଇଥିଲା । ଏ କଥା ଜାଣି ସେତେବେଳେ ଆମେରିକାରେ ଥିବା ରବୀନ୍ଦ୍ରନାଥ ରଥେନଷ୍ଟାଇନଙ୍କ ନିକଟକୁ ନଭେମ୍ୱର ୧୯, ୧୯୧୨ରେ ଏକ ପତ୍ରରେ ଲେଖିଥିଲେ “.... ମୁଁ ମନେ କରେ ମୋ’ ପୁସ୍ତକର ସଫଳତା ପ୍ରକୃତ ପକ୍ଷେ ତମର ସଫଳତା । ତମର ଭରସା ପାଇ ନ ଥିଲେ ମୋ’ ଅନୁବାଦର ଯେ କୌଣସି ମୂଲ୍ୟ ଅଛି ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରି ନ ଥାଆନ୍ତି, ଆଉ ଶେଷ ମୁହୂର୍ତ୍ତ ପର୍ୟ୍ୟନ୍ତ ମୋର ଡର ଥିଲା କାଳେ ତମେ ସେଗୁଡିକର ଆକଳନ କରିବାରେ ଭୁଲ କରୁ ନାହଁ ତ, ଆଉ ଏ ନେଇ ତମେ ଯେତେ ଉଦ୍ୟମ କରିଛ ସବୁ ପାଣିରେ ପଡିବ । ମୁଁ ଅତ୍ୟନ୍ତ ଖୁସି ଯେ ତମ ପସନ୍ଦ ଠିକ୍ ଥିଲା ବୋଲି ପ୍ରମାଣିତ ହୋଇଛି ଓ ତମ ବନ୍ଧୁକୁ ନେଇ ଗର୍ବ କରିବାର ତମର ସମସ୍ତ ଅଧିକାର ରହିଛି ....” । ଏହା ପରେ ‘ପୋଏଟ୍ରି’ ପତ୍ରିକାର ଡିସେମ୍ୱର ୧୯୧୨ ସଂଖ୍ୟାରେ ଏହି ପୁସ୍ତକର ୬ଟି କବିତା ପ୍ରକାଶ ପାଇଥିଲା । ଫଳରେ ରବୀନ୍ଦ୍ରନାଥଙ୍କ କବିତା ଉଭୟ ଇଂଲଣ୍ଡ ଓ ଆମେରିକାର ବିଦଗ୍ଧ ପାଠକମହଲରୁ ପ୍ରଶଂସା ସାଉଁଟିବାକୁ ଲାଗିଲା । ପୁସ୍ତକଟି ଅତି ଅଳ୍ପ ସଂଖ୍ୟାରେ ଛପା ହୋଇଥିବାରୁ ତାହା ଆଉ ଉପଲବ୍ଧ ହେଲା ନାହିଁ । ତେଣୁ ରଥେନଷ୍ଟାଇନ ଲଣ୍ଡନସ୍ଥିତ ପ୍ରସିଦ୍ଧ ପ୍ରକାଶକ ‘ମ୍ୟାକମିଲାନ’ର ଜର୍ଜ ମ୍ୟାକମିଲାନଙ୍କୁ ବହିଟିର ଏକ ସୁଲଭ ସଂସ୍କରଣ ପ୍ରକାଶ କରିବାକୁ ଅନୁରୋଧ କଲେ । ‘ମ୍ୟାକମିଲାନ’ ପ୍ରଥମେ ଅରାଜି ହୋଇଥିଲେ ବି ଶେଷରେ ମାର୍ଚ୍ଚ ୧୯୧୩ରେ ତାହା ପ୍ରକାଶ କରିଥିଲେ । ‘ମ୍ୟାକମିଲାନ’ ସଂସ୍ଥା ଦ୍ୱାରା ପ୍ରକାଶିତ ପୁସ୍ତକଟିର ପ୍ରଚ୍ଛଦରେ ଲେଖା ଥିଲା “GITANJALI (SONG OFFERINGS) BY RABINDRANATH TAGORE A COLLECTION OF PROSE TRANSLATIONS MADE BY THE AUTHOR FROM THE ORIGINAL BENGALI WITH AN INTRODUCTION BY W. B. YEATS” । ବହିଟିର ମୂଲ୍ୟ ରଖା ଗଲା ସାଢେ ଚାରି ସିଲିଂ । ଉଲ୍ଲେଖଯୋଗ୍ୟ ଯେ ଏହି ଇଂରାଜୀ ଅନୁଦିତ ପୁସ୍ତକ ପାଇଁ ହିଁ ରବୀନ୍ଦ୍ରନାଥଙ୍କୁ ନୋବେଲ ପୁରସ୍କାର ମିଳିଥିଲା, ମୂଳ ବଙ୍ଗଳା ‘ଗୀତାଞ୍ଜଳି’ ପାଇଁ ନୁହେଁ । ଏହା ପରେ ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ଅକ୍ଟୋବର ୧୯୧୩ରେ ରବୀନ୍ଦ୍ରନାଥଙ୍କ ଅନ୍ୟ ତିନିଟି ବହିର, ‘ଦି ଗାର୍ଡନର’, ‘ଦି କ୍ରିସେଣ୍ଟ ମୁନ’, ‘ସାଧନା’, ଇଂରାଜୀ ଅନୁବାଦ ପ୍ରକାଶ କରିବାକୁ ରଥେନଷ୍ଟାଇନ ହିଁ ମ୍ୟାକମିଲାନ ସଂସ୍ଥାକୁ ପ୍ରବର୍ତ୍ତାଇ ସଫଳ ହୋଇଥିଲେ । ଏଥି ସହ ମାଡ୍ରାସର ଜି ଏ ନାଟେସନ ପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ରବୀନ୍ଦ୍ରନାଥଙ୍କ ପଞ୍ଚମ ଇଂରାଜୀ ପୁସ୍ତକ ‘ଗ୍ଲିମ୍ପସେସ ଅଫ ବେଙ୍ଗଲ ଲାଇଫ’ ମଧ୍ୟ ଅକ୍ଟୋବର ୧୯୧୩ରେ ପ୍ରକାଶ ପାଇଥିଲା ।
‘ଗୀତାଞ୍ଜଳି’ ପୁସ୍ତକର ଇଂରାଜୀ ଅନୁବାଦ ପ୍ରକାଶ ହେବା ପୂର୍ବରୁ ରବୀନ୍ଦ୍ରନାଥଙ୍କୁ ୟୁରୋପରେ ଓ ପଶ୍ଚିମା ଦେଶମାନଙ୍କରେ ପ୍ରାୟ କେହି ଚିହ୍ନି ନ ଥିଲେ । ଅବଶ୍ୟ କ୍ୟାମ୍ୱ୍ରିଜ ୟୁନିଭର୍ସିଟି ଦ୍ୱାରା ୧୯୦୯ରେ ପ୍ରକାଶିତ ରବି ଦତ୍ତଙ୍କର ‘ଇକୋଜ ଫ୍ରମ ଇଷ୍ଟ ଆଣ୍ଡ ୱେଷ୍ଟ’ ପୁସ୍ତକରେ ରବୀନ୍ଦ୍ରନାଥଙ୍କ ରଚିତ ୧୧ଟି କବିତା ସ୍ଥାନିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ସ୍ୱୟଂ ରବି ଦତ୍ତଙ୍କ ନାମ ବି ୧୯୧୬ର ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଦୁଇ ଜଣ ମନୋନୟନକାରୀଙ୍କ ଦ୍ୱାରା ପୃଥକ୍ ଭାବେ ମନୋନୀତ ହୋଇଥିଲା । ସେମାନେ ହେଲେ ରୟାଲ ଏସିଆଟିକ ସୋସାଇଟି ଲଣ୍ଡନର ସଦସ୍ୟ ମନ ଗାଙ୍ଗେଡି ଓ ବେଙ୍ଗଲ ଏକାଡେମୀ ଅଫ ଲିଟରେଟରର ସମ୍ପାଦକ ରାୟ ଯତୀନ୍ଦ୍ର ନାରାୟଣ ଚୌଧୁରୀ ।
୧୯୧୩ରେ ଇଂଲଣ୍ଡର ରୟାଲ ସୋସାଇଟି ଅଫ ଲିଟରେଚର ବ୍ରିଟିସ ଲେଖକ ଥମାସ ହାର୍ଡିଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୟନ କରିଥିଲେ । ତାଙ୍କ ନାମ ୧୯୧୦ରୁ ୧୯୧୩ ଯାଏଁ ଲଗାତାର ଚାରି ବର୍ଷ ପୁଣି ୧୯୨୨ରୁ ୧୯୨୭ ଯାଏଁ ଲଗାତାର ଛଅ ବର୍ଷ ଏହିପରି ୧୦ ବର୍ଷ ଧରି ମନୋନୀତ ହୋଇଥିଲେ ବି ସେ ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସେହି ସୋସାଇଟିର ସଦସ୍ୟ ଥିବା କବି ଥମାସ ଷ୍ଟୁର୍ଜ ମୋର୍ ନୋବେଲ ପୁରସ୍କାର ପାଇଁ ରବୀନ୍ଦ୍ରନାଥଙ୍କ ନାମ ମନୋନୟନ କରିଥିଲେ । ସେ ସ୍ୱିଡିସ ଏକାଡେମୀର ନୋବେଲ କମିଟିକୁ ଏକ ପତ୍ରରେ ଲେଖିଥିଲେ, “ମୁଁ ଯୁକ୍ତରାଷ୍ଟ୍ର ଗଣରାଜ୍ୟର ରୟାଲ ସୋସାଇଟିର ଜଣେ ଫେଲୋ ଭାବେ ପ୍ରସ୍ତାବ ଦେଉଛି ଯେ ମୋ’ ମତରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ରବୀନ୍ଦ୍ରନାଥ ଠାକୁର ଜଣେ ଯୋଗ୍ୟ ବ୍ୟକ୍ତି ।“ ଏହା ହିଁ ଥିଲା ରବୀନ୍ଦ୍ରନାଥଙ୍କ ସପକ୍ଷରେ ଏକମାତ୍ର ମନୋନୟନ । ଏହି ପାଞ୍ଚ ଧାଡିଆ ପତ୍ରରେ ଷ୍ଟୁର୍ଜ ମୋର ରବୀନ୍ଦ୍ରନାଥଙ୍କର କୌଣସି ବହି ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ ବି ମନୋନୟନର ଶେଷ ତାରିଖ ଜାନୁଆରି ୩୧, ୧୯୧୩ ସୁଦ୍ଧା ରବୀନ୍ଦ୍ରନାଥଙ୍କର କେବଳ ଗୋଟିଏ ପୁସ୍ତକ ‘ଗୀତାଞ୍ଜଳି (ସଙ୍ଗ ଅଫରିଙ୍ଗସ)’ ହିଁ ପ୍ରକାଶ ପାଇଥିଲା । ରୟାଲ ସୋସାଇଟିର ୯୭ ଜଣ ସଦସ୍ୟ, ଯେଉଁଥିରେ ୟିଟସ ମଧ୍ୟ ଥିଲେ, ଥମାସ ହାର୍ଡିଙ୍କ ସପକ୍ଷରେ ମତ ଦେଇ ମନୋନୟନ କରିଥିବା ବେଳେ ସୋସାଇଟି ନିଷ୍ପତ୍ତି ବିରୁଦ୍ଧରେ ଯାଇ ଥମାସ ଷ୍ଟୁର୍ଜ ମୋର ରବୀନ୍ଦ୍ରନାଥଙ୍କ ନାମ ମନୋନୟନ କରିବାର ସମ୍ଭାବ୍ୟ କାରଣ ଏଇଆ ହୋଇପାରେ ଯେ ସେ ୟିଟସଙ୍କର ଜଣେ ଭଲ ବନ୍ଧୁ ଥିଲେ । ୟିଟସଙ୍କ ଦ୍ୱାରା ‘ଗୀତାଞ୍ଜଳି’ର ଇଂରାଜୀ ଅନୁବାଦ ସଂଶୋଧନ ବେଳେ ସେ ସାହାଯ୍ୟ କରିଥିଲେ । କହିବା ବାହୁଲ୍ୟ ଯେ ରବୀନ୍ଦ୍ରନାଥଙ୍କ ସପକ୍ଷରେ ଏହି ଏକମାତ୍ର ମନୋନୟନଟି ନ ଥିଲେ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ବିବେଚନା ଭିତରକୁ ଆସି ନ ଥାଆନ୍ତା । ସେତେବେଳେ ୟିଟସ ନୋବେଲ ପୁରସ୍କାର ପାଇ ନ ଥିଲେ ବି ୧୯୦୨ରେ ପ୍ରଥମ ଥର ଲାଗି ମନୋନୀତ ହୋଇଥିଲେ । ୧୯୧୩ରେ ତାଙ୍କ ସପକ୍ଷରେ କୌଣସି ମନୋନୟନ ନ ଥିବାରୁ ସେ ହୁଏତ ତାଙ୍କ ବନ୍ଧୁ ଷ୍ଟୁର୍ଜ ମୋରଙ୍କୁ ସେଥିପାଇଁ ପ୍ରବର୍ତ୍ତାଇ ପାରିଥାଆନ୍ତେ, ଯାହା ସେ କରି ନ ଥିଲେ । ୟିଟସ ୧୯୦୨ରୁ ୧୯୨୩ ମଧ୍ୟରେ ସମୁଦାୟ ୭ ଥର ମନୋନୀତ ହୋଇଥିଲେ ବି ତାଙ୍କୁ ଶେଷରେ ୧୯୨୩ରେ ହିଁ ନୋବେଲ ପୁରସ୍କାର ମିଳିଥିଲା ।
ନୋବେଲ ପୁରସ୍କାରର ସାହିତ୍ୟ କମିଟିରେ ଥିବା ୧୮ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ପ୍ରାଚ୍ୟ ସଂସ୍କୃତିବିଦ୍ ଇସେୟା ହେନରିକ ଉଇଲହାମ ଟେଗନରଙ୍କର ବଙ୍ଗଳା ଭାଷା ସମ୍ପର୍କରେ କିଛିଟା ଧାରଣା ଥିଲା । ତେଣୁ ଅନ୍ୟ ସଦସ୍ୟମାନେ ‘ଗୀତାଞ୍ଜଳି’ ଦ୍ୱାରା ବିଶେଷ ପ୍ରଭାବିତ ହୋଇ ପାରି ନ ଥିଲେ । ତେବେ ୟିଟସ ‘ଗୀତାଞ୍ଜଳି ( ସଙ୍ଗ ଅଫରିଙ୍ଗସ)’ ପୁସ୍ତକର ମୁଖବନ୍ଧ ଲେଖିବା ସହ ଇଂରାଜୀ ଅନୁବାଦକୁ ସୁଧାରିଛନ୍ତି ବୋଲି ଚର୍ଚ୍ଚୀ ହେଉଥିବାରୁ କମିଟିକୁ ବହିଟିକୁ ଗୁରୁତ୍ୱ ଦେବାକୁ ପଡିଥିଲା । ଏତିକିବେଳେ ସ୍ୱିଡେନର କବି ତଥା ଔପନ୍ୟାସିକ ଭର୍ନ ଭାନ ହେଡେନଷ୍ଟାମ ରବୀନ୍ଦ୍ରନାଥଙ୍କ ପ୍ରଶଂସାରେ ଶତମୁଖ ହେବାର ପ୍ରଭାବ ବି କମିଟି ଉପରେ ପଡିବା କିଛି ଅସ୍ୱାଭାବିକ ନୁହେଁ, କାରଣ ସେ ସ୍ୱିଡିସ ଏକାଡେମୀର ଜଣେ ପ୍ରମୁଖ ସଦସ୍ୟ ଥିଲେ । ସେ ମତ ଦେଇଥିଲେ, “ଦୈନିକ ସମ୍ୱାଦପତ୍ରଗୁଡିକର ସ୍ତମ୍ଭଗୁଡିକ ବର୍ଷ ବର୍ଷ ଧରି ତାଙ୍କୁ ଅତ୍ୟଧିକ ପ୍ରଜ୍ଞାପିତ କରିବାକୁ ସମୟ ପାଇବା ଆଗରୁ ଆମକୁ ପ୍ରଥମ ଥର ଲାଗି ଓ ସମ୍ଭବତଃ ଆଗାମୀ ଅନେକ ବର୍ଷ ପର୍ୟ୍ୟନ୍ତ ଶେଷ ଥର ଲାଗି, ସେହି ମହାନ ନାମଟିକୁ ଆବିଷ୍କାର କରିବାକୁ ସୁଯୋଗ ମିଳିଛି ।“ ହେଡେନଷ୍ଟାମ ରବୀନ୍ଦ୍ରନାଥଙ୍କଠାରୁ ବରିଷ୍ଠ ଥିଲେ ଓ ସେହି ବର୍ଷ ତାଙ୍କ ନାମ ବି ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଏହା ସତ୍ତ୍ୱେ ସେ ରବୀନ୍ଦ୍ରନାଥଙ୍କ ସପକ୍ଷରେ ନିଜ ମତ ଦେବା ତାଙ୍କ ହୃଦୟର ବିଶାଳତାକୁ ହିଁ ଦର୍ଶାଉଛି । ହେଡେନଷ୍ଟାମଙ୍କୁ ୧୯୧୬ରେ ନୋବେଲ ପୁରସ୍କାର ମିଳିଥିଲା ।
୧୯୧୩ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଦୁଇ ଜଣ ପ୍ରମୁଖ ଦାବିଦାର ଫ୍ରାନ୍ସର କବି, ଔପନ୍ୟାସିକ ଓ ସାମ୍ୱାଦିକ ଆନାତୋଲ ଫସ ଓ ଇଂଲଣ୍ଡର ଔପନ୍ୟାସିକ ଓ କବି ଥମାସ ହାର୍ଡି ଚୟନ ପ୍ରକ୍ରିୟାର ଚୂଡାନ୍ତ ପର୍ୟ୍ୟାୟରୁ ବାଦ ପଡି ଯାଇଥିଲେ । ଅବଶ୍ୟ ଆନାତୋଲ ଫସଙ୍କୁ ୧୯୨୧ରେ ନୋବେଲ ପୁରସ୍କାର ମିଳିଥିଲା । ପୁରସ୍କାର ପାଇଁ ମନୋନୀତ ଅନ୍ୟ ଲେଖକମାନେ ଥିଲେ ବ୍ରିଟିସ ଲେଖକ ଓ ସମ୍ପାଦକ ଜନ ମର୍ଲେ, ଫିନଲାଣ୍ଡର ୟୁହାନୀ ଆହୋ, ସ୍ପେନର ଆଞ୍ଜେଲ ଗାମେରା, ସ୍ୱିଡେନର ଭର୍ନ ଭାନ ହେଡେନଷ୍ଟାମ, ଫରାସୀ ଐତିହାସିକ ଆର୍ନେଷ୍ଟ ଲେଭିସ, ସ୍ପେନର ସାଲଭାଡର ରୁଏଦା, ଫ୍ରାନ୍ସର ପିଅର ଲୋଚିସ, ଡେନମାର୍କର କାର୍ଲ ଜେଲେରପ, ଡେନମାର୍କର ହାରାଲଡ ହଫଡିଙ୍ଗ, ଅଷ୍ଟ୍ରିଆର ପିଟର ରୋଜଗେର, ଡେନମାର୍କର ଆର୍ନଷ୍ଟ ଭାନ ଡର ରେକ, ସ୍ୱିଜରଲାଣ୍ଡର କାର୍ଲ ସ୍ପିଟେଲର, ଫ୍ରାନ୍ସର ହେନରି ବର୍ଗସନ, ସ୍ୱିଡେନର ସ୍ୱେନ ହେଡିନ, ଇଟାଲିର ସାଲଭାଟର ଫାରିନା, ସ୍ପେନର ବେନିଟୋ ପେରେଜ ଗାଲଡୋସ, ସ୍ୱିଜରଲାଣ୍ଡର ଆଡୋଲଫ ଫ୍ରେ, ଡେନମାର୍କର ହେନରିକ ପଣ୍ଟପିଡାନ, ଇଟାଲିର ଗ୍ରାଜିଆ ଡିଲେଡା, ଆୟର୍ଲାଣ୍ଡର ଏଡୱାର୍ଡ ଡାଓଡେନ, ଇଂଲଣ୍ଡର ଡନ ଲୁବକ, ଇଂଲଣ୍ଡର ଫ୍ରାନସିସ ଚାନିଙ୍ଗ, ଫ୍ରାନ୍ସର ଏମିଲ ଫାଗେ, ଡେନମାର୍କର ୟାକବ କନ୍ୟୁଡସେନ, ବେଲଜିଅମର ଏଡମଣ୍ଡ ପିକାର୍ଡ । ଏମାନଙ୍କ ମଧ୍ୟରୁ କିଛି ଲେଖକ ପୂର୍ବରୁ ଓ ପରେ ବି ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଭର୍ନ ଭାନ ହେଡେନଷ୍ଟାମ ୧୯୧୬ରେ, କାର୍ଲ ଜେଲେରପ ଓ ହେନରିକ ପଣ୍ଟପିଡାନ ୧୯୧୭ରେ ଯୁଗ୍ମ ଭାବେ ନୋବେଲ ପୁରସ୍କାର ହାସଲ କରିଥିଲେ । ୧୯୦୧ରୁ ନୋବେଲ ପୁରସ୍କାର ପ୍ରଦାନ ହେବାଠାରୁ ୧୯୭୦ ପର୍ୟ୍ୟନ୍ତ ପ୍ରଥମ ଥର ମନୋନୀତ ହୋଇ ଏକା ଥରେ ନୋବେଲ ପୁରସ୍କାର ପାଇଥିବା ୯ ଜଣକ ମଧ୍ୟରେ ଥିଲେ ରବୀନ୍ଦ୍ରନାଥ ।
ଦୀର୍ଘ ୧୭ ମାସର ୟୁରୋପ ଓ ଆମେରିକାର ସଫଳ ଗସ୍ତ ସାରି ଅକ୍ଟୋବର, ୧୯୧୩ରେ ରବୀନ୍ଦ୍ରନାଥ ଭାରତକୁ ଫେରିଥାଆନ୍ତି । ଏତିକିବେଳେ ନଭେମ୍ୱର ୧୩, ୧୯୧୩ରେ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇ ରବୀନ୍ଦ୍ରନାଥଙ୍କୁ ନଭେମ୍ୱର ୧୪, ୧୯୧୩ରେ ଟେଲିଗ୍ରାମ ଯୋଗେ ଜଣାଇ ଦିଆଗଲା, “ସ୍ୱିଡିସ ଏକାଡେମୀ ଆପଣଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରିଛନ୍ତି । ତାର ଯୋଗେ ଏହାକୁ ସ୍ୱୀକାର କରୁଛନ୍ତି ବୋଲି ଜଣାଇବାକୁ ଅନୁରୋଧ । ସ୍ୱିଡିସ ମନ୍ତ୍ରୀ ।“ ସେତେବେଳେ ରବୀନ୍ଦ୍ରନାଥ ଶାନ୍ତିନିକେତନରେ ଥିବାରୁ ତାଙ୍କ ଜୋରାଶଙ୍କ ବାସଭବନ ଠିକଣାରେ ଆସିଥିବା ଟେଲିଗ୍ରାମଟି ପୁନଃପ୍ରେରିତ ହୋଇ ନଭେମ୍ୱର ୧୫ରେ ତାଙ୍କ ହସ୍ତଗତ ହେଲା । ତାଙ୍କ ପାଖରେ ଥିଲେ ପୁତ୍ର ରଥୀନ୍ଦ୍ରନାଥ ଓ ଅନ୍ୟ କେତେ ଜଣ ବିଦେଶୀ । ଟେଲିଗ୍ରାମଟିକୁ ପଢି ବିଶ୍ୱାସ କରି ନ ପାରି ସେ ତାକୁ ବାରମ୍ୱାର ପଢି ତା’ର ଅନ୍ୟ କିଛି ଅର୍ଥ ଥାଇପାରେ କି ବୋଲି ଖୋଜିବାକୁ ଲାଗି ବିଫଳ ହେଲେ । ଅବଶ୍ୟ ଥମାସ ଷ୍ଟୁର୍ଜ ମୋରଙ୍କ ଦ୍ୱାରା ତାଙ୍କ ନାମ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛି ବୋଲି ସେ ରଥେନଷ୍ଟାଇନଙ୍କ ନିକଟରୁ ଶୁଣିଥିଲେ ବି ସେହି ପୁରସ୍କାର ଯେ ତାଙ୍କୁ ମିଳିବ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଅଳ୍ପ ସମୟ ମଧ୍ୟରେ ଖବରଟି ରାଷ୍ଟ୍ର ହୋଇଗଲା ଓ ସେହି ଦିନ ଏ ସମ୍ପର୍କରେ କଲିକତାରୁ ପ୍ରକାଶ ପାଉଥିବା ‘ଏମ୍ପାୟାର’ ଇଂରାଜୀ ସମ୍ୱାଦପତ୍ରରେ ଏକ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା ।
ନୋବେଲ ପୁରସ୍କାର ଘୋଷଣା ହେବା ପରେ ରବୀନ୍ଦ୍ରନାଥଙ୍କ ନିକଟକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଲା । ତେବେ ଗହଳିଚହଳି ଭିତରେ ସମୟ ପାଉ ନ ଥିଲେ ବି ସେ ଅନ୍ତରରୁ ଖୋଜୁଥିଲେ ରଥେନଷ୍ଟାଇନଙ୍କୁ । ତିନି ଦିନ ପରେ ନଭେମ୍ୱର ୧୮, ୧୯୧୩ରେ ସେ ତାଙ୍କ ହୃଦୟର କଥା ରଥେନଷ୍ଟାଇନଙ୍କ ନିକଟକୁ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ, “ଯେଉଁ ମୁହୂର୍ତ୍ତରେ ମୋତେ ନୋବେଲ ପୁରସ୍କାର ଭଳି ମହାନ ସମ୍ମାନ ପ୍ରଦାନ କରାଯାଉଥିବାର ବାର୍ତ୍ତା ମିଳିଲା ମୋ’ ହୃଦୟ ତମ ପ୍ରତି ସ୍ନେହ ଓ କୃତଜ୍ଞତାରେ ଭରିଗଲା । ମୁଁ ନିଶ୍ଚିତ ଥିଲି ଯେ ଏହି ଖବରରେ ମୋର ବନ୍ଧୁମାନଙ୍କ ମଧ୍ୟରେ ତମଠାରୁ ବେଶୀ ଆନନ୍ଦିତ କେହି ହୋଇ ପାରିବେନି । ... ... ଏଇ କିଛି ଦିନ ଧରି ମୋତେ ଟେଲିଗ୍ରାମ ଓ ପତ୍ର ମାଧ୍ୟମରେ ପୋତି ଦିଆଗଲାଣି ଏବଂ ମୋ’ ପ୍ରତି କୌଣସି ବନ୍ଧୁତ୍ୱ ଭାବ ନ ଥିବା ଓ ମୋ’ ଲେଖାର ଧାଡିଟିଏ ବି ପଢି ନ ଥିବା ଲୋକମାନେ ହିଁ ଆନନ୍ଦ ପ୍ରକାଶରେ ସବୁଠାରୁ ବେଶୀ ମୁଖର । ମୁଁ ଏହି ଚିତ୍କାରରେ, ଏଥିରେ ଭରି ରହିଥିବା ଭୟଙ୍କର ଅସତ୍ୟର ମାତ୍ରାରେ ଯେ କେତେ ବେଶୀ କ୍ଳାନ୍ତ ତାହା ତମ ଆଗରେ ପ୍ରକାଶ କରି ପାରିବିନି । ପ୍ରକୃତରେ ଏହି ଲୋକମାନେ ମୋର ସେହି ସମ୍ମାନକୁ ସମ୍ମାନ ପ୍ରଦାନ କରୁଛନ୍ତି, ମୋତେ ନୁହେଁ ।”
ପୁରସ୍କାରଟିକୁ ସ୍ୱୀକାର କରୁଛନ୍ତି ବୋଲି ରବୀନ୍ଦ୍ରନାଥ ନଭେମ୍ୱର ୧୭ରେ ସ୍ୱିଡିସ ଏକାଡେମୀକୁ ଜଣାଇ ଦେଇଥିଲେ । ତେବେ ଡିସେମ୍ୱର ୧୦, ୧୯୧୩ରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଓ ସମୟର ସ୍ୱଳ୍ପତା ଦୃଷ୍ଟିରୁ ରବୀନ୍ଦ୍ରନାଥ ସେଥିରେ ଅଂଶଗ୍ରହଣ କରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ କବିଙ୍କ ପାଇଁ ପୁରସ୍କାରଟିକୁ ଗ୍ରହଣ କରିବା ଲାଗି ଷ୍ଟକହୋମଠାରେ ଅଧିଷ୍ଠିତ ବ୍ରିଟିସ ରାଷ୍ଟ୍ରଦୂତଙ୍କୁ ଆମନ୍ତ୍ରଣ କରାଗଲା । ପୁରସ୍କାର ବିତରଣୀ ଉତ୍ସବରେ ପୁରସ୍କାର ଗ୍ରହଣ କରି କବିଙ୍କ ତରଫରୁ ପଠା ଯାଇଥିବା ଧନ୍ୟବାଦ ଅର୍ପଣ ଲେଖାଟିକୁ ରାଷ୍ଟ୍ରଦୂତ କ୍ଲାଇବ୍ ପାଠ କରିଥିଲେ । ସେଥିରେ ଲେଖା ଥିଲା, “ମୁଁ ସ୍ୱିଡିସ ଏକାଡେମୀକୁ ତାଙ୍କର ବୋଧଶକ୍ତିର ପ୍ରଶସ୍ତତା ପାଇଁ କୃତଜ୍ଞତା ଜ୍ଞାପନ କରୁଛି, ଯାହା ଦୂରକୁ ପାଖକୁ ନେଇ ଆସିଛି ଓ ଜଣେ ଅଚିହ୍ନାକୁ ଭାଇ କରି ଦେଇଛି” । ପୁରସ୍କାର ଆକାରରେ ପ୍ରଦତ୍ତ ରାଶିର ସେତେବେଳର ଭାରତୀୟ ମୁଦ୍ରାରେ ମୂଲ୍ୟ ଥିଲା ୧ ଲକ୍ଷ ୨୦ ହଜାର ଟଙ୍କା । ତାଙ୍କୁ ମିଳିଥିଲା ଗୋଟିଏ ସ୍ୱର୍ଣ୍ଣ ପଦକ ଓ ଗୋଟିଏ ଡିପ୍ଲୋମା ଯେଉଁଥିରେ ସ୍ୱିଡିସ ଭାଷାରେ ଲେଖାଥିଲା, “ରବୀନ୍ଦ୍ରନାଥ ଠାକୁରଙ୍କୁ ପ୍ରଦାନ କରାଗଲା, ତାଙ୍କର ଗଭୀର ସମ୍ୱେଦନଶୀଳ, ସତେଜ ଓ ସୁନ୍ଦର କବିତା ପାଇଁ, ଯାହା ଦ୍ୱାରା, ପରିପୂର୍ଣ୍ଣ ଦକ୍ଷତାରେ, ସେ ତାଙ୍କ କାବ୍ୟିକ ଭାବନାକୁ, ନିଜସ୍ୱ ଇଂରାଜୀ ଶବ୍ଦରେ ପ୍ରକାଶ କରି, ପଶ୍ଚିମର ସାହିତ୍ୟର ଅଂଶ ବିଶେଷ କରି ଦେଇଛନ୍ତି ।” ପୁରସ୍କାର ଅର୍ପଣ କରି ଏକାଡେମୀର ସଭାପତି ହାରୋଲ୍ଡ ହିଆର୍ନ ରବୀନ୍ଦ୍ରନାଥଙ୍କ ପ୍ରକାଶ ପାଇଥିବା ୫ଟି ଇଂରାଜୀରେ ଅନୁଦିତ ପୁସ୍ତକ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସ୍ୱର୍ଣ୍ଣ ପଦକ ଓ ଡିପ୍ଲୋମା ଭାରତରେ ଆସି ପହଞ୍ଚିବା ପରେ ବଙ୍ଗଳାର ତତ୍କାଳୀନ ଗଭର୍ଣ୍ଣର ଲର୍ଡ କାର୍ମାଇକଲ ଜାନୁଆରି ୯, ୧୯୧୪ରେ କଲିକତାର ଗଭର୍ଣ୍ଣର ହାଉସଠାରେ ଏକ ସଭାର ଆୟୋଜନ କରିଥିଲେ, ଯେଉଁଠାରେ କିଛି ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ କବିଗୁରୁଙ୍କୁ ନୋବେଲ ପଦକ ଅର୍ପଣ କରାଯାଇଥିଲା ।
ପ୍ରଥା ଅନୁଯାୟୀ ପ୍ରତି ନୋବେଲ ବିଜେତାଙ୍କୁ ଏକ ଅଭିଭାଷଣ ପ୍ରଦାନ କରିବାକୁ ହୋଇଥାଏ । ତେବେ ଅନିବାର୍ୟ୍ୟ କାରଣ ହେତୁ ରବୀନ୍ଦ୍ରନାଥଙ୍କ କ୍ଷେତ୍ରରେ ତାହା ଦୀର୍ଘ ଦିନ ଧରି ସମ୍ଭବ ହୋଇ ପାରି ନ ଥିଲା । ଅବଶ୍ୟ ୧୯୨୦ରେ ରବୀନ୍ଦ୍ରନାଥ ପୁନର୍ବାର ଆମେରିକା ଗସ୍ତରେ ଆସିଥିବା ବେଳେ ସ୍ୱିଡିସ ଏକାଡେମୀର ସମ୍ପାଦକ ତାଙ୍କୁ ଡିସେମ୍ୱର ୧୦ରେ ହେଉଥିବା ‘ନୋବେଲ ଫିଷ୍ଟ’ରେ ଯୋଗ ଦେବାକୁ ଆମନ୍ତ୍ରଣ ଜଣାଇଥିଲେ । ତଥାପି ନିର୍ଦ୍ଧାରିତ ଦିବସରେ ବି ସେ ସେଠାରେ ଉପସ୍ଥିତ ହୋଇ ପାରି ନ ଥିଲେ । ଶେଷରେ ସେ ମେ’ ୨୪, ୧୯୨୧ରେ ଷ୍ଟକହୋମଠାରେ ପହଞ୍ଚିଲା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁରସ୍କାର ମିଳିବାର ପ୍ରାୟ ସାଢେ ସାତ ବର୍ଷ ପରେ, ମେ’ ୨୬ ୧୯୨୧ରେ ସେ ତାଙ୍କର ନୋବେଲ ଅଭିଭାଷଣ ପ୍ରଦାନ କରିଥିଲେ ।
‘ଗୀତାଞ୍ଜଳି’ର ଇଂରାଜୀ ଅନୁବାଦ ସରିଲା ମେ’ ୧୯୧୨ରେ । ସଂଶୋଧନ ହୋଇ ପୁସ୍ତକଟି ପ୍ରକାଶ ପାଇଲା ନଭେମ୍ୱର ୧୯୧୨ରେ ଓ ନୋବେଲ ପୁରସ୍କାର ଘୋଷଣା ହେଲା ନଭେମ୍ୱର ୧୯୧୩ରେ, ଠିକ୍ ବର୍ଷକ ପରେ । ସବୁ କିଛି ଯେପରି ବିଧି ନିର୍ଦ୍ଦିଷ୍ଟ ଥିଲା । ପୁସ୍ତକ ପ୍ରକାଶନଠାରୁ ଆରମ୍ଭ କରି, ଉନ୍ନତ ସମୀକ୍ଷା, ନୋବେଲ ପୁରସ୍କାର ପାଇଁ ମନୋନୟନ ଓ ଶେଷରେ ନୋବେଲ ପୁରସ୍କାର ମିଳିବା ପର୍ୟ୍ୟନ୍ତ ସବୁ କିଛି ଏତେ ତ୍ୱରିତ ଓ ସ୍ୱଚ୍ଛନ୍ଦରେ ଘଟିଥିଲା, ଯାହା ହୁଏତ ଖୁବ କମ ବହି ଓ ଲେଖକଙ୍କ କ୍ଷେତ୍ରରେ ଘଟି ଥାଇପାରେ । ଏଥି ପାଇଁ ରବୀନ୍ଦ୍ରନାଥଙ୍କ ରଚନାକୁ ଯେତିକି ଶ୍ରେୟ ଦିଆଯିବ ଠିକ ସେତିକି ଶ୍ରେୟ ଯିବ ଉଇଲିୟମ ରଥେନଷ୍ଟାଇନ, ଡବଲ୍ୟୁ ବି ୟିଟସ୍, ଆଣ୍ଡ୍ରିଉ ବ୍ରାଡଲେ, ଏଜରା ପାଉଣ୍ଡ, ଥମାସ ଷ୍ଟୁର୍ଜ ମୋର, ଭର୍ନ ଭାନ ହେଡେନଷ୍ଟାମ ଆଦି ବ୍ରିଟିଶ, ୟୁରୋପୀୟ ଓ ଆମେରିକୀୟ ବନ୍ଧୁମାନଙ୍କ ନିଃସ୍ୱାର୍ଥପର ଉଦ୍ୟମକୁ । ସତେ ଯେମିତି ବ୍ୟକ୍ତିଗତ ଉଦ୍ୟମ ନୁହେଁ ବରଂ ଏକ ମହତ ଉଦ୍ଦେଶ୍ୟ ହାସଲ ଲାଗି ଏ ସମସ୍ତଙ୍କର ଏହା ଥିଲା ଏକ ଉନ୍ନତ ଦଳୀୟ ପ୍ରୟାସ । ଅବଶ୍ୟ ତାଙ୍କ ସହ ଏମାନଙ୍କ ମଧ୍ୟରୁ ଅନେକଙ୍କ ସମ୍ପର୍କ ଯେ ଶେଷ ପର୍ୟ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ନ ଥିଲା, ତାହା ଭିନ୍ନ କଥା । ରବୀନ୍ଦ୍ରନାଥଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏକ ସମ୍ୱର୍ଦ୍ଧନା ସଭାରେ ବି ସ୍ୱୟଂ କବିଗୁରୁ ଏହା ସ୍ୱୀକାର କରିବାର ସାହସ ପ୍ରଦର୍ଶନ କରି କହିଥିଲେ ଯେ ତାଙ୍କୁ ମିଳୁଥିବା ଆଦର ଅଭ୍ୟର୍ଥନାର ଶ୍ରେୟର ବେଶୀ ଭାଗ ତାଙ୍କ କୃତି ଅପେକ୍ଷା ତାଙ୍କ ସଫଳ ୟୁରୋପ ଗସ୍ତକୁ ଯିବା ଉଚିତ । ଗତ ଶହେ ବର୍ଷରୁ ଅଧିକ ସମୟ ଧରି ଆଉ କେହି ଭାରତୀୟ ସାହିତ୍ୟରେ ନୋବେଲ ପୁରସ୍କାର ନ ପାଇବା ଅନେକଙ୍କୁ ବିସ୍ମିତ କରିଥାଏ । ତେବେ ଅନ୍ୟ କେତେ ଜଣ ଲେଖକ ସେମାନଙ୍କ ଉଚ୍ଚକୋଟୀର ସାହିତ୍ୟକୃତି ଲାଗି ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ ବି ନୋବେଲ ଚୟନ ପ୍ରକ୍ରିୟାର ଚୂଡାନ୍ତ ପର୍ୟ୍ୟାୟ ଯାଏଁ ପହଞ୍ଚିବା ଲାଗି ଆବଶ୍ୟକ ହେଉଥିବା କିଛି ଗଣ୍ୟମାନ୍ୟ ବିଦ୍ୱାନଙ୍କ ସକାରାତ୍ମକ ସହଯୋଗ ଟିକକକୁ, ଯାହାକୁ ଟିମ ୱାର୍କ ବା ‘ଲବି’ ବୋଲି ବି କୁହା ଯାଇପାରେ, ଜୁଟାଇବାରେ ହୁଏତ ଅସମର୍ଥ ହୋଇ ଥାଇପାରନ୍ତି । କବିଗୁରୁଙ୍କ କ୍ଷେତ୍ରରେ ସେଗୁଡିକ ସ୍ୱତଃସ୍ଫୁର୍ତ୍ତ ଭାବେ ଉପଲବ୍ଧ ହୋଇ ଯାଇଥିଲା । ୧୯୧୨ର ଗ୍ରୀଷ୍ମ କାଳରୁ ଆରମ୍ଭ ହୋଇ ୧୯୧୩ର ଦଶହରା ପୂର୍ବରୁ ସମାପ୍ତ ହୋଇଥିବା କବିଗୁରୁଙ୍କ ୟୁରୋପ ଓ ଆମେରିକାର ଏହି ସଫଳ ଯାତ୍ରାକୁ ପ୍ରକୃତ ଅର୍ଥରେ ତାଙ୍କର ନୋବେଲ ଯାତ୍ରା ବୋଲି କହିଲେ କିଛି ଭୁଲ ହେବନାହିଁ ଓ ଲେଖକମାନଙ୍କ ଲାଗି ତାଙ୍କର ଏହି ଯାତ୍ରା ପ୍ରେରଣାର ଉତ୍ସ ହୋଇ ରହିଥିବ ।
(Published in Odia monthly Paurusha in April)
ଅନେକ ଅଜଣା କଥା ଜାଣି ପାରିଲି ସାର୍ । ବହୁତ୍ ବହୁତ୍ ଧନ୍ୟବାଦ ।
ReplyDeleteଧନ୍ୟବାଦ
DeleteSir, ମୁଁ ଆପଣଙ୍କର ଏକ କବିତା ଶିକ୍ଷପ୍ରଦୀପ ରେ ଛlପିଛି l ଏହି ପ୍ରବନ୍ଧଟି ଅତ୍ୟନ୍ତ ତଥ୍ୟଜନିତ ଅଟେ l ଏହାକୁ ମେ ମାସ ସଂଖ୍ୟା ରେ ଛାପିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ l ଆପଣଙ୍କର ଅନୁମତି ଚାଁହୁଛିl
ReplyDeleteଶଙ୍କର କୁମାର ସୁବୁଦ୍ଧି
Deleteସମ୍ପାଦକ, ଶିକ୍ଷପ୍ରଦୀପ, ଓଷ୍ଟା,
ନୟସଡ଼କ କଟକ. 9938374871.
ଶଙ୍କର କୁମାର ସୁବୁଦ୍ଧି
ReplyDeleteସମ୍ପାଦକ, ଶିକ୍ଷପ୍ରଦୀପ,ଓଷ୍ଟା
ନୟସଡ଼କ, କଟକ
Mo-9938374871
ଏତେ କଥା ସାର୍,ବହୁତ କିଛି ଜାଣିବାକୁ ମିଳିଲା,ଧନ୍ୟବାଦ
ReplyDeleteଧନ୍ୟବାଦ
Deleteଏକ ସୁନ୍ଦର ଆଲେଖ୍ଯ ସାର, ମୋର ଶୁଭେଚ୍ଛା
ReplyDeleteଧନ୍ୟବାଦ
Deleteଆପଣଙ୍କୁ ଅନ୍ତରର ଅଭିବାଦନ। ଆଲେଖ୍ୟ ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ଓ ରୋଚକ। ଏଥିରେ ସନ୍ନିବିଷ୍ଟ ଅନେକ ବିଷୟ ମୋତେ ଅନ୍ଵେଷଣ ଲାଗି ପ୍ରେରିତ କରିଛି।
ReplyDeleteଧନ୍ୟବାଦ ସୋମେଶ ବାବୁ ।
Deleteସୋମେଶ ମହାପାତ୍ର, ଅନୁବାଦ ସାହିତ୍ୟ ପରିଷଦ।
ReplyDeleteଧନ୍ୟବାଦ
DeleteProfuse thanks to the Author. It is amazing that the Author has collected so much of details and made a sort of investigative narrative on the sequences leading to Nobel Prize conferred on Tagore for Literature in the year 1913. This article itself, merits honouring the Author with a Ph.D.
ReplyDeleteThanks
Delete