ୟୁକ୍ରେନ ଆକ୍ରମଣ ପରେ ପ୍ରତିରକ୍ଷା ବଜେଟ ବୃଦ୍ଧି ସପକ୍ଷରେ ଥିବା କିଛି ବ୍ୟକ୍ତି ଆକ୍ଷେପ କରୁଛନ୍ତି ଯେ ସାମରିକ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ୱ ଦେଇ ନ ଥିବାରୁ ୟୁକ୍ରେନ ଏଇ ଦୁର୍ଦ୍ଦଶା ଭୋଗୁଛି । ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ ସାମରିକ ଶକ୍ତି ଯାହା ୟୁକ୍ରେନର ସାମରିକ ଶକ୍ତି ତୁଳନାରେ ଯଥେଷ୍ଟ ଅଧିକ । ତଥାପି ସାମରିକ ଦୃଷ୍ଟିରୁ ୟୁକ୍ରେନ ଦୁର୍ବଳ ନୁହେଁ ବରଂ ବିଶ୍ୱର ୨୨ତମ ଶକ୍ତି ହୋଇଥିବା ବେଳେ ତା’ ନିକଟରେ ୨.୫ ଲକ୍ଷ ସକ୍ରିୟ ସେନାବାହିନୀ ଅଛନ୍ତି, ଯାହା ସେହି ଅଞ୍ଚଳରେ ରୁଷିଆ ପଛକୁ ଦ୍ୱିତୀୟ ସର୍ବାଧିକ । ତେବେ ଗୋଟିଏ ଦେଶ ସାମରିକ ଦୃଷ୍ଟିରୁ ଯେତେ ଶକ୍ତିଶାଳୀ ହେଲେ ବି ଏକ ସାମରିକ ମହାଶକ୍ତି ସହ ଯୁଦ୍ଧର ସମ୍ମୁଖୀନ ହୋଇ ଅନ୍ୟ ଦେଶଙ୍କଠାରୁ ପ୍ରତ୍ୟକ୍ଷ ସହଯୋଗ ନ ପାଇଲେ ସେହି ଶକ୍ତିର ଠିକ ଉପଯୋଗ କରିପାରି ନ ଥାଏ ।
ନିଜକୁ ଏକ ଶାନ୍ତିକାମୀ ଦେଶ ଭାବେ ପ୍ରତିଷ୍ଠିତ କରିବା ପୂର୍ବରୁ ୟୁକ୍ରେନର ସାମରିକ ଶକ୍ତି ଅନ୍ୟ ଅନେକ ଦେଶଙ୍କ ଈର୍ଷଣୀୟ ସ୍ଥିତିରେ ଥିଲା । ସୋଭିଏତ ସଂଘର ବିଘଟନ ପରେ ଏକ ନୂଆ ଦେଶ ଭାବେ ଉଭା ହୋଇଥିବା ୟୁକ୍ରେନ ନିକଟରେ ସୋଭିଏତ ସଂଘର ସମୁଦାୟ ପରମାଣୁ ଅସ୍ତ୍ରର ପ୍ରାୟ ଏକ ତୃତୀୟାଂଶ ଥିଲା । ସେତେବେଳେ ୟୁକ୍ରେନ ଥିଲା ତୃତୀୟ ବୃହତ୍ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶ । ପରମାଣୁ ଅସ୍ତ୍ର ତିଆରି ଲାଗି ତା’ ନିକଟରେ ଆବଶ୍ୟକ ଭିତ୍ତିଭୂମି, ବିଶେଷ ବୈଷୟିକ ଜ୍ଞାନକୌଶଳ, ସମୃଦ୍ଧ (ଏନରିଚଡ) ୟୁରାନିଅମ ଓ ପ୍ଲୁଟୋନିଅମ ମଧ୍ୟ ଥିଲା । ୟୁକ୍ରେନ ଚାହିଁଥିଲେ ସେ ସବୁକୁ ଉପଯୋଗ କରି ସହଜରେ ଏକ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶ ଭାବେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରି ପାରିଥାଆନ୍ତା । ମାତ୍ର ୟୁକ୍ରେନ ସମସ୍ତ ପରମାଣୁ ଅସ୍ତ୍ର ପରିତ୍ୟାଗ କରି ଏକ ପରମାଣୁ ନିରସ୍ତ୍ର ଦେଶ ଭାବେ ରହିବାକୁ ସ୍ଥିର କଲା । ଏହା ପଛରେ ଥିଲା ଦୁଇଟି ବଡ କାରଣ – ୧୯୮୬ରେ ଚେର୍ନୋବିଲଠାରେ ଘଟିଥିବା ଆଣବିକ ବିପର୍ୟ୍ୟୟ ଏବଂ ଶୀତଳ ଯୁଦ୍ଧର ପରିସମାପ୍ତି ପରେ ପରେ ନୂତନ ଭାବେ ଦେଖା ଦେଇଥିବା ଭୂ-ରାଜନୈତିକ (ଜିଓପଲିଟିକାଲ) ଆଶାବାଦ । ଉଭୟ ସୁରକ୍ଷା ଓ ପରିଚାଳନା ଦୃଷ୍ଟିରୁ ପରମାଣୁ ଅସ୍ତ୍ରଗୁଡିକୁ ବୋଝ ବୋଲି ମନେ କରୁଥିବାରୁ ସେଥିରୁ ନିଷ୍କୃତି ପାଇବା ଲାଗି ୟୁକ୍ରେନର ସଂସଦ ‘ରାଡା’ ନଭେମ୍ୱର ୧୬, ୧୯୯୪ରେ ପରମାଣୁ ଅପ୍ରସାର ସନ୍ଧିକୁ ଗ୍ରହଣ କରିବା ସପକ୍ଷରେ ମତଦାନ କଲା । ଏଥିପାଇଁ ରୁଷିଆ ତରଫରୁ ମଧ୍ୟ ଅତ୍ୟଧିକ ଚାପ ପ୍ରୟୋଗ ହୋଇଥିଲା । ଡିସେମ୍ୱର ୫, ୧୯୯୪ରେ ୟୁକ୍ରେନ, ରୁଷିଆ, ଆମେରିକା ଓ ବ୍ରିଟେନ ମଧ୍ୟରେ ‘ବୁଦାପେଷ୍ଟ ମେମୋରାଣ୍ଡମ’ ସ୍ୱାକ୍ଷରିତ ହେଲା, ଯଦ୍ଦ୍ୱାରା ୟୁକ୍ରେନର ପରମାଣବିକ ନିରସ୍ତ୍ରୀକରଣ ପରେ ତାକୁ ଆବଶ୍ୟକ ସୁରକ୍ଷା ସହ ଯଥେଷ୍ଟ ଆର୍ଥିକ ସହାୟତାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ୨୦୧୪ରେ ରୁଷିଆର କ୍ରିମିଆ ଆକ୍ରମଣ ସମୟରେ ଏହାର ପ୍ରଥମ ଉଲ୍ଲଂଘନ ସମୟରେ ‘ବୁଦାପେଷ୍ଟ ମେମୋରାଣ୍ଡମ’ ଏକ ଚୁକ୍ତି ହୋଇ ନଥିବାରୁ ତା‘ର ଆଇନ ଦୃଷ୍ଟିରୁ ବୈଧତା ନାହିଁ ବୋଲି ସଫେଇ ଦିଆଯାଇଥିଲା । ଏବେ ତା’ର ପୁନରାବୃତ୍ତି ଘଟି ପ୍ରତିଶ୍ରୁତି ଭଙ୍ଗ ଦୋହରା ଗଲା ଯାହା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀର ଶାନ୍ତିପ୍ରିୟ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ୱସ୍ତ କରୁଥିଲା । ହେଲେ ଏହି ଆଭିମୁଖ୍ୟ ଯୋଗୁଁ ଜର୍ମାନୀ ନିଜେ ଆକ୍ରମଣର ଶିକାର ହୋଇପାରେ ବୋଲି ଧାରଣାଟିଏ କ୍ରମଶଃ ଜର୍ମାନବାସୀଙ୍କ ମନରେ ବସା ବାନ୍ଧୁଥିଲା, ଯାହା ରୁଷିଆର ୟୁକ୍ରେନ ଆକ୍ରମଣ ପରେ ଚରମରେ ପହଞ୍ଚିଲା । ଆକ୍ରମଣର ମାତ୍ର ୩ ଦିନ ମଧ୍ୟରେ ଜର୍ମାନୀର ନବ ନିର୍ବାଚିତ ଚାନସଲର୍ ଓଲାଫ ସୋଲଜ୍ ଦେଶର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବୈଦେଶିକ ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣି ପ୍ରତିରକ୍ଷା ବାବଦ ୧୧୩ ବିଲିଅନ ଡଲାର ବା ପ୍ରାୟ ୮.୫୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବଜେଟର ଘୋଷଣା କଲେ । ଏଥିସହିତ କୌଣସି ‘ସଂଘର୍ଷ ଅଞ୍ଚଳ’ (କନଫ୍ଲିକ୍ଟ ଜୋନ)କୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ନିଷ୍ପତ୍ତିର ଅନୁସରଣ କରିଆସିଥିବା ଜର୍ମାନୀ, ତା’ ଘୋଷିତ ନୀତିର ବିପରୀତରେ ଯାଇ ପ୍ରଥମ ଥର ଲାଗି ୟୁକ୍ରେନକୁ ସିଧାସଳଖ ଅସ୍ତ୍ରଶସ୍ତ୍ର ଯୋଗାଇଦେବ ବୋଲି ଏକ ସାହସିକ ଘୋଷଣା କଲା । ଏ ପର୍ୟ୍ୟନ୍ତ ଜର୍ମାନୀ ପ୍ରତିରକ୍ଷା ବାବଦ ବ୍ୟୟକୁ ତା’ ଜିଡିପିର ମାତ୍ର ୧.୫ ପ୍ରତିଶତ ମଧ୍ୟରେ ସୀମିତ ରଖି ଆସିଥିଲା ବେଳେ ଏକା ଥରେ ତାକୁ ୨ ପ୍ରତିଶତକୁ ବଢାଇ ଦେଲା । ୨୦୩୧ ପୂର୍ବରୁ ଜର୍ମାନୀ କୌଣସି ମତେ ନାଟୋ ଦ୍ୱାରା ଧାର୍ୟ୍ୟ ଜିଡିପିର ୨ ପ୍ରତିଶତ ପ୍ରତିରକ୍ଷା ବଜେଟ ଲକ୍ଷ୍ୟକୁ ପୂରଣ କରିପାରିବ ନାହିଁ ବୋଲି ୨୦୧୯ରେ ସ୍ପଷ୍ଟ ଭାବେ ଜଣାଇ ସାରିଥିଲା । ତେବେ ରୁଷିଆର ୟୁକ୍ରେନ ଆକ୍ରମଣ ଗୋଟିଏ ଝଟକାରେ ଜର୍ମାନୀକୁ ତା’ର ନିଷ୍ପତ୍ତି ବଦଳାଇବାକୁ ଏକ ପ୍ରକାର ବାଧ୍ୟ କଲା । ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଯୋଗୁଁ ଜର୍ମାନୀ ଅଚିରେ ସମଗ୍ର ୟୁରୋପରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ଭାବେ ଆବିର୍ଭୁତ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ୟତମ ମୁଖ୍ୟ ଅଭିନେତା ଇଟାଲି ମଧ୍ୟ ତା’ ପ୍ରତିରକ୍ଷା ବଜେଟକୁ ଜିଡିପିର ୨ ପ୍ରତିଶତକୁ ବୃଦ୍ଧି କରି ବାର୍ଷିକ ୩୭ ବିଲିଅନ ଡଲାର (୨.୮୦ ଲକ୍ଷ କୋଟି ଟଙ୍କା) କରିବାକୁ ଘୋଷଣା କରିଛି । ଶୀତଳ ଯୁଦ୍ଧର ପରିସମାପ୍ତି ପରେ ପ୍ରତିରକ୍ଷା ବାବଦ ବ୍ୟୟକୁ ଯଥେଷ୍ଟ ହ୍ରାସ କରିଥିବା ସ୍ୱିଡେନ ୟୁକ୍ରେନ ଆକ୍ରମଣ ପରେ ସାଧାରଣ ବିପଦ ସ୍ତରରେ ବୃଦ୍ଧି ଘଟିଥିବା ଦର୍ଶାଇ ମାର୍ଚ୍ଚ ୧, ୨୦୨୨ରେ ତାକୁ ଜିଡିପିର ୨ ପ୍ରତିଶତ କରିବାକୁ ଘୋଷଣା କଲା, ଯାହା ୨୦୨୦ରେ ମାତ୍ର ୧.୨ ପ୍ରତିଶତ ଥିଲା । ସେହିପରି ଡେନମାର୍କ, ରୋମାନିଆ ଓ ପୋଲାଣ୍ଡ ପ୍ରତିରକ୍ଷା ବଜେଟକୁ ଜିଡିପିର ଯଥାକ୍ରମେ ୨, ୨.୫ ଓ ୩ ପ୍ରତିଶତକୁ ବଢାଇବାକୁ ଘୋଷଣା କରି ସାରିଲେଣି । ଏମାନଙ୍କ ବ୍ୟତୀତ ବ୍ରିଟେନ, ଫ୍ରାନ୍ସ, କାନାଡା ଓ ୟୁରୋପର ବିଭିନ୍ନ ଦେଶ ସେମାନଙ୍କ ପ୍ରତିରକ୍ଷା ବଜେଟ ବଢାଇବା ଦିଗରେ ଅଗ୍ରସର ହେଲେଣି ।
ଏହି ପ୍ରତିରକ୍ଷା ବଜେଟ ବୃଦ୍ଧି କେବଳ ୟୁରୋପୀୟ ଦେଶଗୁଡିକ ପର୍ୟ୍ୟନ୍ତ ସୀମିତ ନୁହେଁ । ଆମେରିକାର ପ୍ରତିରକ୍ଷା ବଜେଟ ସର୍ବାଧିକ ୭୭୮ ବିଲିଅନ ଡଲାର ବା ୫୮ ଲକ୍ଷ କୋଟି ଟଙ୍କା ଯାହା ତା’ର ଜିଡିପିର ୩.୭ ପ୍ରତିଶତ । ଏସୀୟ ଦେଶମାନଙ୍କ ମଧ୍ୟରେ ଚୀନର ପ୍ରତିରକ୍ଷା ବଜେଟ ସର୍ବାଧିକ ପ୍ରାୟ ୨୨୯ ବିଲିଅନ ଡଲାର ବା ୧୭ ଲକ୍ଷ କୋଟି ଟଙ୍କା । ୨୦୨୨-୨୩ରେ ଭାରତର ପ୍ରତିରକ୍ଷା ବଜେଟ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୭୦.୬ ବିଲିଅନ ଡଲାର ବା ୫.୨୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଚୀନ ପ୍ରତିରକ୍ଷା ବଜେଟର ପ୍ରାୟ ଏକ-ତୃତୀୟାଂଶ । ପ୍ରତିବେଶୀ ଚୀନ ଆଡୁ ବିପଦର ଆଶଙ୍କାକୁ ପ୍ରତିହତ କରିବା ପାଇଁ ଜାପାନ ଭଳି ଏକ ଶାନ୍ତିକାମୀ ଦେଶ ମଧ୍ୟ ତା’ର ପ୍ରତିରକ୍ଷା ବଜେଟ ୪୭ ବିଲିଅନ ଡଲାରକୁ ବୃଦ୍ଧି କରିଛି । ଏସିଆରେ ସଂଖ୍ୟାଧିକ ସଂଘର୍ଷାଧୀନ ଅଞ୍ଚଳ ଓ ସଂଘର୍ଷ ଆଶଙ୍କା ଥିବା ଅଞ୍ଚଳ ଥିବାରୁ ପ୍ରମୁଖ ଏସୀୟ ଦେଶଗୁଡିକ ସେମାନଙ୍କ ପ୍ରତିରକ୍ଷା ବଜେଟରେ ବୃଦ୍ଧି କରି ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ ଠୁଳ କରିଚାଲିଛନ୍ତି । ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ ଆମଦାନି କରିବା କ୍ଷେତ୍ରରେ ଭାରତକୁ ପଛରେ ପକାଇ ଏବେ ସାଉଦି ଆରବ ପ୍ରଥମ ସ୍ଥାନ ଦଖଲ କରିସାରିଛି । ପ୍ରତିପକ୍ଷଙ୍କ ଦ୍ୱାରା ଆକ୍ରାନ୍ତ ହେବାର ଭୟ ହିଁ ଦକ୍ଷିଣ କୋରିଆ, ତାଇୱାନ, ଫିଲିପାଇନ୍ସ, ଇରାନ ଆଦି ଦେଶଙ୍କୁ ବି ସେମାନଙ୍କ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ବାଧ୍ୟ କରିଛି । ଉଦବେଗର ବିଷୟ, ୟୁକ୍ରେନ ଯୁଦ୍ଧ ଓ ସେଥିରେ ସିଧାସଳଖ ଭାଗ ନେବାକୁ ଅନ୍ୟ ସମର୍ଥ ଦେଶମାନେ ନିଷ୍କ୍ରିୟତା ପ୍ରଦର୍ଶନ କରିବା ପରେ ସାରା ବିଶ୍ୱରେ ଏବେ ବିଭିନ୍ନ ଦେଶ ମଧ୍ୟରେ ହଠାତ୍ ଅସୁରକ୍ଷାର ଭାବ ଦେଖା ଦେଇଛି । ଏହା ପରେ ଅପରିଣାମଦର୍ଶୀ ଯେ କୌଣସି ସ୍ୱୈରାଚାରୀ ରାଷ୍ଟ୍ରନାୟକ ଯେ କୌଣସି ଦେଶ ଉପରେ ଅତର୍କିତ ଆକ୍ରମଣ କରିପାରନ୍ତି । ଆକ୍ରମଣକାରୀ ଦେଶ ପରମାଣୁ ଅସ୍ତ୍ରସମ୍ପନ୍ନ ହୋଇଥିଲେ ଅନ୍ୟ କୌଣସି ଦେଶ ଆକ୍ରାନ୍ତ ଦେଶ ସପକ୍ଷରେ ଆଗକୁ ବାହାରି ନ ପାରନ୍ତି ବୋଲି ଏକ ଭୀତି ସଞ୍ଚାର ହୋଇଛି । ଫଳରେ ନିଜ ନିଜ ସାମରିକ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଦେଶ ତତ୍ପର ହେଲେଣି । ଏ କଥା ବି ସ୍ପଷ୍ଟ ହୋଇଛି ଯେ ପରମାଣୁ ଅସ୍ତ୍ରସମ୍ପନ୍ନ ହୋଇଥିଲେ ଆକ୍ରମଣକାରୀ ଦେଶଟିଏ ଆପାତତଃ ନିରାପଦ । କାରଣ ତା’ ଉପରେ କେହି ଆକ୍ରମଣ କରିବାକୁ ସାହସ କରନ୍ତି ନାହିଁ । ସାରା ବିଶ୍ୱରେ ଯେଉଁ ୯ଟି ଦେଶ ନିକଟରେ ପରମାଣୁ ଅସ୍ତ୍ରର ଭଣ୍ଡାର ରହିଛି ସେମାନଙ୍କ ମଧ୍ୟରୁ ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ ଓ ଚୀନ ପରମାଣୁ ଅପ୍ରସାର ସନ୍ଧି (ଏନପିଟି)ରେ ସ୍ୱାକ୍ଷର କରିଥିବା ବେଳେ ଭାରତ, ପାକିସ୍ତାନ ଓ ଉତ୍ତର କୋରିଆ ସେଥିରେ ସ୍ୱାକ୍ଷର କରିନାହାନ୍ତି । ଅଘୋଷିତ ଭାବେ ଇସ୍ରାଏଲକୁ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶ ବୋଲି ଗ୍ରହଣ କରାଯାଇଥାଏ । ଭବିଷ୍ୟତରେ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶଙ୍କ ନିକଟରୁ ବିପଦର ଆଶଙ୍କା ଅଧିକ ଥିବାରୁ କିଛି ସମୃଦ୍ଧ ଓ ବିକାଶଶୀଳ ଦେଶ ଲୁଚାଛପା ପରମାଣୁ ଅସ୍ତ୍ରସମ୍ପନ୍ନ ହେବାକୁ ପ୍ରୟାସ ଜାରି ରଖିବେ । ଫଳରେ ପରମାଣୁ ଅସ୍ତ୍ର ପ୍ରୟୋଗର କମାଣ୍ଡ କେନ୍ଦ୍ରଗୁଡିକ ବିଶ୍ୱର ବିଭିନ୍ନ ସ୍ଥାନରେ ପରିବ୍ୟାପ୍ତ ହୋଇ ଏହାର ଅବିଚାରିତ ପ୍ରୟୋଗକୁ ରୋକିବା କଷ୍ଟକର ହେବ ଓ ମାନବ ସମାଜ ପ୍ରତି ବିପଦର ଆଶଙ୍କା ବହୁଗୁଣିତ ହେବ ।
ବର୍ତ୍ତମାନ ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନୀ, ସ୍ପେନ୍ ବିଶ୍ୱର ସର୍ବାଧିକ ଯୁଦ୍ଧାସ୍ତ୍ର ରପ୍ତାନୀକାରୀ ଦେଶ ହୋଇଥିବା ବେଳେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଯୁଦ୍ଧାସ୍ତ୍ର ଆମଦାନୀକାରୀ ଦେଶ । ଯୁଦ୍ଧାସ୍ତ୍ରର ଉତ୍ପାଦନ ବୃଦ୍ଧି କରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ପ୍ରୟାସ ସ୍ୱାଗତଯୋଗ୍ୟ । ତେବେ ନିଜ ଆବଶ୍ୟକତା ପୂରଣ ସହ ୨୦୨୫ ସୁଦ୍ଧା ଏଠାରୁ ବାର୍ଷିକ ୩୬୫୦୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ ବିଦେଶକୁ ରପ୍ତାନୀର ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଅଚିରେ ଭାରତ ମଧ୍ୟ ପ୍ରମୁଖ ଯୁଦ୍ଧାସ୍ତ୍ର ରପ୍ତାନୀକାରୀ ଦେଶଙ୍କ ତାଲିକାରେ ନିଜକୁ ସ୍ଥାପିତ କରିବାକୁ ସକ୍ଷମ ହୋଇପାରେ । ତେବେ ବିଶ୍ୱକୁ ଅହିଂସାର ବାର୍ତ୍ତା ଦେଇ ଆସୁଥିବା ଭାରତ ପକ୍ଷରେ ଏ ଭଳି ଅବାଞ୍ଛିତ ଉପଲବ୍ଧି କେତେ ଦୂର ସମୀଚୀନ, ତାହା ହୁଏତ ଅନ୍ୟ ଏକ ବିତର୍କର ବିଷୟ ।
ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା ଏପ୍ରିଲ ୨୬, ୨୦୨୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ୨୦୨୦ରେ ପ୍ରତିରକ୍ଷା ବାବଦ ବ୍ୟୟ ପୂର୍ବ ବର୍ଷ ତୁଳନାରେ ୨.୬ ପ୍ରତିଶତ ବୃଦ୍ଧି ପାଇ ୧୯୮୧ ବିଲିଅନ ଡଲାର ବା ପ୍ରାୟ ୧୫୦୦ ଲକ୍ଷ କୋଟି ଟଙ୍କା ହୋଇସାରିଥିଲା । ୟୁକ୍ରେନ ଆକ୍ରମଣ ପରେ ବିଭିନ୍ନ ଦେଶ ଯେଉଁଭଳି ଭାବେ ସେମାନଙ୍କ ପ୍ରତିରକ୍ଷା ବଜେଟ ବୃଦ୍ଧିର ଘୋଷଣା କରିଚାଲିଛନ୍ତି ସେଥିରୁ ସ୍ପଷ୍ଟ ଯେ ଆଗକୁ ଯୁଦ୍ଧାସ୍ତ୍ର ଆହରଣ ଲାଗି ପ୍ରତିଯୋଗିତା ତୀବ୍ରତର ହେବ । ଏଥିରେ କତିପୟ ଅସ୍ତ୍ର ଉତ୍ପାଦନକାରୀ କମ୍ପାନୀ ଓ ଦେଶ ଲାଭବାନ ହେବେ ସିନା, ଯୁଦ୍ଧାସ୍ତ୍ର ଆହରଣ କରୁଥିବା କୌଣସି ଦେଶ ପ୍ରକୃତ ପକ୍ଷେ ନିଜକୁ ସୁରକ୍ଷିତ କରିପାରିବନି । ଯେ କୌଣସି ଦେଶର ସୁରକ୍ଷା ପାଇଁ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ହେବା ଜରୁରୀ ହୋଇଥିଲେ ବି କେବଳ ସେତିକିରେ ସୁରକ୍ଷା ସୁନିଶ୍ଚିତ ହୋଇନଥାଏ । ପ୍ରତିପକ୍ଷ ଦେଶ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ହୋଇଥିଲେ ପ୍ରଥମ ଦେଶଟି ନିଜକୁ ଦୁର୍ବଳ ମନେ କରି ସମକକ୍ଷ ହେବା ପାଇଁ ଅଧିକ ଯୁଦ୍ଧାସ୍ତ୍ର ଆହରଣ କରିଚାଲିବ ଓ ଏହି ଧରଣର ପ୍ରତିଯୋଗିତାର ଅନ୍ତ ହେବନାହିଁ । ଅଧିକାଂଶ ଦେଶ ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ପ୍ରତିରକ୍ଷା ବଜେଟକୁ ବଢାଇ ଚାଲିବେ । ଯୁଦ୍ଧମନସ୍କ ହୋଇସାରିଥିବା ଭୀତତ୍ରସ୍ତ ଦେଶବାସୀଙ୍କଠାରେ ସେଥିପ୍ରତି ସମ୍ମତି ଜଣାଇବା ବ୍ୟତୀତ ଅନ୍ୟ ବାଟ ନ ଥିବ । ତଦ୍ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ କଲ୍ୟାଣକାରୀ କାର୍ୟ୍ୟକ୍ରମ ପାଇଁ ଅର୍ଥର ଘୋର ଅଭାବ ଦେଖାଦେବ । ମାନବ ସମାଜ ଆହୁରି ଅନେକ ବଡ ବଡ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେଗୁଡିକର ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରତିରକ୍ଷା ବାବଦ ବ୍ୟୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଜରୁରୀ, ଯେଉଁଥିପାଇଁ ଶାନ୍ତିକାମୀ ବିଶ୍ୱବାସୀଙ୍କ ଦ୍ୱାରା ଜନମତ ପ୍ରବଳ ହେବା ଆବଶ୍ୟକ । ମୁଷ୍ଟିମେୟ ଅପରିଣାମଦର୍ଶୀ ରାଷ୍ଟ୍ରନାୟକଙ୍କ ଯୁଦ୍ଧପ୍ରବଣତା ପାଇଁ ସମଗ୍ର ମାନବ ସମାଜ ବିଧ୍ୱଂସର ଆଗ୍ନେୟଗିରି ମୁହଁକୁ ଠେଲି ହୋଇ ନ ଯାଉ ।
(Published in Sambad on April 05, 2022)
Rat race towards armamentation: Nice analysis with facts and figures. The rat race is going to be more virulent in days ahead. In this insane World, instead of chasing development of mankind in terms of standard of living , health, education etc, sanity has yielded space for barbarism, blood shed and destruction of races and civilisations. Which country triumphs at the end is inconsequential. Perpetuation of poverty will be the ultimate outcome. The human race is condemned to perish in the end. Reminded of the prophetic observations of a philosopher: If nuclear holocaust will ever take place, the next World war will be fought between ants and insects, for the human race will be obliterated from the face of the world. Thanks to the Author for the incisive article. T Maharana
ReplyDeleteThanks a lot
Delete