Skip to main content

ସୁଲ୍ଲୀ ଡିଲସ୍ ଓ ବୁଲ୍ଲୀ ବାଈ ଆପ୍ : ଘୃଣା ଓ ଭୟର ଷଡଯନ୍ତ୍ର

ନୂଆ ବର୍ଷ ଆରମ୍ଭରେ ‘ବୁଲ୍ଲୀ ବାଈ’ ନାମକ ଏକ ଆପ୍ (ଆପ୍ଲିକେସନ)ରେ ରେଡିଓ ମିର୍ଚି ୯୮.୩ ଏଫଏମର ‘ଆରଜେ ସାୟେମା’ ଭାବେ ଖ୍ୟାତ ରେଡିଓ ଜକି ସାୟେମା ରେହମାନ ନିଜ ଫଟୋ ନିଲାମ ଉଦ୍ଦେଶ୍ୟରେ ଥିବା ଦେଖି ବିସ୍ମିତ ଓ ବିଚଳିତ ହୋଇ ପଡିଥିଲେ । କେବଳ ତାଙ୍କର ନୁହେଁ, ଏହି ୱେବସାଇଟରେ ପ୍ରାୟ ୧୦୦ ଜଣ ମୁସଲମାନ ମହିଳାଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ ସେମାନଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ପ୍ରଦାନ କରାଯାଉଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ପ୍ରଭାବଶାଳୀ ମହିଳାମାନଙ୍କ କୃତ୍ରିମ ଭାବେ ପରିବର୍ତ୍ତିତ (ଡକ୍ଟରଡ୍) ଫଟୋ ଓ ପ୍ରୋଫାଇଲ ନିଲାମ ଉଦ୍ଦେଶ୍ୟରେ ‘ବୁଲ୍ଲୀ ବାଈ’ ୱେବସାଇଟରେ ରଖି ନିଲାମ ଡାକ ପାଇଁ ଆମନ୍ତ୍ରଣ କରାଯିବାର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ନିନ୍ଦିତ ଓ ଭୟଭୀତ କରାଇବା । ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିବା ଏହି ମହିଳାମାନଙ୍କ ବୟସ ୧୭ରୁ ୭୦ ମଧ୍ୟରେ ଥିଲା ।

ଏକ ୱେବସାଇଟରେ ମୁସଲମାନ ମହିଳାଙ୍କ ନିଲାମ ଡକା ଯାଉଥିବା ଖବର ସେତେବେଳେ ଜଣାପଡିଲା, ଯେତେବେଳେ ‘ଦି ୱାୟାର’ ନାମକ ନିଉଜ ୱେବସାଇଟର ସାମ୍ୱାଦିକା ଇସମତ ଆରା ତାଙ୍କ ଫଟୋ ‘ବୁଲ୍ଲୀ ବାଈ’ ୱେବସାଇଟରେ ଥିବା କଥା ଟ୍ୱିଟ କରି ଜଣାଇଲେ, “ଏହା ଅତି ଦୁଃଖଦାୟକ ଯେ ଜଣେ ମୁସଲମାନ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆ ବର୍ଷ (୨୦୨୨) ଆରମ୍ଭ କରିବାକୁ ପଡିଲା । ଅବଶ୍ୟ ଏହା କହିବା ବାହୁଲ୍ୟ ଯେ ସୁଲ୍ଲୀ ଡିଲସର ଏହି ନୂତନ ସଂସ୍କରଣରେ ଆକ୍ରମଣର ଶରବ୍ୟ ହେବାରେ ମୁଁ  ଏକୁଟିଆ ନୁହେଁ ।” 

‘ବୁଲ୍ଲୀ ବାଈ’ ଏକ ଆପ୍ (ଆପ୍ଲିକେସନ) ଯାହା ‘ଗିଟହବ’ରେ ଦେଖିବାକୁ ମିଳିଥିଲା । ‘ଗିଟହବ’ ଏକ ମଞ୍ଚ (ପ୍ଲାଟଫର୍ମ) ଯେଉଁଠାରେ ‘ଗିଟ’ କୋଷାଗାର (ରିପୋଜିଟୋରି)କୁ ବ୍ୟବହାର କରି ସଫ୍ଟୱେଆର ବିକାଶ କରାଯାଇଥାଏ ଓ ରଖା ଯାଇଥାଏ । ବିଶ୍ୱର ପ୍ରାୟ ୭ କୋଟିରୁ ଊର୍ଦ୍ଧ୍ୱ ସଫ୍ଟୱେଆର ବିକାଶକାରୀ ଓ କମ୍ପାନୀ ସେମାନଙ୍କ ସଫ୍ଟୱେଆରର ବିକାଶ, ପ୍ରେରଣ ଓ ରକ୍ଷଣାବେକ୍ଷଣ ଏହି ମଞ୍ଚ ମାଧ୍ୟମରେ କରିଥାଆନ୍ତି ଓ ଏଥିପାଇଁ ଏହା ବିଶ୍ୱର ସର୍ବବୃହତ୍ ମଞ୍ଚ ଅଟେ । ଏହାର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସାନଫ୍ରାନସିସ୍କୋରେ ଅବସ୍ଥିତ । ମହିଳାଙ୍କ ନିଲାମ ଉଦ୍ଦେଶ୍ୟରେ ଏହାର ମଞ୍ଚକୁ ବ୍ୟବହାର କରାଯାଉଥିବା କଥା ଜଣା ପଡିବା ପରେ ‘ଗିଟହବ’ ‘ବୁଲ୍ଲୀ ବାଈ’ ଆପକୁ ସେଠାରୁ ଅପସାରଣ କରି ଦେଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହି ‘ଗିଟହବ’କୁ ଉପଯୋଗ କରି ଠିକ ୬ ମାସ ତଳେ ‘ସୁଲ୍ଲୀ ଡିଲସ୍’ ନାମକ ଅନ୍ୟ ଏକ ୱେବସାଇଟରେ ଅନୁରୂପ ଭାବେ ନିଲାମ ଉଦ୍ଦେଶ୍ୟରେ ମୁସଲମାନ ମହିଳାଙ୍କର ଫଟୋ ରଖାଯାଇଥିଲା । ଏଥିରେ ପୀଡିତା ମହିଳାଙ୍କ ଦ୍ୱାରା ଦିଲ୍ଲୀ ସମେତ ୪ଟି ରାଜ୍ୟରେ ୧୫ଟି ଏଫଆଇଆର ଦାଏର ହେବା ପରେ ‘ସୁଲ୍ଲୀ ଡିଲସ୍ ଆପ’କୁ ଅପସାରଣ କରି ନିଆଯାଇଥିଲା । ହେଲେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସର ନିଷ୍କ୍ରିୟତା ପୀଡିତାଙ୍କୁ ବ୍ୟଥିତ କରିଥିଲା ।         

ସାମାଜିକ ଗଣମାଧ୍ୟମ ଭାବର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ବି ଏହାର ଅପବ୍ୟବହାର କରି ଅନଲାଇନରେ ମହିଳାଙ୍କ ନିଲାମ ଡାକିବା ମହିଳାମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ସହ ତାହା ସେମାନଙ୍କ ପ୍ରତି ଅତ୍ୟନ୍ତ ଅପମାନଜନକ ଆଚରଣ ହୋଇଥାଏ । ଏହା ଏକ ପ୍ରକାର ଅନଲାଇନରେ ମହିଳାଙ୍କ ଉତ୍ପୀଡନ ଯାହା ମହିଳାଙ୍କ ସମ୍ମାନର ହନନ କରୁଥିବାରୁ ତାହା ଏକ ଦଣ୍ଡନୀୟ ଅପରାଧ ଅଟେ । ତେଣୁ ଉଭୟ ମୁମ୍ୱାଇ ଓ ଦିଲ୍ଲୀରେ କିଛି ପୀଡିତା ମହିଳା ଏଫଆଇଆର ଦାଖଲ କଲେ । ଏହି ମାମଲାରେ ମୁମ୍ୱାଇ ପୁଲିସ ଅଜଣା ଅପରାଧୀଙ୍କ ବିରୁଦ୍ଧରେ ବିଭିନ୍ନ ଧର୍ମାବଲମ୍ୱୀଙ୍କ ମଧ୍ୟରେ ଘୃଣାର ବାତାବରଣ ତିଆରି କରିବା, ଜାତୀୟ ସଂହତିକୁ ନଷ୍ଟ କରିବା, ଜାଣିଶୁଣି ଏକ ବିଦ୍ୱେଷପୂର୍ଣ୍ଣ କାର୍ଯ୍ୟ କରିବା, ଅନୁଧାବନ କରିବା, ମହିଳାଙ୍କ ସମ୍ମାନର ହନନ କରିବା, ଆପରାଧିକ ମାନହାନି ଆଦି ପାଇଁ, ଭାରତୀୟ ପିଙ୍ଗଳ କୋଡର ଯଥାକ୍ରମେ ଦଫା ୧୫୩(ଏ), ୧୫୩(ବି), ୨୯୫(ଏ), ୩୫୪ (ଡି), ୫୦୯ ଓ ୫୦୦ ରେ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ । ତେବେ ମୁମ୍ୱାଇ ପୁଲିସ ତତ୍ପରତା ଦେଖାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ଉପରେ ଚାପ ପଡିଲା ଓ ସେମାନେ ଆସାମରୁ ଏହି କାଣ୍ଡର ମୁଖ୍ୟ ନାୟକ କୁହାଯାଉଥିବା ଅଭିଯୁକ୍ତକୁ ଗିରଫ କଲେ । ଇତିମଧ୍ୟରେ ବୁଲ୍ଲୀ ବାଈ ଆପ୍ ସହ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇସାରିଛନ୍ତି । ଗିରଫ ହୋଇଥିବା ସମସ୍ତଙ୍କ ବୟସ ୧୮ରୁ ୨୧ ମଧ୍ୟରେ ଓ ସେଥିରେ ସଂଶ୍ଳିଷ୍ଟ ଥିବା ଏକମାତ୍ର ଯୁବତୀ ମାତ୍ର ୧୮ ବର୍ଷ ବୟସ୍କା, ଯାହା ଅତ୍ୟନ୍ତ ଉଦବେଗଜନକ । ଏତେ କମ ବୟସରେ ଏ ଭଳି ଏକ ଘୃଣାପୂର୍ଣ୍ଣ କାର୍ଯ୍ୟର ପରିକଳ୍ପନା କରି ତାକୁ ସୁଚାରୁ ରୂପେ ସମ୍ପାଦନ କରିବା ବିଶ୍ୱାସଯୋଗ୍ୟ ମନେ ହେଉ ନ ଥିବାରୁ ଏହା ପଛରେ ଅନ୍ୟ କାହାର ସୁଚିନ୍ତିତ ଷଡଯନ୍ତ୍ର କାମ କରୁଥାଇପାରେ ବୋଲି ଆଶଙ୍କା ବ୍ୟକ୍ତ ହେଉଛି ।   

ବୁଲ୍ଲୀ ବାଈର ଟ୍ୱିଟର ହାଣ୍ଡଲକୁ ଅପସାରଣ କରାଯାଇଥିଲେ ବି ଏହି କାଣ୍ଡଟି କିଏ କରିଥାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲା । କେହି କେହି ଏହା ପଛରେ ପାକିସ୍ତାନର ହାତ ଥାଇପାରେ ବୋଲି ଆଶଙ୍କା ବ୍ୟକ୍ତ କଲେ । ତେବେ ଏହା ‘ଖାଲିସ୍ତାନୀ ଶିଖ ଫୋର୍ସ’ (କେଏଲଏଫ) ଦ୍ୱାରା ପରିଚାଳିତ ବୋଲି ଆକାଉଣ୍ଟରେ ଦର୍ଶାଯାଇଥିଲା । ଆକାଉଣ୍ଟରେ ‘ବୁଲ୍ଲୀ ବାଈ’ ଶବ୍ଦ-ଦ୍ୱୟ ‘ଗୁରୁମୁଖୀ’ (ପଞ୍ଜାବୀ) ଲିପିରେ ଲେଖା ହୋଇ ସେଥିରେ ‘ଫ୍ରିଜଗ୍ଗିନାଓ’ ହାସ-ଟାଗଟି ଲେଖା ଯାଇ ଏହା ଖାଲିସ୍ତାନୀଙ୍କ କାର୍ଯ୍ୟ ବୋଲି ଭ୍ରମ ଉତ୍ପନ୍ନ କରିବାର ଚେଷ୍ଟା କରା ଯାଇଥିଲା । ଖାଲିସ୍ତାନର ଦୃଢ ସମର୍ଥକ ବ୍ରିଟିଶ ଅଧିବାସୀ ଏବଂ ଏକାଧିକ ହତ୍ୟା ଅପରାଧରେ ଅଭିଯୁକ୍ତ ଜଗତାର ସିଂହ ଜୋହଲ ଓରଫ ଜଗ୍ଗି ଭାରତକୁ ଆସିଥିବା ସମୟରେ ନଭେମ୍ୱର ୨୦୧୭ରୁ ଧରା ପଡି ଜେଲରେ ଅଛି । ତାକୁ ମୁକ୍ତ କରିବା ଲାଗି ଖାଲିସ୍ତାନ ସପକ୍ଷବାଦୀଙ୍କ ଦ୍ୱାରା ମଝିରେ ମଝିରେ ସାମାଜିକ ଗଣମାଧ୍ୟମରେ ‘ଫ୍ରିଜଗ୍ଗିନାଓ’ ହାସଟାଗ ଅଭିଯାନମାନ ଚଳାଯାଇଥାଏ । ସେହି ହାସ-ଟାଗଟିକୁ ଏ କ୍ଷେତ୍ରରେ ବ୍ୟବହାର କରି ଅଭିଯୁକ୍ତମାନେ ନିଜକୁ ପୁଲିସ ସନ୍ଦେହର ଊର୍ଦ୍ଧ୍ୱରେ ରଖିବାକୁ ଚେଷ୍ଟା କରିଥିଲେ । ସେହିପରି ‘ଖାଲସା ୱାରିଅର’ ନାମକ ଏକ ଆକାଉଣ୍ଟର ଟ୍ୱିଟକୁ ‘ବୁଲ୍ଲୀ ବାଈ’ ଆକାଉଣ୍ଟରୁ ପୁନଃଟ୍ୱିଟ କରାଯାଇ ସେହି ଭ୍ରମକୁ ଦୃଢ କରିବାର ଚେଷ୍ଟା ହୋଇଥିଲା । ହେଲେ  ଗିରଫ ହୋଇଥିବା କେହି ଜଣେ ହେଲେ ଶିଖ ସମ୍ପ୍ରଦାୟର ହୋଇ ନ ଥିବାରୁ ଏହାକୁ ଖାଲିସ୍ତାନୀମାନଙ୍କ କାଣ୍ଡ ବୋଲି ଦର୍ଶାଇବାର ଅପଚେଷ୍ଟା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଗଲା । ତେଣୁ ଏହା ଶିଖ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ସମ୍ପ୍ରୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ।

ଅନ୍ୟ ପକ୍ଷରେ ଏହି କାଣ୍ଡଟିର ସମ୍ପାଦନରେ ଅନ୍ୟ କାହାର ସମ୍ପୃକ୍ତି ନ ଥାଇ କେବଳ ଯଦି ଏହି ଯୁବକ ଓ ଯୁବତୀଙ୍କ ଦ୍ୱାରା ତାହା ସଂଘଟିତ ହୋଇଥାଏ, ତେବେ ତାହା ମଧ୍ୟ ଉଦବେଗଜନକ । ଏତେ କମ ବୟସରେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି କେତେ ଅଧିକ ଘୃଣା ମନରେ ବସା ବାନ୍ଧି ନ ଥିଲେ ଜଣେ ଏପରି ଘୃଣିତ କାର୍ଯ୍ୟ କରିବାକୁ କୁଣ୍ଠା ପ୍ରକାଶ କରିବ ନାହିଁ ! ତା’ଛଡା ଯେଉଁ ମହିଳାମାନଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖା ଯାଇଥିଲା, ସେମାନଙ୍କ ମଧ୍ୟରୁ କେତେକ ଅଭିଯୁକ୍ତମାନଙ୍କ ଜେଜେ ମା’ ବୟସର ଥିଲେ, ଯେଉଁମାନଙ୍କ ବୟସ ପ୍ରତି ସେମାନଙ୍କର ସମ୍ମାନ ନ ଥାଇ ପାରେ, ହେଲେ ସେମାନଙ୍କଠାରୁ ଅନ୍ତତଃ ଏତେ ଅଧିକ ଘୃଣା ବି ତ ଆଶା କରି ହେବନାହିଁ । ଏଥିରୁ ସ୍ପଷ୍ଟ ଯେ ବାରମ୍ୱାର ଅନ୍ୟ ପ୍ରତି ଘୃଣାପୂର୍ଣ୍ଣ ବିମର୍ଶ ଓ ମନ୍ତବ୍ୟ ଶୁଣି ଶୁଣି କୋମଳମତି ବାଳକ-ବାଳିକା, ଯୁବକ-ଯୁବତୀମାନଙ୍କ ମନରେ ଘୃଣା ଏପରି ବସା ବାନ୍ଧି ବସେ ଯେ ସେହି ଘୃଣା କେତେବେଳେ ସେମାନଙ୍କ ଚରିତ୍ରର ଅଂଶ ବିଶେଷ ହୋଇ ସେମାନଙ୍କ କ୍ଷତି କରିଥାଏ, ତାହା ସେମାନେ ଜାଣି ପାରି ନ ଥାଆନ୍ତି । ଫଳରେ ସମାଜ ଓ ଦେଶର ମଧ୍ୟ ପ୍ରଭୁତ କ୍ଷତି ସାଧିତ ହୋଇଥାଏ । ତେଣୁ ସମାଜ ଓ ଦେଶ ଗଠନ ପାଇଁ ଅନ୍ତତଃ ପକ୍ଷେ ଆମ କୋମଳମତି ବାଳକ ବାଳିକାଙ୍କୁ କୌଣସି ପ୍ରକାର ଘୃଣାପୂର୍ଣ୍ଣ ବିମର୍ଶଠାରୁ ଦୂରେଇ ରଖିବା ନିହାତି ଆବଶ୍ୟକ । ନ ହେଲେ ଆମେ ନିଜ ଗୋଡରେ ନିଜେ କୁରାଢୀ ମାରି ବସିବା ଯାହା ।        

ଏମିତିରେ ସାରା ଦେଶରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବଢି ବଢି ଚାଲିଥିଲା ବେଳେ ଏହି ଅନଲାଇନ ଅପରାଧର ନୂତନ ଧାରା ବାସ୍ତବିକ ଉଦବେଗଜନକ । ‘ବୁଲ୍ଲୀ ବାଈ’ ପରି ଘଟଣା ଉପରେ ବୁଦ୍ଧିଜୀବୀମାନଙ୍କ ମତ, “ଏ ଭଳି ଘଟଣା ଏପରି ଏକ ସମାଜର ନିଦର୍ଶନ ଯେଉଁଠାରେ ନିଜର ସ୍ୱର ଉଠାଇବାକୁ ସାହସ କରୁଥିବା ମହିଳାମାନଙ୍କ ସ୍ୱରକୁ ଚାପି ଦେବାଲାଗି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥାଏ ।“ ପୀଡିତା ମହିଳାମାନେ କେବଳ ଯେ ମୁସଲମାନ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନଚେତା ଓ ନିଜ ନିଜ ବୃତ୍ତିରେ ବେଶ ପ୍ରତିଷ୍ଠିତ । ତାହା ହିଁ ସେମାନଙ୍କ ଆକ୍ରମଣରେ ଶରବ୍ୟ ହେବାର ମୁଖ୍ୟ କାରଣ ବୋଲି କୁହାଯାଇପାରେ । ଅଳ୍ପସଂଖ୍ୟକ ଓ ଦଳିତମାନଙ୍କ ମଧ୍ୟରୁ ଖୁବ କମ ସଂଖ୍ୟକ ମହିଳା ସ୍ୱାଧୀନ ବିଚାର ସହ ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଆଗେଇ ଆସୁଥିବା ବେଳେ ଏହି ଧରଣର ଘଟଣା ସେହି ପ୍ରକ୍ରିୟାକୁ ଆହୁରି ପ୍ରଭାବିତ କରିବ । ତେଣୁ ଏ ଭଳି ଘଟଣା ସଂଘଟିତ ହେଲା ମାତ୍ରେ ନିର୍ବାଚନୀ ଲାଭକ୍ଷତିର ଊର୍ଦ୍ଧ୍ୱକୁ ଉଠି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଚୁପ ନ ରହି ଘଟଣାର ନିନ୍ଦା କରିବା ଉଚିତ । ଏ ଭଳି ଘଟଣାରେ ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ଆନ୍ତରିକତା ଓ ତତ୍ପରତା ପ୍ରକାଶ ପାଇଲେ ତାହା ଏ ଧରଣର ବେପରୁଆ ଆପରାଧୀକ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥାଏ । ‘ବୁଲ୍ଲୀ ବାଈ’ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେହି କେହି ‘ସୁଲ୍ଲୀ ଡିଲସ୍’ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣା ପଡିବା ପରେ ଏହା ସ୍ପଷ୍ଟ ହେଉଛି ଯେ ‘ସୁଲ୍ଲୀ ଡିଲସ’ ମାମଲାରେ ଦଣ୍ଡିତ ନ ହେବା ସେମାନଙ୍କୁ ପରବର୍ତ୍ତୀ ଅପରାଧ ପାଇଁ ସାହସ ଯୋଗାଇଥିଲା । ଦିଲ୍ଲୀ ପୁଲିସ ଉପରେ ଚାପ ପଡିବା ପରେ ସେମାନେ ‘ସୁଲ୍ଲୀ ଡିଲସ’ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛନ୍ତି । ‘ବୁଲ୍ଲୀ ବାଈ’ କାଣ୍ଡରେ ଆରଜେ ସାୟେମାଙ୍କ ନାମ କାହିଁକି ପୀଡିତାଙ୍କ ତାଲିକାରେ ରହିଲା ବୋଲି ପ୍ରଶ୍ନର ସେ ଦେଇଥିବା ଉତ୍ତର ବେଶ ଚିନ୍ତା ଉଦ୍ରେକକାରୀ । ତାଙ୍କ ଅନୁସାରେ, “ଆପଣ ଜାଣନ୍ତି, ଜୀବନରେ ଆଗକୁ ବଢିବାକୁ ହେଲେ କେତେଗୁଡିଏ ବକ୍ସରେ ଟିକ୍ ମାରିବାକୁ ହୋଇଥାଏ ... ମୁଁ ସେହି ବକ୍ସଗୁଡିକରେ ଟିକ୍ ମାରିଛି । ଏକ ନମ୍ୱର ବକ୍ସରେ ମୁଁ ଜଣେ ମହିଳା । ବକ୍ସ ନମ୍ୱର ଦୁଇରେ ମୁଁ ମୁସଲମାନ, ବକ୍ସ ନମ୍ୱର ତିନିରେ ମୁଁ ସ୍ୱାଧୀନ ଚିନ୍ତାଧାରାର ମଣିଷଟିଏ ଆଉ ବକ୍ସ ନମ୍ୱର ଚାରିରେ ମୁଁ ଜଣେ ସଫଳ ମଣିଷ ।” ଏହା କେବଳ ସାୟେମାଙ୍କ ଉତ୍ତର ନୁହେଁ, ବରଂ ନିଜ ଅଜାଣତରେ ‘ବୁଲ୍ଲୀ ବାଈ’ର ଶରବ୍ୟ ଶତାଧିକ ମୁସଲମାନ ମହିଳାଙ୍କ ବେଦନାର କାହାଣୀ । ସମଗ୍ର ଭାରତୀୟ ସମାଜକୁ ଏଭଳି ଦୁଷ୍କୃତିର ପ୍ରତିବାଦ ପୂର୍ବକ ସେହି ମହିଳାମାନଙ୍କ ଲଢେଇରେ ସାଙ୍ଗରେ ଠିଆ ହେବା ଆବଶ୍ୟକ, କାରଣ ଆସନ୍ତାକାଲି ହୁଏତ ଯେ କୌଣସି ପରିବାରର ଝିଅ, ବୋହୂ ଏଭଳି କାଣ୍ଡର ଶିକାର ହୋଇପାରନ୍ତି । ନ ହେଲେ ଆମ ସାମାଜିକ ସମରସତାର ବନ୍ଧନ ଦୁର୍ବଳ ହୋଇ ଭୟାବହ ପରିସ୍ଥିତି ସୃଷ୍ଟି ହେବ । ‘ସୁଲ୍ଲୀ ଡିଲସ୍’ ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲେ, ଆଉ ହୁଏତ ସେହିଭଳି ଏକ କାଣ୍ଡର ପୁନରାବୃତ୍ତି ହୋଇ ‘ବୁଲ୍ଲୀ ବାଈ’ କାଣ୍ଡ ସଂଘଟିତ ହୋଇ ନ ଥାଆନ୍ତା ।

 

(Published in Odisha Reporter on January 20, 2022)

Comments

  1. Your article is really a detailed narrative of the Sullybai app.It is a matter of great concern to the society.More and more information needed to stop such activities.Thanks for the article.

    ReplyDelete
  2. ନିଶ୍ଚିତ ଭାବରେ ଉଦବେଗଜନକ ବିଷୟ।ଏହାର ମୂଳୋତ୍ପାଟନ ଆବଶ୍ୟକ।ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋକପାତ କରିଥିବାରୁ ଆପଣ ଧନ୍ୟବାଦାର୍ହ।

    ReplyDelete
    Replies
    1. ଏକ ସମ୍ବେଦନଶୀଳ ବିଷୟକୁ ଖୁବ୍ ଚମତ୍କାର ଭାବେ ପ୍ରତିପାଦିତ କରା ଯାଇଥିବାରୁ ଭାଇଙ୍କୁ ଅଭିନନ୍ଦନ🌷👍

      Delete
    2. ଧନ୍ୟବାଦ ସଞ୍ଜୀବ ।

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍