Skip to main content

ମାରିଆ ରେସାଙ୍କ ନୋବେଲ ଅଭିଭାଷଣରେ ଆହ୍ୱାନ

ଫିଲିପାଇନସର ମାରିଆ ରେସା ଓ ରୁଷିଆର ଦିମିତ୍ରି ମୁରାତଭଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ୨୦୨୧ର ଶାନ୍ତି ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା ହେବା ପରେ ସେମାନଙ୍କୁ ଡିସେମ୍ୱର ୧୦, ୨୦୨୧ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବଲ ପୁରସ୍କାର ଗ୍ରହଣ କରିବା ଅବସରରେ ମାରିଆ ରେସା ଦେଇଥିବା ସାରଗର୍ଭକ ନୋବେଲ ଅଭିଭାଷଣଟି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାର ଓଡିଆ ଅନୁବାଦ ନିମ୍ନରେ ପ୍ରଦତ୍ତ ହେଲା ; 

“ଉପସ୍ଥିତ ମହାନୁଭବବୃନ୍ଦ, ନରୱେ ନୋବେଲ କମିଟିର ସମ୍ମାନିତ ସଦସ୍ୟବୃନ୍ଦ, ମହାମାନ୍ୟବୃନ୍ଦ, ସମ୍ମାନିତ ଅତିଥିବୃନ୍ଦ,

ସାରା ପୃଥିବୀର ପ୍ରତ୍ୟେକ ସାମ୍ୱାଦିକ, ଯିଏ ନିଜ ପଥବିଚ୍ୟୁତ ନ ହେବା ଲାଗି ଅନେକ କିଛି ତ୍ୟାଗ କରିବାକୁ ବାଧ୍ୟ ହେଉଛି, ଆମ ମୂଲ୍ୟବୋଧ ଓ ଲକ୍ଷ୍ୟ ପ୍ରତି ସତ୍ୟନିଷ୍ଠ ରହିବା ଲାଗି, ଆପଣଙ୍କ ନିକଟରେ ସତ୍ୟ ପହଞ୍ଚାଇବା ଲାଗି ଓ ଶାସକଙ୍କୁ ଉତ୍ତରଦାୟୀ କରିବା ଲାଗି, ଆଜି ମୁଁ ସେମାନଙ୍କ ପ୍ରତିନିଧି ଭାବେ ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛି । ମୋର ମନେ ଅଛି ଜମାଲ କସୋଗିଙ୍କ ନିର୍ମମ ବହିଷ୍କାରର କଥା, ମାଲଟାରେ ଡାଫନେ କେରୁଆନା ଗେଲିଜିଆଙ୍କ ହତ୍ୟାର କଥା, ଭେନେଜୁଏଲାରେ ଲୁଜ ସେଲି ରେଏସ, ବେଲାରୁସରେ ରୋମାନ ପ୍ରଟାସେଭିକ୍ (ଯାହାଙ୍କୁ ଗିରଫ କରିବା ପାଇଁ ବସ୍ତୁତଃ ତାଙ୍କ ଉଡାଜାହାଜକୁ ଅପହରଣ କରି ନିଆଯାଇଥିଲା), ହଂକଂ କାରାଗାରରେ ଦିନ କାଟୁଥିବା ଜିମି ଲାଇ, ସୋନି ସ୍ୱେ ଯିଏ ସାତ ବର୍ଷ ଜେଲରେ କଟାଇବା ପରେ ଆଉ ଏକ ସମ୍ୱାଦ ଗୋଷ୍ଠୀ ଆରମ୍ଭ କଲେ ... ଏବେ ମ୍ୟାନମାରରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଆଉ ମୋ’ ନିଜ ଦେଶରେ, ୨୩ ବର୍ଷୀୟା ଫ୍ରେଞ୍ଚି ମାଇ କୁମ୍ପିଓ, ଦୁଇ ବର୍ଷ ପରେ ଏବେ ବି ଜେଲରେ, ଏବଂ ଏଇ ୩୬ ଘଣ୍ଟା ତଳର ଖବର ହେଉଛି ମୋର ପ୍ରାକ୍ତନ ସହଯୋଗୀ, ଯେସ ମାଲେବେନାନଙ୍କୁ ଗୁଳି କରି ମାରି ଦିଆଯାଇଛି ।

ଆମକୁ ନିରାପଦ ଓ କର୍ମଚଞ୍ଚଳ ରହିବାରେ ସାହାଯ୍ୟ କରିଥିବା ଲାଗି ଅନେକଙ୍କୁ ଧନ୍ୟବାଦ ଦେବାକୁ ହେବ । ଗଣମାଧ୍ୟମର ସ୍ୱାଧୀନତା, ଓ ମାନବାଧିକାରର ସୁରକ୍ଷା ଲାଗି ‘ହୋଲଡ ଦି ଲାଇନ କୋଆଲିସନ’ରେ ଥିବା 80ଟି ବିଶ୍ୱସ୍ତରୀୟ ଗୋଷ୍ଠୀ ଆମକୁ ସାହାଯ୍ୟ କରିଛନ୍ତି । ସେଥିପାଇଁ ଆପଣମାନଙ୍କୁ ବି ମୂଲ୍ୟ ଦେବାକୁ ପଡିଛି : ଫିଲିପାଇନ୍ସରେ ଅଧିକ ଓକିଲଙ୍କୁ ହତ୍ୟା କରାଯାଇଛି – ୨୦୧୬ରେ ରାଷ୍ଟ୍ରପତି ରୋଦରିଗୋ ଦୁତେର୍ତେ  ପଦଭାର ଗ୍ରହଣ କରିବା ପରେ ୨୨ ଜଣ ସାମ୍ୱାଦିକଙ୍କ ହତ୍ୟା ତୁଳନାରେ ଅତି କମରେ ୬୩ ଜଣ । ସେବେଠାରୁ ଆମ, ‘ଆୱାର ଅନ ହ୍ୟୁମାନ ରାଇଟସ କୋଆଲିସନ’ର ସଦସ୍ୟ ‘କାରାପାତାନ’ ସଂସ୍ଥାର ୧୬ ଜଣଙ୍କୁ ହତ୍ୟା କରାଯାଇଛି, ଆଉ ସେଥିଲାଗି ସିନେଟର ଲୀଲା ଡେ ଲିମା ଉତ୍ତରଦାୟିତ୍ୱ ଦାବି କରିବାରୁ ତାଙ୍କୁ ପାଞ୍ଚ ବର୍ଷ ଧରି ଜେଲରେ କଟାଇବାକୁ ହୋଇଛି । ଅଥବା ଆମର ସର୍ବବୃହତ୍ ପ୍ରସାରକ ଏବିଏସ-ସିବିଏନ ଭଳି ଏକ ସମ୍ୱାଦ ସଂସ୍ଥାକୁ, ଏକଦା ଯାହାର ନେତୃତ୍ୱ ମୁଁ ନେଉଥିଲି, ଗତ ବର୍ଷ ତା’ର ପ୍ରସାରଣ ଫ୍ରାଞ୍ଚାଇଜି ହରାଇବାକୁ ପଡିଛି ।

ମୁଁ ‘ରାପଲର’ ନାମକ ଏକ ଷ୍ଟାର୍ଟ-ଅପ ପ୍ରତିଷ୍ଠା କରିବାରେ ସାହାଯ୍ୟ କଲି, ଯାହାକୁ ଏଇ ଜାନୁଆରୀରେ ୧୦ ବର୍ଷ ହୋଇଯିବ –  ଆଜିର ପୃଥିବୀର ସବୁ କିଛି ଭୁଲତ୍ରୁଟିକୁ ଦର୍ଶାଉଥିବା ମୁଦ୍ରାର ଦୁଇ ପାର୍ଶ୍ୱକୁ ଏକତ୍ର ଉପସ୍ଥାପନ କରିବା ହେଉଛି ଆମ ପ୍ରୟାସ : ଏକବିଂଶ ଶତାବ୍ଦୀ ପାଇଁ ଏକ ଆଇନ ଓ ଗଣତାନ୍ତ୍ରିକ ଦୃଷ୍ଟିର ଅଭାବ । ସେହି ମୁଦ୍ରାଟି ଆମ ସୂଚନା ପରିମଣ୍ଡଳ (ଇକୋସିଷ୍ଟମ)ର ପ୍ରତିନିଧିତ୍ୱ କରୁଛି, ଯାହା ଆମ ବିଶ୍ୱର ଅନ୍ୟାନ୍ୟ ସବୁ କିଛି ନିର୍ଦ୍ଧାରଣ କରୁଛି । ସେହି ପୁରୁଣା ପ୍ରହରୀ ସଦୃଶ ସାମ୍ୱାଦିକମାନେ ହେଉଛନ୍ତି ମୁଦ୍ରାର ଗୋଟିଏ ପାର୍ଶ୍ୱ । ଅନ୍ୟ ପାର୍ଶ୍ୱଟି ହେଉଛି ବୈଷୟିକ ଜ୍ଞାନକୌଶଳ, ଯିଏ ତା’ର ଈଶ୍ୱର-ସୁଲଭ କ୍ଷମତା ବଳରେ ଏକ ମିଥ୍ୟାର ଭୂତାଣୁରେ ଆମମାନଙ୍କୁ ପରସ୍ପର ବିରୁଦ୍ଧରେ ଲଢାଇ, ଆମ ଭିତରର ଭୟ, ରାଗ ଓ ଘୃଣାକୁ ବାହାରକୁ ବାହାର କରି ଆମ ସମସ୍ତଙ୍କୁ ଆକ୍ରାନ୍ତ ହେବାକୁ ଛାଡି ଦେଇଛି, ଆଉ ସାରା ବିଶ୍ୱରେ ସ୍ୱୈରାଚାରୀ ଓ ଏକଚ୍ଛତ୍ରବାଦୀମାନଙ୍କ ଉତ୍ଥାନ ଲାଗି ମଞ୍ଚ ପ୍ରସ୍ତୁତ କରିସାରିଛି । 

ଆଜି ଆମର ସବୁଠାରୁ ବଡ ଆବଶ୍ୟକତା ହେଉଛି ସେହି ଘୃଣା ଓ ହିଂସାକୁ ରୂପାନ୍ତରିତ କରିବା, ଆମ ସୂଚନା ପରିମଣ୍ଡଳ ଦେଇ ପ୍ରବାହିତ ହେଉଥିବା ସେହି ବିଷାକ୍ତ ଘୃଣାର କର୍ଦ୍ଦମକୁ, ଯାହା ଆମେରିକାର ଇଣ୍ଟରନେଟ କମ୍ପାନୀଙ୍କ ଦ୍ୱାରା ଅଗ୍ରାଧିକାର ଭିତ୍ତିରେ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ଘୃଣାକୁ ପ୍ରସାର କରି ଓ ଆମ ଭିତରେ ନିକୃଷ୍ଟତାକୁ ଉଦ୍ରେକ କରିବା ମାଧ୍ୟମରେ କରା ହୋଇଥାଏ .... ତା’ ଅର୍ଥ, ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ହେବ । ଭଲ ହେବାକୁ ହେଲେ ଆମକୁ ବିଶ୍ୱାସ ରଖିବାକୁ ହେବ ଯେ ଏଇ ଦୁନିଆରେ ଅନେକ କିଛି ଭଲ ଅଛି ।

ମୁଁ ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ସାମ୍ୱାଦିକ ଭାବେ କାର୍ଯ୍ୟ କରି ଆସିଛି : ମୁଁ ଏସିଆର ସଂଘର୍ଷ ଓ ଯୁଦ୍ଧ ଲାଗି ରହିଥିବା ଅଞ୍ଚଳଗୁଡିକରେ କାମ କରିଛି, ଶହ ଶହ ବିପର୍ଯ୍ୟୟ ଉପରେ ସମ୍ୱାଦ ପରିବେଷଣ କରିଛି – ଆଉ ଏତେ ସବୁ ଖରାପ କଥା ଦେଖିଥିଲେ ବି ମୁଁ ଅନେକ କିଛି ଭଲ କଥାକୁ ବି ଲିପିବଦ୍ଧ କରିଛି, ଯେତେବେଳେ ନିଜଠାରେ କିଛି ନ ଥିବା ଲୋକମାନେ ବି ସେମାନଙ୍କ ପାଖରେ ଥିବା ସବୁ କିଛି ଦେଇ ଦେବାକୁ ଆଗେଇ ଆସିଛନ୍ତି । ‘ରାପଲର’ ଉପରେ ଗତ ପାଞ୍ଚ ବର୍ଷ ଧରି ଚାଲିଥିବା ସରକାରୀ ଆକ୍ରମଣ ସତ୍ତ୍ୱେ ଆମେ ତିଷ୍ଠି ରହି ପାରିଥିବାର ଅନ୍ୟତମ କାରଣ ହେଉଛି କିପରି ଅଚିହ୍ନା ଲୋକମାନେ ଆମ ପ୍ରତି ସେମାନଙ୍କ ଉଦାରତା ପ୍ରଦର୍ଶନ କରି ଆସିଛନ୍ତି, ଆଉ ବିପଦ ସତ୍ତ୍ୱେ ପ୍ରତିବଦଳରେ କିଛି ପାଇବାର ଆଶା ନ ରଖି ସେମାନଙ୍କ ସାହାଯ୍ୟ କରିବାର କାରଣ ହେଉଛି ସେମାନେ ସାହାଯ୍ୟ କରିବାକୁ ଚାହାନ୍ତି ବୋଲି । ଆମର ସ୍ଥିତି ଆଜି ଯାହା, ସେଥିପାଇଁ ଏହା ହିଁ ସବୁଠୁ ବଡ କାରଣ, ଆମ ମାନବତାର ଅଂଶବିଶେଷ ଯାହା ଚମତ୍କାରିତା ଦେଖାଇପାରେ । ଆମେ ଭୟ ଓ ହିଂସାର ଦୁନିଆରେ ବଞ୍ଚିବାକୁ ଲାଗିଲେ ଏହାକୁ ହିଁ ହରାଇଥାଆନ୍ତି ।

ଶେଷ ଥର ଲାଗି ୧୯୩୬ରେ ଜଣେ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ଓ କାର୍ଲ ଭନ ଓସିଏଜକି କେବେ ବି ଓସଲୋ ଯାଏଁ ପହଞ୍ଚି ପାରି ନ ଥିଲେ କାରଣ ସେ ନାଜି କନସେଣ୍ଟ୍ରେସନ କ୍ୟମ୍ପରେ ନିର୍ଯାତିତ ହେଉଥିଲେ । ତେଣୁ ବୋଧେ ଆମେ ପାଦେ ଆଗରେ ଅଛୁ କାରଣ ଆମେ ବାସ୍ତବରେ ଏଠି ଅଛୁ !

ଆଜି ଏହି ପୁରସ୍କାରକୁ ସାମ୍ୱାଦିକଙ୍କୁ ଦେଇ ଗଣତନ୍ତ୍ରର ଅସ୍ତିତ୍ୱ ପାଇଁ ନୋବେଲ କମିଟି ସେହି ଭଳି ଏକ ଐତିହାସିକ ମୁହୂର୍ତ୍ତର ଆଭାସ ଦେଇଛନ୍ତି । ଦିମିତ୍ରି ଓ ମୁଁ ଭାଗ୍ୟବାନ ଯେ ଆମେ ଏବେ ଆପଣଙ୍କ ସମ୍ମୁଖରେ କହି ପାରୁଛୁ, କିନ୍ତୁ ଆହୁରି କେତେ ସାମ୍ୱାଦିକ ଅପ୍ରକାଶ୍ୟରେ କୌଣସି ସାହାଯ୍ୟ ନ ପାଇ ଅନ୍ଧକାର ଭିତରେ ଦଣ୍ଡିତ ହେଉଛନ୍ତି ଓ ସରକାରମାନେ ଦାୟମୁକ୍ତ ଭାବେ ବିନା ଭୟରେ ସେମାନଙ୍କୁ ଅଧିକ ଦଣ୍ଡିତ କରି ଚାଲିଛନ୍ତି । ଏହି ଗତିବର୍ଦ୍ଧକ ହେଉଛି ବୈଷୟିକ ଜ୍ଞାନକୌଶଳ, ଏମିତି ଏକ ସମୟରେ ଯେତେବେଳେ ସୃଜନଶୀଳ ବିନାଶ ନୂତନ ଅର୍ଥ ଗ୍ରହଣ କରିଥାଏ ।

ଅତୀତର ପୃଥିବୀର ଭଗ୍ନାବଶେଷ ଉପରେ ଆମେ ଠିଆ ହୋଇଛୁ, ଆଉ ନିଶ୍ଚିତ ଭାବେ ଆମର ଭାବିବାକୁ ଦୂରଦୃଷ୍ଟି ଓ ସାହସ ରହିବା ଆବଶ୍ୟକ ଯେ ଏବେ ଯଦି ଆମେ ପଦକ୍ଷେପ ଗ୍ରହଣ ନ କରନ୍ତି ଏବଂ ଏକ ଅଧିକ ସହାନୁଭୂତିଶୀଳ, ଅଧିକ ସମତାସମ୍ପନ୍ନ ଆଦର୍ଶ ପୃଥିବୀ ଗଢିବା କଥା ନ ଭାବନ୍ତି, ତାହାହେଲେ କ’ଣ ଯେ ଘଟିପାରେ ।

ତାହା କରିବା ଲାଗି, ଦୟାକରି ଆପଣଙ୍କୁ ଏକା ପ୍ରଶ୍ନ ପଚାରିବାକୁ ହେବ ଯାହା ମୋ’ ଟିମ ଓ ମୋତେ ପାଞ୍ଚ ବର୍ଷ ତଳେ ସାମନା କରିବାକୁ ହୋଇଥିଲା : ସତ୍ୟ ପ୍ରତିଷ୍ଠା ପାଇଁ ଆପଣ କ’ଣ କ’ଣ ତ୍ୟାଗ କରିବାକୁ ପ୍ରସ୍ତୁତ ? ମୁଁ ଆପଣଙ୍କୁ କହିବି ମୁଁ ନିଜେ ଏହାର ଉତ୍ତର କେମିତି ତିନିଟି ବିନ୍ଦୁରେ ଜୀଇଁଥିଲି : ପ୍ରଥମେ, ମୋ’ ସନ୍ଦର୍ଭ ଓ ଏହି ଆକ୍ରମଣଗୁଡିକ ମୋତେ କେମିତି ଗଢିଥିଲା; ଦ୍ୱିତୀୟରେ, ଆମେ ସମସ୍ତେ ଯେଉଁ ସମସ୍ୟାଗୁଡିକର ସାମନା କରନ୍ତି ତା’ ମାଧ୍ୟମରେ ; ଶେଷରେ, ସମାଧାନ ଖୋଜିବା – କାରଣ ଆମକୁ ଖୋଜିବାକୁ ହେବ !

ଦୁଇ ବର୍ଷରୁ କମ ସମୟ ମଧ୍ୟରେ ଫିଲିପାଇନସ ସରକାର ମୋ’ ବିରୁଦ୍ଧରେ ୧୦ଟି ଗିରଫ ୱାରଣ୍ଟ ଜାରି କଲେ । ମୋତେ ମୋ’ କାମ ଜାରି ରଖିବା ଲାଗି ୧୦ ଥର ଜାମିନ ଦରଖାସ୍ତ ଦେବାକୁ ହେଲା । ଗତ ବର୍ଷ, ମୁଁ ଓ ମୋର ଜଣେ ପ୍ରାକ୍ତନ ସହକର୍ମୀ ଆଠ ବର୍ଷ ତଳେ ଆମର ପ୍ରକାଶିତ ଏକ ଷ୍ଟୋରି ପାଇଁ ସାଇବର ଅପରାଧରେ ଦଣ୍ଡିତ ହେଲୁ, ଯେଉଁ ଆଇନର ଆମେ ଉଲ୍ଲଂଘନ କଲୁ ବୋଲି କୁହାଗଲା ସେହି ଆଇନ ସେତେବେଳେ ତିଆରି ହୋଇ ନ ଥିଲା । ସମସ୍ତେ କହିଲେ, ମୁଁ ଯେଉଁ ଅଭିଯୋଗରେ ଅଭିଯୁକ୍ତ ସେଥିପାଇଁ ମୋତେ ଅନ୍ତତଃ ୧୦୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

କିନ୍ତୁ, ମୋ’ ସାମ୍ୱାଦିକତା ପାଇଁ ମୋତେ ଯେତେ ଆକ୍ରମଣ କରାଗଲା, ମୁଁ ସେତେ ବେଶି ଦୃଢ ହେଲି । ମୋ’ ପାଖରେ କ୍ଷମତା ଅପବ୍ୟବହାରର ପ୍ରତ୍ୟକ୍ଷ ପ୍ରମାଣ ଥିଲା । ମୋତେ ଓ ‘ରାପଲର’କୁ ଭୟଭୀତ କରିବା ପାଇଁ ଯାହା ଉଦ୍ଦିଷ୍ଟ ଥିଲା ତାହା ଆମକୁ ଅଧିକ ଶକ୍ତିଶାଳୀ କଲା ଯାହା ।

ସାମ୍ୱାଦିକତାର ମଞ୍ଜରେ ରହିଛି ଏକ ‘ସମ୍ମାନର ସଂହିତା’ । ଆଉ ମୋ’ କ୍ଷେତ୍ରରେ ତା’ର ଅଲଗା ଆଲଗା ଦୁନିଆର ପରସ୍ତ ରହିଛି – ମୁଁ କେମିତି ବଡ ହେଲି ସେବେଠାରୁ, ମୁଁ ଯେତେବେଳେ ଶିଖିଲି ଭୁଲ କ’ଣ ଠିକ କ’ଣ ବୋଲି; କଲେଜରୁ, ଆଉ ‘ସମ୍ମାନ ସଂହିତା’ ମୁଁ ସେଇଠି ଶିଖିଲି; ଆଉ ରିପୋର୍ଟର ଭାବେ ଅତିବାହିତ କରିଥିବା ମୋ’ ସମୟ, ଆଉ ‘ମାନକ ଓ ନୈତିକତା ସଂହିତା’ ଯାହା ମୁଁ ଶିଖିଲି ଓ ଲେଖିବାକୁ ଚେଷ୍ଟା କଲି । ତତସହିତ ଫିଲିପାଇନବାସୀଙ୍କ ‘ଉତଙ୍ଗ ନା ଲୁବ’ର ବିଚାର – ବା ଅନ୍ତରର ଋଣ – ନିଜ ସର୍ବୋତ୍ତମ ସ୍ତରରେ, ପରିଶୋଧ କରିବାର ଏକ ବ୍ୟବସ୍ଥା ।

ଯେଉଁଠି ଘୃଣା, ମିଥ୍ୟା, ବିଭାଜନ ବିରାଜମାନ କରନ୍ତି ଏଇ ମୁହୂର୍ତ୍ତରେ ସତ୍ୟ ଓ ନୈତିକ ସମ୍ମାନ ଏକ ଶର ପରି ତାକୁ ଭେଦ କରିଥାଆନ୍ତି । ଏହି ପୁରସ୍କାର ଗ୍ରହଣ କରିବା ପାଇଁ କେବଳ ମାତ୍ର ୧୮ଶ ମହିଳା ଭାବେ, ମୁଁ ଆପଣମାନଙ୍କୁ କହିବା ଆବଶ୍ୟକ କିପରି ଲିଙ୍ଗଗତ ଅପପ୍ରଚାର ଏକ ନୂତନ ଧମକ ଆଉ ଏହା ସାରା ବିଶ୍ୱର ମହିଳା, ଝିଅ, ଟ୍ରାନ୍ସ, ଏଲଜିବିଟିକ୍ୟୁ ଲୋକଙ୍କ ମାନସିକ ଓ ଶାରୀରିକ ସୁରକ୍ଷା ପ୍ରତି ଗଭୀର କ୍ଷତି ପହଞ୍ଚାଉଛି । ମହିଳା ସାମ୍ୱାଦିକମାନେ ଏହି ବିପଦର କେନ୍ଦ୍ରବିନ୍ଦୁରେ ଅଛନ୍ତି । ନାରୀ-ବିଦ୍ୱେଷ ଓ ଘୃଣାର ଏହି ମହାମାରୀକୁ ଏଇ ମୁହୂର୍ତ୍ତରେ ହିଁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ସେଥିରେ ମଧ୍ୟ ଆମେ ଶକ୍ତି ପାଇପାରିବା । ମୋଟ ଉପରେ ଆପଣ ପ୍ରକୃତରେ କିଏ ବୋଲି ନିଜେ ଜାଣନ୍ତି ନାହିଁ, ଯେ ପର୍ଯ୍ୟନ୍ତ ସେଥିପାଇଁ ଆପଣଙ୍କୁ ସଂଘର୍ଷ କରିବାକୁ ନ ପଡିଛି । ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଓ ସେଠାରେ କେମିତି ପହଞ୍ଚିଲୁ ସେ ବିଷୟରେ ମୁଁ ଖୋଲି କହିଲେ କଥାଟା ସ୍ପଷ୍ଟ ହୋଇଯିବ ।

‘ରାପଲର’ରେ ଆମ ଉପରେ ପାଞ୍ଚ ବର୍ଷ ତଳେ ଆକ୍ରମଣ ହୋଇଥିଲା ଆମେ ଯେତେବେଳେ ଦୁଇଟି ପ୍ରସଙ୍ଗରେ ଦାୟମୁକ୍ତି (ଇମ୍ପ୍ୟୁନିଟି)ର ପରିସମାପ୍ତି ପାଇଁ ସ୍ୱର ଉତ୍ତୋଳନ କଲୁ : ଦୁତେର୍ତେଙ୍କ ଡ୍ରଗ ୱାର (ନିଶା ଯୁଦ୍ଧ) ଓ ମାର୍କ ଜୁକରବର୍ଗଙ୍କ ଫେସବୁକ ।

ଆଜି ତାହା ଆହୁରି ଖରାପ ହୋଇଯାଇଛି – ଆଉ ସିଲିକନ ଭେଲିର ପାପ ଜାନୁଆରୀ ୬ରେ ଆମେରିକାରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି କ୍ୟାପିଟଲ ହିଲସରେ ଭିଡ ହିଂସା ମାଧ୍ୟମରେ ତାଣ୍ଡବଲୀଳା ରଚାଇସାରିଛି । ସାମାଜିକ ଗଣମାଧ୍ୟମରେ ଯାହା ଘଟେ ତାହା ସାମାଜିକ ଗଣମାଧ୍ୟମରେ ରହେ ନାହିଁ । ଅନଲାଇନ ହିଂସା ହେଉଛି ବାସ୍ତବ ଦୁନିଆର ହିଂସା ।

ସାମାଜିକ ଗଣମାଧ୍ୟମ ଅର୍ଥ ଓ କ୍ଷମତାର ଏକ ମାରାତ୍ମକ ଖେଳ, ଯାହାକୁ ଶୋସନା ଜୁବୋଫ ‘ନଜରଦାରି ପୁଞ୍ଜିବାଦ’ (ସର୍ଭେଲାନ୍ସ କ୍ୟାପିଟାଲିଜମ୍) ବୋଲି କହନ୍ତି, ଯେଉଁଥିରେ ଅତ୍ୟଧିକ କର୍ପୋରେଟ ଲାଭ ପାଇଁ ଆମର ବ୍ୟକ୍ତିଗତ ଜୀବନର ଦୋହନ ହୋଇଥାଏ । ଆମର ବ୍ୟକ୍ତିଗତ ଅନୁଭୂତି ସବୁ କୃତ୍ରିମ ବିଦ୍ୱତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଦ୍ୱାରା ସୁନିୟୋଜିତ ଭାବେ ଏକ ତଥ୍ୟ ଭଣ୍ଡାର (ଡାଟାବେସ) ଭିତରକୁ ଶୋଷି ନିଆଯାଇଥାଏ ଓ ତା’ପରେ ତାହା ସର୍ବୋଚ୍ଚ ନିଲାମଡକାଳି (ବିଡର)କୁ ବିକ୍ରି କରାଯାଇଥାଏ । ଅତ୍ୟଧିକ ଲାଭଜନକ ମାଇକ୍ରୋ-ଟାର୍ଗେଟିଂ ଜରିଆରେ ସୁନିୟୋଜିତ ଭାବେ ମଣିଷର ଇଚ୍ଛାକୁ ନ୍ୟୂନ କରିବା ପାଇଁ ଏହା ଏକ ଆଚରଣ ପରିବର୍ତ୍ତନକାରୀ ବ୍ୟବସ୍ଥା ଯେଉଁଥିରେ ପାଭଲୋଭଙ୍କ କୁକୁର ପରି ଆମମାନଙ୍କ ଉପରେ ମୋ’ ଦେଶ ପରି, ମ୍ୟାନମାର, ଭାରତ, ଶ୍ରୀଲଙ୍କା ଓ ଆହୁରି ଅନେକ ଦେଶରେ ବାସ୍ତବ ସମୟରେ ପରୀକ୍ଷାନିରୀକ୍ଷା କରାଯାଇ ବିନାଶକାରୀ ପରିଣାମ ଦେଖିବାକୁ ମିଳୁଛି । ଏହି ବିନାଶକାରୀ କର୍ପୋରେସନଗୁଡିକ ସମ୍ୱାଦଗୋଷ୍ଠୀଙ୍କ ନିକଟରୁ ବିପୁଳ ପରିମାଣରେ ଅର୍ଥ ହଡପ କରି ନେଇଛନ୍ତି ଆଉ ଏବେ ବଜାର ଓ ନିର୍ବାଚନର ମୂଳଦୁଆ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।

ଫେସବୁକ ହେଉଛି ବିଶ୍ୱର ସର୍ବବୃହତ୍ ସମ୍ୱାଦ ବିତରକ, ଆଉ ତଥାପି ଅଧ୍ୟୟନଗୁଡିକରୁ ଜଣାପଡେ ଯେ ସାମାଜିକ ଗଣମାଧ୍ୟମରେ ତଥ୍ୟ ଓ ସତ୍ୟ ଅପେକ୍ଷା କ୍ରୋଧ ଓ ଘୃଣା ମିଶ୍ରିତ ମିଥ୍ୟା ଶୀଘ୍ର ଓ ଦୂର ଯାଏଁ ବ୍ୟାପି ଯାଇଥାଏ । ଏହି ଆମେରିକୀୟ କମ୍ପାନୀଗୁଡିକ ନିୟନ୍ତ୍ରଣରେ ଥିବା ଆମ ବୈଶ୍ୱିକ ସୂଚନା ପରିମଣ୍ଡଳ ତଥ୍ୟ ବିରୁଦ୍ଧରେ ପକ୍ଷପାତି, ସାମ୍ୱାଦିକଙ୍କ ବିରୁଦ୍ଧରେ ପକ୍ଷପାତି । ସେମାନେ – ସୁନିୟୋଜିତ ଭାବେ - ଆମକୁ ଭାଗ ଭାଗ କରୁଛନ୍ତି ଆଉ ଆମକୁ ଚରମପନ୍ଥୀ କରାଉଛନ୍ତି ।

ତଥ୍ୟ ବିନା ଆପଣ ସତ୍ୟର ନିକଟବର୍ତ୍ତୀ ହୋଇପାରିବେ ନାହିଁ । ସତ୍ୟ ବିନା, ବିଶ୍ୱାସ ହାସଲ କରି ହେବ ନାହିଁ । ବିଶ୍ୱାସ ବିନା, ଆମ ବାଣ୍ଟର ବାସ୍ତବତା ନାହିଁ, ଗଣତନ୍ତ୍ର ନାହିଁ, ଆଉ ଜଳବାୟୁ, କରୋନା ଭାଇରସ, ସତ୍ୟ ପ୍ରତିଷ୍ଠା ପାଇଁ ଯୁଦ୍ଧ ଭଳି ବିଶ୍ୱର ଅସ୍ତିତ୍ୱଗତ ସମସ୍ୟାଗୁଡିକୁ ମୁକାବିଲା କରିବା ଅସମ୍ଭବ ହୋଇପଡିବ ।

 ମୁଁ ଯେତେବେଳେ ୨୦୧୯ରେ ପ୍ରଥମ ଥର ଲାଗି ଗିରଫ ହେଲି, ଅଫିସର ଜଣକ କହିଲେ, “ମାଡାମ, ତ୍ରାବାହୋ ଲାଙ୍ଗ ପୋ” (ମାଡାମ ମୁଁ ଖାଲି ମୋ କର୍ତ୍ତବ୍ୟ କରୁଛି) । ତା’ପରେ ସେ ମୋର ‘ମିରାଣ୍ଡା ଅଧିକାର’ (ଚୁପ ରହିବାର ଅଧିକାର, ନିଜ ପକ୍ଷ ରଖିବା ପାଇଁ ଆଡଭୋକେଟ ନିଯୁକ୍ତ କରିବାର ଅଧିକାର, ଇତ୍ୟାଦି) ଗୁଡିକୁ ପଢି ଶୁଣାଇଲା ବେଳେ ତାଙ୍କ ଗଳାକୁ ଫିସଫିସ କରି କହିଲା ଭଳି କମ କରିଦେଲେ । ପରିଷ୍କାର ଭାବେ ସେ ଅସ୍ୱସ୍ତି ଅନୁଭବ କରୁଥିଲେ, ଆଉ ତାଙ୍କ ପ୍ରତି ମୋର ଦୟା ଜାତ ହେଉଥିଲା । କେବଳ ମୁଁ ଜଣେ ସାମ୍ୱାଦିକ ବୋଲି ସେ ମୋତେ ଗିରଫ କରୁଥିବା ବ୍ୟତୀତ !

ଏହି ଅଫିସର ଜଣକ କ୍ଷମତାର ଏକ ହତିଆର – ଆଉ ଏକ ଉଦାହରଣ କିପରି ଜଣେ ଭଲ ମଣିଷ ଖରାପ ହୋଇଯାଇପାରେ – ଆଉ କିପରି ନୃଶଂସ ଅତ୍ୟାଚାରମାନ ସଂଘଟିତ ହୋଇଥାଏ । ହିଟଲରଙ୍କ ଆଦେଶଗୁଡିକୁ କାର୍ଯ୍ୟକାରୀ କରୁଥିବା ଲୋକଙ୍କ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ମନ୍ଦର ଅସ୍ୱାଭାବିକତା ସମ୍ପର୍କରେ ହାନା ଆରେଣ୍ଡ ଲେଖିଥିଲେ ଯେ ନିଜ କ୍ୟାରିଅରକୁ ଗୁରୁତ୍ୱ ଦେଉଥିବା ଅଧିକାରୀମାନେ ବିବେକହୀନ ଭାବେ କାର୍ଯ୍ୟ କରିପାରନ୍ତି କାରଣ ସେମାନେ କେବଳ ଆଦେଶକୁ ଅନୁସରଣ କରନ୍ତି ବୋଲି କହି ଏହାର ଔଚିତ୍ୟକୁ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି ।

ଏମିତି ଭାବେ ଏକ ରାଷ୍ଟ୍ର – ଆଉ ଏକ ପୃଥିବୀ – ତା’ର ଆତ୍ମାକୁ ହରାଇଥାଏ ।

ଆପଣଙ୍କୁ ଜାଣିବାକୁ ହେବ ଆପଣ କେଉଁ ମୂଲ୍ୟବୋଧ ସପକ୍ଷରେ ଲଢୁଛନ୍ତି, ଆଉ ଆପଣଙ୍କୁ ଖୁବ ଶୀଘ୍ର ଗାର ଟାଣିବାକୁ ହେବ – କିନ୍ତୁ ଆପଣ ଯଦି ତାହା କରିନାହାନ୍ତି, ଏବେ କରନ୍ତୁ : ଏ ପାଖରେ ଆପଣ ଭଲ ଆଉ ସେ ପାଖରେ ଆପଣ ମନ୍ଦ । କିଛି ସରକାରଙ୍କୁ ଅନେକ କିଛି ହରାଇବାର କାରଣ ରହିଛି, ଆଉ ବିଶେଷ କରି ମୁଁ ଆପଣମାନଙ୍କୁ କହୁଛି, ଆପଣ ଯଦି ‘ଟେକ୍’ରେ (ଆଇଟି) କାମ କରୁଥାଆନ୍ତି ।

ଆପଣ ନିର୍ବାଚନୀ ଶୁଚିତାକୁ କିପରି ସୁନିଶ୍ଟିତ କରିପାରିବେ ଯଦି ଆପଣଙ୍କ ପାଖରେ ତଥ୍ୟର ଶୁଚିତା ନ ଥାଏ ?

ଆସନ୍ତା ବର୍ଷ ନିର୍ବାଚନ ହେଉଥିବା ଦେଶଗୁଡିକରେ ସେହି ସମସ୍ୟା ରହିଛି : ସେମାନଙ୍କ ମଧ୍ୟରେ ବ୍ରାଜିଲ, ହଙ୍ଗେରି, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଆଉ ମୋ’ ଦେଶ ଫିଲିପାଇନ୍ସ – ଯେଉଁଠି ମେ’ ୯ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ଆମେ ଏକ କର ବା ମର ସ୍ଥିତିରେ ଅଛୁ । ‘ପିପୁଲ ପାୱାର ବିଦ୍ରୋହ’ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କୁ ବହିଷ୍କାର କରିବା ଓ ତାଙ୍କ ପରିବାରକୁ ନିର୍ବାସିତ ହେବା ପାଇଁ ବାଧ୍ୟ କରିବାର ୩୫ ବର୍ଷ ପରେ ତାଙ୍କ ପୁଅ ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଏବେ ନିର୍ବାଚନୀ ଦୌଡରେ ଆଗରେ – ଆଉ ସେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାରର ଏକ ବିସ୍ତୃତ ଜାଲ ବିଛାଇ ସାରିଲେଣି, ଯାହା ‘ରାପଲର’ ୨୦୧୯ରେ ଅନାବୃତ କରିସାରିଛି । ଏହା ହେଉଛି ଆମ ଆଖି ଆଗରେ ଇତିହାସକୁ ବଦଳାଇବାର ପ୍ରୟାସ ।

ଅପପ୍ରଚାର ଏକ ସ୍ଥାନୀୟ ଓ ବୈଶ୍ୱିକ ସମସ୍ୟା ବୋଲି ଦର୍ଶାଇବା ଲାଗି ଫେସବୁକ ଦ୍ୱାରା ସେପ୍ଟେମ୍ୱର ୨୦୨୦ରେ ଅପସାରଣ କରି ନିଆଯାଇଥିବା ଚୀନର ସୂଚନା ସଞ୍ଚାଳନକୁ ଗ୍ରହଣ କରାଯାଇପାରେ : ଆମେରିକାର ନିର୍ବାଚନ ପାଇଁ କୃତ୍ରିମ ବିଦ୍ୱତା (ଏଆଇ)ର ଉପଯୋଗରେ ପ୍ରସ୍ତୁତ ଫଟୋକୁ ବ୍ୟବହାର କରିବା, ମାର୍କୋସଙ୍କ ଭଳି ବ୍ୟକ୍ତିଙ୍କର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା, ଦୁତେର୍ତେଙ୍କ ଝିଅ ପାଇଁ ପ୍ରଚାର ଅଭିଯାନ ଚଳାଇବା, ଆଉ ମୋତେ ଓ ‘ରାପଲର’କୁ ଆକ୍ରମଣ କରିବା ଆଦି ପାଇଁ ଏହା ମିଛ ଆକାଉଣ୍ଟମାନ ସୃଷ୍ଟି କରୁଥିଲା ।

ତାହାହେଲେ ଆମେ କ’ଣ କରିପାରିବା ?

ଆମ ସୂଚନା ପରିମଣ୍ଡଳରେ ଏକ ଅଦୃଶ୍ୟ ପରମାଣୁ ବୋମା ଫୁଟିସାରିଛି, ଆଉ ହିରୋସୀମା ପରେ ସାରା ବିଶ୍ୱ ଯେମିତି ପଦକ୍ଷେପ ନେଇଥିଲା, ଆମକୁ ସେମିତି ପଦକ୍ଷେପ ଗ୍ରହଣ କରିବାକୁ ହେବ । ସେତେବେଳର ସମୟ ପରି, ମାନବତାକୁ ଚରମ ବିପର୍ଯ୍ୟୟରୁ ରକ୍ଷା କରିବା ଲାଗି ଆମକୁ ଜାତିସଂଘ ପରି ନୂଆ ଅନୁଷ୍ଠାନମାନ ଗଢିବାକୁ ହେବ, ଆଉ ମାନବାଧିକାରର ସାର୍ବଜନୀନ ଘୋଷଣା (ୟୁନିଭର୍ସାଲ ଡିକ୍ଲେଆରେସନ ଅଫ ହ୍ୟୁମାନ ରାଇଟସ୍) ପରି ଆମ ମୂଲ୍ୟବୋଧକୁ ସ୍ଥାପିତ କଲା ଭଳି ନୂଆ ସଂହିତା ପ୍ରସ୍ତୁତ କରିବାକୁ ହେବ । ଏହା ସୂଚନା ପରିମଣ୍ଡଳରେ ଏକ ଅସ୍ତ୍ର ପ୍ରତିଯୋଗିତା । ତାକୁ ଏଡାଇବାକୁ ହେଲେ ଏକ ବହୁମୁଖୀ ପନ୍ଥା ଆବଶ୍ୟକ, ଯେଉଁଥିରେ ଆମ ସମସ୍ତଙ୍କୁ ଭାଗ ନେବାକୁ ହେବ । ଏହାର ଆରମ୍ଭ ହେଉଛି ତଥ୍ୟର ପୁନଃସ୍ଥାପନାରୁ ।

ଆମର ଏପରି ଏକ ସୂଚନା ପରିମଣ୍ଡଳ ଆବଶ୍ୟକ ଯାହା କେବଳ ତଥ୍ୟ ଉପରେ ଜୀଉଁଥିବ ଓ ମରୁଥିବ । ଏହା କରିବାକୁ ହେଲେ ଘୃଣା ଓ ମିଥ୍ୟାରୁ ଲାଭାନ୍ୱିତ ହେଉଥିବା ‘ନଜରଦାରି ଅର୍ଥନୀତି’ (ସର୍ଭେଲାନ୍ସ ଇକୋନୋମି)କୁ ନିୟନ୍ତ୍ରିତ ଓ ବେଆଇନ ଘୋଷିତ କରି ଏକବିଂଶ ଶତାବ୍ଦୀର ସମ୍ୱାଦିକତାର ପୁନର୍ନିର୍ମାଣ ଲାଗି ଆମକୁ ଆମର ସାମାଜିକ ଅଗ୍ରାଧିକାରକୁ ବଦଳାଇବାକୁ ହେବ ।

କିପରି ନିରପେକ୍ଷ ସାମ୍ୱାଦିକତା ବଞ୍ଚି ରହିପାରିବ ସେଥିପାଇଁ ଆମକୁ ସାହାଯ୍ୟ କରିବାକୁ ହେବ, ପ୍ରଥମେ ସାମ୍ୱାଦିକମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରି ଆଉ ସାମ୍ୱାଦିକମାନଙ୍କୁ ଟାର୍ଗେଟ କରୁଥିବା ଦେଶଗୁଡିକ ବିରୁଦ୍ଧରେ ଠିଆ ହୋଇ । ତା’ପରେ ଆମକୁ ବିଜ୍ଞାପନ ଆଧାରିତ ସାମ୍ୱାଦିକତା ମଡେଲକୁ ଧ୍ୱଂସ କରିବା ଦିଗରେ କାମ କରିବାକୁ ହେବ । ଜନସ୍ୱାର୍ଥ ଗଣମାଧ୍ୟମ ପାଇଁ ଅନ୍ତର୍ଜାତିକ ପାଣ୍ଠି (ଇଣ୍ଟରନ୍ୟାସନାଲ ଫଣ୍ଡ ଫର ପବ୍ଲିକ ଇଣ୍ଟରେଷ୍ଟ ମିଡିଆ) ଯାହା ଅନ୍ତର୍ଜାତିକ ବିକାଶ ସହଯୋଗ ପାଣ୍ଠିଗୁଡିକରୁ ଆର୍ଥିକ ସହାୟତା ପାଇବା ଲାଗି ଚେଷ୍ଟା କରୁଛି, ତା’ର କୋ-ଚେୟାରମ୍ୟାନ ହେବା ପାଇଁ ମୁଁ ରାଜି ହେବା ପଛରେ ଏହା ହିଁ ଥିଲା ଆଂଶିକ କାରଣ ।

ବର୍ତ୍ତମାନ, ଯେତେବେଳେ ସାମ୍ୱାଦିକତା ଚତୁର୍ଦ୍ଦିଗରୁ ଆକ୍ରମଣର ଶିକାର ହେଉଛି, ଓଡିଏ (ଆଧିକାରିକ ବିକାଶ ସହଯୋଗ)ର ମାତ୍ର ୦.୩% ସାମ୍ୱାଦିକତା ପାଇଁ ବ୍ୟୟ ହେଉଛି । ଆମେ ଯଦି ତାକୁ ୧ ପ୍ରତିଶତକୁ ବଢାଇ ପାରିବା, ତାହାହେଲେ ଆମେ ସମ୍ୱାଦ ଅନୁଷ୍ଠାନଗୁଡିକ ପାଇଁ ବାର୍ଷିକ ୧୦୦ କୋଟି ଡଲାର ଅର୍ଥ ସଂଗ୍ରହ କରିପାରିବା । ତାହା ତୃତୀୟ ବିଶ୍ୱ ଓ ଦରିଦ୍ର ଦେଶଗୁଡିକ (ଗ୍ଲୋବାଲ ସାଉଥ) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ସାମ୍ୱାଦିକମାନଙ୍କୁ ବୈଷୟିକ ଜ୍ଞାନକୌଶଳକୁ ଆଦରିବାକୁ ହେବ । ସେଥିପାଇଁ ଦୁଇ ମାସ ତଳେ ‘ଗୁଗୁଲ ନିଉଜ ଇନିସିଏଟିଭ’ର ସହଯୋଗରେ ‘ରାପଲର’ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଗୋଷ୍ଠୀମାନ ତିଆରି କରିବାକୁ ଏକ ନୂଆ ମଞ୍ଚର ଲୋକାର୍ପଣ କରିଛି । ସାମ୍ୱାଦିକଙ୍କ ହାତରେ ବୈଷୟିକ ଜ୍ଞାନକୌଶଳ ଭାଇରାଲ ହେବନାହିଁ, ବରଂ ଆପଣଙ୍କ ପନିପରିବା ପରି ତାହା ଆମ ପାଇଁ ଉପକାରୀ ସାବ୍ୟସ୍ତ ହେବ, କାରଣ ‘ନର୍ଥ ଷ୍ଟାର’ କହିଲେ କେବଳ ଲାଭକୁ ବୁଝାଏ ନାହିଁ, ବରଂ ତାହା ତଥ୍ୟ, ସତ୍ୟ ଓ ବିଶ୍ୱାସକୁ ବି ବୁଝାଇଥାଏ ।

ଏବେ ଆଇନ ପ୍ରଣୟନର କଥା । ଇଉରୋପିଆନ ୟୁନିଅନ ତା’ର ନେତୃବର୍ଗଙ୍କୁ ଗଣତାନ୍ତ୍ରିକ କାର୍ଯ୍ୟପନ୍ଥା (ଡେମୋକ୍ରାଟିକ ଆକସନ ପ୍ଲାନ) ସହ ସାଙ୍ଗରେ ନେଇପାରିଥିବାରୁ ଧନ୍ୟବାଦାର୍ହ । ଆମେରିକାରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡିକୁ ଉପଯୋଗୀ ସେବା ଭଳି ବ୍ୟବହାର କରୁଥିବା ଧାରା ୨୩୦ରେ ଥିବା ଆଇନରେ ସଂସ୍କାର ଆଣିବା ଅଥବା ବାତିଲ କରିବା ଆବଶ୍ୟକ । ଏହା ଏକ ବ୍ୟାପକ ଓ ସର୍ବସମ୍ମତ ସମାଧାନ ନୁହେଁ, କିନ୍ତୁ ଏହା ସମାଧାନ ପ୍ରକ୍ରିୟାର ଆରମ୍ଭ କରିଦେବ । କାରଣ ଏହି ମଞ୍ଚଗୁଡିକ ସମ୍ପ୍ରସାରଣକୁ ବଢାଇବାରେ ସହାୟକ ହୋଇଥାଆନ୍ତି । ସମ୍ପାଦକମାନଙ୍କ ଆଜେଣ୍ଡା ଅଧିକ ଉପାର୍ଜନ ପାଇଁ ଲାଭ ଦ୍ୱାରା ପରିଚାଳିତ, ଯାହା ଯନ୍ତ୍ର ମାଧ୍ୟମରେ ବଡ ଆକାରରେ କାର୍ଯ୍ୟକାରୀ କରାଯାଇଥାଏ । ତେଣୁ ତଳମୁଣ୍ଡରେ ସାଧାରଣ ବିମର୍ଶ ଯେତେବେଳେ ବିଷୟବସ୍ତୁକୁ ସଂଯମିତ କରିବା ଉପରେ କେନ୍ଦ୍ରିତ ଥାଏ, ସେତେବେଳେ ପ୍ରକୃତ କାରସାଦି ଉପରମୁଣ୍ଡରେ ଚାଲିଥାଏ, ଯେଉଁଠି ବିତରଣର କଳନାବିଧି (ଆଲଗୋରିଦମ) ସେହିଭଳି ମଣିଷଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଯେଉଁଥିରେ ସେମାନଙ୍କ ପକ୍ଷପାତ (ବାଏସ) ସଙ୍କେତଲିପି (କୋଡ) ଆକାରରେ ଅନ୍ତର୍ନିହିତ ଥାଏ । ଅନ୍ତତଃ ପକ୍ଷେ ବିଶ୍ୱର 8୧ଟି ଦେଶରେ ଶସ୍ତାରେ ଉପଲବ୍ଧ ସାମାଜିକ ଗଣମାଧ୍ୟମର ସେନାଙ୍କ ଦ୍ୱାରା ଗଣତନ୍ତ୍ରକୁ ଖିନଭିନ କରି ହେଉଥିବାରୁ, ଏହାର ପ୍ରଭାବ ସାରା ବିଶ୍ୱରେ ପଡିଥାଏ । ସେହି ଦାୟମୁକ୍ତି (ଇମ୍ପ୍ୟୁନିଟି)ର ବ୍ୟବସ୍ଥା ନିଶ୍ଚିତ ଭାବେ ପ୍ରତିହତ ହେବା ଆବଶ୍ୟକ ।

ଗଣତନ୍ତ୍ର ନାରୀ-ନାରୀ, ପୁରୁଷ-ପୁରୁଷ ମଧ୍ୟରେ ଆମ ମୂଲ୍ୟବୋଧର ଏକ ତ୍ରାଣକର୍ତ୍ତା ହୋଇସାରିଛି । ଆମେ ଏକ ପରିଣାମବିହୀନ ପ୍ରତୀତ ହେଉଥିବା ମୁହୂର୍ତ୍ତ (ସ୍ଲାଇଡିଂ ଡୋର ମୋମେଣ୍ଟ)ରେ ଅବସ୍ଥାନ କରୁଛନ୍ତି, ଯେଉଁଠି ଆମେ ଯେଉଁ ରାସ୍ତାରେ ଚାଲିଛନ୍ତି ସେଥିରେ ଆହୁରି ତଳକୁ ଖସି ଯାଇପାରନ୍ତି, ଆଉ ଆହୁରି ଫାସିବାଦର ନିକଟତର ହୋଇପାରନ୍ତି , ଅଥବା ଆମେ ପ୍ରତ୍ୟେକେ ଏକ ଉନ୍ନତ ପୃଥିବୀ ଲାଗି ଲଢିବାକୁ ନିର୍ଣ୍ଣୟ ନେଇପାରନ୍ତି ।

ତାହା କରିବାକୁ ହେଲେ ଆପଣଙ୍କୁ ନିଜକୁ ପଚାରିବାକୁ ହେବ : ସତ୍ୟ ପ୍ରତିଷ୍ଠା ଲାଗି ଆପଣ କ’ଣ କ’ଣ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ?

ମୁଁ ଜାଣି ନ ଥିଲି ଆଜି ମୁଁ ଏଠି ଉପସ୍ଥିତ ହୋଇ ପାରିବି କି ନାହିଁ । ପ୍ରତିଦିନ, ମୁଁ ମୋର ଅବଶିଷ୍ଟ ଜୀବନ ଜେଲରେ ବିତାଇବାର ବାସ୍ତବ ବିପଦ ସହ ବଞ୍ଚିଥାଏ କେବଳ ଏଇଥିପାଇଁ ଯେ ମୁଁ ଜଣେ ସାମ୍ୱାଦିକ । ମୁଁ ଯେତେବେଳେ ଘରକୁ ଫେରେ, ମୁଁ ଜାଣି ନ ଥାଏ ଯେ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି, ତଥାପି ଏଭଳି ବିପଦ ମୁଣ୍ଡାଇବାରେ ବି ମଜା ଥାଏ ।

ବିନାଶ ଘଟିସାରିଛି । ବର୍ତ୍ତମାନ ଗଢିବାର ବେଳ – ଯେଉଁ ପୃଥିବୀ ଆମେ ଗଢିବାକୁ ଚାହାନ୍ତି ।

ଏବେ, ଦୟାକରି, ମୋ’ ସହ, ଆପଣମାନେ ଆଖି ବନ୍ଦ କରନ୍ତୁ । ଆଉ ପୃଥିବୀ ଯେଉଁ ଭଳି ହେବା କଥା ତାହାର କଳ୍ପନା କରନ୍ତୁ । ଏକ ଶାନ୍ତି, ବିଶ୍ୱାସ, ଓ ସହାନୁଭୂତିରେ ଭରା ପୃଥିବୀ, ଆମ ଭିତରର ସର୍ବଶ୍ରେଷ୍ଠ ସମ୍ଭାବନାକୁ ରୂପ ଦେବା ପାଇଁ ।

ଏବେ ଚାଲନ୍ତୁ, ତାକୁ ସାକାର କରିବା । ଚାଲନ୍ତୁ, ଆମେ ଗାରର ଏ ପାଖରେ ସୁଦୃଢ ରହିବା । ଏକତ୍ର ।”


ମାରିଆ ରେସାଙ୍କ ଭଳି ଜଣେ ସାହସୀ ସାମ୍ୱାଦିକାଙ୍କୁ ଏକା ସଙ୍ଗେ ଦୁଇ ଦୁଇଟି ଅତି କ୍ଷମତାଶାଳୀ ପ୍ରତିପକ୍ଷଙ୍କ ବିରୁଦ୍ଧରେ ଲଢେଇ କରିବାକୁ ହୋଇଛି – ଏକ ପକ୍ଷରେ ଫିଲିପାଇନସର ଶକ୍ତିଶାଳୀ ଶାସକ ଓ ସରକାରୀ ତନ୍ତ୍ର ଥିବା ବେଳେ ଅନ୍ୟ ପକ୍ଷରେ ବିଶ୍ୱର ସର୍ବବୃହତ୍ ସାମାଜିକ ଗଣମାଧ୍ୟମ ‘ଟେକ୍’ କମ୍ପାନୀଗୁଡିକ । ସରକାରଙ୍କ ବିରୁଦ୍ଧରେ ତାଙ୍କ ଲଢେଇର ମୁଖ୍ୟ କାରଣ ହେଉଛି ମାନବିକ ଅଧିକାରର ଉଲ୍ଲଂଘନ କରି ପୋଲିସ ଦ୍ୱାରା ଦାୟମୁକ୍ତ (ଇମ୍ପ୍ୟୁନିଟି) ଭାବେ ହଜାର ହଜାର ନିରୀହ ଜନତାଙ୍କୁ ହତ୍ୟା କରାଯିବା । ଫିଲିପାଇନସରେ ଅବୈଧ ଡ୍ରଗ କାରବାର ଆଶାତୀତ ବୃଦ୍ଧି ପାଇ ବାର୍ଷିକ ପ୍ରାୟ ୯୦୦ କୋଟି ଡଲାରରେ ପହଞ୍ଚି ସାରିଥିଲା ଓ ତାହା ଅନ୍ୟାନ୍ୟ ଅପରାଧ ବୃଦ୍ଧିର କାରଣ ପାଲଟିଥିଲା । ଫଳରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ।  ବର୍ତ୍ତମାନର ଫିଲିପାଇନସର ରାଷ୍ଟ୍ରପତି ରୋଦରିଗୋ ଜୁନ ୨୦୧୬ରେ କ୍ଷମତାକୁ ଆସିଲା ବେଳେ ଘୋଷଣା କରିଥିଲେ ଯେ ନିଶା ବେପାରୀ, ଅପରାଧୀ ଓ ନିଶାସକ୍ତଙ୍କୁ ନିପାତ କରିବେ । କ୍ଷମତାକୁ ଆସିଲା ପରେ ସେ ଡ୍ରଗ ମାଫିଆ ଓ ଡ୍ରଗ ଆଡିକ୍ଟଙ୍କ ବିରୁଦ୍ଧରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଆରମ୍ଭ କରିଦେଲେ । ଶୁଣିବାକୁ ଏହା ଏକ ଉଚ୍ଚକୋଟୀର ନିର୍ଣ୍ଣୟ ବୋଲି ପ୍ରତୀୟମାନ ହେଉଥିଲେ ବି ଏହାର କ୍ରିୟାନ୍ୱୟନ ଏତେ  ଅମାନବୀୟ ଥିଲା ଯେ ନିରସ୍ତ୍ର ନାଗରିକଙ୍କୁ ଦାୟମୁକ୍ତ ହୋଇ ଅତି ନିର୍ମମ ଭାବେ ହତ୍ୟା କରାଯିବାକୁ ଲାଗିଲା ।  ଏପରିକି ସେ ଅପରାଧୀମାନଙ୍କୁ ଓ ନିଶାସକ୍ତଙ୍କୁ ହତ୍ୟା କରିବା ପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ଫଳସ୍ୱରୂପ ନିଶା ସେବନ କରୁଥିବା ସନ୍ଦେହରେ ବି ସାଧାରଣ ଜନତାଙ୍କୁ ବିନା ବିଚାରରେ ହତ୍ୟା କରାଯିବାକୁ ଲାଗିଲା । ଏକ ଆକଳନ ଅନୁସାରେ ୨୦୧୬ ପରଠାରୁ ପ୍ରାୟ ୮୦୦୦ ଲୋକଙ୍କୁ ଡ୍ରଗ ବିରୋଧୀ ଅଭିଯାନର ଆଳ ଦେଖାଇ ହତ୍ୟା କରାଯାଇଛି ଓ ପୁଲିସ ବା ପ୍ରଶାସନକୁ ଏହି ଧରଣର ହତ୍ୟା ପାଇଁ ଦାୟମୁକ୍ତିର ସୁରକ୍ଷା କବଚ ପ୍ରଦାନ କରାଯାଇଥିବାରୁ ସେମାନେ ନିର୍ଭୟ ହୋଇ ହତ୍ୟା କରି ଚାଲିଛନ୍ତି । ଏହା ମାନବାଧିକାରର ଘୋର ଉଲ୍ଲଂଘନ ହୋଇଥିବାରୁ ମାନବାଧିକାର କର୍ମୀମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ବି ରାଷ୍ଟ୍ରପତି ଦୁତେର୍ତେଙ୍କ ଡ୍ରଗ ୱାର ଓ ତାହାର ଫଳାଫଳର ବାସ୍ତବତାକୁ ବିଶ୍ୱବାସୀଙ୍କ ସମ୍ମୁଖରେ ପ୍ରମାଣ ସହ ଅନାବୃତ କରିବାରେ ମାରିଆ ରେସା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଫଳରେ ମାରିଆଙ୍କୁ ଦୁତେର୍ତେ ଓ ଫିଲିପାଇନସ୍ ପ୍ରଶାସନର ରୋଷର ଶିକାର ହେବାକୁ ପଡିଥିଲା । ଦୁତେର୍ତେଙ୍କ ଶାସନ କାଳରେ ଗଣମାଧ୍ୟମ ଉପରେ ଲଗା ଯାଇଥିବା ଅଙ୍କୁଶ ହେଉ ଅଥବା ୧୯ ଜଣ ସାମ୍ୱାଦିକଙ୍କ ସମେତ ପ୍ରାୟ ୪୦୦ ମାନବାଧିକାର କର୍ମୀଙ୍କ ହତ୍ୟା ହେଉ, ତା’ର ଦୃଢ ପ୍ରତିବାଦ କରି ସେ ସବୁକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାରେ ରେସା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଏହା ସାରା ବିଶ୍ୱରେ ଦୁତେର୍ତେଙ୍କ ଭାବମୂର୍ତ୍ତିକୁ ମଳିନ କରିଥିଲା ଯେଉଁଥିପାଇଁ ରେସାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲେ ବି ସେଥିପ୍ରତି ଭ୍ରୁକ୍ଷେପ ନ କରି ସାହସର ସହିତ ସେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି ।

ରେସା ଲଢୁଥିବା ଅନ୍ୟ ଯୁଦ୍ଧଟି ଫେସବୁକ ଭଳି ‘ଟେକ୍’ କମ୍ପାନୀଗୁଡିକ ବିରୁଦ୍ଧରେ । ତାଙ୍କ ଅନୁସାରେ, “ଗୋଟିଏ ମିଛକୁ ଲକ୍ଷେ ଥର କୁହାଗଲେ ତାହା ତଥ୍ୟ ପାଲଟି ଯାଇଥାଏ; ତାହା ହିଁ ସାମାଜିକ ଗଣମାଧ୍ୟମର ବାସ୍ତବତା” । ସେ ଫେସବୁକ ଭଳି କମ୍ପାନୀର ଜଣେ ବଡ ସମାଲୋଚକ ପାଲଟିବାର ମୁଖ୍ୟ କାରଣ ହେଉଛି ଏହାର ‘ଫ୍ରି ବେସିକସ’ କାର୍ଯ୍ୟକ୍ରମ ଯୋଗୁଁ ଫିଲିପାଇନସରେ ପ୍ରାୟ ୯୭ ପ୍ରତିଶତ ଲୋକ ଫେସବୁକ ବ୍ୟବହାର କରୁଥିଲେ ବି ଏହା ନିଜ ସାମାଜିକ ଦାୟିତ୍ୱବୋଧକୁ ଅବହେଳା କରି ଫିଲିପାଇନସରେ ରାଜନୈତିକ ନେତା, ବିଶେଷକରି ରାଷ୍ଟ୍ରପତି ଦୁତେର୍ତେ ଓ ତାଙ୍କ ଦଳକୁ ମିଛ ଓ ଘୃଣାପୂର୍ଣ୍ଣ ଖବର ପ୍ରସାରଣ କରିବାରେ ସାହାଯ୍ୟ କରିଛି । ଫଳରେ ସେଠାରେ ମତର ଧ୍ରୁବୀକରଣ ଘଟିବା ସହ ସ୍ୱୈରାଚାର ଓ କ୍ଷମତାର ପ୍ରାଦୁର୍ଭାବ ଘଟି ଫେସବୁକ ଏକ ପ୍ରକାର ଗଣତନ୍ତ୍ରର ହତ୍ୟାକାରୀ ପାଲଟିଛି । କେବଳ ମିଛ ଖବର ଓ ରାଜନୈତିକ ନେତାଙ୍କ ଦ୍ୱାରା ଦିଆଯାଉଥିବା ଘୃଣାପୂର୍ଣ୍ଣ ଭାଷଣକୁ ପ୍ରତିହତ କରିବାରେ ଯେ ଫେସବୁକ ବିଫଳ ହେଉଛି ତାହା ନୁହେଁ, ଏହା ଅନ୍ୟ ମିଡିଆ ଗୋଷ୍ଠୀଙ୍କୁ ମଧ୍ୟ ନିୟନ୍ତ୍ରଣ ଭିତରେ ରଖି ଶକ୍ତିଶାଳୀ ହେଉଥିବା ଚିନ୍ତାର କାରଣ ପାଲଟିଛି । ପରୋକ୍ଷରେ ଏହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ କଳୁଷିତ ହେବାରେ ସାହାଯ୍ୟ କରୁଛି ।     

ବର୍ତ୍ତମାନ ଫିଲିପାଇନସରେ ପରିସ୍ଥିତି ଯାହା, ତାହା ଊଣା ଅଧିକେ ଭାରତ ସମେତ ଅନ୍ୟାନ୍ୟ ଅନେକ ଦେଶରେ ପରିଲକ୍ଷିତ ହେଉଛି । ସାମ୍ୱାଦିକଙ୍କ ସର୍ବାଧିକ ହତ୍ୟା ହେଉଥିବା ବିଶ୍ୱର ପ୍ରଥମ ଦଶଟି ଦେଶ ମଧ୍ୟରେ ଉଭୟ ଫିଲିପାଇନସ ଓ ଭାରତ ସ୍ଥାନ ପାଇବା ତାହାର ପ୍ରମାଣ । ରେସା ତାଙ୍କ ଅଭିଭାଷଣରେ ଗଣମାଧ୍ୟମ ଓ ସାମ୍ୱାଦିକତା ପ୍ରତି ଥିବା ବିପଦଗୁଡିକୁ ରେଖାଙ୍କିତ କରିଥିଲେ ବି ସମାଜର ପ୍ରତିଟି ବର୍ଗ ପରିବର୍ତ୍ତିତ ସୂଚନା ପରିମଣ୍ଡଳ ଦ୍ୱାରା ଅତିମାତ୍ରାରେ ଆକ୍ରାନ୍ତ ହେଉଥିବାରୁ ସେ ଉଠାଇଥିବା ପ୍ରଶ୍ନଗୁଡିକ ସମସ୍ତଙ୍କୁ ଭାବିବାର ଖୋରାକ ଯୋଗାଇଛି । ଫେସବୁକ, ହ୍ୱାଟସଆପ, ଟ୍ୱିଟର ଭଳି ବଡ ବଡ ‘ଟେକ୍’ କମ୍ପାନୀ ନିୟନ୍ତ୍ରିତ ସାମାଜିକ ଗଣମାଧ୍ୟମ ଘୃଣା ମିଶ୍ରିତ ମିଥ୍ୟାର ପ୍ରସାରଣକୁ ପ୍ରୋତ୍ସାହିତ କରୁଥିବାରୁ ସେଥିରେ ପ୍ରକୃତ ତଥ୍ୟ ଓ ସତ୍ୟ ବଳି ପଡିଯାଉଛି, ଯାହା ଗଣମାଧ୍ୟମର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି । ଅନ୍ୟ ପକ୍ଷରେ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଲୋକଙ୍କ ସମ୍ପର୍କରେ ଉପଲବ୍ଧ ତଥ୍ୟ ଭଣ୍ଡାର (ଡାଟାବେସ)ର ଅପବ୍ୟବହାର କରି ମଣିଷ କ’ଣ ଭାବିବ, କିପରି ଅନୁଭବ କରିବ ଇତ୍ୟାଦି ମଣିଷର ଆଚରଣକୁ ପ୍ରଭାବିତ କରି ହେଉଥିବାରୁ ଗଣମାଧ୍ୟମ ସମ୍ପର୍କିତ ବଡ ବଡ ‘ଟେକ୍’ କମ୍ପାନୀଗୁଡିକ ଏହାକୁ ଅର୍ଥ ଉପାର୍ଜନର ଏକ ବଳିଷ୍ଠ ମାଧ୍ୟମ ରୂପେ ଉପଯୋଗ କରିଥାଆନ୍ତି । ଏହା ଦ୍ୱାରା ମିଥ୍ୟାର ଆଶ୍ରୟ ନେଇ ଶାସକର ଲୋକପ୍ରିୟତା ବଢାଇ ହୁଏ, ଭାବମୂର୍ତ୍ତି ଉଜ୍ଜ୍ୱଳ କରିହୁଏ, ଏପରିକି ନିର୍ବାଚନରେ ଜିତି ହୋଇଥାଏ ମଧ୍ୟ । ସାମାଜିକ ଗଣମାଧ୍ୟମର ବହୁଳ ଉପଯୋଗ କରି ଓ ବିଜ୍ଞାପନ-କାଙ୍ଗାଳ ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣକୁ ନେଇ ସାରା ବିଶ୍ୱରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଗୁଡିକ ଲୋକପ୍ରିୟ ହେବା ସହ କ୍ରମଶଃ ସ୍ୱୈରାଚାରୀ ହୋଇପଡୁଛନ୍ତି, ଯାହା ଗଣତନ୍ତ୍ରର ଅବକ୍ଷୟର ପ୍ରଧାନ କାରଣ ପାଲଟୁଛି । ଏଭଳି ସ୍ୱୈରାଚାରୀ ସରକାର ଓ ‘ଟେକ୍’ କମ୍ପାନୀଗୁଡିକର ଅସାଧୁ ମେଣ୍ଟ ଆଗାମୀ ଦିନରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ବିପର୍ଯ୍ୟସ୍ତ କରିବାକୁ ଯାଉଥିବାରୁ ସେଥିପ୍ରତି ସାଧାରଣ ନାଗରିକମାନେ ସତର୍କ ରହିବା ସହ ନିଜ ସ୍ତରରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରିପାରିବେ । ଘୃଣା ଓ ମିଥ୍ୟା ପ୍ରସାର କରୁଥିବା ଗଣମାଧ୍ୟମଗୁଡିକୁ ବର୍ଜନ କରିବା ସହ ସେଗୁଡିକଠାରୁ ଦୂରେଇ ରହିବା ପାଇଁ ନାଗରିକଙ୍କୁ ସଚେତ କରିବା ଲାଗି ଅଭିଯାନ ହେବା ଆବଶ୍ୟକ । ଅନ୍ୟ ପକ୍ଷରେ ତଥ୍ୟ ଓ ସତ୍ୟ ଉପସ୍ଥାପନ କରୁଥିବା ଗଣମାଧ୍ୟମଗୁଡିକ ବିଜ୍ଞାପନ ରାଜସ୍ୱ ପାଇବାରୁ ବଞ୍ଚିତ ହୋଇ ସେଗୁଡିକର ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ସେଗୁଡିକର ପୃଷ୍ଠପୋଷକତା ପାଇଁ ସାଧାରଣ ଜନତାଙ୍କୁ ଆଗେଇ ଆସିବାକୁ ହେବ । ସୂଚନାକୁ ଆୟୁଧ କରି ବିଶ୍ୱରେ ଯେଉଁ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ତାହା ଯେ କୌଣସି ଆଣବିକ ଅସ୍ତ୍ର ଅପେକ୍ଷା ଅଧିକ ଭୟଙ୍କର ଓ କ୍ଷତିକାରକ ହୋଇ ବିଶ୍ୱରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଧ୍ୱସ୍ତ କରିବାର ଆଶଙ୍କା ଦେଖା ଦେଉଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେସା ତାଙ୍କ ଅଭିଭାଷଣରେ ଯେଉଁ ଆହ୍ୱାନ ଦେଇଛନ୍ତି ତାହା କାର୍ଯ୍ୟକାରୀ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।


Published in Samadrusti fortnightly in its January 16-31, 2022 issue.


Comments

  1. So inspiring 🙂 the translation work is very nice 👍

    ReplyDelete
  2. Profuse thanks to the Author for giving a translstion of Mario Resa 's address at the Nobel Peace Prize Investiture. Very pertinent questions have been raised asto how the genuine honest journalism is being butchered and how truth is being murdered by spreading misinformation. The technology driven Tech Companies are emerging as champions of misinformation only to fatten the topline and bottomline of their financials without being bothered by the smothering of justice and truth.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍