Skip to main content

କରୋନା ପରେ ବାଳିକା ଶିକ୍ଷା ପ୍ରତି ଆହ୍ୱାନ

କୋଭିଡ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ବୃଦ୍ଧି ଭୟରେ ସ୍କୁଲଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଜୁଆଳିଆ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୌଶଲ୍ୟା ଅନ୍ୟ ପିଲାମାନଙ୍କ ପରି ଘରେ ବସି ରହିଥିଲା । କୌଶଲ୍ୟାର ବାପା ଗଣେଶ୍ୱର ଜଣେ ଦିନ ମଜୁରିଆ । ସ୍କୁଲ ଦ୍ୱାରା ଅନଲାଇନରେ ପାଠ ପଢାଯିବା ନିଷ୍ପତ୍ତି ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା । କରୋନା ସଂକ୍ରମଣ ବ୍ୟାପିବା ପରେ ସେ ବି ରୋଜଗାର ହରାଇଥିଲେ । ସ୍ମାର୍ଟ ଫୋନ କିଣିବା ପାଇଁ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ କ’ଣ କରିବେ କିଛି ଭାବି ପାରୁ ନ ଥିଲେ । ଇଆଡେ ଅନଲାଇନରେ ପାଠପଢା ଆରମ୍ଭ ହୋଇ ଯାଇଥିଲେ ବି ସେଥିରେ କୌଶଲ୍ୟା ଅଂଶ ଗ୍ରହଣ କରି ପାରୁ ନ ଥିଲା । ତଥାପି ସେ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଥିବାରୁ ବାପାଙ୍କୁ ଫୋନ କିଣି ଦେବା ଲାଗି ଜିଦ୍ କରି ପାରୁ ନ ଥିଲା । କୌଶଲ୍ୟା ପରି ଗୋଟିଏ ଭଲ ଛାତ୍ରୀ ପାଠ ପଢି ନ ପାରି ଘରେ ବସି ରହିଥିବା ଦେଖି ଗଣେଶ୍ୱର ଦୁଃଖିତ ଓ ବିଚଳିତ ହେଉଥିଲେ । ମାଆ ମଞ୍ଜୁଲତା ଘରେ ରଖିଥିବା ଗାଈଟିର ସେବାଯତ୍ନ କରି ତା’ କ୍ଷୀର ବିକି ଦୁଇ ପଇସା ରୋଜଗାର କରୁଥିଲେ । ଶେଷରେ ସେମାନଙ୍କର ଏକମାତ୍ର ମୂଲ୍ୟବାନ ସମ୍ପତ୍ତି ଗାଈଟିକୁ ବିକ୍ରି କରିବା ଲାଗି ସେମାନେ ସ୍ଥିର କଲେ । ଗାଈଟିକୁ ୬୫୦୦ ଟଙ୍କାରେ ବିକ୍ରି କଲା ପରେ ବି ଟଙ୍କା ନିଅଣ୍ଟ ହେବାରୁ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ନିକଟରୁ ୨୦୦୦ ଟଙ୍କା ହାତ ଉଧାର ଆଣି ଝିଅ ଲାଗି ସ୍ମାର୍ଟ ଫୋନଟିଏ କିଣି ଦେବାକୁ ହୋଇଥିଲା । କୌଶଲ୍ୟା ଅନଲାଇନରେ ପଢିବାକୁ ସମର୍ଥ ହେଲା ସତ, ହେଲେ ଗାଈଟି ବିକ୍ରି ହେବା ପରେ ତା’ଠାରୁ ହେଉଥିବା ଆୟର ଉତ୍ସ ମଧ୍ୟ ଶୁଷ୍କ ହୋଇ ପରିବାର ଆର୍ଥିକ ଦୁଃସ୍ଥିତି ଭିତରକୁ ଅଧିକ ଠେଲି ହୋଇଗଲା । ଗଣେଶ୍ୱରଙ୍କ ପରି କେତେ ଯେ ଗରିବ ଅଭିଭାବକ ସ୍ମାର୍ଟ ଫୋନ କିଣିବା ପାଇଁ ଛେଳି ମେଣ୍ଢା ବିକ୍ରିଠାରୁ ଆରମ୍ଭ କରି ସୁନାଗହଣା ବନ୍ଧା ପକାଇବାକୁ ବାଧ୍ୟ ହୋଇଛନ୍ତି, ତା’ର ଠିକଣା ନାହିଁ । କୌଶଲ୍ୟା ପରି ସ୍ମାର୍ଟ ଫୋନ ପାଇ ପାରିଥିବା ସେହି ପିଲାମାନଙ୍କୁ ତଥାପି ଅପେକ୍ଷାକୃତ ଭାବେ ଭାଗ୍ୟବାନ ବୋଲି ମଣିବାକୁ ହେବ, କାରଣ ଖରାପ ଆର୍ଥିକ ସ୍ଥିତିରେ ଥିବା ଅନେକ ଅଭିଭାବକ ସେମାନଙ୍କ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନଟିଏ କିଣି ଦେଇ ପାରିନାହାନ୍ତି ଓ ସେମାନଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି । ତା’ ଛଡା ଇଣ୍ଟରନେଟ ଯୋଗାଯୋଗର ସୁବିଧା ନ ଥିବା ରାଜ୍ୟର ଅନେକ ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଅଞ୍ଚଳରେ ଅନଲାଇନ ଶିକ୍ଷାଦାନ ପ୍ରତି ଏକ ନୂତନ ଆହ୍ୱାନ ସୃଷ୍ଟି ହୋଇଥିଲା । ସେହି ଅଞ୍ଚଳଗୁଡିକର ପିଲାମାନେ ଉଚ୍ଚ ସ୍ଥାନରେ ସିଗନାଲ ଟିକେ ପାଇବା ପାଇଁ ପାହାଡ ଓ ବଡ ବଡ ଗଛମାନ ଚଢି ଯେପରି କସରତ କରି ନାନା ଦୁର୍ଘଟଣାର ଶିକାର ହେଉଥିଲେ, ସେ ସବୁ ଅବାଞ୍ଛିତ ଦୃଶ୍ୟ ଏ ଯାଏଁ ଅନେକଙ୍କର ବିସ୍ମରଣ ହୋଇ ନଥିବ । ସ୍କୁଲ ମାଟି ନ ମାଡି ପିଲାଙ୍କର ଏମିତି ପ୍ରାୟ ଦୁଇବର୍ଷ କଟିଯିବା ପରେ ସ୍କୁଲ ଖୋଲିବା ପରେ ଏବେ ସାରା ଦେଶରେ ବାଳିକା ଶିକ୍ଷା ଏକ ଭିନ୍ନ ଧରଣର ସମସ୍ୟାର ସମ୍ମୁଖୀନ ହେବାକୁ ବସିଛି । ବିଭିନ୍ନ କାରଣରୁ ଗାଁଗହଳିର ଗରିବ ବର୍ଗର ଅନେକ ବାଳିକା ଏବେ ଆଉ ସ୍କୁଲ ଯିବାକୁ ରାଜି ହେଉନାହାନ୍ତି । ସ୍କୁଲ ଖୋଲିବା ପରେ ମାଲକାନଗିରିର ଏକ ପରିବାରରେ ବାପାମାଆ ଝିଅକୁ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଫେବୃଆରୀ ୧୨, ୨୦୨୨ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଜ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଅନେକଙ୍କୁ ବିଚଳିତ କରିଛି । ଏହି ଘଟଣା ସମସ୍ୟାଟିର ବିଭିନ୍ନ ଦିଗକୁ ଗମ୍ଭୀରତାପୂର୍ବକ ଅନୁଧ୍ୟାନ କରିବାର ଅବକାଶ ସୃଷ୍ଟି କରିଛି ।    

କୋଭିଡ ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ରହିବା ଯୋଗୁଁ ସାମଗ୍ରିକ ଭାବେ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିଲେ ବି ଏହା ଫଳରେ ବାଳିକାଙ୍କ ପାଠପଢା ଅଧିକ ବାଧାପ୍ରାପ୍ତ ହୋଇଛି । ୟୁନେସ୍କୋର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ କୋଭିଡ ମହାମାରୀ ପୂର୍ବରୁ ପ୍ରାୟ ୧୩ କୋଟି ବାଳିକା ସ୍କୁଲ ବ୍ୟବସ୍ଥା ବାହାରେ ଥିଲେ । କୋଭିଡ ସମୟରେ ବନ୍ଦ ଥିବା ସ୍କୁଲଗୁଡିକ ଖୋଲିବା ପରେ ଆଉ ଅଧିକ ପ୍ରାୟ ୧.୧ କୋଟି ବାଳିକା ସ୍କୁଲକୁ ଫେରି ନ ପାରନ୍ତି ଓ ଚିରଦିନ ଲାଗି ସେମାନଙ୍କ ବହିବସ୍ତାନିରେ ଡୋରି ବନ୍ଧା ହୋଇଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ ହେଉଛି । ଏକକାଳୀନ ଏତେ ସଂଖ୍ୟକ ବାଳିକା ସ୍କୁଲ ଆସିବା ବନ୍ଦ କରି ଦେଲେ ବାଳିକା ଶିକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଅଗ୍ରଗତି ପ୍ରତି ଏକ ବଡ ଧରଣର ଧକ୍କା ଲାଗି ସ୍ଥିତି ଉଦବେଗଜନକ ହୋଇପାରେ । ଭାରତରେ ଏହି ସମସ୍ୟା ଉତ୍କଟ ଆକାର ଧାରଣ କରିଛି ବୋଲି ମହିଳା ସଶକ୍ତିକରଣ ସଂସଦୀୟ କମିଟି ଡିସେମ୍ୱର ୨୦୨୧ରେ ସଂସଦରେ ଉପସ୍ଥାପନ କରିଥିବା ‘ବେଟି ବଚାଓ ବେଟି ପଢାଓ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ମାଧ୍ୟମରେ ମହିଳା ସଶକ୍ତିକରଣ ରିପୋର୍ଟ’ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ସନ୍ନିବେଶିତ ଶିକ୍ଷା ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ କୋଭିଡ କାଳରେ ସ୍କୁଲ ବନ୍ଦ ଯୋଗୁଁ ପ୍ରାୟ ୩୨ କୋଟି ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫.୮ କୋଟି ଛାତ୍ରୀ । ଏଥିରେ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଅତ୍ୟଧିକ ପ୍ରଭାବିତ ହୋଇଥିବା ବେଳେ କୋଭିଡ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରୀଙ୍କର ପାଠପଢା ଚିରଦିନ ଲାଗି ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଅନଲାଇନ ଶିକ୍ଷାଦାନ ବେଳେ ମୋବାଇଲ ଫୋନର ବ୍ୟବହାରରେ ଲିଙ୍ଗଗତ ଭେଦଭାବ ଦେଖାଯାଇଛି । ପୁଅ ଓ ଝିଅ ପଢୁଥିବା ଗୋଟିଏ ଗରିବ ପରିବାରରେ ଗୋଟିଏ ମୋବାଇଲ ଫୋନ ଥିଲେ, ସେଇଟିକୁ ବ୍ୟବହାର କରିବା ଲାଗି ପୁଅକୁ ଅଗ୍ରାଧିକାର ମିଳିଛି । ତଥ୍ୟ ଅଭାବରୁ ସ୍କୁଲ ଖୋଲିବା ପରେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ଛାତ୍ରୀ ସ୍କୁଲକୁ ଆସୁ ନାହାନ୍ତି, ତାହା ଜୁନ ୨୦୨୨ ସୁଦ୍ଧା ନିର୍ଦ୍ଧାରଣ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ସେ ପର୍ୟ୍ୟନ୍ତ ସେହି ପିଲାମାନେ ପାଠ ନ ପଢି ଘରେ ବସି ରହିଥିବେ, ଯଦ୍ଦ୍ୱାରା ସେମାନେ ପାଠପଢାରେ ପଛାଇଯିବେ । 

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ‘ଶିକ୍ଷା ଯୁକ୍ତ ଏକୀକୃତ ଜିଲ୍ଲା ସୂଚନା ବ୍ୟବସ୍ଥା’ (ୟୁଡିଆଇଏସଇ+) ରିପୋର୍ଟ ୨୦୧୯-୨୦ ଅନୁଯାୟୀ ସର୍ବ ଭାରତୀୟ ସ୍ତରରେ ପ୍ରାଥମିକ ସ୍କୁଲରେ ବାଳିକାମାନଙ୍କ ମୋଟ ନାମାଙ୍କନ ଅନୁପାତ (ଗ୍ରସ ଏନରୋଲମେଣ୍ଟ ରେସିଓ -ଜିଇଆର) ୧୦୩.୭ ଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତର ବେଳକୁ ଏହା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ୫୨.୪କୁ ଖସି ଆସୁଛି । ସର୍ବ ଭାରତୀୟ ସ୍ତର ଅପେକ୍ଷା ଓଡିଶାରେ ଏହି ଅନୁପାତ ଯଥେଷ୍ଟ କମ । ଏଠାରେ ପ୍ରାଥମିକ ସ୍କୁଲ ସ୍ତରରେ ବାଳିକାମାନଙ୍କ ଜିଇଆର ୯୬.୪ ଯାହା ଉଚ୍ଚ ମାଧ୍ୟମିକ ସ୍ତର ବେଳକୁ ହ୍ରାସ ପାଇ ୪୮.୪କୁ ଖସି ଆସୁଛି । ନିମ୍ନ ଆୟ ବର୍ଗରେ ଥିବା ଭାରତକୁ ଏକ ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ କରିବାକୁ ହେଲେ ଏଠାରେ ପୁଅଝିଅମାନେ ଅଧିକ ଶିକ୍ଷିତ ଓ କୁଶଳୀ ହେବା ନିତାନ୍ତ ଆବଶ୍ୟକ । ଅଧିକ ସଂଖ୍ୟକ ପୁଅଝିଅ ମଝିରୁ ପାଠ ଛାଡିଲେ ସେହି ଲକ୍ଷ୍ୟ ହାସଲ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିବ ।        

କୋଭିଡ ଯୋଗୁଁ ଅନେକ ପରିବାର ରୋଜଗାର ହରାଇ ଆର୍ଥିକ ଦୃଷ୍ଟିରୁ ଅଧିକ ଦୁର୍ବଳ ହୋଇପଡିଥିବାରୁ ଏହି ଛାତ୍ରୀମାନଙ୍କୁ ବିଭିନ୍ନ ଘରୋଇ କାର୍ୟ୍ୟରେ ଏବଂ ସାନ ଭାଇଭଉଣୀଙ୍କ ଯତ୍ନ ନେବା ଲାଗି ନିୟୋଜିତ କରାଯାଉଛି । କେତେକ କ୍ଷେତ୍ରରେ ବାପାମାଆଙ୍କ ମଧ୍ୟରୁ ଉଭୟ ବା ଜଣେ ରୋଜଗାର ହରାଇଥିବାରୁ ପରିବାରର ଆର୍ଥିକ ଅସ୍ୱଚ୍ଛଳତା ପୁଅଝିଅ ଉଭୟଙ୍କ ପଢା ବାବଦ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବାକୁ ସେମାନଙ୍କୁ ଅନୁମତି ଦେଉନାହିଁ । ସେ କ୍ଷେତ୍ରରେ ସେମାନେ ପୁଅର ପଢିବାକୁ ଅଗ୍ରାଧିକାର ଦେଇ ଝିଅର ପାଠପଢା ବନ୍ଦ ରଖିବାକୁ ଉଚିତ ମଣୁଛନ୍ତି । ଜଣେ ବାଳିକାର ଶିକ୍ଷା ମଝିରୁ ବନ୍ଦ ହୋଇଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ଏହାର କୁପ୍ରଭାବ ପରିବାରର ଉତ୍ତର ପିଢିମାନଙ୍କଠାରେ ମଧ୍ୟ ଅନୁଭୂତ ହୋଇଥାଏ । ଏହା ବହୁ ସଂଖ୍ୟାରେ ହେଲେ ତା’ର କୁପ୍ରଭାବ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସମ୍ପ୍ରଦାୟ, ରାଜ୍ୟ ଓ ଦେଶର ଅନଗ୍ରସରତାରେ ପ୍ରତିଫଳିତ ହୋଇଥାଏ । ତେଣୁ ବାଳିକା ଶିକ୍ଷାରେ ହେଉଥିବା ବ୍ୟୟକୁ ବ୍ୟୟ ବୋଲି ମନେ ନ କରି ଏକ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗ ରୂପେ ଗ୍ରହଣ କରାଯିବା ଆବଶ୍ୟକ, କାରଣ ଏହା ଆମ ସମସ୍ତଙ୍କ ସାମଗ୍ରିକ ଉନ୍ନତ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ । ଜଣେ ବାଳିକା ବର୍ଷଟିଏ ଅଧିକ ଶିକ୍ଷା ଗ୍ରହଣ କରିଥିଲେ ସେ ପ୍ରାପ୍ତ ବୟସ୍କ ହେଲା ପରେ ତା’ର ରୋଜଗାର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇ ପାରିଥାଏ । ଏହା ଦ୍ୱାରା ଅର୍ଥନୀତି ସୁଦୃଢ ହେବା ସହ ନାରୀ-ପୁରୁଷଙ୍କ ମଧ୍ୟରେ ବୈଷମ୍ୟ ହ୍ରାସ ପାଇ ସମସ୍ତଙ୍କୁ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ମିଳି ପାରିଥାଏ । ସବ-ସାହାରା ଆଫ୍ରିକା ଓ ଭାରତ ସମେତ ଦକ୍ଷିଣ ଏସିଆ ଅଞ୍ଚଳର ଦେଶଗୁଡିକରେ କମ ବୟସର କିଶୋରୀମାନେ ଅଧିକ ସଂଖ୍ୟାରେ ଗର୍ଭବତୀ ହେବା ଏକ ବଡ ସମସ୍ୟା । ସେଠାରେ ସମସ୍ତ ବାଳିକା ଅନ୍ତତଃ ପ୍ରାଥମିକ ସ୍କୁଲ ଯାଏଁ ପଢି ପାରିଲେ ୧୭ ବର୍ଷରୁ କମ ବୟସର ଗର୍ଭବତୀଙ୍କ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇ ପାରିବ ବୋଲି ମନେ କରାଯାଏ । ଶିକ୍ଷାଦାନ କ୍ଷେତ୍ରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କୁ ପାତରଅନ୍ତର କରାଯାଉଥିବା ଦେଶମାନଙ୍କର ଅର୍ଥନୀତିକୁ ବାର୍ଷିକ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

କିଶୋରୀମାନେ ସ୍କୁଲକୁ ନ ଆସି ଘରେ ବସି ରହିଲେ ଅନେକ ତାତ୍କାଳିକ ସାମାଜିକ ସମସ୍ୟା ଓ ଅପରାଧ ଦେଖା ଦେଇପାରେ । ସେମାନଙ୍କୁ ଶ୍ରମିକ ଭାବେ କାର୍ୟ୍ୟ କରିବାକୁ ବାଧ୍ୟ କରାଯାଇପାରେ, ଯଦ୍ଦ୍ୱାରା ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ । ଘରେ ବସି ରହିଲେ ସେମାନଙ୍କ ପ୍ରତି ଯୌନ ହିଂସା ବୃଦ୍ଧି ପାଇବାର ଆଶଙ୍କା ବେଶି । ଫଳରେ ଅଧିକ ସଂଖ୍ୟକ କିଶୋରୀ ଗର୍ଭବତୀ ହେବାର ଆଶଙ୍କା ଉପୁଜି କୁଆଁରୀ ମାତୃ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ । ସେମାନେ ମହିଳା ଚାଲାଣ ରାକେଟର ମଧ୍ୟ ଶିକାର ହୋଇପାରନ୍ତି । ଲୋକଲଜ୍ଜାରୁ ରକ୍ଷା ପାଇବା ପାଇଁ ଅଭିଭାବକମାନେ ସେମାନଙ୍କୁ କମ ବୟସରେ ବାହା କରାଇ ଦେବାକୁ ଉଦ୍ୟତ ହେବେ । ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି ପାଇଥିଲେ ବି ଆଇନ ଭଙ୍ଗ କରି ଏହି ଧରଣର ଅଧିକ ସଂଖ୍ୟକ ବିବାହ ଅନୁଷ୍ଠିତ ହେବ । ତଦ୍ଦ୍ୱାରା କନ୍ୟାମାନଙ୍କ ସର୍ବନିମ୍ନ ବିବାହ ବୟସ ବୃଦ୍ଧି ପଛରେ ଥିବା ସରକାରଙ୍କ ମୂଳ ଲକ୍ଷ୍ୟ ହାସଲ ହେବନାହିଁ ।     

ରାଜ୍ୟରେ ସ୍କୁଲ ଆସୁ ନଥିବା କିଶୋରୀମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଯଥାଶୀଘ୍ର ସ୍କୁଲକୁ ଫେରାଇ ଆଣିବା ପାଇଁ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପରିଚାଳନା ସମିତିଙ୍କୁ ସବୁ ପ୍ରକାର ଉଦ୍ୟମ କରିବାକୁ ପଡିବ । ପଞ୍ଚାୟତିରାଜ ବ୍ୟବସ୍ଥାରେ ନୂତନ ଭାବେ ନିର୍ବାଚିତ ସଦସ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇବା ଆବଶ୍ୟକ । ବାଳିକାମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ଲାଗି ‘ବ୍ରୁକିଙ୍ଗସ ବୁକ୍‘ ଦ୍ୱାରା ପ୍ରସ୍ତାବିତ ପଞ୍ଚସୂତ୍ରୀ କାର୍ୟ୍ୟକ୍ରମକୁ - ଅତ୍ୟଧିକ ଗରିବବର୍ଗର ଛାତ୍ରୀମାନଙ୍କୁ ନଗଦ ଟଙ୍କା ପ୍ରଦାନ (କ୍ୟାଶ ଟ୍ରାନ୍ସଫର), ସ୍କୁଲର ଅବସ୍ଥିତି କାରଣରୁ ସ୍କୁଲ ଆସୁ ନଥିବା କିଶୋରୀମାନଙ୍କ ପାଇଁ ଦୂରଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ, ସ୍କୁଲ ଖୋଲିବା ପରେ ବାଳିକାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କର ସକ୍ରିୟ ଅଂଶଗ୍ରହଣ, ବାଳିକାମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅଗ୍ରାଧିକାର ପ୍ରଦାନ, କିଶୋରୀଙ୍କ ସୃଜନଶୀଳତାକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାରେ ସେମାନଙ୍କ ଅର୍ଥପୂର୍ଣ୍ଣ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା - ମଧ୍ୟ ବିଚାରକୁ ନିଆଯାଇପାରେ । ଏଥିପାଇଁ ରାଜ୍ୟ ସରକାର ଶିକ୍ଷା ବଜେଟରେ ଆବଶ୍ୟକ ପ୍ରାବଧାନ କରିବା ଉଚିତ, ଯଦ୍ଦ୍ୱାରା ଜଣେ ବି ଛାତ୍ରୀ ଯେପରି ମଝିରୁ ପାଠ ଛାଡି ଘରେ ବସି ନ ରହେ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏଭଳି ସ୍କୁଲ ଛାଡି ଘରେ ବସି ରହିବା ପାଇଁ ବାଧ୍ୟ ହେଉଥିବା ଝିଅମାନଙ୍କୁ ପୁଣି ଥରେ ସ୍କୁଲକୁ ଫେରାଇ ଆଣି ସେମାନଙ୍କୁ ଶିକ୍ଷିତ ହେବା ଲାଗି ପ୍ରୋତ୍ସାହିତ କରିବା ହିଁ ପ୍ରକୃତ ଅର୍ଥରେ ହେଉ ମହିଳା ସଶକ୍ତିକରଣର ପ୍ରଥମ ସୋପାନ । 


Published in Sambad on March 8, 2022

 

Comments

Post a Comment